ଗିଜୁଭାଇ ବଧେକା: ଜୀବନ ଓ ଦର୍ଶନ
ସମ୍ପାଦନା - ନିଖିଳ ମୋହନ ପଟ୍ଟନାୟକ
୧୮୫୫ ମସିହାର କାଥିଆୱାଡ଼ର ରାଜ୍ୟର ମାନଚିତ୍ର (ୱିକିମିଡିଆ କମନ୍ସ୍) |
ଶିଶୁମାନଙ୍କ
ଭିତରେ ରହିଥିବା ମହାନ ଆତ୍ମାଟିକୁ
ମୁଁ ସବୁବେଳେ ଦେଖୁଛି। ସେମାନଙ୍କର
ନ୍ୟାଯ୍ୟ ଅଧିକାର ପାଇବା ଦିଗରେ
ସାହାଯ୍ୟ କରିବା ପାଇଁ ଏହା ମତେ
ପ୍ରେରଣା ଯୋଗାଏ। - ଗିଜୁଭାଇ
“ପିଲାଙ୍କ
ଗାନ୍ଧିଜୀ”,
“ନିଶବାଲୀ
ମା” ଇତ୍ୟାଦି ନାଁ ପାଇଥିଲେ
ଗିଜୁଭାଇ (ଶ୍ରୀ
ଗିରିଜାଶଙ୍କର ଭଗବାନ ଜୀ ବଧେକା,
ଗୁଜୁରାଟ,
୧୮୮୫-୧୯୩୯) ।
ସେ ଜଣେ ଓକିଲ ଥିଲେ ଏବଂ କିଛି ଦିନ
ପାଇଁ ଓକିଲାତି ମଧ୍ୟ କରିଥିଲେ ।
କିନ୍ତୁ ତାଙ୍କର ମନ ଓ ପ୍ରାଣ ଥିଲା
ପିଲାମାନଙ୍କ ସାଙ୍ଗରେ । ତେଣୁ
ସେ ଓକିଲାତି ଛାଡ଼ି ଶିକ୍ଷା ଉପରେ
ବିଭିନ୍ନ ପରଖ କରିବାରେ ଓ ଲେଖିବାରେ
ଲାଗିଲେ । ପିଲାଙ୍କୁ ନୂଆ ଢାଞ୍ଚାରେ
ପଢାଇବା ପାଇଁ ସେ ଶିକ୍ଷାନୁଷ୍ଠାନମାନ
ଖୋଲିଥିଲେ । ସେ ଛଅ ଶହରୁ ବେଶୀ ଶିକ୍ଷକ
ଶିକ୍ଷୟିତ୍ରୀମାନଙ୍କୁ ସ୍ୱତନ୍ତ୍ର
ଭାବେ ତାଲିମ ଦେଇଥିଲେ ଏବଂ ୨୨୩
ଖଣ୍ଡ ବହି ଲେଖିଥିଲେ । ତାହା ଭିତରେ
ଥିଲା ପିଲାଙ୍କ ପାଇଁ ବିଭିନ୍ନ
ପ୍ରକାରର ଗପ ଓ ସାଧାରଣ ଜ୍ଞାନ
ଭରା ବହି । ଏହା ଛଡ଼ା ମା' ବାପା ଓ
ଶିକ୍ଷକମାନଙ୍କ ପାଇଁ ସେ ଅନେକ
ଉପାଦେୟ ବହି ମଧ୍ୟ ଲେଖିଥିଲେ ।
୧୮୮୫
ମସିହା ନଭେମ୍ୱର ୧୫ ତାରିଖ ଦିନ
ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳରେ
ଗିଜୁଭାଇ (ଗିରିଜାଶଙ୍କର
ଭଗବାନ୍ ଜୀ ବଧେକା)
ଜନ୍ମ
ହୋଇଥିଲେ । ପାଞ୍ଚ ବର୍ଷ ବୟସରେ
ସେ ସ୍କୁଲ ଗଲେ। ସେତେବେଳେ ବିଦ୍ୟାଳୟ
ଭୟ ପ୍ରଦର୍ଶନର କେନ୍ଦ୍ରସ୍ଥଳ
ଥିଲା । ପିଲାଦିନର ସେହି ପରିବେଶ
ତାଙ୍କ ମନରେ ଗଭୀର ଛାପ ପକାଇଥିଲା ।
ପିଲାଦିନ
ପାଠପଢ଼ାରେ
ଗିଜୁଭାଇ ଖୁବ୍ ଆଗୁଆ ଥିଲେ ।
