Friday, August 24, 2018

ଗୁରୁଶିଷ୍ୟ - ୩

ଗୋପବନ୍ଧୁ ଦାସ


ନାରାୟଣ ଗୁରୁ (୧୮୫୪-୧୯୨୮) ଙ୍କ ସମ୍ପର୍କିତ ପ୍ରାର୍ଥନା ମନ୍ଦିର
ସେ ଆଧୁନିକ କେରଳର ଆଧ୍ୟାତ୍ମିକ ଓ ସାମାଜିକ ନବଜାଗରଣର ଅନ୍ୟତମ ନିର୍ମାତା
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏତେ ଦିନଯାଏ ତୁମ୍ଭର ପିତାମାତା ସ୍ନେହ ଶାସନରେ ତୁମ୍ଭର ଶରୀରକୁ କେତେକ ପରିମାଣରେ ନିର୍ମାଣ କରି ତୁମ୍ଭର ମନର ପୁଷ୍ଟି ନିମନ୍ତେ ଜ୍ଞାନ ଓ ନୈତିକତାର ବିକାଶ ନିମନ୍ତେ ତୁମ୍ଭଙ୍କୁ ଏହି ବିଦ୍ୟାଳୟକୁ ପଠାଇ ଅଛନ୍ତି । ଏଠାରେ ମଧ୍ୟ ଆସି ତୁମ୍ଭେ ସେହି ସ୍ନେହ ଶାସନରେ ବଢ଼ିବ । ପିଲାଦିନେ କୋରା ଖାଇଥିଲା ବେଳେ ମାତା ଛଡ଼ାଇ ଫିଙ୍ଗି ଦେଲେ ତୁମ୍ଭେ ଯେପରି ବ୍ୟସ୍ତ ହେଉଥିଲ, ଏଠାରେ ମଧ୍ୟ ସେହି ପରି ଗୁରୁ ତୁମ୍ଭଙ୍କୁ ଶାସନ କଲା ବେଳେ ଥରେ ଥରେ ତୁମ୍ଭର ଅସହ୍ୟ ହୁଏ । ସେଥି ପାଇଁ କହୁଥିଲି, ତୁମ୍ଭେ ସେତେବେଳେ ବିଚାର, ଓଃ କି ଦୁଃଖ । କିନ୍ତୁ ବିଚାରି ଦେଖ, ଏହି ଦୁଃଖ ମଧ୍ୟରେ ବିଶ୍ୱବିଧାତାଙ୍କର ସ୍ନେହ ଶାସନ ତୁମ୍ଭର ଜୀବନକୁ ଗଢ଼ୁ ଅଛି । ତୁମ୍ଭର ଭବିଷ୍ୟତ କଲ୍ୟାଣ ନିମନ୍ତେ ଗୁରୁ ସର୍ବଦା ଜାଗ୍ରତ ରହି ତୁମ୍ଭଙ୍କୁ ପଦେ ପଦେ ତିଆରୁ ଅଛନ୍ତି, ଅନନ୍ତ ସ୍ନେହରେ ଶାସନ ମିଶାଇ ତୁମ୍ଭ ଜୀବନର ବିକାଶ କରାଉ ଅଛନ୍ତି । ଯେଉଁଠାରେ ତୁମ୍ଭର ଦୟାମୟ ପିତା ଓ ସ୍ନେହମୟୀ ମାତା ନିଜକୁ ଅକ୍ଷମ ମଣିଲେ, ସେହି ଠାରେ ଗୁରୁଙ୍କର କାର୍ଯ୍ୟ ଆରମ୍ଭ ହେଲା । ଜୀବନରେ ଯେଉଁ ଶାସନ ଯେପରି ବଞ୍ଚାଇ ରଖି ଅଛି, ଏଠାରେ ମଧ୍ୟ ସେହି ଶାସନ ଓ ସେହି ତାଡ଼ନା । ତୁମ୍ଭଙ୍କୁ ଆଗ୍ରହରେ ପିତାମାତାଦିଙ୍କର ଆଦେଶ ଉପଦେଶ ପାଳିଲେ ଯେପରି ତୁମ୍ଭର ମଙ୍ଗଳ ହୁଏ, ଗୁରୁଙ୍କର ଆଦେଶ ଉପଦେଶ ପାଳିଲେ ସେହି ପରି ସହଜରେ ତୁମ୍ଭେ ସୁମନୁଷ୍ୟ ହେବ।

