Monday, August 06, 2018

ଗାନ୍ଧୀଙ୍କର ଶିକ୍ଷାବିଚାର - 'ହିନ୍ଦୁ ବିଶ୍ୱବିଦ୍ୟାଳୟ ଭାଷଣ:୧'

ଚିତ୍ତରଞ୍ଜନ ଦାସ


ଏବର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପାଠାଗାରର କୋଠା (ୱିକିମିଡିଆ କମନ୍ସ୍)

ବନ୍ଧୁଗଣ ! ଏହି ସ୍ଥାନରେ ପହଞ୍ଚିବାକୁ ମୋର ବିଳମ୍ୱ ପାଇଁ ମୁଁ କ୍ଷମା ମାଗି ନେଉଛି । ମୁଁ ବା ଅନ୍ୟ କୌଣସି ଲୋଡ଼ ଏହି ବିଳମ୍ୱର କାରଣ ନୁହେଁ ବୋଲି ଯେତେବେଳେ କହିବି, ଆପଣମାନେ ମୋତେ ନିଶ୍ଚୟ କ୍ଷମା ଦେବେ । (ହାସ୍ୟରୋଳ) କଥା ହେଉଛି ଯେ ମୁଁ ଗୋଟିଏ ପ୍ରଦର୍ଶନୀୟ ଜୀବ ଭଳି ଏବଂ ମୋର ତତ୍ତ୍ୱାବଧାରକମାନେ ନିଜର ଦୟାର ଆତିଶର୍ଯ୍ୟରେ ମୋ ଜୀବନର କେତେକ ଆବଶ୍ୟକତାରୁ ଭୁଲିଯା'ନ୍ତି ଏବଂ ଏହା ସମ୍ପୂର୍ଣ୍ଣ ଆକସ୍ମିକ ଭାବରେ ଘଟେ ଏହି ଘଟଣା ସମ୍ପର୍କରେ କହିବାକୁ ଗଲେ ମୋର ଓ ମୋ ସାଥୀମାନଙ୍କର ଯେଉଁ ଆକସ୍ମିକ ଦୁର୍ଘଟଣା ଘଟିଲା, ସେଥିପାଇଁ ଆଗରୁ ସେମାନେ ପ୍ରସ୍ତୁତ ନଥିଲେ । ତେଣୁ ବିଳମ୍ୱ ହୋଇଗଲା ।

