Sunday, September 02, 2018

ମାଛମରା କଥା

ଜ୍ୟୋତି ନନ୍ଦ


ଇ. ଏଚ୍. କାର୍ (୧୮୯୨ - ୧୯୮୨)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମତେ ଯଦି ସୌଭାଗ୍ୟବଶତଃ ଓଡିଶାର କୌଣସି ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ସର୍ବୋଚ୍ଚ କର୍ତ୍ତା ହେବାର ସୁଯୋଗ ମାତ୍ର ଦଶ ମିନିଟ ପାଇଁ ମିଳେ, ତେବେ ସେହି ଦଶ ମିନିଟ ସମୟର ସଦୁପଯୋଗ କରିବା ପାଇଁ ମୁଁ ଗୋଟିଏ ମାତ୍ର ନିର୍ଦ୍ଦେଶ ଦେଇ ଅପସାରିତ ହୋଇ ଗଲେ ନିଜର ଜୀବନକୁ କୃତାର୍ଥ ମଣିବି ଅବଶିଷ୍ଠ କାଳ ପାଇଁ ।

କିନ୍ତୁ ସେପରି ଏ ଜୀବଦ୍ଦଶାରେ ହେବାର ନାହିଁ । ଓ ଇଚ୍ଛାମାନେ ସବୁବେଳେ ଭିକ୍ଷୁକଙ୍କ ପ୍ରଥମ ପସନ୍ଦର ଅଉଲ କିସମର ଅଶ୍ୱ । ଓ ମୁଁ ସେହିଭଳି ଏକ ପ୍ରଖର ଅଶ୍ୱାରୋହୀ ଭିକ୍ଷୁକ ।

ମାତ୍ର ସେହି ଦଶ ମିନିଟର ଅଶ୍ୱାରୋହଣଜନିତ ମୋର ନିଷ୍ପତ୍ତିଟି ହେବ ମାତ୍ର ଗୋଟିଏ ବହିର ଓଡିଆରେ ଅନୁବାଦ । ସେହି ବହିଟି ହେଉଛି ଏଡୱାର୍ଡ ହାଲେଟ୍ କାର୍ ବା ଇ.ଏଚ୍. କାର୍‌ଙ୍କର ବିଶ୍ୱବିଖ୍ୟାତ ବହି, 'ହ୍ୱାଟ୍ ଇଜ୍ ହିଷ୍ଟୋରି' । ଯେଉଁମାନେ ଇତିହାସ କ'ଣ ଓ କାହିଁକି ବୋଲି ସନ୍ଦର୍ଭରେ, ତଥା ଯାହାକୁ ଇତିହାସତତ୍ତ୍ୱ ବୋଲି କୁହାଯାଏ ସେହି ବିଷୟରେ, ଆଗ୍ରହ ରଖନ୍ତି ସେମାନଙ୍କ ପାଇଁ ଏହା ଏକ ପବିତ୍ର ଧର୍ମଗ୍ରନ୍ଥ ସଦୃଶ । ପ୍ରାତ୍ୟହିକ ଏକ ଏକ ଅଧ୍ୟାୟ ପଠନ କର୍ତ୍ତବ୍ୟ ।

'ହ୍ୱାଟ୍ ଇଜ୍ ହିଷ୍ଟୋରି'ର ପ୍ରଥମ ସଂସ୍କରଣର ମଲାଟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବିଦେଶରେ ଇତିହାସ ପାଠ ସହିତ ଇତିହାସତତ୍ତ୍ୱର ଅଧ୍ୟୟନ ଅନିର୍ବାର୍ଯ୍ୟ ହୋଇ ଆସିଛି ବିଂଶ ଶତାବ୍ଦୀର ଏକଦମ୍ ପ୍ରାକ୍ କାଳରୁ । ମାତ୍ର ଆମେ ଇତିହାସକୁ କେବଳ ଏକ ସମୟ ନିର୍ଘଣ୍ଟର କାର୍ଯ୍ୟକାଳ ହିସାବରେ, ଯୁଦ୍ଧକର୍ମାଦିର ଆୟୋଜନ ହିସାବରେ ପଢ଼ି ଥାଉ । ଇତିହାସର ତାତ୍ତ୍ୱିକ ପ୍ରସଙ୍ଗ ତଥା ଇତିହାସ କହିଲେ କ'ଣ ବୋଲି ଆମେ ବୁଝିବା, ସେହି ଦିଗରେ ଆମର ଏଠିକାର ଇତିହାସ ବିଦ୍ୱାନମାନେ ପ୍ରାୟତଃ ଉଦାସୀନ । ତେଣୁ ଆମର ପିଲାଙ୍କର ଇତିହାସର ତାତ୍ତ୍ୱିକ ଦିଗଟି ସମ୍ପୂର୍ଣ୍ଣ ଅଗୋଚରରେ ରହିଯାଏ, ଆଉ ତାହା ଫଳରେ ସେମାନଙ୍କର ଇତିହାସ ବୋଧଟି ବିକଶିତ ହୁଏ ନାହିଁ ।

ଅନ୍ୟ ସମସ୍ତ ସମାଜବିଜ୍ଞାନରେ ତାତ୍ତ୍ୱିକ ଅଧ୍ୟୟନକୁ ଉଚ୍ଚଶିକ୍ଷାରେ ପ୍ରାଧାନ୍ୟ ଦିଆ ଯାଉ ଥିଲା ବେଳେ, କେବଳ ଇତିହାସରେ ଏଇ ତାତ୍ତ୍ୱିକ ବିରୂପତାର ପ୍ରକୃତ କାରଣଟି ଯେ କ'ଣ, ପ୍ରାୟ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ପିଲାଙ୍କ ସହ ଏକାଠି ଇତିହାସ ପଢ଼ିବା ସତ୍ତ୍ୱେ, ମୁଁ ନିର୍ଣ୍ଣୟ କରି ପାରି ନାହିଁ । ମୁଁ ସଠିକ ଜାଣି ନାହିଁ, ହୁଏତ ଇତିହାସ ତତ୍ତ୍ୱକୁ ଏକ ବିଶେଷ ତତ୍ତ୍ୱ ହିସାବରେ ଆମର ସିଲାବସ୍ ପ୍ରସ୍ତୁତକାରୀ ଇତିହାସ ବିଦ୍ୱାନମାନେ ହୃଦ୍‌ବୋଧ କରିବା କାରଣରୁ ତାହାକୁ ପାଠ୍ୟକ୍ରମର ସର୍ବୋଚ୍ଚ ବର୍ଗ ତଥା ଏମ୍.ଏ. ଓ ଏମ୍.ଫିଲ୍. ରେ ରଖି ସେମାନେ ସ୍ୱଚ୍ଛନ୍ଦ ଅନୁଭବ କରୁ ଥାଇ ପାରନ୍ତି ।

ଯେ କୌଣସି ତତ୍ତ୍ୱକୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ପଢ଼ା ଯାଇ ପାରିବ । ଆମ ଇତିହାସରେ ପଞ୍ଚମ ଶ୍ରେଣୀ ପିଲାଟିଏ ବୌଦ୍ଧଧର୍ମ ବିଷୟରେ ପଢ଼େ, ଆଉ ଠିକ୍ ସେହି ବୌଦ୍ଧ ଧର୍ମ କଥା ଏମ୍.ଏ. ଶ୍ରେଣୀର ପିଲାଟିଏ ବି ପଢ଼େ । ଦୁଇଟି କ'ଣ ସମାନ କଥା ? ବା ସମାନ ଇତିହାସ ପାଠ ? ହଁ ଗୌତମ ବୁଦ୍ଧଙ୍କ ଜନ୍ମ କି ତାଙ୍କ ବାପାମାଆଙ୍କ ନାଆଁ ଜଣେ ଏମ୍.ଏ. ପଢ଼ିଲା ବୋଲି ପଞ୍ଚମ ଶ୍ରେଣୀ ପିଲାଠୁ ଅଲଗା ଲେଖିବ ସେକଥା ନୁହଁ । କିଛି ପ୍ରାଥମିକ ପାଠ ତଳ ଶ୍ରେଣୀରେ ହେବ, ଆଉ ପରେ ବୟଃକ୍ରମରେ ତର୍ଜମାଜନିତ ପାଠ ବଢ଼ି ବଢ଼ି ଚାଲି ଥିବ ।

ପ୍ରାଥମିକ ଭାବରେ ଇତିହାସ ତତ୍ତ୍ୱକୁ ଏତେ ଅସ୍ୱୀକୃତି କାହିଁକି ? ଏଥି ପାଇଁ ତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ପ୍ରାସଙ୍ଗିକ ନୁହଁ । ତେବେ କାହାକୁ କୁହା ଯିବ ? ଏଇ କଥାଟି କ'ଣ ନିହାତି ଏଡ଼ାଇ ଯିବା ଭଳି କଥା ?

ଏହି ଭିକ୍ଷୁକ ଅଶ୍ୱାରୋହୀର ମତ, ଇତିହାସ ଶିକ୍ଷାରେ ଗୁଣଗତ ବିକାଶ ସମ୍ଭବପର, ଯଦି ତାହା ସହିତ ବାଧ୍ୟତାମୂଳକ ଇତିହାସତତ୍ତ୍ୱଟି ଯୋଡ଼ା ହୋଇ ରହି ଥାଏ ତେବେ । ନ ହେଲେ ଇତିହାସ ଆମ ପାଇଁ କେବଳ ରୋଚକ ରାଜକାହାଣୀ ମାତ୍ର, କୌଣସି ସମୟବୋଧ ପ୍ରସ୍ତୁତ କରିବାକୁ ତାହା ଅସମର୍ଥ ହେବ ।

ଏବେ ଇତିହାସ ତତ୍ତ୍ୱର ଧର୍ମଗ୍ରନ୍ଥ 'ହ୍ୱାଟ୍ ଇଜ୍ ହିଷ୍ଟୋରି'ର ପ୍ରଣେତା ଇ. ଏଚ୍. କାର୍‌ଙ୍କ ଇତିହାସ ବିଚାରରୁ କିଛି ଆପଣଙ୍କ ପାଇଁ ଅନୁସୃଜିତ:

"ଇତିହାସର ତଥ୍ୟାବଳୀ ଦେଖିବାକୁ ଗଲେ ଗୋଟିଏ ବିରାଟ ଅଶାନ୍ତ ମହାସାଗରରେ ପହଁରୁଥିବା ମାଛ ଭଳି, ସେଥିରୁ ଯେଉଁତକ ମାଛ ଜଣେ ଐତିହାସିକର ଭାଗ୍ୟରେ ପଡ଼ିବ, ତାହା ଏକ ପ୍ରକାରେ ଅକସ୍ମାତ; କିନ୍ତୁ ମୂଖ୍ୟତଃ ମହାସାଗରର କେଉଁ ଅଞ୍ଚଳକୁ ସେ ମାଛ ମାରିବାକୁ ଯାଇଛି, ଆଉ ଭେଟିଥିବା ପ୍ରତିବନ୍ଧକ ସେ କେଉଁପରି ଦୂର କରି ପାରିଛି, ଏଇ ଦୁଇଟି କଥା ହିଁ ନିର୍ଭର କରେ ସେ କେଉଁ ପ୍ରକାର ମାଛ ମାରିବାକୁ ଅସଲରେ ଚାହେଁ ।"

No comments:

Post a Comment