Saturday, March 30, 2019

ପିଲାଙ୍କ ଢଗଢମାଳି - ୧

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଚିତ୍ରକର - ଏଦୁଆର୍ଦ୍ ମାନେ (୧୮୩୨ - ୧୮୮୩)

୧ 

ଅଇଘରାକୁ ବାଇଗଣ ପକାଇବା ।
ଅର୍ଥ - ଅନିଶ୍ଚିତତା ଭିତରେ ଅବ୍ୟବସ୍ଥିତ ଭାବେ କିଛି କରି ଦେବା ।


ହାତରେ କାଉ ନ ହୁରୁଡ଼େଇବା ।
ଅର୍ଥ - ଅତିି ଲୋଭ ମନୋଭାବ ।


ଅଇଁଠା ପତରରୁ କୁଆକୁ ହୁରୁଡ଼ାନ୍ତି ନାହିଁ ।
ଅର୍ଥ - ଅଯଥା କାମ ନ କରିବା ।


ଅଇଲା ରାବଣ ହରିଲା ସୀତା,
ଏଥି ପାଇଁ କିଆଁ ପୋଥି ସାତୁଟା ।
ଅର୍ଥ - ଯେଉଁ କଥାର ସାର ଜଣା ଅଛି ତାହାକୁ ସବିଶେଷ ବର୍ଣ୍ଣନା କରି ଜଣେଇବାର ଆବଶ୍ୟକତା ନାହିଁ ।


ଅଇଲି ଗଲି,
ଯାହା ଦେଖିଥିଲି ତାହା କହିଲି । 
ଅର୍ଥ - ଯାହା ଦେଖିବା ତାହା କହିବା ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ପ୍ରକାଶିତ କରିଥିଲେ ।

Thursday, March 28, 2019

ଅଶୋକ ଓ ବୌଦ୍ଧଧର୍ମ

କେଦାରନାଥ ମହାପାତ୍ର


ଧଉଳି ଠାରେ ଅଶୋକଙ୍କର ଶିଳାଲେଖ (ୱିକିମିଡିଆ କମନ୍ସ୍)
୧୮୯୫ ମସିହାରେ ଉତ୍ତୋଳିତ ଚିତ୍ର

[ଅଶୋକ ବୌଦ୍ଧ] ଧର୍ମର ଉନ୍ନତି ଓ ପ୍ରସାର ପାଇଁ ଯେପରି ମନପ୍ରାଣ ଢାଳି ଦେଇ ଥିଲେ, ପୃଥିବୀର ଅନ୍ୟ କୌଣସି ରାଜା ଅନ୍ୟ କୌଣସି ଧର୍ମ ସକାଶେ ସେପରି କରି ନାହାନ୍ତି । ସେ ଭାରତର ବିଭିନ୍ନ ଦେଶରେ ଓ ସୁଦୂର ଗ୍ରୀକ୍ ରାଜ୍ୟମାନଙ୍କରେ ଏହି ଧର୍ମ ପ୍ରଚାର ପାଇଁ ଶତ ଶତ ପ୍ରଚାରକ ନିଯୁକ୍ତ କରିଥିଲେ । ବୌଦ୍ଧ ଶ୍ରମଣ ବା ଭିକ୍ଷୁ ଓ ଭିକ୍ଷୁଣୀମାନେ ରହିବା ପାଇଁ ଦେଶର ନାନା ସ୍ଥାନରେ ସ୍ତୂପ ଓ ଚୈତ୍ୟମାନ ନିର୍ମିତ ହୋଇ ଥିଲା । ସେ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ୱିନି ଗ୍ରାମରେ ଗୋଟିଏ ସ୍ମୃତିସ୍ତମ୍ଭ ନିର୍ମାଣ କରିଥିଲେ । ସେଠାକୁ ଯିବା ପାଇଁ ପାଟଳୀପୁତ୍ରଠାରୁ ଗୋଟିଏ ରାସ୍ତା ନିର୍ମିତ ହୋଇ, ତାହାର ଦୁଇ ପାଖରେ ସ୍ତମ୍ଭମାନ ପୋତା ହୋଇଥିଲା । 

ପାହାଡ, ଗୁମ୍ଫା ଓ ବଡ଼ ବଡ଼ ସ୍ତମ୍ଭମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଧର୍ମ ଉପଦେଶ ବା ଅନୁଶାସନମାନ ପାଲି ଭାଷାରେ ଲେଖା ହୋଇ ଥିଲା । ସେଗୁଡିକ ଅଦ୍ୟାପି ଭାରତର ନାନା ସ୍ଥାନରେ ଦେଖା ଯାଏ । ପୁରୀ ଜିଲ୍ଲାର ଧଉଳି ପାହାଡ [ଏବେ ଖୋର୍ଦ୍ଧା ଜିଲ୍ଲାରେ] ଓ ଗଞ୍ଜାମ ଜିଲ୍ଲାର ଯୌଗଡ଼ ପର୍ବତରେ ଅଶୋକଙ୍କ ଅନୁଶାସନମାନ ଆଜି ପର୍ଯ୍ୟନ୍ତ ରହିଛି । ସେ ରାସ୍ତାର ଦୁଇ ପାଖରେ ଛାୟା ଗଛ ଓ ଫଳ ଗଛ ଲଗାଇ ଥିଲେ; କୂଅ, ପୋଖରୀ ଖୋଳାଇ ଥିଲେ ଓ ପାନ୍ଥଶାଳାମାନ ନିର୍ମାଣ କରି ଥିଲେ । 

ସେ ମନୁଷ୍ୟ ଓ ପଶୁ ମାନଙ୍କ ଚିକିତ୍ସା ପାଇଁ ଚିକିତ୍ସାଳୟମାନ ନିର୍ମାଣ କରିଥିଲେ । ଲୋକମାନେ ବିନା ମୂଲ୍ୟରେ ଓ ସହଜରେ ଔଷଧ ପାଉ ଥିଲେ । ସେ ଯୁଗରେ ଅଶୋକ ପ୍ରଥମେ ପଶୁଚିକିତ୍ସା ଭାରତରେ ଚଳାଇ ଥିଲେ । ନିଜ ରାଜ୍ୟ ମଧ୍ୟରେ ଜୀବବଧ ନିଷେଧ କରିଥିଲେ ସମାଜ ବା ଉତ୍ସବ ଇତ୍ୟାଦି କରିବାକୁ ମନା କରି ଥିଲେ । 

