Thursday, May 31, 2018

ପିଲାଙ୍କ ପାଇଁ କବିତା - 'ଲେଖାପଢ଼ା'

କବି - ଜଗନ୍ନାଥ ପ୍ରସାଦ ଦାସ


ସଙ୍ଗ୍‌ସ୍ ଅଫ ଇନୋସେନ୍ସ୍ ଆଣ୍ଡ ଏକ୍ସପେରିଏନ୍ସ୍‌ର
୧୮୨୬ ମସିହାର ସଂସ୍କରଣରୁ ଫର୍ଦ୍ଦେ
କବି - ୱିଲିଅମ୍ ବ୍ଲେକ୍
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 


ଜାଣେନା କବିତାମାନେ କେଉଁଠାରେ ଥାଇ
କିପରି ଆସନ୍ତି ମୋର ସ୍ୱପ୍ନକୁ ଓହ୍ଲାଇ ।
ପାଖରେ ମୁଁ ରଖିଥାଏ କଲମ କାଗଜ
କବିତା ଲେଖିବା ତେଣୁ ମୋ ପାଇଁ ସହଜ ।

ଏଇପରି ଥିଲି ଦିନେ ନିଶାରେ ଅତଳ
ବହିଗଲା ମୋ ଛାତିରେ କବିତାର ଝର ।
ଭାଙ୍ଗିଦେଲା ନିଦ ମୋର ପରଲୋକବାସୀ
ଉଠି ପଡ଼ି କବିତାକୁ ଲେଖିନେଲି ବସି ।

ସନ୍ତୋଷରେ ଶୋଇଗଲି ଉଠିଲି ସକାଳେ
ଦେଖିଲି ସୁନ୍ଦର ଭାବେ କାଗଜ ଉପରେ
ନିଟୋଳ ଅକ୍ଷର ନେଇ ରହିଛି ସଜାଡ଼ି
ଦୀର୍ଘ ଏକ କବିତାର ଚଉବନ ଧାଡ଼ି ।

ଶତ ଚେଷ୍ଟା କରି କିନ୍ତୁ ହେଲି ଅସଫଳ
ପଢ଼ିବାକୁ, ହାୟ, ମୋର ନିଜ ହସ୍ତାକ୍ଷର ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Wednesday, May 30, 2018

ପ୍ରତିବାଦୀ ସଙ୍ଗୀତ - 'ଆମେ ବିଜୟୀ ହେବା'


ଆଫ୍ରିକୀୟ ଆମେରିକୀୟ ସଙ୍ଗୀତଜ୍ଞ ଓ ସାମାଜିକ କର୍ମୀ
କ୍ୟାପିଟୋଲା ଡିକର୍ସନ୍‌ (୧୯୧୩-୨୦୧୨) ଙ୍କର ସ୍ମୃତିସଭାରେ ବଣ୍ଟାଯାଇଥିବା ବୋତାମ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆମେ ବିଜୟୀ ହେବା
ଆମେ ବିଜୟୀ ହେବା
ଆମେ ବିଜୟୀ ହେବା
ସେ ଦିନ,
ମନେ ଅଛି ବିଶ୍ୱାସ,
ଦୃଢ଼ ବିଶ୍ୱାସ,
ଆମେ ବିଜୟୀ ହେବା ସେ ଦିନ ।୧।

ଆମେ ଶାନ୍ତି ଆଣିବା 
ଆମେ ଶାନ୍ତି ଆଣିବା 
ଆମେ ଶାନ୍ତି ଆଣିବା 
ସେ ଦିନ,
ମନେ ଅଛି ବିଶ୍ୱାସ,
ଦୃଢ଼ ବିଶ୍ୱାସ,
ଆମେ  ଶାନ୍ତି ଆଣିବା ସେ ଦିନ ।୨।

ଆମେ ଡରିବା ନାହିଁ
ଆମେ ଡରିବା ନାହିଁ
ଆମେ ଡରିବା ନାହିଁ
ସେ ଦିନ,
ମନେ ଅଛି ବିଶ୍ୱାସ,
ଦୃଢ଼ ବିଶ୍ୱାସ,
ଆମେ  ଡରିବା ନାହିଁ ସେ ଦିନ ।୩।

ଆମେ ମିଶି ଚାଲିବା
ଆମେ ମିଶି ଚାଲିବା
ଆମେ ମିଶି ଚାଲିବା
ସେ ଦିନ,
ମନେ ଅଛି ବିଶ୍ୱାସ,
ଦୃଢ଼ ବିଶ୍ୱାସ,
ଆମେ  ମିଶି ଚାଲିବା ସେ ଦିନ ।୪।

ବି. ଦ୍ର. - ଏହି ଗୀତଟି ଭାରତ ଜ୍ଞାନବିଜ୍ଞାନ ସମିତି, ଓଡ଼ିଶା, ଭୁବନେଶ୍ୱର ଛପାଇଥିବା ବହି 'ଆମ ଗୀତ ଆମ ମିତ' ବହିର ୨୦୧୫ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ  ଆନୀତ । ପୁସ୍ତକଟି ପ୍ରଥମେ ୨୦୦୮ ମସିହାରେ ଛପାଯାଇଥିଲା ।

Tuesday, May 29, 2018


ଗିଜୁଭାଇଙ୍କ ଶିକ୍ଷା ଦର୍ଶନ: ପୃଷ୍ଠଭୂମି, ଅନୁଭୂତି ଓ ଅବଦାନ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ନିଜର ଅନୁଭବ ତଥା ଶିକ୍ଷା ସମ୍ୱନ୍ଧୀୟ ବ୍ୟାପକ ଅଧ୍ୟୟନରୁ ଆସିଥିବା ଏବଂ ଶିକ୍ଷା କ୍ଷେତ୍ରରେ ସାଧାରଣ ଭାବରେ ଗ୍ରହଣଯୋଗ୍ୟ ହୋଇଥିବା ଗିଜୁଭାଇଙ୍କର ବିଚାରଧାରା ସଂକ୍ଷେପରେ ହେଉଛି:
କ) ପିଲାଙ୍କ ବ୍ୟକ୍ତିତ୍ୱକୁ ସମ୍ମାନ ଦେବା; 
ଖ) ଶିଖାଇବା ଅପେକ୍ଷା ପିଲା ନିଜେ ଶିଖିବା ଉପରେ ବେଶୀ ଜୋର ଦେବା;
ଗ) ପିଲାମାନେ ତାଙ୍କ କାର୍ଯ୍ୟ ମାଧ୍ୟମରେ ବିଭିନ୍ନ ଅନୁଭବ ହାସଲ କରନ୍ତି ଏବଂ ସେହି ଅନୁଭୂତିରୁ ସେମାନଙ୍କର ମନ ବୁଦ୍ଧି ଓ ଶରୀରର ବିକାଶ କରାଇବା;
ଘ) ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେବା ସହିତ ତାଙ୍କ ସୃଜନଶୀଳତାକୁ ମଧ୍ୟ ଉତ୍ସାହିତ କରିବା;
ଙ) ପିଲାଙ୍କ ପ୍ରତି ବ୍ୟବହାରରେ ଶିକ୍ଷକ ତଥା ଅଭିଭାବକଙ୍କର ଏକ ମନୋବୈଜ୍ଞାନକ ଦୃଷ୍ଟିକୋଣ ସୃଷ୍ଟି କରାଇବା; ତଥା,
ଚ) ପିଲାଙ୍କର ଆବଶ୍ୟକତା ଅନୁସାରେ ଶିକ୍ଷାପ୍ରଣାଳୀ ବାଛିବାରେ ପିଲାଙ୍କ ବିକାଶ ଦିଗରେ ପ୍ରାଥମିକ ସର୍ତ୍ତ ରଖିବା ।
ପିଲାଙ୍କ ପ୍ରତି ଗଭୀର ଶ୍ରଦ୍ଧା ହିଁ ଗିଜୁଭାଇଙ୍କର ଜୀବନ ଦର୍ଶନକୁ ରୂପ ଦେଇଥିଲା । ପିଲାଙ୍କ ଜୀବନକୁ ସରସ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଉପଯୁକ୍ତ ଶିକ୍ଷାର ଆବଶ୍ୟକତାକୁ ସେ ବୁଝୁଥିଲେ । ସେ ସମୟର ପରିସ୍ଥିତିକୁ ଚାହିଁ ଶିକ୍ଷା ବ୍ୟବସ୍ଥାକୁ ଉପଯୁକ୍ତ ରୂପ ଦେବା ପାଇଁ ସେ ଦେଶବିଦେଶର ଶିକ୍ଷା ବ୍ୟବସ୍ଥା ଏବଂ ବିଭିନ୍ନ ଶିକ୍ଷାବିତ୍‌ଙ୍କର ଚିନ୍ତାଧାରା ସହ ନିଜକୁ ପରିଚିତ କରାଇଥିଲେ । ବାସ୍ତବ ପ୍ରୟୋଗ ଜରିଆରେ କିଛି ବିଚାରଧାରାର ଉପଯୋଗିତା ମଧ୍ୟ ସେ ପରୀକ୍ଷା କରିଥିଲେ । ନିଜର ଗଭୀର ଅନୁଭୂତି ଏବଂ ବ୍ୟାପକ ଅଧ୍ୟୟନରୁ ତାଙ୍କର ଶିକ୍ଷା ଦର୍ଶନ ରୂପ ନେଇଥିଲା ।

(ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।) 

Monday, May 28, 2018

ଶିକ୍ଷାର ମହାର୍ଘତା: ଧନ୍ଦାମୂଳକ ଶିକ୍ଷା ଏଥିର ସମାଧାନ

ଗୋପବନ୍ଧୁ ଦାଶ


୧୯୨୨ ମସିହାରେ ଯୁକ୍ତରାଜ୍ୟ ଆମେରିକାରେ ସ୍ଥିତ ଏକ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଆମ୍ଭମାନଙ୍କ ଦେଶରେ ଶିକ୍ଷା କ୍ରମେ ଅତ୍ୟଧିକ ବ୍ୟୟସାଧ୍ୟ ହୋଇ ଯାଉଅଛି । ଏପରି କି ଦରିଦ୍ର ଛାତ୍ରମାନଙ୍କର ଶିକ୍ଷା ପାଇବା ଅସମ୍ଭବ ହୋଇ ପଡ଼ିଲାଣି । ଏ ବର୍ଷ କଟକ କଲେଜରେ ଛାତ୍ର ଦେୟ ବେତନର ପରିମାଣ ବଢ଼ିଅଛି । ଚାରି ଟଙ୍କା ଦେବାକୁ ଯେଉଁମାନଙ୍କର କଷ୍ଟ ହେଉଥିଲା, ସେମାନଙ୍କୁ ଶ୍ରେଣୀ ବିଶେଷରେ ପାଞ୍ଚ ଟଙ୍କାଛ' ଟଙ୍କା ଓ ସାତ ଟଙ୍କା ଦେବାକୁ ପଡ଼ୁଅଛି । ଏକା କଟକ କଲେଜରେ ନୁହେଁ । ଏ ପ୍ରଦେଶରେ ଅନ୍ୟାନ୍ୟ କଲେଜରେ ମଧ୍ୟ ଏହିପରି ବେତନ ବୃଦ୍ଧି କରାଯାଇ ଅଛି । ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ, ବିଶ୍ୱବିଦ୍ୟାଳୟ ଶିକ୍ଷାର ପ୍ରକୃତି ଓ ପ୍ରଣାଳୀ ଦିନକୁ ଦିନ ଉନ୍ନତ ହେଉଅଛି । ଅଧ୍ୟାପକ ସଙ୍ଖ୍ୟା ବଢ଼ୁଅଛି, ଶିକ୍ଷାର ଅନ୍ୟାନ୍ୟ ଉପକରଣ ଅଧିକ ପରିମାଣରେ ଆବଶ୍ୟକ ହେଉଅଛି, କିନ୍ତୁ ତାହା ବୋଲି ଦେଶର ଅଧିକାଂଶ... ଯୁବକମାନେ ଶିକ୍ଷାରୁ ବଞ୍ଚିତ ହେବା ଗଭୀର ଆକ୍ଷେପର ବିଷୟ । ତେଣେ ପୁଣି କଲିକତା ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାର୍ଥୀ ଛାତ୍ରମାନଙ୍କର ପରୀକ୍ଷା ଫିସ୍ ବଢ଼ାଇ ଦେଇଛନ୍ତି । ଅବଶ୍ୟ ସଙ୍ଗତିସମ୍ପନ୍ନ ଛାତ୍ର କେତେ ? ପ୍ରତ୍ୟେକ ପରୀକ୍ଷା ପୂର୍ବରୁ ଫିସ ସଙ୍ଗ୍ରହ କରିବା ଲାଗି କେତେ ଛାତ୍ର କିପରି ବ୍ୟସ୍ତ ବ୍ୟାକୁଳ ହୋଇ କେତେ ଲୋକଙ୍କ ଦ୍ୱାରସ୍ଥ ହୁଅନ୍ତି ଏହା କିଏ ନ ଦେଖିଛି ? କୌଣସି ପରୀକ୍ଷାରେ ପାଶ୍ କଲା ପରେ ଉପରିସ୍ଥ ବିଭାଗରେ ପ୍ରବେଶ କରିବା ନିମନ୍ତେ କେତେ ଛାତ୍ର କି ଉଦ୍‌ବେଗ ଏବଂ ଅଭାବର ତାଡ଼଼ନା ଭୋଗ ନ କରନ୍ତି । ଶିକ୍ଷା ବିଭାଗର ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତାମାନ କହି ପାରନ୍ତି, ଯେ ଚାରି ଟଙ୍କା ଦେଇପାରେ, ସେ ଛ' ଟଙ୍କା ଦେବାକୁ ତେତେ କଷ୍ଟ ବୋଧ କରିବ ନାହିଁ । ଯେ ପନ୍ଦର ଟଙ୍କା ଫିସ ଦେଇ ପାରେ, ସେ ଅନାୟାସରେ କୋଡ଼ିଏ ଟଙ୍କା ଦେଇ ପାରିବ । ଆତ୍ମବତ୍ ମନ୍ୟତେ ଜଗତ୍ । ଏ ଦେଶରେ ସାଧାରଣ ଗୃହସ୍ଥ କେତେ କଷ୍ଟରେ ଗୋଟିଏ ଟଙ୍କା ପାଏ, ଏହା ସେମାନଙ୍କୁ ଜଣା ନାହିଁ । ସେମାନଙ୍କ ନିଜ ପିଲାମାନେ ଯେପରି ବିଭବ ବିଳାସିତାରେ ଥା'ନ୍ତି, ସେମାନେ ମନେ କରନ୍ତି, ଅଧକାଂଶ ଛାତ୍ର ସେହିପରି ଅଛନ୍ତି । ଅଭାବ ହେତୁ ଅନେକ ଜଳଖିଆ ନ କରି ଭୋକ ମାରି ଦିଅନ୍ତି ଏବଂ ଏହି ପରି ଅବସ୍ଥାରେ ଅଧିକାଂଶ ଶିକ୍ଷାର ଅଧ ବାଟରୁ ଛତ୍ରଭଙ୍ଗ ଦେଇଥା'ନ୍ତି ଏହା କିଏ ନ ଜାଣେ ?

