Thursday, August 09, 2018

ଆଜ୍ଞାନୁବର୍ତ୍ତିତା - ୨


ଗୋପବନ୍ଧୁ ଦାଶ


ମେୱାରର ଅମର ସିଂଙ୍କର ଚିତ୍ର (୧୬୨୪ ମସିହା)
ଶିଳ୍ପୀ ବିଶନ ଦାଶ (ଯଦିଓ ଜାହାଙ୍ଗୀରଙ୍କର ହସ୍ତରେଖାଙ୍କିତ)
ଅମର ସିଂଙ୍କର ମସ୍ତକ ଉପରେ 'ଅଲ୍ଲାହୁ ଅକବର' ଲିଖିତ
'ଅଲ୍ଲାହୁ ଅକବର'ର ଅର୍ଥ ହେଲା 'ଇଶ୍ୱର ମହତ୍ତମ'
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ସଂସାରରେ ଆଜ୍ଞାନୁବର୍ତ୍ତୀ ହେବା ପ୍ରକୃଷ୍ଟ ନୀତି । କିନ୍ତୁ କଠୋର ସାଧନା ଫଳରେ ମନୁଷ୍ୟର ସେ ଆତ୍ମସଞ୍ଜମ ଆସେ । ସେହି ପରି ଆତ୍ମାର ଆଦେଶ ପାଳନ କରିବାକୁ ହେଲେ ଅବିଚଳିତ ସାଧନାରେ ନିୟତ ମନୋନିବେଶ କରିବା ପ୍ରୟୋଜନ । ଜଗନ୍ନାଥଙ୍କ କାଷ୍ଠବିଗ୍ରହ ମଧ୍ୟରେ ବ୍ରହ୍ମ ପରି ବିମଳ ଅନ୍ତରାତ୍ମା ଆତ୍ମା ଭିତରେ ବିରାଜିତ ଅଛି । ପ୍ରବାଦ ଅଛି ଯେ ବିଦ୍ୟାପତି ସନ୍ତାନ ଦାରୁବିଗ୍ରହ ମଧ୍ୟରେ ଏହି ବ୍ରହ୍ମଶିଳାର ଅନ୍ୱେଷଣ କରେ, ସେ ଅନ୍ଧ ପରି ଚକ୍ଷୁବନ୍ଧନ କରି ଏକମନ ଏକପ୍ରାଣରେ ତାହା ହସ୍ତଗତ କରେ ଏବଂ ହସ୍ତଗତ କରିବା ସଙ୍ଗେ ସଙ୍ଗେ ତାହାର ବିନାଶ ହୁଏ । ସେହି ପରି ତୁମ୍ଭେ ସ୍ୱେଚ୍ଛାଚାରୀ ଆତ୍ମାର ସଂଯମ ନିମନ୍ତେ ଯଦି ଏହି ବ୍ରହ୍ମ ପଦାର୍ଥର ଧାରଣା କରିବାରେ ହେବ । ଏକମନ ଏକପ୍ରାଣରେ ସେହି ବିମଳ ଶୁଦ୍ଧବୁଦ୍ଧି ଅନ୍ତରାତ୍ମାର ଅନ୍ୱେଷଣ କରିବାକୁ ହେବ । ଅନ୍ୱେଷଣ କରି ଯେତେବେଳେ ତା'କୁ ପାଇବ, ଯେତେବେଳେ ତୁମ୍ଭର ହୃଦୟ କନ୍ଦରରେ ଥିବା ସ୍ୱୟମ୍ଭୂ ବ୍ରହ୍ମପଦାର୍ଥ ତୁମ୍ଭେ ଉତ୍ତମ ରୂପେ ଧାରଣା କରି ପାରିବ, ସେତେବେଳେ ଦେଖିବ, ତୁମ୍ଭର ସ୍ୱେଚ୍ଛାଚାରୀ ଆତ୍ମାର ପତନ ହୋଇ ଅଛି । ଏ ସାଧୁ ଯତ୍ନରେ ଏ ବ୍ରହ୍ମପଦାର୍ଥ ଅନ୍ୱେଷଣରେ ତାହାର ବିନାଶ ଅବଶ୍ୟମ୍ଭାବୀ । ସ୍ୱେଚ୍ଛାଚାରିତାର ଏହି ପରମ ବିନାଶ ନିମନ୍ତେ ପ୍ରସ୍ତୁତ ନ ହେଲେ ଏହି ସାଧୁ ଚେଷ୍ଟାରେ ଆତ୍ମବଳି ଦେବାକୁ କୃତସଙ୍କଳ୍ପ ନ ହେଲେ ପ୍ରକୃତ ମାନବାତ୍ମାର ବିକାଶ ହେବ ନାହିଁ । ଆଜ୍ଞାନୁବର୍ତ୍ତତା ବିଷୟରେ ଶତସହସ୍ର ଉପଦେଶ ପାଇଲେ ମଧ୍ୟ ଏ ଆନ୍ତରିକତା ଏ ସାଧନା ଏ ଆତ୍ମାବଳି ବିନା ପ୍ରକୃତ ଆଜ୍ଞାନୁବର୍ତ୍ତିତା ଲାଭ କରିବା ଅସମ୍ଭବ । ସମସ୍ତ ଆଦେଶର ମୂଳାଧାର ସ୍ୱରୂପ ପରମାତ୍ମା ସାଧୁ ବିବେକବାଣୀ ଘେନି ତୁମ୍ଭର ଅନ୍ତରତମ ପ୍ରଦେଶରେ ବିଦ୍ୟମାନ ରହି ଅଛନ୍ତି । ତାଙ୍କର ଆଦେଶ ପାଳନରେ ଆତ୍ମସମର୍ପଣ କଲେ, ତାଙ୍କର ଆଜ୍ଞାନୁବର୍ତ୍ତୀ ହେବାରେ ଆତ୍ମବଳି ନ ଦେଲେ, ପ୍ରକୃତ ମନୁଷ୍ୟ ହେବାର ପ୍ରୟାସ ବିଡ଼ମ୍ୱନା ।

