Monday, May 28, 2018

ଶିକ୍ଷାର ମହାର୍ଘତା: ଧନ୍ଦାମୂଳକ ଶିକ୍ଷା ଏଥିର ସମାଧାନ

ଗୋପବନ୍ଧୁ ଦାଶ


୧୯୨୨ ମସିହାରେ ଯୁକ୍ତରାଜ୍ୟ ଆମେରିକାରେ ସ୍ଥିତ ଏକ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଆମ୍ଭମାନଙ୍କ ଦେଶରେ ଶିକ୍ଷା କ୍ରମେ ଅତ୍ୟଧିକ ବ୍ୟୟସାଧ୍ୟ ହୋଇ ଯାଉଅଛି । ଏପରି କି ଦରିଦ୍ର ଛାତ୍ରମାନଙ୍କର ଶିକ୍ଷା ପାଇବା ଅସମ୍ଭବ ହୋଇ ପଡ଼ିଲାଣି । ଏ ବର୍ଷ କଟକ କଲେଜରେ ଛାତ୍ର ଦେୟ ବେତନର ପରିମାଣ ବଢ଼ିଅଛି । ଚାରି ଟଙ୍କା ଦେବାକୁ ଯେଉଁମାନଙ୍କର କଷ୍ଟ ହେଉଥିଲା, ସେମାନଙ୍କୁ ଶ୍ରେଣୀ ବିଶେଷରେ ପାଞ୍ଚ ଟଙ୍କାଛ' ଟଙ୍କା ଓ ସାତ ଟଙ୍କା ଦେବାକୁ ପଡ଼ୁଅଛି । ଏକା କଟକ କଲେଜରେ ନୁହେଁ । ଏ ପ୍ରଦେଶରେ ଅନ୍ୟାନ୍ୟ କଲେଜରେ ମଧ୍ୟ ଏହିପରି ବେତନ ବୃଦ୍ଧି କରାଯାଇ ଅଛି । ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ, ବିଶ୍ୱବିଦ୍ୟାଳୟ ଶିକ୍ଷାର ପ୍ରକୃତି ଓ ପ୍ରଣାଳୀ ଦିନକୁ ଦିନ ଉନ୍ନତ ହେଉଅଛି । ଅଧ୍ୟାପକ ସଙ୍ଖ୍ୟା ବଢ଼ୁଅଛି, ଶିକ୍ଷାର ଅନ୍ୟାନ୍ୟ ଉପକରଣ ଅଧିକ ପରିମାଣରେ ଆବଶ୍ୟକ ହେଉଅଛି, କିନ୍ତୁ ତାହା ବୋଲି ଦେଶର ଅଧିକାଂଶ... ଯୁବକମାନେ ଶିକ୍ଷାରୁ ବଞ୍ଚିତ ହେବା ଗଭୀର ଆକ୍ଷେପର ବିଷୟ । ତେଣେ ପୁଣି କଲିକତା ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାର୍ଥୀ ଛାତ୍ରମାନଙ୍କର ପରୀକ୍ଷା ଫିସ୍ ବଢ଼ାଇ ଦେଇଛନ୍ତି । ଅବଶ୍ୟ ସଙ୍ଗତିସମ୍ପନ୍ନ ଛାତ୍ର କେତେ ? ପ୍ରତ୍ୟେକ ପରୀକ୍ଷା ପୂର୍ବରୁ ଫିସ ସଙ୍ଗ୍ରହ କରିବା ଲାଗି କେତେ ଛାତ୍ର କିପରି ବ୍ୟସ୍ତ ବ୍ୟାକୁଳ ହୋଇ କେତେ ଲୋକଙ୍କ ଦ୍ୱାରସ୍ଥ ହୁଅନ୍ତି ଏହା କିଏ ନ ଦେଖିଛି ? କୌଣସି ପରୀକ୍ଷାରେ ପାଶ୍ କଲା ପରେ ଉପରିସ୍ଥ ବିଭାଗରେ ପ୍ରବେଶ କରିବା ନିମନ୍ତେ କେତେ ଛାତ୍ର କି ଉଦ୍‌ବେଗ ଏବଂ ଅଭାବର ତାଡ଼଼ନା ଭୋଗ ନ କରନ୍ତି । ଶିକ୍ଷା ବିଭାଗର ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତାମାନ କହି ପାରନ୍ତି, ଯେ ଚାରି ଟଙ୍କା ଦେଇପାରେ, ସେ ଛ' ଟଙ୍କା ଦେବାକୁ ତେତେ କଷ୍ଟ ବୋଧ କରିବ ନାହିଁ । ଯେ ପନ୍ଦର ଟଙ୍କା ଫିସ ଦେଇ ପାରେ, ସେ ଅନାୟାସରେ କୋଡ଼ିଏ ଟଙ୍କା ଦେଇ ପାରିବ । ଆତ୍ମବତ୍ ମନ୍ୟତେ ଜଗତ୍ । ଏ ଦେଶରେ ସାଧାରଣ ଗୃହସ୍ଥ କେତେ କଷ୍ଟରେ ଗୋଟିଏ ଟଙ୍କା ପାଏ, ଏହା ସେମାନଙ୍କୁ ଜଣା ନାହିଁ । ସେମାନଙ୍କ ନିଜ ପିଲାମାନେ ଯେପରି ବିଭବ ବିଳାସିତାରେ ଥା'ନ୍ତି, ସେମାନେ ମନେ କରନ୍ତି, ଅଧକାଂଶ ଛାତ୍ର ସେହିପରି ଅଛନ୍ତି । ଅଭାବ ହେତୁ ଅନେକ ଜଳଖିଆ ନ କରି ଭୋକ ମାରି ଦିଅନ୍ତି ଏବଂ ଏହି ପରି ଅବସ୍ଥାରେ ଅଧିକାଂଶ ଶିକ୍ଷାର ଅଧ ବାଟରୁ ଛତ୍ରଭଙ୍ଗ ଦେଇଥା'ନ୍ତି ଏହା କିଏ ନ ଜାଣେ ?