କେହିକେହି କହିବାର ଶୁଣାଯାଏ, ଯେଉଁମାନଙ୍କର ଅବସ୍ଥା ସେପରି ନୁହେଁ, ସେମାନେ ଉଚ୍ଚଶିକ୍ଷା ନ ପାଇବେ । ମାତ୍ର ଏ ଦେଶରେ ବିଶ୍ୱବିଦ୍ୟାଳୟ ଶିକ୍ଷା କେବଳ ଜ୍ଞାନ ନିମନ୍ତେ ନୁହେଁ ଏହା ଜୀବନୋପାୟର ପନ୍ଥା । ତେଣୁ ଅଧିକାଂଶ ଏଥିରେ ବ୍ୟସ୍ତ । ପୁଣି ଜ୍ଞାନ ପିପାସୁ କେହି ଜ୍ଞାନ ଲାଭରୁ ବଞ୍ଚିତ ହେବ ବା କାହିଁକି ? ଆମେମାନେ ବରାବର କହିଥାଉ, ମନୁଷ୍ୟ ଆଲୋକର ସନ୍ତାନ । ସେ ସବୁବେଳେ ଅଧିକ ଅଧିକ ଆଲୋକ ଲୋଡ଼ୁଅଛି ଏବଂ ତାହା ତା'ର ପାଇବା ଉଚିତ । ବାହ୍ୟ ଜଗତରେ ଚନ୍ଦ୍ର ସୂର୍ଯ୍ୟର ଆଲୋକ ବ୍ୟକ୍ତି ଏବଂ ଅବସ୍ଥା ନିର୍ବିଶେଷରେ ସମସ୍ତେ ଲାଭ କରୁ ଅଛନ୍ତି ଜଗତରେ ମହାପୁରୁଷମାନେ ଧର୍ମରାଜ୍ୟରେ ସେ ନୂତନ ଜ୍ୟୋତିର ସମ୍ପାତ କରୁ ଅଛନ୍ତି ରାଜା ପ୍ରଜା ଧନୀ ଦରିଦ୍ର ସମସ୍ତେ ତହିଁର ସମାନ ଅଧିକାରୀ । ବିଦ୍ୟାଳୟ ପଥରେ ତେବେ ଅବସ୍ଥା କେବଳ ଅନ୍ତରାୟ ହେବ କାହିଁକି ?

ଦରିଦ୍ର ପରିବାରରେ ଯେ ଅନେକ ପ୍ରତିଭାଶାଳୀ ସନ୍ତାନ ଜନ୍ମନ୍ତି, ଏହା କିଏ ଅସ୍ୱୀକାର କରିବ । ଫଳରେ ଯେଉଁମାନେ ପୃଥିବୀରେ ଅସାଧାରଣ କାର୍ଯ୍ୟ ସମ୍ପାଦନ କରିଛନ୍ତି ଏବଂ ଜ୍ଞାନର ପଥ ପରିସ୍କାର କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦରିଦ୍ର ସନ୍ତାନ । କାହାଠାରେ କେଉଁ କ୍ଷେତ୍ରରେ କି ଶକ୍ତି ଲୁଚି ରହିଛି ତାହା ପରୀକ୍ଷା ନ କଲେ ଜଣାଯିବ କିପରି ? ଶିକ୍ଷାର ମହାର୍ଘତା ହେତୁ ସାଧାରଣ ଅବସ୍ଥାରେ ଛାତ୍ର ତେତେ ପଢ଼ି ପାରିବେ ନାହିଁ । ଯେଉଁ ଧନୀ ଛାତ୍ରମାନେ ପଢ଼ିବେ, ସେମାନଙ୍କର ମଧ୍ୟରୁ ତେତେ ଅଧିକ ସଙ୍ଖ୍ୟକ ବିଚକ୍ଷଣ ଛାତ୍ର ବାହାରିବେ ନାହିଁ, ଫଳରେ ସମାଜରେ ପ୍ରକୃତ ଶକ୍ତିଶାଳୀ ବ୍ୟୁତ୍‌ପନ୍ନ ଶିକ୍ଷିତ ଲୋକଙ୍କ ସଙ୍ଖ୍ୟା କମିବ । ଏହା ହିଁ କି ଶିକ୍ଷା ବିସ୍ତାର ? ୟୁରୋପ ଆମେରିକା ପ୍ରଭୃତି ଦେଶରେ ଦରିଦ୍ର ଛାତ୍ରମାନଙ୍କର ଶିକ୍ଷା ନିମନ୍ତେ ଅନେକ ଉପାୟ ଅଛି । ଖରାଦିନ ଅନେକ ଛାତ୍ର କଳକାରଖାନାରେ ବା ଅନ୍ୟ କୌଣସିଠାରେ ମଜୁରୀ ଖଟି ଅର୍ଥ ସଙ୍ଗ୍ରହ କରନ୍ତି ଏବଂ ଶୀତ କାଳରେ ସେହି ସଙ୍ଗୃହିତ ଅର୍ଥବଳରେ ସ୍କୁଲ କଲେଜରେ ପଢ଼ିବାକୁ ସମର୍ଥ ହୁଅନ୍ତି । ସେପରି ସୁବିଧା ମିଳିଲେ ଏ ଦେଶରେ ଛାତ୍ରମାନେ ଆତ୍ମା ସାହାଯ୍ୟ କରିବାକୁ ବିମୁଖ ହେବେ ନାହିଁ । କୈଣସି କୌଣସି ଛାତ୍ର ଅନ୍ୟର ରୋଷେଇ କରିଦେଇ ପଢ଼ିଥା'ନ୍ତି । ଅନେକେ ତ ଅନ୍ୟ ଘରେ ପିଲାଙ୍କୁ ପଢ଼ାଇ ଅର୍ଥୋପାୟର ସଂସ୍ଥାନ କରିଥା'ନ୍ତି । ସେପରି ସୁବିଧା ଘଟିଲେ ଆପାଣାର ଶିକ୍ଷା ବ୍ୟୟ ଚଳାଇବା ଲାଗି ଶାରୀରିକ ପରିଶ୍ରମ କରିବାକୁ ଆମ୍ଭମାନଙ୍କ ଛାତ୍ରମାନେ ଯେ ପ୍ରସ୍ତୁତ ହେବେ, ଏଥିରେ ଲେଶ ସନ୍ଦେହ ନାହିଁ । ସ୍କୁଲ କଲେଜମାନଙ୍କ ସଙ୍ଗେ ସେଭଳି କାର୍ଯ୍ୟକ୍ଷେତ୍ର ଫିଟିଲେ ବିଶେଷ ଉପକାର ହୁଅନ୍ତା ।

ପରୀକ୍ଷାସ୍ୱରୂପ ଆମ୍ଭେମାନେ ସତ୍ୟବାଦୀ ବିଦ୍ୟାଳୟରେ ଏକ ବର୍ଷକାଳ କେତେକ ଦରିଦ୍ର ଛାତ୍ରଙ୍କ ନିମନ୍ତେ ଏପରି ବ୍ୟବସ୍ଥା କରିଥିଲୁ । ଦିନରେ କେତେକ ସମୟ ସେମାନେ ବିଲରେ ଓ ବଗିଚାରେ କେହି ବା ବଢ଼େଇଶାଳରେ କାମ କରନ୍ତି । ଅନ୍ୟ ସମୟରେ ପଢ଼ନ୍ତି । ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ରାତିରେ ପଢ଼ାଇବା ନିମନ୍ତେ ବ୍ୟବସ୍ଥା ହୋଇଥାଏ । ମାତ୍ର ଏହା ଆଶାନୁରୂପ କୃତକାର୍ଯ୍ୟ ହେଲା ନାହିଁ । ତହିଁରୁ ସେଥି ନିମନ୍ତେ ସାଧାରଣ କ୍ଲାସରେ ନିୟମିତ ଭିନ୍ନଭିନ୍ନ ବିଷୟରେ ଯେ ପାଞ୍ଚ ଘଣ୍ଟା ଶିକ୍ଷା ଦିଆଯାଏ ସେଥିରୁ ଛାତ୍ରମାନେ ବଞ୍ଚିତ ହେଲେ । ଦିନରେ ଶାରୀରିକ ପରିଶ୍ରମ କରି ରାତିରେ ଟିକିଏ ଅବସନ୍ନ ହୋଇ ପଡ଼ନ୍ତି । ପୁଣି ରାତିରେ ସେମାନଙ୍କ ପଢ଼ାଇବା ନିମନ୍ତେ ଅଧିକ ସଙ୍ଖ୍ୟକ ଶିକ୍ଷକ ବନ୍ଦୋବସ୍ତ କରିବା ଅଧିକ ବ୍ୟୟସାଧ୍ୟ । ଅବଶେଷରେ ଆମ୍ଭେମାନେ ଏହି ସିଦ୍ଧାନ୍ତ କଲୁ ଯେ, ବର୍ତ୍ତମାନ ଶିକ୍ଷା ପ୍ରଣାଳୀରେ ଏ ବ୍ୟବସ୍ଥା ନିମନ୍ତେ ଅବକାଶ ନାହିଁ । ଶିକ୍ଷାର ପଦ୍ଧତି ପାଠର ବିଷୟ ଅଧ୍ୟାପନାର ସମୟ ପରୀକ୍ଷା ପ୍ରକୃତି ପ୍ରଭୃତିରେ ପରିବର୍ତ୍ତନ ନ ହେଲେ, ଏ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ପାରିବ ନାହିଁ ।  ଯେ କୌଣସି ନୂତନ ବିଷୟରେ ପରୀକ୍ଷା ଅର୍ଥ ଏବଂ ସମୟର ଅପେକ୍ଷା କରେ । ବର୍ତ୍ତମାନର ଶିକ୍ଷା ବିଧାନରେ ଆବଦ୍ଧ ହୋଇ ନୂତନ ପରୀକ୍ଷା ଲାଗି ଆମ୍ଭମାନଙ୍କର ତେବେ ସ୍ୱାଧୀନତା ନାହିଁ । ପରୀକ୍ଷାର ଫଳାଫଳ ଦେଖିବାକୁ ଅପେକ୍ଷା କରିବା ଏବଂ ପ୍ରୟୋଜନୀୟ ଅର୍ଥ ବ୍ୟୟ କରିବା ନିମନ୍ତେ ମଧ୍ୟ ସୁବିଧା ଏବଂ ସାମର୍ଥ୍ୟ ନାହିଁ । ମାତ୍ର ଆମ୍ଭେମାନଙ୍କର ବିଶ୍ୱାସ ସରକାର ତରଫରୁ ପରୀକ୍ଷା ହେଲେ କୃତକାର୍ଯ୍ୟ ହେବ ।