ଏବେ ତୁମ୍ଭେ ଏକ ପ୍ରକାର ବୁଝିଲ, ଗୁରୁ ଶିଷ୍ୟର ସମ୍ୱନ୍ଧ କଅଣ । ପିତାମାତା ତୁମ୍ଭର ଶିଶୁକାଳରୁ ଯେଉଁ କର୍ତ୍ତବ୍ୟ କରି ଆସୁ ଥିଲେ, ଯେତେ ବେଳେ ସେହି କର୍ତ୍ତବ୍ୟ କରିବାକୁ ଅକ୍ଷମ ହେଲେ, ସେତେ ବେଳେ ତୁମ୍ଭର ଭାର ଗୁରୁଙ୍କ ଉପରେ ପଡ଼ିଲା । ପିତାମାତା ଏତେ ଦିନ ତୁମ୍ଭର ଜୀବନର ଭବିଷ୍ୟତ୍ ଦେଖୁ ଥିଲେ, ଦେଖି ତୁମ୍ଭର ଲାଳନପାଳନ କରୁ ଥିଲେ, ଏବେ ଆମ୍ଭଠାରେ ଛାଡ଼ି ଦେଇ ସେମାନେ ଯେପରି କି ନିଶ୍ଚିତ ରହିଲେ । ଅବଶ୍ୟ ମୋହର କହିବାର ଉଦ୍ଦେଶ୍ୟ ନୁହେଁ, ପୃଥିବୀର ସବୁ ପିତାମାତା ବାଳକର ମାନସ ବିକାଶରେ ନିଜକୁ ଅକ୍ଷମ ମଣି ଗୁରୁଙ୍କ ହାତରେ ଛାଡ଼ି ଦିଅନ୍ତି । ତେବେ ଯେଉଁମାନେ ଏଠାକୁ ଆସିଅଛ, ଯେଉଁମାନଙ୍କ ଭାର ଆମ୍ଭେମାନେ ବହନ କରିଅଛୁ ସେହିମାନଙ୍କୁ ମୁଁ ଆଜି ଏହା କହୁ ଅଛି ଏବଂ ପ୍ରାଚୀନ ଭାରତରେ ଆର୍ଯ୍ୟର ଏହା ଚିରନ୍ତନ ବିଧି ଥିଲା । ବାଳକର ମାନସିକ ନୈତିକ ଉନ୍ନତି ନିମନ୍ତେ ପିତାମାତା ତାହାକୁ ଗୁରୁଗୃହକୁ ପ୍ରେରଣ କରୁ ଥିଲେ ।

ତୁମ୍ଭେମାନେ ଏଠାକୁ ଆସି ଅଛ । ତୁମ୍ଭର ପିତାମାତା ଏକପ୍ରକାର ନିଶ୍ଚିନ୍ତ ହୋଇ ଅଛନ୍ତି । ସେ ତୁମ୍ଭମାନଙ୍କୁ ଆମ୍ଭଠାରେ ଅର୍ପଣ କରି ଅଛନ୍ତି । ତୁମ୍ଭେମାନେ ବେଳେବେଳେ ଆଦେଶ, ଉପଦେଶ ଶାସନ ତାଡ଼ନାରେ ବିଚଳିତ ହୁଅ ସତ, କିନ୍ତୁ ଥରେ ଚିକିଏ ଭାବି ବୁଝି ଗଲେ, ଗୁରୁଙ୍କଠାରେ ଆତ୍ମସମର୍ପଣ କରି ନିଶ୍ଚିତ ହେବ । ନିର୍ବିକଳ୍ପ ଭାବରେ ଆମ୍ଭର ଆଦେଶ ଉପଦେଶ ପାଳିବାକୁ ଜୀବନରେ ସୁଖ ମଣିବ । ମାତ୍ର ଗୋଟିଏ କଥା ଫିଟାଇ କହେ । ଏଠାକୁ ଆସି ଗୁରୁଙ୍କଠାରେ ଆତ୍ମସମର୍ପଣ କରି ମଧ୍ୟ ଜୀବନରେ ଶାନ୍ତି ପାଇବ । 

