Monday, March 25, 2019

  ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'ଶିକ୍ଷା ଓ ସଦାଚାର'

ଅନୁବାଦକ - ଚିତ୍ତରଞ୍ଜନ ଦାସ


'ହିନ୍ଦ୍ ସ୍ୱରାଜ୍‌'ର  ୧୯୧୯ ମସିହାର ଇଂରାଜୀ ସଂସ୍କରଣ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ନୀତିମାନ୍ ପିତାମାତାଙ୍କର କର୍ତ୍ତବ୍ୟ ହେଉଛି ଯେ ସେମାନେ ନିଜର ସନ୍ତାନମାନଙ୍କୁ ଠିକ୍ ଢଙ୍ଗରେ ଲାଳନପାଳନ କରିବା । ଏଥି ପାଇଁ ପିତା ଓ ମାତା ଉଭୟଙ୍କର ପ୍ରକୃତ ଶିକ୍ଷାର ଆବଶ୍ୟକତା ଅଛି । ଯେଉଁଠି ପିତାମାତା ଏପରି ଶିକ୍ଷା ପାଇ ନାହାନ୍ତି, ଏବଂ ଯଦି ସେମାନେ ନିଜ ଭୁଲ ଉପଲବ୍ଧି କରୁଛନ୍ତି, ତେବେ ସେମାନେ ନିଜର ସନ୍ତାନମାନଙ୍କୁ ଅନ୍ୟ ସୁଶିକ୍ଷିତ ଓ ନୀତିପରାୟଣ ଲୋକମାନଙ୍କୁ ସମର୍ପଣ କରି ଦିଅନ୍ତୁ । 

ସଦାଚାର ଶିଖିବାର ଏକମାତ୍ର ବାଟ ହେଉଛି ଯେ, ବାଳକ ବାଳିକାମାନଙ୍କୁ ସେହି (ସଦାଚାରର) ବାତାବରଣରେ ରହିବାର ସୌଭାଗ୍ୟ ଯୋଗାଇବା । ଘରେ ଗୋଟିଏ ପ୍ରକାରରେ ଶିକ୍ଷା ଓ ବିଦ୍ୟାଳୟରେ ଆଉ ପ୍ରକାରେ ଶିକ୍ଷା, ଏଥିରେ ପିଲାମାନଙ୍କର କେବେହେଁ ସଂଶୋଧନ ହେବ ନାହିଁ । ଉପରଲିଖିତ ବିଚାର-ଭିତ୍ତିକ ଶିକ୍ଷା ଦେବାର ଖାସ ସମୟ ଅଛି । ଶିଶୁ ଭୂମିଷ୍ଠ ହେବା କ୍ଷଣଠାରୁ ତାହାର ଶିକ୍ଷା ଆରମ୍ଭ ହୋଇଯାଏ । ସେହି ମୂହୂର୍ତ୍ତରୁ ତା'କୁ ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ବା ଧାର୍ମିକ ଶିକ୍ଷା ମିଳେ । ସେ କଥା କହି ଶିଖିବାଠାରୁ ମଧ୍ୟ ତାକୁ ଶବ୍ଦ-ଜ୍ଞାନ ମିଳିଥାଏ । ସେ ପିତାମାତାଙ୍କଠାରୁ ଖେଳ-ଖେଳରେ ଅକ୍ଷରଜ୍ଞାନ ପାଇଥାଏ ।

ପୂର୍ବ କାଳରେ ଏହି ପ୍ରକାରେ ହେଉଥିଲା । ସ୍କୁଲରେ ପିଲାମାନଙ୍କୁ ପଢ଼ାଇବାର ରୀତି ଏବେ ଆରମ୍ଭ ହୋଇଛି । ନିଜର ସନ୍ତାନମାନଙ୍କ ପ୍ରତି ପିତାମାତା ଯଦି ନିଜର କର୍ତ୍ତବ୍ୟ ଠିକ୍ ରୂପେ ପାଳନ କରନ୍ତି, ତେବେ ସେମାନେ କେତେ ଉନ୍ନତି କରିପାରିବେ ତାହାର ଅନୁମାନ କରିବା ସମ୍ଭବ ନୁହେଁ । କିନ୍ତୁ ଯଦି ପିଲାଙ୍କୁ ଖେଳନା ପରି ରଖି ଅହେତୁକ ସ୍ନେହ କରନ୍ତି, ଆମେ ଅଯଥା ବାତ୍ସଲ୍ୟ-ସ୍ନେହରେ ବଶୀଭୂତ ହୋଇ ସେମାନଙ୍କୁ ମିଠାଇସୁନ୍ଦର ଲୁଗାପଟା ଯୋଗାଇ ବିଗାଡ଼ି ଦେଉଁ, ଆମେ ନିଜେ ଧନଲୋଭରେ ପଡ଼ି ପିଲାମାନଙ୍କ ମନରେ ମଧ୍ୟ ପଇସାର ଲାଳସା ଜନ୍ମାଉଁ, ବିଷୟଭୋଗରେ ଲିପ୍ତ ରହି ସେମାନଙ୍କ ଆଗରେ ସେହି ଉଦାହରଣ ସ୍ଥାପିତ କରୁ, ନିଜେ ଅଳସୁଆ ରହି ସେମାନଙ୍କୁ ଅଳସୁଆ କରୁ, ଅପରିଚ୍ଛନ୍ନ ରହି ସେମାନଙ୍କୁ ମଧ୍ୟ ଅପରିଚ୍ଛନ୍ନତା ଶିଖାଉଁ, ମିଥ୍ୟା କହି ସେମାନଙ୍କୁ ମିଥ୍ୟା ଶିଖାଉଁ ।

ତେବେ ଆମର ସନ୍ତାନ ଦୁର୍ବଳ, ଅନୀତିପରାୟଣମିଥ୍ୟାବାଦୀ, ବିଷୟୀ, ସ୍ୱାର୍ଥପର ଓ ଲୋଭୀ ହୋଇ ପଡନ୍ତି, ସେଥିରେ ଆଶ୍ଚର୍ଯ୍ୟର କଥା କଅଣ ଅଛି ? ଏସବୁ କଥାରେ ବିଚାରବାନ ପିତାମାନଙ୍କୁ ବହୁତ ଭାବିଚିନ୍ତି କାର୍ଯ୍ୟ କରିବାକୁ ହେବ । ଭାରତବର୍ଷ ଅର୍ଦ୍ଧେକ ଭବିଷ୍ୟତ ପିତାମାତାଙ୍କ ହାତରେ ଅଛି ।

ଗୁଜୁରାତୀ ଇଣ୍ତିଆନ୍ ଓପିନିୟନ୍, ତା୧୭//୧୯୧୩ରିଖ

No comments:

Post a Comment