ଏସବୁ ପ୍ରସ୍ତାବ ତ ଭବିଷ୍ୟତର କଥା । ମାତ୍ର କଟକ କଲେଜରେ ଉପସ୍ଥିତ ବେତନ ବୃଦ୍ଧି ଅନେକ ଛାତ୍ରଙ୍କୁ ଯେ ବାଧିଲା, ତହିଁର ପ୍ରତିକାର କଅଣ ? ଅନ୍ତତଃ ଏ ବର୍ଷ ଲାଗି କର୍ତ୍ତୃପକ୍ଷଙ୍କର ଏ ପ୍ରସ୍ତାବ ସ୍ଥଗିତ ରଖିବା ଉଚିତ ଥିଲା । ଆଜି କାଲି ଚାରିଆଡ଼େ ଦୁର୍ଭିକ୍ଷ । ଏହା ସବୁ ଶ୍ରେଣୀର ଲୋକଙ୍କୁ ଉଣା ଅଧିକେ ବାଧିଛି । ବେତନବୃଦ୍ଧି ଫଳରେ କଲେଜରେ ଛାତ୍ର ସଙ୍ଖ୍ୟା କମିବ, ସନ୍ଦେହ ନାହିଁ । ତେବେ ଯେତେ ଛାତ୍ର କମନ୍ତି, ପଢ଼ା ତେତେ ଭଲ ହେବ ଏବଂ ଦେଶର ତେତେ ମଙ୍ଗଳ, ଯେଉଁମାନଙ୍କର ଏଭଳି ମତ ଥିବ ସେମାନେ ଅବଶ୍ୟ ଏଥିରେ ସନ୍ତୁଷ୍ଟ ହେବେ ।

( ଏହି ଲେଖାଟି 'ସତ୍ୟବାଦୀ' ପତ୍ରିକାରେ ପ୍ରଥମେ ପ୍ରକାଶିତ ହୋଇଥିଲା ।)

Sunday, May 27, 2018

ପିଲାଙ୍କ ଉପଦେଶ ଗୀତି - 'ନ ଯା'ରେ ପଢ଼ି'


ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର


ତେଲଗୁ ବର୍ଣ୍ଣମାଳା (ୱିକିମିଡିଆ କମନ୍ସ୍)

ମାଳତୀ ନନ୍ଦନ ନନ୍ଦିନୀ ରାଇ
ବଚନ କହନ୍ତି ପାଶେ ବସାଇ ।୧।

ପ୍ରାଣଧନ ତୁମେ କୁଳକୁ ସାର
ବିଦ୍ୟା ପଢ଼ିବାକୁ ମୋ' ବୋଲ କର ।୨।


ମୋ' ବୋଲ କର ପ୍ରାଣ ସଙ୍ଗା
ଘେନ ସୁମନ ଚନ୍ଦନ ଅକ୍ଷତ ।୩।

ଯାଉ ଯାଉ ବଳା ଚାଟଶାଳୀ ଘର
ଶିରୟା ଦେବୀଙ୍କୁ ପୂଜାବିଧି କର ।୪।


ଓଡ଼ିଆ, ତେଲଗୁ, ନାଗରୀ ଜାଣ
ନ ପଢ଼ିଲେ କାହୁଁ କରିବ ଟାଣ ।୫।

ମୂର୍ଖ ହେଲେ ବଳା ତ୍ରୀଷାଣେ ପଶେ
ଲୁହା ଭାର ତା'ର କନ୍ଧରେ ବସେ ।୬।

ଗୋରୁ ଛେଳି ରଖି ବଞ୍ଚନ୍ତି ଦିନ
ପାଞ୍ଚଲୋକେ ବଳା କରନ୍ତି ହୀନ ।୭।

ପରର ପାଣ୍ଡୋଇ ବୁହନ୍ତି ଛତା
ରାଉତ ତୁଲେ ହୋନ୍ତି ଲମ୍ବ ହତା ।୮।

ଶନିବାର ଗଣ୍ଡା ଚଉଠି ବୋଡ଼ି
ମାସ ନ ପୂରୁଣୁ ତନ କଉଡ଼ି ।୯।

ଯେବଣ ମାଉସୀ ରଙ୍କୁଣୀ ବୁଢ଼ୀ
ପୁଅକୁ ବୋଲଇ ନ ଯା'ରେ ପଢ଼ି ।୧୦।

ବି.ଦ୍ର.  - ୧୯୫୯ ମସିହାରେ ପ୍ରଥମ ପ୍ରକାଶିତ ଚକ୍ରଧର ମହାପାତ୍ର କୃତ 'ଉତ୍କଳ ଗାଉଁଲି ଗୀତ' ବହିଟିର ୨୦୦୮ ମସିହାରେ କଟକ ସ୍ଥିତ ପ୍ରକାଶନ ସଂସ୍ଥା ବିଦ୍ୟା ପ୍ରକାଶନ ଛାପିଥିବା ପୁନଃପ୍ରକାଶିତ ସଂସ୍କରଣରୁ ଏହି ଗୀତଟି ଉଦ୍ଧୃତ ହୋଇଛି ।

Tuesday, May 22, 2018

ଗିଜୁଭାଇଙ୍କର ବ୍ୟକ୍ତିତ୍ୱର ଝଲକ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଗିଜୁଭାଇଙ୍କର ବ୍ୟକ୍ତିତ୍ୱ ଅନେକ ଲୋକଙ୍କୁ ପ୍ରେରଣା ଦେଇଛି । ସେ ଯାହା କରିବା ପାଇଁ ସ୍ଥିର କରନ୍ତି, ତାକୁ ସେ ଯେ କୌଣସି ପ୍ରକାରରେ ଶେଷ କରିବା ପାଇଁ ଲାଗି ପଡ଼ନ୍ତି। ନିରନ୍ତର ଏବଂ କଠିନ ପରିଶ୍ରମ ଦ୍ୱାରା ହିଁ ତାଙ୍କୁ ସବୁବେଳେ ସଫଳତା ମିଳୁଥିଲା । ଯେଉଁ କାମ ସେ ହାତକୁ ନେଉଥିଲେ, ତାହା ବିଷୟରେ ଗଭୀର ଭାବରେ ଚିନ୍ତା କରି ସେ ତାଙ୍କର ଯୋଜନା ତିଆରି କରୁଥିଲେ ।


ତାଙ୍କ ଦୃଷ୍ଟିକୋଣ ବିଜ୍ଞାନସମ୍ମତ ଥିଲା । ଅତ୍ୟନ୍ତ ସୂକ୍ଷ୍ମ ତଥା ବିବେକଯୁକ୍ତ ସମ୍ବେଦନଶୀଳତା ତାଙ୍କର ଉଲ୍ଲେଖନୀୟ ଗୁଣ ଥିଲା । ବାଲମନ୍ଦିରର ଅତି ସାଧାରଣ କାମରୁ ବି ସେ ଗୁରୁତ୍ୱପୂର୍ଣ୍ଣ ନିଷ୍କର୍ଷ କାଢ଼ି ପାରୁଥିଲେ । ତାଙ୍କ ମତରେ ପିଲା ସବୁବେଳେ ଚଞ୍ଚଳ ସ୍ୱଭାବର ହୁଏ ନାହିଁ । ସେ ଏକାଗ୍ରଚିତ୍ତ ହୋଇ ବି କାମ କରି ପାରେ । ତାହାର ଅନେକ ଉଦାହରଣ ବିଭିନ୍ନ ଲେଖାରେ ସେ ଦେଇ ଅଛନ୍ତି ।

ତାଙ୍କର ଆଉ ଗୋଟିଏ ବିଶେଷତା ଥିଲା ଯେ, ଯାହା ତ୍ୟାଗ କରିବା ଯୋଗ୍ୟ ତାହାକୁ ସେ ସାଙ୍ଗେ ସାଙ୍ଗେ ଛାଡ଼ି ଦେଉଥିଲେ ଏବଂ ଯାହା ଗ୍ରହଣୀୟ ତା'କୁ ସେ ସାଙ୍ଗେ ସାଙ୍ଗେ ନିଜ ଆଚରଣରେ ପ୍ରତିଫଳିତ କରୁଥିଲେ । ପିଲାଙ୍କର ଶିକ୍ଷା ଦିଗରେ କୌଣସି କାମକୁ ସେ କେବେ ବି ଛୋଟ ବା ବଡ଼ ଭାବୁ ନ ଥିଲେ । ଶ୍ରେଣୀଗୃହରେ ଛୋଟ ପିଲା ମଇଳା କରିଦେଲେ, ତାହାକୁ ସଫା କରିବାଠାରୁ ଆରମ୍ଭ କରି ବାଲଶିକ୍ଷକ ସମ୍ମିଳନୀର ଅଧ୍ୟକ୍ଷ ହେବା, ଏ ସବୁ କାମ ତାଙ୍କ ପାଇଁ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ଥିଲା । ପିଲାଙ୍କ ସହ କାମ କଲା ବେଳେ ଉପରେ ସେ ପିଲାଙ୍କ ଭଳି ବ୍ୟବହାର କରୁଥିଲେ, କିନ୍ତୁ ମନ ଭିତରେ ଗମ୍ଭୀର ଭାବରେ ବିଚାର କରୁଥିଲେ । ଏଭଳି ଦୁଇ ପ୍ରକାର ବ୍ୟବହାରରେ ସେ କେବେ ବି ସମନ୍ୱୟ ହରାଉ ନ ଥିଲେ ।

ପିଲାଙ୍କ ପ୍ରତି ତାଙ୍କ ହୃଦୟ ଅତି କୋମଳ ଥିଲା । ତାଙ୍କ ଭାଷାରେ, “ପିଲାଙ୍କ ସହ କାମ କରିବା ଯେତିକି ପ୍ରାଣଦାୟକ, ସେତିକି କଷ୍ଟକର ମଧ୍ୟ । ପିଲାଙ୍କ ସ୍ୱଭାବ ବିଷୟରେ ଜ୍ଞାନ, ସେମାନଙ୍କ ପ୍ରତି ଶ୍ରଦ୍ଧା ରଖିବା ସହିତ ସେମାନଙ୍କୁ ହୃଦୟର ସହ ସ୍ନେହ ଦେଲେ, ଅସମ୍ଭବ କାମ ବି ସମ୍ଭବ ହୋଇ ପାରିବ । ପିଲାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଯେ ଯାଏଁ ଆମ ମନରେ ଦୁଃଖ ନ ଦେଇଛି, ସେ ଯାଏଁ ଆମେ ବାଲଶିକ୍ଷଣ ପାଇଁ ଯୋଗ୍ୟ ହୋଇନାହେଁ । ସେ ଯାଏଁ ଆମେ ପିଲାର କିଛି ବି ଉନ୍ନତି କରି ପାରିବା ନାହିଁ ।”

ତାଙ୍କ ମନରେ ଧନୀ ଗରିବର ଭେଦଭାବ ନ ଥିଲା । ଅଲଗା ଅଲଗା ବାତାବରଣରୁ ଆସିଥିବା ପିଲାଙ୍କ ସହ ସେ ବେଶ୍ ସାବଧାନତାର ସହ ବ୍ୟବହାର କରୁଥିଲେ । ଧନୀ ପିଲାଙ୍କୁ ବହୁତ ବୁଝାଶୁଝା କରି ତାଙ୍କ ଅଭ୍ୟାସମାନ ଛଡ଼ାଇଥିଲେ । ସମସ୍ତଙ୍କ ପ୍ରତି ପୂର୍ଣ୍ଣ ସହାନୁଭୂତି ସହ ବ୍ୟବହାର କରିବା ସହିତ କାହା ଉପରେ ନିଜର ଭଲଗୁଣକୁ ଲଦି ନ ଦେବାର ଉଦାରତା ତାଙ୍କ ବ୍ୟକ୍ତିତ୍ୱର ବଡ଼ ବିଶେଷତା ଥିଲା । ଏ ସବୁ ଭିତରେ ନିଜ ବ୍ୟକ୍ତିତ୍ୱ ଉପରେ କୌଣସି ଆଞ୍ଚ ଆସିବାକୁ ସେ ଦେଉ ନ ଥିଲେ। ଏଭଳି ବିଶେଷତା ଗାନ୍ଧିଜୀଙ୍କ ବ୍ୟତୀତ ବହୁତ କମ୍ ଲୋକଙ୍କ ପାଖରେ ଦେଖାଯାଏ ।

ଗିଜୁଭାଇଙ୍କର ଅଧ୍ୟୟନ ଅତି ଗଭୀର ଓ ବ୍ୟାପକ ଥିଲା । ସେ କୌଣସି ଅପରିବର୍ତ୍ତନୀୟ ବିଚାର ବା ମତାବାଦ ଭିତରେ ନିଜକୁ ବାନ୍ଧି ରଖି ନ ଥିଲେ। ଉପଯୁକ୍ତ ବିଚାର ବିମର୍ଷ ପରେ ସେ ଖୋଲା ମନରେ ନୂଆ କଥା ସବୁ ଗ୍ରହଣ କରୁଥିଲେ । ଆଦର୍ଶ ପ୍ରତି ପ୍ରଗାଢ଼ ଅନୁରକ୍ତି, ଧନସମ୍ପତ୍ତି ପ୍ରତି ନିର୍ଲିପ୍ତତା, ସ୍ୱତନ୍ତ୍ର ବିଚାରଧାରା ସହିତ ଶିକ୍ଷାରେ ଲାଗି ରହିବା ଆଦି ତାଙ୍କର ବିଶିଷ୍ଟ ଗୁଣମାନ ଥିଲା ।

(ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।) 