ବନ୍ଧୁଗଣ ! ମୋ ପୂର୍ବ ବକ୍ତା ଭଦ୍ରମହିଳାଙ୍କର (ମିସେସ୍ ଆନିବେଶାନ୍ତଙ୍କର) ଅସାଧାରଣ ବାଗ୍ମିତା ଦ୍ୱାରା ପ୍ରଭାବିତ ହୋଇ ଆପଣମାନେ ବିଶ୍ୱାସ କରନ୍ତୁ ନାହିଁ ଯେ, ଆମର ଏହି ବିଶ୍ୱବିଦ୍ୟାଳୟ ଗୋଟିଏ ପୂର୍ଣ୍ଣାଙ୍ଗ ଅନୁଷ୍ଠାନ ହୋଇ ସାରିଛି ଏବଂ ଯେଉଁ ଯୁବକମାନେ ଏହି ବିଶ୍ୱବିଦ୍ୟାଳୟକୁ ଆସିବେ ସେମାନେ ଏଠାରେ ଶିକ୍ଷାଲାଭ କରି ଏହି ବିଶାଳ ସାମ୍ରାଜ୍ୟର ଉଦୀୟମାନ ନାଗରିକ ହୋଇ ଏଠାରୁ ବିଦାୟ ନେବେ । ଏହି ଅନୁଷ୍ଠାନ ଏବେ ସୁଦ୍ଧା ଗଢ଼ି ଉଠିବାକୁ ଓ ଦୃଢ଼ ହେବାକୁ ବାକି ଅଛି । ଆଜି ଯେଉଁ ଛାତ୍ର ସମାଜ ପ୍ରତି ମୋର ବକ୍ତବ୍ୟ. ଅଭିପ୍ରେତ, ଯଦି ସେମାନେ ମୁହୃର୍ତ୍ତକ ପାଇଁ ସୁଦ୍ଧା ଭାବନ୍ତ ଯେ, ଯେଉଁ ଆଧ୍ୟାତ୍ମିକ ଜୀବନ ପାଇଁ ଏହି ଦେଶ ପ୍ରଖ୍ୟାତ ଓ ପୃଥିବୀରେ ଏଥି ପାଇଁ ଅଦ୍ୱିତୀୟ ଅଟେ, ସେହି ଆଧ୍ୟାତ୍ମିକ ଜୀବନର ଧାରଣା କେବଳ କଥା ଦ୍ୱାରା ପ୍ରଚରିତ ହୋଇ ପାରିବ, ତେବେ ଆପଣମାନେ ମସ୍ତ ବଡ ଭୁଲ କରିବେ । ମୋର ଆଶା ଯେ, ସମଗ୍ର ଜଗତରେ ଦିନେ ଭାରତବର୍ଷ ଏ ଯେଉଁ ବାଣୀ ପ୍ରଚାର କରିବ ତାହାକୁ ଆପଣମାନେ ତୁଚ୍ଛା କଥାରେ ପ୍ରଚାର କରି ପାରିବେ ନାହିଁ । ଜୀବନରେ ମୁଁ ବହୁ ବକ୍ତୃତା ଶୁଣିଛି । ଗତ ଦୁଇ ଦିନ ଧରି ଯେଉଁ ବକ୍ତୃତାମାନ ଶୁଣା ଯାଉଛି, ସେଗୁଡ଼ିକୁ ମୁଁ ମାମୁଲି ଶ୍ରେଣୀରୁ ବାଦ୍ ଦେଇଛି, କାରଣ ସେଗୁଡ଼ିକ ଅତ୍ୟନ୍ତ ଆବଶ୍ୟକ । ମାତ୍ର ମୁଁ ଏହା କହିବାକୁ ସାହାସ କରୁଅଛି ଯେ, ଆମର ବକ୍ତୃତା-ଭଣ୍ତାର ଶେଷ ହୋଇ ଆସିଲାଣି ।

କେବଳ ଶୁଣି ବା ଦେଖି ଆନନ୍ଦ ଲାଭ କଲେ ଯଥେଷ୍ଟ ହେବ ନାହିଁ । ଆମର ହୃଦୟ ସ୍ପନ୍ଦିତ ଓ ହସ୍ତ-ପଦ ସଞ୍ଚାଳିତ ହେବା ଆବଶ୍ୟକ । ଭାରତୀୟ ଜୀବନର ସରଳତାକୁ କିପରି ବିଚାରରେ ରଖିବା ଓ ହୃଦୟର ଭାବନା ସହିତ କିପରି ଆମର କାର୍ଯ୍ୟଗୁଡ଼ିକୁ ସାମଞ୍ଜସ କରିବା, ତାହାର ଆବଶ୍ୟକତା ବିଷୟରେ ଗତ ଦୁଇ ଦିନ ଆମ୍ଭେମାନେ ଶୁଣି ଆସିଛୁ । ମାତ୍ର ଏହା କେବଳ ପୂର୍ବାଭାସ ।

