Sunday, October 08, 2017

ଆଠଗଡ଼ର ପିଲା

କବି - ଜଗନ୍ନାଥ ପ୍ରସାଦ ଦାସ


ମିନୋଆର ସୁରେଇରେ ଅକ୍ଟୋପସର ଚିତ୍ର (୧୫୦୦ ଖ୍ରୀଷ୍ଟପୂର୍ବ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ନିଘୋଡ଼ ନିଦରେ ଶୋଇ ରାତି ଆଠଟାରେ
ସ୍ୱପ୍ନରେ ଦେଖିଲା ଯାହା ହେଉଛି ସେଠାରେ :

ଆଠ ଜଣ କାଠୁରିଆ କାଟୁଛନ୍ତି କାଠ
ଆଠ ଗୋଟି ପୁଅ ମିଶି କରୁଛନ୍ତି ନାଟ ।

ଅକ୍ଟୋପସ ବସିଅଛି ଆଠ ହାତ ଖୋଲି
ଆଠଟି ସମୁଦ୍ର ଜୀବ ଧରିନେବ ବୋଲି ।

ସମ୍ମୁଖରେ ଅଷ୍ଟଧାତୁ ଦେବୀ ପ୍ରତିମାର
ଅଷ୍ଟ ଅବଧାନୀ କରେ ସାଷ୍ଟାଙ୍ଗ ଜୁହାର ।

ଏତେବେଳେ ଆଠ ଜଣ ଚିରଗୁଣୀ ଆସି
ଆଠଟି ଡାହାଣୀ ଆଠ ଭୂତ ସଙ୍ଗେ ମିଶି 
ଡରାଇଲେ ନାଚିକୁଦି ତା ସ୍ୱପ୍ନ ଭିତରେ
ଚମକି ଉଠିଲା ପିଲା ନିଦ ବାଉଳାରେ ।

ଆଖି ଖୋଲି ଦେଖିନେଲା ଚାରିଆଡ଼େ ତାର
ଜଗି ରହିଛନ୍ତି ତାକୁ ଆଠ ଦିକ୍-ପାଳ ।

ଏଥରକ ଆଉ କିଛି ଭୟ ନାହିଁ ଜାଣି 
ନିଦରେ ନିଦକ ହୋଇ ଶୋଇଗଲା ପୁଣି ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

No comments:

Post a Comment