Thursday, March 07, 2019

  ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ସ୍ନାତକମାନଙ୍କ ପ୍ରତି ବାର୍ତ୍ତା


ମହିଳା ବିଦ୍ୟାଳୟରେ ଗାନ୍ଧୀ ଓ ଟାଗୋର୍ (୧୯୨୦ ମସିହାରେ ଉତ୍ତୋଳିତ ଆଲୋକଚିତ୍ର)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଆପଣଙ୍କ ସ୍କୁଲ କଲେଜକୁ ଯଦି ଗଭର୍ଣ୍ଣମେଣ୍ଟ ସ୍କୁଲ କଲେଜ ସହିତ ତୁଳନା କରନ୍ତି, ତେବେ ଆପଣମାନଙ୍କର ନୈରାଶ୍ୟ ସୁନିଶ୍ଚିତ । ଏ ଦୁଇଟି ଦୁଇ ବିଭିନ୍ନ ପ୍ରକାରର । ସରକାରୀ ଅନୁଷ୍ଠାନଗୁଡ଼ିକ ଲୋକଙ୍କ ଅର୍ଥରେ ଚଳୁଛନ୍ତି । ତେଣୁ ସେଥିରେ ପ୍ରାସାଦ ଭଳି ସୌଧ ରହିଛି ଓ ଅଧିକ, ବେତନପ୍ରାପ୍ତ ବିଦ୍ୱାନ୍ ଅଧ୍ୟାପକ ଓ ଶିକ୍ଷକ ଅଛନ୍ତି । ଆପଣଙ୍କର ସେହି ପ୍ରକାରର ପ୍ରାସାଦ ଓ ଶିକ୍ଷକ-ମଣ୍ତଳୀ ହୋଇପାରିବେ ନାହିଁ । 

ମୁଖ୍ୟତଃ କିରାଣୀ ତିଆରି କରିବା ଏବଂ ବିଦେଶୀ ଶାସକଙ୍କ ପାଇଁ ଅନ୍ୟାନ୍ୟ ସାହାଯ୍ୟକାରୀ ତିଆରି କରିବା ସରକାରୀ ଅନୁଷ୍ଠାନଗୁଡ଼ିକର ଲକ୍ଷ୍ୟ । ଜାତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ଲକ୍ଷ୍ୟ ସମ୍ପୂର୍ଣ୍ଣ ବିପରୀତ । କିରାଣୀ ଏବଂ ସେହି ପ୍ରକାରର ଲୋକ ପ୍ରସ୍ତୁତ କରିବା ଏହାର ଲକ୍ଷ୍ୟ ନୁହେଁ । ଯେତେ କିଛି ତ୍ୟାଗ କରିବାକୁ ପଡ଼ୁ ପଛକେ, ବିଦେଶୀ ଶାସନର ଉଚ୍ଛେଦ ଯଥାସମ୍ଭବ ଶୀଘ୍ର ସାଧନ କରିବା ପାଇଁ ଦୃଢ଼ପ୍ରତିଜ୍ଞ ମନୁଷ୍ୟ ପ୍ରସ୍ତୁତ କରିବା ରାଷ୍ଟ୍ରୀୟ ଶିକ୍ଷାନୁଷ୍ଠାନର ଲକ୍ଷ୍ୟ । 

ସ୍ୱଭାବତଃ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ବିଦେଶୀ ସରକାରଙ୍କ ପ୍ରତି ଅନୁରକ୍ତ ରହିବେ । ରାଷ୍ଟ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ଅନୁରକ୍ତ ଦେଶ ପ୍ରତି ରହିବ । ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚ ବେତନ ମିଳୁଥିବା ଚାକିରୀର ଆଶା ରହିଛି । ଏହା ବଦଳରେ ରାଷ୍ଟ୍ରୀୟ ଶିକ୍ଷାନୁଷ୍ଠାନରେ ଦେଶର ପୂରା ସେବା କରିବା ପାଇଁ କେବଳ ଚଳିବା ମୁତାବକ ଭରଣପୋଷଣ ମିଳିବ । 

