ବିନ୍ଦୁସାର ଓ ଅଶୋକ
କେଦାରନାଥ ମହାପାତ୍ର
ଧଉଳି ଶାନ୍ତୁ ସ୍ତୁପ ଉପରୁ ଦୟା ନଦୀର ଦୃଶ୍ୟ (ୱିକିମିଡିଆ କମନ୍ସ୍) |
ବିନ୍ଦୁସାର
ଚନ୍ଦ୍ରଗୁପ୍ତଙ୍କ
ପରେ ବିନ୍ଦୁସାର ମଗଧର ସମ୍ରାଟ
ହେଲେ । ତାଙ୍କ ସଙ୍ଗରେ କଳିଙ୍ଗ
ଓ କାବେରୀ ନଦୀର ଦକ୍ଷିଣରେ ଥିବା
ରାଜ୍ୟମାନଙ୍କ ବ୍ୟତୀତ ସମସ୍ତ ଭାରତବର୍ଷ
ତାଙ୍କ ଦ୍ୱାରା ଶାସିତ ହେଉଥିଲା
। ବିନ୍ଦୁସାର ଦାକ୍ଷିଣାତ୍ୟ
ବିଜୟ କରିଥିବାର ଅନେକ ମନେ କରନ୍ତି
।
ପ୍ରିୟଦର୍ଶୀ ଅଶୋକ
ବିନ୍ଦୁସାରଙ୍କ
ମୃତ୍ୟୁ ପରେ ତାଙ୍କର ପୁତ୍ରମାନଙ୍କ
ମଧ୍ୟରେ ସିଂହାସନ ପାଇଁ ବିବାଦ
ଲାଗିଥିଲା । କିନ୍ତୁ ଶେଷରେ ଅଶୋକ
ସମସ୍ତଙ୍କୁ ହରାଇ ପିତାଙ୍କ
ମୃତ୍ୟୁର ଚାରି ବର୍ଷ ପରେ ଖ୍ରୀ:
ପୂ:
୨୬୯ରେ
ରାଜା ହେଲେ । ସେ ରାଜା ହେବାର
ଆଠ ବର୍ଷ ପରେ କଳିଙ୍ଗ ବା ଓଡ଼ିଶା
ପ୍ରଦେଶ ଜୟ କରିବାକୁ ବାହାରିଲେ
।
ସେତେବେଳେ କଳିଙ୍ଗ ଗୋଦାବରୀଠାରୁ
ଗଙ୍ଗା ପର୍ଯ୍ୟନ୍ତ ବିସ୍ତୃତ
ଥିଲା । ଏଠାର ଲୋକମାନେ ବଳବାନ୍,
ସାହସୀ
ଓ ଧନୀ ଥିଲେ । ଭାରତ ମହାସାଗରେ
ଥିବା ଦ୍ୱୀପପୁଞ୍ଜ ଓ ବ୍ରହ୍ମଦେଶ
ସହିତ ସମୁଦ୍ର ବାଣିଜ୍ୟ କରି ଏମାନେ
ବହୁ ଧନରତ୍ନ ଦେଶକୁ ଆଣୁଥିଲେ ।
କଳିଙ୍ଗ ରାଜାଙ୍କର ପ୍ରକାଣ୍ଡ
ସେନା ଥିଲା । ଅଶୋକ ଏହି ଶକ୍ତିଶାଳୀ
ରାଜ୍ୟକୁ ଜୟ କରିବାପାଇଁ ବହୁତ
ସୈନ୍ୟ ଆଣିଥିଲେ ।
କଳିଙ୍ଗବାସୀମାନେ
ତାଙ୍କ ସହିତ ଦୁଇ ବର୍ଷ କାଳ ଭୀଷଣ
ଯୁଦ୍ଧ କଲେ । ଏହି ଯୁଦ୍ଧରେ କଳିଙ୍ଗର
ଦେଢ଼ ଲକ୍ଷ ଲୋକ ବନ୍ଦୀ ଓ ଲକ୍ଷେ
ଲୋକ ନିହତ ହେଲେ ଏବଂ ଅନାହାର ଓ
ଯନ୍ତ୍ରଣାରେ ଅସଙ୍ଖ୍ୟ ଲୋକ ମରିଗଲେ
। ଅଶୋକ ଯୁଦ୍ଧରେ ଜୟଲାଭ କଲେ ସତ,
କିନ୍ତୁ
କଳିଙ୍ଗର ପାର୍ବତ୍ୟ ଅଞ୍ଚଳ ମିଳିତ
ହୋଇ ପାରିଲା ନାହିଁ । ଏହି ଯୁଦ୍ଧରୁ
ସ୍ପଷ୍ଟ ଜଣାଯାଏ ଯେ, ସେକାଳର
ଓଡ଼ିଆମାନେ ଖୁବ୍ ସାହସୀ ଓ ଯୋଦ୍ଧା
ଥିଲେ । ମାତୃଭୂମିର ସ୍ୱାଧୀନତା
ରକ୍ଷା କରିବା ପାଇଁ ପ୍ରାଣପଣେ
ଚେଷ୍ଟା କରିଥିଲେ ।
ଏହି ଯୁଦ୍ଧର
ବିକଟ ଦୃଶ୍ୟ ଦେଖି ଅଶୋକଙ୍କ ମନରେ
ଭୀଷଣ ଦୁଃଖ ହେଲା । ଯୁଦ୍ଧରେ
ଘଟିଥିବା ରକ୍ତପାତ ଓ ଦେଶଧ୍ୱଂସ
ବିଷୟ ଚିନ୍ତା କରି, ସେ ବିଶେଷ
ଅନୁତାପ ଭୋଗ କଲେ । ତାଙ୍କ ହୃଦୟ
ଆକୁଳ ହେଲା ଓ ସେ ଶାନ୍ତି ପାଇଁ
ସର୍ବଦା ବ୍ୟାକୁଳ ହେଲେ । ପରିଶେଷରେ
ସେ ଉପଗୁପ୍ତ ନାମକ ବୌଦ୍ଧସନ୍ନ୍ୟାସୀଙ୍କ
ଦ୍ୱାରା ବୌଦ୍ଧଧର୍ମରେ ଦୀକ୍ଷିତ
ହେଲେ ।
ସେ
ପ୍ରଥମେ ଜଣେ ଉପାସକ ବା ଗୃହୀ
ବୌଦ୍ଧ ଥିଲେ । କିନ୍ତୁ ଏହି
ଧର୍ମପ୍ରତି ସେ କ୍ରମେ କ୍ରମେ
ଏପରି ଆକୃଷ୍ଟ ହେଲେ ଯେ ଶେଷରେ
ଜଣେ ନୈଷ୍ଠିକ ବୌଦ୍ଧ ହେଲେ । ଏହି
ଧର୍ମର ଉନ୍ନତି ଓ ପ୍ରସାର ପାଇଁ
ସେ ନିଜର ସମସ୍ତ ଧନ ଓ ଶକ୍ତି ବ୍ୟୟ
କରିଥିଲେ ।
ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍ସ୍ ଷ୍ଟୋର୍ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।
No comments:
Post a Comment