Friday, May 31, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'ଲୋକସେବା ବିନା ଜ୍ଞାନ ବିଷ'

ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୯୦୮ ମସିହାରେ ମହାତ୍ମା ଗାନ୍ଧୀ (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)

.....ପ୍ରକୃତ ଶିକ୍ଷାର ଅଭାବରୁ ଭାରତୀୟ ସମାଜ ଯେ କେବଳ ପଶ୍ଟାତ୍‌ପଦ ରହିବ ତାହା ନୁହେଁଇଉରୋପର ପଛକୁ ପଡ଼ିଯିବ । ବିଲାତର ଶିକ୍ଷା, ଇଂରେଜୀ ଭାଷା ଶିକ୍ଷା, ପୃଥିବୀର ଇତିହାସ, ଜ୍ଞାନବିଜ୍ଞାନ ଅଧ୍ୟୟନ, ଏସବୁ ଆଜିକାଲି ଅତି ଆବଶ୍ୟକ ଅଟେ । ଏହାର ଅଭାବରେ ମନୁଷ୍ୟ ମାଦଳ ପରି । ଏହି ଜ୍ଞାନ ଲାଭ କରି ସାରିବା ପରେ ତାହାର କି ସଦ୍‌ବ୍ୟବହାର କରାଯିବ ତାହା ଭାବିବାର ବିଷୟ । ଜ୍ଞାନ କେବଳ ସାଧନ ମାତ୍ର । ତଦ୍ୱାରା ଭଲ କାମ ହୋଇପାରେ ସେଥିରେ ପଇସା ଉପାର୍ଜନ କରା ଯାଇପାରେ ଏବ‌ଂ ଲୋକସେବା କରା ଯାଇପାରେ । ଯଦି ଏହି ଜ୍ଞାନ ଭଲ କାମରେ ଏବଂ ଲୋକସେବା ନିମିତ୍ତ ବ୍ୟବହୃତ ହୁଏ, ତେବେ ଏ ଜ୍ଞାନାର୍ଜନ ସାର୍ଥକ । ନୋହିଲେ ଏହା ବିଷ ସମାନ ଅଟେ ।

-ଗୁଜୁରାତୀ ଇଣ୍ତିଆନ ଓପିନିୟନ୍ ତା ୪--୧୯୦୮

Thursday, May 30, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ବାଳ ମନ୍ଦିରରେ ଭାଷା ଓ ଗଣିତ ଶିକ୍ଷା

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଗଣିତ ଶିକ୍ଷାରେ ବ୍ୟବହାର ହେଉଥିବା ଆବାକସ୍‌ର ଚିତ୍ର (ୱିକିମିଡିଆ କମନ୍ସ୍)


ଭାଷା ଶିକ୍ଷା: ମଣ୍ଟେସୋରୀ ପଦ୍ଧତିରେ ଗୁଜୁରାଟୀ ଭାଷା ଶିଖାଇବା ପାଇଁ ଗିଜୁଭାଇ ବହୁତ ଚେଷ୍ଟା କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ। ଶିକ୍ଷକଙ୍କ ସହ ପିଲାଙ୍କ କଥୋପକଥନ, କାହାଣୀ, ଲୋକନାଟକ, ଶିଶୁଗୀତ, ଲୋକଗୀତ, ଅଭିନୟ ଗୀତ ଆଦି ଉପାୟରଗୁଡ଼ିକୁ ଗିଜୁଭାଇ ଭାଷା ଶିକ୍ଷା ଦେବା ପାଇଁ ବ୍ୟବହାର କରୁଥିଲେ।

