ଆଜ୍ଞାନୁବର୍ତ୍ତିତା - ୧
ଗୋପବନ୍ଧୁ ଦାଶ
ଭେନିସ ନଗରୀରେ ପାଲାଜୋ ଦୁକାଲ୍ଠାରେ ଇଶ୍ୱରଙ୍କ ପ୍ରତି ଆଜ୍ଞାନୁବର୍ତ୍ତିତାତର ଚିତ୍ରଣ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ସାରା ସୃଷ୍ଟିର ଅନନ୍ତ ଲୀଳା ଆମ୍ଭେମାନେ
ଦେଖୁ ଅଛୁଁ । ଦିନ ପରେ ରାତି ବର୍ଷା
ପରେ ଶୀତ ବର୍ଷ ପରେ ବର୍ଷ ସବୁ
ନିୟମିତ ରୂପେ ଚାଲି ଯାଉ ଅଛି ।
ମଞ୍ଜି ପୋତିଲେ ଗଜା ବାହାରୁ ଅଛି।
ଗଛ ବଢ଼ି ପୁଣି ଫଲ,
ଫୁଲ
ଓ ମଞ୍ଜି ପ୍ରସବ କରୁଅଛି । ଟେକାଟିଏ
ଉପରକୁ ପକାଇ ଦେଲେ ପ୍ରକୃତିର
ଆଜ୍ଞା ପାଳନ କରି ବିଶ୍ୱନିୟନ୍ତାଙ୍କ
ଆଦେଶ ଶିରୋଧାର୍ଯ୍ୟ କରି ତାହା
ଯେପରି କି ପୁଣି ତଳକୁ ପଡ଼଼ି ଯାଉଛି ।
ଏହି ପରି କାଷ୍ଠପାଷାଣ,
ବୃକ୍ଷଲତା,
ଜଡ଼-ଜୀବନ
ସମସ୍ତେ ପ୍ରକୃତି ନିୟମର ଅଧୀନ ।
ସେମାନେ ଯେପରି କି ବିଶ୍ୱପିତାଙ୍କର
ଅଭ୍ରାନ୍ତ ଆଦେଶମାନ ପାଳନ କରି
ଚଳୁ ଅଛନ୍ତି । କାହାରି ସୃଷ୍ଟି
ସ୍ଥିତି ଗତିବିଧିରେ କିଛି ମାତ୍ର
ବ୍ୟତିକ୍ରମ ବୃକ୍ଷାଦି ବଢ଼ିବାର
କଥା, ତାହା ବିଧିର ନିୟମରେ ସେହି
ଭୂମିରେ ବଢ଼ୁ ଅଛି । ଶୀତରେ ଗ୍ରୀଷ୍ମରେ
ବର୍ଷାରେ ଜୀବଜନ୍ତୁମାନେ ଈଶ୍ୱରଙ୍କ
ନିୟମରେ ନିୟତ ଚଳୁ ଅଛନ୍ତି ।
ସେମାନଙ୍କୁ ଚିନ୍ତା କରିବାକୁ
ପଡୁ ନାହିଁ। ପକ୍ଷୀର ଡିମ୍ୱ ପାତିବାର
ସମୟ ହେଲେ ସେ ପ୍ରକୃତିବଶରେ
କାଠିକୁଟା ସଙ୍ଗ୍ରହ କରି ବସା
କରୁ ଅଛି । ଇଲିଶି ମାଛ ନୂଆ ପାଣି
ପଡିଲା କ୍ଷଣି ବିଧିର ନିର୍ଦ୍ଦେଶ
ମାନି ଯେପରି କି ମଞ୍ଜି ଛାଡିବାକୁ
ସମୁଦ୍ରରୁ ନଦୀମୁହାଣ ବାଟେ ନଦୀର
ଉତ୍ପତ୍ତି ସ୍ଥାନକୁ ଉଡ଼ି ଯାଏ ।
କିନ୍ତୁ ମନୁଷ୍ୟ ନିଜ ପାଇଁ ନିଜେ
ଘର କରେ, ଚାଷ କରେ, ବୁଦ୍ଧିର ବିକାଶ
ପାଇଁ ବିଦ୍ୟାଶିକ୍ଷା କରେ ଏବଂ
ତାବତୀୟ କାର୍ଯ୍ୟରେ ବହୁ ପରିମାଣରେ
