Friday, May 04, 2018

ଭାରତରେ ମାନବ ଜାତିର ଆଦ୍ୟ ଉନ୍ମେଷ 


ଅନୁବାଦ - କାମିଲେଶ୍ୱରୀ ପଟ୍ଟନାୟକ


ଭାରତୀୟ ଉପମହାଦେଶରେ ସିନ୍ଧୁ ନଦୀର ଚିତ୍ର (ୱିକିମିଡିଆ କମନ୍ସ୍)


ଲୋକେ କେଉଁଠି ବସବାସ କରୁଥିଲେ ?

ନର୍ମଦା ନଦୀ ଭାରତର ପ୍ରଧାନ ନଦୀ ମାନଙ୍କ ମଧ୍ୟରୁ ଗୋଟିଏ । ଏହି ନଦୀ ଅବବାହିକାରେ ଲୋକମାନେ ହଜାର ହଜାର ବର୍ଷ ଧରି ବସବାସ କରୁଥିଲେ । ସବୁଠାରୁ ପୂରାତନ ଲୋକମାନେ ହେଲେ ଯାଯାବର ବା ସଙ୍ଗ୍ରହକାରୀ ଶ୍ରେଣୀର । ସେମାନେ ନିଜ ଚାରିପାଖରେ ଥିବା ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ, ଫଳ, ମୂଳ ଇତ୍ୟାଦି ନିଜର ଖାଦ୍ୟ ପାଇଁ ସଙ୍ଗ୍ରହ କରୁଥିଲେ ଓ ପଶୁପକ୍ଷୀ ମାନଙ୍କୁ ମଧ୍ୟ ନିଜ ଖାଦ୍ୟ ପାଇଁ ଶିକାର କରୁଥିଲେ ।

ବର୍ତ୍ତମାନ ଉତ୍ତର-ପଶ୍ଚିମର ସୁଲେମାନ ଓ କିରିଆର ପାହାଡ ବିଷୟରେ କିଛି, ଜାଣିବା ।

ପ୍ରାୟ ୮୦୦୦ ବର୍ଷ ପୂର୍ବରୁ ଏହି ଅଞ୍ଚଳରେ କିଛି ଜଙ୍ଗଲକୁ ସଫାକରି ମନୁଷ୍ୟମାନେ (ସ୍ତ୍ରୀ ଓ ପୁରୁଷ) ଗହମ, ବାର୍ଲି ଇଦ୍ୟାଦି ଚାଷ କରିଥିବା ପ୍ରମାଣ ମିଳେ । ପ୍ରାୟ ମଧ୍ୟ ସେହି ସମୟରୁ ମନୁଷ୍ୟ ଛେଳି, ମେଣ୍ଢା, ଗାଈ ଇତ୍ୟାଦି ପଶୁ ମାନଙ୍କୁ ପାଳିବା ସଙ୍ଗେ ସଙ୍ଗେ ସେଠାରେ ବସତି ସବୁ ସ୍ଥାପନ କରି ରହୁଥିବା ମଧ୍ୟ ଜଣାପଡ଼େ ।

ଭାରତର ଉତ୍ତର-ପୂର୍ବର ଗାରୋ ଆଉ ମଧ୍ୟ ଭାରତର ବିନ୍ଧ୍ୟ ପର୍ବତମାଳା 

ଭାରତର ଗାରୋ ଆଉ ବିନ୍ଧ୍ୟ ପର୍ବତମାଳାର ଆଖପାଖରେ ହିଁ ପ୍ରଥମେ କୃଷି ଓ ବସତି ସ୍ଥାପନ ହୋଇଥିବା ପ୍ରମାଣ ମିଳେ । ପ୍ରଥମେ ବିନ୍ଧ୍ୟ ପର୍ବତମାଳାର ଉତ୍ତରରେ ଧାନ ଚାଷ ହୋଇଥିଲା । ପ୍ରାୟ ୨୫୦୦ ବର୍ଷ ପୂର୍ବେ ଗଙ୍ଗା ତାହାର ଉପନଦୀମାନଙ୍କର ଅବବାହିକାରେ ଓ ସମୁଦ୍ର ଉପକୂଳ ଅଞ୍ଚଳମାନଙ୍କରେ ଉନ୍ନତ ଧରଣର ସହର ସବୁ ଗଢ଼ି ଉଠିଥିବାର ପ୍ରମାଣ ମିଳେ ।

