Thursday, August 23, 2018

ଗୁରୁଶିଷ୍ୟ - ୨

ଗୋପବନ୍ଧୁ ଦାସ


ନତ୍ର ଦାମ୍‌ର କାଥେଡ୍ରାଲ୍‌ର ଚିତ୍ର (ୱିକିମିଡିଆ କମନ୍ସ୍)

ପରମପିତା ବିଶ୍ୱବିଧାତା ସମସ୍ତ ବିଶ୍ୱଜଗତର ସ୍ରଷ୍ଟା ଓ ପାଳନକର୍ତ୍ତା । ସେ ଆମ୍ଭମାନଙ୍କୁ ସ୍ୱାଧୀନ ବୃତ୍ତି ଦେଇ ଅଛନ୍ତି, ସ୍ୱାଧୀନ ବୃତ୍ତିର ସଙ୍ଗେ ସଙ୍ଗେ ସେହି ପରି ପ୍ରକୃତିରେ ନାନା ଶାସନର ପନ୍ଥା ଫିଟାଇ ଅଛନ୍ତି । ଜୀବଜନ୍ମଠାରୁ ନିରାଶ୍ରୟ ମାନବ ଶିଶୁ ପର୍ଯ୍ୟନ୍ତ ସମସ୍ତଙ୍କର ସ୍ୱାଧୀନ ଲୀଳାରେ ସଂଯମ ଦେବାକୁ, ସ୍ୱେଚ୍ଛାଚାରିତା ଶାସନ କରିବାକୁ, ଅନନ୍ତ ପ୍ରକୃତି ସୃଷ୍ଟି କରି ଅଛନ୍ତି । ହସ୍ତପଦର ସ୍ୱେଚ୍ଛାଚାଳନାରେ ପୃଥିବୀ ଆଘାତ ଦିଏ । ଶିଶୁ ସ୍ୱାଧୀନ ଭାବରେ ଆଖି ଫିଟାଇ ଚାହିଁ ଥାଏ । କେଉଁଠାରୁ ପବନ ଆସି ହଠାତ୍ ଶିଶୁର ଆଖି ବୁଜି ଦିଏ । ଶିଶୁକୁ ଯେପରି କି ଶାସନ କରି କହେ, ବିଧାତାଙ୍କ ରାଜ୍ୟରେ ଏ ସ୍ୱେଚ୍ଛାଚାରିତା ତୋହର ଉଚିତ ନୁହେଁ । ଶିଶୁ ତୋ'ର ଯେତିକି ଚାହିଁବା ଉଚିତ, ତୁ ସେତିକି ଚାହିଁବୁ । ଚାହିଁ ରହିବାର ଅନନ୍ତ ଶକ୍ତି ତତେ ଦିଆ ଯାଇ ନାହିଁ । ତୁ ସେ ଅନନ୍ତ ଶକ୍ତି ଦେଖାଇ ବସିଲେ, ତତେ ସେଥିରୁ ନିବୃତ୍ତ କରିବା ପାଇଁ ଆମ୍ଭେମାନେ ନିଯୁକ୍ତ ଅଛୁଁ । ବିଧାତାଙ୍କ ରାଜ୍ୟରେ ତୋ'ର ସେ ଅଧିକାର ନାହିଁ । ଏହି ପରି ଖରା, ବର୍ଷା, ଶୀତ, ବସନ୍ତ, ପୃଥିବୀ, ଆକାଶ, ଜଳ, ବାୟୁ, ନଦୀ, ପର୍ବତ, ଜଡ଼, ଜୀବନ୍ତ, ସମସ୍ତେ ଭଗବାନଙ୍କର ଶାସନ ଦଣ୍ତ ଘେନି ଜନ୍ତୁର ସ୍ୱେଚ୍ଛାଚାରିତା ନିୟମିତ କରୁ ଅଛନ୍ତି । ସେଥିରେ ଜୀବଜନ୍ତୁ ପ୍ରଭୃତିର ଅଙ୍ଗଚାଳନାଦିର ପ୍ରକୃତ ସ୍ୱାଧୀନ ବ୍ୟବହାର ଫିଟୁ ଅଛି । ସ୍ୱେଚ୍ଛାଚାରିତା ସଂଯମରେ ରସାଣିତ ହେଉଅଛି । ଆବେଗ ଶାସନର ସଂଯତ ହେଉ ଅଛି । ବିଶ୍ୱତନ୍ତ୍ରର ନିୟମରେ ସମସ୍ତଙ୍କର କର୍ତ୍ତବ୍ୟ ନିର୍ଦ୍ଦିଷ୍ଟ ହେଉ ଅଛି ।

