କାୱାଗୋଇଙ୍କ ଘଣ୍ଟା
ଜ୍ୟୋତି ନନ୍ଦ
କାୱାଗୋଇଙ୍କ ଘଣ୍ଟା |
ଘଣ୍ଟାଟି
ବନ୍ଦ ହୋଇ ଗଲା । ଚିରଦିନ ।
ବନ୍ଦ
ହେଲା ବେଳକୁ ସେଥିରେ ସମୟ ଦିଶୁଛି
ସକାଳ ୮ ଟା ବାଜି ୧୫ ମିନିଟ୍
। ସେଦିନର ତାରିଖ ଥିଲା ଅଗଷ୍ଟ
ମାସର ୬ ତାରିଖ,୧୯୪୫
ମସିହା । ଠିକ୍ ସେହି ସମୟରେ ବିଶ୍ୱ
ଇତିହାସର ପ୍ରଥମ ଆଣବିକ ବୋମା
ପଡ଼ିଥିଲା ଜାପାନର ହିରୋସିମା
ବୋଲି ଗୋଟିଏ ସହରରେ ।
ଘଣ୍ଟାର
ମାଲିକ ଆକିତୋ କାୱାଗୋଇ ବି ଘଣ୍ଟା
ସହିତ ଚିରକାଳ ବନ୍ଦ ହୋଇ ରହିଗଲେ
ନାଆଁଟିଏ ହୋଇ ସେହି ନିର୍ଦ୍ଦିଷ୍ଟ
ସମୟ ପର ଠାରୁ ।
ସେହି
ନିର୍ଦ୍ଦିଷ୍ଟ ସମୟଟି ବିଶ୍ୱ
ଇତିହାସର କୌଣସି ମାହେନ୍ଦ୍ର
କ୍ଷଣ ନ ଥିଲା । ଚାରିଆଡ଼ ଧୂଆଁ ଆଉ
ସେହି ଧୂଆଁର କୁହେଳିରୁ ଉଠି
ଆସୁଥିଲେ କିଛି ବର୍ତ୍ତି ଯାଇଥିବା
ହତଭାଗ୍ୟ ଚରିତ୍ର, ଯେଉଁମାନେ
ତାହା ପରଠାରୁ ଏକ ଚରମ ଅମାନବିକତାର
କ୍ଷତକୁ ନିଜ ଶରୀରରେ ବୋହି ଚାଲିଲେ
ନିଜର ସାରା ଜୀବନକାଳ । ଆଉ ତାହା ପରେ, ତାଙ୍କର ବଂଶଧରମାନେ ଏହି ପରମାଣବିକ
ଅଭିଶାପରେ ବି ଅଭିଶପ୍ତ ହୋଇ ଗଲେ । ସବୁକିଛି
ଛିନଛତ୍ର । ସେହି ଧ୍ୱଂସସ୍ତୁପରେ
ସବୁ କିଛି ଅଚାନକ ପାଲଟି ଗଲା ଗୋଟିଏ
ଗୋଟିଏ ସିଲହଟ୍ ।
ବଡ଼ କରୁଣ ସେ ଦୃଶ୍ୟ । ବଡ଼ କରୁଣ ସେ
ସିଲହଟ୍-ମାଳା । ଇତିହାସରେ
ଜଳଜଳ ସେଇ ନିର୍ମମ ଅସହ୍ୟ
ଚିତ୍ରାବଳୀ । ନିଜର ଜୋର୍ କରି
ବୁଜି ରଖିଥିବା ଆଖିରୁ ମାନବତାର
ଲୁହ ଝରଝର ଝରିଯିବ ନିଶ୍ଚେ । ଜଣେ
ଇଞ୍ଜିନିୟରଙ୍କ କଥା କହିବାକୁ
ଇଚ୍ଛା କରୁଛି ।
ସମସ୍ତେ
କିନ୍ତୁ ତାଙ୍କ ଭଳି ଭାଗ୍ୟବାନ
ନ ଥିଲେ । ତାଙ୍କର ନାଆଁ ସୁତମୋ
ୟାମାଗୁଚି । ବିଖ୍ୟାତ ମିଶୁବିଶି
କମ୍ପାନୀରେ ସେ ଜଣେ ଇଞ୍ଜିନିୟର । ବୟସ
ମାତ୍ର ଅଣତିରିଶ ବର୍ଷ । କାର୍ଯ୍ୟ
ଉପଲକ୍ଷେ ସେ ସେଇଦିନ ଅର୍ଥାତ୍
ଅଗଷ୍ଟ ୬ ତାରିଖ ୧୯୪୫ ଦିନ ହିରୋସିମାରେ