ମୁଁ କହିବାକୁ ଭାବିଥିଲି ଯେ, ଏହି ପବିତ୍ର ନଗରୀରେ ଏହି ବିଶ୍ୱବିଦ୍ୟାଳୟର ଆଶ୍ରୟର ଆଜି ମୁଁ ଯେ ଗୋଟିଏ ବିଦେଶୀ ଭାଷାରେ ମୋର ଦେଶବାସୀମାନଙ୍କୁ ବକ୍ତୃତା ଦେବାକୁ ବାଧ୍ୟ ହେଉଛି, ତାହା ଘୋର ଲଜ୍ଜା ଓ ଅପମାନର କଥା । ଗତ ଦୁଇ ଦିନ ହେଲା ଯେଉଁମାନେ ଏହି ବକ୍ତୃତାମାଳା ଶୁଣୁଛନ୍ତି,  ସେମାନଙ୍କର ପରୀକ୍ଷକ ଭାବରେ ଯଦି ମୋତେ ନିଯୁକ୍ତ କରାଯା'ନ୍ତା ତେବେ ଏହି ବକ୍ତୃତା ବିଷୟରେ ପରୀକ୍ଷାରେ ଅନେକ ଅକୃତକାର୍ଯ୍ୟ ହୁଅନ୍ତା । କାହିଁକି ? କାରଣ ସେମାନଙ୍କ ହୃଦୟକୁ ସ୍ପର୍ଶ କଲା ଭଳି କିଛି ହୋଇ ନାହିଁ । ଗତ ଡିସେମ୍ୱର ମାସରେ ହୋଇଥିବା ବମ୍ୱେ କଙ୍ଗ୍ରେସ ଅଧିବେଶନରେ ମୁଁ ଉପସ୍ଥିତ ଉପସ୍ଥିତ ଥିଲି । ଆଜିର ଏହି ସଭା ଅପେକ୍ଷା ସେସଭାରେ ବହୁତ ଅଧିକ ଶ୍ରୋତା ଥିଲେ । ସବୁ ବକ୍ତୃତା ମଧ୍ୟରେ ଯେଉଁଗୁଡ଼ିକ ହିନ୍ଦୁସ୍ତାନୀରେ ଦିଆ ଯାଇଥିଲା, କେବଳ ସେହିଗୁଡ଼ିକ ସେମାନଙ୍କର ହୃଦୟକୁ ସ୍ପର୍ଶ କରିଥିଲା ।

ଏକଥା କହିଲେ ଆପଣମାନେ ବିଶ୍ୱାସ କରିବେ କି ? ସମସ୍ତେ ହିନ୍ଦୀ କହୁଥିବା ବନାରସ ସହରରେ ନୁହେଁ, ବମ୍ୱେରେ ଏହା ସମ୍ଭବ ହୋଇଥିଲା । ଏହା ଖିୟାଲ କରନ୍ତୁ । ଇଂରାଜୀ ଓ ଭାରତର ବିଭିନ୍ନ ଭାଷାଗୁଡ଼ିକ ମଧ୍ୟରେ ଯେତେ ଅଧିକ ପାର୍ଥକ୍ୟ ରହିଛି ବମ୍ୱେର ସ୍ଥାନୀୟ ଭାଷା ଓ ହିନ୍ଦୀ ମଧ୍ୟରେ ସେତେ ପାର୍ଥକ୍ୟ ନାହିଁ ଏବଂ କଂଗ୍ରେସର ଶ୍ରୋତାମାନେ ହିନ୍ଦୀ ବକ୍ତାମାନଙ୍କର ବକ୍ତୃତା ସ୍ପଷ୍ଟ ଭାବରେ ବୁଝି ପାରୁଥିଲେ । ମୁଁ ଆଶା କରୁଛି ଯେ, ଏହି ବିଦ୍ୟାଳୟକୁ ଯେଉଁମାନେ ଶିକ୍ଷାଲାଭ କରିବାକୁ ଆସିବେ, ସେମାନଙ୍କୁ ସେମାନଙ୍କର ମାତୃଭାଷା ମାଧ୍ୟମରେ ଶିକ୍ଷା ଦେବାକୁ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କରିବେ । 

