Wednesday, August 29, 2018

ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବାସ୍ତବ ଶିକ୍ଷା: ଦାବୀ ଓ ଦାୟିତ୍ୱ'

ଅନୁବାଦକ - ଚିତ୍ତରଞ୍ଜନ ଦାସ


ମାନ୍ଦ୍ରାଜ ବନ୍ଦରଠାରେ ୧୮୯୫ରେ ଉତ୍ତୋଳିତ ସାଧାରଣ ଲୋକଙ୍କର ଆଲୋକଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମୁଁ ବ୍ରିଟିଶ ଗଭର୍ଣ୍ଣମେଣ୍ଟଙ୍କ ସହ ସହଯୋଗ କରୁ ଅଛି, କାରଣ ମୋର ବିଶ୍ୱାସ ଯେ, ବ୍ରିଟିଶ୍ ସାମ୍ରାଜ୍ୟର ପ୍ରତ୍ୟେକ ପ୍ରଜା ସହିତ ସମାନ ଅଂଶୀଦାର ହେବାକୁ ଦାବୀ କରିବା ମୋ ପକ୍ଷରେ ସମ୍ଭବପର ଅଟେ । ଆଜି ମୁଁ ସେହି ସମାନ ଅଂଶୀଦାରପଣ ଦାବୀ କରୁ ଅଛି । ମୁଁ ଗୋଟିଏ ପରାଧୀନ ଜାତିର ଅନ୍ତର୍ଗତ ନୁହେଁ । ମୁଁ ନିଜକୁ କୌଣସି ପରାଧୀନ ଜାତିର ଜଣେ ସଦସ୍ୟ ବୋଲି କହେ ନାହିଁ । 

ଆଉ ଗୋଟିଏ କଥା ଅଛି । ବ୍ରଟିଶ୍ ଶାସକବର୍ଗ ଆପଣମାନଙ୍କୁ ଏହା ଦେଇ ପକାଇବେ ନାହିଁଆପଣମାନଙ୍କୁ ତାହା ଅର୍ଜନ କରିବାକୁ ପଡ଼଼ିବ । ମୁଁ ସେ ଜିନିଷ ଚାହେଁ, ଏବଂ ହାସଲ କରି ପାରେ । ମୋର ଦାୟିତ୍ୱଗୁଡ଼ିକ ତୁଲାଇ ମୁଁ ତାହା ଦାବୀ କରିବାକୁ ଚାହେଁ । ମ୍ୟାକ୍‌ସମୁଲର ଆମକୁ କହିଛନ୍ତି - ଅବଶ୍ୟ ଆମର ଧର୍ମର ବାଖ୍ୟା କରିବା ପାଇଁ ମ୍ୟାକ୍‌ସମୁଲରଙ୍କ ସାହାଯ୍ୟ ଲୋଡ଼ା ନାହିଁ ଓ ଆମ ଧର୍ମର ମୂଳମନ୍ତ୍ର ହେଉଛି “ଦା-ୟି-ତ୍ୱ" ଏବଂ “ଦା-ବୀ" ନୁହେଁ । 

ଯଦି ଆପଣମାନେ ବିଶ୍ୱାସ କରନ୍ତି ଯେ, ଦାୟିତ୍ୱ ତୁଳାଇବା ଦ୍ୱାରା ଆମେ ସମସ୍ତ ଦାବୀ ହାସଲ କରି ପାରିବୁଁ, ତେବେ ନିଜର ଦାୟିତ୍ୱ କଥା ସବୁବେଳେ ଚିନ୍ତା କରନ୍ତୁ ଏବଂ ସେହି ଦୃଷ୍ଟିରୁ ସଙ୍ଗ୍ରାମ କରନ୍ତୁ । କାହାରିକୁ ଆପଣମାନଙ୍କର ଭୟ ନ ଥିବ, କେବଳ ଭଗବାନଙ୍କୁ ଆପଣମାନେ ଭୟ କରିବେ । 

ସେହି ବାଣୀ, ମୋର ଗୁରୁ, ଯଦି ଅନୁମତ ଦିଅନ୍ତି ତେବେ ମୁଁ କହିପାରେ, ଆପଣମାନଙ୍କର ମଧ୍ୟ ଗୁରୁ, ଶ୍ରୀଯୁକ୍ତ ଗୋଖଲେ ଆମ୍ଭମାନଙ୍କୁ ଦେଇ ଅଛନ୍ତି । ସେ ବାଣୀ କଅଣ ? ତାହା ଭାରତ-ସେବକ-ସମାଜର ବିଧାନରେ ରହିଛି ଏବଂ ମୋ ଜୀବନରେ ମୁଁ ଏହି ବାଣୀ ଦ୍ୱାରା ପରିଚାଳିତ ହେବାକୁ ଇଚ୍ଛାକରେ । ଦେଶର ରାଜନୈତିକ ଜୀବନ ଓ ରାଜନୈତିକ ଅନୁଷ୍ଠାନ ଗୁଡ଼ିକୁ ଆଧ୍ୟାତ୍ମିକତା ଦ୍ୱାରା ଅନୁପ୍ରାଣିତ କରିବାକୁ ଏହି ବାଣୀ ଆମ୍ଭମାନଙ୍କୁ ଶିକ୍ଷା ଦେଉଛି । 

ତାହାକୁ ଆଚରଣରେ ଉପଲବ୍‌ଧ କରିବା ନିମିତ୍ତ ଆମ୍ଭମାନଙ୍କୁ ଅବିଳମ୍ୱେ ଲାଗିପଡ଼ିବା ଉଚିତ । ଛାତ୍ରମାନେ ରାଜନୀତିରୁ ଦୂରରେ ରହି ପାରିବେ ନାହିଁ । ଧର୍ମ ଯେପରି ଅତ୍ୟାବଶ୍ୟକ, ରାଜନୀତି ସେମାନଙ୍କ ପକ୍ଷରେ ସେହି ପରି ଅତ୍ୟାବଶ୍ୟକ ଅଟେ । ଧର୍ମରୁ ରାଜନୀତିକୁ ଅଲଗା କରିହେବ ନାହିଁ । ତଥାପି ମୋର ହୃଦୟର ଅନ୍ତରତମ ପ୍ରଦେଶରେ ଯେଉଁ ଆଲୋଡ଼ନ ହେଉଅଛି, ତାହାକୁ ହିଁ ମୁଁ ଆପଣମାନଙ୍କୁ ଜଣାଇ ପାରେ । 

ଦକ୍ଷିଣ ଆଫ୍ରିକାରେ ମୋର ଅନୁଭୂତି ବଳରେ ମୁଁ କହିପାରେ ଯେ, ଆପଣମାନଙ୍କର ଯେଉଁ ଦେଶବାସୀମାନେ ଆଧୁନିକ ସଭ୍ୟତା ପାଇ ନ ଥିଲେ, ମାତ୍ର ଯେଉଁମାନେ ପ୍ରାଚୀନ ଋଷିମାନଙ୍କର ଶକ୍ତି ଲାଭ କରି ଥିଲେ, ଋଷିମାନଙ୍କର ତପଶ୍ଚର୍ଯା ଉତ୍ତରାଧିକାରରେ ପାଇ ଥିଲେ, ଇଂରାଜୀ ସାହିତ୍ୟର ଧାର ଧାରୁ ନ ଥିଲେ ଏବଂ ବର୍ତ୍ତମାନ ଆଧୁନିକ ସଂସ୍କୃତିର ବିନ୍ଦୁବିସର୍ଗ ଜାଣି ନ ଥିଲେ, ସେହିମାନେ ନିଜର ଶକ୍ତିର ପରାକାଷ୍ଠା ଦେଖାଇ ପାରିଥିଲେ । ଯାହା ଦକ୍ଷିଣ ଆଫ୍ରିକାର ଆମ୍ଭମାନଙ୍କର ଅଶିକ୍ଷିତ ଓ ନିରକ୍ଷର ଲୋକମାନଙ୍କ ପକ୍ଷରେ ସମ୍ଭବ ହୋଇ ପାରିଛିତାହା ଆଜି ଆମର ଏହି ପବିତ୍ର ଭୂମିରେ ଆପଣମାନଙ୍କ ଓ ମୋ ପକ୍ଷରେ ଦଶଗୁଣ ସମ୍ଭବ ହୋଇ ପାରିବ । ସେହି ସୌଭାଗ୍ୟ ଆପଣମାନଙ୍କର ହେଉ ଏବଂ ମୋର ହେଉ, ଏହା ମୁଁ କାମନା କରୁ ଅଛି ।

No comments:

Post a Comment