Tuesday, October 31, 2017

ଗଣତାନ୍ତ୍ରିକ ସରକାର


୨୦୦୭ ମସିହାର ଫରାସୀ ରାଷ୍ଟ୍ରପତୀୟ ନିର୍ବାଚନରେ ମତଦାନ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଭାରତ ଗୋଟିଏ ଗଣତନ୍ତ୍ର ଅଟେ । ଭାରତୀୟ ଜନଗଣଙ୍କର ଦୀର୍ଘ ଓ ଘଟଣାବହୁଳ ଲଢ଼େଇର ଫଳ ଭାବରେ ଆମେ ଏହା ହାସଲ କରିବାରେ ସଫଳ ହୋଇଛୁ । ପୃଥିବୀର ଅନ୍ୟାନ୍ୟ ଜାଗାରେ ମଧ୍ୟ ଲୋକେ ଗଣତାନ୍ତ୍ରିକ ସରକାର ଲାଭ କରିବା ପାଇଁ ଲଢିଆସିଛନ୍ତି । ତୁମେ ଜାଣିଛ କି ନିଜର ନେତା ନିର୍ବାଚନ କରିବା ଗଣତନ୍ତ୍ରମାନଙ୍କର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଲକ୍ଷଣ ଓ ବୈଷିଷ୍ଚ୍ୟ ଅଟେ ? ଏଣୁ ଗୋଟିଏ ଭାବରେ ଦେଖିବାକୁ ଗଲେ, ଗଣତନ୍ତ୍ରର ଅର୍ଥ ହେଲା, ଲୋକଙ୍କର ନିଜର ନେତା ନିର୍ବାଚନ କରିବାର ଅଧିକାର । ଏହାର ଏକ ମୌଳିକ ଅର୍ଥ ହେଲା ଯେ, ଲୋକେ ନିଜେ ଯେଉଁ ନିୟମମାନଙ୍କ ଦ୍ୱାରା ଚଳନ୍ତି, ସେଗୁଡ଼଼ିକ ତିଆରି କରିବାରେ ସେମାନେ ନିଜେ ଅଂଶଗ୍ରହଣ କରନ୍ତି ।

ଆମର ଯୁଗରେ, ଗଣତାନ୍ତ୍ରିକ ସରକାରକୁ ସାଧାରଣତଃ ପ୍ରତିନିଧିମୂଳକ ଗଣତନ୍ତ୍ର ବୋଲି ବିଚାର କରାଯାଇଥାଏ । ପ୍ରତିନିଧିମୂଳକ ଗଣତନ୍ତ୍ରରେ ଲୋକେ ନିଜେ ସିଧାସଳଖ ଶାସନରେ ଅଂଶଗ୍ରହଣ କରନ୍ତି ନାହିଁ । ପରନ୍ତୁ ସେମାନେ ଗୋଟିଏ ନିର୍ବାଚନୀ ପ୍ରକ୍ରିୟାରେ ନିଜର ପ୍ରତିନିଧିମାନଙ୍କୁ ବାଛନ୍ତି । ଏହି ପ୍ରତିନିଧି୍ମାନେ ସମ୍ମିଳିତ ହୋଇ ସମଗ୍ର ଜନସଙ୍ଖ୍ୟା ପାଇଁ ନିଷ୍ପତ୍ତି ନିଅନ୍ତି । ସାର୍ବଜନୀନ ସାବାଳକ ମତଦାନର ଅଧିକାର ନଥିଲେ, ବର୍ତ୍ତମାନର ଯୁଗରେ କୌଣସି ଦେଶ ଗଣତାନ୍ତ୍ରିକ ଭାବରେ ଗଣାଯାଇ ପାରିବ ନାହିଁ । ସାର୍ବଜନୀନ ସାବାଳକ ମତଦାନର ଅଧିକାରର ମାନେ ହେଲା ଯେ, ଦେଶର ସବୁ ସାବାଳକ ଲୋକଙ୍କର ମତଦାନର ଅଧିକାର ଅଛି ।

ମାତ୍ର ଆଗରୁ ସବୁଦିନେ ଏହି ଅବସ୍ଥା ନଥିଲା । ତୁମେ ବିଶ୍ୱାସ କରିପାରିବ କି, ଏପରି ଯୁଗ ମଧ୍ୟ ଥିଲା ଯେବେ ସରକାରମାନେ ଗରୀବ ଲୋକଙ୍କୁ ଓ ମହିଳାମାନଙ୍କୁ ଭୋଟ ଦେବା ପାଇଁ ଅନୁମତି ଦେଉନଥିଲେ ? ଗଣତନ୍ତ୍ରର ଆଦି କାଳରେ ସରକାରମାନେ କେବଳ ଶିକ୍ଷିତ, ସମ୍ପତ୍ତିର ମାଲିକ ହୋଇଥିବା ପୁରୁଷ ଲୋକମାନଙ୍କୁ ଭୋଟ ଦେବାର ଅଧିକାର ଦେଇଥିଲେ । ଏହାର ଅର୍ଥ ହେଲା, ସ୍ତ୍ରୀଲୋକେ, ଗରୀବ ଲୋକେ, ସମ୍ପତ୍ତିହୀନ ଜନମାନେ, ଏବଂ ଶିକ୍ଷାବିହୀନ ଆଦି ଜନଗଣ ଭୋଟ ଦେବାର ଅଧିକାରରୁ ବଞ୍ଚିତ ଥିଲେ । ଅଳ୍ପ କେତେ ଜଣ ପୁରୁଷମାନେ ତିଆରି କରୁଥିବା ନୀତି ଓ ନିୟମ ଅନୁସାରେ ଦେଶ ଚାଲୁଥିଲା ।

ସ୍ୱାଧୀନତା ପୂର୍ବରୁ ଗୋଟିଏ କ୍ଷୁଦ୍ର, ସଙ୍ଖ୍ୟାଲଘୁ ଗୋଷ୍ଠୀର ଭୋଟ ଦେବାର ଅଧିକାର ଥିଲା । ସେମାନେ ଏକତ୍ର ହୋଇ ବହୁସଙ୍ଖ୍ୟକ ଲୋକଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ । ଗାନ୍ଧିଜୀଙ୍କ ସମେତ ଅନେକ ଲୋକେ ଏହି ଅନ୍ୟାୟ ରୀତି ଦ୍ୱାରା ଚକିତ ହୋଇଥିଲେ । ସେମାନେ ସମସ୍ତ ସାବାଳକମାନଙ୍କ ପାଇଁ ମତାଧିକାରର ଦାବୀ କରୁଥିଲେ । ଏହାକୁ ସାର୍ବଜନୀନ ସାବାଳକ ମତଦାନର ଅଧିକାର କୁହାଯାଏ ।