କିନ୍ତୁ ଆମ୍ଭମାନଙ୍କର ଗତି କଅଣ ବାସ୍ତବିକ ତୁମ୍ଭମାନଙ୍କ ମୁହିଁକୁ ଚାହିଁ ଏ ଗୁରୁଦାୟିତ୍ୱ କଥା ଭାବିଲା ବେଳେ, ବେଳେବେଳେ ଆମ୍ଭମାନଙ୍କର ଆତ୍ମା ସ୍ଥିର ହୁଏ । ତୁମ୍ଭର ପିତାମାତା ତୁମ୍ଭର ଯେ ଭବିଷ୍ୟତ ଦେଖୁ ଥିଲେ, ଆମ୍ଭେମାନେ ଯେଉଁ ଭବିଷ୍ୟତ ଦେଖି କ୍ରିୟାବିଧାନ କରିବୁ, ଏ ଦୁଇଟି ମଧ୍ୟରେ ଘୋର ତାରତମ୍ୟ । ଏଠାରେ ତୁମ୍ଭଙ୍କୁ ଜ୍ଞାନ ଦେବା ସଙ୍ଗେ ସଙ୍ଗେ, ତୁମ୍ଭର ଭାବ ଓ ନୈତିର ଜୀବନର ବିକାଶ କରିବାର ଭାର ଆମ୍ଭ ହାତରେ । ଜାଣ ନାହିଁ ବାଳକମାନେ, ଜୀବନର ପ୍ରତି ମୁହୂର୍ତ୍ତରେ ଆମ୍ଭେମାନେ ନିଜେ ନିଜେ ଆମ୍ଭ ନିଜର ନୈତିକ ଜୀବନରେ କେତେ ସ୍ଖଳିତ, ବିଚଳିତ ହେଉ । ମାନବ ମାତ୍ରେ ଦୁର୍ବଳ । ପ୍ରତ୍ୟେକ ସେପରି ସ୍ଫଳିତ ଓ ବିଚଳିତ ହୁଅନ୍ତି । ସେଥିରେ ପୁଣି ଆଦର୍ଶ ସ୍ଥିର ରଖି ତୁମ୍ଭମାନଙ୍କ ଜୀବନର ଗତି ଫିଟାଇବାକୁ ହେବ । କି ଭୀଷଣ କଥା । କି ମହାଦାୟିତ୍ୱ । ବୁଝିବ, ଯେତେବେଳେ ତୁମ୍ଭେ ଗୁରୁ ଆସନରେ ବସିବ । 

ତୁମ୍ଭେ ହେଲ ଆମ୍ଭର ଶିଷ୍ୟ, ଆମ୍ଭେ ତୁମ୍ଭର ଶିକ୍ଷକ । ତୁମ୍ଭେମାନେ ଶାସିତ ହେବ, ଆମ୍ଭେମାନେ ଶାସନ କରିବୁ । କିନ୍ତୁ ଏ ଅପୂର୍ଣ୍ଣ ମାନବ ଜୀବନରେ କେଉଁ ଆଦର୍ଶ ଘେନି, କି ଉପାୟ ଅଲଲମ୍ୱନ କଲେ, ଆମ୍ଭେମାନେ ତୁମ୍ଭର ଶାସନ କରିବାକୁ ସମର୍ଥ ହେବୁ ? ତୁମ୍ଭଙ୍କୁ ଶାସନ କରିବାରେ ଆମ୍ଭେମାନେ ଯେପରି ବ୍ୟାକୁଳ ମନ ଫିଟାଇ କହୁ ଅଛୁ, ବାଳକମାନେ ଏ କଥା ଭାବିବାରେ ଆମ୍ଭେମାନେ ଦିବାରାତ୍ରି ସେହିପରି ବିବ୍ରତ । 

ଗୁରୁ ଶିଷ୍ୟ ସମ୍ୱନ୍ଧ ଆମର ଏ ପୁରାଣପ୍ରସିଦ୍ଧ ଦେଶରେ ଆଜିର କଥା ନୁହେଁ । ଶୈଶବ ଅତୀତ ହେଲେ ଭାରତବାସୀ ଚିରକାଳ କୈଶୋର କୌମାର ଗୁରୁ ଗୃହରେ କଟାଇ ଆସୁଅଛି । ଗୁରୁ ଏ ଦେଶରେ ଚିରକାଳ ଶିଷ୍ୟର ଜୀବନର ଗତି ନିର୍ଦ୍ଦିଶ କରି ଆସୁ ଅଛନ୍ତି । ଗୁରୁ ଶିଷ୍ୟକୁ ଶାସନ କରନ୍ତି ଏବଂ ନିଜର ଶାସନ ପାଇଁ ଜୀବନକୁ ଅନନ୍ତ ସାଧନାରେ ସିଦ୍ଧ କରୁ ଥାଆନ୍ତି । ଏ ଜୀବନରେ ସେ ସାଧନା କେତେ ଦୂର ସମ୍ଭବ ହେଉ ଅଛି, ତାହା ଆମ୍ଭେମାନେ କହି ପାରିବୁ ନାହିଁ । କିନ୍ତୁ ଗୋଟିଏ କଥା ତୁମ୍ଭଙ୍କୁ ଏଠାରେ କହିବା ଉଚିତ । 

