Tuesday, February 27, 2018

ବିଦ୍ୟାଳୟରେ ପାଠର ସମୟ

ଗୋପବନ୍ଧୁ ଦାଶ


ପ୍ଲାଟୋଙ୍କର ଅକାଦେମୀର ଚିତ୍ର
ଇତାଲୀ ଦେଶର ପମ୍ପେଇ ନଗରସ୍ଥ ମୋଜାଗି: ପ୍ରଥମ ଶତାବ୍ଦୀ (ୱିକିମିଡିଆ କମନ୍ସ୍)

ସରକାରୀ କଚେରି ସ୍କୁଲ, କାରଖାନା,ସବୁଥିରେ ଆଜିକାଲି କାର୍ଯ୍ୟର ସମୟ ସକାଳ ଦଶଟା ଓ ଏଗାରଟା ଠାରୁ ଉପର ବେଳା ୪ଟା ୫ଟା ପର୍ଯ୍ୟନ୍ତ । ସରକାର ତ ସବୁ ବିଷୟରେ ଆଦର୍ଶ । ଯଥା ରାଜା ତଥା ପ୍ରଜା । ସରକାରଙ୍କ ଦେଖାଦେଖି ଅନ୍ୟାନ୍ୟମାନେ ମଧ୍ୟ ସେହି ସମୟ ସମୟରେ ପାଠପଢ଼ା ହେଉଛି । କିନ୍ତୁ ଭାରତରେ ଏ ସମୟ କାର୍ଯ୍ୟ ପକ୍ଷେ କଦାପି ପ୍ରଶସ୍ତ ନୁହେଁ । ଚିରକାଳ ଏ ଦେଶରେ ସବୁ କ୍ଷେତ୍ରରେ କାର୍ଯ୍ୟକାଳ ଦୁଇ ବେଳା ସକାଳଓଳି ଓ ଉପରଓଳି । ଦୁଇ ପ୍ରହର ବା ମଧ୍ୟାହ୍ନ ସମୟରେ ବିଶ୍ରାମ । ଏ ଦେଶର ଜଳବାୟୁ, ଖାଦ୍ୟପେୟ ପ୍ରଭୃତି ସକଳ ବିଷୟ ଦୃଷ୍ଟିରେ ଏଭଳି ସମୟ ନିର୍ଦ୍ଦେଶ ସ୍ୱାସ୍ଥ୍ୟକର ଏବଂ ସୁବିଧାଜନକ । ସକାଳେ କାର୍ଯ୍ୟ କରିବା ଲାଗି ଦେହ ଓ ମନ ଉଭୟରେ ସ୍ଫୂର୍ତ୍ତି ଥାଏ । ପରିଶ୍ରମ ପରେ ମଧ୍ୟାହ୍ନ ସମୟରେ ଭୋଜନ ବେଳକୁ କ୍ଷୁଧା ହୁଏ । ମଧ୍ୟାହ୍ନ ଭୋଜନ ପରେ ଶରୀର ସାଧାରଣତଃ ଟିକିଏ ଅବସନ୍ନ ହୋଇଆସେ । ସାମାନ୍ୟ ବିଶ୍ରାମ ପରେ ପୁଣି ନବଶକ୍ତିର ସଞ୍ଚୟ ହୁଏ ଏବଂ ଉପରବେଳା କାର୍ଯ୍ୟ ହୁଏ ଏବଂ କର୍ମୀ ସହଜରେ କ୍ଲାନ୍ତ ହୁଏ ନାହିଁ । ଏହା ଭାରତରେ ଚରନ୍ତର କାର୍ଯ୍ୟପ୍ରଣାଳୀ । କିନ୍ତୁ ଅନ୍ୟାନ୍ୟ ଅନେକ ବିଷୟରେ ଭାରତୀୟ ପ୍ରଥା ପ୍ରକୃତି ନ ବୁଝି ଯେପରି ନୂତନ ବିଧାନର ପ୍ରବର୍ତ୍ତନ ହୋଇଅଛି, ଏ କ୍ଷେତ୍ରରେ ମଧ୍ୟ ସେହିପରି ଅବଶ୍ୟ ଏକ ଶହ ବର୍ଷରୁ ଉର୍ଦ୍ଧ୍ୱ କାଳ ଚଳି ଆସିବାରୁ ଏହା ଏକ ପ୍ରକାର ଅଭ୍ୟାସ ପଡିଗଲାଣି । କିନ୍ତୁ ଏଥିରେ ଯେ କି ଅନିଷ୍ଟ ହେଉଛି, ଟିକିଏ ଚିନ୍ତା କଲେ ଅନାୟାସରେ ଜଣାପଡ଼େ । ଦୁଇ ବେଳା କାର୍ଯ୍ୟ କରିବା ଲୋକଙ୍କ ସଙ୍ଗେ ୧୧ଟାଠାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ଲୋକଙ୍କର ତୁଳନା କରି ଦେଖିଲେ ପ୍ରଥମୋକ୍ତମାନେ ଅଧିକ ସତେଜ ଓ ଶକ୍ତି ଥିବାର ଦେଖାଯିବ । ଯେଉଁମାନେ ସ୍କୁଲ କଲେଜରେ ପଢ଼ନ୍ତି ବା କଚେରିରେ କାମ କରନ୍ତି, ସେମାନଙ୍କ ମଧ୍ୟରୁ ସତେଜ ଜଣ ସୁସ୍ଥ ସବଳ ? ଦେହକୁ ଜଗି ଚଳିବାରେ ସେମାନଙ୍କର ସମୟ ନିଅଣ୍ଟ । କିନ୍ତୁ ଆଜି ପେଟ ହେଲେ କାଲି ମୁଣ୍ଡ. କ୍ରମାଗତ କିଛି ନା କିଛି ଗୋଟାଏ ଆଧିବ୍ୟାଧି ତ ଲାଗି ରହିଛି । ଅଜୀର୍ଣ୍ଣ ଉଦରାମୟ ରୋଗ ଶିକ୍ଷିତ ସମ୍ପ୍ରଦାୟକୁ ଏକପ୍ରକାର ଛାରଖାର କରି ଦେଲାଣି । ଯଥାସମୟରେ ଉପଯୁକ୍ତ ବିଶ୍ରାମର ଅଭାବ ଏହାର ପ୍ରଧାନ କାରଣ । ୧୧ଟା ବେଳେ ଭୋଜନ କଲା ମାତ୍ର କର୍ମକ୍ଷେତ୍ରକୁ ଦଉଡିବାକୁ ପଡ଼େ । ଏ ଦେଶର ଲୋକେ ସାଧାରଣତଃ ଦୁଇ ଥର ଖାଆନ୍ତି । ତେଣୁ ପ୍ରତି ଥର ପେଟ ପୂରାଇ ଖାଆନ୍ତି । ପାକସ୍ଥଳୀ ଉପରେ ଟିକିଏ ବେଶି ଚାପ ପଡେ, କିନ୍ତୁ ଏଣେ ପାକସ୍ଥଳୀକି ଆଦୌ ବିଶ୍ରାମ ମିଳେ ନାହିଁ । ୧୦ଟା ୧୧ଟା ବେଳେ ନିଶ୍ଚୟ କର୍ମକ୍ଷେତ୍ରକୁ ଯିବାକୁ ଦରକାର ଆଉ ଭୋକ ଥାଉ ନ ଥାଉ ଖାଇବାକୁ ହେବ । ଏଥିରେ ଜୀବନକ୍ରିୟାର ସ୍ୱାଚ୍ଛନ୍ଦ୍ୟ ଏବଂ ପ୍ରାକୃତିକତା ନଷ୍ଟ ହୋଇଯାଉଛି । ସବୁ ଗୋଟାଏ ଯନ୍ତ୍ରରେ ଚାଲିବା ପରି ଚାଲୁଛି । ଶୀତପ୍ରଧାନ ଦେଶର ଖାଦ୍ୟ ବ୍ୟବହାର ଅନ୍ୟ ପ୍ରକାର ଜଳବାୟୁ ଅନ୍ୟ ପ୍ରକାର । ସେଠା ନିୟମ ଏଠା ଲୋକଙ୍କ ପ୍ରତି ଖଟିବ କାହୁଁ ? ପ୍ରକୃତି ସବୁବେଳେ ତାର ନିଜ ବାଟରେ ଚାଲିବାକୁ ଲୋଡ଼େ । ସାମାନ୍ୟ ବ୍ୟତିକ୍ରମ ହେଲେ ସଙ୍ଗେ ସଙ୍ଗେ ପରାଭାବ ଦିଏ । ଅଳ୍ପ ଦିନ ପୂର୍ବେ ମାନ୍ଦ୍ରାଜ ଅନ୍ତର୍ଗତ ନେଲୋରଠାରେ ଯେଉଁ ଛାତ୍ର-ସମ୍ମିଳନୀ ହୋଇଥିଲା ତହିଁରେ ସଭାପତି ଶ୍ରାମତୀ ଆନି ବେଶାନ୍ତ ଭାରତୀୟ ବିଦ୍ୟାଳୟମାନଙ୍କରେ ଏହିପରି ଅପ୍ରାକୃତିକ କାର୍ଯ୍ୟକାଳ ରୀତିକି ଆକ୍ଷେପ କରିଥିଲେ । ସେ ଦୁଇ ଓଳି ପଢ଼ା ହେବା ରୀତିର ପକ୍ଷପାତୀ । ପ୍ରାଚୀନ ରୀତିର ସଂସ୍କୃତ ଟୋଲ ଏବଂ ମଫସଲ ଚାଟଶାଳୀମାନଙ୍କରେ ଅନେକ ସ୍ଥଳେ ଏବେ ସୁଦ୍ଧା ଦୁଇ ଓଳି ପଢ଼ା ହୁଏ । ଟୋଲର ଛାତ୍ରମାନଙ୍କ ଅପେକ୍ଷା ଇଂରାଜୀ ସ୍କୁଲ କଲେଜରେ ଅବସ୍ଥା ଅଧିକ ସ୍ୱଚ୍ଛଳ ଏବଂ ସେମାନେ ଟିକିଏ ଅଧିକ ସୁଖସ୍ୱାଚ୍ଛନ୍ଦ୍ୟରେ ଚଳନ୍ତି । ତଥାପି ଟୋଲ ଛାତ୍ରମାନଙ୍କଠାରୁ ଏମାନେ ଅଧିକ ସବଳ ବୋଲି ମନେହୁଏ ନାହିଁ । ସେ ଯାହା ହେଉ ଭୋଜନର ଅବ୍ୟବହିତ ପରେ ଦିନର ମଧ୍ୟଭାଗରେ ଏକାଦିକ୍ରମେ କିମ୍ୱା ମଝିରେ ଥରେ ସାମାନ୍ୟ ବ୍ୟବଧାନ ପରେ ୫ ଘଣ୍ଟା ମାନସିକ ପରିଶ୍ରମ ଯେ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକର ଏହା ଏକପ୍ରକାର ସର୍ବବାଦୀସମ୍ମତ । ଯାହା ସମସ୍ତେ ଅଙ୍ଗେ ଭୋଗୁଛନ୍ତି, ସେଥିରେ ଆଉ ତର୍କ ଯୁକ୍ତିର ପ୍ରୟେଜନ ନାହିଁ । ଗତବର୍ଷ ଗ୍ରୀଷ୍ମାବିକାଶ ପୂର୍ବରୁ ସତ୍ୟବାଦୀ ସ୍କୁଲରେ ଦୁଇ ବେଳା ଅଧ୍ୟାପନା ରୀତି କେତେକ ଦିନ ଚଳିଥିଲା । ସକାଳେ ସାଢ଼େ ଛଅଟାଠାରୁ ସାଢେ଼ ନଅଟା ପୁଣି ଉପରଓଳି ସାଢ଼େ ତିନିଠାରୁ ସାଢେ ପାଞ୍ଚଟା । ଏ ପ୍ରଣାଳୀରେ ଅଧିକ କାର୍ଯ୍ୟ ହୁଏ, ଶିକ୍ଷକ ଓ ଛାତ୍ରମାନଙ୍କର ବେଶି ସ୍ଫୂର୍ତ୍ତି ହୁଏ ଏବଂ କାର୍ଯ୍ୟରେ ଅଧିକ ମନୋନିବେଶ ହୁଏ । ତଦାନୀନ୍ତର ଶିକ୍ଷା ବିଭାଗର ଇନ୍‌ସପେକ୍‌ଟର ମାକୁମ ସାହେବ ଏ ରୀତିର ଉପକାରତା ମଧ୍ୟ ସ୍ୱୀକାର କରିଥିଲେ । କିନ୍ତୁ ବିଦ୍ୟାଳୟ ସଂଲଗ୍ନ ଛାତ୍ରାବାସରେ ଏବଂ ବିଦ୍ୟାଳୟର ନିକଟବର୍ତ୍ତୀ ଏକ ମାଇଲ ଦୂରରେ ଯେଉଁମାନେ ବାସ କରନ୍ତି, ସେମାନେ ସ୍ୱଚ୍ଛନ୍ଦରେ ଦୁଇ ବେଳା ଯାଇ ଆସିପାରନ୍ତି । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମର ବ୍ୟବସ୍ଥା ହେଲେ ଦୂର ସ୍ଥାନର ଛାତ୍ରମାନଙ୍କର କୌଣସି ଅସୁବିଧା ରହିବ ନାହିଁ । ଶିକ୍ଷା ସମ୍ୱନ୍ଧେ ସରକାର ଏବଂ ଦେଶର ଚିନ୍ତାଶୀଳ ବ୍ୟକ୍ତିମାନେ ନାନା ସଂସ୍କାର କଳ୍ପନା କରୁଅଛନ୍ତି । ଆମ୍ଭମାନଙ୍କ ଶିକ୍ଷିତ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଓ ଶାରୀରିକ ଅବସ୍ଥା ଦୃଷ୍ଟିରେ କାର୍ଯ୍ୟର ସମୟ ଆଲୋଚନା ବିଷୟ ହେବା ଆବଶ୍ୟକ ନୁହେଁ କି ?

