ଗୁରୁଶିଷ୍ୟ - ୧
ଗୋପବନ୍ଧୁ ଦାସ
ବ୍ରିଟିଶ ଆର୍ଟ ରକ୍ ବ୍ୟାଣ୍ଡ୍ 'କିଙ୍ଗ୍ କ୍ରିମ୍ଶନ୍'ର ଆଲବମ 'ଡିସିପ୍ଲିନ୍'ର ମଲାଟ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ପ୍ରିୟ ଶିଶୁମାନେ !
ତୁମ୍ଭେମାନେ ଦେଶର
ନାନା ସ୍ଥାନରୁ ପାଠ ପଢିବା ପାଇଁ
ଏଠାରେ ଆସି ରୁଣ୍ଡ ହୋଇଅଛ ।
ଆଜି ତୁମ୍ଭେ ଶିଶୁ, ବାଳକ,
ତରୁଣ - କାଲି
ବଡ଼ ହେବ,
ସଂସାର
କରିବ,
ସଂସାରର
ନାନା କ୍ଷେତ୍ରରେ କାର୍ଯ୍ୟ କରିବ, ସମାଜରେ ତୁମ୍ଭର ଗୋଟିଏ ଗୋଟିଏ
ସ୍ଥାନ ହେବ,
ଶିକ୍ଷା
ପାଇ ସମାଜରେ ଗୋଟିଏ ଗୋଟିଏ
ଉପଯୁକ୍ତ ଲୋକ ହେବ । ସେଥି ପାଇଁ
ତୁମ୍ଭେମାନେ ଏଠାକୁ ପଠା ହୋଇ ଅଛ । ତୁମ୍ଭେମାନେ ଆଜି
ଏ ତରୁଣ ବୟସରେ ଆମ୍ଭମାନଙ୍କ
ଶାସନରେ ଅଛ । ଆମ୍ଭମାନଙ୍କର ଶିଷ୍ୟ ହୋଇଅଛ ।
ଆମ୍ଭେମାନେ ତୁମ୍ଭମାନଙ୍କର
ଶାସକ, ତୁମ୍ଭମାନଙ୍କର ଗୁରୁ ।
ତୁମ୍ଭେମାନେ ସମସ୍ତେ ଆଜି ନିଜଠାରୁ
ଆମ୍ଭମାନଙ୍କୁ ବଡ଼ ବୋଲି ବିଚାରୁ ଅଛ ।
ଆମ୍ଭେମାନେ ମଧ୍ୟ ଉଚ୍ଚ ଅଧିଷ୍ଠାନରେ
ବସି ତୁମ୍ଭମାନଙ୍କର ଜୀବନ ଗଢ଼ୁଅଛୁ
ବୋଲି ବିଚାରୁ ଅଛୁ । ଆମ୍ଭେମାନେ
ମନୁଷ୍ୟ । ଅସଙ୍ଖ୍ୟ ତୃଟି ଆମ୍ଭମାନଙ୍କର ଜୀବନରେ ରହି ଅଛି । ତଥାପି ତୁମ୍ଭେମାନଙ୍କ
ତୃଟି ଦେଖିଲେ ପଦେ ପଦେ ତାହା
ଆମ୍ଭେମାନେ ତୁମ୍ଭର ଜୀବନକୁ
ନିୟମିତ କରୁଅଛୁ ।
କିନ୍ତୁ ଏ କଥା
ସବୁବେଳେ ମନେ ରଖିଥିବ ଶିଶୁମାନେ । ତୁମ୍ଭମାନଙ୍କର ଜୀବନ ନିୟମିତ
କଲାବେଳେ, ତୁମ୍ଭମାନଙ୍କର ତୃଟି
ଦେଖି ତୀବ୍ର ଶାସନ କଲା ବେଳେ, ଆମ୍ଭେମାନେ ନିଜର ଦାୟିତ୍ୱ ଭୁଲୁ
ନାହୁଁ,
ନିଜର
ନଗଣ୍ୟତା ବିସ୍ମୃତ ହେଉ ନାହୁଁ ।
ଆମ୍ଭେମାନଙ୍କର ଜୀବନ ଏକ ପ୍ରକାର
ପରିଗଣିତ ହୋଇଅଛି । ତୁମ୍ଭମାନଙ୍କର
ଶିଶୁଜୀବନ ଆଜି ସମ୍ଭାବନାରେ
ପୂର୍ଣ୍ଣ । ଆମ୍ଭେମାନେ ଜୀବନରେ
ଯାହା ହେବାର ତାହା ଏକ ପ୍ରକାର
ହୋଇ ସାରିଛୁ । ତୁମ୍ଭେମାନେ
ଭବିଷ୍ୟତରେ କ'ଣ ହେବ,
କିଏ
କହିପାରେ ?
