Friday, May 18, 2018

ପଲ୍ଲୀଶିକ୍ଷା ପ୍ରସଙ୍ଗ

ଗୋପବନ୍ଧୁ ଦାଶ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯାଜପୁର ଅନ୍ତର୍ଗତ କଲ୍ୟାଣପୁର ଯୁବକମାନଙ୍କ ଯତ୍ନରେ ପ୍ରାଇମେରି ସ୍କୁଲ ଉତ୍ତମ କାର୍ଯ୍ୟ କରୁଥିବାର ଇତି ପୂର୍ବେ ଜାଣିଥିଲୁ । ଶୁଣି ସୁଖୀ ହେଲୁ ଯେ, ବର୍ତ୍ତମାନ ସେ ଗ୍ରାମରେ ଟୋକା ବୁଢ଼ା ସମସ୍ତେ ଗ୍ରାମରେ ସକଳ ପ୍ରକାର ଶିକ୍ଷା ଉନ୍ନତି ନିମନ୍ତେ ଲାଗି ପଡ଼ିଛନ୍ତି । ଗାଁର ଦରିଦ୍ର ପିଲାମାନଙ୍କୁ ଉପରକୁ ପଢ଼ାଇବା ଲାଗି ଗୋଟିଏ ପାଣ୍ଠିର ଆୟୋଜନ ହୋଇଅଛି । ଗ୍ରାମର ଯେଉଁ ଶିକ୍ଷିତ ଯୁବକମାନେ ରୋଜଗାର କରୁଛନ୍ତି ସେମାନେ ମାସିକ କିଛି କିଛି ସାହାଯ୍ୟ ଦେବାକୁ ସ୍ୱୀକାର କରିଛନ୍ତି । ଏ ଗାଁରେ ପ୍ରାୟ ଶହେ ଘର ସରିକି ପରାଶର ଗୋତ୍ରି କରଣ ଅଛନ୍ତି  । ଏମାନେ ଗାଈ ପୁଅକୁ ବିକନ୍ତି ନାହିଁ କିମ୍ୱା ନିଜେ ବଳଦ କରି ହଳ କରନ୍ତି ନାହିଁ । ଯାହାକୁ ତାପ ସେହି ପରି ଦେଇ ଦିଅନ୍ତି, ନ ହେଲେ ଷଣ୍ଢ କରି ଛାଡ଼ି ଦିଅନ୍ତି । ମାତ୍ର ସମସ୍ତେ ସଭା କରି ଗାଈପୁଅମାନଙ୍କୁ ଏଣିକି ଗାଁ ଶିକ୍ଷା ପାଣ୍ଠିକି ଦେବାର ସ୍ଥିର କରିଛନ୍ତି । ଚାଷୀମାନେ ଏକର ମୁଣ୍ଡେ ଗଉଣୀଏ ଲେଖାଁଏ ଧାନ ଦେବେ ବୋଲି ମଧ୍ୟ କଥା ହୋଇଛି । ଏହା ଛଡ଼ା ବିବାହ ଆଦି ଶୁଭ କାର୍ଯ୍ୟରେ ସମସ୍ତେ କିଛି କିଛି ଦେବାର ପ୍ରସ୍ତାବ ଧାର୍ଯ୍ୟ ହୋଇଅଛି । ଗ୍ରାମରେ ଗୋଟିଏ ପୁସ୍ତକାଳୟର ଆରମ୍ଭ ହୋଇଅଛି । ଅୟମାରମ୍ଭ ଶୁଭାୟ ଭବତୁ। ଭଗବାନ ଗ୍ରାମବାସୀମାନଙ୍କର ଏ ଉତ୍ସାହ ସ୍ଥାୟି କରନ୍ତୁ ।

ସାଲୁର ଜୟପୁର ଏଜେନ୍‌ସିରେ ଗୋଟିଏ ପ୍ରସିଦ୍ଧ ରାଜୁଡ଼ା । ଏହା ଓଡ଼ିଆ ଅଞ୍ଚଳ । ମାତ୍ର ତେଲେଙ୍ଗାର ସମ୍ପୂର୍ଣ୍ଣ ପ୍ରଚାର । ସାଲୁର ବ୍ରାହ୍ମଣ ସାହିରେ ଏବେ ଗୋଟିଏ ଓଡ଼ିଆ ପ୍ରାଇମେରି ସ୍କୁଲ ବସିଅଛି । ଓଡିଶା ଲୋକେ ବିଚାର ପାରନ୍ତି ପ୍ରାଇମେରି ସ୍କୁଲଟାଏ ବସିବା ଏଡ଼େ ବଡ଼ କଥା କଅଣ ? ଯେଉଁଠାରେ ହିନ୍ଦିବଙ୍ଗଳା ବା ତେଲେଙ୍ଗା ଭାଷା ଏକ ପ୍ରକାର ଜବରଦସ୍ତି ଓଡିଆମାନଙ୍କୁ ଶିକ୍ଷା ଦିଆଯାଉଛି, ଏଠାରେ ଓଡିଆ ପାଠଶାଳା ବସାଇବା ଅତି ଗୁରୁତର କାର୍ଯ୍ୟ । ଯେଉଁମାନେ ଏପରି କାର୍ଯ୍ୟ ଆରମ୍ଭ କରନ୍ତି, ସେହିମାନେ ଏକା ଏଥିର କଷ୍ଟ ଅସୁବିଧା ଜାଣନ୍ତି । ସାଲୁର କ୍ଷୁଦ୍ର ଶିକ୍ଷା ଉଦ୍ୟମଟି ସଫଳ ହେଉ । ଉଦ୍‌ଯୋଗୀମାନଙ୍କୁ ଆମ୍ଭେମାନେ ପୂର୍ଣ୍ଣ ସହାନୁଭୂତି ଜଣାଉଅଛୁଁ ।