ସେଥି ପାଇଁ କହେ, ଥରେ ଭିତରକୁ ଚାହଁ । ପିତାମାତା, ଶିକ୍ଷକ ଗୁରୁଜନ ପ୍ରଭୃତିଙ୍କ ଆଦେଶ ମାନି ଯେବେ ପ୍ରକୃତରେ ମନୁଷ୍ୟତା ଲଭିବାର ପ୍ରୟାୟ କର, ଦେଖିବ, ବିଶୃଙ୍ଖଳ ସ୍ୱେଚ୍ଛାଚାରିତା ଅନ୍ଧକାର ମଧ୍ୟରେ ସ୍ୱୟମ୍ଭୂ ଶଙ୍କର ପରମାତ୍ମା ବିରାଜିତ ଅଛନ୍ତି । ଦେବାଳୟରେ ଦେଖିଥିବ ହିନ୍ଦୁର ଦେବତା କଠୋର ପ୍ରସ୍ତରର ଆବରଣ ମଧ୍ୟରେ ମନ୍ଦିର ଗହ୍ୱରରେ ଘନାନ୍ଧକାରରେ କେନ୍ଦ୍ର ଦେଶରେ ଭକ୍ତର ଅଭୟ ନିମନ୍ତେ ପ୍ରତିଷ୍ଠିତ ଥାଆନ୍ତି । ଭକ୍ତ ସେ କଠୋର ଆବରଣ ସେ ଘନାନ୍ଧକାର ଭେଦ କରି ନ ଗଲେ ଦେବତାର ଦର୍ଶନ ପାଇବ ନାହିଁ । ସେହି ପରି ମନେ ରଖ, ଶରୀରେ ଶରୀରେ ଦେବାଳୟ ମଧ୍ୟରେ ଜଗତର ଆରାଧ୍ୟ ଦେବତା ପରମାତ୍ମା ବିଶ୍ୱନିୟନ୍ତା ବିମଳ ବ୍ରହ୍ମ ରୂପରେ ବିରାଜିତ ରହି ଅଛନ୍ତି । ମୂତ୍ରପୁରୀଷ ଆଧିବ୍ୟାଧିମୟ ଏହି ଶରୀର ମଧ୍ୟରେ ବାସନା ଭେଦ କରି ସେହି ଦେବତାଙ୍କର ଦର୍ଶନ ଲାଭ କରିବାକୁ ହେବ । ମନ୍ଦିରର ବାହାରରେ ଅଶ୍ଳୀଳ ଛବି ଦେଖି ଭୁଲି ରହିଲା ପରି ଶରୀର ଧର୍ମରେ ବିଭୋଳ ହେଲେ, ଇନ୍ଦ୍ରିୟପରନ୍ତ୍ରତା ଓ ବିଳାସବ୍ୟସନରେ ଆତ୍ମାକୁ ଭସାଇ ଦେଲେ ଦେବଦର୍ଶନ ଅସମ୍ଭବ । ଆତ୍ମାବଳି ପାଇଁ ପ୍ରସ୍ତୁତ ନ ହେଲେ, ଶରୀର ଧର୍ମ ପରିତ୍ୟାଗ ନ କଲେ ଆତ୍ମାଲାଭର କାମନା ଆକାଶକୁସୁମ ପାଇବାର କଳ୍ପନା ପରି ନିଷ୍ପଳ ଓ ନିରର୍ଥକ ହେବ । 

