Wednesday, October 25, 2017

ସାହିତ୍ୟ ଶିକ୍ଷାର ମରମ କଥା

ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

"ସିଂହାସନ ହିଲ୍ ଉଠେ ରାଜବଂଶୋନେ ଭ୍ରକୁଟି ତାନି ଥି,
ବୁଢେ ଭାରତ ମେଁ ଆୟି ଫିର୍ ସେ ନୟି ଜବାନୀ ଥି,
ଗୁମି ହୁଇ ଆଜାଦୀ କି କୀମତ୍ ସବନେ ପହଚାନି ଥି,
ଦୂର୍ ଫିରଙ୍ଗି କୋ କରନେ କି ସବନେ ମନ୍ ମେଁ ଠାନି ଥି ।
ଚମକ୍ ଉଠି ସତ୍ତାବନ ମେ ୱହ ତଲବାର୍ ପୁରାନି ଥି,
ଖୁବ୍ ଲଢି ମର୍ଦାନୀ ୱହ୍ ତୋ ଝାନସୀ ୱାଲି ରାନୀ ଥି।"

-ସୁଭଦ୍ରା କୁମାରୀ ଚୌହାନ

ସୁଭଦ୍ରା କୁମାରୀ ଚୌହାନଙ୍କର ବୀରରସର ଏଇ ଦେଶପ୍ରେମ ଉଦ୍ରେକକାରୀ ହିନ୍ଦୀ କବିତାଟି ବିଶେଷ ଲୋକପ୍ରିୟ । ହିନ୍ଦି ପଢିବାକୁ ଆରମ୍ଭ କଲା ପରେ ପିଲାଟିର ପାଠ୍ୟକ୍ରମରେ ଏଇଟି ଥାଏ, ଆଉ ଏହାକୁ ଏବଂ ଏଇ ଭଳି କିଛି ପଦ୍ୟକୁ ପରୀକ୍ଷା ପାଇଁ ପଢିବା ଆଉ ବାରମ୍ବାର ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ଏହାକୁ ଆବୃତ୍ତି କରିବା ଫଳରେ, ପିଲାଟିର ମାନସିକତାରେ ଭାବ, ଶବ୍ଦଛନ୍ଦ ଆଉ ସ୍ୱର ସହିତ ଦେଶପ୍ରେମର ଏକ ମଧୁର ରୂପକ ର ଏମିତି ଗଭୀର ଛାପଟିଏ ରହିଯାଏ, ଯାହା ତାହାକୁ ଭବିଷ୍ୟତରେ ଯେତେ ବ୍ୟକ୍ତିପରକ ହେଲେ ବି ନିଜ ଦେଶର ଖୁଣ୍ଟିରୁ ହୁଗୁଳି ଯିବାକୁ ଦେଇ ନଥାଏ ।

ପିଲାଟିଏ କ'ଣ ପଢିବାକୁ ଭଲ ପାଇବ ? ଦୁଃଖ କଥା, ତାହାର କଅଁଳ ମନକୁ ବାଧିବ । ସଂସାରର ଜଟିଳ ସମ୍ପର୍କର କଥା ତାହାକୁ ଏତେ ଆଗରୁ ଦେଖାଇବା କାହିଁକି ? ତାହାକୁ ଏମିତି ପୃଥିବୀର କଥା କହିବା, ଯେଉଁଠି ତାହାକୁ ଲାଗିବ ଯେମିତି ଏଇ ପୃଥିବୀଟି କେବଳ ଗୋଟିଏ ବିରାଟ ଫୁଲଦୋକାନ, ଯେଉଁଠି ଫୁଲର ବିକାକିଣା ହୁଏ ନାହିଁ । ଯାହାର ଯେଉଁ ଫୁଲରେ ମତି ବଳିବ, ସେଇ ଫୁଲକୁ ସେ ସେଇଠୁ ଆନନ୍ଦରେ ଗୋଛାବାନ୍ଧି ନେଇପାରିବ । ତାହାକୁ ହସ କଥା କହିବା, ଆଉ ତାହାର ହସକୁ ଦେଖି ଆମେ ବିଭୋର ହେଉଥିବା ।ନୀତି କଥା ମାନ ତାହାକୁ କହିବା, ଯାହାକୁ ପୁଞ୍ଜି କରି ସେ ଭବିଷ୍ୟତ ଜୀବନରେ ଯେତେ ସଫଳ ହେଉ ପଛକେ, ଭଲ ମଣିଷଟିଏ ହୋଇ ରହିଥିବ । ଆଉ ଦେଶପ୍ରେମର କଥା କହିବା ।
ପଚାଶ ବର୍ଷ ତଳରୁ ନିଜ ସ୍ମୃତିରୁ ଗୋଟିଏ ଦେଶପ୍ରେମ କବିତାର କିଛି ଧାଡି ଉଲ୍ଲେଖ କରୁଛି । କବିତାର ନାଆଁ "ଉଦ୍ଦାମ ସିଂ" ।