ଗଣିତ ଶିକ୍ଷା: ଗଣିତ ଶିକ୍ଷା ପ୍ରତି ଗିଜୁଭାଇଙ୍କର ପିଲାଦିନୁ ଆଗ୍ରହ ନ ଥିଲା। ତେଣୁ ସେ ଭାଷା ଶିକ୍ଷା ଦିଗଟିକୁ ଯେତେ ସୁନ୍ଦର ଭାବରେ ବିକଶିତ କରିଥିଲେ, ଗଣିତ ଶିକ୍ଷା ପାଇଁ ସେପରି କିଛି କରି ନ ଥିଲେ। ନିଜର ଏହି ଦୁର୍ବଳତା ପ୍ରତି ସଚେତନ ଥିବାରୁ ସେ ଗାନ୍ଧିଜୀଙ୍କ ଆଶ୍ରମରୁ ବିଖ୍ୟାତ ଗାଣିତିକ ଶ୍ରୀ ହରିହର ଭାଇ ଭଟ୍ଟଙ୍କୁ ଆଣିଥିଲେ ଓ ଗଣିତ ଶିକ୍ଷାର ଦାୟିତ୍ୱ ତାଙ୍କୁ ଦେଇଥିଲେ। ଦଶମିକ ଶିକ୍ଷାର ଉପକରଣ, ଏକକ ଦଶକର ସାରଣୀ, ଶହର ବର୍ଗ, ହଜାରର ଘନ ଆଦି ଶିଖାଇବା ପାଇଁ ଉନ୍ନତ ଉପକରଣ ଗିଜୁଭାଇଙ୍କ ପରେ ବିକଶିତ ହୋଇଛି। ସେ ସମୟରେ ଏସବୁ ନ ଥିଲା । ଗିଜୁଭାଇଙ୍କ ଛାତ୍ରମାନେ କହନ୍ତି ଯେ, ସେମାନଙ୍କୁ ଭାଷା ଶିଖିବାରେ ଯେତେ ମଜା ମିଳୁଥିଲା ଗଣିତ ଶିଖିବାରେ ସେତେ ମଜା ମିଳୁନଥିଲା।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Wednesday, May 29, 2019

ପିଲାଙ୍କ ଢଗଢମାଳି - ୪

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଅତିଥିମାନଙ୍କ ସହ ଯୋଗୀ (୧୭୮୦ ମସିହାରେ କାଗଜରେ ଅଙ୍କା ଜଳଛବି)
ହନଲୁଲୁ ମ୍ୟୁଜିଅମ୍ ଅଫ୍ ଆର୍ଟ୍‌ରେ ସ୍ଥାନିତ (ଫଟୋ କ୍ରେଡିଟ୍ -  ୱିକିମିଡିଆ କମନ୍ସ୍)
୧୬
ଅକାଳ ନନ୍ଦ, ବାଳ ଗୋବିନ୍ଦ ।
ବାଳ କେରି କେରି ପକାଏ ଛନ୍ଦ ।
ଅର୍ଥ - ଆଶା କରାଯାଉ ନ ଥିବା, ଏପରିକି ଅକାଳରେ ମିଳୁଥିବା, ଜିନିଷକୁ ଅଧିକ ଗୁରୁତ୍ୱ ଦିଆଯାଏ ।

୧୭
ଅକାଳ ପାଉଁଶ ସକାଳେ ପୂଜା ।
ଅର୍ଥ - ଆଜି ଯେଉଁ ପଦାର୍ଥ ଅଦରକାରୀ ଓ ଅଯୋଗ୍ୟ ସେ ଆଗାମୀ ଦିନରେ ଭଲ କାମରେ ଲାଗି ପାରେ ।

୧୮
ଅକାଳ ଯୋଗୀ ସକାଳେ ବା ଅକାଳ ବାବାଜୀ ସକାଳେ ଦେଖା ।
ଅର୍ଥ - ଯେଉଁ ବ୍ୟକ୍ତି ପହଞ୍ଚିବା ଆଶା କରାଯାଇ ନ ଥାଏ, ସେ ବ୍ୟକ୍ତି ହଠାତ୍ ଅସମୟରେ ଆସି ପହଞ୍ଚିବା ।

୧୯
ଅକାଳେ ଗଲି ଘଷି ସାଉଁଟି ।
ଘରେ ଥିଲେ ସୁଖ ପାଉ ଥାଆନ୍ତି ।
ଅର୍ଥ - ଠିକ୍ ସମୟରେ ଠିକ୍ କାମ ନ କରି ଦୁଃଖ ପାଇବା ।

୨୦
ଅକାଳେ ସକାଳେ କଲି ବେଉସା
ମୁଣ୍ଡରେ ବାଜିଲା କୁରାଢ଼ି ପଶା ।
ଅର୍ଥ - କୌଣସି କାମରେ ଅନଭ୍ୟସ୍ତ ବ୍ୟକ୍ତି ସେହି ନୂଆ କାର୍ଯ୍ୟଟି କରି ହଟହଟା ହେବା । 

