Friday, August 31, 2018

ପିଲାଙ୍କ ପାଇଁ କବିତା - 'ଓଲଟପୁରର ଲୋକ'

କବି - ଜଗନ୍ନାଥ ପ୍ରସାଦ ଦାସ


ଲୁଇ କାରଲ୍‌ଙ୍କର ବହି 'ଥୃ ଦି ଲୁକିଙ୍ଗ୍ ଗ୍ଲାସ୍‌'ର ଅଳଙ୍କରଣ (ୱିକିମିଡିଆ କମନ୍ସ୍)

ରାତିରେ କରନ୍ତି କାମ ଶୁଅନ୍ତି ଦିନରେ
ଆଖିରେ ଶୁଣନ୍ତି ଆଉ ଦେଖନ୍ତି କାନରେ ।

ଶୀତ ଦିନେ ଖାଲି ଦିହ ଖରାରେ କମ୍ବଳ
କ' ଖ' ନୁହେଁ ତାଙ୍କ ପାଠ ହଯବରଳ ।

ମୁଣ୍ଡରେ ରଖନ୍ତି ଜୋତା ପଗଡ଼ି ପାଦରେ
ଖଟ ତଳେ ଆରାମରେ ଶୁଅନ୍ତି ନିଦରେ ।

ଖୁସିରେ କାନ୍ଦନ୍ତି ଆଉ ହସନ୍ତି ଦୁଃଖରେ
ତାଙ୍କ ଭଳି ସୁଖୀ ଲୋକ ନ ଥିବେ ଭୂତଳେ ।  

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Thursday, August 30, 2018

ଗିଜୁଭାଇଙ୍କ ଶିକ୍ଷାଦର୍ଶନ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଚିତ୍ର - 'ତୁଷାରର ଦୃଶ୍ୟ - ସ୍କୁଲରୁ ବାହାରୁଥିବା ପିଲେ' (୧୮୫୦ ଦଶକରେ ଅଙ୍କିତ)
ଚିତ୍ରକର - ବେଞ୍ଜାମିନ ଭତିଅ (ସ୍ୱିଜରଲ୍ୟାଣ୍ଡ; ୧୮୨୯-୧୮୯୮)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ପିଲାମାନଙ୍କର ସ୍ୱତନ୍ତ୍ର ବ୍ୟକ୍ତିତ୍ୱ

ପ୍ରତ୍ୟେକ ପିଲାର ଯେ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ ରହିଛି, ଏକଥା ଉପରେ ଗିଜୁଭାଇ ବିଶେଷ ଜୋର ଦେଉ ଥିଲେ । ବଡ଼ମାନେ ନିଜର ଇଚ୍ଛାକୁ, ନିଜ ମନର ଠିକଭୁଲ ଧାରଣାକୁ, ପିଲାମାନଙ୍କ ଉପରେ ଲଦି ଦେବାର ଭୟଙ୍କର ପରିଣାମ ବିଷୟରେ ଗିଜୁଭାଇ ସଚେତନ ଥିଲେ । ତାଙ୍କ ମତରେ ପିଲାଙ୍କୁ ସ୍ୱାଧୀନତା ଦେଲେ, ପିଲାଙ୍କ ପ୍ରତି ଆମର ଦୃଷ୍ଟିକୋଣ ବଦଳି ଯାଏ । ପିଲାଙ୍କର ବ୍ୟକ୍ତିତ୍ୱକୁ ଚିହ୍ନି ପାରିଲେ ଆମେ ଅନୁଭବ କରିବା ଯେ, ସେମାନଙ୍କୁ ଶିକ୍ଷା ଦେବା ବେଳେ ଆମେ ନିଜେ ବି ଶିକ୍ଷିତ ହେଉଛୁ ଏବଂ ତାଙ୍କର ଭଲ ପାଇବା ଆମ ନିଜର ଆଗେଇବାରେ ସହାୟକ ହେଉଛି ।

ପିଲାଙ୍କ ପ୍ରତି ସମ୍ମାନ

ଗିଜୁଭାଇ ପିଲାମାନଙ୍କୁ ଯଥେଷ୍ଟ ସମ୍ମାନ ଦେଉ ଥିଲେ । ସେଥି ପାଇଁ ହିଁ ସେ ପିଲାମାନଙ୍କୁ ଭଲ ପାଇ ପାରୁ ଥିଲେ, ସେମାନଙ୍କୁ ବୁଝି ପାରୁ ଥିଲେ ଏବଂ ସେମାନଙ୍କର ବ୍ୟକ୍ତିତ୍ୱକୁ ଚିହ୍ନି ପାରୁ ଥିଲେ । ପିଲାମାନଙ୍କୁ ସେ କେବେ ବି ବଡ଼ ପାଟିରେ କଥା କହୁ ନ ଥିଲେ। ବାଲମନ୍ଦିରର ପିଲାଙ୍କ ପଢ଼ିବା ପାଇଁ ଶିଶୁ ସାହିତ୍ୟର ଆବଶ୍ୟକତା ପଡ଼ିବାରୁ, ସେ ରାତି ରାତି ଅନିଦ୍ରା ହୋଇ ତାହା ସୃଷ୍ଟି କରି ଥିଲେ ।

ପିଲାମାନଙ୍କର ବିକାଶ ସ୍ୱତଃ ଧୀରେ ହୁଏ । ଏଥି ପାଇଁ ତାଙ୍କର ଏକ ସୁରକ୍ଷିତ ପରିବେଶ ମଧ୍ୟ ଦରକାର ହୁଏ । ମୂଳରୁ ସେମାନଙ୍କ ଭିତରେ କିଛି ଶକ୍ତି, ସାମର୍ଥ୍ୟ, ନିଜର ଇଚ୍ଛା, ପସନ୍ଦ ଏବଂ ବିବେକବୋଧ ମଧ୍ୟ ରହିଛି । ଆମେ ଏସବୁ ପ୍ରତି ଯଥେଷ୍ଟ ସମ୍ମାନ ଦେଇ ସେଗୁଡ଼ିକୁ ବିକଶିତ କରାଇବାରେ ସହଯୋଗୀ ହେବା ଉଚିତ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Wednesday, August 29, 2018

ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବାସ୍ତବ ଶିକ୍ଷା: ଦାବୀ ଓ ଦାୟିତ୍ୱ'

ଅନୁବାଦକ - ଚିତ୍ତରଞ୍ଜନ ଦାସ


ମାନ୍ଦ୍ରାଜ ବନ୍ଦରଠାରେ ୧୮୯୫ରେ ଉତ୍ତୋଳିତ ସାଧାରଣ ଲୋକଙ୍କର ଆଲୋକଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମୁଁ ବ୍ରିଟିଶ ଗଭର୍ଣ୍ଣମେଣ୍ଟଙ୍କ ସହ ସହଯୋଗ କରୁ ଅଛି, କାରଣ ମୋର ବିଶ୍ୱାସ ଯେ, ବ୍ରିଟିଶ୍ ସାମ୍ରାଜ୍ୟର ପ୍ରତ୍ୟେକ ପ୍ରଜା ସହିତ ସମାନ ଅଂଶୀଦାର ହେବାକୁ ଦାବୀ କରିବା ମୋ ପକ୍ଷରେ ସମ୍ଭବପର ଅଟେ । ଆଜି ମୁଁ ସେହି ସମାନ ଅଂଶୀଦାରପଣ ଦାବୀ କରୁ ଅଛି । ମୁଁ ଗୋଟିଏ ପରାଧୀନ ଜାତିର ଅନ୍ତର୍ଗତ ନୁହେଁ । ମୁଁ ନିଜକୁ କୌଣସି ପରାଧୀନ ଜାତିର ଜଣେ ସଦସ୍ୟ ବୋଲି କହେ ନାହିଁ । 

ଆଉ ଗୋଟିଏ କଥା ଅଛି । ବ୍ରଟିଶ୍ ଶାସକବର୍ଗ ଆପଣମାନଙ୍କୁ ଏହା ଦେଇ ପକାଇବେ ନାହିଁଆପଣମାନଙ୍କୁ ତାହା ଅର୍ଜନ କରିବାକୁ ପଡ଼଼ିବ । ମୁଁ ସେ ଜିନିଷ ଚାହେଁ, ଏବଂ ହାସଲ କରି ପାରେ । ମୋର ଦାୟିତ୍ୱଗୁଡ଼ିକ ତୁଲାଇ ମୁଁ ତାହା ଦାବୀ କରିବାକୁ ଚାହେଁ । ମ୍ୟାକ୍‌ସମୁଲର ଆମକୁ କହିଛନ୍ତି - ଅବଶ୍ୟ ଆମର ଧର୍ମର ବାଖ୍ୟା କରିବା ପାଇଁ ମ୍ୟାକ୍‌ସମୁଲରଙ୍କ ସାହାଯ୍ୟ ଲୋଡ଼ା ନାହିଁ ଓ ଆମ ଧର୍ମର ମୂଳମନ୍ତ୍ର ହେଉଛି “ଦା-ୟି-ତ୍ୱ" ଏବଂ “ଦା-ବୀ" ନୁହେଁ । 

ଯଦି ଆପଣମାନେ ବିଶ୍ୱାସ କରନ୍ତି ଯେ, ଦାୟିତ୍ୱ ତୁଳାଇବା ଦ୍ୱାରା ଆମେ ସମସ୍ତ ଦାବୀ ହାସଲ କରି ପାରିବୁଁ, ତେବେ ନିଜର ଦାୟିତ୍ୱ କଥା ସବୁବେଳେ ଚିନ୍ତା କରନ୍ତୁ ଏବଂ ସେହି ଦୃଷ୍ଟିରୁ ସଙ୍ଗ୍ରାମ କରନ୍ତୁ । କାହାରିକୁ ଆପଣମାନଙ୍କର ଭୟ ନ ଥିବ, କେବଳ ଭଗବାନଙ୍କୁ ଆପଣମାନେ ଭୟ କରିବେ । 

ସେହି ବାଣୀ, ମୋର ଗୁରୁ, ଯଦି ଅନୁମତ ଦିଅନ୍ତି ତେବେ ମୁଁ କହିପାରେ, ଆପଣମାନଙ୍କର ମଧ୍ୟ ଗୁରୁ, ଶ୍ରୀଯୁକ୍ତ ଗୋଖଲେ ଆମ୍ଭମାନଙ୍କୁ ଦେଇ ଅଛନ୍ତି । ସେ ବାଣୀ କଅଣ ? ତାହା ଭାରତ-ସେବକ-ସମାଜର ବିଧାନରେ ରହିଛି ଏବଂ ମୋ ଜୀବନରେ ମୁଁ ଏହି ବାଣୀ ଦ୍ୱାରା ପରିଚାଳିତ ହେବାକୁ ଇଚ୍ଛାକରେ । ଦେଶର ରାଜନୈତିକ ଜୀବନ ଓ ରାଜନୈତିକ ଅନୁଷ୍ଠାନ ଗୁଡ଼ିକୁ ଆଧ୍ୟାତ୍ମିକତା ଦ୍ୱାରା ଅନୁପ୍ରାଣିତ କରିବାକୁ ଏହି ବାଣୀ ଆମ୍ଭମାନଙ୍କୁ ଶିକ୍ଷା ଦେଉଛି । 

ତାହାକୁ ଆଚରଣରେ ଉପଲବ୍‌ଧ କରିବା ନିମିତ୍ତ ଆମ୍ଭମାନଙ୍କୁ ଅବିଳମ୍ୱେ ଲାଗିପଡ଼ିବା ଉଚିତ । ଛାତ୍ରମାନେ ରାଜନୀତିରୁ ଦୂରରେ ରହି ପାରିବେ ନାହିଁ । ଧର୍ମ ଯେପରି ଅତ୍ୟାବଶ୍ୟକ, ରାଜନୀତି ସେମାନଙ୍କ ପକ୍ଷରେ ସେହି ପରି ଅତ୍ୟାବଶ୍ୟକ ଅଟେ । ଧର୍ମରୁ ରାଜନୀତିକୁ ଅଲଗା କରିହେବ ନାହିଁ । ତଥାପି ମୋର ହୃଦୟର ଅନ୍ତରତମ ପ୍ରଦେଶରେ ଯେଉଁ ଆଲୋଡ଼ନ ହେଉଅଛି, ତାହାକୁ ହିଁ ମୁଁ ଆପଣମାନଙ୍କୁ ଜଣାଇ ପାରେ । 

ଦକ୍ଷିଣ ଆଫ୍ରିକାରେ ମୋର ଅନୁଭୂତି ବଳରେ ମୁଁ କହିପାରେ ଯେ, ଆପଣମାନଙ୍କର ଯେଉଁ ଦେଶବାସୀମାନେ ଆଧୁନିକ ସଭ୍ୟତା ପାଇ ନ ଥିଲେ, ମାତ୍ର ଯେଉଁମାନେ ପ୍ରାଚୀନ ଋଷିମାନଙ୍କର ଶକ୍ତି ଲାଭ କରି ଥିଲେ, ଋଷିମାନଙ୍କର ତପଶ୍ଚର୍ଯା ଉତ୍ତରାଧିକାରରେ ପାଇ ଥିଲେ, ଇଂରାଜୀ ସାହିତ୍ୟର ଧାର ଧାରୁ ନ ଥିଲେ ଏବଂ ବର୍ତ୍ତମାନ ଆଧୁନିକ ସଂସ୍କୃତିର ବିନ୍ଦୁବିସର୍ଗ ଜାଣି ନ ଥିଲେ, ସେହିମାନେ ନିଜର ଶକ୍ତିର ପରାକାଷ୍ଠା ଦେଖାଇ ପାରିଥିଲେ । ଯାହା ଦକ୍ଷିଣ ଆଫ୍ରିକାର ଆମ୍ଭମାନଙ୍କର ଅଶିକ୍ଷିତ ଓ ନିରକ୍ଷର ଲୋକମାନଙ୍କ ପକ୍ଷରେ ସମ୍ଭବ ହୋଇ ପାରିଛିତାହା ଆଜି ଆମର ଏହି ପବିତ୍ର ଭୂମିରେ ଆପଣମାନଙ୍କ ଓ ମୋ ପକ୍ଷରେ ଦଶଗୁଣ ସମ୍ଭବ ହୋଇ ପାରିବ । ସେହି ସୌଭାଗ୍ୟ ଆପଣମାନଙ୍କର ହେଉ ଏବଂ ମୋର ହେଉ, ଏହା ମୁଁ କାମନା କରୁ ଅଛି ।

ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବାସ୍ତବ ଶିକ୍ଷା'

ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୯୪୦ ମସିହାରେ ମାନ୍ଦ୍ରାଜର ମୈଲାପୁର ଅଞ୍ଚଳର ଦୃଶ୍ୟ (ୱିକିମିଡିଆ କମନ୍ସ୍)


ମାନ୍ଦ୍ରାଜର ତଥା ସାରା ଭାରତର ଛାତ୍ରଗଣ ! ଆପଣମାନେ ଯେଉଁ ଶିକ୍ଷା ପାଉଛନ୍ତି ,ତାହା ଆପଣମାନଙ୍କୁ ସେହି ଆଦର୍ଶ ଉପଲବ୍‌ଧ କରିବା ପାଇଁ ଯୋଗ୍ୟ ହେବାକୁ ସାହାଯ୍ୟ କରିବି କି ? ଯେଉଁ ଶିକ୍ଷା ଦ୍ୱାରା ଆପଣମାନଙ୍କର ସର୍ବୋତ୍ତମ ବିକାଶ ହେବ, ଏ କଅଣ ସେହି ଶିକ୍ଷା ? ନା ସରକାରୀ କର୍ମଚାରୀ ବା ବ୍ୟବସାୟ ବାଣିଜ୍ୟ ଅଫିସରେ କିରାଣୀ ପ୍ରସ୍ତୁତ କରିବାର ଏହା ଏକ କାରଖାନା ? ସରକାରୀ ବା ବେସରକାରୀ ବିଭାଗରେ ଚାକିରୀ ପାଇବା କଅଣ ଆପଣମାନଙ୍କର ଶିକ୍ଷାର ଲକ୍ଷ୍ୟ ହୋଇଥାଏ ଏବଂ ଆପଣମାନେ ନିଜ ସମ୍ମୁଖରେ ସେହି ଲକ୍ଷ୍ୟ ରଖିଥା'ନ୍ତି, ତେବେ ମୁଁ ଅନୁଭବ ଓ ଆଶଙ୍କା କରୁଅଛି ଯେ, କବି ଯେଉଁ ସ୍ୱପ୍ନର ଚିତ୍ର ଆଙ୍କିଯାଇଛନ୍ତି, ତାହା ଆପଣମାନେ ଉପଲବ୍‌ଧ କରି ପାରିବେ ନାହିଁ । 

ଆପଣମାନେ ସମ୍ଭବତଃ ମୋ ଠାରୁ ଶୁଣି କିମ୍ୱା ମୋ ଲେଖା ପଢ଼ି ଜାଣିଥିବେ ଯେ, ମୁଁ ଆଧୁନିକ ସଭ୍ୟତାର ଘୋର ବିରୋଧୀ ହୋଇ ଆସି ଅଛି ଏବଂ ବର୍ତ୍ତମାନ ମଧ୍ୟ ଅଟେ । ଇଉରୋପରେ ବର୍ତ୍ତମାନ ଯାହା ଘଟୁଛି, ସେଥି ପ୍ରତି ମୁଁ ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରୁ ଅଛି । ବର୍ତ୍ତମାନ ଇଉରୋପ ସେହି ସଭ୍ୟତାର ଚାପରେ ଆର୍ତ୍ତନାଦ କରୁ ଅଛି ବୋଲି ସିଦ୍ଧାନ୍ତରେ ଯଦି ଆପଣାମାନେ ଉପନୀତ ହୋଇଥା'ନ୍ତି ତେବେ ଆପଣମାନଙ୍କୁ ଓ ଆପଣମାଙ୍କର ଗୁରୁଜନମାନଙ୍କୁ ଆମ ମାତୃଭୂମିରେ ସେହି ସଭ୍ୟତାକୁ ଅନୁକରଣ କରିବା ପୂର୍ବରୁ ଭଲ ରୂପେ ଚିନ୍ତା କରିବାକୁ ପଡ଼ିବ । 

ମୁଁ ଅନେକ ଥର ଶୁଣିଛି, “ଆମର ଶାସକବର୍ଗ ଆମ ମାତୃଭୂମିକୁ ସେହି ସଂସ୍କୃତି ବୋହି ଆଣିଥିବା ବେଳେ ଆମ୍ଭେମାନେ ତାକୁ କିପରି ଏଡ଼ି ପାରିବୁ? “ ଏ ବିଷୟରେ ଆଦୌ ଭୁଲ କରନ୍ତୁ ନାହିଁ । ମୁହ୍ୱର୍ତ୍ତକ ପାଇଁ ମୁଁ ବିଶ୍ୱାସ କରେ ନାହିଁ ଯେ, ଯଦି ଆପଣମାନେ ସେହି ସଂସ୍କୃତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥାଆନ୍ତି, ତେବେ କୌଣସି ଶାସକ ତାକୁ ଆଣି ପାରିବେ । ଯଦି ପ୍ରକୃତରେ ଶାସକମାନେ ସେହି ସଂସ୍କୃତିକୁ ଆମ ପାଖକୁ ଆଣୁଛନ୍ତିତେବେ ସେହି ଶାସକମାନଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ଆମ୍ଭମାନଙ୍କ ମଧ୍ୟରେ ଯଥେଷ୍ଟ ଶକ୍ତି ଅଛି, ମୁଁ ଭାବେ । [କରତାଳ] 

ମୁଁ ଅନେକ ସଭାରେ କହିଛି ଯେ, ବ୍ରିଟିଶ୍ ଜାତି ଆମ ସହିତ ଅଛନ୍ତି । ସେ ଜାତି କାହିଁକି ଆମ ସହିତ ଅଛନ୍ତି, ତାହାର କାରଣ କହିବାକୁ ମୁଁ ଚାହୁଁ ନାହିଁ । ଆମର ସୁଯୋଗ୍ୟ ସଭାପତି ମହାଶୟ ଯେଉଁ ଋଷିମାନଙ୍କର ପରମ୍ପରା ବିଷୟ ବର୍ଣ୍ଣନା କରିଛନ୍ତି, ତଦନୁସାରେ ଯଦି ଭାରତ ଚଳେ, ତାହା ହେଲେ ରକ୍ତପାତ ନ କରି, ମାତ୍ର ଆଧ୍ୟାତ୍ମିକ ଆଧିକ୍ୟର ବଳରେ ବିଜେତାକୁ ଜୟ କରିବାର ସୌଭାଗ୍ୟ ଆପଣମାନଙ୍କର ଘଟିବ । 

ଭାରତର ବର୍ତ୍ତମାନ ଯାହା ସବୁ ଘଟୁଛି, ତାହା ଯେତେବେଳେ ମୁଁ ବିଚାର କରେ, ସେତେବେଳେ ରାଜନୈତିକ ହତ୍ୟା ଓ ଡକାୟତି ବିଷୟରେ ମତବ୍ୟକ୍ତ କରିବା ଆମ୍ଭମାନଙ୍କର ଆବଶ୍ୟକ ବୋଲି ମୁଁ ଭାବେ । ମୁଁ ଅନୁଭବ କରେ ଯେ, ଏ ସବୁ ସମ୍ପୂର୍ଣ୍ଣ ରୂପେ ବିଦେଶରୁ ଆମଦାନୀ ହୋଇଛି ଏବଂ ଏ ଭୂମିରେ ତାହା ଚେର ଧରି ପାରିବ ନାହିଁ । କିନ୍ତୁ ଆପଣମାନେ ଛାତ୍ର-ଜଗତ, ସତର୍କ ରହିବେ, ଯେପରିକି ଏ ଧରଣର ସନ୍ତ୍ରାସବାଦରୁ ତିଳେ ସୁଦ୍ଧା ମାନସିକ ବା ନୈତିକ ସମର୍ଥନ ନ ଦିଅନ୍ତି । 

ମୁଁ ଜଣେ ନିଷ୍କ୍ରିୟ ପ୍ରତିରୋଧୀ ଭାବରେ ଆଉ ଗୋଟିଏ ଉଲ୍ଲେଖଯୋଗ୍ୟ ଜିନିଷ ଦେବି । ନିଜକୁ ଭୟଭୀତ ନ କରାନ୍ତୁ, ନିଜର ହୃଦୟମନ୍ଥନ କରନ୍ତୁ । ଯେଉଁଠି ଅତ୍ୟାଚାର ଦେଖୁଛନ୍ତି, ସେଠାରେ ସବୁମତେ ପ୍ରତିରୋଧ କରନ୍ତୁ । ଆପଣମାନଙ୍କର ସ୍ୱାଧୀନତା ଉପରେ ହସ୍ତକ୍ଷେପ ହେଲେ ସବୁମତେ ତାହାର ପ୍ରତିରୋଧ କରନ୍ତୁ । ମାତ୍ର ଉତ୍ପୀଡକର ରକ୍ତପାତ କରନ୍ତୁ ନାହିଁ । ଆମ ଧର୍ମ ଅନ୍ୟର ରକ୍ତପାତ କରିବାକୁ ଶିକ୍ଷା ଦିଏ ନାହିଁ । ଆମର ଧର୍ମ ଅହଂସା ଉପରେ ପ୍ରତିଷ୍ଠିତସେହି ଅହିଂସା ତାହାର ପ୍ରକ୍ରିୟା ରୂପରେ ପ୍ରେମ ବ୍ୟତୀତ ଆଉ କିଛି ନୁହେଁ; କେବଳ ଆପଣମାନଙ୍କର ପ୍ରତିବେଶୀ ପ୍ରତି, ବନ୍ଧୁମାନଙ୍କ ପ୍ରତି ପ୍ରେମ ନୁହେଁ - ମାତ୍ର ଯେଉଁମାନେ ଆପଣାମାନଙ୍କର ଶତୃ ହୋଇ ପାରନ୍ତି, ସେମାନଙ୍କ ପ୍ରତି ସୁଦ୍ଧା ପ୍ରେମ ।

ସେହି ବିଷୟରେ ଆଉ ପଦେ । ଯଦି ଆମେ ସତ୍ୟ ଆଚରଣ କରୁ, ଅହିଂସା ଆଚରଣ କରୁଁ, ତେବେ ଆମେ ଅବିଳମ୍ୱେ ଉପଲବ୍‌ଧ କରିବୁଁ ଯେ, ଆମେ ନିର୍ଭୀକତା ମଧ୍ୟ ଆଚରଣ କରୁଁଆମ୍ଭମାନଙ୍କ ମତରେ ଯଦି ଆମର ଶାସକମାନଙ୍କର କାର୍ଯ୍ୟ ଅନ୍ୟାୟ ହୁଏସେମାନଙ୍କୁ ଉପଦେଶ ଦେବାକୁ ଆମେ ଯଦି କର୍ତ୍ତବ୍ୟ ଭାବୁଁ ଏବଂ ସେମାନଙ୍କ ଦ୍ୱାରା ଯଦି ତାହା ରାଜଦ୍ରୋହ ରୂପେ ବିବେଚିତ ହୁଏ, ତେବେ ଆପଣମାନେ ନିଜକୁ ବିପଦ ମୁଣ୍ଡାଇ ସେହି ପରିଣାମ ଭୋଗ କରିବାକୁ ପ୍ରସ୍ତୁତ ହୋଇଯିବେ ଏବଂ ବିପକ୍ଷ ସହିତ ଲଢ଼ିବାରେ କୌଣସି ଅସତ୍ ଉପାୟ ଅବଲମ୍ୱନ କରିବେ ନାହିଁ, ତେବେ ସରକାର ଯେ ଆପଣମାନଙ୍କର ପରାମର୍ଶ ଶୁଣନ୍ତୁ, ଏ ଦାବୀ ସାବ୍ୟସ୍ତ କରି ସାରି ଥିବେ ମୁଁ ଏହା ଭାବେ ।

Monday, August 27, 2018

ଅଜାତଶତୃ

କେଦାରନାଥ ମହାପାତ୍ର

ଅଜାତଶତୃଙ୍କର ରାଜ୍ୟର ବିସ୍ତୃତି (ଇଷତ ନୀଳ ରଙ୍ଗରେ ରଞ୍ଜିତ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବିମ୍ୱିସାରଙ୍କୁ ମାରି ତାଙ୍କର ପୁତ୍ର ଅଜାତଶତୃ ମଗଧର ସିଂହାସନ ଅଧିକାର କରି ଥିବାର ଜଣାଯାଏ । ସେ ପ୍ରସେନଜିତ୍‌ଙ୍କୁ ଯୁଦ୍ଧରେ ପରାସ୍ତ କରି କୋଶଳ ରାଜ୍ୟ ଜୟ କରିଥିଲେ ଓ ତାଙ୍କର କନ୍ୟାକୁ ବିବାହ କରି ଥିଲେ । ପ୍ରସେନଜିତ୍‌ଙ୍କ ମୃତ୍ୟୁ ପରେ କୋଶଳ ରାଜ୍ୟ ଦୁର୍ବଳ ହୋଇ ପଡିଲା । ସେ ଗଙ୍ଗାର ଉତ୍ତର ତୀରବର୍ତ୍ତୀ ମିଥିଳା ରାଜ୍ୟର ଲିଚ୍ଛାବିଗଣଙ୍କୁ ପରାସ୍ତ କରି ଥିଲେ । ସେ ନିଜ ରାଜ୍ୟର ସୁରକ୍ଷା ପାଇଁ ଗଙ୍ଗା ଓ ସୌଣ ନଦୀର ମିଳନ ସ୍ଥାନରେ ଗୋଟିଏ ସୁଦୃଢ଼ ଦୁର୍ଗ ନିର୍ମାଣ କରି ଥିଲେ । ଏହାର ନାମ ପରେ ପାଟଳୀପୁତ୍ର ହେଲା । 