ଅବହିତ ନିଷ୍ଠାର ଜୀବନବ୍ୟାପୀ ସାଧନା ବଳରେ ହୃଦୟର ଅନ୍ତରତମ ଦେଶରେ ଥିବା ସେହି ବିଶ୍ୱନିୟନ୍ତୃ ଶକ୍ତି ପରମାତ୍ମାର ଧାରଣା କରିବା ମାନବର ଶ୍ରେଷ୍ଠ ଲକ୍ଷ୍ୟ । ସ୍ୱେଚ୍ଛାଚାରୀ ଆତ୍ମାର ବଳିଦାନ କରି ଜୀବନର ଚରମ ଲକ୍ଷ୍ୟ ସେହି ପରମ ପଦାର୍ଥର ଧାରଣା କରିବାକୁ ହେବ । ଜାଣ ମାନବ ଜୀବନର ସେହି ପରମଲକ୍ଷ୍ୟ ବିଶ୍ୱଶକ୍ତିର ଆଶ୍ରୟ ନ କଲେ ଜୀବନ ଉଦ୍ଧାର ନାହିଁ । ସେ ଶକ୍ତି ତୁମ୍ଭଠାରୁ ବହୁ ଦୂରରେ ନୁହେଁ । ତୁମ୍ଭର ଶାସନ ନିମନ୍ତେ ତୁମ୍ଭର ମୁକ୍ତି ନିମନ୍ତେ ତୁମକୁ ପ୍ରତି ପଦକ୍ଷେପରେ ବାଟ ଦେଖାଇବା ନିମନ୍ତେ ତୁମ୍ଭର ହୃଦୟ-ବେଦି ଅଧିକାର କରି ନିକଟରୁ ନିକଟତମ ହୋଇ ରହି ଅଛନ୍ତି । ତୁମ୍ଭେ ଶୀଘ୍ର ଭିତରକୁ ଆଖି ପକାଇ ତାହାଙ୍କୁ ଖୋଜି ନିଅ । ସାଧନା ଓ ପ୍ରଯତ୍ନ ବଳରେ ତାହାଙ୍କୁ ଆଶ୍ରୟ କର ।

ସେହି ପରମାତ୍ମା ସମସ୍ତ ଆଦେଶର ମୂଳାଧାର । ତୁମ୍ଭର ଅନ୍ତର ଦେଶରେ ରହି ସେ ତୁମ୍ଭଙ୍କୁ ସର୍ବଦା ଅସତ୍ ମାର୍ଗରୁ ରହିତ କରୁ ଅଛନ୍ତି । ପିତା, ମାତା, ବନ୍ଧୁ, କୁଟୁମ୍ୱ, ଶିକ୍ଷକ,ଗୁରୁଜନ ପ୍ରଭୃତିଙ୍କ ଆଦେଶ ରାଶିରେ ସେ ନିୟମ ସବୁ ତୁମ୍ଭର ଚତୁର୍ଦ୍ଦିଗରେ ବୁଣା ହୋଇ ରହି ଅଛି । ଯେ ନିୟମ ସବୁ ପାଳନ କରି ତୁମ୍ଭେ ଆଜ୍ଞାନୁବର୍ତ୍ତୀ ହେବା ଦ୍ୱାରା ମନୁଷ୍ୟତା ଲାଭ କରିବାକୁ ସବର୍ଦା ଉଦ୍‌ବିଗ୍ନ ଓ ଉତ୍କଣ୍ଠିତ ହୋଇ ରହି ଅଛିସେ ସମସ୍ତ ଆଦେଶ ଓ ନିୟମର ଦର୍ପଣ ପରି ସମସ୍ତ ଆଦେଶର ମୂଳାଧାର ପରମପିତା ନିଜର ଶୁଦ୍ଧବୁଦ୍ଧି ରୂପରେ ତୁମ୍ଭର ହୃଦୟକନ୍ଦରରେ ବିରାଜ କରୁ ଅଛନ୍ତି । 