"ଜନ୍ମଦା ମୋର ଭାରତ ଭୂଇଁର ବହୁଦୂରେ ସାଥି ବହୁ ଦୂରେ,
ବନ୍ଦୀ ମୁଁ ଆଜି ଉଦ୍ଦାମ ସିଂ ଏଇ ଲଣ୍ଡନ କାରାପୁରେ।
ସମ୍ମୁଖେ ମୋର ଫାଶିକାଠ,
ଶିଖ ସନ୍ତାନ ଶୁଣାଉଛି ମୁହିଁ ଜନମ ମାଟିର ଜୈତ୍ରପାଠ।"


ବିଶିଷ୍ଟ ଛାନ୍ଦସିକ ଶ୍ରୀଯୁକ୍ତ ରାଧାମୋହନ ଗଡନାୟକଙ୍କର କବିତା ଇଏ । ପଢିବାକୁ ଆଉ ଆବୃତ୍ତି କରିବାକୁ କ'ଣ ଖରାପ ଲାଗୁଛି ? ଆମ ଭଳି ଅପାରଗ ଲୋକମାନଙ୍କର ରକ୍ତରେ ରାଧାମୋହନ ଗଡ଼ନାୟକ ଅଛନ୍ତି । ଆମ ସାହିତ୍ୟ ପାଠର ଆରମ୍ଭରୁ ଗଡନାୟକ ଥିଲେ ।ଅବଶ୍ୟ ଏବେ ବିଦ୍ୱାନମାନେ ଅତ୍ୟନ୍ତ ପ୍ରବୀଣ । ସେମାନେ ସ୍କୁଲ ପାଠ୍ୟକ୍ରମରୁ ରାଧାମୋହନ ଗଡନାୟକଙ୍କୁ ବହିଷ୍କାର କରିଦେଇଛନ୍ତି ।ସେମାନେ ସାହିତ୍ୟ ଶିକ୍ଷାର ପରିପୁଷ୍ଟି ପାଇଁ ଗଡନାୟକଙ୍କ ଠାରୁ ଅଧିକ ଆବେଗ ସମ୍ପନ୍ନ ଶବ୍ଦସଞ୍ଜୋଜନାର ଲେଖାଟିମାନ ସ୍ଥାନିତ କରିଛନ୍ତି, ଯାହା ଫଳରେ ଆମର ପିଲାମାନଙ୍କର ଓଡିଆ ସାହିତ୍ୟ ପ୍ରୀତି ତାଙ୍କର ପାଠ୍ୟକ୍ରମର ଅନ୍ୟ ଭାଷା ପ୍ରୀତିକୁ ଅତିକ୍ରମ କରି, ପରବର୍ତ୍ତୀ ପର୍ଯ୍ୟାୟରେ ଆମ ସାହିତ୍ୟକୁ ଏକ ଉଚ୍ଚ ସ୍ତରକୁ ନେଇ ପାରିଛି, ଯାହା ଆମ ଭଳି କିଛି ପ୍ରାଚୀନପନ୍ଥୀଙ୍କ ଦେହରେ ଯାଉନାହିଁ ।ସବୁଠୁ ଦୁଃଖର କଥା ଛନ୍ଦ ଆଉ ଶବ୍ଦର ବାଜିଗର ରାଧାମୋହନଙ୍କୁ ପିଲାଙ୍କ ପାଠ୍ୟପୁସ୍ତକରେ ରହିବା ପାଇଁ ଜଣେ ଓକିଲ ଦରକାର ହେଉଛି ।

