Wednesday, August 01, 2018


ଛାତ୍ରଙ୍କ କର୍ତ୍ତବ୍ୟ

ଲେଖକ - ଗୋପବନ୍ଧୁ ଦାଶ


ବିହାର-ଓଡ଼ିଶା ପ୍ରଦେଶର ମାନଚିତିର (୧୯୧୨ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଦୁର୍ଗାପୂଜା ପାଇଁ ସ୍କୁଲ କଲେଜ ପ୍ରାୟ ମାସେ କାଳ ବନ୍ଦ ହେଉଛି । ଛାତ୍ରମାନଙ୍କୁ ଆନନ୍ଦ ଉପଭୋଗ କରିବାକୁ ସମୟ ଓ ସୁବିଧା ମିଳେ । ମାତ୍ର ଓଡ଼ିଶାର ଛାତ୍ରମାନେ ନିଜ ନିଜ ଗାଁକୁ ଯାଇ ଦେଶର ବର୍ତ୍ତମାନ ଅବସ୍ଥାରେ କି ଆନନ୍ଦ ଉପଭୋଗ କରିବେ ? ଓଡିଶାର ଅଧିକାଂଶ ଗ୍ରାମ ବନ୍ୟାରେ ନଷ୍ଟ ହୋଇଛି । ସେମାନେ ଗାଁରେ ଯାଇ ଦେଖିବେ, କେତେ ପଡ଼ୋଶୀଙ୍କ ଘର ଭାଙ୍ଗି ଯାଇଛି, ବିଲରେ ଦୂବଘାସ ପର୍ଯ୍ୟନ୍ତ ନାହିଁ । କେତେ ଯାଗାରେ ଏ ପର୍ଯ୍ୟନ୍ତ ପାଣି ଠିଆ ହୋଇ ରହିଛି । ଗୋରୁ ଗାଈ ଖାଇବା ଅଭାବରେ ଟଳଟଳ ହେଉଛନ୍ତି, କେତେ ମରି ଗଲେଣି । ଗାଁର କେତେ ଲୋକ ଘର ଛାଡ଼ି ପଳାଇ ଗଲେଣି । ଅନ୍ନ ଅଭାବରେ ଅନ୍ୟମାନଙ୍କର କଣ୍ଟା ଦୋହଲୁଛି । କାମଦାମ ନାହିଁ । ଲୋକ ନିରାଶ ହୋଇ ଥକି ପଡ଼ିଲେଣି । ପେଟକୁ ଗ୍ରାସ ନାହିଁ କି ରହିବାକୁ ବାସ ନାହିଁ । ପଡ଼ିଆରେ ଘାସ ନାହିଁ କି ବିଲରେ ଚାଷ ନାହିଁ । ଏ ବିଷମ ଦଶା ଉପରେ ପୁଣି ମାଲେରିଆର ଭୀଷଣ ଉତ୍ପାତ, ସ୍ଥାନେ ସ୍ଥାନେ କଲେରାର ପ୍ରାଦୁଭାବ । ଏଥିରେ ପୁଣି ବନ୍ଦେବସ୍ତ ଏକ ଉତ୍କଟ ଅଶାନ୍ତି ଅମେଳ ଘଟାଇ ସର୍ବନାଶ କରୁଛି । ଆନନ୍ଦ ଉତ୍ସବର ଅବକାଶ କାହିଁ 

ଏ ଶରତ କାଳରେ ଶ୍ୟାମଳ ଶସ୍ୟରାଜିରେ ବିଲ ହସୁଥା'ନ୍ତା । ଆନନ୍ଦମୟୀଙ୍କ ପୂଜା ଲାଗି ପଲ୍ଲୀ ଉପଯୁକ୍ତ ପୀଠ ହୋଇଥା'ନ୍ତା । ଆଜି ସେ ଶାନ୍ତି ସୌନ୍ଦର୍ଯ୍ୟ କାହିଁ ? ଉତ୍କଳ ମାତାଙ୍କର ଏହି ବିଷମ ବିକଟାଳ କଙ୍କାଳମୟ ବିରୂପ ଦେଖି ଯୁବକ ଛାତ୍ରମାନଙ୍କର କୋମଳ ହୃଦୟ ଧୈର୍ଯ୍ୟ ଧରି ରହି ପାରିବ ତ ? ସହରରେ ଛାତ୍ରବାସରେ ରହି ସେମାନେ ନିଶ୍ଚିନ୍ତ ଥିଲେ । ଗାଁ ଲୋକଙ୍କ ଦୁଃଖ ଦୁର୍ଗତି ମଧ୍ୟରେ ରହନ୍ତୁ, ନିଜ ଆଖିରେ ଭାଇ ଜ୍ଞାତି ବନ୍ଧୁ ଆପଣାର ପଡ଼ୋଶୀଙ୍କ ପ୍ରତି କଅଣ କର୍ତ୍ତବ୍ୟ ବିଚାରି ସ୍ଥିର କରନ୍ତୁ । 