ସେ ବୌଦ୍ଧଭିକ୍ଷୁମାନଙ୍କୁ ଦାନ ଦେଉ ଥିଲେ । ଅନେକଗୁଡ଼ିଏ ବୌଦ୍ଧଗ୍ରନ୍ଥ ଲେଖାଇଥିଲେ । ତାଙ୍କରି ଯତ୍ନରେ ପାଟଳୀପୁତ୍ର ନଗରୀରେ ଗୋଟିଏ ବୌଦ୍ଧ ସଭା ବସି ବୌଦ୍ଧ‌ଧର୍ମ ଓ ବୌଦ୍ଧଗ୍ରନ୍ଥ ସମ୍ୱନ୍ଧରେ ଅନେକ ଆଲୋଚନା ହୋଇ ଥିଲା । ତାଙ୍କର ପୁଅ ମହେନ୍ଦ୍ର ଓ କନ୍ୟା ସଙ୍ଘମିତ୍ରା ବୌଦ୍ଧ ଧର୍ମ ପ୍ରଚାର ପାଇଁ ଲଙ୍କା ଦ୍ୱୀପକୁ ଯାଇଥିଲେ । ଅଶୋକ ଶେଷକୁ ନିଜେ ବୌଦ୍ଧଭିକ୍ଷୁ ହୋଇ ବୌଦ୍ଧ ତୀର୍ଥମାନ ପରିଦର୍ଶନ କରିଥିଲେ । ସେ ନୈଷ୍ଠିକ ବୌଦ୍ଧ ଥିଲେ ମଧ୍ୟ, ଅନ୍ୟ ଧର୍ମ ପ୍ରତି ଆଦୌ ଅନାଦର ବା ଘୃଣା ପ୍ରକାଶ କରୁ ନ ଥିଲେ । ତାଙ୍କ ପୂର୍ବରୁ ଭାରତର ଅତି ଅଳ୍ପ ଲୋକ ବୌଦ୍ଧ ଥିଲେ, କିନ୍ତୁ ତାଙ୍କ ରାଜତ୍ୱରେ ଏହା ସମଗ୍ର ଭାରତରେ ଓ ସିରିଆ, ମାସିଡନ, ମିଶର ପ୍ରଭୃତି ଦୂର ଦେଶମାନଙ୍କରେ ମଧ୍ୟ ବ୍ୟାପି ଯାଇ ଥିଲା । ଏହି ଧର୍ମର ଅପୂର୍ବ ଉନ୍ନତି ଯୋଗୁଁ ସେ ‘ଦେବପ୍ରିୟ ପ୍ରିୟଦର୍ଶୀ’ ନାମରେ କଥିତ ହୋଇ ଥିଲେ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Monday, March 25, 2019

  ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'ଶିକ୍ଷା ଓ ସଦାଚାର'

ଅନୁବାଦକ - ଚିତ୍ତରଞ୍ଜନ ଦାସ


'ହିନ୍ଦ୍ ସ୍ୱରାଜ୍‌'ର  ୧୯୧୯ ମସିହାର ଇଂରାଜୀ ସଂସ୍କରଣ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ନୀତିମାନ୍ ପିତାମାତାଙ୍କର କର୍ତ୍ତବ୍ୟ ହେଉଛି ଯେ ସେମାନେ ନିଜର ସନ୍ତାନମାନଙ୍କୁ ଠିକ୍ ଢଙ୍ଗରେ ଲାଳନପାଳନ କରିବା । ଏଥି ପାଇଁ ପିତା ଓ ମାତା ଉଭୟଙ୍କର ପ୍ରକୃତ ଶିକ୍ଷାର ଆବଶ୍ୟକତା ଅଛି । ଯେଉଁଠି ପିତାମାତା ଏପରି ଶିକ୍ଷା ପାଇ ନାହାନ୍ତି, ଏବଂ ଯଦି ସେମାନେ ନିଜ ଭୁଲ ଉପଲବ୍ଧି କରୁଛନ୍ତି, ତେବେ ସେମାନେ ନିଜର ସନ୍ତାନମାନଙ୍କୁ ଅନ୍ୟ ସୁଶିକ୍ଷିତ ଓ ନୀତିପରାୟଣ ଲୋକମାନଙ୍କୁ ସମର୍ପଣ କରି ଦିଅନ୍ତୁ । 

ସଦାଚାର ଶିଖିବାର ଏକମାତ୍ର ବାଟ ହେଉଛି ଯେ, ବାଳକ ବାଳିକାମାନଙ୍କୁ ସେହି (ସଦାଚାରର) ବାତାବରଣରେ ରହିବାର ସୌଭାଗ୍ୟ ଯୋଗାଇବା । ଘରେ ଗୋଟିଏ ପ୍ରକାରରେ ଶିକ୍ଷା ଓ ବିଦ୍ୟାଳୟରେ ଆଉ ପ୍ରକାରେ ଶିକ୍ଷା, ଏଥିରେ ପିଲାମାନଙ୍କର କେବେହେଁ ସଂଶୋଧନ ହେବ ନାହିଁ । ଉପରଲିଖିତ ବିଚାର-ଭିତ୍ତିକ ଶିକ୍ଷା ଦେବାର ଖାସ ସମୟ ଅଛି । ଶିଶୁ ଭୂମିଷ୍ଠ ହେବା କ୍ଷଣଠାରୁ ତାହାର ଶିକ୍ଷା ଆରମ୍ଭ ହୋଇଯାଏ । ସେହି ମୂହୂର୍ତ୍ତରୁ ତା'କୁ ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ବା ଧାର୍ମିକ ଶିକ୍ଷା ମିଳେ । ସେ କଥା କହି ଶିଖିବାଠାରୁ ମଧ୍ୟ ତାକୁ ଶବ୍ଦ-ଜ୍ଞାନ ମିଳିଥାଏ । ସେ ପିତାମାତାଙ୍କଠାରୁ ଖେଳ-ଖେଳରେ ଅକ୍ଷରଜ୍ଞାନ ପାଇଥାଏ ।