ସାହସୀ,
ଆଗ୍ରହୀ
ତଥା ଦୃଢ଼ ମନୋଭାବ ଥିଲା ତାଙ୍କର
ସ୍ୱଭାବ । ପ୍ରାଥମିକ ଶିକ୍ଷା ଶେଷ
କରି ଗିଜୁଭାଇ ତାଙ୍କ ମାମୁଘରକୁ
ଗଲେ ଓ ସେଠାରେ ରହି ଆଗକୁ ପଢ଼ିଲେ ।
କବିତା ପଢ଼ିବାକୁ ସେ ବହୁତ ଭଲ
ପାଉଥିଲେ । ଏହି ଭଳି ଭାବରେ ସେ
ମାଟ୍ରିକ ପାଠ ଶେଷ କଲେ ।
କଲେଜରେ
ପଢ଼ିଲା ବେଳେ ତାଙ୍କର ବାହାଘର
ହୋଇଥିଲା । ଦୁଇ-ଚାରି
ବର୍ଷର ବୈବାହିକ ଜୀବନ ପରେ ତାଙ୍କ
ପତ୍ନୀ ହରିବେନ୍ଙ୍କର ଦେହାନ୍ତ
ହୋଇଥିଲା । କିଛି ବର୍ଷ ପରେ ସେ
ଜଡିବେନ୍ଙ୍କୁ ଦ୍ୱିତୀୟ ବିବାହ
କରିଥିଲେ । ଏହାର କିଛି ଦିନ ପରେ
ତାଙ୍କର ମା'ଙ୍କର ମୃତ୍ୟୁ ହୋଇଯାଇଥିଲା
ଓ ସେହି ବୟସରୁ ତାଙ୍କୁ ଘରର ବିଭିନ୍ନ
ଦାୟିତ୍ୱ ସମ୍ଭାଳିବାକୁ ହୋଇଥିଲା ।
ବମ୍ୱେରେ ତାଙ୍କୁ ଗୋଟିଏ ଚାକିରି
ମିଳିଥିଲା । କିନ୍ତୁ ସେହି ଚାକିରିରେ
ତାଙ୍କର ମନ ଲାଗିଲା ନାହିଁ । କିଛି
ନୂଆ କାମ ଆଶାରେ ସେ ଆଫ୍ରିକା
ଚାଲିଗଲେ । ଆଫ୍ରିକାରେ ସାଢ଼େ ତିନି ବର୍ଷର ରହଣି ତାଙ୍କ ଜୀବନରେ
ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା ।
ନିଜସ୍ୱ ବିଚାରଧାରା ନିର୍ଭୟତା,
ସହନଶୀଳତା,
ସମସ୍ତଙ୍କୁ
ଭଲ ପାଇବା ଆଦି ଗୁଣ ତାଙ୍କର
ସେହିଠାରେ ହିଁ ବିକଶିତ ହୋଇଥିଲା ।
ଓକିଲାତି
ଆରମ୍ଭ
ଭାରତରୁ
ଫେରି ସେ ଓକିଲାତି କରିବାକୁ ସ୍ଥିର
କଲେ । ଏହା ବେଶ୍ କଷ୍ଟସାଧ୍ୟ ଥିଲା ।
କିନ୍ତୁ ସେ ଥରେ ଯାହା କରିବାକୁ
ସ୍ଥିର କରୁଥିଲେ ତାହା ନିଶ୍ଚୟ
କରୁଥିଲେ । ସାଙ୍ଗେ ସାଙ୍ଗେ କୌଣସି
ନିଷ୍ପତ୍ତି ନେବା ଓ ତାକୁ କାର୍ଯ୍ୟକାରୀ
କରିବା ଭଳି ଆତ୍ମବିଶ୍ୱାସ
ଗିଜୁଭାଇଙ୍କର ଥିଲା । ସେ ବମ୍ୱରେ
ରହି ଖୁବ୍ କଷ୍ଟରେ ତାଙ୍କର ପଢା
ଶେଷ କଲେ । ଏହି ସମୟରେ ରବିଶଙ୍କର
ରାୱଲ,
ମହାଦେବ
ଭାଇ ଦେଶାଇ,
ରାମନାରାୟଣ
ବିଶ୍ୱନାଥ ପାଠକଙ୍କ ଭଳି ମହାନ