(ସତ୍ୟବାଦୀ ୨ୟ ଖଣ୍ଡ, ୩ୟ ସଂଖ୍ୟା, ୧୯୧୬)

Saturday, February 24, 2018

ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ

ଅନୁବାଦ - ବିଶ୍ୱଜିତ ଆପଟ


ସେ ସମୟରେ ଜ୍ଞାତ ପୃଥିବୀର ଏକ ମଧ୍ୟଯୁଗୀୟ ମାନଚିତ୍ର (୧୪୮୨ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ ଥାଏ : ଦୂରତା, ଦିଗ ଓ ସଙ୍କେତ ।

ଦୂରତା


ମାନଚିତ୍ରଗୁଡିକରେ ସମଗ୍ର ପୃଥିବୀ ବା ଏହାର ଏକ ଅଂଶକୁ ଫର୍ଦ୍ଦେ କାଗଜରେ ସୀମିତ କରାଯାଏ । କିମ୍ବା ଆମେ କହିପାରିବା ଯେ ମାନଚିତ୍ରଗୁଡିକ କ୍ଷୁଦ୍ର ମାନ ଦ୍ୱାରା ଅଙ୍କିତ ହୋଇଥାଏ । କିନ୍ତୁ ମାନ ହ୍ରାସକଲାବେଳେ ଭାରି ସତର୍କତା ଅବଲମ୍ବନ କରାଯାଏ ଯେପରି ଦୁଇଟି ସ୍ଥାନର ଦୂରତା ବାସ୍ତବ ଦୂରତାର ଅନୁରୂପ ହୁଏ । ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ କାଗଜ ଉପରେ ଅଳ୍ପ ଦୂରତା ଭୂପୃଷ୍ଠରେ ବିଶାଳ ଦୂରତାକୁ ଦର୍ଶାଇପାରିବ । ଏଥିପାଇଁ ମାନ ସ୍ଥିର କରି ବ୍ୟବହାର କରାଯାଏ । ମାନ ହେଉଛି ଭୂପୃଷ୍ଠରେ ଦୁଇଟି ସ୍ଥାନ ମଧ୍ୟରେ ପ୍ରକୃତ ଦୂରତା ଓ ମାନଚିତ୍ରରେ ଦର୍ଶାଯାଇଥିବା ଦୂରତା ମଧ୍ୟରେ ଅନୁପାତ । ଉଦାହରଣ ସ୍ୱରୂପ, ତୁମ ଘର ଠାରୁ ତୁମ ବିଦ୍ୟାଳୟର ଦୂରତା ହେଉଛି ୧୦ କିଲୋମିଟର । ଯଦି ତୁମେ ଏହି ୧୦ କିଲୋମିଟର ଦୂରତାକୁ ଏକ ମାନଚିତ୍ରରେ ୨ ସେଣ୍ଟିମିଟର ଦ୍ୱାରା ଦର୍ଶାଇବ ଏହାର ଅର୍ଥ ହେବ ମାନଚିତ୍ରରେ ୧ ସେଣ୍ଟମିଟର ପୃଥିବୀ ପୃଷ୍ଟରେ ୫ କିଲୋମିଟର ବୁଝାଏ । ତୁମ ମାନଚିତ୍ରର ମାନ ହେବ ୧ ସେ.ମି = ୫ କି.ମି. । ଏଣୁ ପ୍ରତ୍ୟେକ ମାନଚିତ୍ର ପାଇଁ ମାନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ଯଦି ତୁମକୁ ମାନ ଜଣାଥାଏ ତେବେ ମାନଚିତ୍ରରେ ଯେ କୌଣସି ସ୍ଥାନ ଦ୍ୱୟ ମଧ୍ୟରେ ଦୂରତା ତୁମେ ହିସାବ କରିପାରିବ ।

ଯେତେବେଳେ ମହାଦେଶ, ଦେଶ ଭଳି ବିଶାଳ ଭୂଖଣ୍ଡ କାଗଜରେ ଦର୍ଶାଯାଏ ଆମେ ଅତି କ୍ଷୁଦ୍ର ମାନ ବ୍ୟବହାର କରୁ । ଯେପରିକି ମାନଚିତ୍ରରେ ୫ ସେ.ମି. ଦ୍ୱାରା ଭୂପୃଷ୍ଠରେ ୫୦୦ କି.ମି. ଦର୍ଶାଇବା । ଏହାକୁ କ୍ଷୁଦ୍ରମାନବିଶିଷ୍ଟ ମାନଚିତ୍ର କୁହାଯାଏ ।

ଯେତେବେଳେ ତୁମ ଗାଁ ବା ସହର ପରି ଏକ ଛୋଟ ଅଞ୍ଚଳକୁ ଆମେ ମାନଚିତ୍ରରେ ଦର୍ଶାଉ ଆମେ ଏକ ବଡ ମାନର ବ୍ୟବହାର କରୁ ଯେପରି ମାନଚିତ୍ରରେ ୫ ସେ.ମି. ଦ୍ୱାରା ଭୂପୃଷ୍ଠରେ ୫୦୦ ମିଟର ଦର୍ଶାଇବା । ଏହାକୁ ବୃହତମାନବିଶିଷ୍ଟ ମାନଚିତ୍ର କୁହାଯାଏ ।ବୃହତମାନବିଶିଷ୍ଟ ମାନଚିତ୍ରରେ କ୍ଷୁଦ୍ରମାନବିଶିଷ୍ଟ ମାନଚିତ୍ର ଅପେକ୍ଷା ଅଧିକ ତଥ୍ୟ ରହିଥାଏ ।

ଦିଗ


ଅଧିକାଂଶ ମାନଚିତ୍ରର ଡାହାଣ ପାର୍ଶ୍ୱର ଉପର ଭାଗରେ ଏକ ତୀର ଚିହ୍ନ ପାଇବ ଯାହା ଉପରେ “N” ଲେଖା ହୋଇଥାଏ । ଏହି ତୀରଟି ଉତ୍ତର ଦିଗ ଦର୍ଶାଇଥାଏ । ଏହାକୁ ଉତ୍ତରରେଖା କୁହାଯାଏ । ଯେତେବେଳେ ତୁମକୁ ଉତ୍ତର ଦିଗଟି ଜଣା ତୁମେ ଅନ୍ୟ ଦିଗ ସବୁ ମଧ୍ୟ ଜାଣିପାରିବ । ଚାରିଟି ମୁଖ୍ୟ ଦିଗ ରହିଛି : ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ (ଚିତ୍ର କ୍ରମାଙ୍କ ୪.-) । ଏଗୁଡିକୁ ପ୍ରଧାନ ଦିଗ କୁହାଯାଏ । ଅନ୍ୟ ଚାରୋଟି ମଧ୍ୟବର୍ତ୍ତୀ ଦିଗଗୁଡିକ ହେଲେ : ଉତ୍ତର-ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ ଓ ଉତ୍ତର-ପଶ୍ଚିମ । ମଧ୍ୟବର୍ତ୍ତୀ ଦିଗଗୁଡିକର ସାହାଯ୍ୟରେ ଆମେ କୌଣସି ସ୍ଥାନର ଅବସ୍ଥିତି ସଠିକ ଭାବରେ ଦର୍ଶାଇପାରିବା ।

ଚିତ୍ର କ୍ରମାଙ୍କ ୪.୧ ଦେଖି ଏବେ ଦିଗ ନିରୂପଣ କର । କ) ବିକାଶ ଘର ଠାରୁ ଗ୍ରାମସଭା ଗୃହ ଓ ଖେଳ ପଡିଆ କେଉଁ ଦିଗରେ ଅଛି ? ) ବଜାର ଠାରୁ ବିଦ୍ୟାଳୟ କେଉଁ ଦିଗରେ ଅଛି ?

ଆମେ କମ୍ପାସ ସାହାଯ୍ୟରେ କୌଣସି ସ୍ଥାନ କେଉଁ ଦିଗରେ ଅଛି ନିର୍ଣ୍ଣୟ କରିପାରିବା । ଏହି ଯନ୍ତ୍ରଟି ମୁଖ୍ୟ ଦିଗଗୁଡିକୁ ନିରୂପଣ କରିବା ପାଇଁ ବ୍ୟବହାର କରାଯାଏ । ଏହା ମଧ୍ୟରେ ଥିବା ଚୁମ୍ବକୀୟ ସୂଚକଟି ସବୁବେଳେ ଉତ୍ତର-ଦକ୍ଷିଣ ହୋଇ ରହିଥାଏ (ଚିତ୍ର କ୍ରମାଙ୍କ ୪.-)

ସଙ୍କେତ


ଏହା ମାନଚିତ୍ରର ତୃତୀୟ ବୈଶିଷ୍ଟ୍ୟ ଅଟେ । ମାନଚିତ୍ରରେ ଘର, ରାସ୍ତା, ପୋଲ, ଗଛ, ରେଳପଥ, କୂଅ ଆଦିର ଆକାର ଓ ଆକୃତି ସଠିକ୍ ଭାବେ ଆଙ୍କିବା ସମ୍ଭବ ନୁହେଁ । ଏଣୁ ଏଗୁଡିକୁ ଅକ୍ଷର, ଛାୟାଚିତ୍ର, ଚିତ୍ର, ରଙ୍ଗ, ରେଖା ଇତ୍ୟାଦି ଦ୍ୱାରା ଦର୍ଶାଯାଇଥାଏ । ଏହି ସଙ୍କେତଗୁଡିକ ଦ୍ୱାରା ସୀମିତ ସ୍ଥାନରେ ଅନେକଗୁଡିଏ ତଥ୍ୟ ଉପସ୍ଥାପନ କରାଯାଇପାରେ । ଏହି ସଙ୍କେତଗୁଡିକର ବ୍ୟବହାର ଯୋଗୁଁ ମାନଚିତ୍ର ଆଙ୍କିବା ଓ ପଢିବାରେ ସୁବିଧା ହୁଏ । ଯଦିବା ତୁମେ କୌଣସି ଅଞ୍ଚଳର ଭାଷା ଜାଣିନାହଁ ଓ ସେହି କାରଣରୁ କାହାକୁ ଦିଗ ପଚାରି ପାରୁନାହଁ, ଏହି ସଙ୍କେତଗୁଡିକର ସାହାଯ୍ୟରେ ତୁମେ ମାନଚିତ୍ରରୁ ଅନେକ ତଥ୍ୟ ସଙ୍ଗ୍ରହ କରିପାରିବ । ମାନଚିତ୍ରଗୁଡିକର ଏକ ସାର୍ବଜନୀନ ଭାଷା ଅଛି ଯାହାକୁ ସମସ୍ତେ ବୁଝିପାରିବେ । ଏହି ସଙ୍କେତମାନଙ୍କର ବ୍ୟବହାର ପାଇଁ ଏକ ଆନ୍ତର୍ଜାତିକ ରାଜିନାମା ରହିଛି । ଏଗୁଡିକୁ ପ୍ରଚଳିତ ସଙ୍କେତ କୁହାଯାଏ । ଚିତ୍ର କ୍ରମାଙ୍କ ୪.୩ ରେ କିଛି ପ୍ରଚଳିତ ସଙ୍କେତ ଦର୍ଶାଯାଇଛି ।

ବିଭିନ୍ନ ରଙ୍ଗର ବ୍ୟବହାର ମଧ୍ୟ ଏହି ଉଦ୍ଦେଶ୍ୟରେ ହୋଇଥାଏ । ଉଦାହରଣ ସ୍ୱରୂପ, ନୀଳ ରଙ୍ଗ ଜଲରାଶି ପାଇଁ, ବାଦାମୀ ରଙ୍ଗ ପର୍ବତ ପାଇଁ, ହଳଦିଆ ରଙ୍ଗ ମାଳଭୂମି ପାଇଁ ଓ ସବୁଜ ରଙ୍ଗ ସମତଳ ଭୂମି ପାଇଁ ବ୍ୟବହୃତ ହୁଏ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଚତୁର୍ଥ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Friday, February 23, 2018

ଦେଶୀୟ ରାଜ୍ୟରେ ଶିକ୍ଷା

ଗୋପବନ୍ଧୁ ଦାଶ


୧୮୯୩ ମସିହାର ବ୍ରିଟେନର ଭାରତୀୟ ସାମ୍ରାଜ୍ୟର ମାନଚିତ୍ର (ୱିକିମିଡିଆ କମନ୍ସ୍)