ଥରେ ଆଖି ପକାଇ ତାହାଙ୍କୁ ଦେଖ ଆଉ ଆଦେଶ ପାଳନର ଅଭାବ ରହିବ ନାହିଁ । ଦେଖିବ ପିତାମାତା, ଗୁରୁ, ଶିକ୍ଷକ ହିତାର୍ଥୀ ସ୍ୱଜନମାନେ ତୁମ୍ଭଙ୍କୁ ଯାହା କରିବାକୁ ଆଦେଶ ଦେଉ ଅଛନ୍ତି, ଯେଉଁ ମାର୍ଗରେ ଚଳିବାକୁ କହୁ ଅଛନ୍ତି ସେ ସବୁ ତୁମ୍ଭର ବିବେକ ରୂପରେ ତୁମ୍ଭ ଭିତରେ ରହି ଅଛି । ପିତା, ମାତା ଶିକ୍ଷକାଦିଙ୍କର ଆଦେଶ ଏଡ଼ି ଦେବା ତୁମ୍ଭ କ୍ଷମତାର ବହିର୍ଭୂତ । ତାହାକୁ ଏଡ଼ି ଦେଲେ ତୁମ୍ଭେ ଆତ୍ମପ୍ରବଞ୍ଚନା କରୁ ଅଛ, ଆପଣାକୁ ଆପେ ଠକି ଦେଇ ମୁହୂର୍ତ୍ତକ ପାଇଁ ଭୁଲାଇ ଦେଉ ଅଛ । ତାହା କର ନାହିଁ । ପରମପିତାଙ୍କର ସେ ଦୃଷ୍ଟିସର୍ବଦା ପ୍ରାଣରେ ଅନୁଭବ କର । ସେ ଅନ୍ତର୍ଯାମୀ, ତା'ଙ୍କୁ ଲୁଚାଇ କାର୍ଯ୍ୟ କରିବାର ସ୍ଥାନ ବା ଅବସର ନାହିଁ । ଘର ଭିତରେ ସମସ୍ତ ଦ୍ୱାର ଜଳାକବାଟି କୁଞ୍ଚିଜଳା ପର୍ଯ୍ୟନ୍ତ ଦୃଢ଼ ରୂପେ ବନ୍ଦ କରି କୌଣସି ଅନ୍ୟାୟ କଲେ ମଧ୍ୟ, ଏପରି କି ମନରେ ଅନ୍ୟାୟ ବିଚାର କଲେ ମଧ୍ୟ, ତୁମ୍ଭ ମନରେ ସର୍ବଦା ପାପ ଭାବ ତୁମ୍ଭେ ବାହାରରେ କୌଣସି ଲୋକ ସେହି ପାପକୁ ଲକ୍ଷ୍ୟ କରି କହିଲେ ବିଚାର, ସତେ ଏ ମୋ' କଥା ଜାଣିଛି କି ? ଏପରି କି କୌଣସି ବହିରେ ସେହି ପରି କଥା ପଢ଼ିଲେ ବିଚାର, ଯେପରି କି ଗ୍ରନ୍ଥକାର କେବଳ ତୁମ୍ଭଙ୍କୁ ଲକ୍ଷ୍ୟ କରି କହୁଅଛନ୍ତି । ଏ ସବୁ ଯଦି ତୁମ୍ଭ ମନରୁ କେହି ଅନୁସନ୍ଧାନ କରି ଦେଖିଥା'ନ୍ତି ତେବେ ବୁଝି ପାରୁଥିବେ, ସେହି ଅନ୍ତରାତ୍ମା ପରମପୁରୁଷଙ୍କ ଆଦେଶ ମାତ୍ର ଲଙ୍ଘନ କରି ସେ ଏପରି ନିଜେ ଲଜ୍ଜିତ ଓ ଭୀତ । ନିଜର ଆଦେଶ ନିଜେ ପାଳନ କରି ନ ପାରି ତାଙ୍କର ଆତ୍ମା ଏପରି ସଙ୍କୁଚିତ ।

