Sunday, September 09, 2018

ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବିହାର ବିଦ୍ୟାପୀଠରେ ସମାବର୍ତ୍ତନ ଭାଷଣ:୩'

ଅନୁବାଦକ - ଚିତ୍ତରଞ୍ଜନ ଦାସ


ଅହମଦାବାଦର ଆଶ୍ରମରେ ସ୍ଥିତ ଗାନ୍ଧୀଙ୍କର ଅରଟ ( ୱିକିମିଡିଆ କମନ୍ସ୍)

ଦରିଦ୍ର ଲୋକକୁ ଶିକ୍ଷା ଦେବାର ଉଦ୍ଦେଶ୍ୟ ଥିବା କହି, ଅଥଚ ପ୍ରକୃତରେ ସେମାନଙ୍କୁ ସେଥିରେ ବଞ୍ଚିତ କରି, ସେହିମାନଙ୍କଠାରୁ ଶୋଷିତ ଧନରେ କିପରି ପ୍ରାସାଦୋପମ ସୌଧମାନ ନିର୍ମାଣ କରିବାର ଉନ୍ମତ୍ତତା ଦେଖା ଯାଇଛି ,ସେ ବିଷୟରେ ଗାନ୍ଧୀଜୀ ତତ୍‌ପରେ ବର୍ଣ୍ଣନା କରିଥିଲେ । 

“ଏଲହାବାଦର ଲକ୍‌ନମିକ୍ ଇନ୍‌ଷ୍ଟିଟ୍ୟୁଟ୍ ଦେଖିଯିବାର ସୌଭାଗ୍ୟ ଥରେ ମୋର ହୋଇଥିଲା । ଅଧ୍ୟାପକ ଜୀଭନ୍‌ସ୍ ସାହେବ ମୋତେ ଏସବୁ ବୁଲାଇ ଦେଖାଇଲା ବେଳେ କହିଲେ ଯେ, ଏଥିରେ ତିରିଶ ଲକ୍ଷ ଟଙ୍କା (ମୁଁ ଯଦି ଠିକ କହୁଥାଏ ) ଖର୍ଚ୍ଚ ହୋଇଛି । ତାହା ଶୁଣି ମୋର ହୃତକମ୍ପ ହେଲା । ଲକ୍ଷଲକ୍ଷ ଲୋକଙ୍କୁ ଭୋକିଲା ନ ରଖିଲେ ଏପରି ପ୍ରାସାଦତୁଲ୍ୟ କୋଠା ଘର ତିଆରି ହୋଇ ପାରିବ ନାହିଁ । ଦିଲ୍ଲୀ କଥା ବି ଠିକ୍ ସେଇଆ । 

ରେଲ୍ ବିଭାଗରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଯେଉଁ ସବୁ ଉନ୍ନତି ହୋଇଛି , ସେ ଆଡ଼କୁ ମଧ୍ୟ ଦୃଷ୍ଟି ପକାନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ଦେଖିବେ, ସେହି ଏକା ନୀତି ସଙ୍ଖ୍ୟାଲଘିଷ୍ଠ ସୁବିଧାବାଦୀ କେତେକଙ୍କର ଲାଗି ସବୁ ସୁବିଧା କରା ଯାଇଛିସଙ୍ଖ୍ୟାଗରିଷ୍ଠ ଦରିଦ୍ର ଜନସାଧାରଣଙ୍କୁ ଅବହେଳିତ କରା ଯାଇଛି । ଏହାକୁ ଶୟତାନର ନୀତି ଛଡ଼ା ଆଉ କଣ କୁହା ଯାଇ ପାରେ

ମୁଁ ଯଦି ପ୍ରକୃତ ସତ କହେ, ଯାହା କହିଛି ସେଥିରୁ ଆଉ କମ୍ କହି ପାରିବ ନାହିଁ; ଯେଉଁମାନେ ଏପରି ଏକ ପ୍ରଣାଳୀର ପରିକଳ୍ପନା କରିଛନ୍ତି, ସେମାନଙ୍କ ସହିତ ମୋର ବିବାଦ ନାହିଁ । ସେମାନେ ୟା ଛଡ଼ା ଆଉ ବି କିଛି କରି ନ ଥାଆନ୍ତେ । ହାତୀ ପିମ୍ଫୁଡ଼ି କଥା ଅବା କିପରି ଭାବିବ ? ଦକ୍ଷିଣ ଆଫ୍ରିକା ପ୍ରତିନିଧିଦଳର ସଭ୍ୟରୂପେ ଥରେ ସାର୍ ଲେମେଲ୍ ଗ୍ରିଫେନ୍ ତାଙ୍କ ବକ୍ତୃତାରେ କହିଥିଲେବିଦା ବା ମଇ ଦିଆ ହେଲା ବେଳେ କଷ୍ଟ ପାଇଥିବା ବେଙ୍ଗ ହିଁ ତାହାର ଯନ୍ତ୍ରଣା ଜାଣେ । 