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ଛାପିଥିଲେ ।

Tuesday, May 28, 2019

ଗୁପ୍ତବଂଶ


କେଦାରନାଥ ମହାପାତ୍ର


ଦ୍ୱିତୀୟ ଚନ୍ଦ୍ରଗୁପ୍ତ ଜାରି କରିଥିବା ମୁଦ୍ରା ଯେଉଁଥିରେ ସେ ନିଜେ ଚିତ୍ରିତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କୁଶାଣ ବଂଶର ରାଜତ୍ୱ ପରେ ପ୍ରାୟ ୨୦୦ ବର୍ଷ କାଳ ଭାରତବର୍ଷ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇଥିଲା । ଶକ, ପଲ୍ଲବ ପ୍ରଭୃତି ବୈଦେଶିକମାନେ ଭାରତର ଉତ୍ତର ପଶ୍ଚିମାଞ୍ଚଳରେ ରାଜତ୍ୱ କରୁଥିଲେ । ସେତେବେଳେ ଭାରତରେ କୌଣସି ଶକ୍ତିଶାଳୀ ରାଜବଂଶ ରାଜତ୍ୱ କରୁ ନ ଥିଲେ । କିନ୍ତୁ ଚତୁର୍ଥ ଶତାବ୍ଦୀର ପ୍ରଥମ ଭାଗରେ ଗୁପ୍ତବଂଶ ବିଶେଷ କ୍ଷମତାଶାଳୀ ହୋଇଥିଲା ।

ପ୍ରଥମ ଚନ୍ଦ୍ରଗୁପ୍ତ

ପ୍ରଥମ ଚନ୍ଦ୍ରଗୁପ୍ତ ଏହି ବଂଶର ପ୍ରତିଷ୍ଠାତା । ସେ ୩୨୦ ଖ୍ରୀଷ୍ଟାବ୍ଦରୁ ୩୩୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ପାଟଳୀପୁତ୍ର ତାଙ୍କର ରାଜଧାନୀ ଥିଲା । ସେ ମିଥିଳାର ଲିଚ୍ଛାବିମାନଙ୍କୁ ପରାସ୍ତ କରି ଉକ୍ତ ବଂଶୀୟ କୁମାରଦେବୀଙ୍କୁ ବିବାହ କରିଥିଲେ । ସେ ଗାଙ୍ଗେୟ ଉପତ୍ୟକାର ସମସ୍ତ ରାଜାମାନଙ୍କୁ ଜୟ କରିଥିଲେ ଓ ‘ମହାରାଜାଧିରାଜ’ ଉପାଧି ଧାରଣ କରିଥିଲେ । ସେ ୩୨୦ ଖ୍ରୀଷ୍ଟାବ୍ଦରୁ ଗୋଟିଏ ଅବ୍ଦ ଚଳାଇଥିଲେ । ତାହାର ନାମ ଗୁପ୍ତାବ୍ଦ ।

ସମୁଦ୍ରଗୁପ୍ତ (ଖ୍ରୀ:୩୩୦-ଖ୍ରୀ:୩୭୫)

ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ସମୁଦ୍ରଗୁପ୍ତ ରାଜା ହୋଇଥିଲେ । ସେ ବିଖ୍ୟାତ ଯୋଦ୍ଧା ଓ ଦିଗ୍‌ବିଜୟୀ ସମ୍ରାଟ ଥିଲେ । ସେ ଗାଙ୍ଗେୟ ଉପତ୍ୟକାର ସମସ୍ତ ରାଜବଂଶଙ୍କୁ ନିର୍ମୂଳ କରି ଦାକ୍ଷିଣାତ୍ୟ ଜୟ କରିବାକୁ ବାହାରିଲେ । ରାଜଧାନୀରୁ ବାହାରି ଭାରତର ପୂର୍ବ ଉପକୂଳରେ ଥିବା କୋଶଳ, ଉତ୍କଳ, କଳିଙ୍ଗ ପ୍ରଭୃତି ରାଜ୍ୟ ଜୟ କରି କାଞ୍ଚିରେ ପହଞ୍ଚିଲେ ଓ କାଞ୍ଚିରାଜାଙ୍କୁ ପରାସ୍ତ କରି ନାସିକ ବାଟେ ନିଜର ରାଜଧାନୀକୁ ଫେରି ଆସିଲେ । ସେ ପୂର୍ବରେ ବଙ୍ଗଦେଶ, ଆସାମ ଓ ନେପାଳ ଏବଂ ପଶ୍ଚିମରେ ପଞ୍ଜାବ ଅଞ୍ଚଳର ଶକ ଓ କୁଶାଣମାନଙ୍କୁ ମଧ୍ୟ ଜୟ କରିଥିଲେ । ଏହି ପ୍ରକାରେ ସେ ସମଗ୍ର ଭାରତ ଜୟ କରିଥିଲେ । ତେଣୁ ସେ ‘ଭାରତର ନେପୋଲିୟନ’ ବୋଲି ଅଭିହିତ ହୁଅନ୍ତି । ସେ ତିବ୍ଦତ ରାଜ୍ୟମାନ ଅଧିକାର କରି ନ ଥିଲେ, କେବଳ ସେମାନଙ୍କଠାରୁ କର ଆଦାୟ କରୁଥିଲେ । ତାଙ୍କର ସାମ୍ରାଜ୍ୟ ହିମାଳୟଠାରୁ ନର୍ମଦା ପର୍ଯ୍ୟନ୍ତ ଓ ବ୍ରହ୍ମପୁତ୍ରଠାରୁ ସିନ୍ଧୁ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସମସ୍ତ ଦେଶ ଜୟ କରି ସେ ଗୋଟିଏ ଅଶ୍ୱମେଧ ଯଜ୍ଞ କରିଥିଲେ । ସେ ବ୍ରାହ୍ମଣ୍ୟ ଧର୍ମର ବିଶେଷ ଉନ୍ନତି କରିଥିଲେ । ସେ କବି, ସଙ୍ଗୀତଜ୍ଞ ମଧ୍ୟ ଥିଲେ । ତାଙ୍କର ଗୋଟିଏ ମୁଦ୍ରାରେ ସେ ବୀଣା ବଜାଉଥିବାର ଦେଖାଯାଏ । ତାଙ୍କ ରାଜତ୍ୱର ସମସ୍ତ ଘଟଣା ଆହ୍ଲାବାଦରେ ଥିବା ଗୋଟିଏ ଅଶୋକ ସ୍ତମ୍ଭରେ ଲେଖା ହୋଇଛି ।

ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟ 

ସମୁଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ଦ୍ୱିତୀୟ ଚନ୍ଦ୍ରଗୁପ୍ତ ରାଜତ୍ୱ କରିଥିଲେ । ସେ ମାଳବ ଓ ସୌରାଷ୍ଟ୍ର (କାଥିଆବାଡ଼) ପ୍ରଦେଶ ଜୟ କରିଥିଲେ । ଭାରତରୁ ସମୁଦ୍ରଗୁପ୍ତ ଶକମାନଙ୍କୁ ନିର୍ମୂଳ କରି ସେ ‘ଶକାରି’ ଉପାଧି ଧାରଣ କରିଥିଲେ । ଶକମାନଙ୍କ ହସ୍ତରୁ ଭାରତକୁ ମୁକ୍ତ କରିଥିବାରୁ, ହିନ୍ଦୁମାନେ ତାଙ୍କୁ ବିଶେଷ ଭକ୍ତି ଓ ଆଦର କରୁଥିଲେ । ସେ ନିଜ କ୍ଷମତାର ଚିହ୍ନ ସ୍ୱରୂପ ‘ବିକ୍ରମାଦିତ୍ୟ’ ଉପାଧି ଧାରଣ କରିଥିଲେ । ତାଙ୍କ ସମ୍ୱନ୍ଧରେ ଅନେକ କିମ୍ୱଦନ୍ତୀ ଅଦ୍ୟାପି ପ୍ରଚଳିତ ଅଛି । ସେଥିରୁ ଜଣା ଯାଏ ଯେ, କାଳିଦାସ, ଘଟକର୍ପର, ଅମର ସିଂହ ପ୍ରଭୃତି ନଅ ଜଣ ପ୍ରସିଦ୍ଧ ପଣ୍ଡିତ ତାଙ୍କ ସଭାରେ ଥିଲେ । ସେମାନେ ‘ନବରତ୍ନ’ ନାମରେ ପରିଚିତ । ମହାକବି କାଳିଦାସ ପୃଥିବୀର ଜଣେ ଶ୍ରେଷ୍ଠ କବି । ପାଟଳୀପୁତ୍ର ଓ ଉଜ୍ଜୟିନୀ ତାଙ୍କ ସାମ୍ରାଜ୍ୟର ଦୁଇଟି ପ୍ରଧାନ ନଗରୀ ଥିଲା । ସେ ବ୍ରାହ୍ମଣ ଧର୍ମର ଉନ୍ନତି କରିଥିଲେ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Sunday, May 26, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'ଅଧ୍ୟୟନର ଲକ୍ଷ୍ୟ'