ବିଚକ୍ଷଣ ମହାମତି ଗୋଖଲେ ବୁଝଥିଲେ ଭାରତର ସର୍ବପ୍ରଧାନ ଓ ପ୍ରଥମ ପ୍ରୟୋଜନ ଶିକ୍ଷା । ଶିଳ୍ପ ବୋଲସ୍ୱାସ୍ଥ୍ୟ ବୋଲ ସହଯୋଗିତା ବୋଲ ଶିକ୍ଷା ନ ପାଇଲେ କୌଣସି ବିଷୟରେ ଲୋକସାଧାରଣଙ୍କ ଆଖି ଫିଟିବ ନାହିଁ । ସରକାର ଯେ ଏତେ ସହଜ କଥାଟିଏ ବୁଝିପାରିଲେ ନାହିଁ, ତାହା ନୁହେଁ । କିନ୍ତୁ ଗୋଖଲେଙ୍କ କଥା ରହିଲା ନାହିଁ । ଗୋଖଲେ ପ୍ରାଥମିକ ଶିକ୍ଷା ସମ୍ୱନ୍ଧେ ଯେ ପ୍ରସ୍ତାବ କରିଥିଲେ ଇଁରେଜ ଶାସିତ ଭାରତରେ ତାହା ଅସମ୍ଭବ ବିବେଚିତ ହେଲେ ହେଁ ବରୋଦା ରାଜ୍ୟରେ ତାହା ସୁସାଧ୍ୟ ହେଲା । ଏକା ବରୋଦା ନୁହେଁ, ଅନ୍ୟାନ୍ୟ କେତେକ ଦେଶୀୟ ରାଜ୍ୟ ମଧ୍ୟ ବୁଝି ପାରିଲେଣି ଯେ ଲୋକେ ନିରକ୍ଷର ରହିଲେ କୌଣସି ପ୍ରକାର ଉନ୍ନତି ସମ୍ଭବପର ନୁହେଁ । ତେଣୁ ଶିକ୍ଷା ପ୍ରଚାରର ନାନା ଆୟୋଜନ ଲାଗିଛି । ବରୋଦା ଦେଖାଦେଖି ମହୀଶୂରରେ ଏବେ ଯେପରି ଆୟୋଜନ ଲାଗିଛି, ଦେଖିଲେ ପ୍ରାଣ ନାଚି ଉଠୁଛି । କେବଳ ପ୍ରାଥମିକ ଶିକ୍ଷା ଲାଗି ବିଦ୍ୟାଳୟ ବସୁ ନାହିଁ, ଲୋକଶିକ୍ଷା ନିମନ୍ତେ ସ୍ଥାନେ ସ୍ଥାନେ ପୁସ୍ତକାଳୟ ସ୍ଥାପିତ ହେଉଅଛି, ଉପେକ୍ଷିତ ବର୍ଣ୍ଣମାନଙ୍କ ଉନ୍ନତି ନିମନ୍ତେ ବିଶେଷ ବନ୍ଦୋବସ୍ତ ହେଉଅଛି, ଶିଳ୍ପ ଓ କୃଷିର ଉନ୍ନତି ନିମନ୍ତେ ବିରାଟ ଆୟୋଜନ ଲାଗିଛି । ଶାସନପ୍ରଣାଳୀରେ ମଧ୍ୟ ଅନେକଗୁଡିଏ ଲୋକହିତକର ପରିବର୍ତ୍ତନ ପ୍ରବର୍ତ୍ତିଅଛି । ମହୀଶୂର ରାଜ୍ୟରେ ଏବେ ମହାସମାରୋହରେ ଯେଉଁ ସମ୍ମିଳନୀ ହୋଇଥିଲା ତହିଁର ବିବରଣ ପଢିଲେ ସେ ରାଜ୍ୟର ଉଦ୍ୟମ ସହଜରେ ଜଣାଯିବ ।

ସମ୍ପ୍ରତି ତ୍ରିବାଙ୍କୁଡ଼ ଜାଗ୍ରତ ହୋଇଥିବାରୁ ଜଣାଯାଏ । ତ୍ରିବାଙ୍କୁଡ଼ର ଶିକ୍ଷା ସମ୍ୱନ୍ଧେ ଯାହା ପ୍ରକାଶ ପାଇଛି, ତାହା ଉକ୍ତ ରାଜ୍ୟ ପକ୍ଷେ ବଡ ପ୍ରଶଂସାର ବିଷୟ । ସ୍କୁଲରେ ପଢିବାଯୋଗ୍ୟ ବାଳକ ବାଳିକାମାନଙ୍କ ମଧ୍ୟରୁ ଅଧେ ବର୍ତ୍ତମାନ ପଢ଼ୁଅଛନ୍ତି । ପ୍ରତି ତିନି ବର୍ଗମାଇଲ ମଧ୍ୟରେ ଗୋଟିଏ ବିଦ୍ୟାଳୟ ଅଛି । ଗୋଟିଏ ନିର୍ଦ୍ଦିଷ୍ଟ ତାଲୁକାର ସମଗ୍ର ବାଳକ ବାଳିକା ସ୍କୁଲରେ ପଢୁଅଛନ୍ତି କେହି ନ ପଢି ବୁଲୁନାହିଁ । ଯେଉଁ ତାଲୁକାରେ ଶିକ୍ଷା ସବୁଠାରୁ ଉଣା ସେଥିରେ ଶତକଡ଼ା ୩୦ଜଣ ପିଲା ସ୍କୁଲରେ ଅଛନ୍ତି । ଭାରତରେ ଦେଶୀୟ ରାଜ୍ୟ ସଙ୍ଖ୍ୟା କମ୍ ନୁହେଁ । ଏଗୁଡିକର ଉନ୍ନତି ଉପରେ ଭାରତର ଜାତୀୟ ଉନ୍ନତି ବହୁ ପରିମାଣରେ ନିର୍ଭର କରେ । ବରୋଦା, ତ୍ରିବାଙ୍କୁଡ଼, ମହୀଶୂରର ଆଦର୍ଶରେ ଅନ୍ୟାନ୍ୟ ରାଜ୍ୟମାନ ଶିକ୍ଷା ଓ ଶିଳ୍ପର ଉନ୍ନତିରେ ମନ ବଳାଇଲେ ଅଚିରେ ବହୁ କଲ୍ୟାଣ ସାଧିତ ହୁଅନ୍ତା । ବଡ ବଡ ରାଜ୍ୟ ଅପେକ୍ଷା କ୍ଷୁଦ୍ର ରାଜ୍ୟରେ କାର୍ଯ୍ୟ କରିବା ଅନେକ ସ୍ଥଳରେ ସୁବିଧାଜନକ । କ୍ଷୁଦ୍ର ରାଜ୍ୟରେ ସମସ୍ତ କାର୍ଯ୍ୟ ରାଜା ବା ଦେବାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇପାରେ । ଦେଶୀୟ ରାଜ୍ୟର ପ୍ରଜାମାନେ ଆବହମାନ କାଳରୁ ପୁରୁଷାକ୍ରମେ ରାଜାଙ୍କୁ ମା-ବାପା ହର୍ତ୍ତାକର୍ତ୍ତା ବୋଲି ମାନି ଆସିଅଛନ୍ତି । ଏ ବିଶ୍ୱାସ ସେମାନଙ୍କର ମଜ୍ଜାଗତ । ରାଜାଙ୍କର କୌଣସି ହିତକର ପ୍ରସ୍ତାବରେ ସେମାନେ ଅକୁଣ୍ଠିତ ଭାବରେ ମନପ୍ରାଣ ଢାଳି ଦେବା ସ୍ୱାଭାବିକ । ପ୍ରଜାମାନଙ୍କର ଉନ୍ନତିରେ ରାଜାଙ୍କର ଶ୍ରେୟ ଏବଂ ରାଜ୍ୟର କଲ୍ୟାଣ ।

(ସତ୍ୟବାଦୀ ୨ୟ ଖଣ୍ଡ ୩ୟ ସଂଖ୍ୟା, ୧୯୧୬)

Wednesday, February 21, 2018

ମାନଚିତ୍ର


ଅନୁବାଦ - ବିଶ୍ୱଜିତ ଆପଟ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଗ୍ଲୋବର ମହତ୍ତ୍ୱ କ’ଣ ତାହା ତୁମେ ପୂର୍ବ ଅଧ୍ୟାୟରେ ଜାଣିଲ । କିନ୍ତୁ ଗ୍ଲୋବର କିଛି ସୀମା ମଧ୍ୟ ରହିଛି । ଯେତେବେଳେ ଆମେ ପୃଥିବୀର ସାମଗ୍ରିକ ରୂପେ ଅଧ୍ୟୟନ କରିବାକୁ ଚାହିଁବା ଗ୍ଲୋବ ସେତେବେଳେ ଖୁବ ଉପଯୋଗୀ ହୁଏ । ମାତ୍ର ଯେତେବେଳେ ପୃଥିବୀର କୌଣସି ଗୋଟିଏ ଭାଗ ଯେପରିକି ଆମ ଦେଶ, ରାଜ୍ୟ, ଜିଲ୍ଲା, ସହର ତଥା ଗ୍ରାମର ଅଧ୍ୟୟନ କରିବାକୁ ଚାହୁଁ ସେତେବେଳେ ଗ୍ଲୋବ ବିଶେଷ ଉପାଦେୟ ହୁଏ ନାହିଁ । ଏପରି ସ୍ଥିତିରେ ଆମେ ମାନଚିତ୍ରର ବ୍ୟବହାର କରୁ । ମାନଚିତ୍ର ହେଉଛି ସମଗ୍ର ପୃଥିବୀର ବା ଏହାର ଏକ ଅଂଶର ଚିତ୍ର ଯାହା କୌଣସି ସମତଳ ଉପରେ ଏକ ନିର୍ଦ୍ଦିଷ୍ଚ ମାନରେ ଅଙ୍କନ କରାଯାଇଥାଏ । କିନ୍ତୁ ଏକ ଗୋଲାକାର ପୃଷ୍ଠକୁ ସମ୍ପୂର୍ଣ୍ଣ ସମତଳ ପୃଷ୍ଠରେ ଦର୍ଶାଇବା ଅସମ୍ଭବ ଅଟେ ।

ବିଭିନ୍ନ ଧରଣର ଆବଶ୍ୟକତା ପାଇଁ ଆମେ ମାନଚିତ୍ର ବ୍ୟବହାର କରିଥାଉ । କିଛି ମାନଚିତ୍ରରେ ଏକ ଛୋଟ ଅଞ୍ଚଳ ଓ ଅଲ୍ପ ତଥ୍ୟ ଦର୍ଶାଯାଇଥାଏ । ଅନ୍ୟ ମାନଚିତ୍ରରେ ବଡ ବହିଟିଏ ଭଳି ଅନେକ ତଥ୍ୟ ଥାଇପାରେ । ଅନେକଗୁଡିଏ ମାନଚିତ୍ରକୁ ଏକାଠିକରି ପ୍ରକାଶିତ କଲେ ତାହା ଆଟଲାସ୍ ହୋଇଯାଏ । ଆଟଲାସ୍ ବିଭିନ୍ନ ଆକାରର ହୋଇଥାଏ ଯେଉଁଥିରେ ଭିନ୍ନ ଭିନ୍ନ ମାନରେ ଅଙ୍କିତ ମାନଚିତ୍ର ରହିଥାଏ । ମାନଚିତ୍ରରୁ ଗ୍ଲୋବ ଅପେକ୍ଷା ଅଧିକ ତଥ୍ୟ ମିଳିଥାଏ । ବିଭିନ୍ନ ପ୍ରକାରର ମାନଚିତ୍ର ଅଛି । ସେଥିମଧ୍ୟରୁ କିଛି ନିମ୍ନରେ ଦିଆଗଲା

ପ୍ରାକୃତିକ ମାନଚିତ୍ର


ଯେଉଁ ମାନଚିତ୍ରରେ ପୃଥିବୀର ପ୍ରାକୃତିକ ବିଭବମାନ ଯେପରିକି ପର୍ବତ, ମାଳଭୂମି, ସମତଳ ଭୂମି, ନଦୀ, ମହାସାଗର ଇତ୍ୟାଦି ଦର୍ଶାଯାଇଥାଏ ତାହାକୁ ପ୍ରାକୃତିକ ମାନଚିତ୍ର କୁହାଯାଏ ।

ରାଜନୀତିକ ମାନଚିତ୍ର


ଯେଉଁ ମାନଚିତ୍ରରେ ବିଭିନ୍ନ ସହର, ଗ୍ରାମ ଏବଂ ପୃଥିବୀର ବିଭିନ୍ନ ଦେଶ, ରାଜ୍ୟ ଓ ସେଗୁଡିକର ସୀମା ସରହଦ ଇତ୍ୟାଦି ଦର୍ଶାଯାଇଥାଏ ତାହାକୁ ରାଜନୀତିକ ମାନଚିତ୍ର କୁହାଯାଏ ।

ପ୍ରାସଙ୍ଗିକ ମାନଚିତ୍ର


କିଛି ମାନଚିତ୍ରରେ କୌଣସି ଏକ ନିର୍ଦ୍ଦିଷ୍ଚ ପ୍ରସଙ୍ଗଭିତ୍ତିକ ତଥ୍ୟ ଉପସ୍ଥାପନା ଉପରେ ଧ୍ୟାନ ଦିଆଯାଇଥାଏ ଯେପରିକି ସଡକ ମାନଚିତ୍ର, ବୃଷ୍ଟିପାତ ମାନଚିତ୍ର, ଅରଣ୍ୟ ଓ ଶିଳ୍ପ ମାନଚିତ୍ର ଇତ୍ୟାଦି । ଏସବୁକୁ ପ୍ରାସଙ୍ଗିକ ମାନଚିତ୍ର କୁହାଯାଏ । ମାନଚିତ୍ରରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ମାନଚିତ୍ର ପାଇଁ ଉପଯୁକ୍ତ ନାମ ଦିଆଯାଏ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଚତୁର୍ଥ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Monday, February 19, 2018