(ନିନ୍ଦୁକମାନେ ଯେତେ ଯାହା ହେଲେ, ତାଙ୍କର ପ୍ରକୃତି କ'ଣ ଛାଡିବେ ? ଖାଲି ପୁରୁଣା ଶୁଆ ପରି କଟର କଟର ହେବେ । ଆମେ ଯଦି ଗୋଦାବରୀଶଙ୍କ "କାଳିଜାଇ" ପିଲାଙ୍କୁ ପଢାଇବା ପାଇଁ ବ୍ୟବସ୍ଥା ନରଖିଲୁ, ତେବେ ଓଡିଆ ଭାଷା ସାହିତ୍ୟର କ'ଣ ଅସୁବିଧା ହେଇଛି ?
ଟିକିଏ ଆଗରୁ ଢେର ଗୌରଚନ୍ଦ୍ରିକା ଦେଇ ତମେ କହିଲ, ଦୁଃଖ କଥା କହିବ ନାହିଁ, ହେଲେ ଏଇଲେ ? କାଳିଜାଇ କ'ଣ ସୁଖ କଥା ଯେ ତାହାକୁ ପଢି ପିଲାଏ ହସିହସି ଗଡିବେ ?
ତମେ ନିଜେ କହୁଚ ଯେ କାଳିଜାଇ କବିତାକୁ ପଢାଇଲା ବେଳେ, ତମର ସେ କାଳର ଧୋତିପିନ୍ଧା ସରୁ ନିଶ ରଖିଥିବା ସାହିତ୍ୟ ସାରେ ଶ୍ରେଣୀ ଗୃହରେ ପାଲଟି ଯାଉଥିଲେ ନୌକା ବୁଡିରୁ ବର୍ତ୍ତିଯାଇଥିବା ନବବିବାହିତା ଜାଇର ବାପା, ଆଉ ତମେମାନେ ପାରିକୁଦ ବୋଲି ଚିଲିକା ଭିତରର ମୁଲକକୁ ନିଜ ଭଉଣୀକୁ ବିଦା କରିବାକୁ ସାଥିରେ ଯାଇପାରିନଥିବା ଗାଆଁର ଭାଇ ଭଉଣୀ ମାନେ । ଏତେ ସୁଁ ସୁଁ କାନ୍ଦଣାରେ କ'ଣ ସାହିତ୍ୟ ହବ ? ନା ହେଇଛି ?
ଆଉ ତମ ବେଳେ ଅଣ୍ଡର କନସିଡରେସନ୍ ରେ ପାସ୍ କରିବା କହିଲେ ଯେଉଁ ପଛ ବେଞ୍ଚ୍ ର ଚରିତ୍ରକୁ ବୁଝାଉଥିଲା, ସେ ବି ଯଦି ସେଇ କାଳିଜାଇ କବିତାରୁ କେତେ ପଦ ମନେ ରଖି ସୁର କରି ବୋଲି ପାରୁଥିଲା ବୋଲି ତମେ ସାହିତ୍ୟ ପଢାର ଅସଲ ବାହାଦୁରି ବୋଲି ଭାବୁଛ, ତେବେ ସେଇ କଥା ବା ସେଇ ଭଳି ମୁଖସ୍ତ କରିବା କଥାକୁ ଆମେ ଯେଉଁମାନେ ଓଡିଆ ସାହିତ୍ୟ ପଢାର ବିଧାନ କରିଛୁ, ମାନିବାକୁ ପ୍ରସ୍ତୁତ ନୁହଁ ।
ତମେ ନିନ୍ଦୁକମାନେ ମନେ ରଖିବା ଉଚିତ ଯେ, ଜଣେ କେବଳ ନିଜର ମୁଣ୍ଡକୁ ଖାଲି ଗିନା ଭଳି ରଖିଥିଲେ ହେଁ ବାହାରର ପ୍ରକୃତ ଜ୍ଞାନକୁ ଗ୍ରହଣ କରି ପାରିବ । ତମର ଗିନାଟି ଫୁଲ୍ ରଖିଛ, ତେଣୁ କିଛି ଗ୍ରହଣ କରିବାକୁ ତମେମାନେ ଅସମର୍ଥ । ସେଇଥି ପାଇଁ ଆମେ ଏମିତି ଓଡିଆ ସାହିତ୍ୟ ପଢେଇବୁ ଯେ ପିଲାଟିର କିଛି ମନେ ରହିବ ନାହିଁ, ଫଳରେ ସେ ବିଶ୍ୱର ଶ୍ରେଷ୍ଠ ସାହିତ୍ୟ ଧାରଣାକୁ ଅନାୟାସରେ ଗ୍ରହଣ କରିପାରିବ ପରେ । ଆମର ଏଇ ରେସନାଲେକୁ ବୁଝ ।