ଥିଲେ । ସେ ବୋମାମାଡ଼ର ଯାହାକୁ
ଏପିସେଣ୍ଟର ବା କେନ୍ଦ୍ର ବୋଲି
କୁହା ଯାଉଥିଲା, ସେହି ସ୍ଥାନଠାରୁ
ମାତ୍ର ଦୁଇ ମାଇଲ୍ ଦୂରରେ ବୋମାମାଡ଼ ସମୟରେ ଥିଲେ । ବୋମାମାଡ଼ ଫଳରେ
ତାଙ୍କର ଦେହର ଉପରଭାଗ ନିହାତି
କୁତ୍ସିତ ଭାବରେ ଜଳି ଯାଇଥିଲା, ଆଂଶିକ
ଦୃଷ୍ଟିହୀନ ଓ ସମ୍ପୂର୍ଣ୍ଣ ବଧୀର
ହୋଇଯାଇଥିଲେ ସେ । ନିଜ ଦେହସାରା ଆଣବିକ ବିକିରଣର ପ୍ରବଳ ଯନ୍ତ୍ରଣାରୁ
ମୁକ୍ତି ପାଇବା ପାଇଁ ସେ ତାହା ପର ଦିନ
ନିଜ ଘର ଅଭିମୁଖେ ତୁରନ୍ତ ଯାତ୍ରା
କରି ଥିଲେ । ନିଜ ଘରେ ରହି ଟିକିଏ
ସାଷ୍ଟାମ ହେଲା ବେଳକୁ ୟାମାଗୁଚିଙ୍କୁ
ଆଉ ଏକ ଆଶ୍ଚର୍ଯ୍ୟ ଅପେକ୍ଷା
କରିଥିଲା ।
ଠିକ୍
ହିରୋସୀମାର ତିନି ଦିନ ପରେ ଦ୍ୱିତୀୟ
ବୋମାମାଡ଼ ହେଲା ନାଗାସାକି ବୋଲି
ଆଉ ଏକ ସହରରେ । ହିରୋସିମାର ବୋମାମାଡ଼ ଠାରୁ ତାହା ଅଧିକ ଭୟଙ୍କର ଥିଲା । ପ୍ରାୟ
ସତୁରି ହଜାର ଲୋକ ଏଥିରେ ପ୍ରାଣତ୍ୟାଗ
କରି ଥିଲେ, ଆଉ ପୁରା ନାଗାସାକି
ସହରଟି ଧ୍ୱସ୍ତ ହୋଇ ଯାଇଥିଲା
ଏଥିରେ । ସେହି ବିଭିଷିକାଟିକୁ
ନାଗାସାକି ସହରର ସେ ସମୟର ମେୟରଙ୍କର
ଗୋଟିଏ ବାକ୍ୟରୁ ବେଶ୍ ବୁଝି ହେବ । ସେ
କହିଥିଲେ, "ଏହା ପରେ
କୌଣସି କୀଟପତଙ୍ଗଙ୍କ ଶବ୍ଦ ବି
ଆଉ ଶୁଭୁ ନାହିଁ ।"
ହିରୋସିମାର
ବୋମାମାଡ଼ରୁ ବର୍ତ୍ତି ଯାଇଥିବା
ଆମର ସେହି ଅଣତିରିଶ ବର୍ଷ ବୟସର
ତରୁଣ ଇଞ୍ଜିନିୟର ସୁତମୁ ୟାମାଗୁଚି
ନିଜର ବୋମା-କ୍ଷତକୁ
ଝାପସା ଦୃଷ୍ଟିରେ ଦେଖୁଦେଖୁ
କହିଥିଲେ, "ମୋ
ପଛରେ ତ ଖାଲି ବୋମା ଗୋଡ଼ାଇଛି ।"
କହିବା
ବାହୁଲ୍ୟ ୟାମାଗୁଚିଙ୍କ ନିଜ
ଘର ଥିଲା ନାଗାସାକି ସହରରେ, ଆଉ ସେ
ଦ୍ୱିତୀୟ ଥର ବୋମାମାଡ଼ରୁ ବି
ବର୍ତ୍ତି ଯାଇ ଥିଲେ ।ୟାମାଗୁଚି
ଆଉ ତାଙ୍କର ପତ୍ନୀ ଉଭୟେ ଦେହସାରା
ମଲାଟ ମଡ଼ା ହେଲା ପରି ବ୍ୟାଣ୍ଡେଜ୍
ମଡ଼େଇ ହୋଇ ବେଶ୍ ଦୀର୍ଘକାଳ