ଶାରୀରିକ ବଳ

ଗୋପବନ୍ଧୁ ଦାଶ


 ଥମାସ୍ ହ୍ୟୁଜ୍ (୧୮୨୨-୧୮୯୬)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଦୀର୍ଘାୟୁତ୍ୱାୟ ବଳାୟ ବଚ୍ଚ ସେ”- ଏହି ବାକ୍ୟରେ ବୈଦିକ ଋଷିମାନେ ଆପାଣାର କାମନା ପ୍ରକାଶ କରିଅଛନ୍ତି । ଆମ୍ଭମାନଙ୍କର ସୁଖ ଶାନ୍ତି ସମୃଦ୍ଧି ନିମନ୍ତେ ଦୀର୍ଘାୟୁ ବଳ ଏବଂ ତେଜ ଯେ ସର୍ବପ୍ରଥମ ଆବଶ୍ୟକ, ଏହା କିଏ ଅସ୍ୱୀକାର କରିବ ? ଉନ୍ନତିର ଏହି ତିନୋଟି ମୌଳିକ ଉପାଦାନ ଲାଭ କରିବା ନିମନ୍ତେ ପ୍ରାଚୀନ ଭାରତୀୟମାନେ ନିରନ୍ତର ତତ୍ପର ଥିଲେ । ବ୍ରତ, ବ୍ରହ୍ମଚର୍ଯ୍ୟ ଯୋଗାଭ୍ୟାସ ପ୍ରଭୃତି ସକଳ ଅନୁଷ୍ଠାନ କେବଳ ଏହି ଉଦ୍ଦେଶ୍ୟରେ । ଆଜି ସେ ସମସ୍ତେ ବିଧି ଭାରତରୁ ପ୍ରାୟ ଲୋପ ପାଇଅଛି ଏବଂ ତାହାର କି ପରିଣାମ ହୋଇଅଛି ସମସ୍ତେ ଆଖିରେ ଦେଖୁଛନ୍ତି, ଅଙ୍ଗରେ ଅନୁଭବ କରୁଅଛନ୍ତି। ବଳ ଯେ ମନୁଷ୍ୟ ପକ୍ଷେ ଅତି ଆବଶ୍ୟକ ଏବଂ ସେଥିଲାଗି ଯତ୍ନ କରିବା କର୍ତ୍ତବ୍ୟ ଭାରତବାସୀ ଏହା କେବେହେଲେ ବର୍ତ୍ତମାନ ସମୟରେ ଥରେ ଭାବନ୍ତି କି ନାହିଁ, ସନ୍ଦେହ। ଅନେକ ପିତାମାତା ପୁତ୍ରକନ୍ୟାଙ୍କୁ ଜନ୍ମ ଦେବା ଏବଂ ସେମାନେ ପୁଣି କିପରି ପୁତ୍ର କନ୍ୟା ଜନ୍ମ କରିପାରିବେ, ତହିଁର ବ୍ୟବସ୍ଥା କରିବାକୁ କେବଳ ନିଜର କର୍ତ୍ତବ୍ୟ ମଣନ୍ତି । ସନ୍ତାନର ଶିକ୍ଷା ସ୍ୱଭାବ, ଶକ୍ତି ସମ୍ୱନ୍ଧେ କେବେ କିଛି ବିଚାରନ୍ତି ନାହିଁ । ଆଉ ଯେଉଁମାନେ ପିଲାମାନଙ୍କର ତତ୍ତ୍ୱ ନିଅନ୍ତି, ସେମାନେ କେବଳ ଦେଖନ୍ତି ପୁଅ କିପରି ପାଠ ପଢ଼ଛି ଏବଂ ପରୀକ୍ଷାରେ କିପରି ପାସ କଲା । ପୁଅର ଆଖିକି ନ ଦେଖିଲେ ଚଷମା କିଣାଯିବ, ବାତାଜୀର୍ଣ୍ଣ ହେଲେ ଘରେ ଡାକ୍ତରଖାନା ଖୋଲିଯିବ, ଦୁଇ ପାହୁଣ୍ଡ ଚାଲିବାକୁ ବଳ ନଥିଲେ ଗାଡ଼ିର ବନ୍ଦୋବସ୍ତ ହେବ। ଏ ସବୁ ତ ପଇସା ଦ୍ୱାରା ହୋଇପାରେ ଚିନ୍ତା କଣ ? ମାତ୍ର ସାଧାରଣତଃ ପଇସା ସାହାଯ୍ୟରେ ବିଶ୍ୱବିଦ୍ୟାଳୟରୁ ତ ପାସ ମିଳିବ ନାହିଁ । ପୁଣି ପାସ ନ ମିଳିଲେ ପଇସାର ଉପାୟ ହୋଇପାରିବ ନାହିଁ ଏବଂ ପଇସା ନହେଲେ ଚଷମା, ଗାଡି, ଔଷଧ ପ୍ରଭୃତି କିଣାଯାଇ ପାରିବ ନାହିଁଁ ।  କି ଆଶ୍ଚର୍ଯ୍ୟ ! ପ୍ରାକୃତିକ ଶକ୍ତିଗୁଡ଼ିକର ଅପଚୟ କରି ନୈସର୍ଗିକ ଉପାୟରେ ସେସବୁକୁ ଜାଗ୍ରତ ଏବଂ ବ୍ୟବହାରୋପଯ‌ୋଗୀ ରଖିବା ଲାଗି ଯତ୍ନ କରିବା ହିଁ ଯେପରି ମାନବ ଜୀବନର ଏକ ମାତ୍ର ଉଦ୍ଦେଶ୍ୟ । ଯଥାର୍ଥରେ ଆମ୍ଭମାନଙ୍କ ପାରିବାରିକ ଜୀବନରେ କିମ୍ୱା ବିଦ୍ୟାଳୟର ଶିକ୍ଷା ବିଧାନରେ ବଳାଧାନ ନିମନ୍ତେ ସେପରି କୌଣସି ସୁବ୍ୟବସ୍ଥା ନାହିଁ । ବଳର ମଧ୍ୟ ସମାଜରେ ତେତେ ଆଦର ବା ଗୌରବ ନାହିଁ । କେହି ସୁନ୍ଦର ଇଂରାଜୀରେ ଗୋଟିଏ ପ୍ରବନ୍ଧ ଲେଖିଲେ ବା ବକ୍ତୃତା ଦେଲେ ଯେତେ ପ୍ରଶଂସା ପାଏ, ସୁନ୍ଦର କୁସ୍ତିକସରତ ବା ଅନ୍ୟ କୌଣସି ପ୍ରକାରର ଶାରୀରିକ ଶକ୍ତି ପରିଚାୟକ ବ୍ୟାପାର ଦେଖାଇଲେ ତେତେ ସମ୍ମାନ ପାଏ ନାହିଁ । ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ଅନୁସାରେ ବିଶ୍ୱବିଦ୍ୟାଳୟମାନଙ୍କର କୃତିତ୍ୱ ନିର୍ଦ୍ଧାରିତ ହୁଏ।  କୌଣସି ଛାତ୍ରର ଅଙ୍ଗ ଯେତେ ସୁଗଠିତ ହେଉ ଖେଳପଦାରେ ବଳ ଏବଂ ବ୍ୟବହାର ଯେଡ଼େ ପ୍ରଶଂସନୀୟ ହେଉ ଏମନ୍ତ କି ତାର ସ୍ୱଭାବ ଚରିତ୍ର ଯେଡ଼େ ସୁନ୍ଦର ହେଉ ପଛକେ ସେ ପରୀକ୍ଷାରେ ପାସ୍ ନ କରିପାରିଲେ ପିତାଙ୍କର ତା ପ୍ରତି ଆଦର ନାହିଁ, ଶିକ୍ଷକଙ୍କ ମତରେ ସେ ଅକର୍ମଣ୍ୟ ଏବଂ ସହପାଠୀ ବା ଅନ୍ୟାନ୍ୟ ଛାତ୍ରମାନଙ୍କ ନିକଟରେ ସେ ହେୟ । ଏହିପରି ଅବସ୍ଥାରେ ଏ ଦେଶର ଯୁବକମାନଙ୍କର ବଳାଧାନ ହେବ କାହୁଁ ? ଫଳରେ ବିଦ୍ୟାଳୟର ଅନେକ ଛାତ୍ରଙ୍କୁ ବ୍ୟାୟାମ ବିଷୟରେ ଅମନୋଯୋଗୀ ଦେଖାଯାଏ । ଶାରୀରିକ ବଳ ବୃଦ୍ଧି ସଙ୍ଗେ ସଙ୍ଗେ ମାନସିକ ବଳ ଉଣା ହୋଇଥାଏ ବୋଲି କୌଣସି କୌଣସି ଛାତ୍ର କହିବାର ସମୟେ ସମୟେ ଶୁଣାଯାଏ । ବିଦ୍ୟାଳୟରେ ବା ଛାତ୍ରବାସରେ ଶାରୀରିକ ବ୍ୟାୟାମ ବିଷୟରେ ଟିକିଏ ଅଧିକ କଟକଣା ହେଲେ ଛାତ୍ରମାନଙ୍କର ବିରକ୍ତି ଓ ଅସନ୍ତୋଷ ପ୍ରାୟ ଦେଖାଯାଏ । ବ୍ୟାୟାମ ବିଷୟରେ ପ୍ରବନ୍ଧ ଲେଖି ଯେଉଁ ଛାତ୍ର ପୁରସ୍କାର ପାଇଛନ୍ତି, ବ୍ୟାୟାମ ଭୂମିରେ ଥରେ ତାଙ୍କର ଦେଖାନାହିଁ । ଏ ଅବସ୍ଥାରେ ଜାତି କ୍ରମେ ହୀନବଳ ଓ ହୀନସାହସ ନହୋଇ ଆଉ କଅଣ ହେବ ? ବିଦ୍ୟାଳୟମାନଙ୍କରେ ଯେ ବ୍ୟାୟାମର ବ୍ୟବସ୍ଥା ନାହିଁ ତାହା ନୁହେଁ । କ୍ରିକେଟ ଅଛି ଫୁଟବଲ ଅଛି, କସରତ କରିବାକୁ କାଠର ବାଡ଼ ପୋତା ହୋଇଛି । ଛାତ୍ରମାନଙ୍କୁ ବ୍ୟାୟାମ ଶିକ୍ଷା ଦେବାକୁ ହୁଏ । ମାତ୍ର ଖେଳନ୍ତି କେତେ ଜଣ ? ବ୍ୟାୟାମ ବିଦ୍ୟାଳୟର ଏକ ଅବଶ୍ୟ ପାଳନୀୟ (ଆବଶ୍ୟକୀୟ କାର୍ଯ୍ୟ) ଶିକ୍ଷା ବୋଲି ବିବେଚିତ ହୁଏ ନାହିଁ କିମ୍ୱା ସମାଜରେ ସେଥିଲାଗି ଆଦର ବା ସମ୍ମାନ ନାହିଁ । ତେବେ ଆଉ କି ହେତୁ ଛାତ୍ରମାନେ ସେଥିରେ ପ୍ରବର୍ତ୍ତିବେ ? ଆଗେ ରାଜା ମହାରାଜାମାନେ ମଧ୍ୟ ପଣ୍ଡିତମାନଙ୍କୁ ଯେପରି ଆଦର ଏବଂ ସମ୍ମାନ ଦେଖାଉଥିଲେ ବଳିଷ୍ଠମାନମାନଙ୍କୁ ମଧ୍ୟ ସେହିପରି ସମୁଚିତ ପୁରସ୍କାର ଦେଉଥିଲେ । ଅନେକ ପଦସ୍ଥ ଧନୀ ବ୍ୟକ୍ତି ନିଜେ ମଲ୍ଲ ବିଦ୍ୟା ଅଭ୍ୟାସ କରୁଥିଲେ ପୁତ୍ରମାନଙ୍କୁ ମଧ୍ୟ ଶିଖାଉଥିଲେ । ରାଜାଙ୍କ ମତ ଯେଉଁଆଡ଼େ ପ୍ରଜାଙ୍କ ଗତି ମଧ୍ୟ ସେହିଆଡ଼େ । କେତେକ ବର୍ଷ ପୂର୍ବେ ମୟୂରଭଞ୍ଜର ସ୍ୱର୍ଗୀୟ ମହାରାଜା ରାମଚନ୍ଦ୍ର ଭଞ୍ଜ ମଲ୍ଲବିଦ୍ୟା ଶିକାର ପ୍ରଭୃତି ପ୍ରତି କିଛି କାଳ ବଡ଼ ଆଗ୍ରହ ଦେଖାଇଥିଲେ । ସେ ସମୟରେ ତାଙ୍କ ଗଡ଼ ବାରିପଦାରେ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କେତେ ଆଖଡ଼ା ବସିଗଲା ଏବଂ ଅନେକେ ବଡ଼ ଉତ୍ସାହରେ କୁସ୍ତିକସରତରେ ମାତିଗଲେ । ଆଗେ ଅଧିଂକାଶ ଗ୍ରାମରେ ଆଖଡ଼ା ବା ଯାଗାଘର ଥିଲା । ଗ୍ରାମର ଯୁବକମାନେ ସେଥିରେ କସରତ କରୁଥିଲେ । ବୃଦ୍ଧମାନେ ଉତ୍ସାହ ଦେଉଥିଲେ । ଆଜିକାଲି ଗ୍ରାମମାନଙ୍କରେ ପ୍ରାୟ ଯାଗାଘର ଆଉ ଦେଖାଯାଏ ନାହିଁ । କ୍ୱଚିତ୍ କେଉଁଠାରେ ଯେବେ ଅଛି ତାହା ଆମ୍ଭମାନଙ୍କର ଅନ୍ୟାନ୍ୟ ପ୍ରାଚୀନ ଅନୁଷ୍ଠାନମାନଙ୍କ ପରି ବିକୃତ ଏବଂ ଲକ୍ଷ୍ୟଭ୍ରଷ୍ଟ ହୋଇଗଲାଣି ।

ବର୍ତ୍ତମାନ ସ୍କୁଲ କଲେଜ ଶିକ୍ଷାର ଏକମାତ୍ର ଉଦ୍ଦେଶ୍ୟ ଚାକିରି । କେହି କିରାଣୀ କେହି ଡେପୁଟି, କେହି ମାଷ୍ଟର କେହି ବା ଓକିଲ ହେବେ ବୋଲି ଆଶା ରଖିଥିବାରୁ ଛାତ୍ରମାନେ ନିଜେ କିମ୍ୱା ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନେ ଲେଖାପଢ଼ା ଭିନ୍ନ ଅନ୍ୟ କୌଣସି ଆଡ଼େ ଦୃଷ୍ଟି ଦେବା ଆବଶ୍ୟକ ମନେ କରନ୍ତି ନାହିଁ । ସଂସାରରେ ବିସ୍ତର କାର୍ଯ୍ୟକ୍ଷେତ୍ର ପଡ଼ିଛି । ସେଠାରେ ବେଶ୍ ଅର୍ଥର ଉପାୟ ହୋଇପାରେ । ସେଥିଲାଗି ବେଶି ପାଠ ଦରକାର ନାହିଁ, ଉଚ୍ଚ ପାସ୍ ଦରକାର ନାହିଁ । ସାମାନ୍ୟ ଲେଖାପଢ଼ା ଶିଖି ଦେହରେ ବଳବୀର୍ଯୀ କୌଶଳ ଏବଂ ଚରିତ୍ରଶୁଦ୍ଧି ଥିଲେ ଲୋକ କୃତୀ ହୋଇପାରେ । ଭାରତର ଅନ୍ୟାନ୍ୟ ସ୍ଥାନରେ ଏପରି ଉଦାହରଣ କ୍ରମେ ଦେଖାଯାଉଅଛି । କିନ୍ତୁ ଓଡ଼ିଶାରେ ପ୍ରାୟ ଦେଖାଯାଉ ନାହିଁ କହିଲେ ଚଳେ । ଚାକିରି ଛାଡ଼ି ଶିକ୍ଷିତ ଲୋକେ କ୍ରମେ ଏହି ସବୁ କ୍ଷେତ୍ରରେ ପ୍ରବେଶ କଲେ ଶାରୀରିକ ଦକ୍ଷତାର ଆଦର ନିଶ୍ଚୟ ବଢିବ ।