ତୁମ୍ଭେ ଅନ୍ତତଃ ଦେଖିଥିବା ଦୋଷୀ ଓ ନିର୍ଦ୍ଦୋଷ ଦୁଇ ଜଣ ଲୋକଙ୍କୁ ପଚାରିଲେ ଦୁହେଁ ସମାନ ସାହସର ସହିତ ଉତ୍ତର ଦିଅନ୍ତି ନାହିଁ । ଏହି ପରି ଦେଖି ଆମ୍ଭେମାନେ ଅନେକ ସମୟରେ ଦୋଷୀକୁ ଧରି ଥାଉ । ଏହାର କାରଣ ଟିକିଏ ଭାବିଲେ ବୁଝି ପାରିବ । ସେ ଦୋଷ କଲା ବେଳେ ସେହି ବିମଳ ଆତ୍ମାର ଆଦେଶ ମାନି ନାହିଁ ଏବଂ ସେତିକି ବେଳୁ ସଙ୍କୋଚରେ ସାହସଶୂନ୍ୟ ହୋଇ ଅଛନ୍ତି । ସେଥି ପାଇଁ ମନେ ରଖ, ଆଦେଶ ପାଳନ କରି ମନୁଷ୍ୟ ହେବାକୁ ବାସନା ଥିଲେ ପ୍ରଥମେ ଭିତରକୁ ଚାହଁ । ଭିତରେ ଥିବା ସ୍ୱୟମ୍ଭୂ ଶଙ୍କରଙ୍କର ଆଦେଶ ପାଳନ କରି ଶିଖିଲେ, ସେ ମହାଦେଶରେ ଥରେ ଆତ୍ମାସମପଣ କଲେ, ଆଉ କାହାରି ଆଦେଶ ମାନିବା ତୁମ୍ଭର ବାକି ରହିବ ନାହିଁ । ବିଶ୍ୱପିତା ପ୍ରକାଶ୍ୟ ଭାବରେ ତୁମ୍ଭର ହିତାର୍ଥୀ ଗୁରୁଜନମାନଙ୍କର ଆଜ୍ଞା ପାଳନ କରି ମନର ଚଞ୍ଚଳତା ହେତୁ ସେଥିରେ ଯେତେବେଳେ ଅସମର୍ଥ ହେବ, ସେତେବେଳେ ଭଲ କରି ଭିତରକୁ ଚାହଁ । ସେମାନଙ୍କ ଆଦେଶରେ ଯାହା ନାହିଁ, ଦେଖିବ ହୃଦୟଦେବତା ପରମପୁରୁଷଙ୍କ ଆଦେଶରେ ତାହା କି ସୁନ୍ଦର ଭାବରେ ରହି ଅଛି । ପୁଣି ପ୍ରକାଶ୍ୟ ଭାବରେ ଗୁରୁଜନମାନେ ଯେଉଁ ଆଦେଶ ଦେଉ ଅଛନ୍ତି, ହିତାର୍ଥୀ ବନ୍ଧୁମାନେ ଯାହା କହୁ ଅଛନ୍ତି, ସବୁ ସେହି ବିଶ୍ୱନିୟନ୍ତାଙ୍କର ନିୟମ । ସାଧାରଣ ବୁଦ୍ଧିରେ ଲୋକ ଦେଖିବା ପାଇଁ ହିତାର୍ଥୀମାନଙ୍କ ମୁଖରେ ଆଦେଶ ରୂପରେ ତୁମ୍ଭର ଅନ୍ତରତମ ଦେଶ ଅଧିକାର କରି ଗୋପନରେ ତୁମ୍ଭର କ୍ରିୟାକଳାପ ଦେଖୁ ଅଛନ୍ତି । ତୁମ୍ଭର ଗତିବିଧି କେବଳ ସ୍ୱତନ୍ତ୍ର ଭାବରେ ନିୟମିତ ନ କରି ନାନାମୁଖରେ ତାହାର ପନ୍ଥାକାଟି ଦେଇ ଆପେ କେନ୍ଦ୍ରରେ ରହି ସମସ୍ତ ପର୍ଯ୍ୟବେକ୍ଷଣ କରୁ ଅଛନ୍ତି ।