ସେ ଶିଶୁନାଗ ବଂଶର ଶ୍ରେଷ୍ଠ ରାଜା । ସେ ପିତାଙ୍କ ପରି ବୌଦ୍ଧଧର୍ମ ଗ୍ରହଣ କରିଥିବାର ଅନୁମାନ କରା ଯାଏ । ତାଙ୍କ ସମୟରେ ମଗଧ ରାଜ୍ୟ ଛୋଟନାଗପୁରଠାରୁ ଉତ୍ତରରେ ହିମାଳୟ ପର୍ଯ୍ୟନ୍ତ ବିସ୍ତୃତ ହୋଇ ଥିଲା । ଅଜାତଶତୃଙ୍କ ପରେ ତାଙ୍କ ପୁତ୍ର ଉଦୟ ବା ଉଦୟୀ ମଗଧର ରାଜା ହେଲେ । ସେ ଗଙ୍ଗା ଓ ସୋଣ ନଦୀର ସଙ୍ଗମ ସ୍ଥଳରେ ପିତାଙ୍କ ଦ୍ୱାରା ନିର୍ମିତ ଦୁର୍ଗ ନିକଟରେ କୁସୁମପୁର ବା ପାଟଳୀପୁତ୍ର ନଗର ପ୍ରତିଷ୍ଠା କରିଥିଲେ ।

ସେହି ସମୟରୁ ପାଟଳୀପୁତ୍ର ଉତ୍ତର ଭାରତର ଗୋଟିଏ ପ୍ରସିଦ୍ଧ ସ୍ଥାନ ହେଲା । ଏହାର ଆଧୁନିକ ନାମ ପାଟନା । ତାଙ୍କ ପରେ ଏହି ବଂଶ କ୍ରମଶଃ ଦୁର୍ବଳ ହୋଇ ପଡ଼ିଲା ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Sunday, August 26, 2018


ଓଡ଼ିଶାର ମଧ୍ୟ ପାର୍ବତ୍ୟାଞ୍ଚଳ

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ବ୍ରିଟିଶ ଅମଳର ଓଡ଼ିଶା ସମେତ କିଛି ପୂର୍ବ ଭାରତୀୟ ପ୍ରାନ୍ତର ମାନଚିତ୍ର
'ଓଡ଼ିଶା ଷ୍ଟେଟସ୍' ବୋଲି ଅଙ୍କିତ ଅଞ୍ଚଳ ପ୍ରାୟତଃ ଓଡ଼ିଶାର ମଧ୍ୟ ପାର୍ବତ୍ୟାଞ୍ଚଳର ଅଂଶ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଆକାର ଦୃଷ୍ଟିରୁ ଏହି ପାର୍ବତ୍ୟାଞ୍ଚଳ ବର୍ତ୍ତମାନ ଓଡ଼ିଶାର ତିନିଚତୁର୍ଥାଂଶ ମାଡ଼ି ବସି ଥିବାରୁ, ଏହା ହିଁ ରାଜ୍ୟର ଅର୍ଥନୈତିକ ମାନ ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ଅଂଶ ଭାରତୀୟ ଉପଦ୍ୱୀପର ଏକ ଅଂଶବିଶେଷ ଏବଂ ପୂର୍ବଘାଟ ପର୍ବତମାଳାର ଉତ୍‌ଥାନ ପୂର୍ବରୁ ଏହା ପଶ୍ଚିମରୁ ପୂର୍ବଆଡ଼କୁ ଢାଲୁ ଅବସ୍ଥାରେ ଥିଲା । ତାହା ପୂର୍ବରୁ ଉଭୟେ ପ୍ରାୟ ସମାନ ସ୍ତରରେ ଥିଲେ । ଏହି ଅଞ୍ଚଳର ନଦୀ ବିନ୍ୟାସ ପୂର୍ବଘାଟଠାରୁ ଅଧିକ ପ୍ରାଚୀନ ଏବଂ ସେହି ଅନୁବର୍ତ୍ତୀ ନଦୀଗୁଡ଼ିକ ରାଜ୍ୟର ଭୂପ୍ରକୃତି ଅନୁସାରେ ଉତ୍ତର-ପଶ୍ଚିମ ଉତ୍ତର ଠାରୁ ଦକ୍ଷିଣ-ପୂର୍ବ ଦକ୍ଷିଣମୁଖୀ ହୋଇଛନ୍ତି । ପୂର୍ବସ୍ଥିତି ଚେଉଢେଉକା ପ୍ରାଚୀନ ଭୂପୃଷ୍ଠ ଏକ ପରିଣତ ଜଳ ନିଷ୍କାସନ ପ୍ରଣାଳୀ ଦ୍ୱାରା ଧୌତ ହେଉଥିଲା । କଟକର ଉତ୍ତରପଶ୍ଚିମ ଦିଗରେ ଥିବା ନିମ୍ନ ଗଣ୍ତୱାନା ଭୂଅଂଶର ଏହା ପରିବର୍ତ୍ତନ । 

ଆରିବୀୟ ଯୁଗରେ ଭାରତର ପୂର୍ବଉପକୂଳ ସହିତ ସମାନ୍ତରାଳ ହୋଇ ଛୋଟନାଗପୁର ମାଳଭୂମିଠାରୁ ଆରମ୍ଭ କରି କେନ୍ଦୁଝରଢେଙ୍କାନାଳ, ସମ୍ୱଲପୁରର କିଛି ଅଂଶ ଫୁଲବାଣୀ ଉତ୍ତର-ଗଞ୍ଜାମ, କଳାହାଣ୍ତି ଏବଂ କୋରାପୁଟ ଜିଲ୍ଲା ସହିତ ଏହି ଅଂଶ ଏକ ଭୂ-ଭତ୍ତୋଳନ ପ୍ରକ୍ରିୟା ଦେଇ ଗତି କରିଥିଲା । ଏହା ମଧ୍ୟ ତାମିଲନାଡ଼ୁ ପର୍ଯ୍ୟନ୍ତ ବିସ୍ତୃତ ହୋଇ ଥିଲା । ପରିଣାମରେ ପ୍ରାଚୀନ ପରିଣତ ଭୂପୃଷ୍ଠ ୩୦୦ ମି. ପର୍ଯ୍ୟନ୍ତ ଉପରକୁ ଉଠି ଆସିଥିଲା । 

ଓଡ଼ିଶାର ପ୍ରାୟ ସମସ୍ତ ପ୍ରମୁଖ ନଦୀମାନେ ପରିବର୍ତ୍ତନର ଏଇ ଝଡ଼ର ସମ୍ମୁଖୀନ ହେବାକୁ ସମର୍ଥ ହୋଇ ସେମାନଙ୍କର ଉତ୍ତର ଉତ୍ତର-ପଶ୍ଚିମରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଆଡ଼େ ଗତି ବଜାଇ ରଖି ପାରି ଥିଲେ । ନଦୀଗୁଡ଼ିକ ଏହି ୩୦୦ ମି. ସମୋଚ୍ଚରେଖାକୁ ଯଥାଯଥ ଭାବରେ ଅତିକ୍ରମ କରି ପାରି ଥିବାରୁ ହିଁ ଏହା ସମ୍ଭବ ହୋଇ ଥିଲା । ଯେତେଦୂର ସମ୍ଭବ ଏହି ଭୂତ୍ତୋଳନ ପୂର୍ବରୁ ମହାନଦୀର ଦକ୍ଷିଣ-ପଶ୍ଚିମ ବା ଉତ୍ତର-ପୂର୍ବରୁ ପ୍ରବାହିତ ହେଉଥିବା ଉପନଦୀଗୁଡ଼ିକର ଅସ୍ତିତ୍ୱ ନ ଥିଲା । ଏହି ଉତ୍ତୋଳିତ ମାଳଭୂମି ନୂତନ ସ୍ଥିତିରେ ଗଭୀର ଭାବରେ ଧୋଇ ଯିବାକୁ ଲାଗିଲା । ଏହି ଅଞ୍ଚଳ ପୁଣି ଆଉ ଦୁଇଟି ଭୂତ୍ୱକୀୟ ଉତ୍ତୋଳନର ସମ୍ମୁଖୀନ ହେବାରୁ ଭୂପୃଷ୍ଠ ପ୍ରଥମେ ୬୦୦ ମି ଏବଂ ପରେ ୯୦୦ ମି. ପର୍ଯ୍ୟନ୍ତ ଉପରକୁ ଉଠିଯାଇଥିଲା ।
ନଦୀଶଯ୍ୟାଗୁଡ଼ିକ ମଧ୍ୟ ଏହି ଭଳି ୩୦୦ ମି.ରୁ ୬୦୦ ମି. ପର୍ଯ୍ୟନ୍ତ ଉପରକୁ ଉଠି ଯାଇ ଥିଲା । ଫଳରେ ଓଡ଼ିଶାର କେନ୍ଦ୍ର ଭାଗରେ ଏକ ଜଳଛାୟା ଅଞ୍ଚଳ ସୃଷ୍ଟି ହୋଇ ଗଲା । ପୁରୁଣା ନଦୀମାନେ ସେମାନଙ୍କର ଉତ୍ପତ୍ତିସ୍ଥଳରୁ ବିଚ୍ଛିନ୍ନ ହୋଇ ଗଲେ । ତେବେ ବ୍ରାହ୍ମଣୀ ଏବଂ ମହାନଜୀଭଳି କେତେକ ପ୍ରମୁଖ ନଦୀ ଏହି ଉତ୍ତୋଳନ ସତ୍ତ୍ୱେ ସେମାନଙ୍କର ପୁରୁଣା ଗତିପଥକୁ ବଜାୟ ରଖିଲେ । ଦେବଗଡ଼ର ଉତ୍ତରରେ ଥିବା ଉପର ବ୍ରାହ୍ମଣୀର ଗଭୀର ଉପତ୍ୟକା ହେଉଛି ଏହାର ପ୍ରମାଣ । 

ପରିବର୍ତ୍ତିତ ନଦୀଗୁଡ଼ିକ ହେଉଛନ୍ତି ବୁଢାବଳଙ୍ଗବୈତରଣୀଋଷିକୂଲ୍ୟା ,ବଂଶଧାରା ଏବଂ ନାଗାବଳୀ । ଏହି ଉତ୍ତୋଳନ ପରେ ପରେ ମହାନଦୀର ଦୁଇ ଶାଖା ଲବ୍ ଏବଂ ତେଲ ପୂର୍ବଘାଟର ପଶ୍ଚିମ ଢାଲୁରେ ଆତ୍ମପ୍ରକାଶ କଲେ ଏବଂ ଉତ୍ତୋଳିତ ଭୂଖଣ୍ତର ଢାଲୁକୁ ଅନୁସରଣ କରି ପ୍ରବାହିତ ହେଲେ । ବ୍ରାହ୍ମଣୀର ଦୁଇଟି ଉପନଦୀ ଶଙ୍ଖ ଓ କୋଏଲ ବୈତରଣୀ ନଦୀର ଉତ୍ତର ପୂର୍ବ ଦକ୍ଷିଣ ପଶ୍ଚିମ ଦିଗରେ ବହିବାକୁ ଲାଗିଲେ । ମହାନଦୀର ଉପନଦୀ ତେଲ ଋଷିକୂଲ୍ୟା, ବଂଶଧାରା, ଏବ‌ଂ ନାଗାବଳୀ ନଦୀଗୁଡ଼ିକୁ ଅପହରଣ କଲା ଏବଂ ଏହା ଦକ୍ଷିଣ ପଶ୍ଚିମରୁ ଉତ୍ତରପୂର୍ବ ଆଡ଼କୁ ପ୍ରବାହିତ ହୋଇ ସୋନପୁରଠାରେ ମହାନଦୀରେ ପଡ଼ିଲା । ଏଣୁ ତେଲ, ଇବ, କୋଏଲ ଏବଂ ଶଙ୍ଖ ପ୍ରଭୃତି ନଦୀମାନେ ପୂର୍ବ ସୂଚିତ ପ୍ରମୁଖ ନଦୀମାନଙ୍କର ପରେ ସୃଷ୍ଟି ହୋଇଛନ୍ତି । 