ଅନୁବାଦକ - ଚିତ୍ତରଞ୍ଜନ ଦାସ


ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କର ନିଶାନ୍ (ୱିକିମିଡିଆ କମନ୍ସ୍)

ମୁଁ ତୁମ୍ଭମାନଙ୍କୁ ଏତିକି କହିବାକୁ ଚାହୁଁଅଛି ଯେ, ତୁମ୍ଭମାନଙ୍କୁ ଯେଉଁ ପୁସ୍ତକଗୁଡ଼ିକ ପୁରସ୍କାର ରୂପେ ଦିଆ ଯାଉଛି, ସେଗୁଡ଼ିକୁ ଭଲ ରୂପେ ପଢ଼ିବ ଉତ୍ତମ ରୂପେ ବିଚାର କରିବ ଏବଂ ସେଗୁଡିକରେ ପ୍ରଦତ୍ତ ସତ୍ୟର ମର୍ମକୁ ସର୍ବଦା ଧ୍ୟାନରେ ରଖି ଧର୍ମ ମାର୍ଗରେ ଚଳିବ । ତୁମ୍ଭେମାନେ ଝିଅ ହୋଇ ଥାଅ ବା ପୁଅ ହୋଇ ଥାଅବଡ଼ ହେଲେ ସାଂସାରିକ କର୍ତ୍ତବ୍ୟର ସମସ୍ତ ବୋଝ ତୁମ୍ଭମାନଙ୍କର ମୁଣ୍ତରେ ପଡ଼ିବ । ଏଥି ପାଇଁ ତୁମ୍ଭେମାନେ ଭବିଷ୍ୟତ ସମ୍ୱନ୍ଧରେ ଚିନ୍ତା କର । ସତ୍ୟର ମର୍ମ କେବଳ ନିଜର ଧର୍ମ-ପୁସ୍ତକଉପରନ୍ତୁ ଅନ୍ୟ ସମସ୍ତ ଧର୍ମ ସମ୍ବନ୍ଧୀୟ ପୁସ୍ତକରେ ମଧ୍ୟ ମିଳିବ ।

ତୁମ୍ଭେମାନେ ଯେଉଁ ଜ୍ଞାନ ପାଇଛ ତାହାକୁ ବିଚାର ପୂର୍ବକ ହୃଦୟଙ୍ଗମ କରିବା ତୁମ୍ଭମାନଙ୍କର ପରମ କର୍ତ୍ତବ୍ୟ ଅଟେ । ଧର୍ମ ଓ ନୀତି ସମ୍ୱନ୍ଧୀୟ ଶିକ୍ଷାରୁ ଯେତେ ତୁମ୍ଭମାନଙ୍କର କାର୍ଯ୍ୟରେ ଆସି ପାରିବ, ସେତିକି ଗ୍ରହଣ କର । ଯାହା ବ୍ୟର୍ଥ ନ ଯିବ ଓ ବୋଝ ନ ହେବ, କେବଳ ସେତିକି ଜ୍ଞାନ ଆବଶ୍ୟକ । ତୁମ୍ଭମାନଙ୍କର ପ୍ରାପ୍ତ ଜ୍ଞାନକୁ ତୁମ୍ଭେମାନେ ଯେତେ ଦୂର ଉତ୍ତମ ରୂପେ ହୃଦୟଙ୍ଗମ କରିଥିବ କେବଳ ସେତିକି ପର୍ଯ୍ୟନ୍ତ ତୁମ୍ଭେମାନେ ଲାଭବାନ ହେବ । ଏହି ସଂସ୍ଥାର ଉଦ୍ଦେଶ୍ୟ ଏହା ହିଁ ହେବା ଉଚିତ । ତୁମ୍ଭେମାନେ ଯେ କୌଣସି ବହି ପଢ଼, ସେଥିରେ ସତ୍ୟ କେତେ ଅଛି, ତାହା ଚିନ୍ତା କର । ଯଦି ତୁମ୍ଭେମାନେ ସତ୍ୟ ଉପରେ ନିର୍ଭର କରିଥିବସଫଳ ହେବ । ମୋର ନିଜ ଅନୁଭବରୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନଙ୍କୁ ଯେଉଁ ଜ୍ଞାନ ମିଳୁଅଛି ତାହାକୁ ସଞ୍ଚୟ କରି ରଖ । ତଦ୍ୱାରା ତୁମ୍ଭମାନଙ୍କୁ ଓ ଦେଶକୁ ଲାଭ ମିଳିବ ।