ସିନ୍ଧୁ ନଦୀ, ତାହାର ଉପନଦୀ ସବୁ ଏବଂ ସେମାନଙ୍କ ଅବବାହିକା 

ଛୋଟ ଛୋଟ ନଦୀ ସବୁ ଯାଇ ଅପେକ୍ଷାକୃତ ବଡ଼ ନଦୀରେ ମିଶି ପ୍ରବାହିତ ହୋଇଥାଆନ୍ତି, ସେହି ଛୋଟ ଛୋଟ ନଦୀଗୁଡିକୁ ବଡ଼ନଦୀର ଉପନଦୀ କୁହାଯାଏ

ପ୍ରାୟ ୪୭୦୦ ବର୍ଷ ପୂର୍ବେ ସିନ୍ଧ ନଦୀ ଓ ତାହାର ଉପନଦୀ ଓ ଶାଖାନଦୀ ଗୁଡିକର ଉପତ୍ୟକାରେ ହିଁ ପ୍ରଥମ ସହର ସବୁ ବିକଶିତ ହୋଇଥିବା ପ୍ରମାଣ ମିଳେ । ପ୍ରାୟ ୨୫୦୦ ବର୍ଷ ପୂର୍ବେ ଭାରତରେ ପ୍ରଥମେ ଗଙ୍ଗା ଓ ତାହାର ଉପନଦୀ ଓ ସମୁଦ୍ର ଉପକୂଳ ଅଞ୍ଚଳ ଗୁଡ଼ିକ ନିକଟରେ ଉନ୍ନତ ଧରଣର ସହର ସବୁ ସ୍ଥାପିତ ହୋଇଥିବା ମଧ୍ୟ ପ୍ରମାଣ ମିଳେ ।

ପୁରାତନ କାଳରେ ଗଙ୍ଗା ଓ ତାହାର ଉପନଦୀର ପାଖାପାଖି ଅଞ୍ଚଳକୁ, ମାନେ ଗଙ୍ଗା ନଦୀର ଦକ୍ଷିଣରେ ଥିବା ଅଞ୍ଚଳକୁ, ମଗଧ କୁହାଯାଉଥିଲା । ସେହି ସମୟରେ ମଗଧର ଶାସକମାନେ ବହୁତ ବଳଶାଳୀ ଥିବାରୁ ସେମାନେ ବଡ଼ ବଡ଼ ସାମ୍ରାଜ୍ୟ ସବୁ ସେହି ସ୍ଥାନମାନଙ୍କରେ ସ୍ଥାପନ କରିଥିଲେ । ସେହି ସମୟରେ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବିଭିନ୍ନ ପ୍ରକାର ରାଜ୍ୟ ଓ ସାମ୍ରାଜ୍ୟ ସବୁର ସ୍ଥାପନା ହୋଇଥିଲା ।