ହୁଏ
ତ ତୁମ୍ଭମାନଙ୍କ ଭିତରେ କେହି
ବୁଦ୍ଧ,
ଶଙ୍କର,
ଚୈତନ୍ୟ
କେହି ବା ଅଶୋକ,
ସିକନ୍ଦର
ଥାଇ ପାରନ୍ତି । କିନ୍ତୁ
ଆମ୍ଭେମାନେ ନଗଣ୍ୟ ହେଲେ ମଧ୍ୟ
ଆଜି ତୁମ୍ଭମାନଙ୍କୁ ଶାସନ କରିବାର
ଭାର ଭଗବାନ ଆମ୍ଭମାନଙ୍କୁ
ଦେଇ ଅଛନ୍ତି ।
ସେହି କର୍ତ୍ତବ୍ୟବୋଧନରେ
ଆମ୍ଭେମାନେ ତୁମ୍ଭଙ୍କୁ ଶାସନ
କରୁଅଛୁ,
ତୁମ୍ଭର
ତୃଟି ଦେଖାଉ ଅଛୁ, ଦୋଷରେ
ଦଣ୍ଡବିଧାନ କରୁ ଅଛୁ, ପ୍ରମାଦରେ
ସଂଶୋଧନର ପନ୍ଥା ଦେଖାଇ ଦେଉ ଅଛୁ ।
କଦାପି ବିଚାର ନାହିଁ, ଆମ୍ଭେମାନେ
ପୂର୍ଣ୍ଣ ମନୁଷ୍ୟତା ଲାଭ କରି
ତୁମ୍ଭଙ୍କୁ ଶାସନ କରୁ ଅଛୁ । ଅତି
ଭୟରେ, ଭକ୍ତିରେ, ଆଦରରେ ଆମ୍ଭେ
ଏଠାରେ ସେହି ଈଶ୍ୱରଦତ୍ତ କର୍ତ୍ତବ୍ୟ
ଯତ୍କିଞ୍ଚିତ ସମାଧାନ କରି ପାରିଲେ
କୃତାର୍ଥ ହେବୁ ବୋଲି ବିଚାରୁ ଅଛୁ ।
କାଲି ତୁମ୍ଭେ ବଡ଼ ହୋଇ ଯେତେବେଳେ
ପଛକୁ ଚାହିଁବ, ସେତେବେଳେ ହୁଏତ
ଆମ୍ଭ ଜୀବନରେ ବହୁତ ଅପୂର୍ଣ୍ଣତା, ତୃଟି ଓ ପ୍ରମାଦ ଦେଖି ପାରିବ ।
କିନ୍ତୁ ମନେ ରଖ, ଏ କଥା ମୁଁ ତୁମ୍ଭଙ୍କୁ
ଅନେକ ଥର କହି ଅଛି, ହୃଦୟର
ଆବେଗରେ ଆମ୍ଭେମାନ ତୁମ୍ଭର ସେହି
ଦିନକୁ ଚାହିଁ ବସି ଅଛୁ । ଗୁରୁ
ଶିଷ୍ୟର ଏହି ସମ୍ୱନ୍ଧ ଘେନି
ପ୍ରାଚୀନ ପୁରୁଷମାନେ କହିଅଛନ୍ତି -
"ସବତ୍ର
ଜୟ ମନ୍ୱିଷେ୍ୟତ୍
ଶିଷ୍ୟାଦିଚ୍ଛେତ୍
ପରାଜୟମ।"
ଅର୍ଥାତ୍
"ଲୋକ ସବୁଠାରେ ଜୟ ଅନ୍ୱେଷଣ କଲେ
ମଧ୍ୟ ଶିଷ୍ୟଠାରୁ ପରାଜୟ ଇଚ୍ଛା
କରେ ।
ଶିଷ୍ୟକୁ ଆପଣାଠାରୁ ସର୍ବଗୁଣରେ
ବଡ଼ ଦେଖିଲେ ଲୋକ କୃତାର୍ଥ ହୁଏ ।
ଏ
ସବୁ କଥା ବଝିଲେ ମଧ୍ୟ, କାର୍ଯ୍ୟରେ
ବିଧିନର୍ଦ୍ଦିଷ୍ଟ କର୍ତ୍ତବ୍ୟରେ
ଆମ୍ଭେ ତୁମ୍ଭର ଶାସକ ଓ ଗୁରୁ ।
ଭବିଷ୍ୟତରେ ତୁମ୍ଭର ଯେ ସମ୍ଭାବନା