ପୂର୍ବ କାଳରେ ଏହି ପ୍ରକାରେ ହେଉଥିଲା । ସ୍କୁଲରେ ପିଲାମାନଙ୍କୁ ପଢ଼ାଇବାର ରୀତି ଏବେ ଆରମ୍ଭ ହୋଇଛି । ନିଜର ସନ୍ତାନମାନଙ୍କ ପ୍ରତି ପିତାମାତା ଯଦି ନିଜର କର୍ତ୍ତବ୍ୟ ଠିକ୍ ରୂପେ ପାଳନ କରନ୍ତି, ତେବେ ସେମାନେ କେତେ ଉନ୍ନତି କରିପାରିବେ ତାହାର ଅନୁମାନ କରିବା ସମ୍ଭବ ନୁହେଁ । କିନ୍ତୁ ଯଦି ପିଲାଙ୍କୁ ଖେଳନା ପରି ରଖି ଅହେତୁକ ସ୍ନେହ କରନ୍ତି, ଆମେ ଅଯଥା ବାତ୍ସଲ୍ୟ-ସ୍ନେହରେ ବଶୀଭୂତ ହୋଇ ସେମାନଙ୍କୁ ମିଠାଇସୁନ୍ଦର ଲୁଗାପଟା ଯୋଗାଇ ବିଗାଡ଼ି ଦେଉଁ, ଆମେ ନିଜେ ଧନଲୋଭରେ ପଡ଼ି ପିଲାମାନଙ୍କ ମନରେ ମଧ୍ୟ ପଇସାର ଲାଳସା ଜନ୍ମାଉଁ, ବିଷୟଭୋଗରେ ଲିପ୍ତ ରହି ସେମାନଙ୍କ ଆଗରେ ସେହି ଉଦାହରଣ ସ୍ଥାପିତ କରୁ, ନିଜେ ଅଳସୁଆ ରହି ସେମାନଙ୍କୁ ଅଳସୁଆ କରୁ, ଅପରିଚ୍ଛନ୍ନ ରହି ସେମାନଙ୍କୁ ମଧ୍ୟ ଅପରିଚ୍ଛନ୍ନତା ଶିଖାଉଁ, ମିଥ୍ୟା କହି ସେମାନଙ୍କୁ ମିଥ୍ୟା ଶିଖାଉଁ ।

ତେବେ ଆମର ସନ୍ତାନ ଦୁର୍ବଳ, ଅନୀତିପରାୟଣମିଥ୍ୟାବାଦୀ, ବିଷୟୀ, ସ୍ୱାର୍ଥପର ଓ ଲୋଭୀ ହୋଇ ପଡନ୍ତି, ସେଥିରେ ଆଶ୍ଚର୍ଯ୍ୟର କଥା କଅଣ ଅଛି ? ଏସବୁ କଥାରେ ବିଚାରବାନ ପିତାମାନଙ୍କୁ ବହୁତ ଭାବିଚିନ୍ତି କାର୍ଯ୍ୟ କରିବାକୁ ହେବ । ଭାରତବର୍ଷ ଅର୍ଦ୍ଧେକ ଭବିଷ୍ୟତ ପିତାମାତାଙ୍କ ହାତରେ ଅଛି ।

ଗୁଜୁରାତୀ ଇଣ୍ତିଆନ୍ ଓପିନିୟନ୍, ତା୧୭//୧୯୧୩ରିଖ

Sunday, March 17, 2019

ଓଡ଼ିଶାର ଭୂଗୋଳ - ଭୂତାତ୍ତ୍ୱିକ ଇତିହାସ

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


କୋରାପୁଟ ଜିଲ୍ଲାର ଦେଓମାଳି ପର୍ବତ ଶିଖର (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)

ଭୂତାତ୍ତ୍ୱିକ ଇତିହାସ

ପୂର୍ବଘାଟ ପର୍ବତମାଳାର ଗ୍ରାନୁଲିଟକ ଶିଳା ତିଆରି ସହିତ ଏହି ଅଞ୍ଚଳର ଭୂତାତ୍ତ୍ୱିକ ଇତିହାସ ଆରମ୍ଭ ହେଲା । ବୋଧହୁଏ ଏହା ହିଁ ସବୁଠାରୁ ପୁରାତନ ଶିଳା, ଯାହା ଉପରେ ଲୌହ ଅୟସ୍କ ପୁଞ୍ଜର ଅବକ୍ଷେପ ସଞ୍ଚିତ ହୋଇ ରହିଛି ଯାହା ଧାରୱାଡ଼ ଏବଂ ବ୍ରାହ୍ମଣୀର ଉପତ୍ୟକାରେ ଦେଖାଯାଇଥାଏ । ମିଳୁଥିବା ତେଜସ୍କ୍ରିୟ ତଥ୍ୟରୁ ପୂର୍ବଘାଟ ଶିଳାଗୁଡ଼ିକର ଐତିହାସିକ ସ୍ଥିରତା ବିଚାର କଲେ, ବେଶ୍ ଜଟିଳତା ସୃଷ୍ଟି ହୋଇଥାଏ । ଏଠାରେ ଆଞ୍ଚଳିକ ରୂପାନ୍ତରଣର ବୟସ ଚାର୍ଣ୍ଣୋକାଇଟର ପୁନଃସ୍ଥାପନ ସହିତ ହେଲା ୨୬୦ କୋଟି ବର୍ଷରେ ୧୩୦,୧୫୨ ଏବଂ ୭୦ ରୁ ୪୫ କୋଟି ବର୍ଷ ମଧ୍ୟରେ ।

ଲୌହ ଅୟସ୍କ ପୁଞ୍ଜର ରୂପାନ୍ତ ଅବକ୍ଷେପ ଓ ରୂପାନ୍ତବେସିକ୍ ଶିଳା ବୋଧହୁଏ ପୂର୍ବଘାଟର ସ୍ଥିର ଭୂଖଣ୍ଡର ସୀମାନ୍ତରେ ଥିବା ଭୂଅଭିନତିରେ ସଞ୍ଚିତ ହୋଇଥିଲା । ଏଇ ଶିଳାର ରୂପାନ୍ତରଣ ଭାଞ୍ଜ ଓ ଗ୍ରାନିଟାଇଜ୍ରେସନ ସହିତ ସିଂହଭୂମି ଗ୍ରାନାଇଟ ଓ ସମକାଳର ଶିଳା ସୃଷ୍ଟିର କାରଣ । ଲୌହ ଅୟସ୍କ ପର୍ବତନ ସଙ୍ଗଠିତ ହୋଇଥିଲା ୨୭୦ କୋଟି ବର୍ଷ ତଳେ । ଲୌହ ଅୟସ୍କ ପର୍ବତନର ସମାପ୍ତି ପରେ ହିଁ ପୂର୍ବଘାଟ ଏବଂ ଲୌହ ଅୟସ୍କ ପୁଞ୍ଜର ଶିଳାଗୁଡ଼ିକରେ ସ୍ଥାୟିତ୍ୱ ଆସିଥିଲା ।