ଅବଶ୍ୟ ଲୋକସାଧାରଣ ଦରିଦ୍ରତା ଶାରୀରିକ ବଳଲାଭ ପକ୍ଷେ ଏକ ପ୍ରଧାନ ଅନ୍ତରାୟ । ଏ ସନ୍ଧ୍ୟାରୁ ସେ ସନ୍ଧ୍ୟାଯାଏ ହା ଅନ୍ନ ହା ଅନ୍ନ କରି ବୁଲିବାକୁ ତ ଅଧିକାଂଶଙ୍କର ଭାଗ୍ୟଲେଖା । ଅନେକେ ନିରାଶ ହୋଇ ଥକି ପଡ଼ିବାର ଦେଖାଯାଏ । ବିଶ୍ରାମ ବା ବ୍ୟାୟାମ କରିବେ କାହୁଁ ? କିଏ ପେଟ ପୂରା କରି ଖାଇବାକୁ ପାଆନ୍ତି ନାହିଁ । କୌଣସି କୌଣସି ଛାତ୍ରଙ୍କଠାରୁ ଶୁଣାଯାଉଛି, ଖେଳିଲେ ଭୋଖ କରିବ ଖାଇବି କଅଣ ? ବାସ୍ତବିକ ପେଟ ପୂରାଇ ସ୍କୁଲ ଛୁଟି ହେଲେ ୪ଟା ୫ଟା ବେଳେ ଫଳାହାର କରିବା ସଙ୍ଗତି ଯେ ଅନେକଙ୍କର ନାହିଁ, ଏହା ଦେଖି କେତେ କେତେ ଥର ପ୍ରାଣରେ ଦାରୁଣ ବ୍ୟଥା ପାଇବାକୁ ହୋଇଛି । ଯାହା ହେଉ ଶାରୀରିକ ବଳଲାଭ ନିମନ୍ତେ ଆନ୍ତରିକ ପାଇବାକୁ ଏବଂ ଉଦ‌ବେଗ ଥିଲେ ଯେ ଏକ୍ଷେତ୍ରରେ ଅନେକ କାର୍ଯ୍ୟ ହୋଇପାରନ୍ତା ତହିଁରେ ସନ୍ଦେହ ନାହିଁ ।

ପ୍ରଜା ସାଧାରଣଙ୍କର ଶିକ୍ଷା ସମ୍ପଦ ଏବଂ ସାଧୁ ସ୍ୱଭାବ ଦ୍ୱାରା ମୁଖ୍ୟ ବା ଗୌଣଭାବରେ ରାଜାଙ୍କର ଓ ରାଜ୍ୟର ଶ୍ରେୟ ସାଧିତ ହୋଇଥାଏ, ଏହା ବୋଲିବା ନିଷ୍ପ୍ରୟୋଜନ । ସେହିପରି ଲୋକସାଧାରଣଙ୍କର ଶାରୀରିକ ବଳ ପରାକ୍ରମ ଏବଂ ସାହସ ସାମ୍ରାଜ୍ୟର ପ୍ରଧାନ ଶକ୍ତି ଓ ସମ୍ୱଳ । ଇଂରେଜରାଜା ସଙ୍ଗ୍ରାମ ଭୂମିକୁ ସୈନ୍ୟ ପଠାଇବା ଲାଗି ବଇଦେଶକୁ ଅଧିକାର ଦେଇ ଆଜି ଏ ବିଶ୍ୱାସକୁ ଦୃଢ଼ ଏବଂ ପ୍ରମାଣିତ କରିଅଛନ୍ତି । ଆଶା ହୁଏ ଏଣିକି ସ୍କୁଲ କଲେଜର ଶିକ୍ଷା ବିଧାନରେ ଶାରୀରିକ ବଳାଧାନ ଲାଗି ବିହିତ ଏବଂ ସୁନିଶ୍ଚିତ ପନ୍ଥା ଅବଲମ୍ୱିତ ହେବ। ସେଆଡ଼େ ଉତ୍ସାହ ଦେଖିଲେ ଲୋକେ ମଧ୍ୟ ସ୍ୱତଃ ବଳ ଅର୍ଜନ କରିବାରେ ପ୍ରବୃତ୍ତ ହେବେ । ଯେକୌଣସି ପ୍ରକାରେ ହେଉ ଏ ଦେଶରେ ଶାରୀରିକ ବଳଲାଭର ଶୀଘ୍ର ସୁବ୍ୟବସ୍ଥା ନହେଲେ ଏ ଜାତି ଏକାବେଳକେ ଅକର୍ମଣ୍ୟ ହୋଇପଡ଼ିବ ଏବଂ କାଳକ୍ରମେ ଅଦୃଶ୍ୟ ହୋଇଯିବା ବିଚିତ୍ର ନୁହେଁ ।

(ସତ୍ୟବାଦୀ, ୨ୟ ଖଣ୍ଡ, ୫ମ, ୬ଷ୍ଠ ଓ ୭ମ ସଂଖ୍ୟା, ୧୯୧୬-୧୭)

Saturday, February 17, 2018

ପୃଥିବୀର ଗତି


ଅନୁବାଦ - ବିଶ୍ୱଜିତ ଆପଟ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ତୁମେ ଜାଣିଥିବ ଯେ ପୃଥିବୀର ଗତି ଦୁଇ ପ୍ରକାରରଯାହାକୁ ଆମେ ଆବର୍ତ୍ତନ ଓ ପରିକ୍ରମଣ ବୋଲି କହିଥାଉ । ପୃଥିବୀ ନିଜ ଅକ୍ଷ ଚତୁଃପାର୍ଶରେ ଘୂରିବାକୁ ଆବର୍ତ୍ତନ କୁହାଯାଏ । ପୃଥିବୀ ସୂର୍ଯ୍ୟ ଚାରିପଟେ ନିଜ କକ୍ଷପଥରେ ବୁଲେ ଯାହାକୁ ପରିକ୍ରମଣ ବୋଲି କୁହାଯାଏ ।
ପୃଥିବୀର ଅକ୍ଷ ଏକ କଳ୍ପିତ ରେଖା ଯାହା ପୃଥିବୀର କକ୍ଷତଳ ସହ ୬୬   ° କୋଣରେ ଆନତ ହୋଇ ରହିଥାଏ । କକ୍ଷତଳ ହେଉଛି କକ୍ଷପଥ ଦ୍ୱାରା ଗଠିତ ସମତଳ । ପୃଥିବା ସୂର୍ଯ୍ୟ ଠାରୁ ଆଲୋକ ପାଇଥାଏ । ପୃଥିବୀ ଗୋଲାକାର ହୋଇଥିବାରୁଯେ କୌଣସି ସମୟରେ ଏହାର ଅର୍ଦ୍ଧେକ ଅଂଶ ହିଁ ସୂର୍ଯ୍ୟାଲୋକ ପାଇପାରିଥାଏ (ଚିତ୍ର କ୍ରମାଙ୍କ ୩.)। ସୂର୍ଯ୍ୟ ଆଡକୁ ମୁହଁ କରିଥିବା ପାର୍ଶ୍ୱରେ ଦିନ ହୁଏ ଓ ଅପର ପାର୍ଶ୍ୱରେ ରାତି ହୁଏ । ଆଲୋକିତ ଅର୍ଦ୍ଧାଂଶ ଓ ଅନ୍ଧକାର ଅର୍ଦ୍ଧାଂଶ ଯେଉଁଠାରେ ମିଳିତ ହୁଅନ୍ତି ସେହି ଆଲୋକିତ ବଳୟକୁ ଆଲୋକବୃତ୍ତ କୁହାଯାଏ । ଏହି ବୃତ୍ତ ପୃଥିବୀର ଅକ୍ଷ ସହିତ ମେଳ ଖାଏ ନାହିଁ ଯାହା ତୁମେ ଚିତ୍ର କ୍ରମାଙ୍କ ୩.୨ରେ ଦେଖିପାରୁଥିବ । ପୃଥିବୀ ନିଜ ଅକ୍ଷ ଚାରିପଟେ ଥରଟିଏ ପୂର୍ଣ୍ଣ ଆବର୍ତ୍ତନ କରିବା ପାଇଁ ପ୍ରାୟ ୨୪ ଘଣ୍ଟା ସମୟ ନିଏ । ଏହି ସମୟ କାଳକୁ ପୃଥିବୀଦିବସ ମଧ୍ୟ କୁହାଯାଏ । ଏହା ପୃଥିବୀର ଦୈନିକ ଗତି ଅଟେ ।

ପୃଥିବୀ ଆବର୍ତ୍ତନ କରୁନଥିଲେ କ’ଣ ହୋଇଥାଆନ୍ତା ସୂର୍ଯ୍ୟକୁ ମୁହଁ କରିଥିବା ପାର୍ଶ୍ୱରେ ସବୁବେଳେ ଦିନ ହୋଇଥାଆନ୍ତା ଓ ସର୍ବଦା ଉତ୍ତପ୍ତ ରହିଥାଆନ୍ତା । ଅପର ପାର୍ଶ୍ୱଟି ସର୍ବଦା ଅନ୍ଧକାର ଓ ଥଣ୍ଡା ଅବସ୍ଥାରେ ଥାଆନ୍ତା । ଏପରି ସ୍ଥିତିରେ ଜୀବନର ସଞ୍ଚାର ସମ୍ଭବ ହୋଇନଥାନ୍ତା ।

ସୂର୍ଯ୍ୟ ଚାରିପାଖରେ ପୃଥିବୀର ଦ୍ୱିତୀୟ ପ୍ରକାରର ଗତିକୁ ପରିକ୍ରମଣ କୁହାଯାଏ । ସୂର୍ଯ୍ୟର ପରିକ୍ରମା କରିବା ପାଇଁ ଏହା ୩୬୫    ଦିନ ସମୟ ନିଏ । ଆମେ ସୁବିଧା ପାଇଁ ଗୋଟିଏ ବର୍ଷ କହିଲେ ୩୬୫ ଦିନ ବୁଝୁଛୁ ଓ ଅତିରିକ୍ତ ୬ ଘଣ୍ଟାକୁ ହିସାବକୁ ନେଉନାହୁଁ ।

ଚାରି ବର୍ଷରେ ଥରେ ଅତିରିକ୍ତ ୬ ଘଣ୍ଟା ସବୁ ମିଶି ୨୪ ଘଣ୍ଟା ବା ଦିନଟିଏ ହୋଇ।ଯାଏ । ଏହି ଦିନଟିକୁ ଫେବୃଆରୀ ମାସରେ ଯୋଡିଦିଆଯାଏ । ତେଣୁ ପ୍ରତି ଚାରି ବର୍ଷରେ ଫେବୃଆରୀରେ ୨୮ ଦିନ ପରିବର୍ତ୍ତେ ୨୯ ଦିନ ହୁଏ । ୩୬୬ ଦିନ ବିଶିଷ୍ଟ ଏହିପରି ବର୍ଷକୁ ଆମେ ଅଧିବର୍ଷ କହିଥାଉ । ଆସନ୍ତା ଅଧିବର୍ଷ କେବେ ତୁମେ ଜାଣିଛ କି ?