ଓଡ଼ିଶାର ଏ ବିପତ୍ତି ସମୟରେ ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ଅଛି । ଏ ବିପତ୍ତି ନିବାରଣର ପ୍ରତିକାର ନ ହେଲେ ଓଡିଆ ଜାତିର ଅସ୍ତିତ୍ୱ ରହିବା ନାହିଁ ଏବଂ ଉତ୍କଳ ଦେଶ ଅଧିକ ଦିନ ବାସୋପଯୋଗୀ ହେବ ନାହିଁ । କେହି କେହି ପଚାରି ପାରନ୍ତି, ଆମେମାନେ କଅଣ କରିବୁଁ ? କରିବାକୁ ଅନେକ କାର୍ଯ୍ୟ ଅଛି । ଏକ ମାସ କମ୍ ସମୟ ନୁହେଁ । ଉତ୍ସାହର ସହିତ ଲାଗିଲେ ମାସକରେ ଛ' ମାସର କାମ ହୋଇ ପାରେ । ମାଲେରିଆ ରୋଗୀଙ୍କ ମଧ୍ୟରେ କୁଇନାଇନ ବାଣ୍ଚିବାକୁ ହେବ, ଯଥା ସମ୍ଭବ ସେମାନଙ୍କର ସେବା ଶୁଶ୍ରୂଷା କରିବାକୁ ହେବ । ଗ୍ରାମ ପରିଷ୍କାର ରଖିବାକୁ ଉପଦେଶ ଦେବା ଦରକାରୀ ଏବଂ ନିଜେ ଗାଁର ଅନ୍ୟାନ୍ୟ ଯୁବକଙ୍କୁ ନେଇ ଗ୍ରାମର ବାଘୋଟ ଗଡ଼ିଆ ପୋଖରୀ ପରିଷ୍କାର କରିବାରେ ଲାଗିବାକୁ ହେବ । 

ବନ୍ଦୋବସ୍ତ ମହକୁମାରେ ଲୋକେ ବୃଥା ମାମଲା ମକଦ୍ଦମାରେ ମାତି ଖର୍ଚ୍ଚାନ୍ତ ହେଉଛନ୍ତି । ନିଜ ଭିତରେ କଳିଗୋଳ ସୃଷ୍ଟି କରୁଛନ୍ତି । ସେମାନଙ୍କୁ ବୁଝାଇ ସୁଝାଇ ଯେତେ ଦୂର ପାରାଯାଏ, ସେ ସବୁରୁ ନିବୃତ୍ତ ରଖିବାର ଚେଷ୍ଟା କରିବାକୁ ହେବ । ଏ ପର୍ଯ୍ୟନ୍ତ ଅନେକ ବନ୍ୟା ପୀଡ଼ିତ ଗ୍ରାମର ଯଥାର୍ଥ ଅବସ୍ଥା ସରକାର କିମ୍ୱା ସାଧାରଣଙ୍କ ଦୃଷ୍ଟିକି ଆସି ନାହିଁ । ଦରକାର ହେଲେ ତାହା ସବୁ ସମ୍ୱାଦପତ୍ରରେ ପ୍ରକାଶ କରିବାକୁ ହେବ ଏବଂ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ହେବ । 