ତୁମ୍ଭମାନଙ୍କ ମଧ୍ୟରୁ ଅନେକେ ବହୁ ବାର ଶୁଣି ଅଛନ୍ତି, ପଶୁପକ୍ଷୀ ଇତର ଜନ୍ତୁଠାରୁ ମନୁଷ୍ୟ ଭିନ୍ନ । ପ୍ରକୃତି ଯେ ନିୟମରେ ଚଳାଉ ଅଛି, ପଶୁପକ୍ଷୀ ଇତର ଜନ୍ତୁମାନେ ସେ ନିୟମରେ ପ୍ରକୃତିର ସେହି ନିର୍ଦ୍ଦିଷ୍ଟ ଶାସନରେ ଚଳୁ ଅଛନ୍ତି । କିନ୍ତୁ ସ୍ୱାଧୀନତା ମନୁଷ୍ୟର ବିଶେଷତ୍ୱ । ନିରାଶ୍ରାୟ ମାନବ ଶିଶୁ ଏକ ହିସାବରେ ଦେଖିଲେ ଇତର ଜନ୍ତୁ ପରି । ସେତେବେଳେ ତା'ର ସ୍ୱାଧୀନ ବୃତ୍ତି ବିକାଶ ପାଇ ନ ଥାଏ କ୍ରମେ କ୍ରମେ ବୟସ ବୃଦ୍ଧି ସଙ୍ଗେ ଯେପରି ଶୈଶବ ଅତିକ୍ରାନ୍ତ ହୁଏ, ସେହି ପରି ମାନବପ୍ରାଣରେ ସ୍ୱାଧୀନ ଭାବ ଜାଗି ଉଠେ । ସତ କଥା, ମାନବର ସ୍ୱାଧୀନତା ଘେନି ସେ ସୃଷ୍ଟିର ଶ୍ରେଷ୍ଠ । ତେବେ ସେ ସ୍ୱାଧୀନ ଭାବରେ ଏତେ ଶୃଙ୍ଖଳ କାହିଁକି ? ଅତି ଶୈଶବରେ ମାନବ ଶିଶୁ ପରାଧୀନ । ପ୍ରକୃତିର ତାଡ଼ନାରେ ତାହାର ଜୀବନ ବିକାଶ ଲଭେ । କିନ୍ତୁ ସଙ୍ଗେ ସଙ୍ଗେ ପିତାମାତା ବନ୍ଧୁସ୍ୱଜନ ତାହାର ଚତୁର୍ଦ୍ଦିଗରେ ଘେରି ବସନ୍ତି । ଜୀବନରେ ସେ ଯେତେ ଯେତେ ବିକାଶ ପାଏ, ପିତାମାତାଠାରୁ ଆରମ୍ଭ କରି ବନ୍ଧୁ, ସ୍ୱଜନ ପରିବାର, ସମାଜ, ଜାତିଦେଶଧର୍ମ ପ୍ରଭୃତି ନାନା ମୁଖରେ ବିଶ୍ୱପିତା ସହସ୍ର ଦୃଷ୍ଟିରେ ଯେପରି କି ତା'କୁ ଚାହିଁ ଥାଆନ୍ତି, ତାକୁ ଶାସନ କରନ୍ତି, ତାହାର ଜୀବନକୁ ପ୍ରତି ମୁହୂର୍ତ୍ତରେ ନିୟମିତ କରନ୍ତି । ଅପଚାର ଘଟିଲେ ରୋଗ, ଶୋକ, ପରିତାପ, ଅପମାନ ପ୍ରଭୃତି ନାନା କଠୋର ଦଣ୍ଡରେ ମାନବ ଦଣ୍ଡିତ ହୁଏ ।