ଆମର ଭାଷା ଆମ୍ଭମାନଙ୍କର ପ୍ରତିଛବି ଏବଂ ଆପଣମାନେ ଯଦି କହନ୍ତି ଯେ ଆମ୍ଭମାନଙ୍କର ଭାଷାଗୁଡ଼ିକ ଏତେ ଦରିଦ୍ର ଯେ ଉନ୍ନତ ଚିନ୍ତା ପ୍ରକାଶ କରି ପାରିବେ ନାହିଁ, ତେବେ ଯେତେ ଶୀଘ୍ର ଆମର ସଂଜ୍ଞା ଲୁପ୍ତ ହୋଇଯାଏ ସେତେ ମଙ୍ଗଳ । ଇଂରାଜୀ ଭାଷା ଦିନେ ଭାରତର ରାଷ୍ଟ୍ରଭାଷା ହୋଇପାରିବ ଏହା କେହି ସ୍ୱପ୍ନରେ ଭାବୁଛନ୍ତି କି ? ("କେବେ ନୁହଁ" - ଚିତ୍କାର) । ଦେଶବାସୀଙ୍କ ଉପରେ ଏ ପ୍ରତିବନ୍ଧକ କାହିଁକି ରହିଛି ? ମୁହୂର୍ତ୍ତକ ପାଇଁ ଟିକିଏ ଭାବନ୍ତୁ ଯେ, ଆମର ବାଳକମାନଙ୍କୁ ଇଂରେଜ ବାଳକମାନଙ୍କ ସହିତ କିପରି ଅସମାନ ସର୍ତ୍ତରେ ଦଉଡ଼ିବାକୁ ପଡ଼ୁଛି । 

ପୁନାର କେତେକ ଅଧ୍ୟାପକଙ୍କ ସହିତ ଘନିଷ୍ଠ ଭାବରେ କଥାବର୍ତ୍ତା କରିବାର ସୁଯୋଗ ମୋତେ ମିଳିଥିଲା । ସେମାନେ ନିର୍ଭର ଭାବରେ କହିଲେ ଯେ, ଇଂରାଜୀ ମାଧ୍ୟମରେ ପଢ଼ୁଥିବାରୁ ପ୍ରତ୍ୟେକ ଭାରତୀୟ ଯୁବକକୁ ତାହାର ଜୀବନର ମୂଲ୍ୟବାନ ସମୟ ମଧ୍ୟରୁ ଅନ୍ତତଃ ଛଅ ବର୍ଷ ନଷ୍ଟ କରିବାକୁ ପଡ଼ୁଅଛି । ସ୍କୁଲ ଓ କଲେଜରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କର ସଙ୍ଖ୍ୟା ସହିତ ଏହି ବର୍ଷ-ସଙ୍ଖ୍ୟାକୁ ଗୁଣନ୍ତୁ ଏବଂ ଦେଖନ୍ତୁ ଯେ, ଆମ ଦେଶର ଛାତ୍ରଛାତ୍ରୀମାନଙ୍କର କେତେ ହଜାର ବର୍ଷ ନଷ୍ଟ ହୋଇ ଯାଇଛି । ଆମ୍ଭମାନଙ୍କର କୌଣସି ଅଭିକ୍ରମ ନାହିଁ ବୋଲି ଆମ ବିରୋଧରେ ଅଭିଯୋଗ ହୁଏ । ଯଦି ଆମ ଜୀବନର ଅମୂଲ୍ୟ ବର୍ଷ ଗୁଡ଼ିକ ଗୋଟିଏ ବିଦେଶୀ ଭାଷାକୁ ଆୟତ୍ତ କରିବାରେ ଚାଲିଯାଏତେବେ ଆମର ଅଭିକ୍ରମ କୁଆଡ଼େ ଆସିବ ? ଏହି ଚେଷ୍ଟାରେ (ବିଦେଶୀ ଭାଷାକୁ ଆୟତ୍ତ କରିବାରେ) ଆମେ ମଧ୍ୟ ବିଫଳ ହେଉ । ମିଷ୍ଟର ହିଗିନ୍-ବୋଥାମଙ୍କ ପରି କାଲି ଓ ଆଜି କୌଣସି ବକ୍ତା ଶ୍ରୋତାମାନଙ୍କୁ ଉପଯୁକ୍ତ ଧାରଣା ଦେଇ ପାରିଲେ କି ? ଶ୍ରୋତାମାନଙ୍କର ମନୋନିବେଶି କରି ନ ପାରିବା ପାଇଁ ଯଥେଷ୍ଟ ସାରଗର୍ଭକ କଥା ଥିଲା । ମାତ୍ର ସେଗୁଡ଼ିକ ଆମ ମସ୍ତିଷ୍କରେ ପ୍ରବେଶ ଲାଭ କରିପାରିଲା ନାହିଁ । 