ନିଜେ ବୁଦ୍ଧି ଖେଳାଇ ନିଜକୁ
ସାହାର୍ଯ୍ୟ କରି ନ ପାରିଲେ ସଂସାରରେ
ରହିବା ତା' ପକ୍ଷରେ ଅସମ୍ଭବ ହେବ ।
ମନୁଷ୍ୟର
ସ୍ୱାଧୀନ ବୃତ୍ତି ଅଛି । ସେହି
ସ୍ୱାଧୀନ ବୃତ୍ତି ବଳରେ ସେ ନିଜ
କାର୍ଯ୍ୟ ସର୍ବଦା ନିଜେ ଭାବି ଚିନ୍ତି
କରୁ ଅଛି । ଯାହା ଇଚ୍ଛା ତାହା
କରିବାର ଅଧିକାର କେବଳ ମନୁଷ୍ୟର
ଅଛି । ମନୁଷ୍ୟ ଜୀବନରେ ପଶୁ ପକ୍ଷୀ
ଓ ଇତର ଦ୍ରବ୍ୟ ପରି ବିଧିର ଆଦେଶରେ
ସର୍ବତୋଭାବରେ ଚଳୁ ନାହିଁ ।
ତାହାର ଶାସନ ପାଇଁ ସୁପରିଚାଳନା
ପାଇଁ ଶୈଶବରୁ ମରଣ ପର୍ଯ୍ୟନ୍ତ
ନାନା ବିଧି ଆଦେଶ ତାକୁ ଘେରି
ରହିଅଛି । ତଥାପି ମନୁଷ୍ୟ ସମସ୍ତ
ଆଦେଶ ପଥରୁ ବିଚଳିତ ହୋଇ ସ୍ୱେଚ୍ଛା
ଅବଲମ୍ୱନ କରେ । ଶିକ୍ଷକ ତୁମ୍ଭଙ୍କୁ
ଯାତ୍ରା ଦେଖିବାରୁ ନିଷେଧ କରି ଅଛନ୍ତି ।
ତଥାପି ତୁମ୍ଭେ ଯାତ୍ରା ହେବାର
ଦେଖିଲେ ସେଠାରେ ବେଳେବେଳେ ରହି ଯାଉ
ଅଛି । ଏହି ପରି କେତେ ଅବାଧ୍ୟତା
ତୁମ୍ଭର ଜୀବନରେ କରୁ ଅଛ । ସେଥି ପାଇଁ
ମନୁଷ୍ୟର ଆଜ୍ଞାନୁବର୍ତ୍ତୀ ହେବା
ଆବଶ୍ୟକ । ବାଲ୍ୟ ବୟସରୁ ଅତି ସଂଯମର
ସହିତ ସେ ଗୁଣଟି ଅଭ୍ୟାସ କରିବା
ନିତାନ୍ତ ପ୍ରୟୋଜନ । ପିତା, ମାତା, ବନ୍ଧୁ, ସ୍ୱଜନ, ଶିକ୍ଷକ, ସହାଧ୍ୟାୟୀ
ସମସ୍ତେ ସର୍ବଦା ସେମାନଙ୍କର
ନାନା ଆଦେଶ ଉପଦେଶ ଓ ଅନୁରୋଧ
ଦ୍ୱାରା ଆମ୍ଭମାନଙ୍କୁ ପ୍ରକୃତି
ମନୁଷ୍ୟ ହେବା ମାର୍ଗରେ ଟାଣୁ ଅଛନ୍ତି।
ଏହି ପରି ଗୁରୁଜନ ଓ ହିତାର୍ଥୀମାନଙ୍କ
ଆଜ୍ଞାନୁବର୍ତ୍ତୀ ହୋଇ ତୁମ୍ଭର
ମନୁଷ୍ୟତା ଦିନକୁ ଦିନ ଫୁଟି
ଉଠୁ ଅଛି । ତୁମ୍ଭେ ଦିନକୁ ଦିନ
ଉନ୍ନତରୁ ଉନ୍ନତତର ହେଉ ଅଛ ।
ବାଲ୍ୟଜୀବନରୁ
ଅଜ୍ଞାନ ଅବସ୍ଥାରୁ ଏହି ଆଦେଶ
ସବୁ ଆମ୍ଭମାନଙ୍କୁ ମନୁଷ୍ୟ
କରୁଅଛି । ଏହି ଆଜ୍ଞାର ଅନୁବର୍ତ୍ତୀ
ହୋଇ ଆମ୍ଭେମାନେ ମନୁଷ୍ୟତା ଲାଭ