ବମ୍ୱେରେ ଛାତ୍ରମାନଙ୍କୁ ପୁରସ୍କାର ବିତରଣ ସମୟରେ ପ୍ରଦତ୍ତ ଭାଷଣର ଅଂଶ । 

କାଠିଆୱାର୍ଡ଼ ଟାଇମ୍‌ସ୍ତା୧୭--୧୯୧୫ରିଖ 

Friday, May 24, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ବାଳ ମନ୍ଦିରରେ ଶାନ୍ତି ଖେଳ ଓ କଣ୍ଢେଇ ଖେଳ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ୟୁକ୍ରେନ୍‌ର ଆନ୍ତର୍ଜାତୀୟ କଣ୍ଢେଇ ସାଲୋନ୍‌ରେ ସ୍ଥିତ 'ଟେଡ଼ି ବେଏର୍ ହଲ୍'
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ଶାନ୍ତି ଖେଳ: ବାଲମନ୍ଦିରର ଆରମ୍ଭରୁ ହିଁ ଗିଜୁଭାଇ ଏହି ଖେଳ ଚଳାଇଥିଲେ । ଦକ୍ଷିଣାମୂର୍ତ୍ତିର ସବୁ ଅନୁଷ୍ଠାନରେ ଏହାର ପ୍ରସାର ହୋଇଥିଲା। ଏହି ଖେଳରେ ଧର୍ମର କୌଣସି ସ୍ଥାନ ନ ଥିଲା । ତାଙ୍କର ମୂଳ ପ୍ରଚେଷ୍ଟା ଥିଲା ଯେ, ମନ ସ୍ଥିର ଓ ବାତାବରଣ ଶାନ୍ତ ରହିବ, ଛାତ୍ର ଓ ଶିକ୍ଷକଙ୍କର କାର୍ଯ୍ୟକଳାପରେ ଶାନ୍ତି ଓ ଶୃଙ୍ଖଳା ଆସିବ। ସାଧାରଣ ଶଦ୍ଦ ପ୍ରତି ଧ୍ୟାନ ଦେବା କାମରୁ ଶ୍ରବଣେନ୍ଦ୍ରିୟର ତାଲିମ ପାଇଁ ଏହି ଖେଳ ବହୁତ ସହାୟକ ହେଉଥିଲା ।

କଣ୍ଢେଇ ଖେଳ: ମଣ୍ଟେସୋରୀ ମନେ କରନ୍ତି ଯେ, ପିଲାର ବିକାଶ ପାଇଁ କଣ୍ଢେଇ ଖେଳ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏଥିରେ ପିଲା ତାହାର ଭିତରର ପ୍ରବୃତ୍ତିର ପ୍ରକାଶ କରିପାରେ । ପିଲାର ସ୍ୱାଭାବିକ କାର୍ଯ୍ୟକଳାପକୁ ଲକ୍ଷ୍ୟ କରିବା ପାଇଁ କଣ୍ଢେଇ ଖେଳ ଏକ ଭଲ ମାଧ୍ୟମ । କିନ୍ତୁ ଗିଜୁଭାଇ ଚିନ୍ତା କଲେ ଯେ, କୃତ୍ରିମ କଣ୍ଢେଇ ଖେଳ ବଦଳରେ ପିଲା ବାସ୍ତବିକ ଜୀବନରେ ସେସବୁ କାମ କଲେ ତାର ବିକାଶ ଆହୁରି ଭଲ ହୋଇ ପାରିବ। ତେଣୁ ବାଲମନ୍ଦିରରେ କଣ୍ଢେଇ ଘର ନ ଥିଲା ବା ଶିକ୍ଷା କାର୍ଯ୍ୟକ୍ରମରେ ସେ କଣ୍ଢେଇ ବ୍ୟବହାର କରୁ ନ ଥିଲେ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Wednesday, May 22, 2019