ମୁଁ ଅନ୍ୟମାନେ ଯୁକ୍ତି କରିବା ଶୁଣିଅଛି ଯେ, ଯାହା ହେଉ ଇଂରାଜୀ-ଶିକ୍ଷିତ ଭାରତୀୟମାନେ ହିଁ ରାଷ୍ଟ୍ରକୁ ନେତୃତ୍ୱ ଦେଇ ଅଛନ୍ତି ଏବଂ ଜାତି ପାଇଁ ସବୁ କାମ କରୁଛନ୍ତି । ଏହା ଅନ୍ୟ ପ୍ରକାରେ ହୋଇଥିଲେ ଅସ୍ୱାଭାବିକ ହୋଇଥା'ନ୍ତା । ଏହା ମଧ୍ୟ ଅନେକି ଲୋକ କହନ୍ତି । ଆମେ ଯେଉଁ ଏକମାତ୍ର ଶିକ୍ଷା ପାଇଥାନ୍ତୁ ଆଜି ଆମେ କଅଣ ପାଇଥା'ନ୍ତୁ ? ଆଜି ଆମେ ସ୍ୱାଧୀନ ଭାରତ ପାଇଥା'ନ୍ତୁ, ଏହା ମଧ୍ୟ ଅନେକ ଲୋକ କହନ୍ତି । ଆମେ ଯେଉଁ ଏକମାତ୍ର ଶିକ୍ଷା ପାଉ ତାହା ଇଂରାଜୀ ଶିକ୍ଷା । ଅବଶ୍ୟ ଏହାର ଫଳସ୍ୱରୂପ ଆମର କିଛି ଦେଖାଇବା ଆବଶ୍ୟକ । କିନ୍ତୁ ଯଦି ଗତ ପଚାଶ ବର୍ଷ ଧରି ଆମେ ମାତୃଭାଷା ଜରିଆରେ ଶିକ୍ଷା ପାଇଥା'ନ୍ତୁ, ଆଜି ଆମେ କଅଣ ପାଇଥା'ନ୍ତୁ? ଆମ୍ଭମାନଙ୍କର ଶିକ୍ଷିତ ଲୋକେ ନିଜ ଦେଶରେ ପରଦେଶୀ ନ ହୋଇ ଦେଶବାସୀଙ୍କର ହୃଦୟକୁ ସ୍ପର୍ଶ କରିବା ଭଳି ବୁଝାଉଥାନ୍ତେ ଏବଂ ଗତ ପଚାଶ ବର୍ଷ ମଧ୍ୟରେ ସେମାନେ ଯାହା ପାଇଥାନ୍ତେ ତାହା ରାଷ୍ଟ୍ରର ଅମୂଲ୍ୟ ସମ୍ପତ୍ତି ହୋଇ ରହିଥା'ନ୍ତା । (ଜୟଧ୍ୱନି) । 

ଆଜି ଆମ୍ଭମାନଙ୍କ ଉନ୍ନତ ଭାବନାରେ ନିଜ ନିଜର ସହଧର୍ମିଣୀ ସୁଦ୍ଧା ଅଂଶୀଦାର ନୁହନ୍ତି । ଅଧ୍ୟାପକ ବୋଷ ଓ ଅଧ୍ୟାପକ ରାୟଙ୍କର ଗୌରବମୟ ଗବେଷଣ ପ୍ରତି ଦୃଷ୍ଟି ଦିଅନ୍ତୁ ; ସେମାନଙ୍କର ଗବେଷଣା ଯେ ଜନସାଧାରଣଙ୍କର ସମ୍ପତ୍ତି ହୋଇ ପାରି ନାହିଁ, ଏହା କ'ଣ ଲଜ୍ଜାର ବିଷୟ ନୁହେଁ ?