ତିନୋଟି ଋଣ ପରିଶୋଧ କରିବା ପାଇଁ ଆପଣ ଏବେ ଶପଥ ନେଲେ । ବାସ୍ତବରେ ମ୍ୟାକ୍‌ସ ମ୍ୟୁଲର୍‌ଙ୍କର କଥା ସ୍ମରଣ କରାଯାଇ ପାରେ ଯେ, ଜୀବନଟା ଆମ ପକ୍ଷରେ କର୍ତ୍ତବ୍ୟ । କର୍ତ୍ତବ୍ୟର ଯଥାର୍ଥ ସମ୍ପାଦକ ଫଳରେ ଦାବୀର ପ୍ରଶ୍ନ ଏହା ସହିତ ନିଃସନ୍ଦେହରେ ଆସିଯାଏ । କିନ୍ତୁ ଯେଉଁ ଲୋକ ସୁବିଧା ଭୋଗ କରିବା ଆଶାରେ କର୍ତ୍ତବ୍ୟ ସମ୍ପାଦନ କରନ୍ତି, ସେ ସାଧାରଣତଃ ତାଙ୍କର କର୍ତ୍ତବ୍ୟ ଉଦାସୀନଭାବରେ କରନ୍ତି । ଯେଉଁ ଦାବୀ ହାସଲ କରିବାର ଆଶା ରଖିଥା'ନ୍ତି, ସେଥିରେ ସେ ଅଧିକାଂଶ ସମୟରେ ବିଫଳ ହୁଅନ୍ତି କିମ୍ୱା ଯେତେବେଳେ ସେ ଦାବୀ ସାଧନ କରିବାରେ ସଫଳ ହୁଅନ୍ତି, ସେସବୁ ସେତେବେଳେ ତାଙ୍କର ବୋଝ ହୋଇ ପଡ଼େ । 

ଆପଣଙ୍କର ହିଁ କେବଳ ସେବା କରିବାର ସୁଯୋଗ ରହିଛି । ଦେଶର ସ୍ୱାଧୀନତା ହାସଲ ନ କରିବା ଯାଏଁ ଆପଣଙ୍କର ପକ୍ଷରେ ବିଶ୍ରାମ ମିଳି ନ ପାରେ । ଆପଣଙ୍କ ଶିକ୍ଷାନୁଷ୍ଠାନ ଓ ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ ଏହି ମୌଳିକ ପାର୍ଥକ୍ୟକୁ ଉତ୍ତମ ରୂପେ ବୁଝି ପାରିବେତେବେ ଆପଣ ଯେଉଁ ପନ୍ଥା ବାଛିଛନ୍ତି, ସେଥି ପାଇଁ କଦାପି ଦୁଃଖିତ ହେବେ ନାହିଁ । 

କିନ୍ତୁ ମୁଁ ଜାଣେ ଯେ ଆପଣଙ୍କର ସଂଖ୍ୟା ଅଳ୍ପ ହୋଇ ଥିବାରୁ, ଆପଣମାନେ ଅନେକ ସମୟରେ ଉଦ୍‌ବିଗ୍ନ ଓ ଆପଣମାନଙ୍କ ମଧ୍ୟରୁ କେତେକ ଆପଣମାନଙ୍କର ପୁରାତନ ଅନୁଷ୍ଠାନକୁ ଛାଡ଼ି ଦେବା ଦ୍ୱାରା ବିଜ୍ଞ କାମ କରିଛନ୍ତି କି ନା ସନ୍ଦେହ କରନ୍ତି ଓ ସେଠାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଗୋପନରେ ଇଚ୍ଛା ପୋଷଣ କରନ୍ତି । 