ଥାଉ ନା କାହିଁକି, ତୁମ୍ଭର ସେ
ଭବିଷ୍ୟତ ଆଜି ଆମରି ହାତରେ ଗଢ଼ା ହେବ । ଏପରି ସ୍ଥଳରେ ତୁମ୍ଭର ଆମ୍ଭର
ଗୁରୁଶିଷ୍ୟ ସମ୍ୱନ୍ଧ ଭଲ କରି
ବୁଝି ରଖିବା ନିତାନ୍ତ ଆବଶ୍ୟକ ।
ତୁମ୍ଭେମାନେ ବାଳକ । ଏଠାରେ ବେଳେବେଳେ ଆମ୍ଭମାନଙ୍କ ହାତରେ ତୁମ୍ଭଙ୍କୁ
ଦଣ୍ଡ ପାଇବାକୁ ହୁଏ,
ଦୁଃଖ
ସହିବାକୁ ହୁଏ । ସେ ଦଣ୍ଡର ଅର୍ଥ
ତୁମ୍ଭେମାନେ ବେଳେବେଳେ ବୁଝ
ନାହିଁ । ଦାୟିତ୍ୱ ଘେନି ତୁମ୍ଭେମାନଙ୍କୁ
ଦଣ୍ଡ ଦେଇ ଆମ୍ଭେମାନେ ଯେ ମର୍ମବେଦନା
ଭୋଗ କରୁ, ତାହା ତୁମ୍ଭେ ଜାଣ
ନାହିଁ । ହୁଏତ ମନେ ମନେ ବିଚାର
କର - "ଓଃ। କି ଦୁଃଖ କି ଯନ୍ତ୍ରଣା ।
ପିତା ମାତା ଅଭିଭାବକ ଆମଙ୍କୁ କି
କଷ୍ଟରେ ପକାଇଅଛନ୍ତି ।"
ମାତ୍ର
ଟିକିଏ ବିଚାର କରି ଦେଖ,
ଏ
ଦୁଃଖ ତୁମ୍ଭର ଆଜି ଜୀବନରେ ନୂଆ
ନୁହେଁ । ଏହା ଯଦି ଯନ୍ତ୍ରଣା ହୁଏ,
ତେବେ
ଭଗବାନଙ୍କ ରାଜ୍ୟରେ ଯନ୍ତ୍ରଣା
ହିଁ ଜୀବନ । ଆଜି ତୁମ୍ଭେ ନିତାନ୍ତ
ଦୁଗ୍ଧପୋଷ୍ୟ ଶିଶୁ ନୁହଁ ।
ଟିକିଏ ବଡ଼ ହୋଇ ଅଛ । ମନର ବିକାଶ
ପାଇଁ ଜ୍ଞାନ ଅର୍ଜନ ପାଇଁ ଏଠାକୁ
ଆସି ଅଛ ।
କିନ୍ତୁ ତୁମ୍ଭେ ନିଜ
ନିଜର ଶରୀରକୁ ଚାହିଁ । ତୁମ୍ଭର
ଏ ହସ୍ତ ପଦ ଅବୟବ, ଏ ସ୍ୱାସ୍ଥ୍ୟ, ଏ ଶରୀର, ଗୋଟିଏ ଦିନର ଫଳ ନୁହେଁ ।
ତୁମ୍ଭେ ଯେଉଁ ଦିନ ଜନ୍ମ ହୋଇ
ପୃଥିବୀରେ ପଡ଼ିଥିଲ, ସେହି ଦିନଠାରୁ
ଆଜି ପର୍ଯ୍ୟନ୍ତ କେତେ ରୋଗ ଦୁଃଖ
ଯନ୍ତ୍ରଣା ଯାତନା ଭିତରେ ବଢ଼ି ଅଛ, ତାହାର ଇୟତ୍ତା ନାହିଁ। ଆଜି
ସୁଦୃଢ଼ ହସ୍ତ-ପଦ-ଅବୟବ
ଘେନି ତୁମ୍ଭେ ସଂସାରରେ ବିଚରଣ
କରୁଅଛ । କିନ୍ତୁ ଅବୟବର ଏ ଦୃଢ଼ତା, ସ୍ୱାଧୀନ ଭାବରେ ସଞ୍ଚରଣ କରିବାର
ଏ ଶକ୍ତି, ତୁମ୍ଭର କିପରି ହେଲା
କେବେ ଭାବିଛ କି ?