କେହିକେହି କହିବାର ଶୁଣାଯାଏ, ଯେଉଁମାନଙ୍କର ଅବସ୍ଥା ସେପରି ନୁହେଁ, ସେମାନେ ଉଚ୍ଚଶିକ୍ଷା ନ ପାଇବେ । ମାତ୍ର ଏ ଦେଶରେ ବିଶ୍ୱବିଦ୍ୟାଳୟ ଶିକ୍ଷା କେବଳ ଜ୍ଞାନ ନିମନ୍ତେ ନୁହେଁ ଏହା ଜୀବନୋପାୟର ପନ୍ଥା । ତେଣୁ ଅଧିକାଂଶ ଏଥିରେ ବ୍ୟସ୍ତ । ପୁଣି ଜ୍ଞାନ ପିପାସୁ କେହି ଜ୍ଞାନ ଲାଭରୁ ବଞ୍ଚିତ ହେବ ବା କାହିଁକି ? ଆମେମାନେ ବରାବର କହିଥାଉ, ମନୁଷ୍ୟ ଆଲୋକର ସନ୍ତାନ । ସେ ସବୁବେଳେ ଅଧିକ ଅଧିକ ଆଲୋକ ଲୋଡ଼ୁଅଛି ଏବଂ ତାହା ତା'ର ପାଇବା ଉଚିତ । ବାହ୍ୟ ଜଗତରେ ଚନ୍ଦ୍ର ସୂର୍ଯ୍ୟର ଆଲୋକ ବ୍ୟକ୍ତି ଏବଂ ଅବସ୍ଥା ନିର୍ବିଶେଷରେ ସମସ୍ତେ ଲାଭ କରୁ ଅଛନ୍ତି ଜଗତରେ ମହାପୁରୁଷମାନେ ଧର୍ମରାଜ୍ୟରେ ସେ ନୂତନ ଜ୍ୟୋତିର ସମ୍ପାତ କରୁ ଅଛନ୍ତି ରାଜା ପ୍ରଜା ଧନୀ ଦରିଦ୍ର ସମସ୍ତେ ତହିଁର ସମାନ ଅଧିକାରୀ । ବିଦ୍ୟାଳୟ ପଥରେ ତେବେ ଅବସ୍ଥା କେବଳ ଅନ୍ତରାୟ ହେବ କାହିଁକି ?