ଚିତ୍ର କ୍ରମାଙ୍କ ୩.୩ ରୁ ଏହା ସ୍ପଷ୍ଟ ଯେ ପୃଥିବୀ ଏକ ଉପବୃତ୍ତାକାର କକ୍ଷପଥରେ ସୂର୍ଯ୍ୟକୁ ପରିକ୍ରମା କରୁଛି । ଲକ୍ଷ୍ୟ କର ଯେ ପୃଥିବୀ ଏହାର କକ୍ଷପଥରେ ସବୁବେଳେ ଗୋଟିଏ ଆଡକୁ ଢଳି ରହିଛି ।

ଗୋଟିଏ ବର୍ଷ ମଧ୍ୟରେ ଚାରିଟି ଋତୁ – ଗ୍ରୀଷ୍ମଶରତଶୀତ ଓ ବସନ୍ତ ପୃଥିବୀର ପରିକ୍ରମଣ ଯୋଗୁ୍ଁ ସଂଘଟିତ ହୋଇଥାଏ । ସୂର୍ଯ୍ୟ ଚାରିପାଖରେ ପୃଥିବୀର ଅବସ୍ଥିତି ପରିବର୍ତ୍ତନ ହେବା ସହ ଋତୁ ବଦଳେ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Wednesday, February 14, 2018

କଟକର ସାଲେପୁର ଅଞ୍ଚଳର ଶିଶୁଙ୍କ ପାଇଁ ସଙ୍ଖ୍ୟାଗଣତି ଗୀତ


କାମ୍ବୋଡ଼ିଆର 'ଖେମର୍' ସଙ୍ଖ୍ୟାବଳୀରେ '୬୦୫'
ଦଶମିକ ଅଙ୍କ ଭାବରେ ଶୂନ୍ୟର ପ୍ରଥମ ବ୍ୟବହାର ଭିତରୁ ଗୋଟିଏ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଏକେ - ବିଲେଇ ମୁଣ୍ଡ ଟେକେ ।
ଦୁଇ  - ମୁଣ୍ଡ ଖାଇଗଲା ଉଇ ।
ତିନି - ଛୁଞ୍ଚି ପତର ମୁନି ।
ଚାରି - ଜଣେ ଗଲା ବାହାରି ।
ପାଞ୍ଚ - କଉଡ଼ି କଡ଼ା ନାଚ ।
ଛଅ - ଛତା ବାଡ଼ି ଧଅ ।
ସାତ - ଗାଇ ପକାଇଲା ନାତ ।
ଆଠ - ନଗନ ପତର କାଟ ।
ନଅ - ନଗନ ପତର ଧଅ ।
ଦଶ - ଚକା ମେଲି ବସ ।  

Sunday, February 11, 2018

ଶିକ୍ଷା ସମସ୍ୟା

ଗୋପବନ୍ଧୁ ଦାଶ


କର୍ଣ୍ଣାଟକର ଶ୍ରୀରଙ୍ଗପାଟଣାଠାରେ ସ୍ଥିତ ଜାମିଆ ମସଜିଦ ସଂଲଗ୍ନ ମଦରସାର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କେତେକ ବର୍ଷ ପୂର୍ବେ-  ଅବଶ୍ୟ ବଡ଼ ଦେଖି ଦିନ ନୁହେଁଶିକ୍ଷା ବିଭାଗୀୟ ସରକାରୀ କର୍ମଚାରୀମାନେ ଲୋକମାନଙ୍କୁ ସ୍କୁଲ ସ୍ଥାପନ କରିବା ବିଷୟରେ ଉତ୍ସାହ ଦେଉଥିଲେ । ଲୋକଙ୍କ ଆଡ଼ୁ ଟିକିଏ ଆଗ୍ରହ ଦେଖିଲେ ସାହାଯ୍ୟ ଦେବାକୁ କୁଣ୍ଠିତ ହେଉନଥିଲେ । ଏବେ କିନ୍ତୁ ଗତି ବଦଳିଛି । ଲୋକେ କେହି କେହି ଅନ୍ୟ ପ୍ରକାର ତ୍ୟାଗସ୍ୱକୀର କରୁଅଛନ୍ତି । କିନ୍ତୁ କର୍ତ୍ତୁପକ୍ଷଙ୍କ ଗତିବିଧିରୁ ଜଣାଯାଉଛି ସେମାନେ ଯେପରି ସେ ସବୁର ପକ୍ଷପାତୀ ନୁହନ୍ତି । ନିୟମ କଟକଣାର ସୀମା ନାହିଁ ଅମୁକ ଚାହି ସମୁକ ଚାହି ଏଡ଼େ ଘର ଦରକାର ସେଡେ ଜଳାକବାଟି ଦରକାର ସେ ଛାପାଖାନାର ଖାତା ନ ହେଲେ ପିଲାଙ୍କ ହାତଲେଖା ଠିକ ହେବ ନାହିଁ ଏ କମ୍ପାନୀର ବହି ନ ହେଲେ ପାଠ ପିଲାଙ୍କ ମନେ ରହିବ ନାହିଁ । ଦେଶ-କାଳ-ପାତ୍ର ବିଚାର ନାହିଁ । ଗରିବ ଦେଶ ଗରିବପିଲା ମାସରେ କୌଣସି ବାବଦରେ ଦୁଇ ଅଣା ଅଧିକ ଖର୍ଚ୍ଚ ପଡ଼ିଗଲେ କାହାରି କାହାରି ନାମ କଟିଯିବାର ଉପକ୍ରମ ହୁଏ । ଅନେକଠାରେ ସାଧାରଣ ଲୋକଙ୍କର ଏବେ ସୁଦ୍ଧା ପୂର୍ବ ସଂସ୍କାର ତୁଟି ନାହିଁ । ଆଧୁନିକ ସ୍କୁଲ ପଢ଼ା ପ୍ରତି ଆସ୍ଥା ବିଶ୍ୱାସ ଜନ୍ମି ନାହିଁ । ଏପରି ଅବସ୍ଥାରେ ଏଭଳି ବ୍ୟବସ୍ଥା ହେଲେ ଏ ଦେଶରେ ପଢ଼ାଶୁଣାର ବାଟ ମରିଯିବ । ବୋଲିବା ବାହୁଲ୍ୟ ସରକାରଙ୍କର ଆନ୍ତରିକ ସଦଭିପ୍ରାୟ ସତ୍ତ୍ୱେ ଅବସ୍ଥା ଉପଯୋଗୀ ବ୍ୟବସ୍ଥା ହେଉ ନ ଥିବାରୁ ଅନେକଙ୍କ ମନରେ ନାନା ଆଶଙ୍କା ଜନ୍ମିଅଛି । ଦରିଦ୍ରତା କେବେ ଏ ଦେଶରେ ଜ୍ଞାନଲାଭର ଅନ୍ତରାୟ ନ ଥିଲା । ଅନେକ ଶିକ୍ଷକ କିଛି ମାତ୍ର ପାରିଶ୍ରମିକ ନ ଦେଇ ଅକାତରରେ ଛାତ୍ରମାନଙ୍କୁ ବିଦ୍ୟାଦାନ କରୁଥିଲେ । ରାଜା ଜମିଦାରମାନେ ଆହାର ବସ୍ତ୍ର ଯୋଗାଇ ବିନା ବେତନରେ ଶତଶତ ବିଦ୍ୟାର୍ଥୀଙ୍କର ଶିକ୍ଷାର ବ୍ୟବସ୍ଥା କରି ଦେଉଥିଲେ । ଏବେ କେହି କୌଣସି ବିଦ୍ୟାଳୟରେ ସ୍ୱଳ୍ପ ବେତନରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେଲେ ସୁଦ୍ଧା ତଦ୍ୱାରା କାଳେ ଶିକ୍ଷାର ମହତ୍ୱ ହାନି ହେବବୋଧହୁଏ ଏହି ଆଶଙ୍କାରେ ତାଙ୍କ ସ୍ୱଳ୍ପ ବେତନ ସମ୍ୱନ୍ଧେ ଆପତ୍ତି ହୋଇଥାଏ । କେହି ଦାତବ୍ୟ ବିଦ୍ୟାଳୟ କଲେ ସୁଦ୍ଧା ତହିଁରେ କିଛି ହେଲେ ବେତନ ଧାର୍ଯ୍ୟ କରିବା ଆବଶ୍ୟକ । ପାଠର କିଛି ଗୋଟିଏ ମୂଲ୍ୟ ନ ରହିଲେ ବିଦ୍ୟାର୍ଥୀମାନଙ୍କର ତହିଁରେ ଶ୍ରଦ୍ଧା ଓ ଆଦର ହେବ କାହୁଁ ? କିନ୍ତୁ ବିଦ୍ୟା ଯେ ଅମୂଲ୍ୟ ଧନ କ୍ରମେ ଏ ଦେଶବାସୀଙ୍କ ମନରୁ ଏ ଭାବ ତୁଟିଯିବାକୁ ବସିଲା । ପାଶ୍ଚାତ୍ୟ ଅର୍ଥନୀତି ସବୁ କ୍ଷେତ୍ରରେ ପ୍ରଭାବ ବିସ୍ତାର କରି ଆମ୍ଭମାନଙ୍କର ଆଦର୍ଶ ଏବଂ ପ୍ରକୃତିରେ ଅଲଙ୍ଘିତ ଭାବେ କେତେ ପରିବର୍ତ୍ତନ ଘଟାଉଛି । କାହାରି ଧନ ନାହିଁ ବୋଲି ସେ ଜ୍ଞାନରୁ ବଞ୍ଚିତ ହେବ, ଏହା ଭାବିଲେ ପ୍ରାଣରେ କି କଷ୍ଟ ନହୁଏ ? ଚନ୍ଦ୍ରସୂର୍ଯ୍ୟଅଗ୍ନି ସମସ୍ତେ ତାଙ୍କୁ ଆଲୋକ ଦେଉଅଛନ୍ତି । ସମ୍ରାଟ ଚକ୍ରବର୍ତ୍ତୀଙ୍କ ସଙ୍ଗେ ସଙ୍ଗେ ଦରିଦ୍ର ସମାନ ଭାବରେ ବାହାରର ଆଲୋକ ପାଉଅଛନ୍ତି ଜଡ଼ଜଗତ ତାଙ୍କ ପ୍ରତି ଦାରୁଣ ନୁହେଁ । କିନ୍ତୁ ମାନବସମାଜ ତାଙ୍କ ପ୍ରତି ନିର୍ଦ୍ଦୟ । ଅନ୍ତରର ଆଲୋକ ପାଇବା ଲାଗି ତାଙ୍କର ଅଧିକାର ନାହିଁ କାହିଁକି ? ଜ୍ଞାନ ତ ବ୍ୟକ୍ତିବିଶେଷର ସମ୍ପତ୍ତି ନୁହେଁ । ପୃଥିବୀରେ ମହାପୁରୁଷମାନେ ଯେତେବେଳେ କୌଣସି ନୂତନ ଜ୍ଞାନ ଆବିଷ୍କାର କରିଅଛନ୍ତିକୌଣସି ତତ୍ତ୍ୱ ଲାଭ କରିଅଛନ୍ତିଜଗତକୁ ଜଣାଇବା ଲାଗି ଅତ୍ୟନ୍ତ ବ୍ୟାକୁଳ ହୋଇଅଛନ୍ତିଦ୍ୱାରେ ଦ୍ୱାରେ ବୁଲି ଆଚଣ୍ଡାଳ ସମସ୍ତଙ୍କୁ ତାହା ଦାନ କରିବା ଲାଗି ପ୍ରୟାସୀ ହୋଇଅଛନ୍ତି, ତୃଷାତୁରକୁ ଜଳ ନ ଦେବା ଯଦି ନିଷ୍ଠୁରତା ହୁଏ, ଅନ୍ୟାୟ ହୁଏ, ଜ୍ଞାନ-ପିପାସୁ ପ୍ରାଣକୁ ଅଜ୍ଞାନରେ ରଖିବା ତହୁଁ ବଳି ପାପ ନୁହେଁ କି ? ପ୍ରଜାମାନଙ୍କ ଶିକ୍ଷା ସମ୍ୱନ୍ଧେ ଭାରତୀୟ ରାଜାମାନଙ୍କ କର୍ତ୍ତବ୍ୟଜ୍ଞାନ କବି କାଳିଦାସ ରଘୁଙ୍କ ଚରିତ୍ର ବର୍ଣ୍ଣନାରେ ସୁସ୍ପଷ୍ଟ ଦେଖାଇଅଛନ୍ତି ।

ପ୍ରଜାନାଂ ବିନୟାଧାନାତ୍ ରକ୍ଷଣାତ୍ ଭରଣାଦପି
ସ ପିତା ପିତରସ୍ତାଷାଂ କେବଳଂ ଜନ୍ମ ହେତବଃ 

ଏପରି ନ ହୋଇଥିଲେ କି କୌଚ୍ଛ ଗୁରୁଦକ୍ଷିଣା ଲାଗି ରଘୁଙ୍କ ଦ୍ୱାରସ୍ଥ ହୋଇଥାଆନ୍ତେ ? ଜାଣୁଛନ୍ତି ଯଜ୍ଞରେ ରଘୁ ସର୍ବସ୍ୱାନ୍ତ ପାନ ଆହାର ଲାଗି ପାତ୍ର ପର୍ଯ୍ୟନ୍ତ ନାହିଁ । କିନ୍ତୁ ପ୍ରଜାର ଶିକ୍ଷା ଲାଗି ରାଜା ଦାୟୀ, ଏ କର୍ତ୍ତବ୍ୟ ଜ୍ଞାନ ହୃଦୟରେ ଜାଗ୍ରତ ରହିଛି । ଶିକ୍ଷା ନିମନ୍ତେ ଦରିଦ୍ର ପ୍ରଜାର ଯାଚଜ୍ଞା ଉପେକ୍ଷା କରିପାରୁଛନ୍ତି କାହିଁ ? ଏ ବୃଥା ବାକ୍ୟ କଳ୍ପନା ନୁହେଁ । ଏବେ ସୁଦ୍ଧା ଭାରତର ପ୍ରକୃତି ପରୀକ୍ଷା କରି ଦେଖିଲେ ଏ ଭାବର ଚିହ୍ନ ମିଳିବ । ଆହା, ଆଜି କେତେ ଛାତ୍ର ଶିକ୍ଷା ପାଇବା ଲାଗି ହାହାକାର କରୁଛନ୍ତି କିନ୍ତୁ ବିଦ୍ୟାଳୟରେ ବେତନ ଦେବାକୁ ବଳ ନାହିଁ ବହି କିଣିବାକୁ ଅର୍ଥ ନାହିଁ, ଗ୍ରାସାଚ୍ଛାଦନରୁ ସଂସ୍ଥାନ ନାହିଁ । ଏହାଛଡା ଅନ୍ୟାନ୍ୟ ଔପସର୍ଗିକ ବ୍ୟୟ ତ କମ୍ ନୁହେଁ । ଦରିଦ୍ରତା ସଙ୍ଗେ ସଙ୍ଗେ ଦିନାକେତେ ସେମାନେ ଲଢ଼ାଇ କରୁଛନ୍ତି, କିନ୍ତୁ କେତେ ଦିନ। ଅବଶେଷରେ ଥକି ପଡ଼ି ନିଃଶସ୍ତ୍ର ହୋଇ ରହୁଛନ୍ତି । ଏ ଶ୍ରେଣୀର ଭଗ୍ନହୃଦୟ ମର୍ମାହତ ଛାତ୍ରମାନଙ୍କୁ ଦେଖିଲେ ଆଖିରେ ଲୁହ ଆସେ । ଏମାନେ କି ରାଜ୍ୟର ପ୍ରଜା ନୁହନ୍ତି ? ଜ୍ଞାନ ଲାଭ ମାନବର ଅଧିକାର । ଦାରିଦ୍ରତା ହେତୁ ଏମାନେ ସେହି ସହଜ ଅଧିକାରରୁ ବଞ୍ଚିତ ହେବାରୁ ରାଜ୍ୟର ଯେ କେତେ ଶକ୍ତି ଅପଚିତ ହେଉଅଛି, ତାହାର କେହି ଇୟତ୍ତା କରିପାରିବେ କି ? ଶିକ୍ଷା ସର୍ବସାଧାରଣଙ୍କ ପକ୍ଷେ ଯେତେ ସୁଲଭ ହୋଇପାରେ ତେତେ ମଙ୍ଗଳ-ବ୍ୟକ୍ତବିଶେଷର ମଙ୍ଗଳ, ରାଜ୍ୟର ମଙ୍ଗଳ, ମାନବସମାଜରେ ମଙ୍ଗଳ ।

