Tuesday, September 18, 2018

ଚରିତ୍ରଂ ହି ପରଂ ବଳଂ” - ୭


ଗୋପବନ୍ଧୁ ଦାସ


ଟୋକିଓର ଦାଇଏଞ୍ଜି ମନ୍ଦିର (୨୦୦୪ ମସିହାରେ ଉତ୍ତୋଳିତ ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବିଧାତାଙ୍କ କରୁଣାରେ ଆମ୍ଭେମାନେ ବୁଦ୍ଧି ଓ ବିଚାର ପାଇଅଛୁ । ତାଙ୍କରି ଅନନ୍ତ ଦୟାରେ ବଞ୍ଚି ଅଛୁ । ସେହି ଦୟାରେ ଜଗତ ଅଛି, ଚଳୁ ଅଛି । ବିଧାତା ସମସ୍ତଙ୍କୁ ଦୟା କରନ୍ତି, ସ୍ନେହ କରନ୍ତି । ଯେଉଁଠାରେ ଦୟା, ସ୍ନେହ, ସତ୍ୟ, ପ୍ରୀତି ଆମ୍ଭେ ଦେଖୁ, ତାହା ସେହି ବିଧାତାଙ୍କଠାରୁ  ଆସି ଅଛି । ପିତା ପୁତ୍ରକୁ ସ୍ନେହ କଲା ବେଳେ ମଧ୍ୟ ଆମ୍ଭେମାନେ ସେହି ବିଧାତାଙ୍କ ସ୍ନେହର କଣିକାଏ ସେଠାରେ ପାଉ । ସେଥି ପାଇଁ ଆମ୍ଭେ ବିଧାତାଙ୍କୁ କହୁଁ ବିଶ୍ୱପିତା, ବିଶ୍ୱନିୟନ୍ତା, ବିଶ୍ୱବନ୍ଧୁ ଓ ବିଶ୍ୱରାଟ୍ । ସେହି ଅନନ୍ତ କରୁଣାମୟ ପ୍ରୀତିମୟ ବିଧାତା ହିଁ ତେଣୁ ଆମ୍ଭର ଆଦର୍ଶ । 

ବିଧାତାଙ୍କର ପ୍ରେମ ଦେଖି ମୁଗ୍‌ଧ ହୁଅ ଏବଂ ଜୀବନରେ ସେହି ପ୍ରେମର ଯଥାସାଧ୍ୟ ଅନୁକରଣ କର । ମହାପୁରୁଷମାନେ ତାହା ହିଁ କରନ୍ତି । ତୁମ୍ଭେମାନେ ମହାପୁରୁଷମାନଙ୍କର ଜୀବନୀରୁ ଏହା ହିଁ ଶିଖିବ । ସେମାନେ ଅନନ୍ତ ପ୍ରେମରେ ନିଜ ଜୀବନକୁ ଫିଟାଇ ରଖି ଥିଲେ । ତୁମ୍ଭମାନଙ୍କୁ ମଧ୍ୟ ସେହି ଶିକ୍ଷା ଦିଆ ଯାଏ । ତୁମ୍ଭେ ଅନ୍ୟଠାରୁ ଯେ ବ୍ୟବହାର ପାଇବାକୁ ଇଚ୍ଛା କର, ଅନ୍ୟ ପ୍ରତି ସେହି ପରି ବ୍ୟବହାର କର । ବରଂ ଆହୁରି ଟିକିଏ ଭଲ କରି କହିଲେ କୁହାଯିବ, ବିଧାତାଙ୍କଠାରୁ ଯାହା ତୁମ୍ଭେ ପାଉ ଅଛ, ଜଗତ ପାଉ ଅଛିତୁମ୍ଭ ଜୀବନରେ ସେହି ଭାବ ବ୍ୟକ୍ତ କର । ପର ପାଇଁ ଜୀବନଧାରଣ କର । ପରର ଦୁଃଖ ଅନୁଭବ କର । ତୁମ୍ଭର ଆତ୍ମା ପ୍ରସାରିତ ହେଉ, ଜଗତରେ ବିସ୍ତୀର୍ଣ୍ଣ ହେଉ ।

ହଠାତ୍ ହୁଏ ତ ଏକଥା ବୁଝି ପାରୁ ନ ଥିବ । ଏହା ତୁମ୍ଭଙ୍କୁ ବଡ଼ କଥା ପରି ଲାଗୁ ଥିବ । କିନ୍ତୁ ତୁମ୍ଭେ ଯେ ବୁଦ୍ଧଦେବଙ୍କ ଚରିତ୍ର ପଢ଼ି ମୁଗ୍‌ଧ ହୁଅ, କାହିଁକି ? ଜଗତ୍ ପାଇଁ ସେ ପ୍ରାଣ ଢ଼ାଳି ଦେଇ ଥିଲେ । ରାମଚନ୍ଦ୍ର ପିତାଙ୍କ ପାଇଁ, ପତ୍ନୀ ପାଇଁ, ପରେ ପ୍ରଜାଙ୍କ ପାଇଁ, ଆତ୍ମସୁଖ ତ୍ୟାଗ କରି ଥିଲେ । ଅନ୍ୟାନ୍ୟ ମହାତ୍ମାମାନଙ୍କ ଅନୁକରଣୀୟ ଚରିତ୍ରରେ ସେହି କଥା । 