ପିଲାଙ୍କ ଢଗଢମାଳି - ୩

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

୧୧
ଅକଳେ ବୈରାଗୀ ପଥର ବୁହେ ।
ଅର୍ଥ - ଅସୁବିଧାରେ ପଡ଼ି ନ କଲା କାମଟି କରିବା ।

୧୨
ଅକଲ ଗୁଡ଼ୁମ ହେବା
ଅର୍ଥ - ବୁଦ୍ଧି ବଣା ହେବା ।

୧୩
ଅକଲ ସଲାମି ।
ଅର୍ଥ - ଅଯଥାଟାରେ ସଲାମି ଦେବା । ବିନା କାରଣରେ ତଣ୍ଡରେ ପଡ଼ିବା ।

୧୪
ଅକାଳ କାଣ୍ଡ କପାଳେ ବାଜିବା ।
ଅଚାନକ ଦୈବ ବିପତ୍ତି ପଡ଼ିବା ।

୧୫
ଅକାଳ କୁଷ୍ମାଣ୍ଡ ।
ଅଦିନିଆ ପାଣିକଖାରୁ । ଅର୍ଥାତ୍ ଅପଦାର୍ଥ ବା କୁଳାଙ୍ଗାର ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ପ୍ରକାଶିତ କରିଥିଲେ ।

Thursday, May 02, 2019

କୁଶାଣ ବଂଶ ଓ କନିଷ୍କ


କେଦାରନାଥ ମହାପାତ୍ର


କନିଷ୍କଙ୍କର କବନ୍ଧ ପ୍ରତିମୂର୍ତ୍ତି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍



କୁଶାଣବଂଶ 

ଶକମାନଙ୍କ ପରି କୁଶାଣମାନେ ମଧ୍ୟ ଏସିଆରୁ ଉତ୍ତରପଶ୍ଚିମ ଗିରିସଙ୍କଟ ବାଟରେ ଭାରତକୁ ଆସିଥିଲେ । କୁଶାଣ ବଂଶର ରାଜା ପ୍ରଥମ କଡଫସ ବା କାଡଫିସେସ ଗାନ୍ଧାର ରାଜ୍ୟ ଜୟ କରି ସିନ୍ଧୁ ନଦୀ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିଥିଲେ । ତାଙ୍କ ପରେ ତାଙ୍କର ପୁତ୍ର ଭୀମ କଡଫସ୍ ବା ଦ୍ୱିତୀୟ କଡଫସ୍ ପ୍ରାୟ ବାରାଣସୀ ପର୍ଯ୍ୟନ୍ତ ଜୟ କରିଥିଲେ । ତାଙ୍କ ପରେ ଏହି ବଂଶର ଶ୍ରେଷ୍ଠ ରାଜା କନିଷ୍କ ରାଜତ୍ୱ କରିଥିଲେ ।

କନିଷ୍କ 

ସେ ୭୮ ଖ୍ରୀଷ୍ଟାଦ୍ଦରେ ସିଂହାସନ ଆରୋହଣ କରି ଥିବାର କେତେକ ପଣ୍ଡିତ ସ୍ଥିର କରିଛନ୍ତି [ଏବେ ପଣ୍ଡିତମାନେ ଏହା ୧୨୭ ଖ୍ରୀଷ୍ଟାବ୍ଦ ବୋଲି ହିସାବ କରୁଛନ୍ତି] । ସେ ଚୀନ ସମ୍ରାଟଙ୍କୁ ଓ ପାଟଳୀପୁତ୍ରର ରାଜାଙ୍କ ପରାସ୍ତ କରିଥିଲେ । ସମଗ୍ର ଉତ୍ତର ଭାରତ ତାଙ୍କ ସାମ୍ରାଜ୍ୟର ଅନ୍ତର୍ଭୂକ୍ତ ଥିଲା । ମଲା ବେଳକୁ ତାଙ୍କର ସାମ୍ରାଜ୍ୟ ଚୀନ ଦେଶର ସୀମାନ୍ତରୁ ନର୍ମଦା ନଦୀ ଓ ପୂର୍ବରେ ବଙ୍ଗ ଦେଶ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ପୁରୁଷପୁର ବା [ପାକିସ୍ତାନରେ ସ୍ଥିତ] ଆଧୁନିକ ପେଶାବାର ତାଙ୍କର ରାଜଧାନୀ ଥିଲା । 