ଆହା ! ଥରେ ଭାବି ଦେଖ । ମାତା ତୁମ୍ଭର ସ୍ନେହମୟୀ ଜନନୀ ତୁମ୍ଭଙ୍କୁ ବକ୍ଷରେ ଧରି, କି ଆଦରରେ କି ପ୍ରାଣଭରା ପ୍ରେମ ଦେଇ ସ୍ତନ୍ୟଧାରାରେ ହୃଦୟର ରକ୍ତଦାନ କରି ତୁମ୍ଭଙ୍କୁ ପାଳନ କରନ୍ତି । ତୁମ୍ଭେ ସମ୍ପଦରେ ବିପଦରେ ମାତୃକୋଳରେ କି ଶାନ୍ତି, କି ବିରାମ ଭୋଗ କର । ରୋଗ ବେଳେ ସେହି ଜନନୀଙ୍କର ଅଜସ୍ର ଯତ୍ନ, ଶୟନେ ସ୍ୱପନେ ଜାଗରଣ ସର୍ବଦା ସେହି ଜନନୀଙ୍କର ଅନନ୍ତ ଆଦର, ତୁମ୍ଭ ଜୀବନର ପରମ ସ୍ଥିତି । କିନ୍ତୁ ଏ ସମସ୍ତ ସ୍ନେହ ସମସ୍ତ ଆବର ମଧ୍ୟରେ ବିଶ୍ୱପିତାଙ୍କର ସେହି କଠୋର ଶାସନଦଣ୍ଡ କେବେ ଦେଖିଛ କି ?
 ତୁମ୍ଭେ ସମସ୍ତେ ମନେ ରଖିଥିବ, ପିଲାଦିନ କୋରା ଖାଇବାକୁ ତୁମ୍ଭଙ୍କୁ କେଡେ ସୁଖ ଲାଗେ । ହୃଦୟର ଆଗ୍ରହରେ ପ୍ରାଣର ଆହ୍ଲାଦରେ ତୁମ୍ଭେ ଖଜା ଦେଖିଲେ ଖାଇବାକୁ ଧାଇଁ ଯାଅ । ଏ ସମସ୍ତ ହୃଦୟଭରା ଆଗ୍ରହ ବେଳେ ତୁମ୍ଭର ସେହି ସ୍ନେହମୟୀ ମାତାଙ୍କର ତୀବ୍ରତା ଆଜି ମନେ ପଡ଼େ ତ ? ତୁମ୍ଭେ କୋରା ଖାଇବାକୁ, ଖଜା ଖାଇବାକୁ, ଧାଇଁ ଗଲା ବେଳେ ତୁମ୍ଭର ଜନନୀ କେତେ ଥର କଠୋର ଭାବରେ ବାରଣ କରି ଅଛନ୍ତି । ତୁମ୍ଭେ ଖାଇବାକୁ ହାତରେ ଧଇଲା ବେଳେ ତୁମ୍ଭର ପ୍ରେମମୟୀ ଜନନୀ କଠୋର ହସ୍ତରେ ତାହା ଛଡ଼ାଇ ଫିଙ୍ଗି ଦେଇ ଅଛନ୍ତି । କେତେ ବେଳେ ବା ତରତର ହୋଇ ପାଟିରେ କୋରା ଖଜା ଭର୍ତ୍ତି କରି ଦେଇ ଅଛ, ତାହା ଦେଖି ଜନନୀଙ୍କର ପ୍ରାଣ ଫାଟି ଯାଇ ଅଛି । ସେ ତାଙ୍କର ଦୃଢ଼ ଅଙ୍ଗୁଳିରେ ତାହା ତୁମ୍ଭର ମୁହଁରୁ (ପାଟିରୁ) ବାହାର କରି ଦେଇ ଅଛନ୍ତି । 