ଏ ଭୂମିରେ ଆର୍ଯ୍ୟର ଚିରକାଳ ବିଶ୍ୱାସ, ଭଗବାନ ଯେପରି ଜୀବଜନ୍ତୁ ଓ ଶିଶୁ ମାନବର ଶାସନ ନିମନ୍ତେ ପ୍ରକୃତିର ଅନନ୍ତ ଶକ୍ତି ସଜାଡ଼ି ରଖି ଅଛନ୍ତି, ବାଲ୍ୟ-ଶୈଶବର ସ୍ନେହମିଶ୍ରିତ ଶାସନ ପାଇଁ ଯେପରି ପିତାମାତା, ସ୍ୱଜନ ମାନଙ୍କ ହୃଦୟରେ ନୈସଗିକ ଆଦର୍ଶ ରଖି ଅଛନ୍ତି, ଗୁରୁ ପାଇଁ ସେହି ପରି ଶାସ୍ତ୍ର ଅଛି । ମାତା ପିଲାର ଶାସନ କରେ, କିନ୍ତୁ ସେ ଶାସନ ପାଇଁ ଉପଯୁକ୍ତ ହେବାକୁ ନିଜେ ସବର୍ଦା ନିଜ ପ୍ରାଣରେ ସନ୍ତାନ-ବାତ୍ସଲ୍ୟ୍ ରୂପ ସ୍ୱାଭାବିକ ବୃତ୍ତିରେ ଶାସିତ ହୁଏ । ଗୁରୁ ସେହି ପରି ଶିଷ୍ୟର ଶାସନ କରନ୍ତି, କିନ୍ତୁ ନିଜେ ଶାସ୍ତ୍ରର ନୀତିରେ ଶାସିତ ହୁଅନ୍ତି । 

ମନୁଷ୍ୟ ନାନା ଆର୍ଦଶ ମଧ୍ୟରେ ବିଧାତା ହିଁ ପରମ ଆଦର୍ଶ । ପ୍ରକୃତିରେ ସେହି ବିଧାତାଙ୍କର ଶକ୍ତି ଶିଶୁର ଶାସନ କରେ । ମାତାର ହୃଦୟରେ ସେହି ବିଧାତାଙ୍କର ମହାଭାବ ସ୍ନେହ ରୂପେ ଜାଗ୍ରତ ହୁଏ ଏବଂ ସେହି ବିଧାତା ମଧ୍ୟ ଗୁରୁ ଶିଷ୍ୟର ସମ୍ୱନ୍ଧ ନିର୍ଦ୍ଦେଶ କରି ଦିଅନ୍ତି । ସମସ୍ତ ଶାସ୍ତ୍ରର ନିର୍ଦ୍ଦେଶ ମଧ୍ୟରେ ଗୁରୁ ବିଧାତାଙ୍କର ଉପଦେଶ ଶୁଣେ । ଶିଷ୍ୟ ମଧ୍ୟ ଗୁରୁମୁଖରେ ସେହି ମୁଗ୍‌ଧ ଈଶବାଣୀ ଅନୁଭବ କରେ ଏବଂ ଏହି ଈଶ୍ୱର ଭାବରେ, ବିଧାତାଙ୍କର ପରମ ଆଦର୍ଶରେ, ଜଗତରେ ସକଳ ସମ୍ୱନ୍ଧ ନିୟମିତ ହୁଏ । ଗୁରୁ ନିଜର ସାଧନାରେ ସବର୍ଦା ନିଜ ଭିତରେ ଈଶ୍ୱରଙ୍କର ସତ୍ତା ଅନୁଭବ କରିବାକୁ ପ୍ରୟାସ କରନ୍ତି ଏବଂ ଯେତେବେଳେ ସେହି ଭାବରେ ଅନୁପ୍ରାଣିତ ହୁଅନ୍ତିସେତେ ବେଳେ ଜୀବନରେ “ସୋହେଂ” ଅର୍ଥାତ୍ “ମୁଁ ସେହି ଈଶ୍ୱର” ଏହି ବିଶ୍ୱାସରେ ସୃଷ୍ଟି ଈଶ୍ୱରମୟ ଓ କର୍ତ୍ତବ୍ୟକୁ ବିଧାତାଙ୍କର ନିର୍ଦ୍ଦେଶ ବୋଲି ଦେଖନ୍ତି ।

ବି.ଦ୍ର.- ଏହି ଲେଖାଟି ଗୋପବନ୍ଧୁ ସତ୍ୟବାଦୀ ସ୍କୁଲରେ ଦିଆଯାଇଥିବା ଗୋଟିଏ ବକ୍ତୃତାରୁ ଯଥାସମ୍ଭବ ସଙ୍ଗୃହିତ ତଥା 'ସତ୍ୟବାଦୀ' ପତ୍ରିକାର ୨ୟ ଖଣ୍ଡର ୧ମ ଓ ୨ୟ ସଙ୍ଖ୍ୟାରେ, ୧୯୧୬ ମସିହାରେ, ପ୍ରକାଶିତ ।

No comments:

Post a Comment