Monday, May 14, 2018

ଗିଜୁଭାଇ ବଧେକା: ଶିକ୍ଷାରେ ପ୍ରବେଶ ତଥା ବାଲମନ୍ଦିର ଆରମ୍ଭ


ସମ୍ପାଦନା - ନିଖିଳ ମୋହନ ପଟ୍ଟନାୟକ


ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ (୧୯୧୩ କିମ୍ବା ୧୯୩୪ ମସିହାର ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଶିକ୍ଷାରେ ପ୍ରବେଶ

କିନ୍ତୁ ଧୀରେ ଧୀରେ ଓକିଲାତି କାମ ତାଙ୍କୁ [ଗିଜୁଭାଇଙ୍କୁ] ଆଉ ଭଲ ଲାଗିଲା ନାହିଁ । ଓକିଲାତି ବ୍ୟବସାୟରେ ମିଛ କହିବା ପାଇଁ ଆସୁଥିବା ଚାପ ତାଙ୍କର ପସନ୍ଦ ନ ଥିଲା । ସେ ଶିକ୍ଷା କ୍ଷେତ୍ରରେ କାମ କରିବାକୁ ଆଗ୍ରହୀ ହେଲେ । ତାଙ୍କ ମାମୁଙ୍କଠାରୁ ଚିଠି ନେଇ ଦକ୍ଷିଣାମୂର୍ତ୍ତୀଠାରେ ଏକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କଲେ । ସେଠାରେ ତାଙ୍କର ଆଗ୍ରହ ଓ ଶିକ୍ଷା ପଦ୍ଧତି ସମସ୍ତଙ୍କୁ ମୁଗ୍ଧ କରିଥିଲା । ୧୯୧୦ରୁ ୧୯୨୦ ଯାଏଁ ଦେଶରେ ଏକ ଅଲଗା ପ୍ରକାରର ସମୟ ଥିଲା । ବିନୋବା, ଦତ୍ତାତ୍ରେୟ କାଲେଲକର, କୃପାଳିନୀ, ରାଜେନ୍ଦ୍ର ପ୍ରସାଦ, ଠକ୍କରବାପା, ଗୋଖଲେ ଆଦି ନିଜ ନିଜର ଚିନ୍ତାଧାରା ଅନୁସାରେ କାମ ଆରମ୍ଭ କରିସାରିଥିଲେ । ଗିଜୁଭାଇ ବି ଏହି ଜାତୀୟ ଆନ୍ଦୋଳନରେ ଭାଗିଦାର ହେବା ପାଇଁ ବାହାରିଲେ ।

ବାଲମନ୍ଦିର ଆରମ୍ଭ

ଦକ୍ଷିଣାମୂର୍ତ୍ତୀ ବିନୟ ମନ୍ଦିର (ହାଇସ୍କୁଲ)ର ଆଚାର୍ଯ୍ୟ ଭାବରେ ସେ ଚାରି ବର୍ଷ କଟାଇଲେ । ସେହି ଚାରି ବର୍ଷ ଭିତରେ ସେ ଜଣେ ଶିକ୍ଷକ ଓ ସଙ୍ଗଠକ ଭାବରେ ସେହି ଅନୁଷ୍ଠାନର ଏକ ଟାଣୁଆ ମୂଳଦୁଆ ପକାଇ ପାରିଲେ ଓ ତାହାର ଭବିଷ୍ୟତ ବିକାଶ ପାଇଁ ବାଟ ଖୋଲିଦେଲେ । ଏହା ଭିତରେ ଗିଜୁଭାଇ ଅନୁଭବ କଲେ ଯେ ପିଲାମାନଙ୍କର ଚରିତ୍ର ଗଠନ ପାଇଁ ସେମାନଙ୍କୁ ଭଲ ସଂସ୍କାର ଦେବାକୁ ହେବ । ସେଥି ପାଇଁ ବଡ଼ ପିଲା ନୁହେଁ, ବରଂ ଖୁବ ଛୋଟ ପିଲାଙ୍କଠାରୁ ଶିକ୍ଷାଦାନ ଆରମ୍ଭ କରିବାକୁ ହେବ । ସମସ୍ତଙ୍କ ସ୍ୱୀକୃତି ନେଇ ୧୯୨୦ ମସିହାରେ ସେ ଛୋଟ ପିଲାଙ୍କ ପାଇଁ ବାଲମନ୍ଦିର ବିଦ୍ୟାଳୟ ଆରମ୍ଭ କଲେ ।