ପ୍ରତ୍ୟେକ ମହାନ୍ କାର୍ଯ୍ୟରେ ସାଧକଙ୍କର ସଙ୍ଖ୍ୟା ବଡ଼ କଥା ନୁହେଁ । କିନ୍ତୁ ସେମାନଙ୍କ ଗୁଣ ହିଁ ସମସ୍ତ ସ୍ଥିର କରେ । ପୃଥିବୀର ପ୍ରତ୍ୟେକ ମହାପୁରୁଷ ସର୍ବଦା ଏ ବିଷୟରେ ଏକାକୀ ଚାଲି ଥିଲେ । ଜୋରାଷ୍ଟରବୁଦ୍ଧଯୀଶଖ୍ରୀଷ୍ଟ ଏବଂ ଅନ୍ୟ ଯେଉଁ ସବୁ ମହାତ୍ମାଙ୍କର ନାମ ମୁଁ କହି ପାରିବି, ସେମାନେ ସମସ୍ତେ ଏକାକୀ ଚାଲିଥିଲେ । କିନ୍ତୁ ସେମାନେ ନିଜ ଉପରେ ଓ ଭଗବାନଙ୍କଠାରେ ଜୀବନ୍ତ ବିଶ୍ୱାସ ରଖି ଥିଲେ । ଭଗବାନ ସେମାନଙ୍କ ସପକ୍ଷରେ ଅଛନ୍ତି ଏଥିରେ ବିଶ୍ୱାସ କରୁ ଥିବାରୁ ସେମାନେ କଦାପି ଏକାକୀ ଅନୁଭବ କରୁ ନ ଥିଲେ । 

ଆପଣ ସ୍ମରଣ କରି ପାରନ୍ତି ଯେ, ଆବୁ ବକର୍, ଯେ କି ଯୁଦ୍ଧ ସମୟରେ ମହମ୍ମଦଙ୍କ ସହିତ ଯାତ୍ରା କରୁଥିଲେ, ତାଙ୍କୁ ଅସଙ୍ଖ୍ୟ ଶତୃ ଅନୁଧାବନ କରିବାରୁ, ସେ ସେମାନଙ୍କର ଭବିଷ୍ୟତ୍ କଥା ଚିନ୍ତା କରି ଭୟରେ ଥରି ଉଠି ଥିଲେ ଏବଂ କହି ଥିଲେ, ’’ଯେଉଁ ଶତୃ ଆମ୍ଭମାନଙ୍କୁ ପଛରୁ ଧରିବାକୁ ଆସୁଛନ୍ତି, ସେମାନଙ୍କ ସଙ୍ଖ୍ୟା ପ୍ରତି ଦୃଷ୍ଟି ଦିଅ । ଆମେ ଦୁଇ ଜଣ ଏହି ଭୟଙ୍କର ବିପଦରେ କଣ କରିବା ?”  କ୍ଷଣମାତ୍ର ଚିନ୍ତା ନ କରି ମହମ୍ମଦ ତାଙ୍କର ବିଶ୍ୱସ୍ତ ସହଚରକୁ ଭତ୍ସନା କଲେ ଏବଂ କହିଲେ, "ନା, ଆବୁ ବକର୍, ଆମେ ତିନି ଜଣ । କାରଣ ଭଗବାନ ଆମ ସହିତ ଅଛନ୍ତି ।“ 

କିମ୍ୱା ଆପଣ ବିଭୀଷଣ ଏବଂ ପ୍ରହ୍ଲାଦର ଅଜେୟ ବିଶ୍ୱାସ ସମ୍ୱନ୍ଧରେ ଚିନ୍ତା କରନ୍ତି । ମୁଁ ଚାହେଁ ଯେ, ଆପଣଙ୍କର ସେପରି ବଳିଷ୍ଠ ଆତ୍ମବିଶ୍ୱାସ ହେଉ ଏବଂ ଆପଣଙ୍କର ଭଗବାନ୍‌ଙ୍କ ଠାରେ ଦୃଢ଼ ବିଶ୍ୱାସ ରହୁ

-ୟଙ୍ଗ ଇଣ୍ତିଆ, ତା ୧୦-୧୦-୧୯୨୯

No comments:

Post a Comment