Thursday, May 02, 2019

କୁଶାଣ ବଂଶ ଓ କନିଷ୍କ


କେଦାରନାଥ ମହାପାତ୍ର


କନିଷ୍କଙ୍କର କବନ୍ଧ ପ୍ରତିମୂର୍ତ୍ତି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍



କୁଶାଣବଂଶ 

ଶକମାନଙ୍କ ପରି କୁଶାଣମାନେ ମଧ୍ୟ ଏସିଆରୁ ଉତ୍ତରପଶ୍ଚିମ ଗିରିସଙ୍କଟ ବାଟରେ ଭାରତକୁ ଆସିଥିଲେ । କୁଶାଣ ବଂଶର ରାଜା ପ୍ରଥମ କଡଫସ ବା କାଡଫିସେସ ଗାନ୍ଧାର ରାଜ୍ୟ ଜୟ କରି ସିନ୍ଧୁ ନଦୀ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିଥିଲେ । ତାଙ୍କ ପରେ ତାଙ୍କର ପୁତ୍ର ଭୀମ କଡଫସ୍ ବା ଦ୍ୱିତୀୟ କଡଫସ୍ ପ୍ରାୟ ବାରାଣସୀ ପର୍ଯ୍ୟନ୍ତ ଜୟ କରିଥିଲେ । ତାଙ୍କ ପରେ ଏହି ବଂଶର ଶ୍ରେଷ୍ଠ ରାଜା କନିଷ୍କ ରାଜତ୍ୱ କରିଥିଲେ ।

କନିଷ୍କ 

ସେ ୭୮ ଖ୍ରୀଷ୍ଟାଦ୍ଦରେ ସିଂହାସନ ଆରୋହଣ କରି ଥିବାର କେତେକ ପଣ୍ଡିତ ସ୍ଥିର କରିଛନ୍ତି [ଏବେ ପଣ୍ଡିତମାନେ ଏହା ୧୨୭ ଖ୍ରୀଷ୍ଟାବ୍ଦ ବୋଲି ହିସାବ କରୁଛନ୍ତି] । ସେ ଚୀନ ସମ୍ରାଟଙ୍କୁ ଓ ପାଟଳୀପୁତ୍ରର ରାଜାଙ୍କ ପରାସ୍ତ କରିଥିଲେ । ସମଗ୍ର ଉତ୍ତର ଭାରତ ତାଙ୍କ ସାମ୍ରାଜ୍ୟର ଅନ୍ତର୍ଭୂକ୍ତ ଥିଲା । ମଲା ବେଳକୁ ତାଙ୍କର ସାମ୍ରାଜ୍ୟ ଚୀନ ଦେଶର ସୀମାନ୍ତରୁ ନର୍ମଦା ନଦୀ ଓ ପୂର୍ବରେ ବଙ୍ଗ ଦେଶ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ପୁରୁଷପୁର ବା [ପାକିସ୍ତାନରେ ସ୍ଥିତ] ଆଧୁନିକ ପେଶାବାର ତାଙ୍କର ରାଜଧାନୀ ଥିଲା । 

ସେ ପ୍ରଥମେ ଶୈବ ଥିଲେ କିନ୍ତୁ ପରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଓ ଅଶୋକଙ୍କ ପରି ବୌଦ୍ଧ ଧର୍ମର ଉନ୍ନତି ପାଇଁ ମନପ୍ରାଣ ଢାଳି ଦେଇଥିଲେ । ପୁରୁଷପୁରରେ ଅପୂର୍ବ କାରୁକାର୍ଯ୍ୟଶୋଭିତ ଗୋଟିଏ ବିଶାଳ ଚୈତ୍ୟ ନିର୍ମାଣ କରିଥିଲେ ଓ ଗୋଟିଏ ବୌଦ୍ଧ ସଭା ବସାଇଲେ । ତାଙ୍କ ସମୟରେ ବୌଦ୍ଧମାନେ ହୀନଯାନ ଓ ମହାଯାନ ଦୁଇ ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ । ତାଙ୍କର ଧର୍ମଗୁରୁ ନାଗାର୍ଜୁନ, ମହାଯାନ ପନ୍ଥାର ପ୍ରବର୍ତ୍ତକ ଥିଲେ ।

କନିଷ୍କଙ୍କ ପୂର୍ବରୁ ଥିବା ବୌଦ୍ଧମାନେ ହୀନଯାନ ପନ୍ଥା ଅନୁସରଣ କରୁଥିଲେ । ହୀନଯାନୀମାନେ ବୁଦ୍ଧଙ୍କ ମୂର୍ତ୍ତି ପୂଜା କରୁ ନ ଥିଲେ । କେବଳ ଚକ୍ର, ବୋଧିଦ୍ରୁମ ଇତ୍ୟାଦି ପୂଜା କରୁଥିଲେ । ମହାଯାନୀମାନେ ବୁଦ୍ଧଙ୍କ ମୂର୍ତ୍ତି ପୂଜା ଚଳାଇଲେ । କନିଷ୍କଙ୍କ ସାହାଯ୍ୟରେ ମହାଯାନ ବୌଦ୍ଧଧର୍ମ କାଶ୍ମୀର, ମଧ୍ୟ-ଏସିଆ, ଚୀନ, ତିବ୍ଦତ ପ୍ରଭୃତିରେ ବ୍ୟାପି ଯାଇଥିଲା । ବୌଦ୍ଧଧର୍ମର ପ୍ରସାର ପାଇଁ ସେ ଅନେକ ସ୍ତୂପ, ମଠ ଓ ଚୈତ୍ୟ ନିର୍ମାଣ କରିଥିଲେ । ସେ ବିଦ୍ୟାର ଆଦର କରୁଥିଲେ । ନାଗାର୍ଜୁନ, ପ୍ରସିଦ୍ଧ କବିରାଜ ଚରକ, କବିବର ଅଶ୍ୱଘୋଷ ଓ ପଣ୍ଡିତ ବସୁମିତ୍ର ତାଙ୍କ ସଭାରେ ଥିଲେ । ଚରକଙ୍କ ଦ୍ୱାରା ରଚିତ ‘ଚରକ ସଂହିତା’ ଗୋଟିଏ ଉତ୍କୃଷ୍ଟ ଆୟୁର୍ବେଦ ଗ୍ରନ୍ଥ । କନିଷ୍କ ମୃତ୍ୟୁ ପରେ ହବିଷ୍କ ଓ ବାସୁଦେବ ନାମକ ଏହି ବଂଶର ଦୁଇ ଜଣ ରାଜା ରାଜତ୍ୱ କରିଥିଲେ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

No comments:

Post a Comment