କୋଇରା ଶିମିଳିପାଳ ପୁଞ୍ଜର ଭୂତାତ୍ତ୍ୱିକ ଇତିହାସରେ ଏକ ବିଶିଷ୍ଟ ଘଟଣା । ଏହି ସମୟରେ ପୃଥିବୀର ଆଭ୍ୟନ୍ତରରେ ଏକ ବୃହତ ଧରଣର ଫାଟ ସୃଷ୍ଟି ହେଲା, ଯାହା ଉପର ମାଣ୍ଟଲ ପର୍ଯ୍ୟନ୍ତ ଆସି ଯାଇଥିଲା । ସେଥି ପାଇଁ ଗାଢ଼ ଆଗ୍ନେୟ ବିସ୍ଫୋରଣ ଏବଂ ମାଗ୍ନାୟନ ସଙ୍ଘଟିତ ହୋଇଥିଲା । ଭଙ୍ଗକ୍ରିୟା ଯୋଗୁ ଶିଳାଗୁଡ଼ିକର ବିରୁପଣ ଘଟି ପ୍ରଶସ୍ତ ଖୋଲା ଏବଂ କେନ୍ଦ୍ରୀଭୂତ ଭାଞ୍ଜ ସୃଷ୍ଟି ହୋଇଥିଲା ଏବଂ କେତେକ ସ୍ଥଳରେ ତାହା ଓଲଟି ମଧ୍ୟ ଯାଇଥିଲା । ଗାଙ୍ଗପୁର ସିଂହଭୂମି ଶିଳା ସିଂହଭୂମି ପର୍ବତନ କ୍ରିୟା ଦ୍ୱାରା ଆକ୍ରାନ୍ତ ହୋଇଥିଲା । ଯାହା ଘଟିଥିଲା ୮୫ କୋଟି ବର୍ଷ ତଳେ ।

ପୁରାଜୀଜୀ କଳ୍ପର ଶେଷ ପର୍ଯ୍ୟନ୍ତ ପୂର୍ବଘାଟ ବଳୟରେ ସ୍ଥିରାବସ୍ଥା ରହିଥିଲା । ତାହା ପରେ ନଦୀ ଉପତ୍ୟକା ଅଞ୍ଚଳରେ ପ୍ରସାରିତ ଭାବରେ ଅସାମୁଦ୍ରିକ ନିକ୍ଷେପରେ ଥିବା କୋଇଲା ଶଯ୍ୟାଗୁଡ଼ିକର ଏକତ୍ର ବିଚ୍ୟୁତିକରଣ ଘଟିଲା । ଏହି ବିଚ୍ୟୁତ ଦ୍ରୋଣାଗୁଡ଼ିକ ଯୋଗୁଁ ବିସ୍ତାରିତ ହିମସଞ୍ଚରଣ ହେଲା, ଯାହା ଅବକ୍ଷେପଣ ସହିତ ଶୁକ୍କ ପାଗରେ ପରିବର୍ତ୍ତିତ ହୋଇଥିଲା । ସାମୟିକ ବିଚ୍ୟୁତି ଏବଂ ଅବନମନ ଫଳରେ ବେସିକ ସିଲ୍ ଏବଂ ଡାଇକ୍‌ମାନ ସୃଷ୍ଟି ହୋଇଥିଲା ।

ଓଡ଼ିଶାର ଉତ୍ତର ପୂ୍ର୍ବ ସୀମାରେ ପ୍ରାକ୍ କାମ୍ୱ୍ରିୟାନ ଆବରଣକୁ ଆଦ୍ୟ ତୃତୀୟ କଳ୍ପରେ ସାଗର ଦୂରକୁ ହଟେଇ ଦେଇଥିଲା । ବାରିପଦା ଶଯ୍ୟାର ଉପସ୍ଥିତି ଏବଂ ବର୍ତ୍ତମାନର ଉପକୂଳ ଗଠନରେ ତ୍ରିକୋଣଭୂମିର ଅବକ୍ଷେପ ପୂରଣ ଏହାର ପ୍ରକୃଷ୍ଟ ଉଦାହରଣ । ଉଚ୍ଚ ସ୍ଥାନରେ ଲାଟେରାଇଟ ସହିତ ଉଭିଦ ପୃଷ୍ଠ ଏଠି ୧,୦୦୦ରୁ ୧,୫୦୦ ମିଟର ମଧ୍ୟରେ ମିଳେ, ଯାହା ହୁଏତ ଚତୁର୍ଥ କଳ୍ପରେ ଉବ୍ଧାନ ଦ୍ୱାରା ସୃଷ୍ଟି ହୋଇଛି ।

ବିଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତିହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Wednesday, March 13, 2019

କବିଗୁରୁ ରବୀନ୍ଦ୍ରନାଥଙ୍କ ଏକ ସଙ୍ଗୀତ

ଅନୁସୃଜନ - ଜ୍ୟୋତି ନନ୍ଦ 

 
ରବୀନ୍ଦ୍ରନାଥ ଠାକୁରଙ୍କର ମୋହର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଦେଖୁଛି ଆଗରେ ଏ ଶାନ୍ତିର ପାରାବାର
ବାହିନିଅ ତରଣୀଟି ଆହେ କର୍ଣ୍ଣଧାର ।

ତୁମେ ମୋର ଚିର ସାଥି,
ନେଇଯାଅ କୋଳ ପାତି
ଅସୀମର ପଥେ ଜ୍ୟୋତି 
ଜଳୁଅଛି ପରା ସେଇ ଧୃବ ତାରକାର ।

ମୁକ୍ତିଦାତା ହେ ଦୟା କ୍ଷମା ସାଥେ ତମର
ଚିରଯାତ୍ରାର ପଥ ସୁଖକର ମୋହର।
ଫିଟିଛି ଧରା ବନ୍ଧନ
ମୁକୁଳିତ ଆଲିଙ୍ଗନ
ବିରାଟ ବିଶ୍ଵ ନନ୍ଦନ
ଭୟ ନାହିଁ ଏବେମହା-ଅଜଣା ଅନ୍ତର ।

Monday, March 11, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ଇନ୍ଦ୍ରିୟ ଶିକ୍ଷା ଓ ଶିକ୍ଷକର ଗୁଣଧର୍ମ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ



ମଧ୍ୟଯୁଗୀୟ ୟୁରୋପ୍‌ର ଏକ ଶ୍ରେଣୀକକ୍ଷ (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)




ଇନ୍ଦ୍ରିୟ ଶିକ୍ଷା

ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ଦିଗରେ ଇନ୍ଦ୍ରିୟ ଶିକ୍ଷା ନିତାନ୍ତ ଆବଶ୍ୟକ ବୋଲି ଗିଜୁଭାଇ କହୁଥିଲେ । ଆମର ଇନ୍ଦ୍ରିୟଗୁଡ଼ିକ ଆମ ଜ୍ଞାନ ଆହରଣର ପ୍ରଥମ ଓ ପ୍ରଧାନ ମାଧ୍ୟମ ।