Monday, May 21, 2018

ଅତୀତ ଅନେକ ପ୍ରକାରର

କାମିଲେଶ୍ୱର଼ୀ ପଟ୍ଟନାୟକ


କୋଟା ଜନଜାତିର ମହିଳାମାନେ (୧୮୭୦ ମସିହାର ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଆମେ ଅତୀତକୁ ବହୁବଚନରେ ବ୍ୟବହାର କରିବାର କାରଣ ଏଠାରେ ବିଭିନ୍ନ ଶ୍ରେଣୀର ଲୋକଙ୍କ ଅତୀତ ବିଷୟରେ ଆମେ ଆଲୋଚନା କରିବା । ବିଭିନ୍ନ ଶ୍ରେଣୀର ଲୋକଙ୍କ ଅତୀତ ବିଭିନ୍ନ ପ୍ରକାରର - ଉଦାହରଣ ସ୍ୱରୂପ ସଙ୍ଗ୍ରହକାରୀ ବା କୃଷକ ମାନଙ୍କର ଅତୀତ, ରାଜାରାଣୀମାନଙ୍କର ଅତୀତଠାରୁ ଭିନ୍ନ । ସେହିପରି ବ୍ୟବସାୟୀମାନଙ୍କ ଜୀବନୀ ମଧ୍ୟ ଶିଳ୍ପୀମାନଙ୍କ ଜୀବନୀ ଠାରୁ ଅଲଗା । ଏହିପରି ଆହୁରି ଅନେକ ଉଦାହରଣସବୁ ଅଛି ।
ସେ ସମୟରେ ଲୋକମାନେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପ୍ରଥା ଓ ଲୋକାଚାର ଅନୁସରଣ କରୁଥିଲେ । ଉଦାହରଣ ସ୍ୱରୂପ, ଆଜିକାଲି ଆଣ୍ଡାମାନ ଦ୍ୱୀପର ଲୋକେ ମୁଖ୍ୟତଃ ମାଛ ଧରି ଶିକାର କରି ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଙ୍ଗ୍ରହ କରି ଜୀବିକା ନିର୍ବାହ କରି ଥାଆନ୍ତି, କିନ୍ତୁ ସହରରେ ବସବାସ କରୁଥିବା ଲୋକଙ୍କ ସହ ତୁଳନା କଲେ, ସେମାନେ ନିଜ ଖାଦ୍ୟ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର ହୋଇ ଥାଆନ୍ତି । ଅତୀତରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଏହି ଭିନ୍ନତା ଥିଲା ।
ଏହା ଛଡ଼ା ଆଉ ଗୋଟିଏ ଭିନ୍ନତା ମଧ୍ୟ ଅଛି । ଆମେ ଜାଣୁ ଯେ ରାଜାମାନେ ସେମାନଙ୍କ ରାଜ୍ୟ ଜୟ ଓ ଯୁଦ୍ଧ ବିଜୟରେ ଗାଥାସବୁ ପାଣ୍ଡୁଲିପି କିମ୍ୱା ଶିଳାଲେଖ ସବୁରେ ଲିପିବଦ୍ଧ କରି ରଖି ଯାଇ ଅଛନ୍ତି । କିନ୍ତୁ, ସାଧାରଣ ବର୍ଗର ଲୋକମାନେ ହେଲେ ଶିକାରୀ ମତ୍ସଜୀବି, ଯାଯାବର, ସଙ୍ଗ୍ରହକାରୀ, କୃଷକ, ପଶୁପାଳକ ଇତ୍ୟାଦି । ସେମାନଙ୍କ ଅତୀତ ଜୀବନୀକୁ ସେମାନେ କେଉଁଠାରେ ମଧ୍ୟ ଲିପିବଦ୍ଧ କରି ପାରି ନାହାନ୍ତି । ବର୍ତ୍ତମାନ ପ୍ରତ୍ନତତ୍ତ୍ୱ ଦ୍ୱାରା ଆମେ ସାଧାରଣ ଲୋକଙ୍କ ଅତୀତ ବିଷୟରେ କିଛି କିଛି ଜାଣିବାକୁ ପାଉଛୁ । କିନ୍ତୁ, ଏମିତି ଆହୁରି ଅନେକ ବର୍ରଗ କଥା ଅଛି, ଯାହା ଆମେ ଆହୁରି ଜାଣି ପାରି ନାହୁଁ ।
ତାରିଖ ମାନେ କଣ ?
ଯଦି ତୁମକୁ ତାରିଖ ବିଷୟରେ ପଚରା ଯାଏ, ତେବେ ତୁମେ ଦିନ, ମାସ ଏବଂ ବର୍ଷ ବୋଲି କହିବ । ସାଧାରଣତଃ ବର୍ତ୍ତମାନ ସବୁ ବର୍ଷ ଯିଶୁଖ୍ରୀଷ୍ଟଙ୍କ (ଯେ କି ଖ୍ରୀଷ୍ଟ ଧର୍ମର ପ୍ରତିଷ୍ଠାତା) ଜନ୍ମ ପରଠାରୁ ଗଣା ଯାଉଛି । ୨୦୦୦ ବର୍ଷ, ମାନେ ଯିଶୁଖ୍ରୀଷ୍ଟଙ୍କ ଜନ୍ମର ୨୦୦୦ ବର୍ଷ ପରେ । ଯିଶୁଖ୍ରୀଷ୍ଟଙ୍କ ଜନ୍ମର ପୂର୍ବ ବର୍ଷ ସବୁ ପଛୁଆ ଗଣାଯାଇଥାଏ ଓ ବିସି (ଖ୍ରୀଷ୍ଟ ପୂର୍ବ) ଭାବରେ ଲେଖା ଯାଏ । ଏହି ପୁସ୍ତକରେ ବର୍ତ୍ତମାନ ଆମେ ୨୦୦୦ ବର୍ଷଟିକୁ ଆରମ୍ଭ ବିନ୍ଦୁ ବୋଲି ଭାବିବା ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଇତିହାସ ପାଠ୍ୟପୁସ୍ତକର ପ୍ରଥମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Friday, May 18, 2018

ପଲ୍ଲୀଶିକ୍ଷା ପ୍ରସଙ୍ଗ

ଗୋପବନ୍ଧୁ ଦାଶ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯାଜପୁର ଅନ୍ତର୍ଗତ କଲ୍ୟାଣପୁର ଯୁବକମାନଙ୍କ ଯତ୍ନରେ ପ୍ରାଇମେରି ସ୍କୁଲ ଉତ୍ତମ କାର୍ଯ୍ୟ କରୁଥିବାର ଇତି ପୂର୍ବେ ଜାଣିଥିଲୁ । ଶୁଣି ସୁଖୀ ହେଲୁ ଯେ, ବର୍ତ୍ତମାନ ସେ ଗ୍ରାମରେ ଟୋକା ବୁଢ଼ା ସମସ୍ତେ ଗ୍ରାମରେ ସକଳ ପ୍ରକାର ଶିକ୍ଷା ଉନ୍ନତି ନିମନ୍ତେ ଲାଗି ପଡ଼ିଛନ୍ତି । ଗାଁର ଦରିଦ୍ର ପିଲାମାନଙ୍କୁ ଉପରକୁ ପଢ଼ାଇବା ଲାଗି ଗୋଟିଏ ପାଣ୍ଠିର ଆୟୋଜନ ହୋଇଅଛି । ଗ୍ରାମର ଯେଉଁ ଶିକ୍ଷିତ ଯୁବକମାନେ ରୋଜଗାର କରୁଛନ୍ତି ସେମାନେ ମାସିକ କିଛି କିଛି ସାହାଯ୍ୟ ଦେବାକୁ ସ୍ୱୀକାର କରିଛନ୍ତି । ଏ ଗାଁରେ ପ୍ରାୟ ଶହେ ଘର ସରିକି ପରାଶର ଗୋତ୍ରି କରଣ ଅଛନ୍ତି  । ଏମାନେ ଗାଈ ପୁଅକୁ ବିକନ୍ତି ନାହିଁ କିମ୍ୱା ନିଜେ ବଳଦ କରି ହଳ କରନ୍ତି ନାହିଁ । ଯାହାକୁ ତାପ ସେହି ପରି ଦେଇ ଦିଅନ୍ତି, ନ ହେଲେ ଷଣ୍ଢ କରି ଛାଡ଼ି ଦିଅନ୍ତି । ମାତ୍ର ସମସ୍ତେ ସଭା କରି ଗାଈପୁଅମାନଙ୍କୁ ଏଣିକି ଗାଁ ଶିକ୍ଷା ପାଣ୍ଠିକି ଦେବାର ସ୍ଥିର କରିଛନ୍ତି । ଚାଷୀମାନେ ଏକର ମୁଣ୍ଡେ ଗଉଣୀଏ ଲେଖାଁଏ ଧାନ ଦେବେ ବୋଲି ମଧ୍ୟ କଥା ହୋଇଛି । ଏହା ଛଡ଼ା ବିବାହ ଆଦି ଶୁଭ କାର୍ଯ୍ୟରେ ସମସ୍ତେ କିଛି କିଛି ଦେବାର ପ୍ରସ୍ତାବ ଧାର୍ଯ୍ୟ ହୋଇଅଛି । ଗ୍ରାମରେ ଗୋଟିଏ ପୁସ୍ତକାଳୟର ଆରମ୍ଭ ହୋଇଅଛି । ଅୟମାରମ୍ଭ ଶୁଭାୟ ଭବତୁ। ଭଗବାନ ଗ୍ରାମବାସୀମାନଙ୍କର ଏ ଉତ୍ସାହ ସ୍ଥାୟି କରନ୍ତୁ ।

ସାଲୁର ଜୟପୁର ଏଜେନ୍‌ସିରେ ଗୋଟିଏ ପ୍ରସିଦ୍ଧ ରାଜୁଡ଼ା । ଏହା ଓଡ଼ିଆ ଅଞ୍ଚଳ । ମାତ୍ର ତେଲେଙ୍ଗାର ସମ୍ପୂର୍ଣ୍ଣ ପ୍ରଚାର । ସାଲୁର ବ୍ରାହ୍ମଣ ସାହିରେ ଏବେ ଗୋଟିଏ ଓଡ଼ିଆ ପ୍ରାଇମେରି ସ୍କୁଲ ବସିଅଛି । ଓଡିଶା ଲୋକେ ବିଚାର ପାରନ୍ତି ପ୍ରାଇମେରି ସ୍କୁଲଟାଏ ବସିବା ଏଡ଼େ ବଡ଼ କଥା କଅଣ ? ଯେଉଁଠାରେ ହିନ୍ଦିବଙ୍ଗଳା ବା ତେଲେଙ୍ଗା ଭାଷା ଏକ ପ୍ରକାର ଜବରଦସ୍ତି ଓଡିଆମାନଙ୍କୁ ଶିକ୍ଷା ଦିଆଯାଉଛି, ଏଠାରେ ଓଡିଆ ପାଠଶାଳା ବସାଇବା ଅତି ଗୁରୁତର କାର୍ଯ୍ୟ । ଯେଉଁମାନେ ଏପରି କାର୍ଯ୍ୟ ଆରମ୍ଭ କରନ୍ତି, ସେହିମାନେ ଏକା ଏଥିର କଷ୍ଟ ଅସୁବିଧା ଜାଣନ୍ତି । ସାଲୁର କ୍ଷୁଦ୍ର ଶିକ୍ଷା ଉଦ୍ୟମଟି ସଫଳ ହେଉ । ଉଦ୍‌ଯୋଗୀମାନଙ୍କୁ ଆମ୍ଭେମାନେ ପୂର୍ଣ୍ଣ ସହାନୁଭୂତି ଜଣାଉଅଛୁଁ ।

ଶୁଣାଯାଏ ଛାତ୍ରସଙ୍ଖ୍ୟା କମି ଯାଇ ଥିବାରୁ ଭୁବନେଶ୍ୱର ଟୋଲ ଉଠି ଯିବାର କଥା ଉଠିଅଛି । ଭୁବନେଶ୍ୱର ପୁରୀ ଜିଲ୍ଲୀରେ ଏକ ପ୍ରଧାନ ସ୍ଥାନ । ଏହା ଯେପରି ସ୍ୱାସ୍ଥ୍ୟକର ତୀର୍ଥସ୍ଥାନ, ଟୋଲ ଭଲ ହେଲେ ଦୂର ସ୍ଥାନରୁ ଅନେକ ଛାତ୍ର ଆସି ଏଠାରେ ପଢ଼ନ୍ତେ । କମିଟି ବାଧ୍ୟ୍ୟ କଲେ ବଡ଼ୁ ଏବଂ ସେବକ ବ୍ରାହ୍ମଣମାନଙ୍କ ପିଲାମାନେ ଅନ୍ତତଃ କେତେ ବର୍ଷ ଏଠାରେ ପଢ଼ନ୍ତେ । ନିକଟରେ ଅନେକଗୁଡ଼ିଏ ବଡ଼ବଡ଼ ବ୍ରାହ୍ମଣ ଗ୍ରାମ ଅଛି। ଉପଯୁକ୍ତ ଉଦ୍ୟମ ହେଲେ ଟୋଲରେ କଦାପି ଛାତ୍ରର ଅଭାବ ହେବ ନାହିଁ । ଭୁବନେଶ୍ୱର ପରି ସ୍ଥାନରେ ଗୋଟିଏ ଟୋଲ ରହିବା ନିତାନ୍ତ ଆବଶ୍ୟକ । ଆଶା କରୁଁ ସ୍ଥାନୀୟ ଶିକ୍ଷାନୁରାଗୀ ବ୍ୟକ୍ତିମାନଙ୍କର ଶୀଘ୍ର ଏଥି ପ୍ରତି ନଜର ପଡ଼ିବ ।