ଆଉ ଗୋଟିଏ ବିଷୟ ଆଲୋଚନା କରାଯାଉ । ସ୍ୱାୟତ୍ତ ଶାସନ ବିଷୟରେ କଙ୍ଗ୍ରେସ ଗୋଟିଏ ପ୍ରସ୍ତାବ ଧାର୍ଯ୍ୟ କରିଛିମୋର କୌଣସି ସନ୍ଦେହ ନାହିଁ ଯେ, ନିଖିଳ ଭାରତ କଙ୍ଗ୍ରେସ କମିଟି ଓ ମୁସଲିମ ଲୀଗ୍ ସେମାନଙ୍କର କର୍ତ୍ତବ୍ୟ କରିବେ ଏବଂ ନିର୍ଦ୍ଦିଷ୍ଟ ସୂଚନାମାନ ପେଶ୍ କରିବେ । ମୋର ନିଜ ପକ୍ଷରୁ ସରଳ ଭାବରେ କହିପାରେ ଯେ, ସେମାନେ କିଛି କରି ପାରିବେ ବୋଲି ମୋର ବିଶେଷ ଆସ୍ଥା ନାହିଁ । କାରଣ ଛାତ୍ର-ସମାଜ ବା ଜନସାଧାରଣ ଯାହା କରି ପାରିବେ ସେଥିରେ ମିଁ ଆସ୍ଥାବାନ ଅଟେ । କାଗଜପତ୍ରରେ ଲେଖାଲେଖି ଦ୍ୱାରା ସ୍ୱାୟତ୍ତ-ଶାସନ ପାଇଁ ଉପଯୁକ୍ତ ହୋଇ ପାରିବୁଁ ନାହିଁ । (କରତାଳି) । 

ନିଜକୁ ଶାସନ କରିବା ପାଇଁ ଆମେ କିପରି ଚେଷ୍ଟା କରୁଅଛୁଁ ? ଏହି ସନ୍ଧ୍ୟାରେ ଆପଣମାନଙ୍କ ସହିତ ମୁଁ ସେ ବିଷୟ ଖୋଲାଖୋଲି ଭାବରେ ଆଲୋଚନା କରିବାକୁ ଚାହେଁ । ମୁଁ ବକ୍ତୃତା ଦେବାକୁ ଇଚ୍ଛା କରୁ ନାହିଁ ଏବଂ ଯଦି ମୁଁ ମତରେ କୌଣସି କଥା ଗୋପନ ନ ରଖି ନିଃସଙ୍କୋଚରେ ଆପଣମାନଙ୍କୁ କହେ, ତେବେ ତାହାର ମନର କଥା ଶୁଣିପାରିବା ଭଳି ଚିନ୍ତା କରେ, ସେହି ପରି ଲୋକର ଚିନ୍ତାରେ ଆପଣମାନେ ଅଂର୍ଶୀଦାର ହେଉ ଅଛନ୍ତି । ଯଦି ମୁଁ ଶିଷ୍ଟାଚାରରେ ସୀମା ଲଙ୍ଘନ କରେତେବେ ସେହି ଧୁଷ୍ଠତା ପାଇଁ ମୋତେ କ୍ଷମା କରିବେ । 