ଖଜଣା ଛାଡ଼ ଚୌକିଦାରୀ ଟିକସ ବନ୍ଦ ବନ୍ଦୋବସ୍ତ କାର୍ଯ୍ୟ ସ୍ଥଗିତ ହେବାକୁ ଲୋକେ ଅତି ବ୍ୟାକୁଳ ଭାବରେ ଚିତ୍କାର କରୁଛନ୍ତି। କିନ୍ତୁ ସେମାନଙ୍କର ଚିତ୍କାର ଅରଣ୍ୟ ରୋଦନ ହେଉଅଛି। କିପରି ଚିତ୍କାର କଲେ କର୍ତ୍ତୃପକ୍ଷଙ୍କୁ କାନକୁ ଶୁଭିବ ସେମାନେ ଜାଣନ୍ତି ନାହିଁ । କିପରି ଦରଖାସ୍ତ କରିବାକୁ ହେବ, କାହାଠାକୁ ପଠାଇବାକୁ ହେବ, ସେମାନେ ଜାଣନ୍ତି ନାହିଁ । ସେମାନଙ୍କ ଦସ୍ତଖତ କରାଇ କିଲଟର, କମିଶନ ବିହାର ଓଡ଼ିଶା ସରକାରଙ୍କ ଚିଫ୍ ସେକ୍ରେଟାରୀ ବନ୍ଦୋବସ୍ତ ସଙ୍କ୍ରାନ୍ତରେ ବନ୍ଦୋବସ୍ତ ଅଫିସର ପ୍ରଭୃତିଙ୍କଠାକୁ ପଠାଇବାକୁ ହେବ ।

ସର୍ବୋପରି ବନ୍ୟାର ସ୍ଥାୟୀ ପ୍ରତିକାର ଲାଗି ଯେ ଆନ୍ଦୋଳନ ଆରମ୍ଭ ହୋଇ ଅଛି, ସେ ବିଷୟରେ ପଲ୍ଲିବାସୀମାନଙ୍କୁ ପ୍ରସ୍ତୁତ କରିବାକୁ ହେବ । ପ୍ରତ୍ୟେକ ଚଉକିଦାରୀ ଇଉନିୟନରେ କମିଟି ଗଢ଼ି ତହିଁର ସମ୍ୱାଦ ଖବର କାଗଜକୁ ପଠାଇବାକୁ ସଙ୍ଗଠନ, ଗ୍ରାମ ଭାଗବତ ଘର ସଂସ୍କାର ପ୍ରଭୃତି ବିସ୍ତର କାର୍ଯ୍ୟ ରହିଛି । ଏହି ସବୁ କାର୍ଯ୍ୟ ସମ୍ପର୍କରେ ଯୁବକ ଛାତ୍ରମାନେ କିଛି ନା କିଛି କରି ପାରନ୍ତି । 

ମାତୃଭୂମିର ସେବା ହିଁ ମା ଜଗଦମ୍ୱାଙ୍କ ପୂଜା । ଉତ୍କଳର ଯୁବକ ଛାତ୍ରଗଣ, ମା'ମଲା ପିଲାର ଷଠୀଘର କାହିଁ ? ଏ ଦେଶର ଦଶାରେ ତୁମ୍ଭର ଆଜି ଶାନ୍ତି ସୁଖ କାହିଁ ? ଗ୍ରାମବାସୀଙ୍କ ଲାଗି କିଛି ନା କିଛି କାମ କଲେ ସିନା କେବଳ ପ୍ରାଣରେ ଟିକିଏ ଶାନ୍ତି ପାଇବ ? ପଡ଼ୋଶୀଙ୍କ ସେବା ହିଁ ଦେଶସେବା । ମାତୃଭୂମିର ସେବାରେ ଆପାଣାର ସାମାନ୍ୟ ଶକ୍ତିକୁ ଲଗାଇ ଏ ପବିତ୍ର ପାର୍ବଣ ଉତ୍ସବରେ ଜଗତ୍‌ଜନନୀ ଦୁର୍ଗତିନାଶିନୀ ଦୂର୍ଗାଙ୍କର ପୂଜା କରି ଧନ୍ୟ ହୁଅ, ମା'ଙ୍କର ପୂଣ୍ୟ ଅଭୟ ଆଶୀର୍ବାଦ ଲାଭ କର ।

(ସମାଜ ୮ମ ଭାଗ, ୨ୟ ସଂଖ୍ୟା-ତା ୯-୧୦-୧୯୨୬)

No comments:

Post a Comment