ଗଲା ୨୯ ତାରିଖରେ ବାଲୁଗାଁ ବାଳିକା ସ୍କୁଲର ପ୍ରାଇଜ ହୋଇଥିଲା । ବାଣପୁର ମାଇନର ସ୍କୁଲ ହେଡ଼ମାଷ୍ଟର ସଭାପତି ହୋଇଥିଲେ । ଏ ଗାଁରେ ଏହା ଗୋଟିଏ ନୂତନ କାର୍ଯ୍ୟ, ବୈଷ୍ଣବ ଚରଣ ପଟ୍ଟନାୟକ ପ୍ରଭୃତିଙ୍କ ଯତ୍ନରେ ସୁଚାରୁରୂପେ ନିର୍ବାହିତ ହୋଇଥିଲା । ଆମ୍ଭମାନଙ୍କ ପଲ୍ଲୀରେ ବାଳିକା ବିଦ୍ୟାଳୟ ସଙ୍ଖ୍ୟା ଅଦ୍ୟାପି ଅତି କମ୍ । ବାଳିକାମାନେ ପାଠ ନ ପଢ଼ିଲେ ଦେଶରେ କଦାପି ଶିକ୍ଷାର ଉନ୍ନତି ହେବ ନାହିଁ । ସରକାର ମଧ୍ୟ ବାଳିକାମାନଙ୍କ ଶିକ୍ଷା ନିମନ୍ତେ ସାହାଯ୍ୟ ଦେବାକୁ ପ୍ରସ୍ତୁତ । ଯେଉଁମାନେ ପଲ୍ଲୀଗ୍ରାମରେ ବାଳିକା ବିଦ୍ୟାଳୟ ବସାଇବାର ଯତ୍ନ କରୁଛନ୍ତି ସେମାନେ ଯଥାର୍ଥରେ ସମସ୍ତଙ୍କର ପ୍ରଶଂସାର ପାତ୍ର ।

(ସମାଜ ପ୍ରଥମ ଭାଗ, ୧୦ମ ସଙ୍ଖ୍ୟା ୧୯୧୯,  ତା ୬-୧୨-୧୯୧୯)

Wednesday, May 16, 2018

ପିଲାଙ୍କ ପାଇଁ କବିତା - 'ସବ୍‌ଜାନ୍‌ତା'

କବି - ଜଗନ୍ନାଥ ପ୍ରସାଦ ଦାସ


'ଶ୍ରୀମତି କଡ଼‌୍‌ଲେଙ୍କର ବତ୍କୃତା'
ଲେଖକ - ଡଗଲାସ୍ ଜେରାଲ୍‌ଡ଼୍
ଚିତ୍ରକର - ରିଚାର୍ଡ଼ ଡୟଲ୍ (୧୮୨୪-୧୮୮୩)

ଏକା ଥରେ କରି ପାରେ
ମ୍ୟାଉଁ ମ୍ୟାଉଁ ମେଁ ମେଁ ଭୋ ଭୋ
କା' କା' ହୁଁ ହାଁ ହୁକେ ହୋ ।

ଭୁକେ ରଡ଼େ କୁହାଟେ ଓ ବୋବାଏ
ଗରଜେ ଘୁମୁରେ ରାଗେ ଚୋବାଏ ।

ଏଭଳି ଗୋଟିଏ ଜୀବ କେଉଁ ଜନ୍ତୁ ବା ଜୁନ୍ତା
ସହରର ସଭାଘରେ ବତ୍କୃତା ଦେଉଥିବା
ସିଏ ସବ୍‌ଜାନ୍‌ତା ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Monday, May 14, 2018

ଗିଜୁଭାଇ ବଧେକା: ଶିକ୍ଷାରେ ପ୍ରବେଶ ତଥା ବାଲମନ୍ଦିର ଆରମ୍ଭ


ସମ୍ପାଦନା - ନିଖିଳ ମୋହନ ପଟ୍ଟନାୟକ


ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ (୧୯୧୩ କିମ୍ବା ୧୯୩୪ ମସିହାର ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଶିକ୍ଷାରେ ପ୍ରବେଶ

କିନ୍ତୁ ଧୀରେ ଧୀରେ ଓକିଲାତି କାମ ତାଙ୍କୁ [ଗିଜୁଭାଇଙ୍କୁ] ଆଉ ଭଲ ଲାଗିଲା ନାହିଁ । ଓକିଲାତି ବ୍ୟବସାୟରେ ମିଛ କହିବା ପାଇଁ ଆସୁଥିବା ଚାପ ତାଙ୍କର ପସନ୍ଦ ନ ଥିଲା । ସେ ଶିକ୍ଷା କ୍ଷେତ୍ରରେ କାମ କରିବାକୁ ଆଗ୍ରହୀ ହେଲେ । ତାଙ୍କ ମାମୁଙ୍କଠାରୁ ଚିଠି ନେଇ ଦକ୍ଷିଣାମୂର୍ତ୍ତୀଠାରେ ଏକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କଲେ । ସେଠାରେ ତାଙ୍କର ଆଗ୍ରହ ଓ ଶିକ୍ଷା ପଦ୍ଧତି ସମସ୍ତଙ୍କୁ ମୁଗ୍ଧ କରିଥିଲା । ୧୯୧୦ରୁ ୧୯୨୦ ଯାଏଁ ଦେଶରେ ଏକ ଅଲଗା ପ୍ରକାରର ସମୟ ଥିଲା । ବିନୋବା, ଦତ୍ତାତ୍ରେୟ କାଲେଲକର, କୃପାଳିନୀ, ରାଜେନ୍ଦ୍ର ପ୍ରସାଦ, ଠକ୍କରବାପା, ଗୋଖଲେ ଆଦି ନିଜ ନିଜର ଚିନ୍ତାଧାରା ଅନୁସାରେ କାମ ଆରମ୍ଭ କରିସାରିଥିଲେ । ଗିଜୁଭାଇ ବି ଏହି ଜାତୀୟ ଆନ୍ଦୋଳନରେ ଭାଗିଦାର ହେବା ପାଇଁ ବାହାରିଲେ ।

ବାଲମନ୍ଦିର ଆରମ୍ଭ

ଦକ୍ଷିଣାମୂର୍ତ୍ତୀ ବିନୟ ମନ୍ଦିର (ହାଇସ୍କୁଲ)ର ଆଚାର୍ଯ୍ୟ ଭାବରେ ସେ ଚାରି ବର୍ଷ କଟାଇଲେ । ସେହି ଚାରି ବର୍ଷ ଭିତରେ ସେ ଜଣେ ଶିକ୍ଷକ ଓ ସଙ୍ଗଠକ ଭାବରେ ସେହି ଅନୁଷ୍ଠାନର ଏକ ଟାଣୁଆ ମୂଳଦୁଆ ପକାଇ ପାରିଲେ ଓ ତାହାର ଭବିଷ୍ୟତ ବିକାଶ ପାଇଁ ବାଟ ଖୋଲିଦେଲେ । ଏହା ଭିତରେ ଗିଜୁଭାଇ ଅନୁଭବ କଲେ ଯେ ପିଲାମାନଙ୍କର ଚରିତ୍ର ଗଠନ ପାଇଁ ସେମାନଙ୍କୁ ଭଲ ସଂସ୍କାର ଦେବାକୁ ହେବ । ସେଥି ପାଇଁ ବଡ଼ ପିଲା ନୁହେଁ, ବରଂ ଖୁବ ଛୋଟ ପିଲାଙ୍କଠାରୁ ଶିକ୍ଷାଦାନ ଆରମ୍ଭ କରିବାକୁ ହେବ । ସମସ୍ତଙ୍କ ସ୍ୱୀକୃତି ନେଇ ୧୯୨୦ ମସିହାରେ ସେ ଛୋଟ ପିଲାଙ୍କ ପାଇଁ ବାଲମନ୍ଦିର ବିଦ୍ୟାଳୟ ଆରମ୍ଭ କଲେ ।

ବାଲମନ୍ଦିରର ପ୍ରତିଟି କାମ ତାଙ୍କୁ ମୂଳରୁ ଆରମ୍ଭ କରିବାକୁ ହୋଇଥିଲା । ସେ ନିଜର କ୍ଷମତା, ଶକ୍ତି ଏବଂ ସୀମା ବିଷୟରେ ସଚେତନ ଥିଲେ । ମଣ୍ଟେସୋରୀ ପଦ୍ଧତି ସ୍ଥାନୀୟ ପରିବେଶରେ କେତେ ଦୂର ଫଳପ୍ରଦ ହେବ ସେ ଦିଗରେ ସେ ପରୀକ୍ଷା ଆରମ୍ଭ କରିଥିଲେ । ସେ ସମୟରେ ସମାଜ ବି ଏଭଳି ନୂଆ ଚିନ୍ତାଧାରା ପ୍ରତି ଅନୁକୂଳ ନ ଥିଲା । କିନ୍ତୁ ଗିଜୁଭାଇ ଶିକ୍ଷା ପାଇଁ ନୂଆ ବାଟ ସବୁ ଖୋଜିବାରେ କାମ ଜାରି ରଖିଲେ ।

ସେବେଠାରୁ ତାଙ୍କର ସବୁ ସମୟ କେବଳ ପିଲାଙ୍କ ଚିନ୍ତାରେ ହିଁ କଟି ଯାଉଥିଲା । ଗୋଟି ଗୋଟି କରି ପ୍ରତ୍ୟେକ ପିଲାଙ୍କ କଥା ଭାବି, ପ୍ରତ୍ୟେକଙ୍କ ପାଇଁ ଅଲଗା କାର୍ଯ୍ୟପ୍ରଣାଳୀ ସେ ସ୍ଥିର କରୁଥିଲେ । ପିଲାଙ୍କ ସହିତ ନିଜକୁ ସେ ସମ୍ପର୍ଣ୍ଣ ରୂପରେ ମିଶେଇ ଦେଇଥିଲେ । ନିଜ କଥା ଭାବିବାକୁ ବି ସେ ସମୟ ପାଉ ନ ଥିଲେ। କେବେ କେହି ଛୋଟ ପିଲା ଆସି ତାଙ୍କୁ କହୁଥିଲେ ଯେ, ଘରେ ମା' ତାକୁ ମାଡ଼ ଦେଇଛି । ଗିଜୁଭାଇ ସେ ମା' ପାଖକୁ ଧାଡିଏ ଚିଠି “ଆଉ ଏକୁ ମାରିବ ନାହିଁ” ଲେଖି, ପିଲା ହାତରେ ପଠାଇ ଦେଉଥିଲେ । ଲାଜରୁ ଓ ଗିଜୁଭାଇଙ୍କ ପ୍ରତି ଶ୍ରଦ୍ଧାରୁ ମାଡ଼ ବନ୍ଦ ହେଉଥିଲା ।

ଗିଜୁଭାଇଙ୍କ ମତରେ ପିଲାମାନେ ସ୍ନେହ କରି ମତେ ନୂଆ ଜୀବନ ଦେଇଛନ୍ତି । ସେମାନଙ୍କୁ ଶିଖାଇବା ବେଳେ ପ୍ରକୃତରେ ମୁଁ ହିଁ ବେଶି ଶିଖୁଛି । ସେମାନେ ତଳୁ ଉପରକୁ ଉଠିବା ବେଳେ ମୁଁ ବି ଉପରକୁ ଉଠୁଛି । ସେମାନଙ୍କ ଗୁରୁ ହେବା ଭିତରେ ସେମାନଙ୍କର ଗୁରୁପଣିଆ ଦେଖୁଛି ।

ଗିଜୁଭାଇଙ୍କ ବାଲମନ୍ଦିର ସମସ୍ତଙ୍କ ପାଇଁ ଏକ ଆଦର୍ଶ ଉଦାହରଣ ଥିଲା । ସେହି ଢାଞ୍ଚାରେ ବିଭିନ୍ନ ସ୍ଥାନରେ ବାଲମନ୍ଦିରମାନ ଖୋଲାଗଲା । ଫଳରେ ଅଧିକରୁ ଅଧିକ ପିଲା ଉପକୃତ ହୋଇପାରିଲେ । ମଣ୍ଟେସୋରୀ ସଙ୍ଘ ଗଢ଼ାଗଲା ଏବଂ ଦକ୍ଷିଣାମୂର୍ତ୍ତି ଓ ଶିକ୍ଷଣ ପତ୍ରିକା ନାଁରେ ଦୁଇଟି ପତ୍ରିକା ପ୍ରକାଶ କରାଗଲା । ଏହି ସମୟରେ ଗିଜୁଭାଇ ତାଙ୍କର ଲେଖାଲେଖି କାମ ମଧ୍ୟ ଜୋରରେ ଚଳାଇଲେ । ଶିଶୁ ସାହିତ୍ୟ, ଶିକ୍ଷା ବିଚାର, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ଲେଖା କାମ ଚାଲିଲା । ମଣ୍ଟେସୋରୀ ସଙ୍ଘର କାର୍ଯ୍ୟକ୍ରମ ବଢ଼ିଲା ଏବଂ କେତେ ସମ୍ମିଳନୀ ଆୟୋଜନ କରାଗଲା । ମଣ୍ଟେସୋରୀ ପଦ୍ଧତିର ଉପକରଣ ଆମ ଦେଶରେ ତିଆରି କରିବା ପାଇଁ ମଧ୍ୟ ସେ ଲାଗି ପଡିଥିଲେ । ଏ ସବୁ ଫଳରେ ଗିଜୁଭାଇଙ୍କର ଦାୟିତ୍ୱ ଓ କାମର ପରିସର ବଢ଼ିବାକୁ ଲାଗିଲା ।