ବାଲମନ୍ଦିରର ପ୍ରତିଟି କାମ ତାଙ୍କୁ ମୂଳରୁ ଆରମ୍ଭ କରିବାକୁ ହୋଇଥିଲା । ସେ ନିଜର କ୍ଷମତା, ଶକ୍ତି ଏବଂ ସୀମା ବିଷୟରେ ସଚେତନ ଥିଲେ । ମଣ୍ଟେସୋରୀ ପଦ୍ଧତି ସ୍ଥାନୀୟ ପରିବେଶରେ କେତେ ଦୂର ଫଳପ୍ରଦ ହେବ ସେ ଦିଗରେ ସେ ପରୀକ୍ଷା ଆରମ୍ଭ କରିଥିଲେ । ସେ ସମୟରେ ସମାଜ ବି ଏଭଳି ନୂଆ ଚିନ୍ତାଧାରା ପ୍ରତି ଅନୁକୂଳ ନ ଥିଲା । କିନ୍ତୁ ଗିଜୁଭାଇ ଶିକ୍ଷା ପାଇଁ ନୂଆ ବାଟ ସବୁ ଖୋଜିବାରେ କାମ ଜାରି ରଖିଲେ ।

ସେବେଠାରୁ ତାଙ୍କର ସବୁ ସମୟ କେବଳ ପିଲାଙ୍କ ଚିନ୍ତାରେ ହିଁ କଟି ଯାଉଥିଲା । ଗୋଟି ଗୋଟି କରି ପ୍ରତ୍ୟେକ ପିଲାଙ୍କ କଥା ଭାବି, ପ୍ରତ୍ୟେକଙ୍କ ପାଇଁ ଅଲଗା କାର୍ଯ୍ୟପ୍ରଣାଳୀ ସେ ସ୍ଥିର କରୁଥିଲେ । ପିଲାଙ୍କ ସହିତ ନିଜକୁ ସେ ସମ୍ପର୍ଣ୍ଣ ରୂପରେ ମିଶେଇ ଦେଇଥିଲେ । ନିଜ କଥା ଭାବିବାକୁ ବି ସେ ସମୟ ପାଉ ନ ଥିଲେ। କେବେ କେହି ଛୋଟ ପିଲା ଆସି ତାଙ୍କୁ କହୁଥିଲେ ଯେ, ଘରେ ମା' ତାକୁ ମାଡ଼ ଦେଇଛି । ଗିଜୁଭାଇ ସେ ମା' ପାଖକୁ ଧାଡିଏ ଚିଠି “ଆଉ ଏକୁ ମାରିବ ନାହିଁ” ଲେଖି, ପିଲା ହାତରେ ପଠାଇ ଦେଉଥିଲେ । ଲାଜରୁ ଓ ଗିଜୁଭାଇଙ୍କ ପ୍ରତି ଶ୍ରଦ୍ଧାରୁ ମାଡ଼ ବନ୍ଦ ହେଉଥିଲା ।

ଗିଜୁଭାଇଙ୍କ ମତରେ ପିଲାମାନେ ସ୍ନେହ କରି ମତେ ନୂଆ ଜୀବନ ଦେଇଛନ୍ତି । ସେମାନଙ୍କୁ ଶିଖାଇବା ବେଳେ ପ୍ରକୃତରେ ମୁଁ ହିଁ ବେଶି ଶିଖୁଛି । ସେମାନେ ତଳୁ ଉପରକୁ ଉଠିବା ବେଳେ ମୁଁ ବି ଉପରକୁ ଉଠୁଛି । ସେମାନଙ୍କ ଗୁରୁ ହେବା ଭିତରେ ସେମାନଙ୍କର ଗୁରୁପଣିଆ ଦେଖୁଛି ।