ଚିତ୍ରକର,
କବି
ଆଦି ତାଙ୍କର ସାଙ୍ଗ ହୋଇଥିଲେ ।
ଏମାନଙ୍କର ପ୍ରଭାବ ଗିଜୁଭାଇଙ୍କ
ଉପରେ ପଡୁଥିଲା ।
ଆଉ
ଗୋଟିଏ ଦୃଷ୍ଟିରୁ ମଧ୍ୟ ଏହି ସମୟ
ବେଶ୍ ଗୁରୁତ୍ୱପୂର୍ଣ୍ଣ । ପଚିଶ
ବର୍ଷର ଯୁବକ ଗିଜୁଭାଇ ନିଜ ସମବୟସ୍କ
ସାଥିମାନଙ୍କ ସହ ମିଶି ଭବିଷ୍ୟତ
ଜୀବନର ସ୍ୱପ୍ନ ଦେଖିବାକୁ ଲାଗିଲେ ।
ଏହି ସମୟରେ ବାଲ ଗଙ୍ଗାଧର ତିଳକ
ତାଙ୍କ ମନ୍ତ୍ରଧ୍ୱନି, 'ସ୍ୱାଧୀନତା
ଆମର ଜନ୍ମଗତ ଅଧିକାର', ଦେଶରେ
ଦେଇ ସାରିଥାନ୍ତି। ଏହାର ପ୍ରଭାବ
ଗିଜୁଭାଇଙ୍କ ଉପରେ ପଡ଼ିଥିଲା ।
ସେ ଚିନ୍ତା କରିବାକୁ ଲାଗିଲେ
ଦେଶ ପାଇଁ ସେ କ'ଣ କରିପାରିବେ ।
ଏହା
ସହିତ ସ୍ୱାଧୀନତା ଆନ୍ଦୋଳନରେ
ମଧ୍ୟ ସେ ସାମିଲ ଥିଲେ । ସମୟ କ୍ରମେ
ଗିଜୁଭାଇ ବମ୍ୱେ ହାଇକୋର୍ଟରେ
ଓକିଲ ଭାବରେ କାମ କଲେ । ଏହି ସମୟରେ
ସେ କିଛି ଓକିଲ ସାଙ୍ଗଙ୍କ ସହ ମିଶି
ଓକିଲାତି ଶିଖାଇବା ପାଇଁ ଗୋଟିଏ
ଦଳ ଗଢ଼଼ିଥିଲେ । ଚାରି ପାଞ୍ଚ ବର୍ଷର
ଓକିଲାତି ଜୀବନ ତାଙ୍କର ଖୁବ୍
ମୂଲ୍ୟବାନ ଥିଲା । ସେ ବିଶ୍ୱାସ
କରୁଥିଲେ ଯେ, ମଣିଷ ଯେ କୌଣସି କାମ
କରୁ, ସେହି
କାମ ବିଷୟରେ ତା'ର ଯଥେଷ୍ଟ ଜ୍ଞାନ
ରହିଥିବା ଦରକାର । ବୋଧହୁଏ ସେଥିପାଇଁ
ସେ ଓକିଲାତି ଶିଖାଇବା ପାଇଁ
ପ୍ରଶିକ୍ଷଣ ବିଦ୍ୟାଳୟ ସ୍ଥାପନ
କରିବାକୁ ଚିନ୍ତା କରିଥିଲେ ।
ଓକିଲାତି
ତାଙ୍କର ଭଲ ଚାଲିଥିଲା । ପଇସା ବି
ଭଲ ମିଳୁଥିଲା । ଜୀବନରେ ପ୍ରତିଷ୍ଠା,
ଲୋକଙ୍କର
ବିଶ୍ୱାସ ତଥା ଆନନ୍ଦ ବି ମିଳିବାରେ
ଲାଗିଲା । ଘର ପ୍ରତି ଉଦାସୀନ ଥିବା
ଗିଜୁଭାଇ କିନ୍ତୁ ଓକିଲାତିରେ
ବେଶ୍ ଆଗ୍ରହୀ ଥିଲେ । ଯେଉଁ କେଶ୍
ସେ ହାତକୁ ନେଉଥିଲେ ସେଥିପାଇଁ
ସେ ବହୁତ ପରିଶ୍ରମ କରୁଥିଲେ ।... କ୍ରମଶଃ
(ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।)
No comments:
Post a Comment