୧୯୩୦ ମସିହାରେ ସ୍ୱାଧୀନତା ଆନ୍ଦୋଳନ ଆସିଲା । ଗିଜୁଭାଇଙ୍କ ଶିକ୍ଷକ ଆତ୍ମା ଚିନ୍ତା କରିବାକୁ ଲାଗିଲା ଯେ, ଏଭଳି ପରିସ୍ଥିତିରେ ସେ କ'ଣ କରିପାରିବେ । ସ୍ୱାଧୀନତା ପାଇବାରେ ଏବଂ ତାକୁ ଧରି ରଖିବାରେ ସାକ୍ଷରତାର ଗୁରୁତ୍ୱ ସେ ବୁଝୁଥିଲେ । ତେଣୁ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ସେ ଯୋଜନା କଲେ ।

କାମରେ ମାତି ରହି ନିଜ ସ୍ୱାସ୍ଥ୍ୟ ପ୍ରତି ସେ ବିଶେଷ ଧ୍ୟାନ ଦେଉ ନ ଥିଲେ । ଫଳରେ ଧୀରେ ଧୀରେ ତାଙ୍କର ଦେହ ଖରାପ ହେବାକୁ ଲାଗିଲା । ଜଳବାୟୁର ପରିବର୍ତ୍ତନ ପାଇଁ ତାଙ୍କୁ ଅନ୍ୟ ଜାଗାକୁ ନିଆଗଲା । କିନ୍ତୁ ଗିଜୁଭାଇଙ୍କର ଅସୁସ୍ଥତା ବଢ଼ିବାରେ ଲାଗିଲା । ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଦେଖିବାକୁ ଆସିଲେ । ଗାନ୍ଧିଜୀ ତାଙ୍କ କଥା ପଚାରି ଶ୍ରଦ୍ଧାରେ ଲୁହ ଗଡ଼ାଇଥିଲେ । କିଛି ଦିନର ଅସୁସ୍ଥତା ପରେ ୧୯୩୯ ମସିହା ଜୁନ ୨୩ ତାରିଖ ଦିନ ବମ୍ୱେଠାରେ ତାଙ୍କର ଜୀବନଦୀପ ଲିଭିଗଲା । ତାଙ୍କ ଶିକ୍ଷା ପଦ୍ଧତି, ପିଲାଙ୍କ ପାଇଁ କରିଥିବା କାର୍ଯ୍ୟ, ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିଗଲା ।

କର୍ମଯୋଗୀ ଗିଜୁଭାଇ ତାଙ୍କ ଜୀବନ ସାରା କେବଳ କର୍ମ ହିଁ କରିଛନ୍ତି । ଖାଇବା ଓ ଶୋଇବା ଭୁଲି, ସେ କେବଳ କାମରେ ଲାଗି ରହୁଥିଲେ । ସେ କହୁଥିଲେ, “ଶହେ ବର୍ଷ ବଞ୍ଚିବାର ଆଶା ରଖି ଦଶ ବର୍ଷର ବି କାମ ନ କରିବା ଅପେକ୍ଷା ପଚାଶ ବର୍ଷ ବଞ୍ଚିବାକୁ ଆଶା ରଖି ଶହେ ବର୍ଷର କାମ କରି ପାରିବା ବେଶୀ ଭଲ।

(ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।) 

Saturday, May 12, 2018

ଭାରତର ନାମକରଣ ଓ ଅତୀତକୁ ଜାଣିବାର ମାଧ୍ୟମ

ଅନୁବାଦ - କାମିଲେଶ୍ୱରୀ ପଟ୍ଟନାୟକ


ସିନ୍ଧୁ ସଭ୍ୟତାର ଲୋଥାଲର ପ୍ରତ୍ନତାତ୍ତ୍ୱିକ ସ୍ଥଳୀ (ୱିକିମିଡିଆ କମନ୍ସ୍)

ସାଧାରଣତଃ ଏହି ଅଞ୍ଚଳର ଦୁଇଟି ନାମ ଅଛି । ସେଗୁଡିକ ହେଲା ‘ଇଣ୍ଡିଆ’ ଓ ‘ଭାରତ’ । ‘ଇଣ୍ଡିଆ’ ଶଦ୍ଦଟି ଇଣ୍ଡସ୍ ନଦୀ ଯାହାକୁ କି ସଂସ୍କୃତରେ ସିନ୍ଧୁ ନଦୀ କୁହାଯାଏ, ସେହୀ ନାମରୁ ଅପଭ୍ରଂଶ ହୋଇ ଆସିଛି । ଅଢ଼େଇ ହଜାର ବର୍ଷ ପୂର୍ବେ ଗ୍ରୀକ୍ ଓ ଇରାନୀ ଲୋକମାନେ ଏହି ଅଞ୍ଚଳକୁ ଉତ୍ତର-ପଶ୍ଚିମରୁ ଆସୁଥିଲେ । ସେମାନେ ଇଣ୍ଡସ୍ ବା ସିନ୍ଧୁ ନଦୀ ସହିତ ଭଲ ଭାବରେ ପରିଚିତ ଥିଲେ ଓ ସିନ୍ଧୁ ନଦୀକୁ ‘ହିନ୍‌ଣ୍ଡୋସ୍’ ବା ‘ଇଣ୍ଡୋସ୍’ କହୁଥିଲେ । ତେଣୁ ଇଣ୍ଡସ୍ ନଦୀର ପୂର୍ବରେ ଥିବା ପ୍ରାନ୍ତକୁ ସେମାନେ ‘ଇଣ୍ଡିଆ’ ବୋଲି କହିବା ଆରମ୍ଭ କରିଥିଲେ ।

୩୫୦୦ ବର୍ଷ ପୂର୍ବର ଋଗ୍‌ବେଦ ଅନୁସାରେ ଏହି ଅଞ୍ଚଳରେ ଉତ୍ତର-ପଶ୍ଚିମରେ ବାସ କରୁଥିବା ଗୋଟିଏ ଶ୍ରେଣୀର ଲୋକଙ୍କୁ ଭାରତ କୁହାଯାଉଥିଲା, ପରେ ଏହା ଆମ ଦେଶର ନାମ ଭାବରେ ନାମିତ ହେଲା ।

ଅତୀତକୁ ଜାଣିବା ପାଇଁ ମାଧ୍ୟମ

ଅତୀତରେ ଇତିହାସକୁ ଜାଣିବା ପାଇଁ ବର୍ତ୍ତମାନ ଆମ ପାଖରେ ଅନେକ ମାଧ୍ୟମ ଅଛି । ସେଥିରୁ ଗୋଟିଏ ହେଲା ବହୁ ପୂରାତନ କାଳରେ ଲେଖାଯାଇଥିବା ପୁସ୍ତକ ବା ବହି । ପ୍ରଥମେ ଲେଖାଯାଇଥିବା ବହିସବୁକୁ ପାଣ୍ଡୁଲିପି କୁହାଯାଏ କାରଣ ସେ ସବୁ ହାତରେ ଲେଖା ଯାଉଥିଲା । ସାଧାରଣତଃ ପାଣ୍ଡୁଲିପି ଗୁଡିକ ତାଳପତ୍ରରେ କିମ୍ୱା ହିମାଳୟରେ ମିଳୁଥିବା ଭୁର୍ଜ ବୃକ୍ଷର ବକ୍କଳରେ ଲେଖା ଯାଉଥିଲା । ହଜାର ହଜାର ବର୍ଷ ପୁରାତନ ଅନେକ ପାଣ୍ଡୁଲିପି ସବୁ କୀଟ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ନଷ୍ଟ ହୋଇଯାଇଥିଲେ ମଧ୍ୟ କିଛିଟା ପାଣ୍ଡିଲିପିକୁ ପୁରରୁଦ୍ଧାର କରାଯାଇ ପାରିଛି ଓ ସେ ସବୁକୁ ମନ୍ଦିର, ମଠ ଓ ସଙ୍ଗ୍ରହାଳୟ ମାନଙ୍କରେ ସଙ୍ଗୃହିତ କରି ରଖାଯାଇଛି । ସେହି ସବୁ ପାଣ୍ଡୁଲିପିଗୁଡିକରୁ ସେହି ସମୟରେ ଲୋକଙ୍କ ଧାର୍ମିକ ବିଶ୍ୱାସ, ଚାଲିଚଳନ ଓ ସେ ସମୟର ରାଜା ଓ ସେମାନଙ୍କ ରାଜତ୍ୱ, ସାମାଜିକ ଅବସ୍ଥା, ବିଜ୍ଞାନ, ଔଷଧ ଇତ୍ୟାଦି ବିଷୟରେ ଅନେକ ତଥ୍ୟ ସବୁ ମିଳିପାରୁଛି । ଏହା ଛଡ଼ା ଅନେକ ମହାଗ୍ରନ୍ଥ, କବିତା, ନାଟକ ଇତ୍ୟାଦିର ମଧ୍ୟ ପାଣ୍ଡୁଲିପି ସବୁ ମିଳିଛି । କିଛି ପାଣ୍ଡୁଲିପି ସଂସ୍କୃତରେ ଏବଂ କିଛି ସେ ସମୟରେ ସାଧାରଣ ଲୋକେ ବ୍ୟବହାର କରୁଥିବା ପ୍ରାକୃତ ଭାଷାରେ ଏବଂ କିଛି ତାମିଲଳ ଭାଷାରେ ମିଳିଛି ।

ଦ୍ୱିତୀୟରେ ଆମେ ପୂରାତନ ଶିଳାଲେଖମାନଙ୍କରୁ ମଧ୍ୟ ସେ ଯୁଗ ବିଷୟରେ ଆମେ ଅନେକ ବିଷୟରେ ଜାଣିବାକୁ ପାଉଛୁ । ଶିଳାଲିପି ବା ଶିଳାଲେଖ ଗୁଡିକ ପାଣ୍ଡୁଲିପିଠାରୁ କଠିନ ପୃଷ୍ଠରେ ଲେଖାଯାଇଛି । ସେହି କଠିନ ପୃଷ୍ଠ ଗୁଡିକ ହେଲା ପଥର ଏବଂ ଧାତୁ ।

ସେ ସମୟରେ ଶାସକମାନେ ତାଙ୍କ ଆଦେଶ ବା ନିୟମ ସବୁ ଶିଳାଲେଖ ଆକାରରେ ଏପରି ସ୍ଥାନରେ ଖୋଦେଇ କରୁଥିଲେ, ଯାହା କି ସମସ୍ତଙ୍କ ନଜରରେ ପଡ଼ି ପାରିବ ଓ ସମସ୍ତେ ତାହାକୁ ମାନି ଚଳିବେ ମଧ୍ୟ । ଆହୁରି ଏପରି ଶିଳାଲେଖ ମଧ୍ୟ ମିଳିଛି, ଯେଉଁଥିରେ ସେ ସମୟରେ ରାଜା ବା ରାଣୀଙ୍କ ଦ୍ୱାରା ଘଟିଥିବା ଅନେକ ଘଟଣା ଖୋଦେଇ ହୋଇଛି । ଉଦାହରଣ ସ୍ୱରୂପ ଅନେକ ଯୁଦ୍ଧର ବିବରଣୀ ।

ତୁମେ ଚିନ୍ତା କରିପାରିବ କି, କଠିନ ପୃଷ୍ଠରେ ଖୋଦେଇ କରି ଲେଖିବାରେ କେତେ ସୁବିଧା ଓ କେତେ ଅସୁବିଧା । ଆହୁରି ଅନେକ ପ୍ରକାରର ଜିନିଷ ସବୁ ମଧ୍ୟ ଆବିଷ୍କାର ହୋଇଛି, ଯାହା ସେହି ସମୟରେ ତିଆରି ହୋଇ ବ୍ୟବହାର ହେଉଥିଲା । ଯେଉଁମାନେ ଏହି ସବୁ ଆବିଷ୍କାର କରି ତାହା ବିଷୟରେ ଅନୁଧ୍ୟାନ ସହ ଅଧ୍ୟୟନ କରିଥାଆନ୍ତି, ସେମାନଙ୍କୁ ପ୍ରତ୍ନତତ୍ତ୍ୱବିତ୍ କୁହାଯାଏ । ସେମାନେ ଇଟା ଓ ପଥରର ପୁରୁଣା ଭଗ୍ନାବଶେଷ, ଚିତ୍ରପଟ, ମୂର୍ତ୍ତି ଇତ୍ୟାଦିର ଅନୁଶୀଳନ କରିବା ସଙ୍ଗେ ସଙ୍ଗେ, ସେ ସମୟରେ ବ୍ୟବହୃତ ହେଉଥିବା ଅନେକ ଯନ୍ତ୍ରପାତି, ଅସ୍ତ୍ରଶସ୍ତ୍ର, ଅଳଙ୍କାର, ହାଣ୍ଡି, ପାତ୍ର ଓ ମୁଦ୍ରା ସବୁକୁ ମଧ୍ୟ ଆବିଷ୍କାର କରିଛନ୍ତି । ପ୍ରତ୍ନତତ୍ତ୍ୱବିଦ୍‌ଙ୍କ ଦ୍ୱାରା ମାଟିରୁ ଖନନ ଦ୍ୱାରା ବାହାରିଥିବା ଜିନିଷ ସବୁ ହାଡ଼, ପଥର, ପୋଡ଼ାମାଟି ଏବଂ ବିଭିନ୍ନ ପ୍ରକାର ଧାତୁରେ ତିଆରି ଓ ବର୍ତ୍ତମାନ ପର୍ଯ୍ୟନ୍ତ ନଷ୍ଟ ନ ହୋଇ ରହିଛି ।

