Tuesday, March 05, 2019

ପିଲାଙ୍କ କବିତା - 'ଉଡ଼ା ଖବର'

ଜଗନ୍ନାଥ ପ୍ରସାଦ ଦାସ


'ମାଛରଙ୍କା' (ଉନବିଂଶ ଶତାବ୍ଦୀର ଜାପାନୀ ଚିତ୍ର)
ଚିତ୍ରକର - ଉତାଗାୱା ହିରୋଶିଗେ (୧୭୯୭-୧୮୫୮)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ି ଦେଲା ପର
ଭଦଭଦଳିଆ ଗଲା ଭଦ୍ରଖରୁ ସୋରୋ
ଖେଳରେ ରେଫରି କଲେ କଜଳପାତିକୁ
ମାଛରଙ୍କା ଝାମ୍ପ ଦେଲା ମଗର ପାଟିକୁ
କୁମ୍ଭାଟୁଆ ଗୀତ ଗାଏ ଆକାଶବାଣୀରେ
ପାଣିକୁଆ ବୁଡ଼ିଗଲା ଆଣ୍ଠୁଏ ପାଣିରେ
ଶଙ୍ଖଚିଲ ମରିଗଲା ହୋଇ ଦୁର୍ଘଟଣା
କାଠହଣା ଜଙ୍ଗଲକୁ ଆସିବାକୁ ମନା
ଦେବାଳିଆ ହୋଇଗଲା ହଳଦୀବସନ୍ତ
ହାଡ଼ଗିଳା କଲିକ୍‌ରେ ହୁଏ ହନ୍ତସନ୍ତ
ଖୋଲିଛି କୋଚିଲାଖାଇ ଔଷଧ ଦୋକାନ
ପାତିହଂସ ପାଇଗଲା ପଦ୍ମ ବିଭୂଷଣ  

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

No comments:

Post a Comment