୧୯୩୧ ମସିହାରେ ‘ୟଙ୍ଗ୍ ଇଣ୍ଡିଆ’ ପତ୍ରିକାରେ ଗାନ୍ଧିଜୀ ଲେଖିଥିଲେ, ମୁଁ ଏହା ସହିପାରେନା ଯେ ଜଣେ ସମ୍ପତ୍ତିବାନ ଲୋକ ପାଖରେ ଭୋଟ ଦେବାର ଅଧିକାର ରହିବ । ମାତ୍ର, ଜଣେ ଚରିତ୍ରବାନ ଲୋକ ଯାହା ପାଖରେ ଧନ ବା ସାକ୍ଷରତା ନାହିଁ, ସେ ଏହି ଅଧିକାରରୁ ବଞ୍ଚିତ ହେବ । ନିଜ ମୁଣ଼୍ଡ ଝାଳ ତୁଣ୍ଡରେ ମାରି ଦିନରାତି ପରିଶ୍ରମ କରି ସଚ୍ଚୋଟ ଉପାୟରେ ଜୀବିକା ନିର୍ବାହ କରୁଥିବା ଜଣେ ଲୋକ ଭୋଟଦାନର ଅଧିକାରରୁ ବଞ୍ଚିତ ହେବା ମୋ ପାଇଁ ଅସହ୍ୟ ଅଟେ ।'

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର.ଟି. ଛାପିଥିବା ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ 'ସୋସିଆଲ ଆଣ୍ଡ ପଲିଟିକାଲ ଲାଇଫ - ୧' ର ତୃତୀୟ ଅଧ୍ୟାୟର ସମ୍ପାଦିତ ଅଂଶର ଅନୁବାଦ ଅଟେ ।

Sunday, October 29, 2017

ଡିନର

ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍
                                                    ନାଁ ମିଷ୍ଚର କକ୍, ନୁହେଁ ସାମାନ୍ୟ ସେ ପକ୍ଷୀ
ଲାଲ ଟୋପି ପିନ୍ଧି ମୁହଁ ଉପରକୁ ଟେକି
ଆଖି ତାର ଜକ ଜକ
 କରୁଥିଲା ବକ ବକ 
ଚାଲୁଥିଲା ଧପ ଧପ ତଳକୁ ନ ଦେଖି ।



କିଏ ପଚାରିଲା, ଭାଇ, କିଆଁ ତରତର
ମୁହଁ ବଙ୍କାଇ କହିଲା, ଅଛି ମୋ ଡିନର
ରାତି ଠିକ ଆଠ ବେଳେ 
ଫାଇଭ ଷ୍ଟାର ହୋଟେଲରେ
ବାଜେ କଥା ଏତେବେଳେ 
ଆଉ ନ ପଚାର ।

ଏହି ଭଳି ମିଷ୍ଟର କକ୍ ଠିକ ସମୟରେ
ସିଧା ପହଞ୍ଚିଲେ ଯାଇ ଟେବୁଲ ଉପରେ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Friday, October 27, 2017

ଯୋଡ଼ାକୁ ଘୋଡ଼ା

ଜଗନ୍ନାଥ ପ୍ରସାଦ ଦାସ



ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼ ହେଲା
ବଡ଼ ହୋଇଗଲା ଛୋଟ
ଚାରିଜଣ ମିଶି ଆଙ୍କିଲେ ଘୋଡ଼ା
ଦିଶିଲା ସେ ଠିକ ଓଟ ।

Wednesday, October 25, 2017

ସାହିତ୍ୟ ଶିକ୍ଷାର ମରମ କଥା

ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

"ସିଂହାସନ ହିଲ୍ ଉଠେ ରାଜବଂଶୋନେ ଭ୍ରକୁଟି ତାନି ଥି,
ବୁଢେ ଭାରତ ମେଁ ଆୟି ଫିର୍ ସେ ନୟି ଜବାନୀ ଥି,
ଗୁମି ହୁଇ ଆଜାଦୀ କି କୀମତ୍ ସବନେ ପହଚାନି ଥି,
ଦୂର୍ ଫିରଙ୍ଗି କୋ କରନେ କି ସବନେ ମନ୍ ମେଁ ଠାନି ଥି ।
ଚମକ୍ ଉଠି ସତ୍ତାବନ ମେ ୱହ ତଲବାର୍ ପୁରାନି ଥି,
ଖୁବ୍ ଲଢି ମର୍ଦାନୀ ୱହ୍ ତୋ ଝାନସୀ ୱାଲି ରାନୀ ଥି।"

-ସୁଭଦ୍ରା କୁମାରୀ ଚୌହାନ

ସୁଭଦ୍ରା କୁମାରୀ ଚୌହାନଙ୍କର ବୀରରସର ଏଇ ଦେଶପ୍ରେମ ଉଦ୍ରେକକାରୀ ହିନ୍ଦୀ କବିତାଟି ବିଶେଷ ଲୋକପ୍ରିୟ । ହିନ୍ଦି ପଢିବାକୁ ଆରମ୍ଭ କଲା ପରେ ପିଲାଟିର ପାଠ୍ୟକ୍ରମରେ ଏଇଟି ଥାଏ, ଆଉ ଏହାକୁ ଏବଂ ଏଇ ଭଳି କିଛି ପଦ୍ୟକୁ ପରୀକ୍ଷା ପାଇଁ ପଢିବା ଆଉ ବାରମ୍ବାର ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ଏହାକୁ ଆବୃତ୍ତି କରିବା ଫଳରେ, ପିଲାଟିର ମାନସିକତାରେ ଭାବ, ଶବ୍ଦଛନ୍ଦ ଆଉ ସ୍ୱର ସହିତ ଦେଶପ୍ରେମର ଏକ ମଧୁର ରୂପକ ର ଏମିତି ଗଭୀର ଛାପଟିଏ ରହିଯାଏ, ଯାହା ତାହାକୁ ଭବିଷ୍ୟତରେ ଯେତେ ବ୍ୟକ୍ତିପରକ ହେଲେ ବି ନିଜ ଦେଶର ଖୁଣ୍ଟିରୁ ହୁଗୁଳି ଯିବାକୁ ଦେଇ ନଥାଏ ।