ତୁମ୍ଭେ ମଧ୍ୟ ସମାଜର କଲ୍ୟାଣ, ଜାତିର ଉନ୍ନତି, ଦେଶର ମଙ୍ଗଳ, ପ୍ରଭୃତି ନାନା ପ୍ରକାରରେ ସେହି ଆତ୍ମପ୍ରସାର କରିବାକୁ ଲକ୍ଷ୍ୟ କରୁ ଅଛ । ଏସବୁ ଉଦ୍ଦେଶ୍ୟରେ ସେହି ଏକ ବିଶ୍ୱପ୍ରେମର ବିକାଶ । ସବୁଥିରେ ସେହି ଏକ ସାର୍ବଜନୀନ ମାନବ ଚରିତ୍ର ଫୁଟି ଉଠିବ । ସବୁଠାରେ ଏହି ଏକ ଉଦ୍ଦେଶ୍ୟ ଏହି ଏକ ଆଦର୍ଶ । ଏହି ଆଦର୍ଶରେ ଇଚ୍ଛା ସଂଯତ କରି ଚରିତ୍ର ଗଢ଼ିବାକୁ ହେବ । ତାହା ନ କଲେ ଚରିତ୍ର ଦୂଷିତ ହେବ । କର୍ତ୍ତବ୍ୟର ସମାଧାନ ସୁସଙ୍ଗତ ବା ସତ୍ ହେବ ନାହିଁ ।

ଏପରି ମହାପୁରୁଷମାନଙ୍କ ଜୀବନୀରୁ ଶିଖି ବିଧାତାଙ୍କ ଅନନ୍ତ ଦୟା ଓ ପ୍ରେମକୁ ଆଦର୍ଶ କରି ଚରିତ୍ର ଗଢିବା ସତ, ମାତ୍ର ବାଳକମାନେ ଏ ବଡ଼ ସୁସାଧ୍ୟ କର୍ମ ନୁହେଁ । ଭୌତିକ ଶରୀରର ସୁଖବିଳାସ କାମନା ଲୋଭ ବଡ଼ ପ୍ରବଳ । ସେହି ଆଶୁ-ପ୍ରୀତିକର ଇଚ୍ଛାର କବଳରେ ପଡ଼ି ମାନବ ସର୍ବଦା ପଥଭ୍ରଷ୍ଟ ହୁଏ । ସେଥି ପାଇଁ ସାବଧାନ । ଆଶୁ ପ୍ରୀତି ବା ଆପାତସୁଖ ଉଦ୍ଦେଷ୍ୟ ହେଲେ, ତାହା ହୁଏ ତ କାର୍ଯ୍ୟ ସଙ୍ଗେସଙ୍ଗେ ମିଳିଯାଏ । ତାହାର ପରିମାଣ ଭଲ  ନହେଉ ପଛେ, ମନୁଷ୍ୟ ମୁହୂର୍ତ୍ତକ ପାଇଁ ସେଥିରେ ପ୍ରୀତି ପାଏ । ମାତ୍ର ଜୀବନର ମହତ୍ ଉଦ୍ଦେଶ୍ୟ ସ୍ଥିର ଓ ଦୃଢ଼ ନ ହେଲେ, ସେଥିରେ ପ୍ରୀତି ସହଜରେ ମିଳେ ନାହିଁ । ଉଦ୍ଦେଷ୍ୟରେ ଆଗ୍ରହ ନ ଆସିଲେ, କର୍ତ୍ତବ୍ୟରେ ରୁଚି ଆସେ ନାହିଁ ।

ସେଥିପାଇଁ ଏହି ନବୀନ ବୟସରେ ତୁମ୍ଭଙ୍କୁ ଭଲ କଥା କହିଲେ, ବେଳବେଳେ ତୁମ୍ଭର ଅରୁଚି ହୁଏ। ନୂଆ କରି ଶିଖିଲା ବେଳେ ଆଶୁ ପ୍ରୀତି ଦମନ କରିବାକୁ ହୁଏ। ସହଜ ଇଚ୍ଛା ଟିକିଏ କ୍ଲେଶରେ ସଂଯତ କରିବାକୁ ହୁଏ ସତ ମାତ୍ର ଆଦର୍ଶ ଥରେ ସ୍ଥିର ହେଲେ ଥରେ ଉଦ୍ଦେଷ୍ୟର ମହତ୍ତ୍ୱ ବୁଝିଲେ, କର୍ତ୍ତବ୍ୟରେ ପରମାନନ୍ଦ ଆସେ, ଜୀବନର ମୂଲ୍ୟ ବଢିଯାଏ। ଆଗ୍ରହର ସୀମା ରହେ ନାହିଁ । ଚରିତ୍ର ନିଜେ ନିଜେ ତିଆରି ହୁଏ । 

ଥରେ ବଦ୍ଧପରିକର ହୋଇ ଏହି ଚରିତ୍ର-ବଳ ସଞ୍ଚୟ କରିବାକୁ ସଂକଳ୍ପ କର । ଦେଖିବ ଆଜି ଯାହାକୁ କଠୋର କର୍ତ୍ତବ୍ୟ ବୋଲି କହୁ ଅଛ, ସେଥିରେ ଅନନ୍ତ ଆଦର ଆସିବ, ଶକ୍ତିରେ ପ୍ରାଣ ପୁଲକିତ ହେବ, ଏବଂ ବିଶ୍ୱପ୍ରେମରେ ହୃଦୟ ଭାସି ଯିବ । ତୁମ୍ଭେ ନିଜ ଜୀବନରେ ରାମଚନ୍ଦ୍ର ହେବବୁଦ୍ଧ ହେବ, ପ୍ରତାପ ହେବ । ସେ ସବୁ ଅଧିକାର ତୁମ୍ଭର ଅଛି, ବିଧାତାଙ୍କ କରୁଣାରେ ତାହା ପାଇ ଅଛ ।

ବି.ଦ୍ର.ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ 

No comments:

Post a Comment