କରୁଅଛୁ । ଯେ ଯେଉଁ ପରିମାଣରେ
ଏହି ଆଜ୍ଞାନୁବର୍ତ୍ତୀ ହେଉ ଅଛି,
ସେ
ସେହି ପରିମାଣରେ ଜୀବନରେ ଉନ୍ନତ
ମନୁଷ୍ୟ ହେଉ ଅଛି । ଏହି ଆଜ୍ଞା
ପ୍ରଭାବରେ ବାଲ୍ୟ କାଳରୁ ଏ
ପର୍ଯ୍ୟନ୍ତ ନାନା ସ୍ୱେଚ୍ଛାପ୍ରବତ୍ତି
ଆଳସ୍ୟ ବିଳାସ ମଧ୍ୟରେ ଆମ୍ଭେମାନେ
କ୍ରମେ କ୍ରମେ ଆତ୍ମାର ଉନ୍ନତି
ସମ୍ପାଦନ କରୁଅଛୁ ।
ଏହି ଆଜ୍ଞାନୁବର୍ତ୍ତିତା
ତୁମ୍ଭମାନଙ୍କ ଶିକ୍ଷାଦୀକ୍ଷାର
ପ୍ରଧାନ ଉପାଦାନ ହୋଇ ଅଛି ।
ତୁମ୍ଭେମାନେ ବିଦ୍ୟାଳୟରେ ରହି
ଦେଖୁଥିବ, ପ୍ରତି ମୁହୂର୍ତ୍ତରେ
ଆଜ୍ଞାନୁବର୍ତ୍ତୀ ହେବା ହିଁ
ଜୀବନର ସର୍ବୋତ୍ତମ ଶିକ୍ଷା ।
ଜୀବନରେ ପିତାମାତା,
ଗୁରୁଜନ
ଶିକ୍ଷକ ହିତାର୍ଥୀମାନଙ୍କ ଆଦେଶ,
ଉପଦେଶ,
ଅନୁରୋଧ
ଉପରୋଧ ବିନା ମାନବର ଶିକ୍ଷା ଆଉ
କିଛି ନାହିଁ । ଜୀବନ ଗଠନରେ ଏହି
ଆଜ୍ଞାନୁବର୍ତ୍ତିତା ଶତ ପ୍ରକାରରେ
ମନୁଷ୍ୟକୁ ମନୁଷ୍ୟ କରୁଅଛି ।
ଜଗତପିତା
ପରମେଶ୍ୱର ସମସ୍ତ ସୃଷ୍ଟିର
ନିୟନ୍ତା । କଠୋର ନିୟମର ଶାସନରେ
ସେ ଅନନ୍ତ ଜୀବଜନ୍ତୁ କାଷ୍ଠପାଷାଣ
ପ୍ରଭୃତିକୁ ଅଭ୍ରାନ୍ତ ବିଧାନରେ
ଯଥାଯଥ ରୂପେ ଚଳାଉ ଅଛନ୍ତି ।
ପ୍ରାଗୈତିହାସିକ କାଳରେ ମେଘ
ଯେପରି ବରଷୁ ଥିଲା, ଆଜି ଠିକ୍
ସେହି ପରି ବରଷୁ ଅଛି । ସୃଷ୍ଟିର
ଆଦ୍ୟ ଦିନ ଗଛ ଯେପରି ବଢ଼ି ଥିଲା, ଫୁଲ ଯେପରି ବାସି ଥିଲା, କୋଇଲି
ଯେପରି କୁଆ ବସାରେ ଡିମ୍ୱ ରଖି
ଚାଲି ଯାଇ ଥିଲା, ବରଫ ସ୍ରୋତରେ
ଯେପରି ଗ୍ରାବସ୍କଳନ ହୋଇଥିଲା, ନଦୀ ମୁହାଣରେ ପଟୁ ପଡ଼ି ଯେପରି
ତ୍ରିକୋଣ ଦୀପ ଉଠିଥିଲା, ଆଜି
ତାହା ଠିକ୍ ସେହି ପରି ହେଉ ଅଛି ।
କିନ୍ତୁ ମନୁଷ୍ୟ ସେ ସବୁ ପରି
ପ୍ରକୃତିର ଏକାବେଳକେ ଅଧୀନ ନୁହେଁ ।
ସେ ନିଜ ବୁଦ୍ଧି ଖେଳାଇ ଦିନକୁ
ଦିନ ଉନ୍ନତି କରୁଅଛି । ଏତେ ସ୍ୱାଧୀନ
ବୃତ୍ତି ଓ ସ୍ୱତନ୍ତ୍ର ଅଧିକାର
