Tuesday, May 22, 2018

ଗିଜୁଭାଇଙ୍କର ବ୍ୟକ୍ତିତ୍ୱର ଝଲକ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଗିଜୁଭାଇଙ୍କର ବ୍ୟକ୍ତିତ୍ୱ ଅନେକ ଲୋକଙ୍କୁ ପ୍ରେରଣା ଦେଇଛି । ସେ ଯାହା କରିବା ପାଇଁ ସ୍ଥିର କରନ୍ତି, ତାକୁ ସେ ଯେ କୌଣସି ପ୍ରକାରରେ ଶେଷ କରିବା ପାଇଁ ଲାଗି ପଡ଼ନ୍ତି। ନିରନ୍ତର ଏବଂ କଠିନ ପରିଶ୍ରମ ଦ୍ୱାରା ହିଁ ତାଙ୍କୁ ସବୁବେଳେ ସଫଳତା ମିଳୁଥିଲା । ଯେଉଁ କାମ ସେ ହାତକୁ ନେଉଥିଲେ, ତାହା ବିଷୟରେ ଗଭୀର ଭାବରେ ଚିନ୍ତା କରି ସେ ତାଙ୍କର ଯୋଜନା ତିଆରି କରୁଥିଲେ ।


ତାଙ୍କ ଦୃଷ୍ଟିକୋଣ ବିଜ୍ଞାନସମ୍ମତ ଥିଲା । ଅତ୍ୟନ୍ତ ସୂକ୍ଷ୍ମ ତଥା ବିବେକଯୁକ୍ତ ସମ୍ବେଦନଶୀଳତା ତାଙ୍କର ଉଲ୍ଲେଖନୀୟ ଗୁଣ ଥିଲା । ବାଲମନ୍ଦିରର ଅତି ସାଧାରଣ କାମରୁ ବି ସେ ଗୁରୁତ୍ୱପୂର୍ଣ୍ଣ ନିଷ୍କର୍ଷ କାଢ଼ି ପାରୁଥିଲେ । ତାଙ୍କ ମତରେ ପିଲା ସବୁବେଳେ ଚଞ୍ଚଳ ସ୍ୱଭାବର ହୁଏ ନାହିଁ । ସେ ଏକାଗ୍ରଚିତ୍ତ ହୋଇ ବି କାମ କରି ପାରେ । ତାହାର ଅନେକ ଉଦାହରଣ ବିଭିନ୍ନ ଲେଖାରେ ସେ ଦେଇ ଅଛନ୍ତି ।

ତାଙ୍କର ଆଉ ଗୋଟିଏ ବିଶେଷତା ଥିଲା ଯେ, ଯାହା ତ୍ୟାଗ କରିବା ଯୋଗ୍ୟ ତାହାକୁ ସେ ସାଙ୍ଗେ ସାଙ୍ଗେ ଛାଡ଼ି ଦେଉଥିଲେ ଏବଂ ଯାହା ଗ୍ରହଣୀୟ ତା'କୁ ସେ ସାଙ୍ଗେ ସାଙ୍ଗେ ନିଜ ଆଚରଣରେ ପ୍ରତିଫଳିତ କରୁଥିଲେ । ପିଲାଙ୍କର ଶିକ୍ଷା ଦିଗରେ କୌଣସି କାମକୁ ସେ କେବେ ବି ଛୋଟ ବା ବଡ଼ ଭାବୁ ନ ଥିଲେ । ଶ୍ରେଣୀଗୃହରେ ଛୋଟ ପିଲା ମଇଳା କରିଦେଲେ, ତାହାକୁ ସଫା କରିବାଠାରୁ ଆରମ୍ଭ କରି ବାଲଶିକ୍ଷକ ସମ୍ମିଳନୀର ଅଧ୍ୟକ୍ଷ ହେବା, ଏ ସବୁ କାମ ତାଙ୍କ ପାଇଁ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ଥିଲା । ପିଲାଙ୍କ ସହ କାମ କଲା ବେଳେ ଉପରେ ସେ ପିଲାଙ୍କ ଭଳି ବ୍ୟବହାର କରୁଥିଲେ, କିନ୍ତୁ ମନ ଭିତରେ ଗମ୍ଭୀର ଭାବରେ ବିଚାର କରୁଥିଲେ । ଏଭଳି ଦୁଇ ପ୍ରକାର ବ୍ୟବହାରରେ ସେ କେବେ ବି ସମନ୍ୱୟ ହରାଉ ନ ଥିଲେ ।

