Tuesday, September 11, 2018

ଚରିତ୍ରଂ ହି ପରଂ ବଳଂ” - ୧


ଗୋପବନ୍ଧୁ ଦାସ


ଚିତ୍ର - 'କାମନା' (୧୯୦୬-୧୯୦୭ ମସିହାରେ ଅଙ୍କିତ)
ଚିତ୍ରକର - ଏଡୁଆଡ ମଙ୍କ (୧୮୬୩-୧୯୪୪)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜି ଏ ସଭାରେ ଉପସ୍ଥାନ ଅପେକ୍ଷାକୃତ ଅଳ୍ପ । ଗତ ବର୍ଷ ଏ ସଭାକୁ ଆସିବା ପାଇଁ ଛାତ୍ରମାନଙ୍କୁ ବାଧ୍ୟ କରା ହେଉ ଥିଲା । ଏ ବର୍ଷ ତାହା ହୋଇ ନାହିଁ। ପରୀକ୍ଷାସ୍ୱରୂପ ତୁମ୍ଭମାନଙ୍କର କାର୍ଯ୍ୟରେ ଆଗ୍ରହ ଓ ଆଦର ବଢ଼ାଇବା ନିମନ୍ତେ ସଭାକୁ ଆସିବା ତୁମ୍ଭମାନଙ୍କର ଇଚ୍ଛାଧୀନ କରା ହୋଇ ଅଛି । ଯେଉଁମାନଙ୍କର ଇଚ୍ଛା, ସେମାନେ ସଭାକୁ ଆସୁ ଅଛନ୍ତି । ଯେଉଁମାନେ ସଭାକୁ ଆସୁ ନାହାନ୍ତି, ସେମାନଙ୍କର ହିସାବ ସୁଦ୍ଧା କେହି ରଖୁ ନାହାନ୍ତି । ଏହି ପରି ସଭାକୁ ଆସିବା ନ ଆସିବା ଇଚ୍ଛାଧୀନ ହେବାରୁ, ଉପସ୍ଥାନ ଟିକିଏ ଉଣା ହୋଇ ଅଛି । କିନ୍ତୁ ପ୍ରିୟ ବାଳକମାନେ, ଆଜି ଯେ ଚରିତ୍ରର କଥା ତୁମ୍ଭମାନଙ୍କୁ କୁହାଯିବ, ତାହା ସ୍ଥୂଳତଃ ଏହି ଇଚ୍ଛାର କଥା । କରିବା ନ କରିବା ଇଚ୍ଛାଧୀନ ବୋଲି ଯେବେ ତୁମ୍ଭେମାନେ ଭଲ କଥାରେ ନ ପ୍ରବର୍ତ୍ତିବ, ତାହା ହେଲେ ଜାଣ ଚରିତ୍ର ଗଠନର ମୂଳମନ୍ତ୍ରରେ ତୁମ୍ଭର ଭୁଲ ହେଉ ଅଛି । ଏହି ଯେ ଭଲ କଥାଟିଏ କରିବା ଆଜି ତୁମ୍ଭର ଇଚ୍ଛାଧୀନ ହୋଇ ଅଛି । ଚରିତ୍ର ଗଠନ କରିବାର କାମନା ଥିଲେ ଏହିଠାରେ ତୁମ୍ଭର ପ୍ରଥମ ଅବକାଶ ଜାଣିବ । ଏହିଠାରେ ବା ଏହି ଭଳି କଥାରେ ତୁମ୍ଭ ଚରିତ୍ରଗଠନ ଆରମ୍ଭ ହେବ । ଇଚ୍ଛାକୁ ଭଲ ବାଟରେ ଚଳାଇବାର ସୁବିଧା ଜୀବନରେ ଯେତେବେଳେ ମିଳୁଅଛି, ଯେଡ଼େ କ୍ଷୁଦ୍ର କାର୍ଯ୍ୟରେ ହେଉ ପଛକେ, ତାହା ତୁମ୍ଭେମାନେ ଛାଡ଼ ନାହିଁ । ଛାଡ଼ିଲେ ଚରିତ୍ର ଗଢ଼ି ପାରିବ ନାହିଁ ।