ଅତଏବ ତୁମ୍ଭର କଲ୍ୟାଣ କାମନାରେ ଯେ ଯେତେବେଳେ ଆଦେଶ କରୁ ଅଛନ୍ତି, ତାହା ସେହି ବିଶ୍ୱପିତାଙ୍କର ପ୍ରକାଶ୍ୟ ଆଦେଶ । ତା'କୁ ନତମସ୍ତକରେ ଗ୍ରହଣ କରି ସେଥିରେ ଆତ୍ମସମର୍ପଣ କର । ସର୍ବଶେଷରେ ଜୀବନର କ୍ରିୟା ଗତିରେ ପଥଭ୍ରଷ୍ଟ ହେଲେ ବେଳେବେଳେ ଅଗତ୍ୟା ମନର ଚଞ୍ଚଳତାର ଅଧୀନ ହୋଇ ପଡ଼ିଲେ, ଟିକିଏ ଅବଧାନତାର ସହିତ ଭିତରକୁ ଚାହଁ । ସେଠାରେ ସକଳ କଲ୍ୟାଣର ଉତ୍ସ ପରମପିତା ତୁମ୍ଭର ମଙ୍ଗଳ ନିମନ୍ତେ ଉଦ୍‌ବେଗରେ ଚାହିଁ ରହି ଅଛନ୍ତି । ତାଙ୍କର ସେ ଆଦେଶରୁ ବ୍ୟତିକ୍ରାନ୍ତ ହୁଅ ନାହିଁ । ସେହି ପରମାତ୍ମାରେ ନିଜର ସଭା ଓ ସର୍ବସ୍ୱ ଅନୁ‌ଭବ କର । ଜୀବନ-ସଙ୍ଗ୍ରାମରେ ବିପନ୍ନ ହେଲେ, ସେହିଠାରେ ଆଶ୍ରୟ ଗ୍ରହଣ କର । ସେ ତୁମ୍ଭଠାରୁ ଭିନ୍ନ ନୁହେଁ । ମନରେ ଧାରଣା କରି ଯେତେବେଳେ ତୁମ୍ଭର ଏ ସାଧାମରେ ସିଦ୍ଧି ଆସିବ, ସେତେବେଳେ ତୁମ୍ଭଙ୍କୁ ଅନ୍ୟ କେହି ଆଦେଶ ଦେବେ ନାହଁ । ତୁମ୍ଭର କଲ୍ୟାଣ ତୁମ୍ଭେ ନିଜେ କରିବ । ଏ ପରମ ଅବସ୍ଥା ତୁମ୍ଭର ଯଦି ବାଞ୍ଛା ହୁଏତେବେ ମନର ଚାଞ୍ଚଲ୍ୟ ହୃଦୟର ଦୌର୍ବଲ୍ୟ ଓ ବିଳାସ ବାସନା ଛାଡ଼ି, ଆତ୍ମାରେ ସ୍ୱେଚ୍ଛାଚାରକୁ ସଂଯତ କର । ଆତ୍ମା ଦ୍ୱାରା ଆତ୍ମାକୁ ଜୟ କର । ହିତାର୍ଥୀ ଗୁରୁଜନମାନଙ୍କର ଆଜ୍ଞାନୁବର୍ତ୍ତୀ ହେବା ଦ୍ୱାରା ଆତ୍ମାର ଆଦେଶରେ ବିବେକର ନିୟମରେ ଆତ୍ମା ସମର୍ପଣ କରିବାକୁ ଅଭ୍ୟାସ କର । ବିଶ୍ୱାସ ରଖ, ସାଧନାର ସିଦ୍ଧି ଅବଶ୍ୟମ୍ଭାବୀ ।

ବି.ଦ୍ର.: ଏହି ପ୍ରବନ୍ଧଟି ସତ୍ୟବାଦୀ ବିଦ୍ୟାଳୟରେ ଦିଆଯାଇଥିବା ଗୋଟିଏ ବକ୍ତୃତାରୁ ଯଥାସମ୍ଭବ ସଙ୍ଗୃହୀତ । ଲେଖାଟି ପ୍ରଥମେ 'ସତ୍ୟବାଦୀ' ପତ୍ରିକାର ପ୍ରଥମ ଖଣ୍ଡ ୪ର୍ଥ ସଙ୍ଖ୍ୟାରେ୧୯୧୫ ମସିହାରେ ପ୍ରକାଶିତ ହୋଇଥିଲା ।

No comments:

Post a Comment