ଆଜି
ତୁମ୍ଭର ମନ ଚଞ୍ଚଳ, ତୁମ୍ଭେ ସବୁବେଳେ
ସ୍ୱାଧୀନତା ଲୋଡ଼ୁ ଅଛ, ତେଣୁ
ସବୁ ଶାସନ ଲୋଡ଼ା ହେଉ ଅଛି ।
ତୁମ୍ଭେ ବିଚାରୁ ଅଛ, ତୁମ୍ଭର ଯାହା
ଇଚ୍ଛା, ତୁମ୍ଭେ ତାହା କରି ଯିବ ।
ଅନ୍ୟ କେହି ତୁମ୍ଭଙ୍କୁ କିଛି
କହିଲେ, ତୁମ୍ଭଙ୍କୁ ସୁଖ ଲାଗୁ
ନାହିଁ । ବେଳେବେଳେ ବିଚାରୁଛ, ତୁମ୍ଭ ସ୍ୱାଧୀନତାରେ ବାଧା ଦେବାର
କାହାରି ଅଧିକାର ନାହିଁ । ଏ ଭାବ
ତୁମ୍ଭର ଆଜି ହୋଇ ନାହିଁ,
ଜୀବନରେ
ଶାସନ କେବଳ ଆଜି ତୁମ୍ଭର ଦରକାର
ହୋଇ ନାହିଁ । ଟିକିଏ ଭାବିଲେ
ଦେଖି ପାରିବ,
ଜୀବନର
ପ୍ରଥମରୁ ସବୁବେଳେ ତୁମ୍ଭେ ଶାସନରେ
ବଢ଼ୁ ଅଛ । ପଦେ ପଦେ ତୁମ୍ଭର
ସ୍ୱାଧୀନ ବୃତ୍ତି ଧକ୍କା ପାଉ ଅଛି ।
ତୁମ୍ଭର ଏ ସମସ୍ତ ଜୀବନ ଯେପରି
କି ଗୋଟିଏ ଶାସନା ତାଡ଼ନାର ଅନନ୍ତ
ଲୀଳା ।
କଥାଟି
ବୋଧହୁଏ ଭଲ ବୁଝିଲ ନାହିଁ । ବିଚାର
କର - ହ୍ରସ୍ୱ,
ଦୁର୍ବଳ, କୋମଳ ହସ୍ତପଦ ଘେନି ଯେତେବେଳେ
ତୁମ୍ଭେ ପୃଥିବୀରେ ପ୍ରଥମେ ପଡ଼ିଲ, ସ୍ୱାଧୀନ ଭାବରେ ହସ୍ତ-ପଦ
ଚଳାଇଲ,
ସେତେବେଳେ
ମଧ୍ୟ ଏହି କଠୋର ତାଡ଼ନା ତୁମ୍ଭର
ହସ୍ତ-ପଦକୁ
ସବଳ ଓ ସୁଦୃଢ଼ କରି ଅଛି । ପୃଥିବୀରେ
ପଡ଼ିବା ମାତ୍ରେ ତୁମ୍ଭେ ଅବୟବର
ସ୍ୱାଧୀନ ଲୀଳାରେ ପୃଥିବୀ ଉପରେ
ହସ୍ତପଦ ଆଘାତ କଲ। । ସଙ୍ଗେ ସଙ୍ଗେ
ତାଡ଼ନା । ପୃଥିବୀ ସଙ୍ଗେ ସଙ୍ଗେ
ତୁମ୍ଭର ସେ କଠୋର ପଦାଘାତକୁ
ଶାସନ କରେ । ତୁମ୍ଭେ ପଦାଘାତ କରି
ସାରି ଯନ୍ତ୍ରଣାରେ କାନ୍ଦି ଉଠିଲ ।
ବୋଧହୁଏ ବିଚାରି ଥିଲ, 'ଓଃ କି
ଦୁଃଖ ! ମୋର ହସ୍ତପଦର ସ୍ୱାଧୀନକ୍ରୀଡ଼ାରେ
ଏକି ଅବୈଧ ପ୍ରତିବନ୍ଧକ?"