(ସତ୍ୟବାଦୀ ୨ୟ ଖଣ୍ଡ ୩ୟ ସଂଖ୍ୟା, ୧୯୧୬)

Friday, February 09, 2018

ଦ୍ରାଘିମା ଓ ସମୟ

ଅନୁବାଦ - ବିଶ୍ୱଜିତ ଆପଟ


ପୃଥିବୀର ନାନାଦି ସମୟ ମଣ୍ଡଳ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ସମୟ ନିରୂପଣ କରିବାର ସର୍ବୋତ୍ତମ ବାଟ ହେଉଛି ପୃଥିବୀ, ଚନ୍ଦ୍ର ଓ ଗ୍ରହମାନଙ୍କର ଗତିବିଧି । ସୂର୍ଯ୍ୟ ନିୟମିତ ଭାବେ ପ୍ରତିଦିନ ଉଦୟ ହୁଏ ଓ ଅସ୍ତ ଯାଏ । ଏଣୁ ସମୟ ନିରୂପଣ ପାଇଁ, ସ୍ୱାଭାବିକ ରୂପେ, ଏହା ସବୁଠାରୁ ଭଲ ସାଧନ । ସ୍ଥାନୀୟ ସମୟର ଅନୁମାନ ସୂର୍ଯ୍ୟ ଦ୍ୱାରା ସୃଷ୍ଟ ଛାଇରୁ କରିହେବ ଯାହାକି ମଧ୍ୟାହ୍ନରେ ସବୁଠାରୁ ଛୋଟ ଏବଂ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ବେଳେ ସବୁଠାରୁ ଲମ୍ବା ହୋଇଥାଏ ।

ଗ୍ରୀନିଚ୍ ଦେଇ ଯାଇଥିବା ପ୍ରଧାନ ମଧ୍ୟନ୍ଦିନ ରେଖା ଉପରେ ସୂ୍ର୍ଯ୍ୟ ଯେତେବେଳେ ଆକାଶରେ ସବୁଠାରୁ ଉଚ୍ଚ ବିନ୍ଦୁରେ ଥାଆନ୍ତି ସେତେବେଳେ ମଧ୍ୟନ୍ଦିନ ରେଖାଟି ଉପରେ ଥିବା ପ୍ରତିଟି ସ୍ଥାନରେ ମଧ୍ୟାହ୍ନ ହୁଏ ।

ପୃଥିବୀ ପୂର୍ବରୁ ପଶ୍ଚିମକୁ ବୁଲୁଥିବାରୁ ଗ୍ରୀନିଚ୍ ଠାରୁ ପୂର୍ବରେ ଥିବା ସ୍ଥାନମାନଙ୍କର ସମୟ ଗ୍ରୀନିଚ୍ ଠାରୁ ଆଗୁଆ ରହେ ଓ ପଶ୍ଟିମରେ ଥିବା ସ୍ଥାନମାନଙ୍କର ସମୟ ଗ୍ରୀନିଚ୍ ଠାରୁ ପଛୁଆ ରହେ । ନିମ୍ନରେ ଦିଆଯାଇଥିବା ଉପାୟ ବ୍ୟବହାର କରି କେଉଁ ହାରରେ ସମୟ ଆଗପଛ ହେଉଛି ନିର୍ଣ୍ଣୟ କରାଯାଇ ପାରିବ । ପୃଥିବୀ ହାରାହାରି ୨୪ ଘଣ୍ଟାରେ ନିଜ ଅକ୍ଷ ଚାରିପଟେ ଥରେ ଘୁରିଆସେ, ଯାହା ହେଉଛି ୩୬୦ ଡିଗ୍ରୀ । ଅର୍ଥାତ୍ ଏହା ୧ ଘଣ୍ଟାରେ ୧୫° ଓ ୪ ମିନିଟ୍ ରେ ୧° ଘୂର୍ଣ୍ଣନ କରେ । 

ଯେତେବେଳେ ଗ୍ରୀନିଚ୍ ରେ ମଧ୍ୟାହ୍ନ ୧୨ଟା ବାଜିଥାଏ, ଏହାଠାରୁ ୧୫ ଡିଗ୍ରୀ ପୂର୍ବରେ ଥିବା ସ୍ଥାନର ସମୟ ୧୫ × = ୬୦ ମିନିଟ୍ ଆଗୁଆ ଥିବ, ଅର୍ଥାତ୍ ସେଠାରେ ଦିନ ୧ ଘଣ୍ଟା ହୋଇଥିବ । ସେହିପରି ୧୫° ପଶ୍ଚିମରେ ଥିବା ସ୍ଥାନଗୁଡିକରେ ସମୟ ୧ ଘଣ୍ଟା ପଛୁଆ ଥିବ । ସେଠାରେ ସକାଳ ୧୧ଟା ବାଜିଥିବ । ଯେତେବେଳେ ଗ୍ରୀନିଚ୍ ରେ ମଧ୍ୟାହ୍ନ ୧୨ଟା ବାଜିଥିବ, ୧୮୦° ଦ୍ରାଘିମା ରେଖା ଉପରେ ମଧ୍ୟରାତ୍ରି ହେବ

ଯେକୌଣସି ସ୍ଥାନରେ ସୂର୍ଯ୍ୟ ଆକାଶରେ ନିଜ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିବାବେଳେ ଘଣ୍ଟାରେ ମଧ୍ୟାହ୍ମ ୧୨ଟା ବାଜିବା ପରି ଘଣ୍ଟାକୁ ସେଟ୍ କରାଯାଇ ପାରିବ । ଏ ପ୍ରକାର ଘଣ୍ଟା ଦ୍ୱାରା ପ୍ରଦର୍ଶିତ ସମୟ ହେଉଛି ସେହି ସ୍ଥାନର ସ୍ଥାନୀୟ ସମୟଗୋଟିଏ ମଧ୍ୟନ୍ଦିନ ରେଖା ଉପରେ ଥିବା ସମସ୍ତ ସ୍ଥାନର ସ୍ଥାନୀୟ ସମୟ ସମାନ ହେବ ।

ପ୍ରମାଣ ସମୟ କାହିଁକି ଆବଶ୍ୟକ ?


ଭିନ୍ନ ଭିନ୍ନ ଦ୍ରାଘିମାରେ ଥିବା ସ୍ଥାନମାନଙ୍କର ସ୍ଥାନୀୟ ସମୟ ଭିନ୍ନ ଭିନ୍ନ ହୋଇଥାଏ । ଏଣୁ ଅନେକଗୁଡିଏ ଦ୍ରାଘିମା ରେଖା ଅତିକ୍ରମ କରୁଥିବା ଟ୍ରେନ୍ ମାନଙ୍କର ସମୟସାରଣୀ ପ୍ରସ୍ତୁତ କରିବା କଷ୍ଟକର । ଭାରତର ଗୁଜୁରାଟ ରାଜ୍ୟରେ ଥିବା ଦ୍ୱାରିକା ଓ ଆସାମରେ ଥିବା ଦିବ୍ରୁଗଡର ସ୍ଥାନୀୟ ସମୟ ମଧ୍ୟରେ ପ୍ରାୟ ୧ ଘଣ୍ଟା ୪୫ ମିନିଟ୍ ବ୍ୟବଧାନ ରହିଛି । ଏ ପ୍ରକାର ଅସୁବିଧାକୁ ଏଡାଇବା ପାଇଁ ଦେଶର କେନ୍ଦ୍ରସ୍ଥଳରେ ଥିବା କୌଣସି ଏକ ମଧ୍ୟନ୍ଦିନ ରେଖାର ସ୍ଥାନୀୟ ସମୟକୁ ଦେଶର ପ୍ରମାଣ ସମୟ ଭାବେ ଗ୍ରହଣ କରିବାକୁ ହେବ । ଭାରତରେ ୮୨° ୩୦' ପୂର୍ବ ଦ୍ରାଘିମାକୁ ଦେଶର ପ୍ରମାଣ ଦ୍ରାଘିମା ରୂପେ ଗ୍ରହଣ କରାଯାଇଛି । ଏହି ଦ୍ରାଘିମାର ସ୍ଥାନୀଯ ସମୟ ସମଗ୍ର ଦେଶର ପ୍ରମାଣ ସମୟ ଅଟେ । ଏହାକୁ ଭାରତୀୟ ପ୍ରମାଣ ସମୟ ବା ଆଇ. ଏସ୍. ଟି (ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ ଟାଇମ) ବୋଲି କୁହାଯାଏ ।

କବୀର ଭୋପାଳ ନିକଟସ୍ଥ କୌଣସି ଏକ ଛୋଟ ସହରରେ ବାସ କରେ । ସେ ତା ବନ୍ଧୁ ଆଲୋକକୁ କହୁଛି ଯେ ସେମାନେ ଆଜି ରାତିରେ ଶୋଇ ପାରିବେ ନାହିଁ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବାରାତ୍ର କ୍ରିକେଟ ମ୍ୟାଚ ଇଂଲଣ୍ଡରେ ଅପରାହ୍ନ ୨ ଘଣ୍ଟାରେ ଆରମ୍ଭ ହୋଇଛି । ଏହାର ଅର୍ଥ ଭାରତରେ ଖେଳ ସଂଧ୍ୟା ୭ ଘଣ୍ଟା ୩୦ ମିନିଟରେ ଆରମ୍ଭ ହେବ ଓ ଖେଳ ସରୁ ସରୁ ଅନେକ ରାତି ହେଇଯିବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଥିବା ସମୟ ବ୍ୟବଧାନ ତୁମେ ହିସାବ କର ।

୮୨° ୩୦' ପୂର୍ବ ଦ୍ରାଘିମାରେ ଥିବା ଭାରତର ସମୟ ଗ୍ରୀନିଚ୍ ପ୍ରମାଣ ସମୟ ଠାରୁ ୫ ଘଣ୍ଟା ୩୦ ମିନିଟ୍ ଆଗୁଆ । ଏଣୁ ଲଣ୍ଡନରେ ଅପରାହ୍ନ ୨ ଘଣ୍ଟା ବେଳେ ଭାରତରେ ସନ୍ଧ୍ୟା ୭ ଘଣ୍ଟା ୩୦ ମିନିଟ୍ ହୋଇଥିବ ।

କିଛି କିଛି ଦେଶର ଦ୍ରାଘିମା ପ୍ରସାର ଖୁବ୍ ଅଧିକ । ତେଣୁ ସେମାନେ ଏକାଧିକ ପ୍ରମାଣ ସମୟ ବ୍ୟବହାର କରନ୍ତି । ଉଦାହରଣ ସ୍ୱରୂପ, ଋଷିଆରେ ଏଗାରଟି ପ୍ରମାଣ ସମୟ ରହିଛି । ପୃଥିବୀକୁ ୨୪ଟି ଏକ ଘଣ୍ଟା ବିଶିଷ୍ଟ ସମୟ ମଣ୍ଡଳରେ ବିଭକ୍ତ କରାଯାଇଛି । ଏଣୁ ପ୍ରତି ମଣ୍ଡଳର ପ୍ରସାର ୧୫° ଦ୍ରାଘିମା ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Thursday, February 08, 2018

ପିଲାଙ୍କ ପାଇଁ ପହେଳି - ୬

ସଙ୍ଗ୍ରାହକ - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଅରଟରେ ସୂତା କାଟୁଥିବା ମୋହନଦାସ ଗାନ୍ଧୀ (୧୯୪୦ ଦଶକର ଶେଷ ଭାଗ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପହେଳି - ଅର୍ଜୁନ ଗଛଟି ଝାମ୍ପଡ଼ା
ସେଠିକି ନ ପାଏ ଆଙ୍କୁଡ଼ା ।

ଉତ୍ତର - ମେଘ 

ପହେଳି - ଅଠାକାଠି ଷୋହଳ ପିଞ୍ଜରା, ପେଟେ ରହିଛି ଅନ୍ତବୁଜୁଳା ।
ବ୍ରାହ୍ମଣ ନୋହି ପଇତା ପିନ୍ଧେ, ବାଘ ନୋହି ସେ ଘୁମୁରୁଥାଏ ।
ତାହାର ଅଇଁଠା ଯେ ନ ଖାଏ, ଲଙ୍ଗଳା ହୋଇ ବୁଲୁଥାଏ ।

ଉତ୍ତର - ଅରଟ

ପହେଳି - ଅଣ କୋଇଲା
ବାପ ନାହିଁ ପୁଅ କାହୁଁ ଅଇଲା ।

ଉତ୍ତର - ଛତୁ 

ଉତ୍ସ - ଶ୍ରୀ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଦ୍ୱାରା ସମ୍ପାଦିତ ଓ ଓ ସଙ୍କଳିତ 'ଓଡ଼ିଆ ଶିଶୁ-କିଶୋର ଢଗଢ଼ମାଳି' । ବହିଟିର ପ୍ରଥମ ପ୍ରକାଶ ୨୦୧୭ ମସିହାରେ । ପ୍ରକାଶକ ହେଲେ ନୂଆଦିଲ୍ଲୀସ୍ଥ କେନ୍ଦ୍ରୀୟ ସାହିତ୍ୟ ଅକାଦେମି ।

Wednesday, February 07, 2018

ଭାଷା ଓ ଜାତୀୟତା

ଗୋପବନ୍ଧୁ ଦାଶ


୧୯୫୧ ମସିହାରେ ଭାରତର ପ୍ରଶାସନିକ ମାନଟିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜି ସମସ୍ତେ ଭାରତୀୟ ଜାତୀୟତା ନମନ୍ତେ ବ୍ୟାକୁଳ । ସମ୍ୱାଦ ପତ୍ରରେ ଆଲୋଚନା ହେଉଅଛି, ସଭାସମିତିରେ ବକ୍ତୃତା ହେଉଅଛି କାବ୍ୟନାଟକ ଉପନ୍ୟାସଦିରେ ରୂପକ ଛଳରେ ସୂଚନା ଦିଆଯାଉଅଛିକିପରି ଭାରତ-ଜାତୀୟତା ପ୍ରତିଷ୍ଠିତ ହେବ । ଅନେକେ ଭାରତ-ଜାତୀୟତା ଏକାବେଳକେ ଅସମ୍ଭବ ବୋଲି ହତାଶ । କେହି କେହି କେବଳ ଅତୀତ ଆଡ଼କୁ ଚାହିଁଅଛନ୍ତି ପ୍ରେରଣା ପାଇବା ଲାଗି । ଅନ୍ୟ କେତେକଙ୍କର କେବଳ ଭବିଷ୍ୟତ ଉପରେ ଆଶା । କେହି ନିଜ ଭିତରକୁ ଚାହିଁ ପ୍ରାଚୀନ ସଭ୍ୟତାକୁ ମାନୁଅଛନ୍ତି, କେହି ପୁଣି ପରମୁହଁକୁ ଚାହିଁଛନ୍ତି ଏବ‌ଂ କେବଳ ପଶ୍ଚିମ ଉପରେ ଭରସା ରଖିଅଛନ୍ତି 

ପ୍ରକୃତରେ ଜାତୀୟ ସମସ୍ୟା ଭାରତ ପକ୍ଷେ ବଡ ଗୁରୁତର । କେତେ ପ୍ରଦେଶ ପ୍ରତି ପ୍ରଦେଶରେ ପୁଣି କେତେ ବ୍ୟବହାର ଗତ ପାର୍ଥକ୍ୟ । ତହିଁରେ ପୁଣି ଅସଙ୍ଖ୍ୟ ପ୍ରକାର ଶ୍ରେୟ ସ୍ୱାର୍ଥର ବିବାଦ । ଏପରି ସ୍ଥଳେ କୁମାରିକାର ହିମାଳୟ ସହିତ କିଛି ସମ୍ପର୍କ ଅଛି ବୋଲି ଭାବିବାକୁ ବେଳେବେଳେ ସାହସ ପାଏ ନାହିଁ । ପୂର୍ବେ ଭାରତର ପ୍ରତ୍ୟେକ ପ୍ରଦେଶର ଅନେକ ବିଷୟରେ ସ୍ୱାତନ୍ତ୍ର୍ୟ ଥିଲା । ଯାତାୟାତର ତେତେ ସୁବିଧା ନଥିଲା । ଗୋଟିଏ ପ୍ରଦେଶ ବନ ଜଙ୍ଗଲ ନଦୀ ଆଦି ସ୍ୱାଭାବିକ ସୀମାଦ୍ୱାରା ଆବଦ୍ଧ ଥିଲା । ତେଣୁ କାଳକ୍ରମେ ସେ ପ୍ରତ୍ୟେକ ପ୍ରଦେଶର ଇତିହାସ ସାହିତ୍ୟ, ଭାଷା, ଲୋକ-ବ୍ୟବହାର ଆଦି ସ୍ୱତନ୍ତ୍ର ହେବା ସ୍ୱାଭାବିକ ।

କିନ୍ତୁ ବିଶେଷତ୍ୱ ଏହି ଯେ, ମୂଳ ଆର୍ଯ୍ୟସଭ୍ୟତା ମେରୁଦଣ୍ଡ ରୂପେ ରହିଥିଲା । ଆର୍ଯ୍ୟ ଋଷିମାନେ ବୁଝିଥିଲେ ଭାବ, ଏବଂ ତେଣୁ ଭାଷାର ଏକତା ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା । ମାନବ ଆକୃତି ପ୍ରକୃତିରେ ଭିନ୍ନ ହୋଇପାରେ, ଭିନ୍ନ ଜଳବାୟୁରେ ବଢିପାରେ । ତେବେ ତାର ଅନ୍ୟ ମାନବ ସହିତ ମିଳନ କେଉଁଠାରେ ? ଭାବରେ ଚିନ୍ତାରେ ସ୍ଥୂଳତଃ ସଭ୍ୟତାରେ । ଭାରତରେ ଆର୍ଯ୍ୟ ଉପନିବେଶ ବଢିଲା । କ୍ରମେ ସୁରସେନ ବା ମହାରାଷ୍ଟ୍ରର ଆର୍ଯ୍ୟ ସହିତ ମଗଧ ଆର୍ଯ୍ୟର ପାର୍ଥକ୍ୟ ଜନ୍ମିଲା ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ବଢ଼ିଲା ମାତ୍ର ସଂସ୍କୃତ ଭାଷା ଓ ବୈଦିକ ଭାବ ଏ ବହୁଳ ସ୍ୱାତନ୍ତ୍ର୍ୟ ମଧ୍ୟରେ ସୁନ୍ଦର ସୁଦୃଢ଼ ଏକତା ରଖିଥିଲା ଏବଂ ଆଜିଯାଏ ରଖିଛି । ଦ୍ରାବିଡ଼ ସଙ୍ଗେ ଆର୍ଯ୍ୟର ସଙ୍ଘର୍ଷ ହେଲା । ସେ କ୍ରମେ ଆର୍ଯ୍ୟଭାଷା ଆର୍ଯ୍ୟଭାବ ଏବଂ ଆର୍ଯ୍ୟସଭ୍ୟତା ଗ୍ରହଣ କଲେ । ପରିମାଣରେ ଦ୍ରାବିଡ଼ ଆର୍ଯ୍ୟ ସଙ୍ଗେ ଏକା ବେଳକେ ମିଶିଗଲା ।

ଆଜି ଭାରତର ପ୍ରାଦେଶିକ ସ୍ୱାତନ୍ତ୍ର୍ୟ କ୍ରମେ ନଷ୍ଟ ହୋଇଯାଉଅଛି । ନଷ୍ଟ ହୋଇ କି ଭାରତ ମହାଜାତୀୟ ଏକତା ଆଡ଼କୁ ଯାଉଅଛି ? ନା ବରଂ ପ୍ରତ୍ୟେକ ପ୍ରଦେଶରେ ଶତ ନୂତନ ସ୍ୱାର୍ଥ ଓ ସ୍ୱାତନ୍ତ୍ର୍ୟର ସୃଷ୍ଟି ହେଉଅଛି । ଯାତାୟାତର ସୁବିଧା ହୋଇଅଛି । ପ୍ରଦେଶମାନଙ୍କର ପରସ୍ପର ସହିତ ସମ୍ପର୍କ ବଢୁଅଛି । ଏକ ପ୍ରଦେଶରେ କେବଳ ଏକ ଜାତୀୟ ଲୋକ ଆଉ ଏବେ ନାହାନ୍ତି । ନାନା ବର୍ଣ୍ଣଧର୍ମସମାଜର ଲୋକେ ଏକ ସ୍ଥାନରେ ଅଧିବାସ କରୁଅଛନ୍ତି । ସେମାନେ ନିଜ ନିଜର ଭାଷା, ଭାବ ବ୍ୟବହାର, ରୀତିନୀତି ସମାଜ ସାହିତ୍ୟ ଇତିହାସ ସବୁକୁ ସଙ୍ଗେ ଘେନି ଆସୁଅଛନ୍ତି, ତାହା ସବୁ ଛାଡ଼ିବାକୁ ଆଦୌ ପ୍ରସ୍ତୁତ ନୁହନ୍ତି । କାର୍ଯୋପଲକ୍ଷେ ବା ଘଟନାସୂତ୍ରେ ଯେଉଁ ସ୍ଥାନ ବା ପ୍ରଦେଶରେ ବାସ କଲେ ସେଠାରେ ସଭ୍ୟତା ସାହିତ୍ୟ ଭାଷା ଆଦିକୁ ନିଜର ବୋଲି ଗ୍ରହଣ କରିବାକୁ କୁଣ୍ଠିତ ହେଉଅଛନ୍ତି । ତେବେ ଆଉ ପ୍ରାଦେଶିକ ଏକତା ସମ୍ଭବ ହେବ କିପରି ? ଭାରତୀୟ ଜାତୀୟତା ତ ଦୂରର କଥା ।

ଯେଉଁ ଭାଷା ଭାବ ଓ ସଭ୍ୟତାର ଏକତାରେ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ମଧ୍ୟରେ ଭାରତୀୟ ସଭ୍ୟତା ଆଜିଯାଏ ଜୀବିତ ରହିଅଛି, ଉପସ୍ଥିତ କ୍ଷେତ୍ରରେ ପ୍ରାଦେଶିକ ସଭ୍ୟତାର ବ୍ୟକ୍ତିତ୍ୱ ରକ୍ଷା ନିମନ୍ତେ ସେହି ପନ୍ଥା ଅବଲମ୍ୱନ କରିବାକୁ ହେବ । ଟିକିଏ ତଳେଇ ଦେଖିଲେ ଦେଖାଯିବ ଭାବ ଓ ସଭ୍ୟତାର ମୂଳରେ ଭାଷା । ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ । ସୁତରାଂ ସଭ୍ୟତା ମୂଳରେ ଭାଷା । ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ । ସୁତରାଂ ସଭ୍ୟତା ଏକ ନହୋଇ ଅନ୍ୟଥା ହୋଇ ନପାରେ । ପୃଥିବୀର ଆଧୁନିକ ସମସ୍ତ ସଭ୍ୟ ଦେଶ ଏହି ନୀତି ଗ୍ରହଣ କରୁଅଛନ୍ତି । ଆମେରିକାର ଯୁକ୍ତରାଷ୍ଟ୍ରରେ ନାନା ଜାତିର ଲୋକେ ବାସ କରନ୍ତି । ଇଂରାଜୀ, ଜର୍ମାନ, ପର୍ତ୍ତୃଗୀଜ ସବୁ ଜାତିର ଲୋକେ ଅଛନ୍ତି । ପ୍ରତ୍ୟେକ ପ୍ରଦେଶର ଆଇନ କାନୁନ ବିଧି ବ୍ୟବସ୍ଥା ପୃଥକ୍ । କିନ୍ତୁ ସେ ସମସ୍ତେ ଇଂରାଜୀ ଭାଷାକୁ ରାଜ୍ୟର ଭାଷା ରୂପେ ଗ୍ରହଣ କରିଅଛନ୍ତି । ଇଂରାଜୀ ଭାଷା ସ୍ୱୀକାର ନ କରିବା ଯାଏ କାହାରିକୁ ଯୁକ୍ତରାଷ୍ଟ୍ରରେ ପ୍ରଜାର ଅଧିକାର ଦିଆଯାଏ ନାହିଁ । ସମସ୍ତ ରାଜ୍ୟର ଏକ ଭାଷା ପ୍ରଚଳିତ ହେବାରୁ ପ୍ରାଦେଶିକ ନାନା ପାର୍ଥକ୍ୟ ଥିଲେ ସୁଦ୍ଧା ସମଗ୍ର ରାଜ୍ୟରେ ଗୋଟିଏ ଜାତୀୟ ଭାବ ନିରନ୍ତର ଜାଗ୍ରତ ରହିଅଛି ।

ଆଜିକାଲି ଭାରତର ଏକ ଏକ ପ୍ରଦେଶରେ ନାନାବିଧ ଲୋକେ ଅଛନ୍ତି କ୍ରମେ ଆଉ ନୂତନ ସମ୍ପ୍ରଦାୟ ଓ ସମାଜ ଲୋକେ ମିଶୁଛନ୍ତି କୌଣସି ସ୍ଥାନରେ ପୂର୍ବର ଅବିମିଶ୍ରଣ ନାହିଁ । ଏହି ନାନାବିଧ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ସେ ସମସ୍ତଙ୍କର ସେହି ଦେଶଭାଷା ଗ୍ରହଣ କରିବା ଉଚିତ । ତାହେଲେ ସେମାନଙ୍କର ଭାବ ଓ ଚିନ୍ତାରେ ସାମଞ୍ଜସ୍ୟ ଆସିବ । ସେ ପ୍ରଦେଶର ସଂସ୍କୃତି ସାହିତ୍ୟ, ଇତିହାସ ଆଦିକୁ ସେମାନେ ନିଜର କରିନେବେ ଏବଂ ସେ ପ୍ରଦେଶ ଓ ତାହାର ଅତୀତ ଓ ଭବିଷ୍ୟତରେ ସେ ସମସ୍ତଙ୍କର ଆସ୍ଥା ଓ ମମତା ଜନ୍ମିବ । ଯେତେ ଦୂର ସମ୍ଭବ ଏକ ଭାଷା ପ୍ରଚଳିତ ସ୍ଥାନମାନ ଏକ ଶାସନାଧୀନରେ ନ ଆସିଲେ ଏ ଉଦ୍ଦେଶ୍ୟ ସିଦ୍ଧ ହୋଇପାରିବ ନାହିଁ ।

(ସତ୍ୟବାଦୀ, ୧ମ ଭାଗ, ୬ଷ୍ଠ ଖଣ୍ତ ୧୯୧୫ ଜୁନ)