ପୂର୍ବ ଘାଟର ଉତ୍ତୋଳନ ପର୍ବ ତିନି ପର୍ଯ୍ୟାୟରେ ହୋଇଛି । ଭାରତୀୟ ଭୂତାତ୍ତ୍ୱିକ ସର୍ଭେ ଏହାର ବୃଦ୍ଧିକୁ ଯେଉଁଭଳି ଦ୍ୱିସ୍ତରୀୟ ବୋଲି ଉଲ୍ଲେଖ କରିଛନ୍ତି, ଏହା ସତ୍ୟ ନୁହେଁ । କିମ୍ୱା ଶେଷ ଦୁଇ ପର୍ଯ୍ୟାୟରେ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରହି ଥିଲା ଏବଂ ଏହାକୁ ଏକ ସ୍ୱତନ୍ତ୍ର ପର୍ଯ୍ୟାୟ ରୂପେ ଗ୍ରହଣ କରି ନିଆ ଯାଇ ପାରେ । ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ପ୍ରସ୍ଥଚ୍ଛେଦ ଅଙ୍କନ କରି ଉତ୍ତୋଳନର ଏହି ତ୍ରିସ୍ତରୀୟ ସମ୍ଭାବନା କଥା କୁହା ଯାଇଛି । ପ୍ରତ୍ୟେକ ପ୍ରସ୍ଥଚ୍ଛେଦରୁ ୯୦୦୬୦୦ ଏବଂ ୩୦୦ ମି. ଉଚ୍ଚତାକୁ ନଦୀଗୁଡ଼ିକର ଉତ୍ପତ୍ତିସ୍ଥଳ ବୋଲି ପ୍ରମାଣ କରିଛି । ଏଥିରୁ ପ୍ରକୃତ ପ୍ରାଥମିକ ସ୍ତର ସମ୍ପର୍କରେ ମଧ୍ୟ ସୂଚନା ମିଳୁଛି ।

ପ୍ରତ୍ୟେକ ନଦୀ ଯେଉଁମାନେ କି ନିଜର ଉତ୍ପତ୍ତିସ୍ଥଳ ଠାରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି - ସେମାନଙ୍କର ମୁହାଣଗୁଡ଼ିକର ଆକାର ସେମାନଙ୍କର ଅବବାହିକା ତୁଳନାରେ ବଡ଼ ବୋଲି ଜଣାପ ଡ଼ୁଛି । କାରଣ, ବିଚ୍ଛିନ୍ନ ହେବାର ପରବର୍ତ୍ତୀ ଅବସ୍ଥାରେ ସେଗୁଡ଼ିକ ସଙ୍କୁଚିତ ହୋଇ ଯାଇ ଅଛନ୍ତି । ତେବେ ଏଇ ଅନୁମାନକୁ ପ୍ରମାଣ କରିବାକୁ ହେଲେ ଆହୁରି ଗଭୀର ଅନୁଧ୍ୟାନ ଆବଶ୍ୟକ ।

ଭୂ ଉତ୍ତୋଳନର ପର୍ଯ୍ୟାୟ ଏବଂ ଉତ୍ପତ୍ତିସ୍ଥଳ ବିଚ୍ଛିନ୍ନ

ନଦୀ
ଉତ୍ପତ୍ତିସ୍ଥଳଠାରୁ ବିଚ୍ଛିନ୍ନହେବା ସମୟରେ ଉତ୍ତୋଳନର ପର୍ଯ୍ୟାୟ
ମିଟର
ବୁଢ଼ାବଳଙ୍ଗ
ଦ୍ୱିତୀୟ
୪୫୦-୬୦୦
ବୈତରଣୀ
ତୃତୀୟ
୬୦୦-୯୦୦
ଋଷିକୂଲ୍ୟା
ତୃତୀୟ
୬୦୦-୯୦୦
ବଂଶଧାରା
ତୃତୀୟ
୬୦୦-୯୦୦
ନାଗାବଳୀ
ତୃତୀୟ
୬୦୦-୯୦୦

ଗଠନତତ୍ତ୍ୱ ଦୃଷ୍ଟିରୁ ମଧ୍ୟପାର୍ବତ୍ୟାଞ୍ଚଳ ନିମ୍ନମତେ ଗୌଣ ବିଭାଗରେ ବିଭକ୍ତ: 

(ଶିମିଳିପାଳ ଏବଂ ମେଘାସନ ପର୍ବତ
(ବୈତରଣୀ ଏବ‌ଂ ବ୍ରାହ୍ମଣୀନଦୀ ମଧ୍ୟବର୍ତ୍ତୀ ମାଙ୍କଡ଼ ନଚା ମଳୟଗିରି ଏବଂ ଗନ୍ଧମାର୍ଦ୍ଦନ ପର୍ବତ
(ବ୍ରାହ୍ମଣୀ ଏବଂ ମହାନଦୀ ମଧସ୍ଥ ଜଳବିଭାଜନ ଅଞ୍ଚଳ
(ମହାନଦୀ ଋଷିକୂଲ୍ୟା ଏବଂ ବଂଶଧାରା ମଧ୍ୟରେ ଥିବା ସାଧାରଣ ଜଳବିଭାଜନ
(ପଟାଙ୍ଗି ଏବଂ ଚନ୍ଦ୍ରଗିରି ପର୍ବତମାଳା 

ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତି, ହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେ, ଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Saturday, August 25, 2018

ବଉଦର ପିଲାଙ୍କ ଖେଳ କଉତୁକ ଗୀତ - 'ଫିକି ଦିଅରେ ନିନିକେ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


୧୮୪୦ ମସିହାରେ ପ୍ରକାଶିତ ଏସପଙ୍କର ଏକ ଗପର ଅଳଙ୍କରଣ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଫିକି ଦିଅରେ ନିନିକେ ଖତ କୁରକୁ,
କାଉ ନେଇଯିବେ ମାମୁ ଘରକୁ ।

ମାମୁ ବୋଇଲେ ଲୋ କାହାର ଝିଅ
ଖୁଆଇ ପିଆଇ ଘରକୁ ନିଅ । 

ଖିରି ପିଠା କରି ଥାଲିଏ ଦିଅ,
ନାଇଁ ଖାଇଲେ ନିନିକେ କୁନ୍ଦିଏ ଦିଅ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Friday, August 24, 2018

ଗୁରୁଶିଷ୍ୟ - ୩

ଗୋପବନ୍ଧୁ ଦାସ


ନାରାୟଣ ଗୁରୁ (୧୮୫୪-୧୯୨୮) ଙ୍କ ସମ୍ପର୍କିତ ପ୍ରାର୍ଥନା ମନ୍ଦିର
ସେ ଆଧୁନିକ କେରଳର ଆଧ୍ୟାତ୍ମିକ ଓ ସାମାଜିକ ନବଜାଗରଣର ଅନ୍ୟତମ ନିର୍ମାତା
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏତେ ଦିନଯାଏ ତୁମ୍ଭର ପିତାମାତା ସ୍ନେହ ଶାସନରେ ତୁମ୍ଭର ଶରୀରକୁ କେତେକ ପରିମାଣରେ ନିର୍ମାଣ କରି ତୁମ୍ଭର ମନର ପୁଷ୍ଟି ନିମନ୍ତେ ଜ୍ଞାନ ଓ ନୈତିକତାର ବିକାଶ ନିମନ୍ତେ ତୁମ୍ଭଙ୍କୁ ଏହି ବିଦ୍ୟାଳୟକୁ ପଠାଇ ଅଛନ୍ତି । ଏଠାରେ ମଧ୍ୟ ଆସି ତୁମ୍ଭେ ସେହି ସ୍ନେହ ଶାସନରେ ବଢ଼ିବ । ପିଲାଦିନେ କୋରା ଖାଇଥିଲା ବେଳେ ମାତା ଛଡ଼ାଇ ଫିଙ୍ଗି ଦେଲେ ତୁମ୍ଭେ ଯେପରି ବ୍ୟସ୍ତ ହେଉଥିଲ, ଏଠାରେ ମଧ୍ୟ ସେହି ପରି ଗୁରୁ ତୁମ୍ଭଙ୍କୁ ଶାସନ କଲା ବେଳେ ଥରେ ଥରେ ତୁମ୍ଭର ଅସହ୍ୟ ହୁଏ । ସେଥି ପାଇଁ କହୁଥିଲି, ତୁମ୍ଭେ ସେତେବେଳେ ବିଚାର, ଓଃ କି ଦୁଃଖ । କିନ୍ତୁ ବିଚାରି ଦେଖ, ଏହି ଦୁଃଖ ମଧ୍ୟରେ ବିଶ୍ୱବିଧାତାଙ୍କର ସ୍ନେହ ଶାସନ ତୁମ୍ଭର ଜୀବନକୁ ଗଢ଼ୁ ଅଛି । ତୁମ୍ଭର ଭବିଷ୍ୟତ କଲ୍ୟାଣ ନିମନ୍ତେ ଗୁରୁ ସର୍ବଦା ଜାଗ୍ରତ ରହି ତୁମ୍ଭଙ୍କୁ ପଦେ ପଦେ ତିଆରୁ ଅଛନ୍ତି, ଅନନ୍ତ ସ୍ନେହରେ ଶାସନ ମିଶାଇ ତୁମ୍ଭ ଜୀବନର ବିକାଶ କରାଉ ଅଛନ୍ତି । ଯେଉଁଠାରେ ତୁମ୍ଭର ଦୟାମୟ ପିତା ଓ ସ୍ନେହମୟୀ ମାତା ନିଜକୁ ଅକ୍ଷମ ମଣିଲେ, ସେହି ଠାରେ ଗୁରୁଙ୍କର କାର୍ଯ୍ୟ ଆରମ୍ଭ ହେଲା । ଜୀବନରେ ଯେଉଁ ଶାସନ ଯେପରି ବଞ୍ଚାଇ ରଖି ଅଛି, ଏଠାରେ ମଧ୍ୟ ସେହି ଶାସନ ଓ ସେହି ତାଡ଼ନା । ତୁମ୍ଭଙ୍କୁ ଆଗ୍ରହରେ ପିତାମାତାଦିଙ୍କର ଆଦେଶ ଉପଦେଶ ପାଳିଲେ ଯେପରି ତୁମ୍ଭର ମଙ୍ଗଳ ହୁଏ, ଗୁରୁଙ୍କର ଆଦେଶ ଉପଦେଶ ପାଳିଲେ ସେହି ପରି ସହଜରେ ତୁମ୍ଭେ ସୁମନୁଷ୍ୟ ହେବ।

ଏବେ ତୁମ୍ଭେ ଏକ ପ୍ରକାର ବୁଝିଲ, ଗୁରୁ ଶିଷ୍ୟର ସମ୍ୱନ୍ଧ କଅଣ । ପିତାମାତା ତୁମ୍ଭର ଶିଶୁକାଳରୁ ଯେଉଁ କର୍ତ୍ତବ୍ୟ କରି ଆସୁ ଥିଲେ, ଯେତେ ବେଳେ ସେହି କର୍ତ୍ତବ୍ୟ କରିବାକୁ ଅକ୍ଷମ ହେଲେ, ସେତେ ବେଳେ ତୁମ୍ଭର ଭାର ଗୁରୁଙ୍କ ଉପରେ ପଡ଼ିଲା । ପିତାମାତା ଏତେ ଦିନ ତୁମ୍ଭର ଜୀବନର ଭବିଷ୍ୟତ୍ ଦେଖୁ ଥିଲେ, ଦେଖି ତୁମ୍ଭର ଲାଳନପାଳନ କରୁ ଥିଲେ, ଏବେ ଆମ୍ଭଠାରେ ଛାଡ଼ି ଦେଇ ସେମାନେ ଯେପରି କି ନିଶ୍ଚିତ ରହିଲେ । ଅବଶ୍ୟ ମୋହର କହିବାର ଉଦ୍ଦେଶ୍ୟ ନୁହେଁ, ପୃଥିବୀର ସବୁ ପିତାମାତା ବାଳକର ମାନସ ବିକାଶରେ ନିଜକୁ ଅକ୍ଷମ ମଣି ଗୁରୁଙ୍କ ହାତରେ ଛାଡ଼ି ଦିଅନ୍ତି । ତେବେ ଯେଉଁମାନେ ଏଠାକୁ ଆସିଅଛ, ଯେଉଁମାନଙ୍କ ଭାର ଆମ୍ଭେମାନେ ବହନ କରିଅଛୁ ସେହିମାନଙ୍କୁ ମୁଁ ଆଜି ଏହା କହୁ ଅଛି ଏବଂ ପ୍ରାଚୀନ ଭାରତରେ ଆର୍ଯ୍ୟର ଏହା ଚିରନ୍ତନ ବିଧି ଥିଲା । ବାଳକର ମାନସିକ ନୈତିକ ଉନ୍ନତି ନିମନ୍ତେ ପିତାମାତା ତାହାକୁ ଗୁରୁଗୃହକୁ ପ୍ରେରଣ କରୁ ଥିଲେ ।

ତୁମ୍ଭେମାନେ ଏଠାକୁ ଆସି ଅଛ । ତୁମ୍ଭର ପିତାମାତା ଏକପ୍ରକାର ନିଶ୍ଚିନ୍ତ ହୋଇ ଅଛନ୍ତି । ସେ ତୁମ୍ଭମାନଙ୍କୁ ଆମ୍ଭଠାରେ ଅର୍ପଣ କରି ଅଛନ୍ତି । ତୁମ୍ଭେମାନେ ବେଳେବେଳେ ଆଦେଶ, ଉପଦେଶ ଶାସନ ତାଡ଼ନାରେ ବିଚଳିତ ହୁଅ ସତ, କିନ୍ତୁ ଥରେ ଚିକିଏ ଭାବି ବୁଝି ଗଲେ, ଗୁରୁଙ୍କଠାରେ ଆତ୍ମସମର୍ପଣ କରି ନିଶ୍ଚିତ ହେବ । ନିର୍ବିକଳ୍ପ ଭାବରେ ଆମ୍ଭର ଆଦେଶ ଉପଦେଶ ପାଳିବାକୁ ଜୀବନରେ ସୁଖ ମଣିବ । ମାତ୍ର ଗୋଟିଏ କଥା ଫିଟାଇ କହେ । ଏଠାକୁ ଆସି ଗୁରୁଙ୍କଠାରେ ଆତ୍ମସମର୍ପଣ କରି ମଧ୍ୟ ଜୀବନରେ ଶାନ୍ତି ପାଇବ । 