ସେହି ସମୟରେ ଲୋକମାନେ ଏହି ଉପମହାଦେଶରୁ ଅନ୍ୟାନ୍ୟ ଦେଶମାନଙ୍କୁ ଯାତ୍ରା କରୁଥିଲେ । ଯଦିଓ ହିମାଳୟ ପର୍ବତମାଳା, ମରୁଭୂମିବିଭିନ୍ନ ନଦୀ, ନାଳ,  ଜଙ୍ଗଲ ଦେଇ ଯାତ୍ରା ବିପଦସଙ୍କୁଳ ଥିଲା, ତଥାପି ଲୋକେ ଏହି ସବୁକୁ ସଫଳତାର ସହ ପାରି କରିପାରୁଥିଲେ । ସେହି ସମୟରେ ମନୁଷ୍ୟମାନେ ଖାଦ୍ୟ ଅନ୍ୱେଷଣରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଥିଲେ । ଖାଲି ଯେ ଖାଦ୍ୟ ପାଇଁ ନୁହେଁ, ବନ୍ୟାବାତ୍ୟା, ମରୁଡ଼ି ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟକୁ ଏଡ଼ାଇବା ପାଇଁ ସେମାନେ ଯାଯାବରର ଜୀବନଯାପନ କରୁଥିଲେ । ବେଳେବେଳେ ମନୁଷ୍ୟର ଗୋଟିଏ ଶ୍ରେଣୀ ସଙ୍ଗଠିତ ହୋଇ ସୈନିକମାନଙ୍କ ଭଳି ରାଜ୍ୟ ସବୁକୁ ପରାଜୟ କରି ସେମାନଙ୍କ ଅଞ୍ଚଳ ସବୁକୁ ଅଧିକାର କରୁଥିଲେ । ତାହା ଛଡ଼ା ବ୍ୟବସାୟୀମାନେ ପଶୁମାନଙ୍କ ପିଠିରେ କିମ୍ୱା ନୌକା ସାହାଯ୍ୟରେ ନିଜର ବହୁମୂଲ୍ୟ ଜିନିଷପତ୍ର ସହିତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନମାନଙ୍କୁ ଜଳଯାତ୍ରା କରୁଥିଲେ । ବିଭିନ୍ନ ଧର୍ମଗୁରୁ ବା ଧର୍ମପ୍ରଚାରକମାନେ ମଧ୍ୟ ଗାଁ ଗଣ୍ଡା, ସହରକୁ ଧର୍ମପ୍ରଚାର କରିବା ପାଇଁ ଯାତ୍ରା କରୁଥିଲେ । ଶେଷରେ କିଛି ମନୁଷ୍ୟ ଦୁଃସାହସିକତାର ଆନନ୍ଦ ନେବା ପାଇଁ ବିଭିନ୍ନ ନୂତନ ସ୍ଥାନମାନଙ୍କୁ ମଧ୍ୟ ଆବିଷ୍କାର କରିବା ସଙ୍ଗେସଙ୍ଗେ ଲୋକମାନଙ୍କ ମଧ୍ୟରେ ଆଚାର ଓ ବିଚାରର ଆଦାନ ପ୍ରଦାନ ହୋଇ ପାରୁଥିଲା ।

ବର୍ତ୍ତମାନ ସମୟରେ ଲୋକେ କାହିଁକି ଯାତ୍ରା କରୁଛନ୍ତି

ଆମ ଉପମହାଦେଶଟି ପାହାଡ, ପର୍ବତ, ନଦୀ ଏବଂ ସମୁଦ୍ର ଭଳି ପ୍ରାକୃତିକ ସୀମାନ୍ତ ଦ୍ୱାରା ପରିବେଷ୍ଟିତ । ନିଜ ଇଚ୍ଛାରେ ବର୍ତ୍ତମାନ ଲୋକମାନେ ଏହି ସବୁ ପାହାଡ଼, ପର୍ବତ, ନଦୀ ଓ ସମୁଦ୍ର ସବୁକୁ ପାରି କରି ଅନ୍ୟ ଦେଶକୁ ଯାଉଛନ୍ତି ଓ ଅନ୍ୟ ସ୍ଥାନରୁ ମଧ୍ୟ ଅନେକ ମନୁଷ୍ୟ ଏହି ଉପମହାଦେଶକୁ ଆସୁଛନ୍ତି ଓ ଏଠାରେ ବସତି ସ୍ଥାପନ କରି ରହିଯାଉଛନ୍ତି । ଏହି ଆତଯାତ ଦ୍ୱାରା ଲୋକଙ୍କ ମଧ୍ୟରେ ସାମାଜିକ ଓ ପାରମ୍ପରିକ ଓ ରାଜନୀତିର ଆଦାନ ପ୍ରଦାନ ହୋଇ ପାରୁଛି । ଶହ ଶହ ବର୍ଷ ଧରି ଶିଳ୍ପ, କଳା, ସଙ୍ଗୀତ, ନୃତ୍ୟ, ପାକକଳା ଇଦ୍ୟାଦିର ନୂତନ ପନ୍ଥାସବୁ ମଧ୍ୟ ଆଦାନ ପ୍ରଦାନ ହୋଇ ଚାଲିଛି ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଇତିହାସ ପାଠ୍ୟପୁସ୍ତକର ପ୍ରଥମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

No comments:

Post a Comment