ପିଲାଟିଏ କ'ଣ ପଢିବାକୁ ଭଲ ପାଇବ ? ଦୁଃଖ କଥା, ତାହାର କଅଁଳ ମନକୁ ବାଧିବ । ସଂସାରର ଜଟିଳ ସମ୍ପର୍କର କଥା ତାହାକୁ ଏତେ ଆଗରୁ ଦେଖାଇବା କାହିଁକି ? ତାହାକୁ ଏମିତି ପୃଥିବୀର କଥା କହିବା, ଯେଉଁଠି ତାହାକୁ ଲାଗିବ ଯେମିତି ଏଇ ପୃଥିବୀଟି କେବଳ ଗୋଟିଏ ବିରାଟ ଫୁଲଦୋକାନ, ଯେଉଁଠି ଫୁଲର ବିକାକିଣା ହୁଏ ନାହିଁ । ଯାହାର ଯେଉଁ ଫୁଲରେ ମତି ବଳିବ, ସେଇ ଫୁଲକୁ ସେ ସେଇଠୁ ଆନନ୍ଦରେ ଗୋଛାବାନ୍ଧି ନେଇପାରିବ । ତାହାକୁ ହସ କଥା କହିବା, ଆଉ ତାହାର ହସକୁ ଦେଖି ଆମେ ବିଭୋର ହେଉଥିବା ।ନୀତି କଥା ମାନ ତାହାକୁ କହିବା, ଯାହାକୁ ପୁଞ୍ଜି କରି ସେ ଭବିଷ୍ୟତ ଜୀବନରେ ଯେତେ ସଫଳ ହେଉ ପଛକେ, ଭଲ ମଣିଷଟିଏ ହୋଇ ରହିଥିବ । ଆଉ ଦେଶପ୍ରେମର କଥା କହିବା ।
ପଚାଶ ବର୍ଷ ତଳରୁ ନିଜ ସ୍ମୃତିରୁ ଗୋଟିଏ ଦେଶପ୍ରେମ କବିତାର କିଛି ଧାଡି ଉଲ୍ଲେଖ କରୁଛି । କବିତାର ନାଆଁ "ଉଦ୍ଦାମ ସିଂ" ।

"ଜନ୍ମଦା ମୋର ଭାରତ ଭୂଇଁର ବହୁଦୂରେ ସାଥି ବହୁ ଦୂରେ,
ବନ୍ଦୀ ମୁଁ ଆଜି ଉଦ୍ଦାମ ସିଂ ଏଇ ଲଣ୍ଡନ କାରାପୁରେ।
ସମ୍ମୁଖେ ମୋର ଫାଶିକାଠ,
ଶିଖ ସନ୍ତାନ ଶୁଣାଉଛି ମୁହିଁ ଜନମ ମାଟିର ଜୈତ୍ରପାଠ।"


ବିଶିଷ୍ଟ ଛାନ୍ଦସିକ ଶ୍ରୀଯୁକ୍ତ ରାଧାମୋହନ ଗଡନାୟକଙ୍କର କବିତା ଇଏ । ପଢିବାକୁ ଆଉ ଆବୃତ୍ତି କରିବାକୁ କ'ଣ ଖରାପ ଲାଗୁଛି ? ଆମ ଭଳି ଅପାରଗ ଲୋକମାନଙ୍କର ରକ୍ତରେ ରାଧାମୋହନ ଗଡ଼ନାୟକ ଅଛନ୍ତି । ଆମ ସାହିତ୍ୟ ପାଠର ଆରମ୍ଭରୁ ଗଡନାୟକ ଥିଲେ ।ଅବଶ୍ୟ ଏବେ ବିଦ୍ୱାନମାନେ ଅତ୍ୟନ୍ତ ପ୍ରବୀଣ । ସେମାନେ ସ୍କୁଲ ପାଠ୍ୟକ୍ରମରୁ ରାଧାମୋହନ ଗଡନାୟକଙ୍କୁ ବହିଷ୍କାର କରିଦେଇଛନ୍ତି ।ସେମାନେ ସାହିତ୍ୟ ଶିକ୍ଷାର ପରିପୁଷ୍ଟି ପାଇଁ ଗଡନାୟକଙ୍କ ଠାରୁ ଅଧିକ ଆବେଗ ସମ୍ପନ୍ନ ଶବ୍ଦସଞ୍ଜୋଜନାର ଲେଖାଟିମାନ ସ୍ଥାନିତ କରିଛନ୍ତି, ଯାହା ଫଳରେ ଆମର ପିଲାମାନଙ୍କର ଓଡିଆ ସାହିତ୍ୟ ପ୍ରୀତି ତାଙ୍କର ପାଠ୍ୟକ୍ରମର ଅନ୍ୟ ଭାଷା ପ୍ରୀତିକୁ ଅତିକ୍ରମ କରି, ପରବର୍ତ୍ତୀ ପର୍ଯ୍ୟାୟରେ ଆମ ସାହିତ୍ୟକୁ ଏକ ଉଚ୍ଚ ସ୍ତରକୁ ନେଇ ପାରିଛି, ଯାହା ଆମ ଭଳି କିଛି ପ୍ରାଚୀନପନ୍ଥୀଙ୍କ ଦେହରେ ଯାଉନାହିଁ ।ସବୁଠୁ ଦୁଃଖର କଥା ଛନ୍ଦ ଆଉ ଶବ୍ଦର ବାଜିଗର ରାଧାମୋହନଙ୍କୁ ପିଲାଙ୍କ ପାଠ୍ୟପୁସ୍ତକରେ ରହିବା ପାଇଁ ଜଣେ ଓକିଲ ଦରକାର ହେଉଛି ।