ପିଲାଙ୍କ ପ୍ରତି ତାଙ୍କ ହୃଦୟ ଅତି କୋମଳ ଥିଲା । ତାଙ୍କ ଭାଷାରେ, “ପିଲାଙ୍କ ସହ କାମ କରିବା ଯେତିକି ପ୍ରାଣଦାୟକ, ସେତିକି କଷ୍ଟକର ମଧ୍ୟ । ପିଲାଙ୍କ ସ୍ୱଭାବ ବିଷୟରେ ଜ୍ଞାନ, ସେମାନଙ୍କ ପ୍ରତି ଶ୍ରଦ୍ଧା ରଖିବା ସହିତ ସେମାନଙ୍କୁ ହୃଦୟର ସହ ସ୍ନେହ ଦେଲେ, ଅସମ୍ଭବ କାମ ବି ସମ୍ଭବ ହୋଇ ପାରିବ । ପିଲାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଯେ ଯାଏଁ ଆମ ମନରେ ଦୁଃଖ ନ ଦେଇଛି, ସେ ଯାଏଁ ଆମେ ବାଲଶିକ୍ଷଣ ପାଇଁ ଯୋଗ୍ୟ ହୋଇନାହେଁ । ସେ ଯାଏଁ ଆମେ ପିଲାର କିଛି ବି ଉନ୍ନତି କରି ପାରିବା ନାହିଁ ।”

ତାଙ୍କ ମନରେ ଧନୀ ଗରିବର ଭେଦଭାବ ନ ଥିଲା । ଅଲଗା ଅଲଗା ବାତାବରଣରୁ ଆସିଥିବା ପିଲାଙ୍କ ସହ ସେ ବେଶ୍ ସାବଧାନତାର ସହ ବ୍ୟବହାର କରୁଥିଲେ । ଧନୀ ପିଲାଙ୍କୁ ବହୁତ ବୁଝାଶୁଝା କରି ତାଙ୍କ ଅଭ୍ୟାସମାନ ଛଡ଼ାଇଥିଲେ । ସମସ୍ତଙ୍କ ପ୍ରତି ପୂର୍ଣ୍ଣ ସହାନୁଭୂତି ସହ ବ୍ୟବହାର କରିବା ସହିତ କାହା ଉପରେ ନିଜର ଭଲଗୁଣକୁ ଲଦି ନ ଦେବାର ଉଦାରତା ତାଙ୍କ ବ୍ୟକ୍ତିତ୍ୱର ବଡ଼ ବିଶେଷତା ଥିଲା । ଏ ସବୁ ଭିତରେ ନିଜ ବ୍ୟକ୍ତିତ୍ୱ ଉପରେ କୌଣସି ଆଞ୍ଚ ଆସିବାକୁ ସେ ଦେଉ ନ ଥିଲେ। ଏଭଳି ବିଶେଷତା ଗାନ୍ଧିଜୀଙ୍କ ବ୍ୟତୀତ ବହୁତ କମ୍ ଲୋକଙ୍କ ପାଖରେ ଦେଖାଯାଏ ।

ଗିଜୁଭାଇଙ୍କର ଅଧ୍ୟୟନ ଅତି ଗଭୀର ଓ ବ୍ୟାପକ ଥିଲା । ସେ କୌଣସି ଅପରିବର୍ତ୍ତନୀୟ ବିଚାର ବା ମତାବାଦ ଭିତରେ ନିଜକୁ ବାନ୍ଧି ରଖି ନ ଥିଲେ। ଉପଯୁକ୍ତ ବିଚାର ବିମର୍ଷ ପରେ ସେ ଖୋଲା ମନରେ ନୂଆ କଥା ସବୁ ଗ୍ରହଣ କରୁଥିଲେ । ଆଦର୍ଶ ପ୍ରତି ପ୍ରଗାଢ଼ ଅନୁରକ୍ତି, ଧନସମ୍ପତ୍ତି ପ୍ରତି ନିର୍ଲିପ୍ତତା, ସ୍ୱତନ୍ତ୍ର ବିଚାରଧାରା ସହିତ ଶିକ୍ଷାରେ ଲାଗି ରହିବା ଆଦି ତାଙ୍କର ବିଶିଷ୍ଟ ଗୁଣମାନ ଥିଲା ।

(ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।) 

No comments:

Post a Comment