ଦେଇ ମଧ୍ୟ ପରମପିତା କରୁଣାନିଧାନ ତାହାକୁ ଜଗତରେ ଏକାକୀ କରି ଛାଡି
ଦେଇ ନାହାନ୍ତି । ତୁମ୍ଭଙ୍କୁ
ସ୍ୱେଚ୍ଛା ଦେଇ ଅଛନ୍ତି, ସତ୍ୟ, କିନ୍ତୁ ସଙ୍ଗେ ସଙ୍ଗେ ପିତାମାତା
ଗୁରୁ ଶିକ୍ଷକ ବନ୍ଧୁ ହିତାର୍ଥୀ
ରୂପରେ ଚତୁର୍ଦ୍ଦିଗରେ ଆଦେଶର
ଦଣ୍ତ ଘେନି ତୁମ୍ଭ ଜୀବନକୁ ନିୟମରେ
ପିତାମାତା ଶିକ୍ଷକ ଗୁରୁଜନ
ପ୍ରଭୃତି ତୁମ୍ଭଙ୍କୁ ଆଦେଶଦ୍ୱାରା
ମନୁଷ୍ୟ କରିବାକୁ ଚାହିଁ ବସି ଅଛନ୍ତି ।
ତୁମ୍ଭେ ବେନିୟମରେ ଚଳିଲେ ତାଙ୍କର
ପ୍ରାଣ ବ୍ୟାକୁଳ ହେଉ ଅଛି । ସେ
ପୁଣି ତୁମ୍ଭଙ୍କୁ ଆଦେଶ ଦ୍ୱାରା
ନିୟମକୁ ଆଣିବାକୁ ଯତ୍ନ କରୁ ଅଛନ୍ତି ।
ସେ ନିୟମ ସେ ଆଦେଶ ତୁମ୍ଭେ କେତେବେଳେ
ପାଳନ କରୁ ଅଛ, କେତେବେଳେ ବା ପାଳନ
କରୁ ନାହଁ । କିନ୍ତୁ ପାଳନ କର ବା
ନ କର ବିଶ୍ୱପିତାଙ୍କ ବିଚିତ୍ର
ବିଧାନରେ ସେମାନଙ୍କ ଆଦେଶ ବିରୁଦ୍ଧରେ
ପ୍ରକାଶ୍ୟ ଭାବରେ କିଛି କରିବାକୁ
ତୁମ୍ଭେ ସର୍ବଦା କୁଣ୍ଠିତ ହେଉ ଅଛ ।
ସେମାନେ ପୁଣି ସର୍ବଦା ପ୍ରାଣର
ଆବେଗରେ ଜଗି ବସି ଅଛନ୍ତି ।
ଏସବୁ
ସତ୍ତ୍ୱେ ତୁମ୍ଭର ମନ ଚଞ୍ଚଳ ।
ତୁମ୍ଭେ ସବୁ ଭୟ କରି ସତ୍ତ୍ୱେ
ସେମାନଙ୍କ ଆଦେଶରୁ ବିଚଳିତ
ହେଉ ଅଛ । ସେମାନେ ସର୍ବଦା ପ୍ରାଣର
ବ୍ୟାକୁଳତାରେ ତୁମ୍ଭଙ୍କୁ ଜଗି
ବସି ଅଛନ୍ତି । ଆଦେଶ ଦ୍ୱାରା
ତୁମ୍ଭଙ୍କୁ ଈଶ୍ୱରଙ୍କର ଶାସନ
ତୁମ୍ଭ ପ୍ରତି ପରମପିତାଙ୍କର
ସାଧୁ ଆଦେଶ ଓ ସଦିଚ୍ଛା ଜଣାଉ ଅଛନ୍ତି ।
ତଥାପି ତୁମ୍ଭେ ବେଳେବେଳେ ହୃଦୟର
ଏକାନ୍ତ ଇଚ୍ଛା ଥିଲେ ମଧ୍ୟ ସେମାନଙ୍କ
ସାଧୁ ଆଦେଶରୁ ବିଚ୍ୟୁତ ହେଉ ଅଛ ।
ସେ ଆଦେଶ ସର୍ବଦା ତୁମ୍ଭର ସ୍ମରଣ
ରହୁ ନାହିଁ । ସେମାନେ ତୁମ୍ଭଙ୍କୁ
ଜଗି ବସି ଅଛନ୍ତି, ସତ୍ୟ, କିନ୍ତୁ
ବାହାରରୁ ସେମାନେ ତୁମ୍ଭର ମନକୁ
କେତେ ବା ଜଗିବେ ?