(ନିନ୍ଦୁକମାନେ ଯେତେ ଯାହା ହେଲେ, ତାଙ୍କର ପ୍ରକୃତି କ'ଣ ଛାଡିବେ ? ଖାଲି ପୁରୁଣା ଶୁଆ ପରି କଟର କଟର ହେବେ । ଆମେ ଯଦି ଗୋଦାବରୀଶଙ୍କ "କାଳିଜାଇ" ପିଲାଙ୍କୁ ପଢାଇବା ପାଇଁ ବ୍ୟବସ୍ଥା ନରଖିଲୁ, ତେବେ ଓଡିଆ ଭାଷା ସାହିତ୍ୟର କ'ଣ ଅସୁବିଧା ହେଇଛି ?
ଟିକିଏ ଆଗରୁ ଢେର ଗୌରଚନ୍ଦ୍ରିକା ଦେଇ ତମେ କହିଲ, ଦୁଃଖ କଥା କହିବ ନାହିଁ, ହେଲେ ଏଇଲେ ? କାଳିଜାଇ କ'ଣ ସୁଖ କଥା ଯେ ତାହାକୁ ପଢି ପିଲାଏ ହସିହସି ଗଡିବେ ?
ତମେ ନିଜେ କହୁଚ ଯେ କାଳିଜାଇ କବିତାକୁ ପଢାଇଲା ବେଳେ, ତମର ସେ କାଳର ଧୋତିପିନ୍ଧା ସରୁ ନିଶ ରଖିଥିବା ସାହିତ୍ୟ ସାରେ ଶ୍ରେଣୀ ଗୃହରେ ପାଲଟି ଯାଉଥିଲେ ନୌକା ବୁଡିରୁ ବର୍ତ୍ତିଯାଇଥିବା ନବବିବାହିତା ଜାଇର ବାପା, ଆଉ ତମେମାନେ ପାରିକୁଦ ବୋଲି ଚିଲିକା ଭିତରର ମୁଲକକୁ ନିଜ ଭଉଣୀକୁ ବିଦା କରିବାକୁ ସାଥିରେ ଯାଇପାରିନଥିବା ଗାଆଁର ଭାଇ ଭଉଣୀ ମାନେ । ଏତେ ସୁଁ ସୁଁ କାନ୍ଦଣାରେ କ'ଣ ସାହିତ୍ୟ ହବ ? ନା ହେଇଛି ?
ଆଉ ତମ ବେଳେ ଅଣ୍ଡର କନସିଡରେସନ୍ ରେ ପାସ୍ କରିବା କହିଲେ ଯେଉଁ ପଛ ବେଞ୍ଚ୍ ର ଚରିତ୍ରକୁ ବୁଝାଉଥିଲା, ସେ ବି ଯଦି ସେଇ କାଳିଜାଇ କବିତାରୁ କେତେ ପଦ ମନେ ରଖି ସୁର କରି ବୋଲି ପାରୁଥିଲା ବୋଲି ତମେ ସାହିତ୍ୟ ପଢାର ଅସଲ ବାହାଦୁରି ବୋଲି ଭାବୁଛ, ତେବେ ସେଇ କଥା ବା ସେଇ ଭଳି ମୁଖସ୍ତ କରିବା କଥାକୁ ଆମେ ଯେଉଁମାନେ ଓଡିଆ ସାହିତ୍ୟ ପଢାର ବିଧାନ କରିଛୁ, ମାନିବାକୁ ପ୍ରସ୍ତୁତ ନୁହଁ ।
ତମେ ନିନ୍ଦୁକମାନେ ମନେ ରଖିବା ଉଚିତ ଯେ, ଜଣେ କେବଳ ନିଜର ମୁଣ୍ଡକୁ ଖାଲି ଗିନା ଭଳି ରଖିଥିଲେ ହେଁ ବାହାରର ପ୍ରକୃତ ଜ୍ଞାନକୁ ଗ୍ରହଣ କରି ପାରିବ । ତମର ଗିନାଟି ଫୁଲ୍ ରଖିଛ, ତେଣୁ କିଛି ଗ୍ରହଣ କରିବାକୁ ତମେମାନେ ଅସମର୍ଥ । ସେଇଥି ପାଇଁ ଆମେ ଏମିତି ଓଡିଆ ସାହିତ୍ୟ ପଢେଇବୁ ଯେ ପିଲାଟିର କିଛି ମନେ ରହିବ ନାହିଁ, ଫଳରେ ସେ ବିଶ୍ୱର ଶ୍ରେଷ୍ଠ ସାହିତ୍ୟ ଧାରଣାକୁ ଅନାୟାସରେ ଗ୍ରହଣ କରିପାରିବ ପରେ । ଆମର ଏଇ ରେସନାଲେକୁ ବୁଝ ।
ତମେ ଗଣଗଣିଆ ମାଛି ପରି ଯେଉଁ ଜାଗାରେ ବସିବାକୁ ଇଚ୍ଛା କରିବ, ତାହା ତମେ ଜାଣ । ତାହାକୁ କ'ଣ ବିସ୍ତାର କରି କହିବା ଜରୁରି ।ଆମେ ଛୋଟ ପିଲାଙ୍କ ଭିତରେ ଐକ୍ୟବଦ୍ଧ ଆଉ ସମାଜସେବା ପାଇଁ "ତୁମପରି ଛୋଟ ପିଲାଟିଏ "ରଖିଛୁ । ଚାଟଶାଳିକୁ ଗଲାବେଳେ କାଦୁଅ ରାସ୍ତାରେ ପଡିଗଲା ବୋଲି ପିଲାଟିଏ ସାଙ୍ଗ ସାଥିଙ୍କୁ ଏକାଠି କରି ରାସ୍ତାରେ ଗୋଡିମାଟି ପକାଇ ସମତୁଲ କରିବାର ଆଦର୍ଶକୁ ସମସ୍ତଙ୍କର ଗ୍ରହଣ କରିବା ଉଚିତ । ତମେ କିନ୍ତୁ ସେଇଠେ ଖୁଣ ଧରିବ । ପିଲାଟି ସାଙ୍ଗସାଥିଙ୍କୁ ଏକାଠି କରି ହଠାତ୍ ରାସ୍ତାଟିକୁ ସମତୁଲ କଲାନାହିଁ କାହିଁକି ? କାହିଁକି ତାହାକୁ ଅପେକ୍ଷା କରିବାକୁ ପଡିଲା ପୂଜାଛୁଟି ଯାଏଁ ? 
ତମେ କହିବା ଅନୁସାରେ ପୂଜାଛୁଟି ତ ଅଶିଣ ମାସ, ଆଉ ଅଶିଣ ମାସରେ ତ ବର୍ଷାବିହୀନ ଶରତ କାଳ, କଦବା କେମିତି ମେଘ । ସେତେବେଳେ କାଦୁଅ ରାସ୍ତାଟି ଥିବ କେଉଁଠି ଯେ, ସେ ପିଲାଟି ସାଙ୍ଗସାଥି ସହ ତାହାକୁ ସମତୁଲ କରିବ ? ତାହା ଛଡ଼ା ଏତେଦିନର ଚାଟଶାଳୀ ବେଳର କାଦୁଅ ରାସ୍ତାରେ ଦହଗଞ୍ଜ ଭୋଗିଥିବା ପିଲାଟି ଭିତରେ ଯନ୍ତ୍ରଣାଟି ଥିବ କେଉଁଠି ଯେ, ସେ ମାଲପା ପାଇବ ଜଳିବା ପାଇଁ ?
ତମେ ନିନ୍ଦୁକମାନେ ଆଗ ଭାବକୁ ବୁଝ । ଅକ୍ଷରକୁ ଟିକିନିଖି ପଢନାହିଁ । ତମେ କ'ଣ ଜାଣି ନାହଁ ଯେ, ଆମର ସବୁ କାମ ପାଇଁ ଛୁଟିଟିଏ ଦରକାର ? ସାହିତ୍ୟ ପଢାରେ ଯେମିତି, ଆମକୁ ରାସ୍ତା ମରାମତି ପାଇଁ ପୂଜା ଛୁଟି ଯାଏଁ ଅପେକ୍ଷା କରିବାକୁ ପଡେ,ସେମିତି ବଡ଼ ହେଲା ପରେ ସବୁ ଓଡିଆ ସାହିତ୍ୟର କୁମ୍ଭମେଳାଟି ବସେ ଆମର ପୂଜା ଛୁଟିରେ । ନୁହଁ ?