ଆମ୍ଭମାନଙ୍କର ବିଭିନ୍ନ ବ୍ୟାପାରରେ ଭାର ସେମାନଙ୍କ ହାତରେ । ଆମେ ଯେପରି ଆମ ଅବସ୍ଥା ସୁଧାରି ବ୍ୟବସ୍ଥା କରି ପାରିବୁଁ, ଯେତେ ସଦିଚ୍ଛା ପୋଷଣ କଲେ ବି ସେମାନଙ୍କର ଭିତରୁ ଖୁବ ଭଲ ଲୋକଙ୍କ ଦେଇ ସେ କଥା ହୋଇ ପାରିବ ନାହିଁ । କାରଣ ସେମାନଙ୍କର ପରିକଳ୍ପନା ଆମର ଠିକ୍ ଓଲଟା । ସେମାନେ କେତେ ଜଣ ଲାଭ ମାରି ନେବା ଲୋକଙ୍କ ହିତ ଦୃଷ୍ଟିରୁ ବିଚାର କରନ୍ତି । ମାତ୍ର ଆମେ କୋଟି କୋଟି ନିରନ୍ନ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିଚାର କରୁଁ ।“

ସେହି କାରଣରୁ ସ୍ୱଭାବତଃ ଚରଖାର ଆଶ୍ରୟ ନେବାକୁ ହେବା ଏବ‌ଂ ବର୍ତ୍ତମାନ ସବୁପ୍ରକର ବ୍ୟବସ୍ଥାର ମୂଳ ଓ ଚକିର ମାଣିଖୁଣ୍ଟି ପରି ଏହାକୁ ଧରିବାକୁ ହେବ ବୋଲି ସେ କହିଲେ ।

ସ୍ନାତକମାନେ ସେମାଙ୍କର ଉପାଧି ଗ୍ରହଣ କରନ୍ତୁ, ଯେ କୌଣସି ବିଷୟରେ ଶିକ୍ଷା ଲାଭ କରନ୍ତୁ ପଛକେ, ଚରଖା ସେ ସବୁରି କେନ୍ଦ୍ର ହୋଇ ରହୁ । ଚରଖାର ଉଦ୍ଦେଶ୍ୟ ସାଧନ କରିବା ଦିଗରୁ ଅର୍ଥନୀତି ଓ ବିଜ୍ଞାନ ପଢ଼ା ଯାଉ । ଚରଖାକୁ ଅନ୍ଧାର କୋଣକୁ ଫିଙ୍ଗି ଦିଅ ନାହିଁ । ସୂର୍ଯ୍ୟ ସୌରଜଗତର ଯେପରି କେନ୍ଦ୍ର, ଆମର ସବୁ ପ୍ରକାର କାର୍ଯ୍ୟର ଚରଖା ସେହିପରି କେନ୍ଦ୍ର ହୋଇ ରହୁ । ଏହା ନ ହେଲେ ବିଦ୍ୟାପୀଠଗୁଡ଼ିକ କେବଳ ସେହି ନାମରେ ହିଁ ପର୍ଯ୍ୟବସିତ ହୋଇ ରହିବ । 

କାଉନ୍‌ସିଲ ଜରିଆରେ ଉନ୍ନତ କରିବାକୁ ହେଲେ ବ୍ରିଟିଶ ପାର୍ଲିଆମେଣ୍ଟ ପ୍ରତି ଦୃଷ୍ଟିପାତ କରିବାକୁ ହେବ ବୋଲି ଯାହା ଲର୍ଡ ଅର୍‌ଭିନ୍ କହି ଥିଲେ, ତାହା ଠିକ୍ କଥା ତାଙ୍କ ଉପରେ କୌଣସି ଦୃଷ୍ଟିରୁ ଭାବି ପାରିବେ ନାହିଁ । ତାଙ୍କ ପ୍ରଣାଳୀର ସୂର୍ଯ୍ୟ ଲଣ୍ଡନ, ଆମ ପ୍ରଣାଳୀରେ ସୂର୍ଯ୍ୟ ଚରଖା । ମୁଁ ଏପରି କହିବା ଦ୍ୱାରା ଭୁଲ କରି ପାରୁଥାଏଁ । ମୋର ଭୁଲ ନ ବୁଝିବା ପର୍ଯ୍ୟନ୍ତ ମୁଁ ଏହାକୁ ଗଣ୍ଠିଧନ କରିଥିବି, ମୋର ମତ ବଦଳାଇ ପାରିବି ନାହିଁ । 