କାଲି ସନ୍ଧ୍ୟାବେଳେ ମୁଁ ବିଶ୍ୱନାଥ ମନ୍ଦିରକୁ ଯାଇଥିଲି । ସେହି ଗଳିଗୁଡ଼ିକ ଭିତରେ ଯିବା ବେଳେ ଏହି ଭାବନା ମୋ ମନକୁ ଆସିଲା । ଯଦି ଶୂନ୍ୟରୁ ଜଣେ ଅପରିଚିତ ଲୋକ ଏହି ବିରାଟ ମନ୍ଦିର ଭିତରେ ଖସି ପଡ଼େ ଓ ଆମ୍ଭମାନଙ୍କର, ଅର୍ଥାତ୍ ହିନ୍ଦୁମାନଙ୍କର ଅବସ୍ଥା ବିଷୟରେ ବିଚାର କରେ, ତେବେ ସେ ଆମକୁ ତିରସ୍କାର କରିବାରେ ଦୋଷ କଣ ? ଏହି ବିରାଟ ମନ୍ଦିର ଆମ ଚରିତ୍ରର ପ୍ରତିବିମ୍ୱ ନୁହେଁ କି ? ମୁଁ ନିଜକୁ ଜଣେ ହିନ୍ଦୁ ଭାବି ଗଭୀର ମନୋବ୍ୟଥାରେ ଏହା କହୁ ଅଛି । ଆମର ପବିତ୍ର ମନ୍ଦିରର ଗଳିଗୁଡ଼ିକ କଣ ଏତେ ଦୂର ଅପରିଷ୍କୃତ ହେବା ଉଚିତ୍ ? ମନ୍ଦିର ଚାରି ପାଖରେ ଘରଗୁଡ଼ାକ ବିନା ବିଚାରରେ ତିଆରି ହୋଇ ଅଛି । ଗଳିଗୁଡ଼ିକ ଯନ୍ତ୍ରଣା ଦାୟକ ଓ ସଙ୍କୀର୍ଣ୍ଣ । ଯଦି ଆମର ମନ୍ଦିରଗୁଡ଼ିକ ସୁଦ୍ଧା ପ୍ରଶସ୍ତତାର ଓ ସ୍ୱଚ୍ଛତାର ଆଦର୍ଶ ନ ହୁଏ ତେବେ ଆମର ସ୍ୱାୟତ୍ତ-ଶାସନ କଣ ହୋଇ ପାରେ ? ଇଂରେଜମାନେ ନିଜ ଇଚ୍ଛାରେ ହେଉ ବା ବାଧ୍ୟ ହୋଇ ନିଜର ପୁଡ଼ାପୁଟୁଳି ଧରି ଏଠାରୁ ଚାଲି ଯିବା ମାତ୍ରେ ଆମର ମନ୍ଦିରଗୁଡ଼ିକ କଅଣ ପବିତ୍ରତା, ସ୍ୱଚ୍ଛତା ଓ ଶାନ୍ତିର ଆଧାର ହୋଇ ଯିବ ?

କଙ୍ଗ୍ରେସ ସଭାପତିଙ୍କ କଥାରେ ମୁଁ ସମ୍ପୂର୍ଣ୍ଣ ଏକମତ ଯେ, ସ୍ୱାୟତ୍ତ-ଶାସନ ବିଷୟ ଭାବିବା ପୂର୍ବରୁ ଆମକୁ ବହୁତ ଘଣା-ଠେଲା ପରିଶ୍ରମ କରିବାକୁ ପଡ଼ିବ । ପ୍ରତ୍ୟେକ ସହରରେ ଦୁଇଟି ଭାଗ ଅଛି । କ୍ୟାଣ୍ଟନମେଣ୍ଟ ଓ ଖାସ୍ ସହର । ଖାସ୍ ଯାହାର ଅଞ୍ଚଳଟି ଦୁର୍ଗନ୍ଧପୂର୍ଣ୍ଣ ବାସସ୍ଥଳ । ଆମ୍ଭେମାନେ ସହର ଜୀବନଯାପନରେ ଅନଭ୍ୟସ୍ତ । ଯଦି ଆମେ ସହର ଜୀବନ ଚାହୁଁତେବେ ସେଠାରେ ଆଳସ୍ୟପୂର୍ଣ୍ଣ ଗ୍ରାମ୍ୟ ଜୀବନ ଆଣି ଥୋଇ ପାରିବା ନାହିଁ । କୋଠାଗୁଡ଼ିକର ଉପର ମହଲରୁ ଛେପ ପଡ଼ିବାର ସତତ ଭୟରେ ଭାରତୀୟମାନେ ବାସ କରୁଥିବା ବମ୍ୱେ ସହରର ଅଞ୍ଚଳଗୁଡ଼ିକର ରାସ୍ତାରେ ଲୋକେ ନିଶ୍ଚିନ୍ତରେ ଚାଲିପାରନ୍ତି ନାହିଁ । 