ଯେଉଁ ଅବସରପ୍ରାପ୍ତ ଶିକ୍ଷକଟି ଦିନେ କେଉଁ ଖବରକାଗଜରେ ସମ୍ପାଦକଙ୍କୁ ପ୍ରାପ୍ତ ସ୍ତମ୍ଭରେ "କାଳିଜାଇ"ଟି ପିଲାମାନଙ୍କ ପଢା ବହିରେ କାହିଁକି ନାହିଁ ବୋଲି କ୍ଷୋଭ ପ୍ରକାଶ କରି ଲେଖିଥିଲା ଚିଠିଟିଏ, ଏଇଭଳି ସୁଁ ସୁଁ କାନ୍ଦୁରା ସାହିତ୍ୟ ଶିକ୍ଷକ ମାନଙ୍କର ଅତୀତର କାନ୍ଦ ସବୁକୁ ଯଦି ଆମେ ଶୁଣିବାକୁ ବସିବୁ, ତେବେ ପିଲାଙ୍କୁ ଶଶୀଦେଇ କାନ୍ଦର ଛପା ବହି ଖଣ୍ଡିଏ ଧରାଇଦେଲେ ଚଳିବ । ସାହିତ୍ୟ ପଢା ବହିରେ କ'ଣ ପ୍ରୟୋଜନ ?
ଥରେ ସୁଭଦ୍ରା କୁମାରୀଙ୍କ ଏଇ ଯେଉଁ ଝାନସୀବାଲି ରାଣୀ ବୋଲି ହିନ୍ଦି ଗୀତଟିକୁ ଏଇଠି ଉପରେ ଲେଖିଛ, ସେଇଠି ପଢାବହିରୁ ଉଠିଗଲା ବୋଲି ଭାରତର ପାର୍ଲିଆମେଣ୍ଟ ଯାଏଁ କଥା ଗଲା ଓ ତାହାକୁ ପଢାବହିରେ ପୁଣି ରଖାଗଲା । ସେମିତି ଅବିକଳ କଥା ପ୍ରେମଚାନ୍ଦଙ୍କଙ୍କର ଲେଖାକୁ ନେଇ ବି ହୋଇଥିଲା ।
ତମେ ମାନ୍ୟବର ବିଧାୟକମାନଙ୍କୁ ଓଡିଆ ସାହିତ୍ୟର ପାଠ୍ୟକ୍ରମକୁ କାହିଁକି ଟାଣିବ ? ସେମାନଙ୍କର ଆଉ କ'ଣ କିଛି କାମ ନାହିଁ ?
ହଁ ତମେ ଓଡିଶାର ମୂର୍ଦ୍ଧନ୍ୟ ସୃଜନଶୀଳ ସାହିତ୍ୟିକମାନେ ଶିଶୁବୋଧଠୁ ଆରମ୍ଭ କରି ଯୁବକବୋଧ ଯାଏଁ ଯେତେ ସବୁ ଓଡିଆ ସାହିତ୍ୟର ପାଠ୍ୟକ୍ରମ ରହିଛି, ସେଇ ସବୁକୁ ପ୍ରସ୍ତୁତ କରନ୍ତୁ ବୋଲି ଯେଉଁ ପ୍ରସ୍ତାବ ରଖିବାକୁ ଚାହୁଁଚ, ତାହାକୁ ଆମେ ସିଧା ନାକଚ କରିବୁ । କାରଣ ସମସ୍ତେ ତ ଆଉ ମୂର୍ଦ୍ଧନ୍ୟ ସୃଜନଶୀଳ ସାହିତ୍ୟିକ ତାଲିକାରେ ପଢାବହି ତିଆରି କରିବା ପାଇଁ ରହିବେ ନାହିଁ, ତାହା ବାହାରେ ଯେଉଁ ଅଧିକ ମୂର୍ଦ୍ଧନ୍ୟ ସାହିତ୍ୟିକ ରହିଯିବେ, ସେମାନେ ଆମକୁ ସମର୍ଥନ କରିବାକୁ ଆଗଭର ହେବେ । ତେଣୁ ଆମର ଜିତାପଟ ଥୟ ।
ଆମର ବିଶେଷତ୍ତ୍ୱଟି ହେଲା ଆମେ ପିଲାମାନଙ୍କୁ ଯେଉଁ ସାହିତ୍ୟ ପଢିବାକୁ ଦେଉ, ସେଥିରେ ସାହିତ୍ୟିକ ଧାରାବାହିକତା ବା ସାହିତ୍ୟର ଐତିହାସିକ ଅବବୋଧର ଚିହ୍ନବର୍ଣ୍ଣ ନାହିଁ । ଫଳରେ ପିଲାଏ କିଏ କେଉଁ କାଳର, ବା କାହା ପରେ କିଏ, ଜାଣନ୍ତି ନାହିଁ । ଏହା କହିବାକୁ ଗଲେ, ଆମର ସବୁଠୁ ବଡ ସଫଳତା । ସାହିତ୍ୟ ପଢାରେ ଏଇଭଳି ଓପନଏଣ୍ଡେଡନେସ୍ ଯୋଗୁଁ, ଆମର ସୃଜନଶୀଳ ସାହିତ୍ୟିକ ମାନଙ୍କ ଭିତରୁ କେହି ବି, ନିଜକୁ ସାରଳାଦାସଙ୍କର ପୂର୍ବର ଆଦ୍ୟ ସାହିତ୍ୟିକ ବୋଲି ପିଲାମାନଙ୍କ ଧାରଣାରେ ପ୍ରତିଷ୍ଠିତ କରିପାରେ ।
ଏଥି ପାଇଁ ଓଡିଶାର ସୃଜନଶୀଳ ସାହିତ୍ୟିକମାନେ ଆମକୁ ଧନ୍ୟବାଦ ଦେବା ଦରକାର, ଆମେ ସେମାନଙ୍କ ପାଇଁ ଐତିହାସିକ କ୍ଷେତ୍ର ପ୍ରସ୍ତୁତି କରିଦେଇଛୁ।)
ଏଇ ଛବିଟି ଝାନସୀରାଣୀ ଲକ୍ଷ୍ମୀବାଇଙ୍କ ଜୀବଦ୍ଦଶାରେ ଅଂକିତ ଉପଲବ୍ଧ ଏକମାତ୍ର ଛବି।ଛବିଟିର ସମୟକାଳ ୧୮୫୭ ମସିହା।ଏହା ସଂପ୍ରତି ଲଣ୍ଡନର ନେସନାଲ୍ ଆର୍ମି ମ୍ୟୁଜିଅମ୍ ରେ ସଂରକ୍ଷିତ ହୋଇ ରହିଛି।

Monday, October 23, 2017

କିଏ କୁଆଡ଼େ ଗଲା

ଜଗନ୍ନାଥ ପ୍ରସାଦ ଦାସ


ଔରଙ୍ଗାବାଦ ସ୍ଥିତ ଜେବୁନିସ୍ସା ଉଆସ (୧୮୮୦ ଦଶକର ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅ ଗଲା ଅଠରନଳା ଦେଖିବ ବୋଲି ରଥ
ଆ ଗଲା ଆଠଗଡ଼ କାଟିବ ବୋଲି କାଠ ।

ଇ ଗଲା ଇରମ ସେଠି ଖାଇବ ଲୁଣ ରାନ୍ଧି
ଉ ଗଲା ଉମରକୋଟ ଓଭରକୋଟ ପିନ୍ଧି ।

ଏ ଗଲା ଏରସମାକୁ ଚୂଡ଼ାଚାଉଳ ନେଇ
ଓ ଗଲା ଓଲଟପୁର ହାତ ଯୋଡ଼ିବା ପାଇଁ ।

ସୁବିଧା ନାହିଁ ଆଖ ପାଖରେ ରଖିବା ପାଇଁ ପାଦ
ଔ ତେଣୁ ପଳାଇ ଗଲା ଔରଙ୍ଗାବାଦ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Saturday, October 21, 2017

ରମା ଓ ରାମ

ଜଗନ୍ନାଥ ପ୍ରସାଦ ଦାସ


ଆଫଗାନିସ୍ତାନର ଫରିଆବ୍ ରାଜ୍ୟର ଏକ କୂଅ (ଫଟୋ କ୍ରେଡିଟ - ୱିକିମିଡିଆ କମନ୍ସ୍)

ସକାଳେ ଦିନେ କୂଅ ମୂଳକୁ
ପାଣି ଆଣିବା ପାଇଁ
ବାଲଟି ଧରି ଭାଇ ଭଉଣୀ
ଦି ଜଣ ଥିଲେ ଯାଇ ।

ଗୋଡ଼ ଖସଡ଼ି ପଡ଼ିଲା ରାମ
ଉଠିଲା ନାହିଁ ଜମା
ଘରକୁ ଦୁଇ ବାଲଟି ପାଣି
ଆଣିଲା ଏକା ରମା ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Thursday, October 19, 2017

ହାତ ଦେଖା ହାତୀ


ଜଗନ୍ନାଥ ପ୍ରସାଦ ଦାସ


ମହାବଳୀପୂରମ ସ୍ଥିତ ପ୍ରଥମ ଶତାବ୍ଦୀର ହସ୍ତୀ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କଳା କନା ବାନ୍ଧି ଆଖିରେ ତାର
ପଚାରିଲେ ତାକୁ କେ ଆଛି ଆଗରେ
ଛୁଇଁ ଦେଇ ଖାଲି କହି କି ପାର ?

ଛୁଇଁଲା ସବୁ ସେ ହାତକୁ ବଢ଼ାଇ
ଆଗ ପଛ ବାଁ ଡାହାଣ ହାତି
ଅନେକ ବିଚାରି କହିଲା ଶେଷକୁ
ଏଇଟି ଗୋଟିଏ ବିରାଟ ହାତୀ ।

ଆଖିରୁ ଖୋଲିଲା କଳାକନା ଯେବେ
ଅନାଇ ଦେଖିଲା ଭଲାରେ ଭଲା
ଆଗରେ ରହିଛି କାନ୍ଥ, ଚାରି ଖମ୍ବ
ଗୋଟିଏ ଦଉଡ଼ି ଦୁଇଟି କୁଲା !

ବୁଝିଲା ସେ ଏକ ଗଧ
ବୁଦ୍ଧି ବିଚାରରେ ନିପଟ ଜଳକା
ଆଖି ଥାଉ ଥାଉ ଅନ୍ଧ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Tuesday, October 17, 2017

ଲୋକଟି

କବି - ଜଗନ୍ନାଥ ପ୍ରସାଦ ଦାସ


ଖ୍ରୀଷ୍ଟପୂର୍ବ ୩ୟ-୪ର୍ଥ ଶତାବ୍ଦୀରେ ତିଆରି ଇତାଲୀ ଦେଶର ଏକ ରାସ୍ତା
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତରତର ହୋଇ ଗଲାବେଳେ ଦିନେ
ନିତି ଦିନିଆ ମୋ ବାଟରେ
ସେଇ ଲୋକଟିକୁ ଭେଟିଲି ମୁଁ ଯିଏ 
ନ ଥିଲା ସେ ଦିନ ସେଠାରେ ।

ଆଜି ବି ନ ଥିଲା ସେ ବାଟରେ ସିଏ
କେଜାଣି କି ହେବ କାଲିକି
ମରୁଛି ମୁଁ ଭାବି କିଏ ସିଏ ଲୋକ
ମୋ ପଛରେ ଲାଗିଛି କାହିଁକି !

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Sunday, October 15, 2017

ଠେକୁଆ କଇଁଛ

କବି - ଜଗନ୍ନାଥ ପ୍ରସାଦ ଦାସ


କଇଁଛ ଓ ଠେକୁଆ (୧୯୧୨)
ଚିତ୍ରକର - ଆର୍ଥର ରାଖାମ (୧୮୬୭-୧୯୩୯)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଠେକୁଆ କଇଁଛ ବାହାରିଲେ ଦିନେ ଦୌଡ଼ରେ ନେଇ ଭାଗ
ପ୍ରାଇଜ ପାଇବ ସେ ପାଖରେ ଯାଇ ପହଞ୍ଚିବ ଯିଏ ଆଗ ।

ଦଉଡ଼ି ଦଉଡ଼ି ଅଧାବାଟ ଯାଇ ଦେଖି ବରଗଛ ଛାଇ
କଇଁଛ ରହିଛି ଅନେକ ପଛରେ ଠେକୁଆ ପଡ଼ିଲା ଶୋଇ ।

ଧୀରେ ଅତି ଧୀରେ କଇଁଛ ଚାଲିଛି ହୋଇଗଲା ବାଟ ଅଧା
ବରଗଛ ତଳେ ଠେକୁଆକୁ ଟପି ଆଗକୁ ଚାଲିଲା ସିଧା ।

ଦେଖୁଥିବା ଲୋକେ କହିଲେ ଏଥର କଇଁଛ ଜିଣିବ ଏକା
ମଠ ହେଉ ପଛେ ଲାଗି ରହିଥିଲେ ଜିତାପଟ ତାକୁ ଲେଖା ।

ଏତେବେଳେ ଠିକ ଠେକୁଆ ହାତରେ ବାଜିଲା ଆଲାର୍ମ ଘଡ଼ି
ଧଡ଼ପଡ଼ ହୋଇ ଗହନ ନିଦରୁ ଉଠିଲା ସେ ଆଖି ମଳି ।

ଦେଖିଲା ଯାଉଛି କଇଁଛ ଆଗରେ ପାଦରେ ପାଦକୁ ମାପି
କୁଦା ମାରି ଗଲା ଠେକୁଆ ତାହାକୁ ସହଜରେ ଗଲା ଟପି ।

ଠେକୁଆର ହେଲା ଜିତାପଟ, ଗଲା କଇଁଛ ବିଚରା ହାରି
ନୀତି କଥା ଯାହା ଶୁଣିଥିଲେ ଲୋକେ ସବୁ ଗଲା ଜଳି ପୋଡ଼ି ।

ନୂଆ ନୀତିଶିକ୍ଷା :
ଦଉଡ଼କୁ ଦଉଡ଼ ଆରାମକୁ ଆରାମ
ଜିତାପଟ ହେଲା ଯାର ତା ନାଁ ଆଲାର୍ମ । 

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Friday, October 13, 2017

ଅଜବ ଜୀବ

କବି - ଜଗନ୍ନାଥ ପ୍ରସାଦ ଦାସ


ଓକାପି ଙ୍କର ଚିତ୍ର (୧୯୦୧)
ଚିତ୍ରକର - ହାରି ଜନଷ୍ଟନ୍ (୧୮୫୮-୧୯୨୭)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଓଟକୁ ଯଦି ଭାବୁଚ ତମେ
ଅଜବ ଏକ ଜୀବ
ଓକାପି ଲ୍ଲାମା ଜିରାଫ ୟାକ
ହିପୋପଟାମସ ଦେଖ

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Thursday, October 12, 2017

ଦେଖରେ ଦେଖ

କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦେଖରେ ଦେଖରେ ଦେଖ
କାନ୍ଥରେ ଘଡ଼ି ଏକ ।

ମୂଷା ଗଲା ତାକୁ ଚଢ଼ି
ଏକ ବଜାଇଲା ଘଡ଼ି
ମୂଷା ଗଲା ତଳେ ପଡ଼ି
ପଳାଇଲା ଡରି ମରି ।

କାନ୍ଥରେ ଘଡ଼ି ଏକ
ଦେଖରେ ଦେଖରେ ଦେଖ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Wednesday, October 11, 2017

ଘୋଡ଼ା

କବି - ଜଗନ୍ନାଥ ପ୍ରସାଦ ଦାସ


ଘୋଡା ଓ ମଣିଷଙ୍କର ଚିତ୍ର (ପ୍ରସ୍ତର ଯୁଗ - ମଧ୍ୟପ୍ରଦେଶର ଭୀମବେଟକା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏକମାତ୍ର ଜନ୍ତୁ ମିଛିମିଛିକା
ଡିମ୍ବ ଦିଏ ବୋଲି ଜଣା
କିଣା ହୋଇଥାଏ ଛ' ଟଙ୍କାରେ କିନ୍ତୁ
ଖାଏ ନ' ଟଙ୍କାର ଦାନା ।

ସରି ନୁହେଁ ସିଏ ଯୋଡ଼ାକୁ
ଦେଖିଚ ଏ ଭଳି ଘୋଡ଼ାକୁ ?

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Tuesday, October 10, 2017

ଓଟ

କବି - ଜଗନ୍ନାଥ ପ୍ରସାଦ ଦାସ


ଇଦ ଉପଲକ୍ଷେ ମୋଗଲ ସମ୍ରାଟଙ୍କର ଶୋଭାଯାତ୍ରାରେ ଓଟ (୧୮୪୦)
ସମ୍ଭାବ୍ୟ ଚିତ୍ରକର - ଖାନ୍ ମଜାର୍ ଅଲି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଓଟରେ ଓଟ
ବେକ ପିଠି ତୋର ଛୋଟ କି ମୋଟ ?

ନଡ଼ ବଡ଼ ଚାଲି ଲହଲହକା
ଯୁଆଡ଼ୁ ଦେଖିଲେ ଦିଶଇ ବଙ୍କା

ବେଢଙ୍ଗ ବେଢ଼ବ ବେଜାର ମାପ
କିଏ ଦେଲା ତତେ ଏ ଭଳି ରୂପ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Sunday, October 08, 2017

ଆଠଗଡ଼ର ପିଲା

କବି - ଜଗନ୍ନାଥ ପ୍ରସାଦ ଦାସ


ମିନୋଆର ସୁରେଇରେ ଅକ୍ଟୋପସର ଚିତ୍ର (୧୫୦୦ ଖ୍ରୀଷ୍ଟପୂର୍ବ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ନିଘୋଡ଼ ନିଦରେ ଶୋଇ ରାତି ଆଠଟାରେ
ସ୍ୱପ୍ନରେ ଦେଖିଲା ଯାହା ହେଉଛି ସେଠାରେ :

ଆଠ ଜଣ କାଠୁରିଆ କାଟୁଛନ୍ତି କାଠ
ଆଠ ଗୋଟି ପୁଅ ମିଶି କରୁଛନ୍ତି ନାଟ ।

ଅକ୍ଟୋପସ ବସିଅଛି ଆଠ ହାତ ଖୋଲି
ଆଠଟି ସମୁଦ୍ର ଜୀବ ଧରିନେବ ବୋଲି ।

ସମ୍ମୁଖରେ ଅଷ୍ଟଧାତୁ ଦେବୀ ପ୍ରତିମାର
ଅଷ୍ଟ ଅବଧାନୀ କରେ ସାଷ୍ଟାଙ୍ଗ ଜୁହାର ।

ଏତେବେଳେ ଆଠ ଜଣ ଚିରଗୁଣୀ ଆସି
ଆଠଟି ଡାହାଣୀ ଆଠ ଭୂତ ସଙ୍ଗେ ମିଶି 
ଡରାଇଲେ ନାଚିକୁଦି ତା ସ୍ୱପ୍ନ ଭିତରେ
ଚମକି ଉଠିଲା ପିଲା ନିଦ ବାଉଳାରେ ।

ଆଖି ଖୋଲି ଦେଖିନେଲା ଚାରିଆଡ଼େ ତାର
ଜଗି ରହିଛନ୍ତି ତାକୁ ଆଠ ଦିକ୍-ପାଳ ।

ଏଥରକ ଆଉ କିଛି ଭୟ ନାହିଁ ଜାଣି 
ନିଦରେ ନିଦକ ହୋଇ ଶୋଇଗଲା ପୁଣି ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Friday, October 06, 2017

ଛୋଟ

କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଛୋଟ କଂସା ତାଟିଆ
ଛୋଟ ଥାଳି ଥାଳିଆ
ଛୋଟ ଖଟ ଖଟିଆ
ଛୋଟ ଚାଳ ଚାଳିଆ ।

ଛୋଟ ଘର କୁଡ଼ିଆ
ଛୋଟ ଡଙ୍କା ଚାମୁଚା
ଛୋଟ ପୁଡ଼ା ପୁଡ଼ିଆ
ଛୋଟ ଲୁଗା ଗାମୁଛା ।

ଛୋଟ ହାଣ୍ଡି ଆଟିକା
ଛୋଟ ତାଡ଼ ତାଡ଼ିଆ 
ଛୋଟ କୋଠା ବାଟିକା
ଛୋଟ ଦୀଘି ଗଡ଼ିଆ ।

ଛୋଟ କୁଲା କୁଲେଇ
ଛୋଟ ବାଘ ବିଲେଇ
ଛୋଟ ଝିଅ ଫୁଲେଇ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Wednesday, October 04, 2017

ଘର

କବି - ଜଗନ୍ନାଥ ପ୍ରସାଦ ଦାସ


ମୋଶେ ସାମୁଦ୍ରିକ କଇଁଛ
୨୦୦ ସାଲ,  ପେରୁ ଦେଶର ଲିମାଠାରେ ସ୍ଥିତ ଲାର୍କୋ ସଙ୍ଗ୍ରହାଳୟ
  ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ରଜା ରହିଥାଏ ରାଜବାଟୀରେ
ଜେଲ ଘରେ ରହେ ଚୋର
ଦଦରା କୋଠାରେ ବାବନା ଭୂତ
ଚଷାର କୁଡ଼ିଆ ଘର ।

ସାପ ରହିଥାଏ ଉଇ ହୁଙ୍କାରେ
ଡାଳରେ ଚଢ଼େଇ ବସା
ପଙ୍କ ଗାଡ଼ିଆରେ ବେଙ୍ଗର ଘର
ଗାତ ଖୋଳି ରହେ ମୂଷା ।

ମହୁମାଛି ଥାଏ ମହୁଫେଣାରେ
ଦେଉଳ ହେଉଛି ଦିଅଁଙ୍କ ଘର
ଗୁମ୍ଫାରେ ରହନ୍ତି ମୁନି ୠଷି ଭାଲୁ
ଗୁଣ୍ଡୁଚିର ଘର ଗଛ କୋରଡ଼ ।

ନିଜ ନିଜ ଘର ଗେଣ୍ଡା କଇଁଛ
ବସ୍ତାନି ବହିର ଘର
କୁନି ପିଲା ଘର ମା'ର କୋଳ
ସପନର ଆଖି ତଳ ।

କିନ୍ତୁ,
ଫୁଟପାଥ ନୁହେଁ ମଣିଷର ଘର
ବାଘ ଘର ନୁହେଁ ଚିଡ଼ିଆଖାନା
ପଞ୍ଜୁରୀ ନୁହଇ ଚଢ଼େଇର ବସା
କାହା ଘର ନୁହେଁ ପୁଲିସ ଥାନା ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Sunday, October 01, 2017

ବିଲେଇ ନାନୀ


କବି - ଜଗନ୍ନାଥ ପ୍ରସାଦ ଦାସ


ଅଷ୍ଟାଦଶ ଶତାବ୍ଦୀର ସାଇବେରିଆର ଲୋକକଳା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବିଲେଇ ନାନୀ କରିଛି ଓଷା
ଏ ଯାଏ ଖାଇଛି ଗୋଟିଏ ମୂଷା
ଦୁଇଟି ପୋକ, ତିନିଟି ଜୋକ
ତଥାପି ଲାଗୁଛି ଆହୁରି ଭୋକ ।

ଚାରି ଝିଟିପିଟି ପାଞ୍ଚଟି ବଣି
କେମିତି କୋଉଠୁ ଖାଇବ ଆଣି
ଅନେଇ ବସିଛି ବିଲେଇ ନାନୀ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।