Monday, August 13, 2018


ଶିଶୁନାଗବଂଶ ଓ ମଗଧର ଅଭ୍ୟୁତ୍ଥାନ

କେଦାରନାଥ ମହାପାତ୍ର


ପାଟଳିପୁତ୍ରରେ ୧୮୯୫ରେ ହୋଇଥିବା ଉତ୍‌ଖନନର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମଗଧ ରାଜ୍ୟ ଆଧୁନିକ ପାଟଣା ଓ ଗୟା ଜିଲ୍ଲାକୁ ନେଇ ଗଠିତ ହୋଇଥିଲା । ଏହାର ଉତ୍ତରରେ ଗଙ୍ଗା ଓ ଦକ୍ଷିଣରେ ଛୋଟନାଗପୁର ଓ ପର୍ବତ ଶ୍ରେଣୀ ବିଦ୍ୟାମାନ ଥିଲା । ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀ ବେଳକୁ ଏହା ସମଗ୍ର ଭାରତରେ ପ୍ରଧାନ ହୋଇ ଉଠିଲା । ସେଠାରେ ଶିଶୁନାଗ ନାମକ ଜଣେ ରାଜା ୬୪୨ ଖ୍ରୀ: ପୂ: ରେ ରାଜତ୍ୱ ଆରମ୍ଭ କଲେ । ତାଙ୍କ ବଂଶକୁ ଶିଶୁନାଗବଂଶ କୁହାଯାଏ । ଗିରିବ୍ରଜ ସେ କାଳରେ ମଗଧର ରାଜଧାନୀ ଥିଲା । ଏହାର ଚତୁର୍ଦ୍ଦିଗରେ ୫ଟି ପର୍ବତ ଥିବାରୁ ଏହା ସୁରକ୍ଷିତ ଥିଲା । ଏହି ବଂଶର ପଞ୍ଚମ ରାଜା ବିମ୍ୱିସାର ବିଶେଷ କ୍ଷମତାଶାଳୀ ଥିଲେ । ସେ ଅଙ୍ଗ ରାଜ୍ୟ ବା ଆଧୁନିକ ଭାଗଲପୁର ଅଞ୍ଚଳ ଜୟ କରି ମଗଧ ସହିତ ମିଶାଇ ଦେଇଥିଲେ ଓ ‘ରାଜଗୃହ’ ନାମକ ସ୍ଥାନରେ ନିଜର ରାଜଧାନୀ ପ୍ରତିଷ୍ଠା କଲେତାଙ୍କ ସମୟରେ କୋଶଳରେ ପ୍ରସେନଜିତ୍ ନାମକ ଜଣେ ରାଜା ରାଜତ୍ୱ କରୁଥିଲେ । ବିମ୍ୱିସାର ତାଙ୍କର ଭଉଣୀକୁ ବିବାହ କରି କାଶୀ ରାଜ୍ୟ ପାଇଥିଲେ । ମହାବୀର ଓ ବୁଦ୍ଧଦେବ ତାଙ୍କ ରାଜ୍ୟତ୍ୱରେ ନିଜ ନିଜ ଧର୍ମ ପ୍ରଚାର କରିଥିଲେ । ବିମ୍ୱିସାର ବୌଦ୍ଧଧର୍ମ ଗ୍ରହଣ କରିଥିଲେ । ତାଙ୍କ ରାଜତ୍ୱ କାଳରେ ପାରସ୍ୟର ରାଜା ଡେରାୟସ୍ ସିନ୍ଧୁନଦୀ ପର୍ଯ୍ୟନ୍ତ ରାଜ୍ୟ ଜୟକରି ନିଜ ରାଜ୍ୟରେ ମିଶାଇ ଦେଇଥିଲେ । ସେଠାରୁ ସେ ଅନେକ ଧନରତ୍ନ କର ସ୍ୱରୂପ ନେଇଥିଲେ । ଐତିହାସିକ ଯୁଗରେ ଏହା ଭାରତର ପ୍ରଥମ ବୈଦେଶିକ ଆକ୍ରମଣ ।

ଅଜାତଶତୃ

ବିମ୍ୱିସାରଙ୍କୁ ମାରି ତାଙ୍କର ପୁତ୍ର ଅଜାତଶତ୍ରୁ ମଗଧର ସିଂହାସନ ଅଧିକାର କରିଥିବାର ଜଣାଯାଏ । ସେ ପ୍ରସେନଜିତ୍‌ଙ୍କୁ ଯୁଦ୍ଧରେ ପରାସ୍ତ କରି କୋଶଳ ରାଜ୍ୟ ଜୟ କରିଥିଲେ ଓ ତାଙ୍କର କନ୍ୟାକୁ ବିବାହ କରିଥିଲେ । ପ୍ରସେନଜିତ୍‌ଙ୍କ ମୃତ୍ୟୁ ପରେ କୋଶଳ ରାଜ୍ୟ ଦୁର୍ବଳ ହୋଇ ପଡିଲା । ସେ ଗଙ୍ଗାର ଉତ୍ତର ତୀରବର୍ତ୍ତୀ ମିଥିଳା ରାଜ୍ୟର ଲିଚ୍ଛାବିଗଣଙ୍କୁ ପରାସ୍ତ କରିଥିଲେ । ସେ ନିଜ ରାଜ୍ୟର ସୁରକ୍ଷା ପାଇଁ ଗଙ୍ଗା ଓ ସୌଣ ନଦୀର ମିଳନ ସ୍ଥାନରେ ଗୋଟିଏ ସୁଦୃଢ ଦୁର୍ଗ ନିର୍ମାଣ କରିଥିଲେ । ଏହାର ନାମ ପରେ ପାଟଳୀପୁତ୍ର ହେଲା । ସେ ଶିଶୁନାଗବଂଶର ଶ୍ରେଷ୍ଠ ରାଜା । ସେ ପିତା ପରି ବୌଦ୍ଧଧର୍ମ ଗ୍ରହଣ କରିଥିବାର ଅନୁମାନ କରାଯାଏ । ତାଙ୍କ ସମୟରେ ମଗଧ ରାଜ୍ୟ ଛୋଟନାଗପୁରଠାରୁ ଉତ୍ତରରେ ହିମାଳୟ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା । ଅଜାତଶତ୍ରୁଙ୍କ ପରେ ତାଙ୍କ ପୁତ୍ର ଉଦୟ ବା ଉଦୟୀ ମଗଧର ରାଜା ହେଲେ । ସେ ଗଙ୍ଗା ଓ ସୋଣ ନଦୀର ସଙ୍ଗମ ସ୍ଥଳରେ ପିତାଙ୍କ ଦ୍ୱାରା ନିର୍ମିତ ଦୁର୍ଗ ନିକଟରେ କୁସୁମପୁର ବା ପାଟଳୀପୁତ୍ର ନଗର ପ୍ରତିଷ୍ଠା କରିଥିଲେ । ସେହି ସମୟରୁ ପାଟଳୀପୁତ୍ର ଉତ୍ତର ଭାରତର ଗୋଟିଏ ପ୍ରସିଦ୍ଧ ସ୍ଥାନ ହେଲା । ଏହାର ଆଧୁନିକ ନାମ ପାଟଣା । ତାଙ୍କ ପରେ ଏହି ବଂଶ କ୍ରମଶଃ ଦୁର୍ବଳ ହୋଇ ପଡିଲା ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

No comments:

Post a Comment