ମଣ୍ଟେସୋରୀଙ୍କ ମତରେ ଇନ୍ଦ୍ରିୟଗୁଡ଼ିକର ବିକାଶ ହେଲେ ହିଁ ବୁଦ୍ଧିର ଯଥାର୍ଥ ବିକାଶ ସମ୍ଭବ ହୋଇ ପାରିବ । ଗିଜୁଭାଇ ମଧ୍ୟ ଏହି ମତକୁ ଗ୍ରହଣ କରୁଥିଲେ । ତିନିରୁ ସାତ ବର୍ଷ ଯାଏଁ ଇନ୍ଦ୍ରିୟ ଶିକ୍ଷାର ପ୍ରକୃଷ୍ଟ ସମୟ । କାରଣ ଏହା ହେଉଛି ପିଲାଙ୍କର ଶରୀର ଗଠନର ସମୟ । ଯେତେବେଳେ ପ୍ରକୃତି ପିଲାକୁ ସ୍ୱାଗତ ଜଣାଇବ, "ମୋ ପାଖକୁ ଆସ, ମୋ ରଙ୍ଗ ଏମିତି, ମୋ ରୂପ ଏମିତି, ମୋର ଗନ୍ଧ ଏହି ପରି, ମୋର ଧ୍ୱନି ଏହି ପରି", ସେତେବେଳେ ଏହି ଆମନ୍ତ୍ରଣ ପାଇଥିବା ପିଲାଟିର ଇନ୍ଦ୍ରିୟ ଶିକ୍ଷା ପୂରା ହେଲା ବୋଲି ଜଣାଯିବ ।

ଶିକ୍ଷକର ଗୁଣଧର୍ମ

ଜଣେ ଶିକ୍ଷକର ଗୁଣଧର୍ମ ବିଷୟରେ ଗିଜୁଭାଇ କୁହନ୍ତି -

. ନିରୀକ୍ଷଣ କରିବା ଶିକ୍ଷକର ପ୍ରଥମ ଗୁଣ ହେବା ଦରକାର । ଶିକ୍ଷକ ଧୈର୍ଯ୍ୟବାନ ହେବେ । ପିଲାମାନଙ୍କର ଆବଶ୍ୟକତା ଅନୁଯାୟୀ ହିଁ ସେମାନଙ୍କୁ ସାହାଯ୍ୟ କରିବେ ।

. ବାକ୍‌ସଂଯମ - ଶିକ୍ଷକ ଯେତେ ସମ୍ଭବ କମ୍ କଥା କହିବେ । ନିହାତି ଦରକାର ହେଲେ ହିଁ ସେ ପିଲାଙ୍କୁ କିଛି କହିବେ ।

. ନମ୍ରତା - ଶିକ୍ଷକ ନମ୍ର ହେବେ । ପିଲାମାନଙ୍କ ସହିତ ଯେପରି କିଛି ଅନ୍ୟାୟ ନ ହୁଏ, ସେଥି ପ୍ରତି ସଜାଗ ରହିବେ ।

. ମନୋବୈଜ୍ଞାନିକ ଦୃଷ୍ଟିକୋଣ - ଶିକ୍ଷକ ଧୈର୍ଯ୍ୟର ସହିତ ପିଲାଙ୍କ କଥା ଶୁଣିବେ ଏବଂ ତାଙ୍କ ମନକୁ ବୁଝିବାକୁ ଚେଷ୍ଟା କରିବେ । ପିଲାଙ୍କର ଦୃଷ୍ଟିକୋଣ ସହିତ ନିଜକୁ ଦୃଷ୍ଟିକୋଣ ମିଶାଇ ପାରୁଥିବେ ।

. ବିଶ୍ୱାସ - ପିଲାମାନଙ୍କର ବ୍ୟକ୍ତିତ୍ୱ ପ୍ରତି ଶିକ୍ଷକଙ୍କ ମନରେ ଦୃଢ଼ ବିଶ୍ୱାସ ରହିଥିବା ଜରୁରି । ପିଲାଙ୍କ ପ୍ରତି ଶିକ୍ଷକମାନେ ସହାନୁଭୂତିଶୀଳ ହେବେ, ସେମାନଙ୍କୁ ଶ୍ରଦ୍ଧା କରୁଥିବେ ।

ଏହି ସବୁ ଗୁଣ ପ୍ରତ୍ୟେକ ଶିକ୍ଷକଙ୍କ ପାଖରେ ରହିଥିବା ଆବଶ୍ୟକ । ଗିଜୁଭାଇ ନିଜର ବିଚାରଧାରା ଅନୁଯାୟୀ ଜଣେ ସଫଳ ଶିକ୍ଷକର ଜୀବନ ବଞ୍ଚି ପାରିଥିଲେ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Saturday, March 09, 2019

ବିନ୍ଦୁସାର ଓ ଅଶୋକ

କେଦାରନାଥ ମହାପାତ୍ର


ଧଉଳି ଶାନ୍ତୁ ସ୍ତୁପ ଉପରୁ ଦୟା ନଦୀର ଦୃଶ୍ୟ (ୱିକିମିଡିଆ କମନ୍ସ୍)

ବିନ୍ଦୁସାର 

ଚନ୍ଦ୍ରଗୁପ୍ତଙ୍କ ପରେ ବିନ୍ଦୁସାର ମଗଧର ସମ୍ରାଟ ହେଲେ । ତାଙ୍କ ସଙ୍ଗରେ କଳିଙ୍ଗ ଓ କାବେରୀ ନଦୀର ଦକ୍ଷିଣରେ ଥିବା ରାଜ୍ୟମାନଙ୍କ ବ୍ୟତୀତ ସମସ୍ତ ଭାରତବର୍ଷ ତାଙ୍କ ଦ୍ୱାରା ଶାସିତ ହେଉଥିଲା । ବିନ୍ଦୁସାର ଦାକ୍ଷିଣାତ୍ୟ ବିଜୟ କରିଥିବାର ଅନେକ ମନେ କରନ୍ତି ।

ପ୍ରିୟଦର୍ଶୀ ଅଶୋକ

ବିନ୍ଦୁସାରଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ରମାନଙ୍କ ମଧ୍ୟରେ ସିଂହାସନ ପାଇଁ ବିବାଦ ଲାଗିଥିଲା । କିନ୍ତୁ ଶେଷରେ ଅଶୋକ ସମସ୍ତଙ୍କୁ ହରାଇ ପିତାଙ୍କ ମୃତ୍ୟୁର ଚାରି ବର୍ଷ ପରେ ଖ୍ରୀ: ପୂ: ୨୬୯ରେ ରାଜା ହେଲେ । ସେ ରାଜା ହେବାର ଆଠ ବର୍ଷ ପରେ କଳିଙ୍ଗ ବା ଓଡ଼ିଶା ପ୍ରଦେଶ ଜୟ କରିବାକୁ ବାହାରିଲେ । 