କିନ୍ତୁ ଆମ୍ଭମାନଙ୍କର ଗତି କଅଣ ବାସ୍ତବିକ ତୁମ୍ଭମାନଙ୍କ ମୁହିଁକୁ ଚାହିଁ ଏ ଗୁରୁଦାୟିତ୍ୱ କଥା ଭାବିଲା ବେଳେ, ବେଳେବେଳେ ଆମ୍ଭମାନଙ୍କର ଆତ୍ମା ସ୍ଥିର ହୁଏ । ତୁମ୍ଭର ପିତାମାତା ତୁମ୍ଭର ଯେ ଭବିଷ୍ୟତ ଦେଖୁ ଥିଲେ, ଆମ୍ଭେମାନେ ଯେଉଁ ଭବିଷ୍ୟତ ଦେଖି କ୍ରିୟାବିଧାନ କରିବୁ, ଏ ଦୁଇଟି ମଧ୍ୟରେ ଘୋର ତାରତମ୍ୟ । ଏଠାରେ ତୁମ୍ଭଙ୍କୁ ଜ୍ଞାନ ଦେବା ସଙ୍ଗେ ସଙ୍ଗେ, ତୁମ୍ଭର ଭାବ ଓ ନୈତିର ଜୀବନର ବିକାଶ କରିବାର ଭାର ଆମ୍ଭ ହାତରେ । ଜାଣ ନାହିଁ ବାଳକମାନେ, ଜୀବନର ପ୍ରତି ମୁହୂର୍ତ୍ତରେ ଆମ୍ଭେମାନେ ନିଜେ ନିଜେ ଆମ୍ଭ ନିଜର ନୈତିକ ଜୀବନରେ କେତେ ସ୍ଖଳିତ, ବିଚଳିତ ହେଉ । ମାନବ ମାତ୍ରେ ଦୁର୍ବଳ । ପ୍ରତ୍ୟେକ ସେପରି ସ୍ଫଳିତ ଓ ବିଚଳିତ ହୁଅନ୍ତି । ସେଥିରେ ପୁଣି ଆଦର୍ଶ ସ୍ଥିର ରଖି ତୁମ୍ଭମାନଙ୍କ ଜୀବନର ଗତି ଫିଟାଇବାକୁ ହେବ । କି ଭୀଷଣ କଥା । କି ମହାଦାୟିତ୍ୱ । ବୁଝିବ, ଯେତେବେଳେ ତୁମ୍ଭେ ଗୁରୁ ଆସନରେ ବସିବ । 

ତୁମ୍ଭେ ହେଲ ଆମ୍ଭର ଶିଷ୍ୟ, ଆମ୍ଭେ ତୁମ୍ଭର ଶିକ୍ଷକ । ତୁମ୍ଭେମାନେ ଶାସିତ ହେବ, ଆମ୍ଭେମାନେ ଶାସନ କରିବୁ । କିନ୍ତୁ ଏ ଅପୂର୍ଣ୍ଣ ମାନବ ଜୀବନରେ କେଉଁ ଆଦର୍ଶ ଘେନି, କି ଉପାୟ ଅଲଲମ୍ୱନ କଲେ, ଆମ୍ଭେମାନେ ତୁମ୍ଭର ଶାସନ କରିବାକୁ ସମର୍ଥ ହେବୁ ? ତୁମ୍ଭଙ୍କୁ ଶାସନ କରିବାରେ ଆମ୍ଭେମାନେ ଯେପରି ବ୍ୟାକୁଳ ମନ ଫିଟାଇ କହୁ ଅଛୁ, ବାଳକମାନେ ଏ କଥା ଭାବିବାରେ ଆମ୍ଭେମାନେ ଦିବାରାତ୍ରି ସେହିପରି ବିବ୍ରତ । 

ଗୁରୁ ଶିଷ୍ୟ ସମ୍ୱନ୍ଧ ଆମର ଏ ପୁରାଣପ୍ରସିଦ୍ଧ ଦେଶରେ ଆଜିର କଥା ନୁହେଁ । ଶୈଶବ ଅତୀତ ହେଲେ ଭାରତବାସୀ ଚିରକାଳ କୈଶୋର କୌମାର ଗୁରୁ ଗୃହରେ କଟାଇ ଆସୁଅଛି । ଗୁରୁ ଏ ଦେଶରେ ଚିରକାଳ ଶିଷ୍ୟର ଜୀବନର ଗତି ନିର୍ଦ୍ଦିଶ କରି ଆସୁ ଅଛନ୍ତି । ଗୁରୁ ଶିଷ୍ୟକୁ ଶାସନ କରନ୍ତି ଏବଂ ନିଜର ଶାସନ ପାଇଁ ଜୀବନକୁ ଅନନ୍ତ ସାଧନାରେ ସିଦ୍ଧ କରୁ ଥାଆନ୍ତି । ଏ ଜୀବନରେ ସେ ସାଧନା କେତେ ଦୂର ସମ୍ଭବ ହେଉ ଅଛି, ତାହା ଆମ୍ଭେମାନେ କହି ପାରିବୁ ନାହିଁ । କିନ୍ତୁ ଗୋଟିଏ କଥା ତୁମ୍ଭଙ୍କୁ ଏଠାରେ କହିବା ଉଚିତ । 

ଏ ଭୂମିରେ ଆର୍ଯ୍ୟର ଚିରକାଳ ବିଶ୍ୱାସ, ଭଗବାନ ଯେପରି ଜୀବଜନ୍ତୁ ଓ ଶିଶୁ ମାନବର ଶାସନ ନିମନ୍ତେ ପ୍ରକୃତିର ଅନନ୍ତ ଶକ୍ତି ସଜାଡ଼ି ରଖି ଅଛନ୍ତି, ବାଲ୍ୟ-ଶୈଶବର ସ୍ନେହମିଶ୍ରିତ ଶାସନ ପାଇଁ ଯେପରି ପିତାମାତା, ସ୍ୱଜନ ମାନଙ୍କ ହୃଦୟରେ ନୈସଗିକ ଆଦର୍ଶ ରଖି ଅଛନ୍ତି, ଗୁରୁ ପାଇଁ ସେହି ପରି ଶାସ୍ତ୍ର ଅଛି । ମାତା ପିଲାର ଶାସନ କରେ, କିନ୍ତୁ ସେ ଶାସନ ପାଇଁ ଉପଯୁକ୍ତ ହେବାକୁ ନିଜେ ସବର୍ଦା ନିଜ ପ୍ରାଣରେ ସନ୍ତାନ-ବାତ୍ସଲ୍ୟ୍ ରୂପ ସ୍ୱାଭାବିକ ବୃତ୍ତିରେ ଶାସିତ ହୁଏ । ଗୁରୁ ସେହି ପରି ଶିଷ୍ୟର ଶାସନ କରନ୍ତି, କିନ୍ତୁ ନିଜେ ଶାସ୍ତ୍ରର ନୀତିରେ ଶାସିତ ହୁଅନ୍ତି । 

ମନୁଷ୍ୟ ନାନା ଆର୍ଦଶ ମଧ୍ୟରେ ବିଧାତା ହିଁ ପରମ ଆଦର୍ଶ । ପ୍ରକୃତିରେ ସେହି ବିଧାତାଙ୍କର ଶକ୍ତି ଶିଶୁର ଶାସନ କରେ । ମାତାର ହୃଦୟରେ ସେହି ବିଧାତାଙ୍କର ମହାଭାବ ସ୍ନେହ ରୂପେ ଜାଗ୍ରତ ହୁଏ ଏବଂ ସେହି ବିଧାତା ମଧ୍ୟ ଗୁରୁ ଶିଷ୍ୟର ସମ୍ୱନ୍ଧ ନିର୍ଦ୍ଦେଶ କରି ଦିଅନ୍ତି । ସମସ୍ତ ଶାସ୍ତ୍ରର ନିର୍ଦ୍ଦେଶ ମଧ୍ୟରେ ଗୁରୁ ବିଧାତାଙ୍କର ଉପଦେଶ ଶୁଣେ । ଶିଷ୍ୟ ମଧ୍ୟ ଗୁରୁମୁଖରେ ସେହି ମୁଗ୍‌ଧ ଈଶବାଣୀ ଅନୁଭବ କରେ ଏବଂ ଏହି ଈଶ୍ୱର ଭାବରେ, ବିଧାତାଙ୍କର ପରମ ଆଦର୍ଶରେ, ଜଗତରେ ସକଳ ସମ୍ୱନ୍ଧ ନିୟମିତ ହୁଏ । ଗୁରୁ ନିଜର ସାଧନାରେ ସବର୍ଦା ନିଜ ଭିତରେ ଈଶ୍ୱରଙ୍କର ସତ୍ତା ଅନୁଭବ କରିବାକୁ ପ୍ରୟାସ କରନ୍ତି ଏବଂ ଯେତେବେଳେ ସେହି ଭାବରେ ଅନୁପ୍ରାଣିତ ହୁଅନ୍ତିସେତେ ବେଳେ ଜୀବନରେ “ସୋହେଂ” ଅର୍ଥାତ୍ “ମୁଁ ସେହି ଈଶ୍ୱର” ଏହି ବିଶ୍ୱାସରେ ସୃଷ୍ଟି ଈଶ୍ୱରମୟ ଓ କର୍ତ୍ତବ୍ୟକୁ ବିଧାତାଙ୍କର ନିର୍ଦ୍ଦେଶ ବୋଲି ଦେଖନ୍ତି ।

ବି.ଦ୍ର.- ଏହି ଲେଖାଟି ଗୋପବନ୍ଧୁ ସତ୍ୟବାଦୀ ସ୍କୁଲରେ ଦିଆଯାଇଥିବା ଗୋଟିଏ ବକ୍ତୃତାରୁ ଯଥାସମ୍ଭବ ସଙ୍ଗୃହିତ ତଥା 'ସତ୍ୟବାଦୀ' ପତ୍ରିକାର ୨ୟ ଖଣ୍ଡର ୧ମ ଓ ୨ୟ ସଙ୍ଖ୍ୟାରେ, ୧୯୧୬ ମସିହାରେ, ପ୍ରକାଶିତ ।

Thursday, August 23, 2018

ଗୁରୁଶିଷ୍ୟ - ୨

ଗୋପବନ୍ଧୁ ଦାସ


ନତ୍ର ଦାମ୍‌ର କାଥେଡ୍ରାଲ୍‌ର ଚିତ୍ର (ୱିକିମିଡିଆ କମନ୍ସ୍)

ପରମପିତା ବିଶ୍ୱବିଧାତା ସମସ୍ତ ବିଶ୍ୱଜଗତର ସ୍ରଷ୍ଟା ଓ ପାଳନକର୍ତ୍ତା । ସେ ଆମ୍ଭମାନଙ୍କୁ ସ୍ୱାଧୀନ ବୃତ୍ତି ଦେଇ ଅଛନ୍ତି, ସ୍ୱାଧୀନ ବୃତ୍ତିର ସଙ୍ଗେ ସଙ୍ଗେ ସେହି ପରି ପ୍ରକୃତିରେ ନାନା ଶାସନର ପନ୍ଥା ଫିଟାଇ ଅଛନ୍ତି । ଜୀବଜନ୍ମଠାରୁ ନିରାଶ୍ରୟ ମାନବ ଶିଶୁ ପର୍ଯ୍ୟନ୍ତ ସମସ୍ତଙ୍କର ସ୍ୱାଧୀନ ଲୀଳାରେ ସଂଯମ ଦେବାକୁ, ସ୍ୱେଚ୍ଛାଚାରିତା ଶାସନ କରିବାକୁ, ଅନନ୍ତ ପ୍ରକୃତି ସୃଷ୍ଟି କରି ଅଛନ୍ତି । ହସ୍ତପଦର ସ୍ୱେଚ୍ଛାଚାଳନାରେ ପୃଥିବୀ ଆଘାତ ଦିଏ । ଶିଶୁ ସ୍ୱାଧୀନ ଭାବରେ ଆଖି ଫିଟାଇ ଚାହିଁ ଥାଏ । କେଉଁଠାରୁ ପବନ ଆସି ହଠାତ୍ ଶିଶୁର ଆଖି ବୁଜି ଦିଏ । ଶିଶୁକୁ ଯେପରି କି ଶାସନ କରି କହେ, ବିଧାତାଙ୍କ ରାଜ୍ୟରେ ଏ ସ୍ୱେଚ୍ଛାଚାରିତା ତୋହର ଉଚିତ ନୁହେଁ । ଶିଶୁ ତୋ'ର ଯେତିକି ଚାହିଁବା ଉଚିତ, ତୁ ସେତିକି ଚାହିଁବୁ । ଚାହିଁ ରହିବାର ଅନନ୍ତ ଶକ୍ତି ତତେ ଦିଆ ଯାଇ ନାହିଁ । ତୁ ସେ ଅନନ୍ତ ଶକ୍ତି ଦେଖାଇ ବସିଲେ, ତତେ ସେଥିରୁ ନିବୃତ୍ତ କରିବା ପାଇଁ ଆମ୍ଭେମାନେ ନିଯୁକ୍ତ ଅଛୁଁ । ବିଧାତାଙ୍କ ରାଜ୍ୟରେ ତୋ'ର ସେ ଅଧିକାର ନାହିଁ । ଏହି ପରି ଖରା, ବର୍ଷା, ଶୀତ, ବସନ୍ତ, ପୃଥିବୀ, ଆକାଶ, ଜଳ, ବାୟୁ, ନଦୀ, ପର୍ବତ, ଜଡ଼, ଜୀବନ୍ତ, ସମସ୍ତେ ଭଗବାନଙ୍କର ଶାସନ ଦଣ୍ତ ଘେନି ଜନ୍ତୁର ସ୍ୱେଚ୍ଛାଚାରିତା ନିୟମିତ କରୁ ଅଛନ୍ତି । ସେଥିରେ ଜୀବଜନ୍ତୁ ପ୍ରଭୃତିର ଅଙ୍ଗଚାଳନାଦିର ପ୍ରକୃତ ସ୍ୱାଧୀନ ବ୍ୟବହାର ଫିଟୁ ଅଛି । ସ୍ୱେଚ୍ଛାଚାରିତା ସଂଯମରେ ରସାଣିତ ହେଉଅଛି । ଆବେଗ ଶାସନର ସଂଯତ ହେଉ ଅଛି । ବିଶ୍ୱତନ୍ତ୍ରର ନିୟମରେ ସମସ୍ତଙ୍କର କର୍ତ୍ତବ୍ୟ ନିର୍ଦ୍ଦିଷ୍ଟ ହେଉ ଅଛି ।

