Sunday, October 15, 2017

ଠେକୁଆ କଇଁଛ

କବି - ଜଗନ୍ନାଥ ପ୍ରସାଦ ଦାସ


କଇଁଛ ଓ ଠେକୁଆ (୧୯୧୨)
ଚିତ୍ରକର - ଆର୍ଥର ରାଖାମ (୧୮୬୭-୧୯୩୯)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଠେକୁଆ କଇଁଛ ବାହାରିଲେ ଦିନେ ଦୌଡ଼ରେ ନେଇ ଭାଗ
ପ୍ରାଇଜ ପାଇବ ସେ ପାଖରେ ଯାଇ ପହଞ୍ଚିବ ଯିଏ ଆଗ ।

ଦଉଡ଼ି ଦଉଡ଼ି ଅଧାବାଟ ଯାଇ ଦେଖି ବରଗଛ ଛାଇ
କଇଁଛ ରହିଛି ଅନେକ ପଛରେ ଠେକୁଆ ପଡ଼ିଲା ଶୋଇ ।

ଧୀରେ ଅତି ଧୀରେ କଇଁଛ ଚାଲିଛି ହୋଇଗଲା ବାଟ ଅଧା
ବରଗଛ ତଳେ ଠେକୁଆକୁ ଟପି ଆଗକୁ ଚାଲିଲା ସିଧା ।

ଦେଖୁଥିବା ଲୋକେ କହିଲେ ଏଥର କଇଁଛ ଜିଣିବ ଏକା
ମଠ ହେଉ ପଛେ ଲାଗି ରହିଥିଲେ ଜିତାପଟ ତାକୁ ଲେଖା ।

ଏତେବେଳେ ଠିକ ଠେକୁଆ ହାତରେ ବାଜିଲା ଆଲାର୍ମ ଘଡ଼ି
ଧଡ଼ପଡ଼ ହୋଇ ଗହନ ନିଦରୁ ଉଠିଲା ସେ ଆଖି ମଳି ।

ଦେଖିଲା ଯାଉଛି କଇଁଛ ଆଗରେ ପାଦରେ ପାଦକୁ ମାପି
କୁଦା ମାରି ଗଲା ଠେକୁଆ ତାହାକୁ ସହଜରେ ଗଲା ଟପି ।

ଠେକୁଆର ହେଲା ଜିତାପଟ, ଗଲା କଇଁଛ ବିଚରା ହାରି
ନୀତି କଥା ଯାହା ଶୁଣିଥିଲେ ଲୋକେ ସବୁ ଗଲା ଜଳି ପୋଡ଼ି ।

ନୂଆ ନୀତିଶିକ୍ଷା :
ଦଉଡ଼କୁ ଦଉଡ଼ ଆରାମକୁ ଆରାମ
ଜିତାପଟ ହେଲା ଯାର ତା ନାଁ ଆଲାର୍ମ । 

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

No comments:

Post a Comment