ସେତେବେଳେ କଳିଙ୍ଗ ଗୋଦାବରୀଠାରୁ ଗଙ୍ଗା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏଠାର ଲୋକମାନେ ବଳବାନ୍, ସାହସୀ ଓ ଧନୀ ଥିଲେ । ଭାରତ ମହାସାଗରେ ଥିବା ଦ୍ୱୀପପୁଞ୍ଜ ଓ ବ୍ରହ୍ମଦେଶ ସହିତ ସମୁଦ୍ର ବାଣିଜ୍ୟ କରି ଏମାନେ ବହୁ ଧନରତ୍ନ ଦେଶକୁ ଆଣୁଥିଲେ । କଳିଙ୍ଗ ରାଜାଙ୍କର ପ୍ରକାଣ୍ଡ ସେନା ଥିଲା । ଅଶୋକ ଏହି ଶକ୍ତିଶାଳୀ ରାଜ୍ୟକୁ ଜୟ କରିବାପାଇଁ ବହୁତ ସୈନ୍ୟ ଆଣିଥିଲେ । 

କଳିଙ୍ଗବାସୀମାନେ ତାଙ୍କ ସହିତ ଦୁଇ ବର୍ଷ କାଳ ଭୀଷଣ ଯୁଦ୍ଧ କଲେ । ଏହି ଯୁଦ୍ଧରେ କଳିଙ୍ଗର ଦେଢ଼ ଲକ୍ଷ ଲୋକ ବନ୍ଦୀ ଓ ଲକ୍ଷେ ଲୋକ ନିହତ ହେଲେ ଏବଂ ଅନାହାର ଓ ଯନ୍ତ୍ରଣାରେ ଅସଙ୍ଖ୍ୟ ଲୋକ ମରିଗଲେ । ଅଶୋକ ଯୁଦ୍ଧରେ ଜୟଲାଭ କଲେ ସତ, କିନ୍ତୁ କଳିଙ୍ଗର ପାର୍ବତ୍ୟ ଅଞ୍ଚଳ ମିଳିତ ହୋଇ ପାରିଲା ନାହିଁ । ଏହି ଯୁଦ୍ଧରୁ ସ୍ପଷ୍ଟ ଜଣାଯାଏ ଯେ, ସେକାଳର ଓଡ଼ିଆମାନେ ଖୁବ୍ ସାହସୀ ଓ ଯୋଦ୍ଧା ଥିଲେ । ମାତୃଭୂମିର ସ୍ୱାଧୀନତା ରକ୍ଷା କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ ।

ଏହି ଯୁଦ୍ଧର ବିକଟ ଦୃଶ୍ୟ ଦେଖି ଅଶୋକଙ୍କ ମନରେ ଭୀଷଣ ଦୁଃଖ ହେଲା । ଯୁଦ୍ଧରେ ଘଟିଥିବା ରକ୍ତପାତ ଓ ଦେଶଧ୍ୱଂସ ବିଷୟ ଚିନ୍ତା କରି, ସେ ବିଶେଷ ଅନୁତାପ ଭୋଗ କଲେ । ତାଙ୍କ ହୃଦୟ ଆକୁଳ ହେଲା ଓ ସେ ଶାନ୍ତି ପାଇଁ ସର୍ବଦା ବ୍ୟାକୁଳ ହେଲେ । ପରିଶେଷରେ ସେ ଉପଗୁପ୍ତ ନାମକ ବୌଦ୍ଧସନ୍ନ୍ୟାସୀଙ୍କ ଦ୍ୱାରା ବୌଦ୍ଧଧର୍ମରେ ଦୀକ୍ଷିତ ହେଲେ । 

ସେ ପ୍ରଥମେ ଜଣେ ଉପାସକ ବା ଗୃହୀ ବୌଦ୍ଧ ଥିଲେ । କିନ୍ତୁ ଏହି ଧର୍ମପ୍ରତି ସେ କ୍ରମେ କ୍ରମେ ଏପରି ଆକୃଷ୍ଟ ହେଲେ ଯେ ଶେଷରେ ଜଣେ ନୈଷ୍ଠିକ ବୌଦ୍ଧ ହେଲେ । ଏହି ଧର୍ମର ଉନ୍ନତି ଓ ପ୍ରସାର ପାଇଁ ସେ ନିଜର ସମସ୍ତ ଧନ ଓ ଶକ୍ତି ବ୍ୟୟ କରିଥିଲେ । 

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Thursday, March 07, 2019

  ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ସ୍ନାତକମାନଙ୍କ ପ୍ରତି ବାର୍ତ୍ତା


ମହିଳା ବିଦ୍ୟାଳୟରେ ଗାନ୍ଧୀ ଓ ଟାଗୋର୍ (୧୯୨୦ ମସିହାରେ ଉତ୍ତୋଳିତ ଆଲୋକଚିତ୍ର)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଆପଣଙ୍କ ସ୍କୁଲ କଲେଜକୁ ଯଦି ଗଭର୍ଣ୍ଣମେଣ୍ଟ ସ୍କୁଲ କଲେଜ ସହିତ ତୁଳନା କରନ୍ତି, ତେବେ ଆପଣମାନଙ୍କର ନୈରାଶ୍ୟ ସୁନିଶ୍ଚିତ । ଏ ଦୁଇଟି ଦୁଇ ବିଭିନ୍ନ ପ୍ରକାରର । ସରକାରୀ ଅନୁଷ୍ଠାନଗୁଡ଼ିକ ଲୋକଙ୍କ ଅର୍ଥରେ ଚଳୁଛନ୍ତି । ତେଣୁ ସେଥିରେ ପ୍ରାସାଦ ଭଳି ସୌଧ ରହିଛି ଓ ଅଧିକ, ବେତନପ୍ରାପ୍ତ ବିଦ୍ୱାନ୍ ଅଧ୍ୟାପକ ଓ ଶିକ୍ଷକ ଅଛନ୍ତି । ଆପଣଙ୍କର ସେହି ପ୍ରକାରର ପ୍ରାସାଦ ଓ ଶିକ୍ଷକ-ମଣ୍ତଳୀ ହୋଇପାରିବେ ନାହିଁ । 

