Thursday, August 02, 2018

ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀଠାରୁ ଖ୍ରୀ.ପୂ. ତୃତୀୟ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ଅବସ୍ଥା 


କେଦାରନାଥ ମହାପାତ୍ର


ଖ୍ରୀଷ୍ଟପୂର୍ବ ଚତୁର୍ଥ-ପଞ୍ଚମ ଶତାବ୍ଦୀର ମଗଧର ମୁଦ୍ରା (ୱିକିମିଡିଆ କମନ୍ସ୍)

ଖ୍ରୀ: ପୂ: ସପ୍ତମ ଶତାବ୍ଦୀଠାରୁ ଜୈନ ଓ ବୌଦ୍ଧମାନଙ୍କର ଗ୍ରନ୍ଥ ଓ ହିନ୍ଦୁ ପୁରାଣମାନଙ୍କର ଭାରତର ଧାରାବାହିକ ଇତିହାସ ମିଳେ । ସେଥିରୁ ଜଣାଯାଏ ଯେ, ସେତେବେଳେ ଭାରତର ଅଧିକାଂଶ ଅଞ୍ଚଳ ଅରଣ୍ୟରେ ପୂର୍ଣ୍ଣ ଥିଲା । ଉତ୍ତର ଭାରତରେ ୧୬ଟି ଛୋଟ ଛୋଟ ସ୍ୱାଧୀନ ରାଜ୍ୟ ଥିଲା । ଯଥା ଗାନ୍ଧାର (ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ), କୁରୁକ୍ଷେତ୍ର, ଶୂରସେନ, ପାଞ୍ଚାଳ, ମତ୍ସ୍ୟ, କୋଶଳ (ଅଯୋଧ୍ୟା), କାଶୀ, ବିଦେହ, ମଗଧ, ଅଙ୍ଗ, ବଙ୍ଗ, କଳିଙ୍ଗ, ବୈଶାଳୀ, ବତ୍ସ, ଅବନ୍ତୀ (ମାଳବ) ଓ ସୌରାଷ୍ଟ୍ର (କାଥିଆବାଡ) । ଏହି ରାଜ୍ୟଗୁଡ଼ିକ ଭିନ୍ନ ଭିନ୍ନ ରାଜବଂଶ ଦ୍ୱାରା ଶାସିତ ହେଉଥିଲା । ସେତେବେଳେ ଭାରତରେ କେହି ଚକ୍ରବର୍ତ୍ତୀ ରାଜା ନ ଥିଲେ । ରାଜ୍ୟମାନଙ୍କ ମଧ୍ୟରେ ସର୍ବଦା ଯୁଦ୍ଧବିଗ୍ରହ ଲାଗୁ ଥିଲା ।

ସେତେବେଳେ କେତେକ ରାଜ୍ୟରେ ‘ଗଣତନ୍ତ୍ର’ ଶାସନ ଚଳୁଥିଲା । ଅର୍ଥାତ୍ ସେଠାରେ ରାଜାମାନେ ରାଜତ୍ୱ କରୁ ନ ଥିଲେ । ରାଜ୍ୟର ମୁଖିଆ ମୁଖିଆ ଲୋକ ବା ‘ଗଣଜ୍ୟେଷ୍ଠ’ମାନଙ୍କର ଗୋଟିଏ ସଭା ଥିଲା । ଏହି ସଭାର ନାମ ‘ପରିଷଦ’ଗୋଟିଏ ବଡ଼ ଘରେ ଏହି ପରିଷଦର ବୈଠକ ହେଉଥିଲା । ଏହି ‘ପରିଷଦ’ ଦ୍ୱାରା ରାଜ୍ୟର ଶାସନ କାର୍ଯ୍ୟ ଚଳୁଥିଲା । ପରିଷଦର ଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମୟେ ସମୟେ ରାଜା ବୋଲି କହୁଥିଲେ ।

ସେ କାଳର ‘ଗଣ’ମାନଙ୍କ ମଧ୍ୟରେ ‘ମାଳବଗଣ’, ବିହାରରେ ‘ଲଚ୍ଛାବିଗଣ’ ପ୍ରଧାନ ଥିଲା । ଉତ୍ତର ଭାରତର ରାଜ୍ୟମାନଙ୍କ ମଧ୍ୟରେ କୋଶଳ ଓ ମଗଧ ରାଜ୍ୟ ପ୍ରଧାନ ଥିଲା । ଶ୍ରାବସ୍ତି  କୋଶଳ ରାଜ୍ୟର ରାଜଧାନୀ ଥିଲା ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

No comments:

Post a Comment