ତୁମ୍ଭେ
ସମ୍ପୂର୍ଣ୍ଣ ଇଚ୍ଛା ନ କଲେ, ତୁମ୍ଭର
ମନକୁ ସେମାନେ କିପରି ବା ଅଧିକାର
କରିବେ ?
ତୁମ୍ଭେ
ମନେ ମନେ ସ୍ୱେଚ୍ଛାଚାରୀ ହେବାକୁ
ସ୍ଥିର କରି ବସିଲେ, କିଏ ତୁମ୍ଭଙ୍କୁ
କେଉଁ ତାଡ଼଼ନା ଦ୍ୱାରା କି ଆଦେଶ
ଉପଦେଶ ଦ୍ୱାରା କିପରି ବା ଶାସନ
କରିବେ ?
ସେଥି ପାଇଁ
ପରମପିତା ଭଗବାନ ସୁନ୍ଦର ବ୍ୟବସ୍ଥା
କରି ଅଛନ୍ତି । ବିଶ୍ୱପିତାଙ୍କର
ପରିବାର ପରିଚାଳନାରେ ଏ ବିଧାନ
ଅତି ବିଚିତ୍ର ଅତି ସୁନ୍ଦର । ସମସ୍ତ
ଆଦେଶ ଉପଦେଶ ସତ୍ତ୍ୱେ ମନୁଷ୍ୟ
ଏକାକୀ ସ୍ୱେଚ୍ଛାଚାରିତା ବଳରେ
ପଥଭ୍ରଷ୍ଟ ହେବାକୁ ବସିଲେ, ତାହାର ଅବ୍ୟକ୍ତ ଶାସନ ପାଇଁ ଯେ ସୁଚାରୁ ବିଧାନ ବିଶ୍ୱନିଅନ୍ତା ତା' ଭିତରେ ରଖିଅଛନ୍ତି ତାହା ଯେ ଥରେ ଦୃଢ
ଭାବରେ ଅନୁଭବ କରି ଧାରଣା କରି ଅଛି,
ସେ
ଧନ୍ୟ ହୋଇ ଅଛି,
ସେ
ମନୁଷ୍ୟ ହେବାର ପନ୍ଥା ପାଇ ଅଛି ।
ମନୁଷ୍ୟ
ସ୍ୱାଧୀନ ବୃତ୍ତି ଅଛି । ସେହି
ସ୍ୱାଧୀନ ବୃତ୍ତି ବଳରେ ସେ ନିଜ
କାର୍ଯ୍ୟ ନିଜେ ସର୍ବଦା ଭାବିଚିନ୍ତି
କରୁ ଅଛି । ଇତରବସ୍ତୁ ପରି ସେ ବରାବର
ପ୍ରକୃତିର ନିୟମାଧୀନ ହୋଇ ଚଳୁ
ନାହିଁ । ନିଜର
ଇଚ୍ଛା ଅନୁସାରେ ନିଜର କାର୍ଯ୍ୟ
କରି ଯାଉ ଅଛି । ମନୁଷ୍ୟର ଏହି
ସ୍ୱାଧୀନ ବୃତ୍ତି ଓ ନିଜେ ଭାବିଚିନ୍ତି
ଇଚ୍ଛାନୁସାରେ ନିଜ କାର୍ଯ୍ୟ
କରିଯିବାର ଅଧିକାର ମଧ୍ୟରେ ଗୋଟିଏ
କଥା ଆମ୍ଭମାନଙ୍କୁ ଦେଖିବାକୁ
ହେବ । ଏହି ସ୍ୱାଧୀନତା ସଙ୍ଗେ
ସଙ୍ଗେ ସ୍ୱେଚ୍ଛାଚାରିତା ବୋଲି
ଗୋଟିଏ କଥା ତୁମ୍ଭେମାନେ ଶୁଣିଥିବ ।