ଶୁଣାଯାଏ ଛାତ୍ରସଙ୍ଖ୍ୟା କମି ଯାଇ ଥିବାରୁ ଭୁବନେଶ୍ୱର ଟୋଲ ଉଠି ଯିବାର କଥା ଉଠିଅଛି । ଭୁବନେଶ୍ୱର ପୁରୀ ଜିଲ୍ଲୀରେ ଏକ ପ୍ରଧାନ ସ୍ଥାନ । ଏହା ଯେପରି ସ୍ୱାସ୍ଥ୍ୟକର ତୀର୍ଥସ୍ଥାନ, ଟୋଲ ଭଲ ହେଲେ ଦୂର ସ୍ଥାନରୁ ଅନେକ ଛାତ୍ର ଆସି ଏଠାରେ ପଢ଼ନ୍ତେ । କମିଟି ବାଧ୍ୟ୍ୟ କଲେ ବଡ଼ୁ ଏବଂ ସେବକ ବ୍ରାହ୍ମଣମାନଙ୍କ ପିଲାମାନେ ଅନ୍ତତଃ କେତେ ବର୍ଷ ଏଠାରେ ପଢ଼ନ୍ତେ । ନିକଟରେ ଅନେକଗୁଡ଼ିଏ ବଡ଼ବଡ଼ ବ୍ରାହ୍ମଣ ଗ୍ରାମ ଅଛି। ଉପଯୁକ୍ତ ଉଦ୍ୟମ ହେଲେ ଟୋଲରେ କଦାପି ଛାତ୍ରର ଅଭାବ ହେବ ନାହିଁ । ଭୁବନେଶ୍ୱର ପରି ସ୍ଥାନରେ ଗୋଟିଏ ଟୋଲ ରହିବା ନିତାନ୍ତ ଆବଶ୍ୟକ । ଆଶା କରୁଁ ସ୍ଥାନୀୟ ଶିକ୍ଷାନୁରାଗୀ ବ୍ୟକ୍ତିମାନଙ୍କର ଶୀଘ୍ର ଏଥି ପ୍ରତି ନଜର ପଡ଼ିବ ।

ଗଲା ୨୯ ତାରିଖରେ ବାଲୁଗାଁ ବାଳିକା ସ୍କୁଲର ପ୍ରାଇଜ ହୋଇଥିଲା । ବାଣପୁର ମାଇନର ସ୍କୁଲ ହେଡ଼ମାଷ୍ଟର ସଭାପତି ହୋଇଥିଲେ । ଏ ଗାଁରେ ଏହା ଗୋଟିଏ ନୂତନ କାର୍ଯ୍ୟ, ବୈଷ୍ଣବ ଚରଣ ପଟ୍ଟନାୟକ ପ୍ରଭୃତିଙ୍କ ଯତ୍ନରେ ସୁଚାରୁରୂପେ ନିର୍ବାହିତ ହୋଇଥିଲା । ଆମ୍ଭମାନଙ୍କ ପଲ୍ଲୀରେ ବାଳିକା ବିଦ୍ୟାଳୟ ସଙ୍ଖ୍ୟା ଅଦ୍ୟାପି ଅତି କମ୍ । ବାଳିକାମାନେ ପାଠ ନ ପଢ଼ିଲେ ଦେଶରେ କଦାପି ଶିକ୍ଷାର ଉନ୍ନତି ହେବ ନାହିଁ । ସରକାର ମଧ୍ୟ ବାଳିକାମାନଙ୍କ ଶିକ୍ଷା ନିମନ୍ତେ ସାହାଯ୍ୟ ଦେବାକୁ ପ୍ରସ୍ତୁତ । ଯେଉଁମାନେ ପଲ୍ଲୀଗ୍ରାମରେ ବାଳିକା ବିଦ୍ୟାଳୟ ବସାଇବାର ଯତ୍ନ କରୁଛନ୍ତି ସେମାନେ ଯଥାର୍ଥରେ ସମସ୍ତଙ୍କର ପ୍ରଶଂସାର ପାତ୍ର ।

(ସମାଜ ପ୍ରଥମ ଭାଗ, ୧୦ମ ସଙ୍ଖ୍ୟା ୧୯୧୯,  ତା ୬-୧୨-୧୯୧୯)

No comments:

Post a Comment