ବଞ୍ଚି ରହି ଥିଲେ । ପ୍ରାଣତ୍ୟାଗ
କଲା ବେଳକୁ ୟାମାଗୁଚିଙ୍କ ବୟସ
ହୋଇଥିଲା ତେୟାନବେ ଆଉ ତାଙ୍କର
ପତ୍ନୀଙ୍କୁ ଯେତେବେଳେ ଅଠାଅଶି
ବର୍ଷ ବୟସ ହୋଇଥିଲା, ସେତେବେଳେ
ସେ ଶେଷନିଃଶ୍ୱାସ ତ୍ୟାଗ କରି ଥିଲେ ।
ହିରୋସିମା
ବୋମାମାଡ଼ ଘଟଣାର ଠିକ୍ ତିନି ଦିନ
ପରେ ଅର୍ଥାତ୍ ନାଗାସାକିରେ
ଦ୍ୱିତୀୟ ବୋମାମାଡ଼ ପରେ ଆମେରିକାର
ରାଷ୍ଟ୍ରପତି ହାରି ଏସ୍. ଟ୍ରୁମାନ୍
ପ୍ରଥମେ ଆଣବିକ ବୋମାମାଡ଼ ସମ୍ପର୍କରେ ବେତାର ଭାଷଣରେ କହିଥିଲେ: "ଭଗବାନଙ୍କୁ
ଅଶେଷ ଧନ୍ୟବାଦ,ଏହା
ଆମର ଶତୃମାନଙ୍କ ବଦଳରେ ଆମ
ପାଖରେ ହିଁ ରହି ଥିଲା । ଆମେ ଭଗବାନଙ୍କୁ
ପ୍ରାର୍ଥନା କରିବା, ସେହି
ପରମମୟ ସବୁବେଳେ ଏହାକୁ ତାଙ୍କ
ନିର୍ଦ୍ଦେଶିତ ପଥରେ ତାଙ୍କର
କାମନାକୁ ଚରିତାର୍ଥ କରିବା
ପାଇଁ ସହାୟ
ହେବେ ।"
ଭଗବାନଙ୍କ
ନିର୍ଦ୍ଦେଶିତ ପଥ ଓ ଭଗବାନଙ୍କ
ଅନ୍ତର୍ନିହିତ କାମନାକୁ ସବୁବେଳେ
ସଠିକ ବୁଝିପାରିବାର କ୍ଷମତା
ବିଶ୍ୱର ସବୁଠାରୁ ଶକ୍ତିଧର
ମାର୍କିନ ମୁଲକ ପାଖରେ ରହିଥିବ
ବୋଲି ଆମେ ଧରି ନେବାକୁ ସବୁ ବେଳେ
ବାଧ୍ୟ ।
ଆକିତୋ
କାୱାଗୋଇ ଜଣେ ସୈନିକ ଥିଲେ । ହିରୋସିମାରେ
କାର୍ଯ୍ୟରତ ଥିଲେ ସେତେବେଳେ । ବୋମାମାଡ଼ ଯୋଗୁ ସେ ଯେଉଁଠି ଥିଲେ ସେଠିକାର
କାନ୍ଥ ମାଡ଼ି ବସିଥିଲା ତାଙ୍କ
ଉପରେ । ତାଙ୍କୁ ଜୀବିତ ଆକାରରେ
ଉଦ୍ଧାର କରା ଗଲା । ନିଜର ବନ୍ଦ
ହାତବନ୍ଧା ଘଡ଼ିଟିକୁ ସେ ଉପହାର
ଦେଇଥିଲେ ଏକ ମ୍ୟୁଜିଅମ୍କୁ ଯାହା
ସେହି ଐତିହାସିକ କୁକ୍ଷଣର ସଠିକ
ମୁହୂର୍ତ୍ତକୁ ଧାରଣ କରିଥିଲା
ନିଜ ଭିତରେ ।
କାୱାଗୋଇ
କିନ୍ତୁ ୟାମାଗୁଚିଙ୍କ ପରି
ଦୀର୍ଘଜୀବୀ ନ ଥିଲେ । ହିରୋସିମା
ଘଟଣା ପରେ ଆଉ ମାତ୍ର ଦଶ ବର୍ଷ ସମୟ
ହାସପାତାଳରେ କାଟିବା ଭଳି ବଞ୍ଚିବା
ବଞ୍ଚି ରହିଥିଲେ ସେ ।
No comments:
Post a Comment