ମୁଖ୍ୟତଃ କିରାଣୀ ତିଆରି କରିବା ଏବଂ ବିଦେଶୀ ଶାସକଙ୍କ ପାଇଁ ଅନ୍ୟାନ୍ୟ ସାହାଯ୍ୟକାରୀ ତିଆରି କରିବା ସରକାରୀ ଅନୁଷ୍ଠାନଗୁଡ଼ିକର ଲକ୍ଷ୍ୟ । ଜାତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ଲକ୍ଷ୍ୟ ସମ୍ପୂର୍ଣ୍ଣ ବିପରୀତ । କିରାଣୀ ଏବଂ ସେହି ପ୍ରକାରର ଲୋକ ପ୍ରସ୍ତୁତ କରିବା ଏହାର ଲକ୍ଷ୍ୟ ନୁହେଁ । ଯେତେ କିଛି ତ୍ୟାଗ କରିବାକୁ ପଡ଼ୁ ପଛକେ, ବିଦେଶୀ ଶାସନର ଉଚ୍ଛେଦ ଯଥାସମ୍ଭବ ଶୀଘ୍ର ସାଧନ କରିବା ପାଇଁ ଦୃଢ଼ପ୍ରତିଜ୍ଞ ମନୁଷ୍ୟ ପ୍ରସ୍ତୁତ କରିବା ରାଷ୍ଟ୍ରୀୟ ଶିକ୍ଷାନୁଷ୍ଠାନର ଲକ୍ଷ୍ୟ । 

ସ୍ୱଭାବତଃ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ବିଦେଶୀ ସରକାରଙ୍କ ପ୍ରତି ଅନୁରକ୍ତ ରହିବେ । ରାଷ୍ଟ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ଅନୁରକ୍ତ ଦେଶ ପ୍ରତି ରହିବ । ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚ ବେତନ ମିଳୁଥିବା ଚାକିରୀର ଆଶା ରହିଛି । ଏହା ବଦଳରେ ରାଷ୍ଟ୍ରୀୟ ଶିକ୍ଷାନୁଷ୍ଠାନରେ ଦେଶର ପୂରା ସେବା କରିବା ପାଇଁ କେବଳ ଚଳିବା ମୁତାବକ ଭରଣପୋଷଣ ମିଳିବ । 

ତିନୋଟି ଋଣ ପରିଶୋଧ କରିବା ପାଇଁ ଆପଣ ଏବେ ଶପଥ ନେଲେ । ବାସ୍ତବରେ ମ୍ୟାକ୍‌ସ ମ୍ୟୁଲର୍‌ଙ୍କର କଥା ସ୍ମରଣ କରାଯାଇ ପାରେ ଯେ, ଜୀବନଟା ଆମ ପକ୍ଷରେ କର୍ତ୍ତବ୍ୟ । କର୍ତ୍ତବ୍ୟର ଯଥାର୍ଥ ସମ୍ପାଦକ ଫଳରେ ଦାବୀର ପ୍ରଶ୍ନ ଏହା ସହିତ ନିଃସନ୍ଦେହରେ ଆସିଯାଏ । କିନ୍ତୁ ଯେଉଁ ଲୋକ ସୁବିଧା ଭୋଗ କରିବା ଆଶାରେ କର୍ତ୍ତବ୍ୟ ସମ୍ପାଦନ କରନ୍ତି, ସେ ସାଧାରଣତଃ ତାଙ୍କର କର୍ତ୍ତବ୍ୟ ଉଦାସୀନଭାବରେ କରନ୍ତି । ଯେଉଁ ଦାବୀ ହାସଲ କରିବାର ଆଶା ରଖିଥା'ନ୍ତି, ସେଥିରେ ସେ ଅଧିକାଂଶ ସମୟରେ ବିଫଳ ହୁଅନ୍ତି କିମ୍ୱା ଯେତେବେଳେ ସେ ଦାବୀ ସାଧନ କରିବାରେ ସଫଳ ହୁଅନ୍ତି, ସେସବୁ ସେତେବେଳେ ତାଙ୍କର ବୋଝ ହୋଇ ପଡ଼େ । 

ଆପଣଙ୍କର ହିଁ କେବଳ ସେବା କରିବାର ସୁଯୋଗ ରହିଛି । ଦେଶର ସ୍ୱାଧୀନତା ହାସଲ ନ କରିବା ଯାଏଁ ଆପଣଙ୍କର ପକ୍ଷରେ ବିଶ୍ରାମ ମିଳି ନ ପାରେ । ଆପଣଙ୍କ ଶିକ୍ଷାନୁଷ୍ଠାନ ଓ ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ ଏହି ମୌଳିକ ପାର୍ଥକ୍ୟକୁ ଉତ୍ତମ ରୂପେ ବୁଝି ପାରିବେତେବେ ଆପଣ ଯେଉଁ ପନ୍ଥା ବାଛିଛନ୍ତି, ସେଥି ପାଇଁ କଦାପି ଦୁଃଖିତ ହେବେ ନାହିଁ । 

କିନ୍ତୁ ମୁଁ ଜାଣେ ଯେ ଆପଣଙ୍କର ସଂଖ୍ୟା ଅଳ୍ପ ହୋଇ ଥିବାରୁ, ଆପଣମାନେ ଅନେକ ସମୟରେ ଉଦ୍‌ବିଗ୍ନ ଓ ଆପଣମାନଙ୍କ ମଧ୍ୟରୁ କେତେକ ଆପଣମାନଙ୍କର ପୁରାତନ ଅନୁଷ୍ଠାନକୁ ଛାଡ଼ି ଦେବା ଦ୍ୱାରା ବିଜ୍ଞ କାମ କରିଛନ୍ତି କି ନା ସନ୍ଦେହ କରନ୍ତି ଓ ସେଠାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଗୋପନରେ ଇଚ୍ଛା ପୋଷଣ କରନ୍ତି । 

ପ୍ରତ୍ୟେକ ମହାନ୍ କାର୍ଯ୍ୟରେ ସାଧକଙ୍କର ସଙ୍ଖ୍ୟା ବଡ଼ କଥା ନୁହେଁ । କିନ୍ତୁ ସେମାନଙ୍କ ଗୁଣ ହିଁ ସମସ୍ତ ସ୍ଥିର କରେ । ପୃଥିବୀର ପ୍ରତ୍ୟେକ ମହାପୁରୁଷ ସର୍ବଦା ଏ ବିଷୟରେ ଏକାକୀ ଚାଲି ଥିଲେ । ଜୋରାଷ୍ଟରବୁଦ୍ଧଯୀଶଖ୍ରୀଷ୍ଟ ଏବଂ ଅନ୍ୟ ଯେଉଁ ସବୁ ମହାତ୍ମାଙ୍କର ନାମ ମୁଁ କହି ପାରିବି, ସେମାନେ ସମସ୍ତେ ଏକାକୀ ଚାଲିଥିଲେ । କିନ୍ତୁ ସେମାନେ ନିଜ ଉପରେ ଓ ଭଗବାନଙ୍କଠାରେ ଜୀବନ୍ତ ବିଶ୍ୱାସ ରଖି ଥିଲେ । ଭଗବାନ ସେମାନଙ୍କ ସପକ୍ଷରେ ଅଛନ୍ତି ଏଥିରେ ବିଶ୍ୱାସ କରୁ ଥିବାରୁ ସେମାନେ କଦାପି ଏକାକୀ ଅନୁଭବ କରୁ ନ ଥିଲେ । 