ମନୁଷ୍ୟର ମନର କ୍ରିୟା ସବୁ ସ୍ୱାଧୀନ । କିନ୍ତୁ ମନ ନିଜେ ବଡ ଚଞ୍ଚଳ କଦାପି
ସ୍ଥିର ନୁହେଁ । ଏହା ସର୍ବଦା ଏକ
ପ୍ରକାର ପନ୍ଥା ଅବଲମ୍ୱନ କରି
ଚଳିବାର ସ୍ଥିର କରେ । ପ୍ରୀତିକର
ଇନ୍ଦ୍ରିୟତୃପ୍ତି ଓ ବିଳାସ
ବ୍ୟସନାଦି ତାହାକୁ ବଳପୂର୍ବକ
ସେହି ପନ୍ଥାରୁ ଟାଣି ଘେନି ଆସନ୍ତି ।
ଏହି ପରିଣତି ମଧ୍ୟରେ ଦୁଇଟି ପନ୍ଥା ଥିବାର ଅନୁଭବ କରୁଅଛୁ । ଆମ୍ଭେମାନେ ଯେପରିକି ମନ ମଧ୍ୟରେ ଦୁଇଟି ଆତ୍ମା ଥିବାର ଅନୁଭବ କରୁଅଛୁ, ଗୋଟିଏ
ଆତ୍ମା ଯେପରିକି ଅନ୍ୟଟିକି ଜଗି
ବସି ଅଛି । ନିଜର ଆଦେଶ ଉପଦେଶ
ନିୟମ ଦ୍ୱାରା ଉଦ୍ଦାମ ଗତିବିଧିକୁ
ନିୟମରେ ପକାଉ ଅଛି । ପାପର ପ୍ରବୃତ୍ତି
ବେଳେ ବିବେକର ଦଂଶନ ବିଳାସ ବାସନରା
ଉଚ୍ଛୃଙ୍ଖଳତାରେ ସଂଯମ ସ୍ପୃହାର
ଶୃଙ୍ଖଳ ଆଳସ୍ୟରେ ସାଧୁ କର୍ମପ୍ରବଣତା
ପ୍ରବୃତ୍ତିରେ ନିବୃତ୍ତି
ଚିତ୍ତୃଚାଞ୍ଚଲ୍ୟ ଚିତ୍ତରୋଧ
ପ୍ରଭୃତି ସର୍ବଦା ଆମ୍ଭମାନଙ୍କୁ
ସେହି ଦୁଇଟି ଆତ୍ମାର ଅସ୍ତିତ୍ୱ
ଜଣାଇ ଦେଉ ଅଛି । ଗୋଟିଏ ଯେପରି
କି କହୁଅଛି – ମୋର ଯାହା ଇଚ୍ଛା
ମୋତେ ମୁହୂର୍ତ୍ତକ ପାଇଁ ଯାହା
ସୁଖ ଲାଗୁଛି, ମୁଁ ତାହା ହିଁ କରିବି ।
ଅନ୍ୟଟି କହୁଛି, ନା ଯାହା ଉଚିତ
ଯାହା କଲେ ପରିମାଣରେ ନିଜର ତଥା
ଜଗତର ମଙ୍ଗଳ ହେବ, ତାହା ହିଁ କରଣୀୟ।
ଯାତ୍ରା ହେବାର କଥା ଶୁଣିଲେ
ଦେଖିବାକୁ ଯିବାକୁ ତୁମ୍ଭର ଇଚ୍ଛା
ହୁଏ । ତୁମ୍ଭେ ଶିକ୍ଷକ ଗୁରୁଜନ
ପିତାମାତାଙ୍କ କଥା ନ ମାନି ବେଳେବେଳେ
ଗୋପନରେ ଚାଲିଯିବାକୁ ଇଚ୍ଛା
କର । କିନ୍ତୁ ଦେଖିଛ କି ?