ପ୍ରତ୍ନତତ୍ତ୍ୱବିତ୍

ସେହି ସମୟର ଲୋକେ କ'ଣ ଖାଉଥିଲେ, କ'ଣ ପିନ୍ଧୁଥିଲେ ଇତ୍ୟାଦି ଜାଣିବା ପାଇଁ, ପ୍ରତ୍ନତତ୍ତ୍ୱବିତ୍‌ମାନେ ଅନେକ ପଶୁ, ପକ୍ଷୀ ଓ ମାଛ ମାନଙ୍କର ହାଡ଼କୁ ମଧ୍ୟ ଅନୁଧ୍ୟାନ କରୁଛନ୍ତି । ଉଦ୍ଭିଦ ଆଦିର ଅବଶେଷ ମିଳିବା ବହୁତ କଷ୍ଟ । ତଥାପି କାଠ, ମଞ୍ଜି, ବିହନ ଇତ୍ୟାଦି ପୋଡ଼ି ଯିବା ଦ୍ୱାରା, ତାହାର ଅବଶେଷ କୋଇଲା ବା ଅଙ୍ଗାର ଆକାରରେ ମିଳେ ।

ତୁମେ ଜାଣିଛ କି, ପ୍ରତ୍ନତତ୍ତବିତ୍‌ମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ଲୁଗାପଟାର ଅବଶେଷ ମଧ୍ୟ ପାଇଛନ୍ତି । ଯେଉଁମାନେ ପୁରୁଣା ସମୟ ବିଷୟରେ ଅଧ୍ୟୟନ କରିଥାଆନ୍ତି ସେମାନଙ୍କୁ ‘ଇତିହାସକାର’ ବା ‘ଐତିହାସିକ’ କୁହାଯାଏ । ସେମାନଙ୍କ ମତରେ ପାଣ୍ଡୁଲିପି, ଶିଳାଲେଖ, ପ୍ରତ୍ନତତ୍ତ୍ୱ ଆଦି ହେଉଛି ଇତିହାସର ଉଦ୍‌ଗମ ବା ଉତ୍ସ । ଜଣଙ୍କ ପାଇଁ ଇତିହାସ ପଢ଼ିବା ଆନନ୍ଦଦାୟକ ହୋଇ ପାରିବ, ଯଦି ତାହାର ଉତ୍ସ ବା ଉଦ୍‌ଗମ ବିଷୟକୁ ଜାଣି ହେବ, ତଥା ତାହାର ପୁନଃନିର୍ମାଣ କରାଯିବା ପାଇଁ ଚେଷ୍ଟା କରାଯାଇ ପାରିବ । ତେଣୁ ପ୍ରକୃତରେ ଇତିହାସକାରମାନେ ହେଲେ ଜଣେ ଜଣେ ‘ଗୁଇନ୍ଦା’, କାରଣ ସେମାନେ ଇତିହାସର ଉଦ୍‌ଗମକୁ ନିଜର ଅନ୍ୱେଷଣ ଦ୍ୱାରା ଜାଣି ଆମର ଅତୀତ ସହିତ ପରିଚିତ କରାଇ ପାରୁଛନ୍ତି ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଇତିହାସ ପାଠ୍ୟପୁସ୍ତକର ପ୍ରଥମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Thursday, May 10, 2018

ପିଲାଙ୍କ ଆବୃତ୍ତି - କୌତୁକ ଗୀତ


ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆସରେ ପିଲେ ଜାମୁକୋଳି ଖାଇ ଯିବା
କୁସୁମୀ ନଈରେ ପାଣି ପଡ଼ିଛି
ବୁଢ଼ୀକି ଭସେଇଦେବା ।୧।

ଅଦଢ଼ଦଢ଼
ଘରେ ଭାତ ନାହିଁ ବୁଢ଼ୀକି ତଡ଼
ବୁଢ଼ୀ ପଳାଇଲା ବଡ଼ମ୍ବା ଗଡ଼ ।
ବଡ଼ମ୍ବା ଗଡ଼େ ପିଲେ ମାଇଲେ ଧକା
ବୁଢ଼ୀ ପଳେଇଲା ଏକା ଏକା ।୧।

ନଈକି ଫିଙ୍ଗିଲି ଗିଲ
ନଈ ଚାରିପାଖ ମନ୍ଦାର ଫୁଲ
ବୁଢ଼ୀକି ଝିଙ୍କିଲା ଚିଲ ।୩।

ବି.ଦ୍ର.  - ୧୯୫୯ ମସିହାରେ ପ୍ରଥମ ପ୍ରକାଶିତ ଚକ୍ରଧର ମହାପାତ୍ର କୃତ 'ଉତ୍କଳ ଗାଉଁଲି ଗୀତ' ବହିଟିର ୨୦୦୮ ମସିହାରେ କଟକ ସ୍ଥିତ ପ୍ରକାଶନ ସଂସ୍ଥା ବିଦ୍ୟା ପ୍ରକାଶନ ଛାପିଥିବା ପୁନଃପ୍ରକାଶିତ ସଂସ୍କରଣରୁ ଏହି ଗୀତଟି ଉଦ୍ଧୃତ ହୋଇଛି ।  

Tuesday, May 08, 2018

ଓଡିଶା ପାଇଁ ବିଶ୍ୱବିଦ୍ୟାଳୟ ସ୍ୱପ୍ନ

ଗୋପବନ୍ଧୁ ଦାଶ


ଢାକା ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ମୟ ଗୁହା-ଠାକୁର୍‌ତା ଭବନ (ୱିକିମିଡିଆ କମନ୍ସ୍)

ଆମ୍ଭେମାନେ ଏଥି ପୂର୍ବ ଢାକା ଓ ନାଗପୁରରେ ନୂଆ ବିଶ୍ୱବିଦ୍ୟାଳୟ ବସିବା କଥା ଲେଖିଥିଲୁଁ । ନାଗପୁର ବିଶ୍ୱବିଦ୍ୟାଳୟ ବସିବାରେ ବିଳମ୍ୱ ଅଛି । କିନ୍ତୁ ଢାକା ବିଶ୍ୱବିଦ୍ୟାଳୟ ଶୀଘ୍ର ଫିଟିବା ପାଇଁ ସରକାରଙ୍କର ଉଦ୍ୟମ ଲାଗି ଅଛି । ବୋଧହୁଏ ଆସନ୍ତା ଅପ୍ରେଲ ମାସ ସରିକି ଢାକା ବିଶ୍ୱବିଦ୍ୟାଳୟ ବସିଯିବ । ଏ ବିଷୟରେ ମତ ଦେବା ପାଇଁ କଲିକତା ବିଶ୍ୱବିଦ୍ୟାଳୟ ବସିଯିବ । ଏ ବିଷୟରେ ମତ ଦେବା ପାଇଁ କଲିକତା ବିଶ୍ୱବିଦ୍ୟାଳୟର କାର୍ଯ୍ୟ ନିର୍ବାହିକା ସେମିତିଙ୍କୁ ପଚରା ଯାଇଥିଲା । ସେମାନେ କହିଲେ କାର୍ଯ୍ୟ ନିର୍ବାହିକା ସମିତି ଏଥିରେ ମତ ଦେଇପାରିବେ ନାହିଁ । ସମସ୍ତ ବିଶ୍ୱବିଦ୍ୟାଳୟ ମହାସଭା ଅର୍ଥାତ୍ ସେନେଟ୍‌ଙ୍କୁ ଏ ବିଷୟ ପଚାରିବା ଦରକାର । ପୁଣି ଏତେ ତରତର କରି ଏ ବିଷୟରେ ମତ ଦେବା ସମ୍ଭବ ନୁହେଁ । ସରକାର ସେଥିପାଇଁ ତାଙ୍କୁ ଆହୁରି ଏକ ମାସ ସମୟ ଦେଇ ଅଛନ୍ତି । ଜାନୁୟାରି ପହିଲା ଆଗରୁ ସେମାନେ ମତ ଦେବେ ।

ଢାକା ୟୁନିଭରସିଟି ହୋଇଯିବ । ଏହିପରି ଆମ ଦେଶରେ ଉଚ୍ଚ ଶିକ୍ଷାର ପ୍ରଚାର ପାଇଁ ଗୋଟିକ ପରେ ଆଉ ଗୋଟିଏ ବିଶ୍ୱବିଦ୍ୟାଳୟ ବସୁଅଛି । ଏଥିରେ ଉଚ୍ଚ ଶିକ୍ଷାର ବ୍ୟୟ ବଢ଼ିପାରେ ଏବଂ ତାହାର ଫଳରେ ନିମ୍ନ ଶିକ୍ଷା ନିମନ୍ତେ ଟଙ୍କା ନଅଣ୍ଟ ହୋଇପାରେ । ତଥାପି ଉଚ୍ଚ ଶିକ୍ଷା ବଢ଼ାଇବା ସରକାରଙ୍କର ଉଚିତ । ମାତ୍ର ଏ ସବୁ କଥା ଭାବିଲା ବେଳେ ଆମ୍ଭମାନଙ୍କର ଘର କଥା ମନେ ପଡ଼େ । ସରକାର ଓଡିଶାକୁ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଦେବାରେ ବିଳମ୍ୱ କଲେ ଓଡିଆମାନଙ୍କର ଦାବୀ କରିବାର କଥା । ଆମ୍ଭମାନଙ୍କର କଣ ସେ ଅବସ୍ଥା ହେବ ନାହିଁ 

ଢାକାରେ ଶୀଘ୍ର ଏକ ବିଶ୍ୱବିଦ୍ୟାଳୟ ହେବ, ସେ ବିଷୟରେ ବଡ଼ଲାଟଙ୍କ ସଭାରେ ଆଇନର ପ୍ରସ୍ତାବ ହୋଇଛି। । କମିଟି ଆଇନର ବିଶେଷ ଆଲୋଚନା କରି ସାରିଲେ, ଏହି ବର୍ଷ ମଧ୍ୟରେ ତାହା ମଞ୍ଜୁର ହେବ । ଏ ବିଶ୍ୱବିଦ୍ୟାଳୟ ଲାଗି ନୂଆ କଲେଜ ବସିବା ଦରକାର ନାହିଁ । କେବଳ ଢାକା କଲେଜକୁ ଏ ବିଶ୍ୱବିଦ୍ୟାଳୟ ହେବ । ଇଉରୋପରେ ଏହି ପରି ଗୋଟିଏ ଗୋଟିଏ କଲେଜରେ ଏକ ଏକ ବିଶ୍ୱବିଦ୍ୟାଳୟ ଅନେକ ଅଛି । କଲିକତା ବିଶ୍ୱବିଦ୍ୟାଳୟ କମିଶନ ରିପୋର୍ଟ ଅନୁସାରେ ଇଣ୍ଟରମିଡ଼ିଏଟ ପାସ୍ କଲା ପରେ ଛାତ୍ରମାନେ ଢ଼ାକା ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବେ। ଏଣିକି ଇଣ୍ଟରମିଡ଼ିଏଟ କ୍ଲାସ ସବୁ ହାଇସ୍କୁଲମାନଙ୍କ ସଙ୍ଗେ ରହିବା ଦରକାର 

ମଧ୍ୟପ୍ରଦେଶରେ ନାଗପୁର ବିଶ୍ୱବିଦ୍ୟାଳୟ ସ୍ଥାପନ ଲାଗି ଏଥର ବଡ଼ଲାଟ ସଭାରେ ମଧ୍ୟ ପ୍ରସ୍ତାବ ଉଠିଥିଲା । ପ୍ରସ୍ତାବ ମଞ୍ଜୁର ହୋଇଅଛି । ଖୁବ୍ ସମ୍ଭବ ଢାକା ବିଶ୍ୱବିଦ୍ୟାଳୟ ପରେ ଆର ବର୍ଷ ଆଡ଼କୁ ନାଗପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । କଟକ ଖବର କଣ ? ପାଟଣା ଇଉନିଭରସିଟି କମିଟି ତାଙ୍କ ରିପୋର୍ଟରେ କଟକ ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ସ୍ପଷ୍ଟ ଭାବରେ ସୂଚାଇଛନ୍ତି । ନିଜେ ଲାଟଲର ଏଡୁଆର୍ଡ ଗେଟ୍ ଓଡିଶା ଲାଗି ଅଲଗା ବିଶ୍ୱବିଦ୍ୟାଳୟ ହେବ ବୋଲି କେତେ ଥର କହିଛନ୍ତି । ସେ ଥରେ କହିଥିଲେ କଟକରେ ରେଭେନ୍‌ସା କଲେଜ ଘେନି ହିନ୍ଦୁ ବିଶ୍ୱବିଦ୍ୟାଳୟ ହୋଇଅଛି, ଢାକାର ଏକମାତ୍ର କଲେଜକୁ ନେଇ ଢାକା ବିଶ୍ୱବିଦ୍ୟାଳୟ ହେବ। ଅଳ୍ପ ଦିନ ଆଗେ ରେଭେନ୍‌ସା କଲେଜ ଢାକା କଲେଜଠାରୁ କୌଣସି ବିଷୟରେ ନୂନ୍ୟ ନ ଥିଲା । ମାତ୍ର ପାଟଣା ଉପରେ ପୂରା ନଜର ପଡ଼ିବା ଦିନୁ ରେଭେନ୍‌ସା କଲେଜର ଦଶା ମନ୍ଦ ହୋଇଅଛି । କଟକରେ ଆଉ ନୂଆ କଲେଜ ବସିବା ଯାଏଁ ଅପେକ୍ଷା ନ କରି ରେଭେନ୍‌ସା କଲେଜରେ ଅଧିକ ଉପଯୁକ୍ତ ଅଧ୍ୟାପକ ଏବଂ ପ୍ରୟୋଜନୀୟ ଉପକରଣ ମାନ ଯୋଗାଇ ତାହାକୁ ବିଶ୍ୱବିଦ୍ୟାଳୟ କରାଯାଇପାରେ ।