ଅନନ୍ତ ପ୍ରେମମୟୀ ଜନନୀଙ୍କ ପ୍ରାଣରେ ଏ କଠୋରତା କିଏ ଦେଲା ? କାହିଁକି ବା ବିଧାତାଙ୍କର ନିୟମରେ ଅନନ୍ତ ପ୍ରେମ ଭିତରେ ଏ କଠୋରତା ଅଛି - ଏ କଥା ତୁମ୍ଭେ କେବେ ଭାବିଛ କି ? ଅବଶ୍ୟ ସେତେବେଳେ ଭାବି ନାହି ସେତେବେଳେ ଜନନୀଙ୍କର ସେ କ୍ରିୟାକୁ କଠୋର ମଣି ନିରାଶ୍ରୟ ହୋଇ ପ୍ରାଣ ବିକଳରେ କାନ୍ଦି ଅଛ । ଭାବିବାର ଶକ୍ତି ଥିଲେ ବୋଧହୁଏ ଭାବିଥିବ, "ଏ କି ଦୁଃଖ କି ଯନ୍ତ୍ରଣା । ମୁଁ ଟିକିଏ ସ୍ୱାଦୁ ଜିନିଷ ଖାଇବାକୁ ଇଚ୍ଛା କରୁ ଅଛି । ଯାହାଙ୍କ ଘେନି ମୋ'ର ପ୍ରାଣ ଦେଇ ସୁଖ ପାଆନ୍ତି, ସେ ମୋ'ର ଏ ସ୍ୱାଦୁ ଖାଇବାର ସୁଖ ଟିକକରେ କି ସକାଶେ ଏତେ ପ୍ରତିବନ୍ଧକ ହେଉ ଅଛନ୍ତି । ମୋ'ର ମାତା କି ସକାଶେ ମୋ'ର ଶତ୍ରୁ ହେଉ ଅଛନ୍ତି ?" ବିଧାତା ତୁମ୍ଭ ଜୀବନକୁ ଗଢ଼ିବା ପାଇଁ କୋମଳ ସ୍ନେହମୟ ମାତୃହସ୍ତରେ ଏ କଠୋର ଶାସନ ଦଣ୍ଡ ରଖି ଅଛନ୍ତି । 

ମନେ ଥିବ, ଏ ଶାସନ ନ ମାନି ପିତାମାତାଙ୍କୁ ଲୁଚାଇ, କୋରା ଖଜା ଖାଇ, ତୁମ୍ଭର ବେଳେବେଳେ କି ଅନିଷ୍ଟ ହୋଇ ଅଛି । କୃମିକଫ, ଜ୍ୱର, ଅଜୀର୍ଣ୍ଣ ପ୍ରଭୃତି ବ୍ୟାଧିରୁ କେତେ ସାଙ୍ଘାତିକ ନିର୍ଯାତନା ତୁମ୍ଭଙ୍କୁ ସହିବାକୁ ପଡ଼ି ଅଛି । ତୁମ୍ଭର ସ୍ୱେଚ୍ଛାଚାରିତାର ଫଳରେ ତୁମ୍ଭେ ଏ ସବୁ ନିର୍ଯାତନା ପାଇ ଅଛ । ବିଚାର କର, ମାତାର ସ୍ନେହମୟ ହସ୍ତରେ ତୀବ୍ର ଶାସନ ଦଣ୍ଡ ନ ଥିଲେ, ତୁମ୍ଭେ ଆଜି ନ ଥାଆନ୍ତ, ତୁମ୍ଭର ଏ ଶରୀର ନ ଥାଆନ୍ତା । ଏହି ପରି ଜୀବନରେ କେତେ ଅନ୍ୟାୟ, ଅପଚାର, ଉତ୍ସୃୃଙ୍ଖଳତା ବେଳେ ତୁମ୍ଭର ପିତାମାତା, ବନ୍ଧୁସ୍ୱଜନମାନେ ତୁମ୍ଭଙ୍କୁ ପଦେ ପଦେ ଶାସନ କରି ଅଛନ୍ତି, କେତେବେଳେ ପ୍ରହାର ମଧ୍ୟ କରି ଅଛନ୍ତି । ଯଦି ସେ କଥା, ସେ ଗାଳି, ସେ ପ୍ରହାର, ତୁମ୍ଭେ ସହି ନ ଥାଆନ୍ତ, ତେବେ ଭାବ ତୁମ୍ଭର ଜୀବନ କଣ ହୋଇ ଥାଆନ୍ତା ? ବିଶ୍ୱପିତା ପିତାମାତା, ବନ୍ଧୁସ୍ୱଜନ ରୂପରେ ଅନନ୍ତ ସ୍ନେହରେ ତୁମ୍ଭଙ୍କୁ ଘେରି ରହି, ସେହି ସ୍ନେହ ମଧ୍ୟରେ ତୁମ୍ଭ ପାଇଁ କଠୋର ଶାସନ ରଖି ଅଛନ୍ତି, ସ୍ନେହର ନିର୍ଯାତନାରେ ତୁମ୍ଭଙ୍କୁ ବଢ଼ାଉ ଅଛନ୍ତି । ଜଗତରେ ଜୀବନର ବିକାଶରେ ସର୍ବତ୍ର ଏହି ନିୟମ ।