ଇଚ୍ଛା ମନୁଷ୍ୟର ଅନନ୍ତ ମୁଖରେ ବାହାରୁ ଅଛି । ଅନେକ କଥା କରିବାକୁ ତା'ର ଇଚ୍ଛା ହୁଏ, ସେ କାର୍ଯ୍ୟରେ ପରିଣତ କରେ କି ? ନିଜ ଜୀବନକୁ ଥରେ ପରୀକ୍ଷା କରି ଦେଖ । ପ୍ରତି ମୁହୂର୍ତ୍ତରେ ତୁମ୍ଭର କେତେ ଇଚ୍ଛା ହୁଏ । ସବୁ ଇଚ୍ଛା ତୁମ୍ଭେ କଦାପି କାର୍ଯ୍ୟରେ ପରିଣତ କର ନାହିଁ । କେତେ କଥା ଭାବି ଭଲ ମନ୍ଦ ବିଚାର କରି ଫଳାଫଳ କଳ୍ପନାରେ ତୁଳନା କରି ତୁମ୍ଭେ କେତେ ଇଚ୍ଛା ଜବତ୍ କରି ଅଛ । କେତେ ବେଳେ ହୁଏ ତ କର୍ମଶୂନ୍ୟ ହୋଇ ରହିବାକୁ ଇଚ୍ଛା ହୋଇ ଅଛି । ପଢ଼ା ତିଆରି କରିବାକୁ ହେବ ବୋଲି ଭାବି ତୁମ୍ଭେ ସେ ଇଚ୍ଛାକୁ ସଂଯତ କରି ଅଛ । ସଭାକୁ ଯିବାକୁ ତୁମ୍ଭର ଇଚ୍ଛା ହେଉ ନାହିଁ, କଣ ଭାବି ହୁଏ ତ ତୁମ୍ଭେ ସଭାକୁ ଆସିବାକୁ ଇଚ୍ଛା ପ୍ରବର୍ତ୍ତାଇ ଅଛ । ତାସ ଖେଳିବାକୁ ହୁଏ ତ ତୁମ୍ଭେ ତାହା କରି ନାହିଁ । କୌଣସି କୌଣସି କଫ ରୋଗରେ ତୁମ୍ଭର ଜଳପାନର ତୀବ୍ର ଇଚ୍ଛା ଜନ୍ମି ଅଛି । ମାତ୍ର, ଶରୀରର ଆରୋଗ୍ୟ ପ୍ରତି ଲକ୍ଷ୍ୟ ରଖି ତୁମ୍ଭେ ପ୍ରାଣପଣେ ସେ ଇଚ୍ଛା ଅନ୍ୟ ଦିଗକୁ ଫେରାଇ ଅଛ । ଚାଲିବାକୁ ଇଚ୍ଛା ହେଉ ନାହିଁ, କାର୍ଯ୍ୟ ଅନୁରୋଧରେ ଚାଲି ଅଛି । କହିବାକୁ ଇଚ୍ଛା ନାହିଁ, କର୍ତ୍ତବ୍ୟ ବୋଲି କହି ଅଛି । 

ଏହିପରି ତୁମ୍ଭର ଜ୍ଞାନ ହେଲା ଦିନୁ ପଦେ ପଦେ ଇଚ୍ଛାକୁ ସଞ୍ଜତ କରିବା ହିଁ, ତୁମ୍ଭ ଜୀବନର ସମସ୍ତ କ୍ରିୟାରେ ଦେଖାଯିବ । ବରଂ ତୁମ୍ଭ ଜୀବନରେ ଏହାହିଁ ତୁମ୍ଭର ଏକମାତ୍ର କ୍ରିୟା ହୋଇ ଅଛି କହିଲେ ଚଳେ । ପ୍ରାୟଶଃ ଇଚ୍ଛା କୌଣସି ନା କୌଣସି ପ୍ରକାର ସଂଯମ ମୂଳରେ ନ ଥାଇ କର୍ମ ନାହିଁ । ଏହା ହିଁ ତୁମ୍ଭର ଜୀବନ ହୋଇ ଅଛି ।

ଜୀବନ କେତେଗୁଡ଼ିଏ କର୍ମର ସମଷ୍ଟି ମାତ୍ର । କର୍ମପରମ୍ପରା ଛଡ଼ା ଜୀବନରେ ଆଉ କିଛି ନାହିଁ ବୋଲା ଯାଇ ପାରେ । ବସିବା, ଶୋଇବା, ଚାଲିବା, ପଢ଼ିବା, ଖାଇବା, ହସିବା, କହିବା, ଶୁଣିବା, ଏପରି କି ଚିନ୍ତା କରିବା ମଧ୍ୟ ଗୋଟିଏ ଗୋଟିଏ କ୍ରିୟା । ଏହି ସମସ୍ତ କ୍ରିୟାପ୍ରବାହ ମଧ୍ୟରେ ଜୀବନ ଚାଲି ଅଛି । କିନ୍ତୁ କ୍ରିୟା ତ ବାହାରରେ ଦେଖା ଯାଏ । ଏହାର ମୂଳ କେଉଁଠାରେ ? ଟିକିଏ ଆଲୋଚନା କର, ବୁଝିବ ପ୍ରତ୍ୟେକ କ୍ରିୟାର ମୂଳରେ ଗୋଟିଏ ଇଚ୍ଛା ଅଛି । ପ୍ରଥମରେ ଗୋଟିଏ ଇଚ୍ଛା ହୁଏ । ପରେ କ୍ରିୟା ସେହି ଅନୁସାରେ ଦେଖା ଦିଏ । ବରଂ ଏପରି କୁହା ଯାଇ ପାରେ ଯେ, ଇଚ୍ଛାଟି ଦୃଢ଼ ଓ ବଳଶାଳୀ ହେଲେ ତୁମ୍ଭେ ବାଧ୍ୟ ହୋଇ କାର୍ଯ୍ୟ କର । ଆହୁରି ଟିକିଏ ଭଲ କରି କହିଲେ କୁହାଯିବ, ଇଚ୍ଛାଟି ଦୃଢ଼଼ ହେଲେ ତାହା ନିଜେ କାର୍ଯ୍ୟର୍ ପରିଣତ ହୋଇ ଥାଏ । ସେହି ଇଚ୍ଛାଟି କାର୍ଯ୍ୟ ରୂପେ ଦେଖା ଦିଏ । ଇଚ୍ଛାକୁ କାର୍ଯ୍ୟର ମାନସବୀଜ ବୋଲି କୁହା ଯାଇ ପାରେ । ଚାଲିବାର ଆବଶ୍ୟକ ତୁମ୍ଭେ ପ୍ରଥମେ ମନରେ ଏକଥା ଭାବି ଗୋଡ଼ ଉଠାଇ ପକାଇବାର ଇଚ୍ଛା କର । ଗୋଡ଼ କେତେ ବେଳେ ଅପରିଜ୍ଞାତ ଭାବରେ ଯେପରି କି ନିଜେ ଉଠି ପଡ଼ି ଗଲା ଇଚ୍ଛା ହିଁ ଜାଣ ସମସ୍ତ କ୍ରିୟାର ମୂଳ । ଇଚ୍ଛା ବିନା କ୍ରିୟା ଅସମ୍ଭବ ।

ବି. ଦ୍ର. - ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ, ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭, ମସିହାରେ ଛପାଯାଇଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହି

No comments:

Post a Comment