ଟିକିଏ
ଭିତରକୁ ଦେଖ, ବୁଝି ପାରିବ,
ଯେପରି
କି ସେତେବେଳେ କିଏ ତୁମ୍ଭଙ୍କୁ
ନିଷେଧ କରୁଥାଏ । ମନେ ହୁଏ ଯେପରିକି
ଶିକ୍ଷକଙ୍କ ଆଦେଶ ତୁମ୍ଭ ଭିତରେ
ରହି ଶତଗୁଣ ଆଧିପତ୍ୟରେ ଅନ୍ତରରେ
ମନ୍ଦ୍ରବାଣୀରେ ସର୍ବଦା ଶୟନେ
ସ୍ୱପନେ ଜାଗରଣେ ତୁମ୍ଭଙ୍କୁ
ମନ୍ଦ ଆଡୁ ଟାଣି ନେଇ ଭଲ ପନ୍ଥା
ଦେଖାଇ ଦେଉ ଅଛି; ତୁମ୍ଭର ସ୍ୱେଚ୍ଛାଚାରିତାକୁ ଘୋର ବିକ୍ରମରେ ସଂଯତ କରିବାକୁ
ଚେଷ୍ଟା କରୁ ଅଛି ।
ମନେରଖ ବିଶ୍ୱପିତା
ସର୍ବଦା ଏହି ଅନ୍ତରାତ୍ମା ରୂପରେ
ରହି ତୁମ୍ଭର ସ୍ୱେଚ୍ଛାଚାରିତା
ଶାସନ କରୁ ଅଛନ୍ତି । ପିତାମାତା
ଗୁରୁଜନ,
ଶିକ୍ଷକାଦିଙ୍କର
ଆଜ୍ଞାରେ ଯେ ଶାସନର ମନ୍ତ୍ର ଅଛି, ସେ ସମସ୍ତଙ୍କର ମୂଳସ୍ୱରୂପ ଏହି
ଅନ୍ତରାତ୍ମା ତୁମ୍ଭ ଭିତରେ
ରହି ଅଛନ୍ତି । ଥରେ ଯେଉଁ ବିଷୟରେ
ତୁମ୍ଭଙ୍କୁ ବୁଝାଇ ଦିଆ ଯାଇଛି, ତୁମ୍ଭର ଏହି ବିମଳ ଅନ୍ତରାତ୍ମାରେ
ତାହାର ଗୋଟିଏ ଗୋଟିଏ ପ୍ରତିବିମ୍ୱ
ପଡ଼ି ଯାଇ ଅଛି । ସେହି ନିର୍ମଳ
ବ୍ରହ୍ମରୂପୀ ଅନ୍ତରାତ୍ମା ସେହି
ପ୍ରତିବିମ୍ୱ ସବୁ ଧରି ତୁମ୍ଭର
ସ୍ୱେଚ୍ଛାଚାରୀ ଆତ୍ମାକୁ ସର୍ବଦା
ଶାସିତ ଓ ସଂଯତ କରୁଅଛନ୍ତି । ଏପରି
ବିଶ୍ୱପିତା ତୁମ୍ଭର ମଙ୍ଗଳ
ନିମନ୍ତେ ବାହାରେ ଗୁରୁଶିକ୍ଷକାଦିଙ୍କ
ମୁଖରେ ଯେ ଆଜ୍ଞାର ସୃଷ୍ଟି
କରି ଅଛନ୍ତି, ତୁମ୍ଭ ମଧ୍ୟରେ ସେ
ସମସ୍ତ ଆଜ୍ଞାର ମୂଳାଧାର ସ୍ୱରୂପ
ବିଦ୍ୟାମାନ ରହି ତୁମ୍ଭର ଅନନ୍ତମୁଖୀ
ସ୍ୱେଚ୍ଛାଚାରିଣୀ ପ୍ରକୃତିକୁ
ଶାସନ କରୁ ଅଛନ୍ତି । ତୁମ୍ଭର ପାଳନ
ସଙ୍ଗେ ସଙ୍ଗେ ଏହି ଅନ୍ତରାତ୍ମାର
ଶାସନରେ ଆତ୍ମସମର୍ପଣ କରି ପାରିଲେ
କୃତାର୍ଥ ହେବ।
ପରମପିତା ଚରମ