ଦରିଦ୍ର ପରିବାରରେ ଯେ ଅନେକ ପ୍ରତିଭାଶାଳୀ ସନ୍ତାନ ଜନ୍ମନ୍ତି, ଏହା କିଏ ଅସ୍ୱୀକାର କରିବ । ଫଳରେ ଯେଉଁମାନେ ପୃଥିବୀରେ ଅସାଧାରଣ କାର୍ଯ୍ୟ ସମ୍ପାଦନ କରିଛନ୍ତି ଏବଂ ଜ୍ଞାନର ପଥ ପରିସ୍କାର କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦରିଦ୍ର ସନ୍ତାନ । କାହାଠାରେ କେଉଁ କ୍ଷେତ୍ରରେ କି ଶକ୍ତି ଲୁଚି ରହିଛି ତାହା ପରୀକ୍ଷା ନ କଲେ ଜଣାଯିବ କିପରି ? ଶିକ୍ଷାର ମହାର୍ଘତା ହେତୁ ସାଧାରଣ ଅବସ୍ଥାରେ ଛାତ୍ର ତେତେ ପଢ଼ି ପାରିବେ ନାହିଁ । ଯେଉଁ ଧନୀ ଛାତ୍ରମାନେ ପଢ଼ିବେ, ସେମାନଙ୍କର ମଧ୍ୟରୁ ତେତେ ଅଧିକ ସଙ୍ଖ୍ୟକ ବିଚକ୍ଷଣ ଛାତ୍ର ବାହାରିବେ ନାହିଁ, ଫଳରେ ସମାଜରେ ପ୍ରକୃତ ଶକ୍ତିଶାଳୀ ବ୍ୟୁତ୍‌ପନ୍ନ ଶିକ୍ଷିତ ଲୋକଙ୍କ ସଙ୍ଖ୍ୟା କମିବ । ଏହା ହିଁ କି ଶିକ୍ଷା ବିସ୍ତାର ? ୟୁରୋପ ଆମେରିକା ପ୍ରଭୃତି ଦେଶରେ ଦରିଦ୍ର ଛାତ୍ରମାନଙ୍କର ଶିକ୍ଷା ନିମନ୍ତେ ଅନେକ ଉପାୟ ଅଛି । ଖରାଦିନ ଅନେକ ଛାତ୍ର କଳକାରଖାନାରେ ବା ଅନ୍ୟ କୌଣସିଠାରେ ମଜୁରୀ ଖଟି ଅର୍ଥ ସଙ୍ଗ୍ରହ କରନ୍ତି ଏବଂ ଶୀତ କାଳରେ ସେହି ସଙ୍ଗୃହିତ ଅର୍ଥବଳରେ ସ୍କୁଲ କଲେଜରେ ପଢ଼ିବାକୁ ସମର୍ଥ ହୁଅନ୍ତି । ସେପରି ସୁବିଧା ମିଳିଲେ ଏ ଦେଶରେ ଛାତ୍ରମାନେ ଆତ୍ମା ସାହାଯ୍ୟ କରିବାକୁ ବିମୁଖ ହେବେ ନାହିଁ । କୈଣସି କୌଣସି ଛାତ୍ର ଅନ୍ୟର ରୋଷେଇ କରିଦେଇ ପଢ଼ିଥା'ନ୍ତି । ଅନେକେ ତ ଅନ୍ୟ ଘରେ ପିଲାଙ୍କୁ ପଢ଼ାଇ ଅର୍ଥୋପାୟର ସଂସ୍ଥାନ କରିଥା'ନ୍ତି । ସେପରି ସୁବିଧା ଘଟିଲେ ଆପାଣାର ଶିକ୍ଷା ବ୍ୟୟ ଚଳାଇବା ଲାଗି ଶାରୀରିକ ପରିଶ୍ରମ କରିବାକୁ ଆମ୍ଭମାନଙ୍କ ଛାତ୍ରମାନେ ଯେ ପ୍ରସ୍ତୁତ ହେବେ, ଏଥିରେ ଲେଶ ସନ୍ଦେହ ନାହିଁ । ସ୍କୁଲ କଲେଜମାନଙ୍କ ସଙ୍ଗେ ସେଭଳି କାର୍ଯ୍ୟକ୍ଷେତ୍ର ଫିଟିଲେ ବିଶେଷ ଉପକାର ହୁଅନ୍ତା ।

