Sunday, August 12, 2018

ଓଡ଼ିଶାର ଉପସାଗର, ଦ୍ୱୀପ ତଥା ପ୍ରାକୃତିକ ପୋତାଶ୍ରୟ


ଲେଖକ - ବି. ଏନ୍. ସିଂ 


ଅନୁବାଦକ - ହେମନ୍ତ କୁମାର ଦାସ


ହୁକିଟୋଲାର ଚିତ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ଉପସାଗର ଏବଂ ଦ୍ୱୀପ

ଓଡିଶା ଉପକୂଳ ହେଉଛି ଏକ ନିର୍ମିତ ଉପକୂଳ ଏବଂ ଏହା କ୍ରମେ କ୍ରମେ ଉତ୍ତୋଳିତ ହୋଇଛି । ସେଇଥି ପାଇଁ ଏଠାରେ ଉପସାଗରର କିମ୍ୱା ଖାଡ଼ି ସୃଷ୍ଟି ହୋଇ ନାହିଁ । ତେବେ ଜମ୍ୱୁ ନିକଟସ୍ଥ ହୁକିଟୋଲାଠାରେ ଏହି ଧରଣାର ଏକ ଉପସାଗର ନିର୍ମିତ ହୋଇଛି । ମହାନଦୀ ମୁହାଣର ଉତ୍ତରଦିଗରେ ଏକ ବିରାଟ ବାଲିକୁଦ ସୃଷ୍ଟି ହୋଇଥିବାରୁ ହିଁ ଏହା ସମ୍ଭବ ହୋଇଛି । ତେବେ ମହାନଦୀ ଏବଂ ତାହାର ଶାଖାନଦୀମାନଙ୍କ ଦ୍ୱାରା ଆନୀତ ପଟୁ ଦ୍ୱାରା ଏହା ଦୃତଗତିରେ ପୋତି ହୋଇ ଯିବାରେ ଲାଗିଛି ।

ଓଡ଼ିଶା ଉପକୂଳରେ ମାତ୍ର ଦୁଇଟି ଦ୍ୱୀପ ରହିଛି ।ଏହା ମହାନଦୀ ମୁହାଣରେ ଅବସ୍ଥିତ । ନଦୀବାହିତ ମୃତ୍ତିକା ଦ୍ୱାରା ହିଁ ଏହା ଗଠିତ । ସେଥିରୁ ଗୋଟିଏ ହେଉଛି ସର୍ବଦ୍ୱୀପ । ଅନ୍ୟଟିର ନାମ ହୁଇଲର ଦ୍ୱୀପ ଏବଂ ଏହା ଧାମରାମୁହାଣ ଏବଂ ମଇପୁରା ମଧ୍ୟବର୍ତ୍ତୀ ବଙ୍ଗୋପସାଗରେ କୂଳରୁ ଅଳ୍ପ କେଇ କି.ମି ଭିତରେ ଅବସ୍ଥିତ । କାଳକ୍ରମେ ଏହି ଦୁଇ ଦ୍ୱୀପ ମଧ୍ୟ ମୂଳ ସ୍ଥଳଭାଗ ସହିତ ମିଶିଯିବ । ପଟୁମାଟି ଦ୍ୱାରା ନିୟମିତ ଭାବରେ ମହାନଦୀ ତ୍ରିକୋଣଭୂମିର ଆକାର ବଢ଼ିବାରେ ଲାଗି ଥିବାରୁ ମୂଳଖଣ୍ତ ସହିତ ଏହା ମିଶି ଯିବାର ସମ୍ଭାବନା ଉଜ୍ୱଳ ହୋଇଛି । ତାହା ପରେ ସେଗୁଡ଼ିକ ମୁଖ୍ୟଭୂମିର ଏକ ଅଂଶ ରୂପେ ଗଠିତ ହେବେ ।

ପ୍ରାକୃତିକ ପୋତାଶ୍ରୟ

ଉପକୂଳ ସୀମାରେଖାର ପ୍ରକୃତି ଦୃଷ୍ଟିରୁ ପାରାଦ୍ୱୀପଠାରେ କେବଳ ଗୋଟିଏ ପ୍ରାକୃତିକ ପୋତାଶ୍ରୟ ସମ୍ଭବ ହୋଇ ପାରିଛି ।ସମଗ୍ର ଭାରତବର୍ଷରେ ଏହା ହେଉଛି ଗଭୀରତମ ବନ୍ଦର ଏବଂ ଏହା ୬୦୦୦୦ ଟନରୁ ଉର୍ଦ୍ଧ୍ୱ ମାଲବାହୀ ଜାହାଜଗୁଡ଼ିକୁ ଆଶ୍ରୟ ଦେବାପାଇଁ ସକ୍ଷମ । ଚାନ୍ଦବାଲି ଏବଂ ଗୋପାଳପୁରକୁ ଗୋଟିଏ ଗୋଟିଏ ମଧ୍ୟମ ଧରଣର ବନ୍ଦର ରୂପେ ପରିଣତ କରା ଯାଇଛି । ଧାମରା ହେଉଛି ଏକ କ୍ଷୁଦ୍ର ମାଛଧରା ବନ୍ଦର ।

ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତି, ହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେ, ଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

No comments:

Post a Comment