(ସମାଜ ତା ୧୧-୧୦-୧୯୧୯, ପ୍ରଥମ ଭାଗ, ଦ୍ୱିତୀୟ ସଂଖ୍ୟା)


Sunday, May 06, 2018

ଗିଜୁଭାଇ ବଧେକା: ଜୀବନ ଓ ଦର୍ଶନ

ସମ୍ପାଦନା - ନିଖିଳ ମୋହନ ପଟ୍ଟନାୟକ

୧୮୫୫ ମସିହାର କାଥିଆୱାଡ଼ର ରାଜ୍ୟର ମାନଚିତ୍ର (ୱିକିମିଡିଆ କମନ୍ସ୍)

ଶିଶୁମାନଙ୍କ ଭିତରେ ରହିଥିବା ମହାନ ଆତ୍ମାଟିକୁ ମୁଁ ସବୁବେଳେ ଦେଖୁଛି। ସେମାନଙ୍କର ନ୍ୟାଯ୍ୟ ଅଧିକାର ପାଇବା ଦିଗରେ ସାହାଯ୍ୟ କରିବା ପାଇଁ ଏହା ମତେ ପ୍ରେରଣା ଯୋଗାଏ।  - ଗିଜୁଭାଇ

ପିଲାଙ୍କ ଗାନ୍ଧିଜୀ”, “ନିଶବାଲୀ ମା” ଇତ୍ୟାଦି ନାଁ ପାଇଥିଲେ ଗିଜୁଭାଇ (ଶ୍ରୀ ଗିରିଜାଶଙ୍କର ଭଗବାନ ଜୀ ବଧେକା, ଗୁଜୁରାଟ, ୧୮୮୫-୧୯୩୯। ସେ ଜଣେ ଓକିଲ ଥିଲେ ଏବଂ କିଛି ଦିନ ପାଇଁ ଓକିଲାତି ମଧ୍ୟ କରିଥିଲେ । କିନ୍ତୁ ତାଙ୍କର ମନ ଓ ପ୍ରାଣ ଥିଲା ପିଲାମାନଙ୍କ ସାଙ୍ଗରେ । ତେଣୁ ସେ ଓକିଲାତି ଛାଡ଼ି ଶିକ୍ଷା ଉପରେ ବିଭିନ୍ନ ପରଖ କରିବାରେ ଓ ଲେଖିବାରେ ଲାଗିଲେ । ପିଲାଙ୍କୁ ନୂଆ ଢାଞ୍ଚାରେ ପଢାଇବା ପାଇଁ ସେ ଶିକ୍ଷାନୁଷ୍ଠାନମାନ ଖୋଲିଥିଲେ । ସେ ଛଅ ଶହରୁ ବେଶୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦେଇଥିଲେ ଏବଂ ୨୨୩ ଖଣ୍ଡ ବହି ଲେଖିଥିଲେ । ତାହା ଭିତରେ ଥିଲା ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ ଓ ସାଧାରଣ ଜ୍ଞାନ ଭରା ବହି । ଏହା ଛଡ଼ା ମା' ବାପା ଓ ଶିକ୍ଷକମାନଙ୍କ ପାଇଁ ସେ ଅନେକ ଉପାଦେୟ ବହି ମଧ୍ୟ ଲେଖିଥିଲେ ।

୧୮୮୫ ମସିହା ନଭେମ୍ୱର ୧୫ ତାରିଖ ଦିନ ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳରେ ଗିଜୁଭାଇ (ଗିରିଜାଶଙ୍କର ଭଗବାନ୍ ଜୀ ବଧେକା) ଜନ୍ମ ହୋଇଥିଲେ । ପାଞ୍ଚ ବର୍ଷ ବୟସରେ ସେ ସ୍କୁଲ ଗଲେ। ସେତେବେଳେ ବିଦ୍ୟାଳୟ ଭୟ ପ୍ରଦର୍ଶନର କେନ୍ଦ୍ରସ୍ଥଳ ଥିଲା । ପିଲାଦିନର ସେହି ପରିବେଶ ତାଙ୍କ ମନରେ ଗଭୀର ଛାପ ପକାଇଥିଲା ।

ପିଲାଦିନ

ପାଠପଢ଼ାରେ ଗିଜୁଭାଇ ଖୁବ୍ ଆଗୁଆ ଥିଲେ । ସାହସୀ, ଆଗ୍ରହୀ ତଥା ଦୃଢ଼ ମନୋଭାବ ଥିଲା ତାଙ୍କର ସ୍ୱଭାବ । ପ୍ରାଥମିକ ଶିକ୍ଷା ଶେଷ କରି ଗିଜୁଭାଇ ତାଙ୍କ ମାମୁଘରକୁ ଗଲେ ଓ ସେଠାରେ ରହି ଆଗକୁ ପଢ଼ିଲେ । କବିତା ପଢ଼ିବାକୁ ସେ ବହୁତ ଭଲ ପାଉଥିଲେ । ଏହି ଭଳି ଭାବରେ ସେ ମାଟ୍ରିକ ପାଠ ଶେଷ କଲେ ।

କଲେଜରେ ପଢ଼ିଲା ବେଳେ ତାଙ୍କର ବାହାଘର ହୋଇଥିଲା । ଦୁଇ-ଚାରି ବର୍ଷର ବୈବାହିକ ଜୀବନ ପରେ ତାଙ୍କ ପତ୍ନୀ ହରିବେନ୍‌ଙ୍କର ଦେହାନ୍ତ ହୋଇଥିଲା । କିଛି ବର୍ଷ ପରେ ସେ ଜଡିବେନ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏହାର କିଛି ଦିନ ପରେ ତାଙ୍କର ମା'ଙ୍କର ମୃତ୍ୟୁ ହୋଇଯାଇଥିଲା ଓ ସେହି ବୟସରୁ ତାଙ୍କୁ ଘରର ବିଭିନ୍ନ ଦାୟିତ୍ୱ ସମ୍ଭାଳିବାକୁ ହୋଇଥିଲା । ବମ୍ୱେରେ ତାଙ୍କୁ ଗୋଟିଏ ଚାକିରି ମିଳିଥିଲା । କିନ୍ତୁ ସେହି ଚାକିରିରେ ତାଙ୍କର ମନ ଲାଗିଲା ନାହିଁ । କିଛି ନୂଆ କାମ ଆଶାରେ ସେ ଆଫ୍ରିକା ଚାଲିଗଲେ । ଆଫ୍ରିକାରେ ସାଢ଼େ ତିନି ବର୍ଷର ରହଣି ତାଙ୍କ ଜୀବନରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ନିଜସ୍ୱ ବିଚାରଧାରା ନିର୍ଭୟତା, ସହନଶୀଳତା, ସମସ୍ତଙ୍କୁ ଭଲ ପାଇବା ଆଦି  ଗୁଣ ତାଙ୍କର ସେହିଠାରେ ହିଁ ବିକଶିତ ହୋଇଥିଲା ।

ଓକିଲାତି ଆରମ୍ଭ

ଭାରତରୁ ଫେରି ସେ ଓକିଲାତି କରିବାକୁ ସ୍ଥିର କଲେ । ଏହା ବେଶ୍ କଷ୍ଟସାଧ୍ୟ ଥିଲା । କିନ୍ତୁ ସେ ଥରେ ଯାହା କରିବାକୁ ସ୍ଥିର କରୁଥିଲେ ତାହା ନିଶ୍ଚୟ କରୁଥିଲେ । ସାଙ୍ଗେ ସାଙ୍ଗେ କୌଣସି ନିଷ୍ପତ୍ତି ନେବା ଓ ତାକୁ କାର୍ଯ୍ୟକାରୀ କରିବା ଭଳି ଆତ୍ମବିଶ୍ୱାସ ଗିଜୁଭାଇଙ୍କର ଥିଲା । ସେ ବମ୍ୱରେ ରହି ଖୁବ୍ କଷ୍ଟରେ ତାଙ୍କର ପଢା ଶେଷ କଲେ । ଏହି ସମୟରେ ରବିଶଙ୍କର ରାୱଲ, ମହାଦେବ ଭାଇ ଦେଶାଇ, ରାମନାରାୟଣ ବିଶ୍ୱନାଥ ପାଠକଙ୍କ ଭଳି ମହାନ ଚିତ୍ରକର, କବି ଆଦି ତାଙ୍କର ସାଙ୍ଗ ହୋଇଥିଲେ । ଏମାନଙ୍କର ପ୍ରଭାବ ଗିଜୁଭାଇଙ୍କ ଉପରେ ପଡୁଥିଲା ।

ଆଉ ଗୋଟିଏ ଦୃଷ୍ଟିରୁ ମଧ୍ୟ ଏହି ସମୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପଚିଶ ବର୍ଷର ଯୁବକ ଗିଜୁଭାଇ ନିଜ ସମବୟସ୍କ ସାଥିମାନଙ୍କ ସହ ମିଶି ଭବିଷ୍ୟତ ଜୀବନର ସ୍ୱପ୍ନ ଦେଖିବାକୁ ଲାଗିଲେ । ଏହି ସମୟରେ ବାଲ ଗଙ୍ଗାଧର ତିଳକ ତାଙ୍କ ମନ୍ତ୍ରଧ୍ୱନି, 'ସ୍ୱାଧୀନତା ଆମର ଜନ୍ମଗତ ଅଧିକାର', ଦେଶରେ ଦେଇ ସାରିଥାନ୍ତି। ଏହାର ପ୍ରଭାବ ଗିଜୁଭାଇଙ୍କ ଉପରେ ପଡ଼ିଥିଲା । ସେ ଚିନ୍ତା କରିବାକୁ ଲାଗିଲେ ଦେଶ ପାଇଁ ସେ କ'ଣ କରିପାରିବେ ।

ଏହା ସହିତ ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ସେ ସାମିଲ ଥିଲେ । ସମୟ କ୍ରମେ ଗିଜୁଭାଇ ବମ୍ୱେ ହାଇକୋର୍ଟରେ ଓକିଲ ଭାବରେ କାମ କଲେ । ଏହି ସମୟରେ ସେ କିଛି ଓକିଲ ସାଙ୍ଗଙ୍କ ସହ ମିଶି ଓକିଲାତି ଶିଖାଇବା ପାଇଁ ଗୋଟିଏ ଦଳ ଗଢ଼଼ିଥିଲେ । ଚାରି ପାଞ୍ଚ ବର୍ଷର ଓକିଲାତି ଜୀବନ ତାଙ୍କର ଖୁବ୍ ମୂଲ୍ୟବାନ ଥିଲା । ସେ ବିଶ୍ୱାସ କରୁଥିଲେ ଯେ, ମଣିଷ ଯେ କୌଣସି କାମ କରୁ, ସେହି କାମ ବିଷୟରେ ତା'ର ଯଥେଷ୍ଟ ଜ୍ଞାନ ରହିଥିବା ଦରକାର । ବୋଧହୁଏ ସେଥିପାଇଁ ସେ ଓକିଲାତି ଶିଖାଇବା ପାଇଁ ପ୍ରଶିକ୍ଷଣ ବିଦ୍ୟାଳୟ ସ୍ଥାପନ କରିବାକୁ ଚିନ୍ତା କରିଥିଲେ ।

ଓକିଲାତି ତାଙ୍କର ଭଲ ଚାଲିଥିଲା । ପଇସା ବି ଭଲ ମିଳୁଥିଲା । ଜୀବନରେ ପ୍ରତିଷ୍ଠା, ଲୋକଙ୍କର ବିଶ୍ୱାସ ତଥା ଆନନ୍ଦ ବି ମିଳିବାରେ ଲାଗିଲା । ଘର ପ୍ରତି ଉଦାସୀନ ଥିବା ଗିଜୁଭାଇ କିନ୍ତୁ ଓକିଲାତିରେ ବେଶ୍ ଆଗ୍ରହୀ ଥିଲେ । ଯେଉଁ କେଶ୍ ସେ ହାତକୁ ନେଉଥିଲେ ସେଥିପାଇଁ ସେ ବହୁତ ପରିଶ୍ରମ କରୁଥିଲେ ।... କ୍ରମଶଃ

(ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।)