ପରୀକ୍ଷାସ୍ୱରୂପ ଆମ୍ଭେମାନେ ସତ୍ୟବାଦୀ ବିଦ୍ୟାଳୟରେ ଏକ ବର୍ଷକାଳ କେତେକ ଦରିଦ୍ର ଛାତ୍ରଙ୍କ ନିମନ୍ତେ ଏପରି ବ୍ୟବସ୍ଥା କରିଥିଲୁ । ଦିନରେ କେତେକ ସମୟ ସେମାନେ ବିଲରେ ଓ ବଗିଚାରେ କେହି ବା ବଢ଼େଇଶାଳରେ କାମ କରନ୍ତି । ଅନ୍ୟ ସମୟରେ ପଢ଼ନ୍ତି । ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ରାତିରେ ପଢ଼ାଇବା ନିମନ୍ତେ ବ୍ୟବସ୍ଥା ହୋଇଥାଏ । ମାତ୍ର ଏହା ଆଶାନୁରୂପ କୃତକାର୍ଯ୍ୟ ହେଲା ନାହିଁ । ତହିଁରୁ ସେଥି ନିମନ୍ତେ ସାଧାରଣ କ୍ଲାସରେ ନିୟମିତ ଭିନ୍ନଭିନ୍ନ ବିଷୟରେ ଯେ ପାଞ୍ଚ ଘଣ୍ଟା ଶିକ୍ଷା ଦିଆଯାଏ ସେଥିରୁ ଛାତ୍ରମାନେ ବଞ୍ଚିତ ହେଲେ । ଦିନରେ ଶାରୀରିକ ପରିଶ୍ରମ କରି ରାତିରେ ଟିକିଏ ଅବସନ୍ନ ହୋଇ ପଡ଼ନ୍ତି । ପୁଣି ରାତିରେ ସେମାନଙ୍କ ପଢ଼ାଇବା ନିମନ୍ତେ ଅଧିକ ସଙ୍ଖ୍ୟକ ଶିକ୍ଷକ ବନ୍ଦୋବସ୍ତ କରିବା ଅଧିକ ବ୍ୟୟସାଧ୍ୟ । ଅବଶେଷରେ ଆମ୍ଭେମାନେ ଏହି ସିଦ୍ଧାନ୍ତ କଲୁ ଯେ, ବର୍ତ୍ତମାନ ଶିକ୍ଷା ପ୍ରଣାଳୀରେ ଏ ବ୍ୟବସ୍ଥା ନିମନ୍ତେ ଅବକାଶ ନାହିଁ । ଶିକ୍ଷାର ପଦ୍ଧତି ପାଠର ବିଷୟ ଅଧ୍ୟାପନାର ସମୟ ପରୀକ୍ଷା ପ୍ରକୃତି ପ୍ରଭୃତିରେ ପରିବର୍ତ୍ତନ ନ ହେଲେ, ଏ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ପାରିବ ନାହିଁ ।  ଯେ କୌଣସି ନୂତନ ବିଷୟରେ ପରୀକ୍ଷା ଅର୍ଥ ଏବଂ ସମୟର ଅପେକ୍ଷା କରେ । ବର୍ତ୍ତମାନର ଶିକ୍ଷା ବିଧାନରେ ଆବଦ୍ଧ ହୋଇ ନୂତନ ପରୀକ୍ଷା ଲାଗି ଆମ୍ଭମାନଙ୍କର ତେବେ ସ୍ୱାଧୀନତା ନାହିଁ । ପରୀକ୍ଷାର ଫଳାଫଳ ଦେଖିବାକୁ ଅପେକ୍ଷା କରିବା ଏବଂ ପ୍ରୟୋଜନୀୟ ଅର୍ଥ ବ୍ୟୟ କରିବା ନିମନ୍ତେ ମଧ୍ୟ ସୁବିଧା ଏବଂ ସାମର୍ଥ୍ୟ ନାହିଁ । ମାତ୍ର ଆମ୍ଭେମାନଙ୍କର ବିଶ୍ୱାସ ସରକାର ତରଫରୁ ପରୀକ୍ଷା ହେଲେ କୃତକାର୍ଯ୍ୟ ହେବ ।

ଏସବୁ ପ୍ରସ୍ତାବ ତ ଭବିଷ୍ୟତର କଥା । ମାତ୍ର କଟକ କଲେଜରେ ଉପସ୍ଥିତ ବେତନ ବୃଦ୍ଧି ଅନେକ ଛାତ୍ରଙ୍କୁ ଯେ ବାଧିଲା, ତହିଁର ପ୍ରତିକାର କଅଣ ? ଅନ୍ତତଃ ଏ ବର୍ଷ ଲାଗି କର୍ତ୍ତୃପକ୍ଷଙ୍କର ଏ ପ୍ରସ୍ତାବ ସ୍ଥଗିତ ରଖିବା ଉଚିତ ଥିଲା । ଆଜି କାଲି ଚାରିଆଡ଼େ ଦୁର୍ଭିକ୍ଷ । ଏହା ସବୁ ଶ୍ରେଣୀର ଲୋକଙ୍କୁ ଉଣା ଅଧିକେ ବାଧିଛି । ବେତନବୃଦ୍ଧି ଫଳରେ କଲେଜରେ ଛାତ୍ର ସଙ୍ଖ୍ୟା କମିବ, ସନ୍ଦେହ ନାହିଁ । ତେବେ ଯେତେ ଛାତ୍ର କମନ୍ତି, ପଢ଼ା ତେତେ ଭଲ ହେବ ଏବଂ ଦେଶର ତେତେ ମଙ୍ଗଳ, ଯେଉଁମାନଙ୍କର ଏଭଳି ମତ ଥିବ ସେମାନେ ଅବଶ୍ୟ ଏଥିରେ ସନ୍ତୁଷ୍ଟ ହେବେ ।

( ଏହି ଲେଖାଟି 'ସତ୍ୟବାଦୀ' ପତ୍ରିକାରେ ପ୍ରଥମେ ପ୍ରକାଶିତ ହୋଇଥିଲା ।)

No comments:

Post a Comment