ତମେ ଗଣଗଣିଆ ମାଛି ପରି ଯେଉଁ ଜାଗାରେ ବସିବାକୁ ଇଚ୍ଛା କରିବ, ତାହା ତମେ ଜାଣ । ତାହାକୁ କ'ଣ ବିସ୍ତାର କରି କହିବା ଜରୁରି ।ଆମେ ଛୋଟ ପିଲାଙ୍କ ଭିତରେ ଐକ୍ୟବଦ୍ଧ ଆଉ ସମାଜସେବା ପାଇଁ "ତୁମପରି ଛୋଟ ପିଲାଟିଏ "ରଖିଛୁ । ଚାଟଶାଳିକୁ ଗଲାବେଳେ କାଦୁଅ ରାସ୍ତାରେ ପଡିଗଲା ବୋଲି ପିଲାଟିଏ ସାଙ୍ଗ ସାଥିଙ୍କୁ ଏକାଠି କରି ରାସ୍ତାରେ ଗୋଡିମାଟି ପକାଇ ସମତୁଲ କରିବାର ଆଦର୍ଶକୁ ସମସ୍ତଙ୍କର ଗ୍ରହଣ କରିବା ଉଚିତ । ତମେ କିନ୍ତୁ ସେଇଠେ ଖୁଣ ଧରିବ । ପିଲାଟି ସାଙ୍ଗସାଥିଙ୍କୁ ଏକାଠି କରି ହଠାତ୍ ରାସ୍ତାଟିକୁ ସମତୁଲ କଲାନାହିଁ କାହିଁକି ? କାହିଁକି ତାହାକୁ ଅପେକ୍ଷା କରିବାକୁ ପଡିଲା ପୂଜାଛୁଟି ଯାଏଁ ? 
ତମେ କହିବା ଅନୁସାରେ ପୂଜାଛୁଟି ତ ଅଶିଣ ମାସ, ଆଉ ଅଶିଣ ମାସରେ ତ ବର୍ଷାବିହୀନ ଶରତ କାଳ, କଦବା କେମିତି ମେଘ । ସେତେବେଳେ କାଦୁଅ ରାସ୍ତାଟି ଥିବ କେଉଁଠି ଯେ, ସେ ପିଲାଟି ସାଙ୍ଗସାଥି ସହ ତାହାକୁ ସମତୁଲ କରିବ ? ତାହା ଛଡ଼ା ଏତେଦିନର ଚାଟଶାଳୀ ବେଳର କାଦୁଅ ରାସ୍ତାରେ ଦହଗଞ୍ଜ ଭୋଗିଥିବା ପିଲାଟି ଭିତରେ ଯନ୍ତ୍ରଣାଟି ଥିବ କେଉଁଠି ଯେ, ସେ ମାଲପା ପାଇବ ଜଳିବା ପାଇଁ ?
ତମେ ନିନ୍ଦୁକମାନେ ଆଗ ଭାବକୁ ବୁଝ । ଅକ୍ଷରକୁ ଟିକିନିଖି ପଢନାହିଁ । ତମେ କ'ଣ ଜାଣି ନାହଁ ଯେ, ଆମର ସବୁ କାମ ପାଇଁ ଛୁଟିଟିଏ ଦରକାର ? ସାହିତ୍ୟ ପଢାରେ ଯେମିତି, ଆମକୁ ରାସ୍ତା ମରାମତି ପାଇଁ ପୂଜା ଛୁଟି ଯାଏଁ ଅପେକ୍ଷା କରିବାକୁ ପଡେ,ସେମିତି ବଡ଼ ହେଲା ପରେ ସବୁ ଓଡିଆ ସାହିତ୍ୟର କୁମ୍ଭମେଳାଟି ବସେ ଆମର ପୂଜା ଛୁଟିରେ । ନୁହଁ ?