ଆଦେଶର ଭଣ୍ଡାର ସ୍ୱରୂପ ବିମଳ
ଅନ୍ତରାତ୍ମା ରୂପେ ଏହି ପରି ତୁମ୍ଭ
ଭିତରେ ଶାସନର ଦଣ୍ଡ ଘେନି ବସି ଅଛନ୍ତି ।
ଆନ୍ତରିକତାର ସହିତ ସେ ଆତ୍ମାକୁ
ଥରେ ବୁଝି ପାରିଲେ ସେ ଆତ୍ମାର
ଆଦେଶକୁ ଶିରୋଧାର୍ଯ୍ୟ କରି
ସ୍ୱେଚ୍ଛାଚାରିତାକୁ ଜିଣି ପାରିଲେ,
ମାନବ
ପ୍ରକୃତ ମାନବ ହେବ,
ତାହାର
ଶ୍ରେଷ୍ଠ ମନୁଷ୍ୟତା ଫୁଟି ବିକଶିତ ହେବ ।
ସେଥି ପାଇଁ ଭଗବାନ ଶ୍ରୀକୃଷ୍ଣ
ଗୀତାରେ କହି ଅଛନ୍ତି - "ବନ୍ଧୁରାତ୍ମାତ୍ମନସ୍ତସ୍ୟ
ଯେନାତ୍ମୈ ଜାତ୍ମନା ଜିତଃ।" - "ଯେ
ଆତ୍ମାଦ୍ୱାରା ଆତ୍ମାକୁ ଜିଣିଅଛି
ଆତ୍ମା ତାହାର ବନ୍ଧୁ।" ଅର୍ଥାତ୍, ଯେ ଆଦେଶରୂପୀ ଏହି ଅନ୍ତରାତ୍ମା
ପ୍ରଭାବରେ ସ୍ୱେଚ୍ଛାଚାରିତାକୁ
ସଂଯତ କରି ଅଛି,
ସେ
ଜୀବନରେ ପ୍ରକୃତ ଆଜ୍ଞାନୁବର୍ତ୍ତୀ
ହେବାକୁ ଶିଖି ଅଛି । ତାହାରି କେବଳ
ଆତ୍ମା ମିତ୍ର ପରି କାର୍ଯ୍ୟ କରେ ।
ପରମାତ୍ମା ପରମପିତା ତାହାରି
ଉପରେ ସନ୍ତୁଷ୍ଟ । ତାହାରି ଆତ୍ମା
କଲ୍ୟାଣ ଲାଭ କରେ ।
ଆତ୍ମାର
ଏହି ଦ୍ୱିବିଧ ବିଭାଗ ମଧ୍ୟରୁ
ଗୋଟିକରେ ଅପରଟିକୁ ଜାଣିବା ହିଁ
ପ୍ରକୃତ ପନ୍ଥା । ବିମଳ ବିବେକବାଣୀରେ ସ୍ୱେଚ୍ଛାଚାରିତାକୁ
ସଂଯତ କରି ପାରିଲେ ମନୁଷ୍ୟ ପ୍ରକୃତ
ମନୁଷ୍ୟତା ଲାଭ କରି ପାରିବ । କିନ୍ତୁ
ଆତ୍ମାର ଆତ୍ମାକୁ ଜିଣିବା ବଡ଼
ସହଜ ବା ସୁଖସାଧ୍ୟ ନୁହେଁ ।
ବି.ଦ୍ର.: ଏହି ପ୍ରବନ୍ଧଟି ସତ୍ୟବାଦୀ ବିଦ୍ୟାଳୟରେ ଦିଆଯାଇଥିବା ଗୋଟିଏ ବକ୍ତୃତାରୁ ଯଥାସମ୍ଭବ ସଙ୍ଗୃହୀତ । ଲେଖାଟି ପ୍ରଥମେ 'ସତ୍ୟବାଦୀ' ପତ୍ରିକାର ପ୍ରଥମ ଖଣ୍ଡ ୪ର୍ଥ ସଙ୍ଖ୍ୟାରେ, ୧୯୧୫ ମସିହାରେ ପ୍ରକାଶିତ ହୋଇଥିଲା ।
No comments:
Post a Comment