କିନ୍ତୁ
ସେ ପ୍ରତିବନ୍ଧକ ନ ଥିଲେ, ଏହି ପରି
ପ୍ରତ୍ୟେକ ଅଙ୍ଗ-ଚାଳନାରେ
ପ୍ରକୃତି ତୁମ୍ଭକୁ ତାଡ଼ନା କରି
ନ ଥିଲେ, ତୁମ୍ଭର ହସ୍ତପଦ ସବଳ ହୋଇ
ନ ଥାଆନ୍ତା । ସେତିକି ନୁହେଁ, ପୁଣି
ଦେଖ । କିଛି ଦିନ ପରେ ତାଡ଼ନା ସହି
ସହି ତୁମ୍ଭେ ଯେତେବେଳେ ମୁଣ୍ଡ
ଉଠାଇ ଛିଡ଼ା ହେବାକୁ ଚେଷ୍ଟା
କଲ, ସେତେବେଳେ
ପ୍ରକୃତି ତୁମ୍ଭର ସେ ସ୍ୱାଧୀନତା
ସହିଲେ ନାହିଁ । ତୁମ୍ଭେ ବାରମ୍ୱାରା
ଉଠି ପଡ଼ିଲ । ପ୍ରକୃତି ତୁମ୍ଭଙ୍କୁ
ତୁମ୍ଭ ସ୍ୱାଧୀନତାରେ ବାରମ୍ୱାର ଶାସନ କଲେ । ସେ ଶାସନର ଦୁଃଖ ସହି
ତୁମ୍ଭେ କ୍ରମେ ହସ୍ତପଦାଦିର ଯେ
ସ୍ୱାଧୀନ ବ୍ୟବହାର ଲୋଡୁ ଥିଲ, ତାହା କରିବାକୁ ସମର୍ଥ ହୋଇ ଅଛ ।
ସେଥି ପାଇଁ କହେ ଯେ, ସେ ଶାସନର ଦୁଃଖ ସହି ସହି ତୁମ୍ଭେ କ୍ରମେ କ୍ରମେ ହସ୍ତପଦାଦିର ଯେ ସ୍ୱାଧୀନ ବ୍ୟବହାର ଲୋଡ଼ୁଥିଲ, ତାହା କରିବାକୁ ସମର୍ଥ ହୋଇ ଅଛ । ସେଥି ପାଇଁ କହେ, ତାଡ଼ନା ବିନା, ଶାସନ ବିନା ସ୍ୱାଧୀନତା ନାହିଁ । ଶାସନର ସଞ୍ଜମ ନ ଥିଲେ, ସ୍ୱାଧୀନତା ଗୋଟିଏ ବିଶୃଙ୍ଖଳ ସ୍ୱେଚ୍ଛାଚାରିତା । ସେ ସ୍ୱେଚ୍ଛାଚାରିତାରେ ଜୀବନର ଗଠନ ଅସମ୍ଭବ ।
ବି.ଦ୍ର.- ଏହି ଲେଖାଟି ଗୋପବନ୍ଧୁ ସତ୍ୟବାଦୀ ସ୍କୁଲରେ ଦିଆଯାଇଥିବା ଗୋଟିଏ ବକ୍ତୃତାରୁ ଯଥାସମ୍ଭବ ସଙ୍ଗୃହିତ ତଥା 'ସତ୍ୟବାଦୀ' ପତ୍ରିକାର ୨ୟ
ଖଣ୍ଡର ୧ମ ଓ ୨ୟ ସଙ୍ଖ୍ୟାରେ, ୧୯୧୬ ମସିହାରେ, ପ୍ରକାଶିତ ।
No comments:
Post a Comment