ଯେଉଁ ଅବସରପ୍ରାପ୍ତ ଶିକ୍ଷକଟି ଦିନେ କେଉଁ ଖବରକାଗଜରେ ସମ୍ପାଦକଙ୍କୁ ପ୍ରାପ୍ତ ସ୍ତମ୍ଭରେ "କାଳିଜାଇ"ଟି ପିଲାମାନଙ୍କ ପଢା ବହିରେ କାହିଁକି ନାହିଁ ବୋଲି କ୍ଷୋଭ ପ୍ରକାଶ କରି ଲେଖିଥିଲା ଚିଠିଟିଏ, ଏଇଭଳି ସୁଁ ସୁଁ କାନ୍ଦୁରା ସାହିତ୍ୟ ଶିକ୍ଷକ ମାନଙ୍କର ଅତୀତର କାନ୍ଦ ସବୁକୁ ଯଦି ଆମେ ଶୁଣିବାକୁ ବସିବୁ, ତେବେ ପିଲାଙ୍କୁ ଶଶୀଦେଇ କାନ୍ଦର ଛପା ବହି ଖଣ୍ଡିଏ ଧରାଇଦେଲେ ଚଳିବ । ସାହିତ୍ୟ ପଢା ବହିରେ କ'ଣ ପ୍ରୟୋଜନ ?
ଥରେ ସୁଭଦ୍ରା କୁମାରୀଙ୍କ ଏଇ ଯେଉଁ ଝାନସୀବାଲି ରାଣୀ ବୋଲି ହିନ୍ଦି ଗୀତଟିକୁ ଏଇଠି ଉପରେ ଲେଖିଛ, ସେଇଠି ପଢାବହିରୁ ଉଠିଗଲା ବୋଲି ଭାରତର ପାର୍ଲିଆମେଣ୍ଟ ଯାଏଁ କଥା ଗଲା ଓ ତାହାକୁ ପଢାବହିରେ ପୁଣି ରଖାଗଲା । ସେମିତି ଅବିକଳ କଥା ପ୍ରେମଚାନ୍ଦଙ୍କଙ୍କର ଲେଖାକୁ ନେଇ ବି ହୋଇଥିଲା ।
ତମେ ମାନ୍ୟବର ବିଧାୟକମାନଙ୍କୁ ଓଡିଆ ସାହିତ୍ୟର ପାଠ୍ୟକ୍ରମକୁ କାହିଁକି ଟାଣିବ ? ସେମାନଙ୍କର ଆଉ କ'ଣ କିଛି କାମ ନାହିଁ ?
ହଁ ତମେ ଓଡିଶାର ମୂର୍ଦ୍ଧନ୍ୟ ସୃଜନଶୀଳ ସାହିତ୍ୟିକମାନେ ଶିଶୁବୋଧଠୁ ଆରମ୍ଭ କରି ଯୁବକବୋଧ ଯାଏଁ ଯେତେ ସବୁ ଓଡିଆ ସାହିତ୍ୟର ପାଠ୍ୟକ୍ରମ ରହିଛି, ସେଇ ସବୁକୁ ପ୍ରସ୍ତୁତ କରନ୍ତୁ ବୋଲି ଯେଉଁ ପ୍ରସ୍ତାବ ରଖିବାକୁ ଚାହୁଁଚ, ତାହାକୁ ଆମେ ସିଧା ନାକଚ କରିବୁ । କାରଣ ସମସ୍ତେ ତ ଆଉ ମୂର୍ଦ୍ଧନ୍ୟ ସୃଜନଶୀଳ ସାହିତ୍ୟିକ ତାଲିକାରେ ପଢାବହି ତିଆରି କରିବା ପାଇଁ ରହିବେ ନାହିଁ, ତାହା ବାହାରେ ଯେଉଁ ଅଧିକ ମୂର୍ଦ୍ଧନ୍ୟ ସାହିତ୍ୟିକ ରହିଯିବେ, ସେମାନେ ଆମକୁ ସମର୍ଥନ କରିବାକୁ ଆଗଭର ହେବେ । ତେଣୁ ଆମର ଜିତାପଟ ଥୟ ।
ଆମର ବିଶେଷତ୍ତ୍ୱଟି ହେଲା ଆମେ ପିଲାମାନଙ୍କୁ ଯେଉଁ ସାହିତ୍ୟ ପଢିବାକୁ ଦେଉ, ସେଥିରେ ସାହିତ୍ୟିକ ଧାରାବାହିକତା ବା ସାହିତ୍ୟର ଐତିହାସିକ ଅବବୋଧର ଚିହ୍ନବର୍ଣ୍ଣ ନାହିଁ । ଫଳରେ ପିଲାଏ କିଏ କେଉଁ କାଳର, ବା କାହା ପରେ କିଏ, ଜାଣନ୍ତି ନାହିଁ । ଏହା କହିବାକୁ ଗଲେ, ଆମର ସବୁଠୁ ବଡ ସଫଳତା । ସାହିତ୍ୟ ପଢାରେ ଏଇଭଳି ଓପନଏଣ୍ଡେଡନେସ୍ ଯୋଗୁଁ, ଆମର ସୃଜନଶୀଳ ସାହିତ୍ୟିକ ମାନଙ୍କ ଭିତରୁ କେହି ବି, ନିଜକୁ ସାରଳାଦାସଙ୍କର ପୂର୍ବର ଆଦ୍ୟ ସାହିତ୍ୟିକ ବୋଲି ପିଲାମାନଙ୍କ ଧାରଣାରେ ପ୍ରତିଷ୍ଠିତ କରିପାରେ ।
ଏଥି ପାଇଁ ଓଡିଶାର ସୃଜନଶୀଳ ସାହିତ୍ୟିକମାନେ ଆମକୁ ଧନ୍ୟବାଦ ଦେବା ଦରକାର, ଆମେ ସେମାନଙ୍କ ପାଇଁ ଐତିହାସିକ କ୍ଷେତ୍ର ପ୍ରସ୍ତୁତି କରିଦେଇଛୁ।)
ଏଇ ଛବିଟି ଝାନସୀରାଣୀ ଲକ୍ଷ୍ମୀବାଇଙ୍କ ଜୀବଦ୍ଦଶାରେ ଅଂକିତ ଉପଲବ୍ଧ ଏକମାତ୍ର ଛବି।ଛବିଟିର ସମୟକାଳ ୧୮୫୭ ମସିହା।ଏହା ସଂପ୍ରତି ଲଣ୍ଡନର ନେସନାଲ୍ ଆର୍ମି ମ୍ୟୁଜିଅମ୍ ରେ ସଂରକ୍ଷିତ ହୋଇ ରହିଛି।

No comments:

Post a Comment