ସେ ପ୍ରଥମେ ଶୈବ ଥିଲେ କିନ୍ତୁ ପରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଓ ଅଶୋକଙ୍କ ପରି ବୌଦ୍ଧ ଧର୍ମର ଉନ୍ନତି ପାଇଁ ମନପ୍ରାଣ ଢାଳି ଦେଇଥିଲେ । ପୁରୁଷପୁରରେ ଅପୂର୍ବ କାରୁକାର୍ଯ୍ୟଶୋଭିତ ଗୋଟିଏ ବିଶାଳ ଚୈତ୍ୟ ନିର୍ମାଣ କରିଥିଲେ ଓ ଗୋଟିଏ ବୌଦ୍ଧ ସଭା ବସାଇଲେ । ତାଙ୍କ ସମୟରେ ବୌଦ୍ଧମାନେ ହୀନଯାନ ଓ ମହାଯାନ ଦୁଇ ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ । ତାଙ୍କର ଧର୍ମଗୁରୁ ନାଗାର୍ଜୁନ, ମହାଯାନ ପନ୍ଥାର ପ୍ରବର୍ତ୍ତକ ଥିଲେ ।

କନିଷ୍କଙ୍କ ପୂର୍ବରୁ ଥିବା ବୌଦ୍ଧମାନେ ହୀନଯାନ ପନ୍ଥା ଅନୁସରଣ କରୁଥିଲେ । ହୀନଯାନୀମାନେ ବୁଦ୍ଧଙ୍କ ମୂର୍ତ୍ତି ପୂଜା କରୁ ନ ଥିଲେ । କେବଳ ଚକ୍ର, ବୋଧିଦ୍ରୁମ ଇତ୍ୟାଦି ପୂଜା କରୁଥିଲେ । ମହାଯାନୀମାନେ ବୁଦ୍ଧଙ୍କ ମୂର୍ତ୍ତି ପୂଜା ଚଳାଇଲେ । କନିଷ୍କଙ୍କ ସାହାଯ୍ୟରେ ମହାଯାନ ବୌଦ୍ଧଧର୍ମ କାଶ୍ମୀର, ମଧ୍ୟ-ଏସିଆ, ଚୀନ, ତିବ୍ଦତ ପ୍ରଭୃତିରେ ବ୍ୟାପି ଯାଇଥିଲା । ବୌଦ୍ଧଧର୍ମର ପ୍ରସାର ପାଇଁ ସେ ଅନେକ ସ୍ତୂପ, ମଠ ଓ ଚୈତ୍ୟ ନିର୍ମାଣ କରିଥିଲେ । ସେ ବିଦ୍ୟାର ଆଦର କରୁଥିଲେ । ନାଗାର୍ଜୁନ, ପ୍ରସିଦ୍ଧ କବିରାଜ ଚରକ, କବିବର ଅଶ୍ୱଘୋଷ ଓ ପଣ୍ଡିତ ବସୁମିତ୍ର ତାଙ୍କ ସଭାରେ ଥିଲେ । ଚରକଙ୍କ ଦ୍ୱାରା ରଚିତ ‘ଚରକ ସଂହିତା’ ଗୋଟିଏ ଉତ୍କୃଷ୍ଟ ଆୟୁର୍ବେଦ ଗ୍ରନ୍ଥ । କନିଷ୍କ ମୃତ୍ୟୁ ପରେ ହବିଷ୍କ ଓ ବାସୁଦେବ ନାମକ ଏହି ବଂଶର ଦୁଇ ଜଣ ରାଜା ରାଜତ୍ୱ କରିଥିଲେ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।