ତୁମ୍ଭମାନଙ୍କ ମଧ୍ୟରୁ ଅନେକେ ବହୁ ବାର ଶୁଣି ଅଛନ୍ତି, ପଶୁପକ୍ଷୀ ଇତର ଜନ୍ତୁଠାରୁ ମନୁଷ୍ୟ ଭିନ୍ନ । ପ୍ରକୃତି ଯେ ନିୟମରେ ଚଳାଉ ଅଛି, ପଶୁପକ୍ଷୀ ଇତର ଜନ୍ତୁମାନେ ସେ ନିୟମରେ ପ୍ରକୃତିର ସେହି ନିର୍ଦ୍ଦିଷ୍ଟ ଶାସନରେ ଚଳୁ ଅଛନ୍ତି । କିନ୍ତୁ ସ୍ୱାଧୀନତା ମନୁଷ୍ୟର ବିଶେଷତ୍ୱ । ନିରାଶ୍ରାୟ ମାନବ ଶିଶୁ ଏକ ହିସାବରେ ଦେଖିଲେ ଇତର ଜନ୍ତୁ ପରି । ସେତେବେଳେ ତା'ର ସ୍ୱାଧୀନ ବୃତ୍ତି ବିକାଶ ପାଇ ନ ଥାଏ କ୍ରମେ କ୍ରମେ ବୟସ ବୃଦ୍ଧି ସଙ୍ଗେ ଯେପରି ଶୈଶବ ଅତିକ୍ରାନ୍ତ ହୁଏ, ସେହି ପରି ମାନବପ୍ରାଣରେ ସ୍ୱାଧୀନ ଭାବ ଜାଗି ଉଠେ । ସତ କଥା, ମାନବର ସ୍ୱାଧୀନତା ଘେନି ସେ ସୃଷ୍ଟିର ଶ୍ରେଷ୍ଠ । ତେବେ ସେ ସ୍ୱାଧୀନ ଭାବରେ ଏତେ ଶୃଙ୍ଖଳ କାହିଁକି ? ଅତି ଶୈଶବରେ ମାନବ ଶିଶୁ ପରାଧୀନ । ପ୍ରକୃତିର ତାଡ଼ନାରେ ତାହାର ଜୀବନ ବିକାଶ ଲଭେ । କିନ୍ତୁ ସଙ୍ଗେ ସଙ୍ଗେ ପିତାମାତା ବନ୍ଧୁସ୍ୱଜନ ତାହାର ଚତୁର୍ଦ୍ଦିଗରେ ଘେରି ବସନ୍ତି । ଜୀବନରେ ସେ ଯେତେ ଯେତେ ବିକାଶ ପାଏ, ପିତାମାତାଠାରୁ ଆରମ୍ଭ କରି ବନ୍ଧୁ, ସ୍ୱଜନ ପରିବାର, ସମାଜ, ଜାତିଦେଶଧର୍ମ ପ୍ରଭୃତି ନାନା ମୁଖରେ ବିଶ୍ୱପିତା ସହସ୍ର ଦୃଷ୍ଟିରେ ଯେପରି କି ତା'କୁ ଚାହିଁ ଥାଆନ୍ତି, ତାକୁ ଶାସନ କରନ୍ତି, ତାହାର ଜୀବନକୁ ପ୍ରତି ମୁହୂର୍ତ୍ତରେ ନିୟମିତ କରନ୍ତି । ଅପଚାର ଘଟିଲେ ରୋଗ, ଶୋକ, ପରିତାପ, ଅପମାନ ପ୍ରଭୃତି ନାନା କଠୋର ଦଣ୍ଡରେ ମାନବ ଦଣ୍ଡିତ ହୁଏ ।

ଆହା ! ଥରେ ଭାବି ଦେଖ । ମାତା ତୁମ୍ଭର ସ୍ନେହମୟୀ ଜନନୀ ତୁମ୍ଭଙ୍କୁ ବକ୍ଷରେ ଧରି, କି ଆଦରରେ କି ପ୍ରାଣଭରା ପ୍ରେମ ଦେଇ ସ୍ତନ୍ୟଧାରାରେ ହୃଦୟର ରକ୍ତଦାନ କରି ତୁମ୍ଭଙ୍କୁ ପାଳନ କରନ୍ତି । ତୁମ୍ଭେ ସମ୍ପଦରେ ବିପଦରେ ମାତୃକୋଳରେ କି ଶାନ୍ତି, କି ବିରାମ ଭୋଗ କର । ରୋଗ ବେଳେ ସେହି ଜନନୀଙ୍କର ଅଜସ୍ର ଯତ୍ନ, ଶୟନେ ସ୍ୱପନେ ଜାଗରଣ ସର୍ବଦା ସେହି ଜନନୀଙ୍କର ଅନନ୍ତ ଆଦର, ତୁମ୍ଭ ଜୀବନର ପରମ ସ୍ଥିତି । କିନ୍ତୁ ଏ ସମସ୍ତ ସ୍ନେହ ସମସ୍ତ ଆବର ମଧ୍ୟରେ ବିଶ୍ୱପିତାଙ୍କର ସେହି କଠୋର ଶାସନଦଣ୍ଡ କେବେ ଦେଖିଛ କି ?
 ତୁମ୍ଭେ ସମସ୍ତେ ମନେ ରଖିଥିବ, ପିଲାଦିନ କୋରା ଖାଇବାକୁ ତୁମ୍ଭଙ୍କୁ କେଡେ ସୁଖ ଲାଗେ । ହୃଦୟର ଆଗ୍ରହରେ ପ୍ରାଣର ଆହ୍ଲାଦରେ ତୁମ୍ଭେ ଖଜା ଦେଖିଲେ ଖାଇବାକୁ ଧାଇଁ ଯାଅ । ଏ ସମସ୍ତ ହୃଦୟଭରା ଆଗ୍ରହ ବେଳେ ତୁମ୍ଭର ସେହି ସ୍ନେହମୟୀ ମାତାଙ୍କର ତୀବ୍ରତା ଆଜି ମନେ ପଡ଼େ ତ ? ତୁମ୍ଭେ କୋରା ଖାଇବାକୁ, ଖଜା ଖାଇବାକୁ, ଧାଇଁ ଗଲା ବେଳେ ତୁମ୍ଭର ଜନନୀ କେତେ ଥର କଠୋର ଭାବରେ ବାରଣ କରି ଅଛନ୍ତି । ତୁମ୍ଭେ ଖାଇବାକୁ ହାତରେ ଧଇଲା ବେଳେ ତୁମ୍ଭର ପ୍ରେମମୟୀ ଜନନୀ କଠୋର ହସ୍ତରେ ତାହା ଛଡ଼ାଇ ଫିଙ୍ଗି ଦେଇ ଅଛନ୍ତି । କେତେ ବେଳେ ବା ତରତର ହୋଇ ପାଟିରେ କୋରା ଖଜା ଭର୍ତ୍ତି କରି ଦେଇ ଅଛ, ତାହା ଦେଖି ଜନନୀଙ୍କର ପ୍ରାଣ ଫାଟି ଯାଇ ଅଛି । ସେ ତାଙ୍କର ଦୃଢ଼ ଅଙ୍ଗୁଳିରେ ତାହା ତୁମ୍ଭର ମୁହଁରୁ (ପାଟିରୁ) ବାହାର କରି ଦେଇ ଅଛନ୍ତି । 

ଅନନ୍ତ ପ୍ରେମମୟୀ ଜନନୀଙ୍କ ପ୍ରାଣରେ ଏ କଠୋରତା କିଏ ଦେଲା ? କାହିଁକି ବା ବିଧାତାଙ୍କର ନିୟମରେ ଅନନ୍ତ ପ୍ରେମ ଭିତରେ ଏ କଠୋରତା ଅଛି - ଏ କଥା ତୁମ୍ଭେ କେବେ ଭାବିଛ କି ? ଅବଶ୍ୟ ସେତେବେଳେ ଭାବି ନାହି ସେତେବେଳେ ଜନନୀଙ୍କର ସେ କ୍ରିୟାକୁ କଠୋର ମଣି ନିରାଶ୍ରୟ ହୋଇ ପ୍ରାଣ ବିକଳରେ କାନ୍ଦି ଅଛ । ଭାବିବାର ଶକ୍ତି ଥିଲେ ବୋଧହୁଏ ଭାବିଥିବ, "ଏ କି ଦୁଃଖ କି ଯନ୍ତ୍ରଣା । ମୁଁ ଟିକିଏ ସ୍ୱାଦୁ ଜିନିଷ ଖାଇବାକୁ ଇଚ୍ଛା କରୁ ଅଛି । ଯାହାଙ୍କ ଘେନି ମୋ'ର ପ୍ରାଣ ଦେଇ ସୁଖ ପାଆନ୍ତି, ସେ ମୋ'ର ଏ ସ୍ୱାଦୁ ଖାଇବାର ସୁଖ ଟିକକରେ କି ସକାଶେ ଏତେ ପ୍ରତିବନ୍ଧକ ହେଉ ଅଛନ୍ତି । ମୋ'ର ମାତା କି ସକାଶେ ମୋ'ର ଶତ୍ରୁ ହେଉ ଅଛନ୍ତି ?" ବିଧାତା ତୁମ୍ଭ ଜୀବନକୁ ଗଢ଼ିବା ପାଇଁ କୋମଳ ସ୍ନେହମୟ ମାତୃହସ୍ତରେ ଏ କଠୋର ଶାସନ ଦଣ୍ଡ ରଖି ଅଛନ୍ତି । 

ମନେ ଥିବ, ଏ ଶାସନ ନ ମାନି ପିତାମାତାଙ୍କୁ ଲୁଚାଇ, କୋରା ଖଜା ଖାଇ, ତୁମ୍ଭର ବେଳେବେଳେ କି ଅନିଷ୍ଟ ହୋଇ ଅଛି । କୃମିକଫ, ଜ୍ୱର, ଅଜୀର୍ଣ୍ଣ ପ୍ରଭୃତି ବ୍ୟାଧିରୁ କେତେ ସାଙ୍ଘାତିକ ନିର୍ଯାତନା ତୁମ୍ଭଙ୍କୁ ସହିବାକୁ ପଡ଼ି ଅଛି । ତୁମ୍ଭର ସ୍ୱେଚ୍ଛାଚାରିତାର ଫଳରେ ତୁମ୍ଭେ ଏ ସବୁ ନିର୍ଯାତନା ପାଇ ଅଛ । ବିଚାର କର, ମାତାର ସ୍ନେହମୟ ହସ୍ତରେ ତୀବ୍ର ଶାସନ ଦଣ୍ଡ ନ ଥିଲେ, ତୁମ୍ଭେ ଆଜି ନ ଥାଆନ୍ତ, ତୁମ୍ଭର ଏ ଶରୀର ନ ଥାଆନ୍ତା । ଏହି ପରି ଜୀବନରେ କେତେ ଅନ୍ୟାୟ, ଅପଚାର, ଉତ୍ସୃୃଙ୍ଖଳତା ବେଳେ ତୁମ୍ଭର ପିତାମାତା, ବନ୍ଧୁସ୍ୱଜନମାନେ ତୁମ୍ଭଙ୍କୁ ପଦେ ପଦେ ଶାସନ କରି ଅଛନ୍ତି, କେତେବେଳେ ପ୍ରହାର ମଧ୍ୟ କରି ଅଛନ୍ତି । ଯଦି ସେ କଥା, ସେ ଗାଳି, ସେ ପ୍ରହାର, ତୁମ୍ଭେ ସହି ନ ଥାଆନ୍ତ, ତେବେ ଭାବ ତୁମ୍ଭର ଜୀବନ କଣ ହୋଇ ଥାଆନ୍ତା ? ବିଶ୍ୱପିତା ପିତାମାତା, ବନ୍ଧୁସ୍ୱଜନ ରୂପରେ ଅନନ୍ତ ସ୍ନେହରେ ତୁମ୍ଭଙ୍କୁ ଘେରି ରହି, ସେହି ସ୍ନେହ ମଧ୍ୟରେ ତୁମ୍ଭ ପାଇଁ କଠୋର ଶାସନ ରଖି ଅଛନ୍ତି, ସ୍ନେହର ନିର୍ଯାତନାରେ ତୁମ୍ଭଙ୍କୁ ବଢ଼ାଉ ଅଛନ୍ତି । ଜଗତରେ ଜୀବନର ବିକାଶରେ ସର୍ବତ୍ର ଏହି ନିୟମ ।