ଗିଜୁଭାଇଙ୍କ ବାଲମନ୍ଦିର ସମସ୍ତଙ୍କ ପାଇଁ ଏକ ଆଦର୍ଶ ଉଦାହରଣ ଥିଲା । ସେହି ଢାଞ୍ଚାରେ ବିଭିନ୍ନ ସ୍ଥାନରେ ବାଲମନ୍ଦିରମାନ ଖୋଲାଗଲା । ଫଳରେ ଅଧିକରୁ ଅଧିକ ପିଲା ଉପକୃତ ହୋଇପାରିଲେ । ମଣ୍ଟେସୋରୀ ସଙ୍ଘ ଗଢ଼ାଗଲା ଏବଂ ଦକ୍ଷିଣାମୂର୍ତ୍ତି ଓ ଶିକ୍ଷଣ ପତ୍ରିକା ନାଁରେ ଦୁଇଟି ପତ୍ରିକା ପ୍ରକାଶ କରାଗଲା । ଏହି ସମୟରେ ଗିଜୁଭାଇ ତାଙ୍କର ଲେଖାଲେଖି କାମ ମଧ୍ୟ ଜୋରରେ ଚଳାଇଲେ । ଶିଶୁ ସାହିତ୍ୟ, ଶିକ୍ଷା ବିଚାର, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ଲେଖା କାମ ଚାଲିଲା । ମଣ୍ଟେସୋରୀ ସଙ୍ଘର କାର୍ଯ୍ୟକ୍ରମ ବଢ଼ିଲା ଏବଂ କେତେ ସମ୍ମିଳନୀ ଆୟୋଜନ କରାଗଲା । ମଣ୍ଟେସୋରୀ ପଦ୍ଧତିର ଉପକରଣ ଆମ ଦେଶରେ ତିଆରି କରିବା ପାଇଁ ମଧ୍ୟ ସେ ଲାଗି ପଡିଥିଲେ । ଏ ସବୁ ଫଳରେ ଗିଜୁଭାଇଙ୍କର ଦାୟିତ୍ୱ ଓ କାମର ପରିସର ବଢ଼ିବାକୁ ଲାଗିଲା ।

୧୯୩୦ ମସିହାରେ ସ୍ୱାଧୀନତା ଆନ୍ଦୋଳନ ଆସିଲା । ଗିଜୁଭାଇଙ୍କ ଶିକ୍ଷକ ଆତ୍ମା ଚିନ୍ତା କରିବାକୁ ଲାଗିଲା ଯେ, ଏଭଳି ପରିସ୍ଥିତିରେ ସେ କ'ଣ କରିପାରିବେ । ସ୍ୱାଧୀନତା ପାଇବାରେ ଏବଂ ତାକୁ ଧରି ରଖିବାରେ ସାକ୍ଷରତାର ଗୁରୁତ୍ୱ ସେ ବୁଝୁଥିଲେ । ତେଣୁ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ସେ ଯୋଜନା କଲେ ।

କାମରେ ମାତି ରହି ନିଜ ସ୍ୱାସ୍ଥ୍ୟ ପ୍ରତି ସେ ବିଶେଷ ଧ୍ୟାନ ଦେଉ ନ ଥିଲେ । ଫଳରେ ଧୀରେ ଧୀରେ ତାଙ୍କର ଦେହ ଖରାପ ହେବାକୁ ଲାଗିଲା । ଜଳବାୟୁର ପରିବର୍ତ୍ତନ ପାଇଁ ତାଙ୍କୁ ଅନ୍ୟ ଜାଗାକୁ ନିଆଗଲା । କିନ୍ତୁ ଗିଜୁଭାଇଙ୍କର ଅସୁସ୍ଥତା ବଢ଼ିବାରେ ଲାଗିଲା । ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଦେଖିବାକୁ ଆସିଲେ । ଗାନ୍ଧିଜୀ ତାଙ୍କ କଥା ପଚାରି ଶ୍ରଦ୍ଧାରେ ଲୁହ ଗଡ଼ାଇଥିଲେ । କିଛି ଦିନର ଅସୁସ୍ଥତା ପରେ ୧୯୩୯ ମସିହା ଜୁନ ୨୩ ତାରିଖ ଦିନ ବମ୍ୱେଠାରେ ତାଙ୍କର ଜୀବନଦୀପ ଲିଭିଗଲା । ତାଙ୍କ ଶିକ୍ଷା ପଦ୍ଧତି, ପିଲାଙ୍କ ପାଇଁ କରିଥିବା କାର୍ଯ୍ୟ, ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିଗଲା ।

କର୍ମଯୋଗୀ ଗିଜୁଭାଇ ତାଙ୍କ ଜୀବନ ସାରା କେବଳ କର୍ମ ହିଁ କରିଛନ୍ତି । ଖାଇବା ଓ ଶୋଇବା ଭୁଲି, ସେ କେବଳ କାମରେ ଲାଗି ରହୁଥିଲେ । ସେ କହୁଥିଲେ, “ଶହେ ବର୍ଷ ବଞ୍ଚିବାର ଆଶା ରଖି ଦଶ ବର୍ଷର ବି କାମ ନ କରିବା ଅପେକ୍ଷା ପଚାଶ ବର୍ଷ ବଞ୍ଚିବାକୁ ଆଶା ରଖି ଶହେ ବର୍ଷର କାମ କରି ପାରିବା ବେଶୀ ଭଲ।

(ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।) 

No comments:

Post a Comment