ଆପଣ ସ୍ମରଣ କରି ପାରନ୍ତି ଯେ, ଆବୁ ବକର୍, ଯେ କି ଯୁଦ୍ଧ ସମୟରେ ମହମ୍ମଦଙ୍କ ସହିତ ଯାତ୍ରା କରୁଥିଲେ, ତାଙ୍କୁ ଅସଙ୍ଖ୍ୟ ଶତୃ ଅନୁଧାବନ କରିବାରୁ, ସେ ସେମାନଙ୍କର ଭବିଷ୍ୟତ୍ କଥା ଚିନ୍ତା କରି ଭୟରେ ଥରି ଉଠି ଥିଲେ ଏବଂ କହି ଥିଲେ, ’’ଯେଉଁ ଶତୃ ଆମ୍ଭମାନଙ୍କୁ ପଛରୁ ଧରିବାକୁ ଆସୁଛନ୍ତି, ସେମାନଙ୍କ ସଙ୍ଖ୍ୟା ପ୍ରତି ଦୃଷ୍ଟି ଦିଅ । ଆମେ ଦୁଇ ଜଣ ଏହି ଭୟଙ୍କର ବିପଦରେ କଣ କରିବା ?”  କ୍ଷଣମାତ୍ର ଚିନ୍ତା ନ କରି ମହମ୍ମଦ ତାଙ୍କର ବିଶ୍ୱସ୍ତ ସହଚରକୁ ଭତ୍ସନା କଲେ ଏବଂ କହିଲେ, "ନା, ଆବୁ ବକର୍, ଆମେ ତିନି ଜଣ । କାରଣ ଭଗବାନ ଆମ ସହିତ ଅଛନ୍ତି ।“ 

କିମ୍ୱା ଆପଣ ବିଭୀଷଣ ଏବଂ ପ୍ରହ୍ଲାଦର ଅଜେୟ ବିଶ୍ୱାସ ସମ୍ୱନ୍ଧରେ ଚିନ୍ତା କରନ୍ତି । ମୁଁ ଚାହେଁ ଯେ, ଆପଣଙ୍କର ସେପରି ବଳିଷ୍ଠ ଆତ୍ମବିଶ୍ୱାସ ହେଉ ଏବଂ ଆପଣଙ୍କର ଭଗବାନ୍‌ଙ୍କ ଠାରେ ଦୃଢ଼ ବିଶ୍ୱାସ ରହୁ

-ୟଙ୍ଗ ଇଣ୍ତିଆ, ତା ୧୦-୧୦-୧୯୨୯

Tuesday, March 05, 2019

ପିଲାଙ୍କ କବିତା - 'ଉଡ଼ା ଖବର'

ଜଗନ୍ନାଥ ପ୍ରସାଦ ଦାସ


'ମାଛରଙ୍କା' (ଉନବିଂଶ ଶତାବ୍ଦୀର ଜାପାନୀ ଚିତ୍ର)
ଚିତ୍ରକର - ଉତାଗାୱା ହିରୋଶିଗେ (୧୭୯୭-୧୮୫୮)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ି ଦେଲା ପର
ଭଦଭଦଳିଆ ଗଲା ଭଦ୍ରଖରୁ ସୋରୋ
ଖେଳରେ ରେଫରି କଲେ କଜଳପାତିକୁ
ମାଛରଙ୍କା ଝାମ୍ପ ଦେଲା ମଗର ପାଟିକୁ
କୁମ୍ଭାଟୁଆ ଗୀତ ଗାଏ ଆକାଶବାଣୀରେ
ପାଣିକୁଆ ବୁଡ଼ିଗଲା ଆଣ୍ଠୁଏ ପାଣିରେ
ଶଙ୍ଖଚିଲ ମରିଗଲା ହୋଇ ଦୁର୍ଘଟଣା
କାଠହଣା ଜଙ୍ଗଲକୁ ଆସିବାକୁ ମନା
ଦେବାଳିଆ ହୋଇଗଲା ହଳଦୀବସନ୍ତ
ହାଡ଼ଗିଳା କଲିକ୍‌ରେ ହୁଏ ହନ୍ତସନ୍ତ
ଖୋଲିଛି କୋଚିଲାଖାଇ ଔଷଧ ଦୋକାନ
ପାତିହଂସ ପାଇଗଲା ପଦ୍ମ ବିଭୂଷଣ  

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Sunday, March 03, 2019

ପିଲାଙ୍କ କବିତା - 'ନବକାଳିକା ଲାଳିକା'

ଜଗନ୍ନାଥ ପ୍ରସାଦ ଦାସ


ଜାପାନୀ ଖଣ୍ଡାର ଖୋଳ (୧୮୪୧-୧୮୮୪ ମସିହା ଭିତର କାମ)
କଳାକାର - ମିୟାତା ନୋବୁକିଓ (୧୮୧୭ - ୧୮୮୪)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଦେଖି ମିରିକାଳିକା କାଟି ଫାଳିଫାଳିକା
ଭାଳି ଭାଳିକା ଅନ୍ତ ଧରି
ରନ୍ଧା କେମନ୍ତ କରି କରିବା ମାଛ 'କରି'
ରାତିକି ଏମନ୍ତ ବିଚାରି ସେ ବୃକୋଦରୀ
ଭାବେ ସଞ୍ଚିଲେ ଏ ଫାଳକୁ
ଅଧା ଥିବ କାଲି ସକାଳକୁ
(ଉପେନ୍ଦ୍ର ଭଞ୍ଜଙ୍କର 'ଲାବଣ୍ୟବତୀ' କିଛି ଧାଡ଼ିର ଲାଳିକା) 

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Friday, March 01, 2019

ପିଲାଙ୍କ କବିତା - 'ଦନ୍ତ୍ୟ'

ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

କିଛି ପୀଡ଼ା ଶାରୀରିକ
କିଛି ମାନସିକ କିଛି ଆର୍ଥିକ
କିନ୍ତୁ ଯେ ପୀଡ଼ନଟି
ଏ ସବୁର ଅନ୍ତ୍ୟ
ତା' ହେଉଛି ଦନ୍ତ୍ୟ
(ଅଗଡେନ୍ ନାଶ୍‌ଙ୍କର କବିତାର ଅନୁସରଣରେ)

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।