ମନେ ରଖି ଥିବ ବାବୁ, ଯେ ପ୍ରାଣ ଦେଇ ସ୍ନେହ ନ କରେ, ସେ ଶାସନ କରି ପାରିବ ନାହିଁ । ଯେ ତୁମ୍ଭଙ୍କୁ ଅମାର୍ଗରେ ଗଲା ବେଳେ ଶାସନ ନ କରେ, ସେ ମୁହଁରେ ଯେତେ କହୁ ନା କାହିଁକି, ତାହା ପ୍ରାଣରେ ସ୍ନେହ ନାହିଁ । ବିଧାତାଙ୍କର ବିଶ୍ୱ ପରିପାଳନରେ କୋମଳ ସ୍ନେହ ସଙ୍ଗେ କଠୋର ତାଡ଼ନାର ଏହି ମହାସମ୍ମିଶ୍ରଣ ଗୋଟିଏ ଅତି ଅଭୁତ ବିଧାନ । ଯେ ଯାହାକୁ ସ୍ନେହ କରେ, ସେ ତାହାର ମଙ୍ଗଳ ଲୋଡ଼େ । କୋରାଟି ଖାଇ ଦେଲେ, ମାତା ଜାଣନ୍ତି, ତୁମ୍ଭର ଶରୀରର ମଙ୍ଗଳ ହେବ ନାହିଁ । ସେଥି ପାଇଁ ଶାସନର ପ୍ରୟୋଜନ । ତୁମ୍ଭର ଯେଉଁ ମଙ୍ଗଳ ତୁମ୍ଭର ମାତା ଚାହାନ୍ତି, ସେ ମଙ୍ଗଳ ଭବିଷ୍ୟତରେ ଅଛି । ଭବିଷ୍ୟତର ସେ ମଙ୍ଗଳକୁ କଳ୍ପନା କରି, ନିଜର ସ୍ନେହକୁ ନିୟମିତ କରନ୍ତି, ନିଜର ଶାସନ ବିଧାନ କରନ୍ତି । ଯେ ସେ ମଙ୍ଗଳ ଯେତେ ଦେଖି ଅଛି, ଜାଣିଥିବ ତା'ର ପିଲାମାନେ ସେତିକି ସୁସ୍ଥ ଭାବରେ ବଢ଼ି ଅଛନ୍ତି, ତାହାର ସ୍ନେହ କାର୍ଯ୍ୟରେ ସେତିକି ବେଶି ପ୍ରକାଶ ପାଇ ଅଛି । ଯେଉଁ ମାତା ଭବିଷ୍ୟତ ପ୍ରତି ଦୃଷ୍ଟି ନ ରଖି, ତାହା ତାହାକୁ କରିବାକୁ ଦେଇ ଅଛିତାହାର ପିଲା ସେତିକି ଅସୁସ୍ଥ ଓ ରୁଗ୍‌ଣ ହୋଇ ଅଛି । ତାହାର ସ୍ନେହ ବାସ୍ତବରେ ସ୍ନେହ ନୁହେଁ, ତାହା ଗୋଟିଏ ମୋହ ।

ଏକଥା ସମସ୍ତେ ଉଣାଅଧିକରେ ଅଙ୍ଗେ ନିଭାଇ ଅଛନ୍ତି । ଆଜି ଟିକିଏ ବିଚାର କଲେ ବୁଝି ପାରିବ, ଭଗବାନ ଯେଉଁମାନଙ୍କୁ ତୁମ୍ଭମାନଙ୍କ ଜୀବନ ଗଢ଼ିବାରେ ନିଯୁକ୍ତି କରି ଅଛନ୍ତି, ସେମାନେ କେହି ତୁମ୍ଭର ବର୍ତ୍ତମାନରେ ସନ୍ତୁଷ୍ଟ ନୁହନ୍ତି । ତୁମ୍ଭେ ଭବିଷ୍ୟତରେ କଅଣ ହେବ, ଏ କଥା ସେମାନେ ବିଚାରୁ ଅଛନ୍ତି ଏବଂ ସେହି କଥାଟି ଆଗରେ ରଖି ତୁମ୍ଭଙ୍କୁ ତିଆରୁ ଅଛନ୍ତି । ଅବଶ୍ୟ ଯେଉଁମାନେ ତୁମ୍ଭ ଶରୀରର ତତ୍ତ୍ୱ ନିଅନ୍ତି, ସେମାନଙ୍କ ପକ୍ଷରେ ଟିକିଏ ଚେଷ୍ଟା କଲେ ତୁମ୍ଭର ଶାରୀରିକ ଭବିଷ୍ୟତ ଦେଖିବା ସେତେ କଷ୍ଟ କଥା ନୁହେଁ । ମନୁଷ୍ୟ ସୁସ୍ଥ ସବଳ ହେଲେ କଅଣ ହୁଏ, ତାହା ସମସ୍ତେ ଦେଖି ଅଛନ୍ତି । କଅଣ ଖାଇଲେ କି ରୋଗ ହୁଏକି ଅପଚାରରେ କି ଅନିଷ୍ଟ ଜନ୍ମେ, ତାହା ଜାଣିବା ସେତେ କଷ୍ଟସାଧ୍ୟ ନୁହେଁ । 

ଯେଉଁ ପିତାମାତା ଟିକିଏ ଆଲୋଚନା କରି କାର୍ଯ୍ୟ କରନ୍ତି, ସେମାନେ ବାଳକର ଲାଳନପାଳନରେ ପ୍ରାୟଶଃ କୃତକାର୍ଯ୍ୟ ହୁଅନ୍ତି । ତୁମ୍ଭମାନଙ୍କ ମଧ୍ୟରୁ ଅନେକଙ୍କର ପିତାମାତା ଏକପ୍ରକାର କୃତକାର୍ଯ୍ୟ ହୋଇ ଅଛନ୍ତି । ଯଦି କେବଳ ଶରୀରରେ ମାନବର ସମସ୍ତ ଶେଷ ହୁଅନ୍ତା, କେବଳ ଶରୀରର ପୁଷ୍ଟି ବିଧାନ ଓ ସ୍ୱାସ୍ଥ୍ୟରେ ମାନବଜଗତର ଉଦ୍ଦେଶ୍ୟସିଦ୍ଧି ହୁଅନ୍ତା, ତେବେ ଏହିଠାରେ ସ୍ନେହର କ୍ରିୟା ଶାସନର କାର୍ଯ୍ୟ ପରି ସମାପ୍ତ ହୁଅନ୍ତା । କିନ୍ତୁ ମନୁଷ୍ୟକୁ ମନୁଷ୍ୟ କରିବାକୁ ହେଲେ କେବଳ ଶରୀରକୁ ଚାହିଲେ ଚଳିବ ନାହିଁ । ଅବଶ୍ୟ ଶରୀର ବରାବର ଛାଡ଼ି ଦେବାର ଜିନିଷ ନୁହେଁ । ମାତ୍ର ଶରୀର ସଙ୍ଗେ ସଙ୍ଗେ ମନର ବିକାଶ ବାଞ୍ଚ୍ଥନୀୟ । 

ବି.ଦ୍ର.- ଏହି ଲେଖାଟି ଗୋପବନ୍ଧୁ ସତ୍ୟବାଦୀ ସ୍କୁଲରେ ଦିଆଯାଇଥିବା ଗୋଟିଏ ବକ୍ତୃତାରୁ ଯଥାସମ୍ଭବ ସଙ୍ଗୃହିତ ତଥା 'ସତ୍ୟବାଦୀ' ପତ୍ରିକାର ୨ୟ ଖଣ୍ଡର ୧ମ ଓ ୨ୟ ସଙ୍ଖ୍ୟାରେ, ୧୯୧୬ ମସିହାରେ, ପ୍ରକାଶିତ ।

Wednesday, August 22, 2018


ଗୁରୁଶିଷ୍ୟ - ୧

ଗୋପବନ୍ଧୁ ଦାସ


ବ୍ରିଟିଶ ଆର୍ଟ ରକ୍ ବ୍ୟାଣ୍ଡ୍ 'କିଙ୍ଗ୍ କ୍ରିମ୍‌ଶନ୍‌'ର ଆଲବମ  'ଡିସିପ୍ଲିନ୍'ର ମଲାଟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରିୟ ଶିଶୁମାନେ ! 

ତୁମ୍ଭେମାନେ ଦେଶର ନାନା ସ୍ଥାନରୁ ପାଠ ପଢିବା ପାଇଁ ଏଠାରେ ଆସି ରୁଣ୍ଡ ହୋଇଅଛ । ଆଜି ତୁମ୍ଭେ ଶିଶୁ, ବାଳକ, ତରୁଣ - କାଲି ବଡ଼ ହେବ, ସଂସାର କରିବ, ସଂସାରର ନାନା କ୍ଷେତ୍ରରେ କାର୍ଯ୍ୟ କରିବ, ସମାଜରେ ତୁମ୍ଭର ଗୋଟିଏ ଗୋଟିଏ ସ୍ଥାନ ହେବ, ଶିକ୍ଷା ପାଇ ସମାଜରେ ଗୋଟିଏ ଗୋଟିଏ ଉପଯୁକ୍ତ ଲୋକ ହେବ । ସେଥି ପାଇଁ ତୁମ୍ଭେମାନେ ଏଠାକୁ ପଠା ହୋଇ ଅଛ । ତୁମ୍ଭେମାନେ ଆଜି ଏ ତରୁଣ ବୟସରେ ଆମ୍ଭମାନଙ୍କ ଶାସନରେ ଅଛ । ଆମ୍ଭମାନଙ୍କର ଶିଷ୍ୟ ହୋଇଅଛ । 

ଆମ୍ଭେମାନେ ତୁମ୍ଭମାନଙ୍କର ଶାସକ, ତୁମ୍ଭମାନଙ୍କର ଗୁରୁ । ତୁମ୍ଭେମାନେ ସମସ୍ତେ ଆଜି ନିଜଠାରୁ ଆମ୍ଭମାନଙ୍କୁ ବଡ଼ ବୋଲି ବିଚାରୁ ଅଛ । ଆମ୍ଭେମାନେ ମଧ୍ୟ ଉଚ୍ଚ ଅଧିଷ୍ଠାନରେ ବସି ତୁମ୍ଭମାନଙ୍କର ଜୀବନ ଗଢ଼ୁଅଛୁ ବୋଲି ବିଚାରୁ ଅଛୁ । ଆମ୍ଭେମାନେ ମନୁଷ୍ୟ । ଅସଙ୍ଖ୍ୟ ତୃଟି ଆମ୍ଭମାନଙ୍କର ଜୀବନରେ ରହି ଅଛି । ତଥାପି ତୁମ୍ଭେମାନଙ୍କ ତୃଟି ଦେଖିଲେ ପଦେ ପଦେ ତାହା ଆମ୍ଭେମାନେ ତୁମ୍ଭର ଜୀବନକୁ ନିୟମିତ କରୁଅଛୁ । 

କିନ୍ତୁ ଏ କଥା ସବୁବେଳେ ମନେ ରଖିଥିବ ଶିଶୁମାନେ । ତୁମ୍ଭମାନଙ୍କର ଜୀବନ ନିୟମିତ କଲାବେଳେ, ତୁମ୍ଭମାନଙ୍କର ତୃଟି ଦେଖି ତୀବ୍ର ଶାସନ କଲା ବେଳେ, ଆମ୍ଭେମାନେ ନିଜର ଦାୟିତ୍ୱ ଭୁଲୁ ନାହୁଁ, ନିଜର ନଗଣ୍ୟତା ବିସ୍ମୃତ ହେଉ ନାହୁଁ । ଆମ୍ଭେମାନଙ୍କର ଜୀବନ ଏକ ପ୍ରକାର ପରିଗଣିତ ହୋଇଅଛି । ତୁମ୍ଭମାନଙ୍କର ଶିଶୁଜୀବନ ଆଜି ସମ୍ଭାବନାରେ ପୂର୍ଣ୍ଣ । ଆମ୍ଭେମାନେ ଜୀବନରେ ଯାହା ହେବାର ତାହା ଏକ ପ୍ରକାର ହୋଇ ସାରିଛୁ । ତୁମ୍ଭେମାନେ ଭବିଷ୍ୟତରେ କ'ଣ ହେବ, କିଏ କହିପାରେ ? ହୁଏ ତ ତୁମ୍ଭମାନଙ୍କ ଭିତରେ କେହି ବୁଦ୍ଧ, ଶଙ୍କର, ଚୈତନ୍ୟ କେହି ବା ଅଶୋକ, ସିକନ୍ଦର ଥାଇ ପାରନ୍ତି । କିନ୍ତୁ ଆମ୍ଭେମାନେ ନଗଣ୍ୟ ହେଲେ ମଧ୍ୟ ଆଜି ତୁମ୍ଭମାନଙ୍କୁ ଶାସନ କରିବାର ଭାର ଭଗବାନ ଆମ୍ଭମାନଙ୍କୁ ଦେଇ ଅଛନ୍ତି । 

ସେହି କର୍ତ୍ତବ୍ୟବୋଧନରେ ଆମ୍ଭେମାନେ ତୁମ୍ଭଙ୍କୁ ଶାସନ କରୁଅଛୁ, ତୁମ୍ଭର ତୃଟି ଦେଖାଉ ଅଛୁ, ଦୋଷରେ ଦଣ୍ଡବିଧାନ କରୁ ଅଛୁ, ପ୍ରମାଦରେ ସଂଶୋଧନର ପନ୍ଥା ଦେଖାଇ ଦେଉ ଅଛୁ । କଦାପି ବିଚାର ନାହିଁ, ଆମ୍ଭେମାନେ ପୂର୍ଣ୍ଣ ମନୁଷ୍ୟତା ଲାଭ କରି ତୁମ୍ଭଙ୍କୁ ଶାସନ କରୁ ଅଛୁ । ଅତି ଭୟରେ, ଭକ୍ତିରେ, ଆଦରରେ ଆମ୍ଭେ ଏଠାରେ ସେହି ଈଶ୍ୱରଦତ୍ତ କର୍ତ୍ତବ୍ୟ ଯତ୍‌କିଞ୍ଚିତ ସମାଧାନ କରି ପାରିଲେ କୃତାର୍ଥ ହେବୁ ବୋଲି ବିଚାରୁ ଅଛୁ । କାଲି ତୁମ୍ଭେ ବଡ଼ ହୋଇ ଯେତେବେଳେ ପଛକୁ ଚାହିଁବ, ସେତେବେଳେ ହୁଏତ ଆମ୍ଭ ଜୀବନରେ ବହୁତ ଅପୂର୍ଣ୍ଣତା, ତୃଟି ଓ ପ୍ରମାଦ ଦେଖି ପାରିବ । କିନ୍ତୁ ମନେ ରଖ, ଏ କଥା ମୁଁ ତୁମ୍ଭଙ୍କୁ ଅନେକ ଥର କହି ଅଛିହୃଦୟର ଆବେଗରେ ଆମ୍ଭେମାନ ତୁମ୍ଭର ସେହି ଦିନକୁ ଚାହିଁ ବସି ଅଛୁ । ଗୁରୁ ଶିଷ୍ୟର ଏହି ସମ୍ୱନ୍ଧ ଘେନି ପ୍ରାଚୀନ ପୁରୁଷମାନେ କହିଅଛନ୍ତି -

"ସବତ୍ର ଜୟ ମନ୍ୱିଷେ୍ୟତ୍
    ଶିଷ୍ୟାଦିଚ୍ଛେତ୍ ପରାଜୟମ।"
ଅର୍ଥାତ୍ 
"ଲୋକ ସବୁଠାରେ ଜୟ ଅନ୍ୱେଷଣ କଲେ ମଧ୍ୟ ଶିଷ୍ୟଠାରୁ ପରାଜୟ ଇଚ୍ଛା କରେ ।
 ଶିଷ୍ୟକୁ ଆପଣାଠାରୁ ସର୍ବଗୁଣରେ ବଡ଼ ଦେଖିଲେ ଲୋକ କୃତାର୍ଥ ହୁଏ ।

ଏ ସବୁ କଥା ବଝିଲେ ମଧ୍ୟ, କାର୍ଯ୍ୟରେ ବିଧିନର୍ଦ୍ଦିଷ୍ଟ କର୍ତ୍ତବ୍ୟରେ ଆମ୍ଭେ ତୁମ୍ଭର ଶାସକ ଓ ଗୁରୁ । ଭବିଷ୍ୟତରେ ତୁମ୍ଭର ଯେ ସମ୍ଭାବନା ଥାଉ ନା କାହିଁକି, ତୁମ୍ଭର ସେ ଭବିଷ୍ୟତ ଆଜି ଆମରି ହାତରେ ଗଢ଼ା ହେବ । ଏପରି ସ୍ଥଳରେ ତୁମ୍ଭର ଆମ୍ଭର ଗୁରୁଶିଷ୍ୟ ସମ୍ୱନ୍ଧ ଭଲ କରି ବୁଝି ରଖିବା ନିତାନ୍ତ ଆବଶ୍ୟକ । ତୁମ୍ଭେମାନେ ବାଳକ । ଏଠାରେ ବେଳେବେଳେ ଆମ୍ଭମାନଙ୍କ ହାତରେ ତୁମ୍ଭଙ୍କୁ ଦଣ୍ଡ ପାଇବାକୁ ହୁଏ, ଦୁଃଖ ସହିବାକୁ ହୁଏ । ସେ ଦଣ୍ଡର ଅର୍ଥ ତୁମ୍ଭେମାନେ ବେଳେବେଳେ ବୁଝ ନାହିଁ । ଦାୟିତ୍ୱ ଘେନି ତୁମ୍ଭେମାନଙ୍କୁ ଦଣ୍ଡ ଦେଇ ଆମ୍ଭେମାନେ ଯେ ମର୍ମବେଦନା ଭୋଗ କରୁ, ତାହା ତୁମ୍ଭେ ଜାଣ ନାହିଁ । ହୁଏତ ମନେ ମନେ ବିଚାର କର - "ଓଃ। କି ଦୁଃଖ କି ଯନ୍ତ୍ରଣା । ପିତା ମାତା ଅଭିଭାବକ ଆମଙ୍କୁ କି କଷ୍ଟରେ ପକାଇଅଛନ୍ତି ।"

ମାତ୍ର ଟିକିଏ ବିଚାର କରି ଦେଖ, ଏ ଦୁଃଖ ତୁମ୍ଭର ଆଜି ଜୀବନରେ ନୂଆ ନୁହେଁ । ଏହା ଯଦି ଯନ୍ତ୍ରଣା ହୁଏ, ତେବେ ଭଗବାନଙ୍କ ରାଜ୍ୟରେ ଯନ୍ତ୍ରଣା ହିଁ ଜୀବନ । ଆଜି ତୁମ୍ଭେ ନିତାନ୍ତ ଦୁଗ୍‌ଧପୋଷ୍ୟ ଶିଶୁ ନୁହଁ । ଟିକିଏ ବଡ଼ ହୋଇ ଅଛ । ମନର ବିକାଶ ପାଇଁ ଜ୍ଞାନ ଅର୍ଜନ ପାଇଁ ଏଠାକୁ ଆସି ଅଛ । 

କିନ୍ତୁ ତୁମ୍ଭେ ନିଜ ନିଜର ଶରୀରକୁ ଚାହିଁ । ତୁମ୍ଭର ଏ ହସ୍ତ ପଦ ଅବୟବ, ଏ ସ୍ୱାସ୍ଥ୍ୟ, ଏ ଶରୀର, ଗୋଟିଏ ଦିନର ଫଳ ନୁହେଁ । ତୁମ୍ଭେ ଯେଉଁ ଦିନ ଜନ୍ମ ହୋଇ ପୃଥିବୀରେ ପଡ଼ିଥିଲ, ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ କେତେ ରୋଗ ଦୁଃଖ ଯନ୍ତ୍ରଣା ଯାତନା ଭିତରେ ବଢ଼ି ଅଛ, ତାହାର ଇୟତ୍ତା ନାହିଁ। ଆଜି ସୁଦୃଢ଼ ହସ୍ତ-ପଦ-ଅବୟବ ଘେନି ତୁମ୍ଭେ ସଂସାରରେ ବିଚରଣ କରୁଅଛ । କିନ୍ତୁ ଅବୟବର ଏ ଦୃଢ଼ତା, ସ୍ୱାଧୀନ ଭାବରେ ସଞ୍ଚରଣ କରିବାର ଏ ଶକ୍ତି, ତୁମ୍ଭର କିପରି ହେଲା କେବେ ଭାବିଛ କି 

ଆଜି ତୁମ୍ଭର ମନ ଚଞ୍ଚଳ, ତୁମ୍ଭେ ସବୁବେଳେ ସ୍ୱାଧୀନତା ଲୋଡ଼ୁ ଅଛତେଣୁ ସବୁ ଶାସନ ଲୋଡ଼ା ହେଉ ଅଛି । ତୁମ୍ଭେ ବିଚାରୁ ଅଛ, ତୁମ୍ଭର ଯାହା ଇଚ୍ଛା, ତୁମ୍ଭେ ତାହା କରି ଯିବ । ଅନ୍ୟ କେହି ତୁମ୍ଭଙ୍କୁ କିଛି କହିଲେ, ତୁମ୍ଭଙ୍କୁ ସୁଖ ଲାଗୁ ନାହିଁ । ବେଳେବେଳେ ବିଚାରୁଛ, ତୁମ୍ଭ ସ୍ୱାଧୀନତାରେ ବାଧା ଦେବାର କାହାରି ଅଧିକାର ନାହିଁ । ଏ ଭାବ ତୁମ୍ଭର ଆଜି ହୋଇ ନାହିଁ, ଜୀବନରେ ଶାସନ କେବଳ ଆଜି ତୁମ୍ଭର ଦରକାର ହୋଇ ନାହିଁ । ଟିକିଏ ଭାବିଲେ ଦେଖି ପାରିବ, ଜୀବନର ପ୍ରଥମରୁ ସବୁବେଳେ ତୁମ୍ଭେ ଶାସନରେ ବଢ଼ୁ ଅଛ । ପଦେ ପଦେ ତୁମ୍ଭର ସ୍ୱାଧୀନ ବୃତ୍ତି ଧକ୍‌କା ପାଉ ଅଛି । ତୁମ୍ଭର ଏ ସମସ୍ତ ଜୀବନ ଯେପରି କି ଗୋଟିଏ ଶାସନା ତାଡ଼ନାର ଅନନ୍ତ ଲୀଳା ।

କଥାଟି ବୋଧହୁଏ ଭଲ ବୁଝିଲ ନାହିଁ । ବିଚାର କର -  ହ୍ରସ୍ୱ, ଦୁର୍ବଳ, କୋମଳ ହସ୍ତପଦ ଘେନି ଯେତେବେଳେ ତୁମ୍ଭେ ପୃଥିବୀରେ ପ୍ରଥମେ ପଡ଼ିଲ, ସ୍ୱାଧୀନ ଭାବରେ ହସ୍ତ-ପଦ ଚଳାଇଲ, ସେତେବେଳେ ମଧ୍ୟ ଏହି କଠୋର ତାଡ଼ନା ତୁମ୍ଭର ହସ୍ତ-ପଦକୁ ସବଳ ଓ ସୁଦୃଢ଼ କରି ଅଛି । ପୃଥିବୀରେ ପଡ଼ିବା ମାତ୍ରେ ତୁମ୍ଭେ ଅବୟବର ସ୍ୱାଧୀନ ଲୀଳାରେ ପୃଥିବୀ ଉପରେ ହସ୍ତପଦ ଆଘାତ କଲ। । ସଙ୍ଗେ ସଙ୍ଗେ ତାଡ଼ନା । ପୃଥିବୀ ସଙ୍ଗେ ସଙ୍ଗେ ତୁମ୍ଭର ସେ କଠୋର ପଦାଘାତକୁ ଶାସନ କରେ । ତୁମ୍ଭେ ପଦାଘାତ କରି ସାରି ଯନ୍ତ୍ରଣାରେ କାନ୍ଦି ଉଠିଲ । ବୋଧହୁଏ ବିଚାରି ଥିଲ, 'ଓଃ କି ଦୁଃଖ ! ମୋର ହସ୍ତପଦର ସ୍ୱାଧୀନକ୍ରୀଡ଼ାରେ ଏକି ଅବୈଧ ପ୍ରତିବନ୍ଧକ?" 

କିନ୍ତୁ ସେ ପ୍ରତିବନ୍ଧକ ନ ଥିଲେ, ଏହି ପରି ପ୍ରତ୍ୟେକ ଅଙ୍ଗ-ଚାଳନାରେ ପ୍ରକୃତି ତୁମ୍ଭକୁ ତାଡ଼ନା କରି ନ ଥିଲେ, ତୁମ୍ଭର ହସ୍ତପଦ ସବଳ ହୋଇ ନ ଥାଆନ୍ତା । ସେତିକି ନୁହେଁ, ପୁଣି ଦେଖ । କିଛି ଦିନ ପରେ ତାଡ଼ନା ସହି ସହି ତୁମ୍ଭେ ଯେତେବେଳେ ମୁଣ୍ଡ ଉଠାଇ ଛିଡ଼ା ହେବାକୁ ଚେଷ୍ଟା କଲସେତେବେଳେ ପ୍ରକୃତି ତୁମ୍ଭର ସେ ସ୍ୱାଧୀନତା ସହିଲେ ନାହିଁ । ତୁମ୍ଭେ ବାରମ୍ୱାରା ଉଠି ପଡ଼ିଲ । ପ୍ରକୃତି ତୁମ୍ଭଙ୍କୁ ତୁମ୍ଭ ସ୍ୱାଧୀନତାରେ ବାରମ୍ୱାର ଶାସନ କଲେ । ସେ ଶାସନର ଦୁଃଖ ସହି ତୁମ୍ଭେ କ୍ରମେ ହସ୍ତପଦାଦିର ଯେ ସ୍ୱାଧୀନ ବ୍ୟବହାର ଲୋଡୁ ଥିଲ, ତାହା କରିବାକୁ ସମର୍ଥ ହୋଇ ଅଛ । 

ସେଥି ପାଇଁ କହେ ଯେ, ସେ ଶାସନର ଦୁଃଖ ସହି ସହି ତୁମ୍ଭେ କ୍ରମେ କ୍ରମେ ହସ୍ତପଦାଦିର ଯେ ସ୍ୱାଧୀନ ବ୍ୟବହାର ଲୋଡ଼ୁଥିଲ, ତାହା କରିବାକୁ ସମର୍ଥ ହୋଇ ଅଛ । ସେଥି ପାଇଁ କହେ, ତାଡ଼ନା ବିନା, ଶାସନ ବିନା ସ୍ୱାଧୀନତା ନାହିଁ । ଶାସନର ସଞ୍ଜମ ନ ଥିଲେ, ସ୍ୱାଧୀନତା ଗୋଟିଏ ବିଶୃଙ୍ଖଳ ସ୍ୱେଚ୍ଛାଚାରିତା । ସେ ସ୍ୱେଚ୍ଛାଚାରିତାରେ ଜୀବନର ଗଠନ ଅସମ୍ଭବ ।

ବି.ଦ୍ର.- ଏହି ଲେଖାଟି ଗୋପବନ୍ଧୁ ସତ୍ୟବାଦୀ ସ୍କୁଲରେ ଦିଆଯାଇଥିବା ଗୋଟିଏ ବକ୍ତୃତାରୁ ଯଥାସମ୍ଭବ ସଙ୍ଗୃହିତ ତଥା 'ସତ୍ୟବାଦୀ' ପତ୍ରିକାର ୨ୟ ଖଣ୍ଡର ୧ମ ଓ ୨ୟ ସଙ୍ଖ୍ୟାରେ, ୧୯୧୬ ମସିହାରେ, ପ୍ରକାଶିତ ।