ଚରଖା ଦ୍ୱାରା କାହାରି କିଛି କ୍ଷତି ହେବାର ଆଶଙ୍କା ନାହିଁ । ବରଂ ଚରଖାକୁ ଭୁଲିଲେ ଆମର, ଏପରି କି ମୁଁ କହିପାରେ ସାରା ଦୁନିଆର, ସର୍ବନାଶ ହେବ । ଯେଉଁ ଯୁଦ୍ଧରେ ମିଥ୍ୟାକୁ ସର୍ବୋଚ୍ଚ ଧର୍ମ ରୂପେ ପ୍ରଚାର କରା ଯାଉ ଥିଲା । ସେହି ଯୁଦ୍ଧ ପରେ ଇଉରୋପ କିପରି ଅନୁଭବ କରୁ ଅଛି, ତାହା ଆମେ ଜାଣୁଁ । ଯୁଦ୍ଧର ପରିଣାମାରେ ଦୁନିଆ ଆଜି ଅସ୍ତବ୍ୟସ୍ତ । 

ଆଜି ଭାରତକୁ ଯେପରି ଚରଖା ଆଶ୍ୱାସନା ଦେଉଛି, କାଲି ସାରା ଦୁନିଆକୁ ସେହି ପରି ଦେବ । କାରଣ ଏହା କେବଳ ସଙ୍ଖ୍ୟାଗରିଷ୍ଠ ଉପହାର ଦୃଷ୍ଟିରୁ ହୋଇ ନାହିଁସମସ୍ତଙ୍କର ମଙ୍ଗଳ ଏହାର ଲକ୍ଷ୍ୟ । ଭୁଲ କରିଥିବା ଲୋକକୁ ମୁଁ ସେତେବେଳେ ଦେଖେନିଜକୁ ନିଜେ କହେମୁଁ ବି ଦିନେ ଏପରି ଥିଲି । ମୁଁ ଏହି ରୂପେ ପ୍ରତ୍ୟେକଙ୍କ ସହିତ ଜ୍ଞାତିଭାବ, ଏକାତ୍ମତା ସ୍ଥାପନ କରେ ଏବଂ ଅନୁଭବ କରେସବୁଠାରୁ ଦୀନହୀନ ଲୋକ ସୁଖୀ ନ ହେବା ପର୍ଯ୍ୟନ୍ତ ମୁଁ ସୁଖୀ ହୋଇ ପାରିବି ନାହିଁ । 

ଏହି ଦୃଷ୍ଟିରୁ ଚରଖାରୁ ଆପଣମାନଙ୍କର ଶିକ୍ଷାର କେନ୍ଦ୍ର ରୂପେ ଗ୍ରହଣ କରିବାକୁ ମୁଁ ଇଚ୍ଛା କରେ । ଯେପରି ପ୍ରହ୍ଲାଦ ସବୁ ବେଳେ ଭଗବାନଙ୍କୁ ଦେଖୁ ଥିଲା, ସେପରି ଆପଣମାନଙ୍କର ସମସ୍ତ ଶିକ୍ଷା ବା ପାଣ୍ତିତ୍ୟ ଅରଟର ତାତ୍ପର୍ଯ ହୃଦୟଙ୍ଗମ କରିବା ଦିଗରେ ଲାଗୁ ।  ଅରଟକୁ ଦରିଦ୍ରତମ ବ୍ୟକ୍ତିର ମୁଖ୍ୟ ଅବଲମ୍ୱନ ରୂପେ ପ୍ରତିଷ୍ଠା କରିବା ନିମିତ୍ତ ଆମର ବିଜ୍ଞାନକାରିଗରୀ ଓ ଆମର ଅର୍ଥନୀତିର ସଦ୍‌ବ୍ୟବହାର ହେବା ଆବଶ୍ୟକ ଅଟେ । 

ମୁଁ ଜାଣେ ଯେ ଗୁଜୁରାତ ବିଦ୍ୟାପୀଠରେ ଆମେ ଏ ଦିଗରେ ବିଶେଷ କୃତକାର୍ଯ୍ୟ ହୋଇନାହୁଁ । ଆପଣମାନେ ମଧ୍ୟ ଏହା କରୁ ନାହାନ୍ତି । କୌଣସି ଅଭିଯୋଗ କରିବାର ଭାବ ରଖି ମୁଁ ଏକଥା କହୁ ନାହିଁ । ମୋର ହୃଦୟର ଯନ୍ତ୍ରଣା ପ୍ରକାଶ କରୁଛି ମାତ୍ର । ଆପଣମାନେ ଏସବୁ ହୃଦୟଙ୍ଗମ କରନ୍ତୁ ଏହା ହିଁ ମୋର କାମନା ।

ବି.ଦ୍ର. -  ବିହାର ବିଦ୍ୟାପୀଠର ବାର୍ଷିକ ଉତ୍ସବରେ ଗାନ୍ଧୀଜୀ ଛାତ୍ରମାନଙ୍କୁ ଯେଉଁ ଭାଷଣ ଶୁଣଇଥିଲେ ତାହାର ବିବରଣୀ ଦେସାଇ ଏହିଠାରେ ଦେଇଛନ୍ତି । ଏହି ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆ'ରେତା୧୦--୧୯୨୭ରିଖରେ ଛପାଯାଇଥିଲା । 

No comments:

Post a Comment