ମନେ ରଖି ଥିବ ବାବୁ, ଯେ ପ୍ରାଣ ଦେଇ ସ୍ନେହ ନ କରେ, ସେ ଶାସନ କରି ପାରିବ ନାହିଁ । ଯେ ତୁମ୍ଭଙ୍କୁ ଅମାର୍ଗରେ ଗଲା ବେଳେ ଶାସନ ନ କରେ, ସେ ମୁହଁରେ ଯେତେ କହୁ ନା କାହିଁକି, ତାହା ପ୍ରାଣରେ ସ୍ନେହ ନାହିଁ । ବିଧାତାଙ୍କର ବିଶ୍ୱ ପରିପାଳନରେ କୋମଳ ସ୍ନେହ ସଙ୍ଗେ କଠୋର ତାଡ଼ନାର ଏହି ମହାସମ୍ମିଶ୍ରଣ ଗୋଟିଏ ଅତି ଅଭୁତ ବିଧାନ । ଯେ ଯାହାକୁ ସ୍ନେହ କରେ, ସେ ତାହାର ମଙ୍ଗଳ ଲୋଡ଼େ । କୋରାଟି ଖାଇ ଦେଲେ, ମାତା ଜାଣନ୍ତି, ତୁମ୍ଭର ଶରୀରର ମଙ୍ଗଳ ହେବ ନାହିଁ । ସେଥି ପାଇଁ ଶାସନର ପ୍ରୟୋଜନ । ତୁମ୍ଭର ଯେଉଁ ମଙ୍ଗଳ ତୁମ୍ଭର ମାତା ଚାହାନ୍ତି, ସେ ମଙ୍ଗଳ ଭବିଷ୍ୟତରେ ଅଛି । ଭବିଷ୍ୟତର ସେ ମଙ୍ଗଳକୁ କଳ୍ପନା କରି, ନିଜର ସ୍ନେହକୁ ନିୟମିତ କରନ୍ତି, ନିଜର ଶାସନ ବିଧାନ କରନ୍ତି । ଯେ ସେ ମଙ୍ଗଳ ଯେତେ ଦେଖି ଅଛି, ଜାଣିଥିବ ତା'ର ପିଲାମାନେ ସେତିକି ସୁସ୍ଥ ଭାବରେ ବଢ଼ି ଅଛନ୍ତି, ତାହାର ସ୍ନେହ କାର୍ଯ୍ୟରେ ସେତିକି ବେଶି ପ୍ରକାଶ ପାଇ ଅଛି । ଯେଉଁ ମାତା ଭବିଷ୍ୟତ ପ୍ରତି ଦୃଷ୍ଟି ନ ରଖି, ତାହା ତାହାକୁ କରିବାକୁ ଦେଇ ଅଛିତାହାର ପିଲା ସେତିକି ଅସୁସ୍ଥ ଓ ରୁଗ୍‌ଣ ହୋଇ ଅଛି । ତାହାର ସ୍ନେହ ବାସ୍ତବରେ ସ୍ନେହ ନୁହେଁ, ତାହା ଗୋଟିଏ ମୋହ ।