ଅନେକ ସମୟରେ ମୁଁ ରେଳ ଗାଡ଼ିରେ ଯିବା ଆସିବା କରେ । ତୃତୀୟ ଶ୍ରେଣୀର ଯାତ୍ରୀମାନଙ୍କର ଅସୁବିଧାକୁ ମୁଁ ଲକ୍ଷ୍ୟ କରେ । ମାତ୍ର ଯାତ୍ରୀମାନଙ୍କର ଏହି ଅସୁବିଧା ପାଇଁ ରେଳ ବିଭାଗର କର୍ତ୍ତୃପକ୍ଷଙ୍କୁ ନିନ୍ଦା କରି ହେବ ନାହିଁ । ସ୍ୱଚ୍ଛତା ବିଷୟରେ ଆମର ମୌଳିକ ଜ୍ଞାନ ନାହିଁ । ଅନେକ ଲୋକ ରେଳଗାଡ଼ିର ଡବା ଭିତରେ ତଳେ ଶୁଅନ୍ତି ଏକଥା ଜାଣି ସୁଦ୍ଧା ଆମେ ଡବା ଭିତରେ ଯେ କୌଣସିଠାରେ ଛେପ ପକାଉ । ଆମେ ଡବାକୁ କିପରି ବ୍ୟବହାର କରିବୁଁ, ସେଥି ପାଇଁ ଟିକିଏ ହେଲେ ଭାବୁଁ ନାହିଁ । ଫଳରେ ତାହା ଆବର୍ଜନାରେ ପୂର୍ଣ୍ଣ ହୋଇଯାଏ । 

ତଥାକଥିତ ଉଚ୍ଚଶ୍ରେଣୀର ଯାତ୍ରୀମାନେ ସେମାନଙ୍କର ହତଭାଗ୍ୟ ଭାଇମାନଙ୍କୁ ଭୟଭୀତ କରନ୍ତି । ସେମାନଙ୍କ ମଧ୍ୟରେ ମୁଁ ଛାତ୍ରମାନଙ୍କୁ ଦେଖିଛି । ଅନେକ ସମୟରେ ସେମାନେ ମଧ୍ୟ ଏହାଠାରୁ ଭଲ ବ୍ୟବହାର କରନ୍ତି ନାହିଁ । ସେମାନେ ଇଂରାଜୀ କହିପାରନ୍ତି, ନର୍‌ଫୋକ୍ ଗେଞ୍ଜି ପିନ୍ଧିଥା'ନ୍ତି ଏବଂ ସେହି ହେତୁ ଡ଼ବା ଭିତରେ ଜୋର କରି ପଶିବାକୁ ଏବଂ ବସିବାସ୍ଥାନ ମାଡ଼ି ବସିବାକୁ ଦାବି କରନ୍ତି । ମୁଁ ମୋର ଅନୁସନ୍ଧାନ ଦୃଷ୍ଟି ଚାରିଆଡ଼େ ପକାଇଛି ଏବଂ ଆପଣମାନେ କହିବାକୁ ସୁଯୋଗ ଦେଇ ଥିବାରୁ ମୋର ହୃଦୟ ଖୋଲି ମୁଁ ସବୁ କଥା କହୁଅଛି । ସ୍ୱାୟତ୍ତ-ଶାସନ ଦିଗରେ ଅଗ୍ରଗତି କରିବା ସଙ୍ଗେ ସଙ୍ଗେ ଆମକୁ ଏଗୁଡ଼ିକ ସୁଧାରି ନେବାକୁ ହେବ ।


ବି. ଦ୍ର. - ତା ୪--୧୯୧୭ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ ଉତ୍ସବରେ ଗାନ୍ଧୀଜୀଙ୍କର ଭାଷଣ ।

No comments:

Post a Comment