ଏକଥା ସମସ୍ତେ ଉଣାଅଧିକରେ ଅଙ୍ଗେ ନିଭାଇ ଅଛନ୍ତି । ଆଜି ଟିକିଏ ବିଚାର କଲେ ବୁଝି ପାରିବ, ଭଗବାନ ଯେଉଁମାନଙ୍କୁ ତୁମ୍ଭମାନଙ୍କ ଜୀବନ ଗଢ଼ିବାରେ ନିଯୁକ୍ତି କରି ଅଛନ୍ତି, ସେମାନେ କେହି ତୁମ୍ଭର ବର୍ତ୍ତମାନରେ ସନ୍ତୁଷ୍ଟ ନୁହନ୍ତି । ତୁମ୍ଭେ ଭବିଷ୍ୟତରେ କଅଣ ହେବ, ଏ କଥା ସେମାନେ ବିଚାରୁ ଅଛନ୍ତି ଏବଂ ସେହି କଥାଟି ଆଗରେ ରଖି ତୁମ୍ଭଙ୍କୁ ତିଆରୁ ଅଛନ୍ତି । ଅବଶ୍ୟ ଯେଉଁମାନେ ତୁମ୍ଭ ଶରୀରର ତତ୍ତ୍ୱ ନିଅନ୍ତି, ସେମାନଙ୍କ ପକ୍ଷରେ ଟିକିଏ ଚେଷ୍ଟା କଲେ ତୁମ୍ଭର ଶାରୀରିକ ଭବିଷ୍ୟତ ଦେଖିବା ସେତେ କଷ୍ଟ କଥା ନୁହେଁ । ମନୁଷ୍ୟ ସୁସ୍ଥ ସବଳ ହେଲେ କଅଣ ହୁଏ, ତାହା ସମସ୍ତେ ଦେଖି ଅଛନ୍ତି । କଅଣ ଖାଇଲେ କି ରୋଗ ହୁଏକି ଅପଚାରରେ କି ଅନିଷ୍ଟ ଜନ୍ମେ, ତାହା ଜାଣିବା ସେତେ କଷ୍ଟସାଧ୍ୟ ନୁହେଁ । 

ଯେଉଁ ପିତାମାତା ଟିକିଏ ଆଲୋଚନା କରି କାର୍ଯ୍ୟ କରନ୍ତି, ସେମାନେ ବାଳକର ଲାଳନପାଳନରେ ପ୍ରାୟଶଃ କୃତକାର୍ଯ୍ୟ ହୁଅନ୍ତି । ତୁମ୍ଭମାନଙ୍କ ମଧ୍ୟରୁ ଅନେକଙ୍କର ପିତାମାତା ଏକପ୍ରକାର କୃତକାର୍ଯ୍ୟ ହୋଇ ଅଛନ୍ତି । ଯଦି କେବଳ ଶରୀରରେ ମାନବର ସମସ୍ତ ଶେଷ ହୁଅନ୍ତା, କେବଳ ଶରୀରର ପୁଷ୍ଟି ବିଧାନ ଓ ସ୍ୱାସ୍ଥ୍ୟରେ ମାନବଜଗତର ଉଦ୍ଦେଶ୍ୟସିଦ୍ଧି ହୁଅନ୍ତା, ତେବେ ଏହିଠାରେ ସ୍ନେହର କ୍ରିୟା ଶାସନର କାର୍ଯ୍ୟ ପରି ସମାପ୍ତ ହୁଅନ୍ତା । କିନ୍ତୁ ମନୁଷ୍ୟକୁ ମନୁଷ୍ୟ କରିବାକୁ ହେଲେ କେବଳ ଶରୀରକୁ ଚାହିଲେ ଚଳିବ ନାହିଁ । ଅବଶ୍ୟ ଶରୀର ବରାବର ଛାଡ଼ି ଦେବାର ଜିନିଷ ନୁହେଁ । ମାତ୍ର ଶରୀର ସଙ୍ଗେ ସଙ୍ଗେ ମନର ବିକାଶ ବାଞ୍ଚ୍ଥନୀୟ । 

ବି.ଦ୍ର.- ଏହି ଲେଖାଟି ଗୋପବନ୍ଧୁ ସତ୍ୟବାଦୀ ସ୍କୁଲରେ ଦିଆଯାଇଥିବା ଗୋଟିଏ ବକ୍ତୃତାରୁ ଯଥାସମ୍ଭବ ସଙ୍ଗୃହିତ ତଥା 'ସତ୍ୟବାଦୀ' ପତ୍ରିକାର ୨ୟ ଖଣ୍ଡର ୧ମ ଓ ୨ୟ ସଙ୍ଖ୍ୟାରେ, ୧୯୧୬ ମସିହାରେ, ପ୍ରକାଶିତ ।

1 comment: