Sunday, February 11, 2018

ଶିକ୍ଷା ସମସ୍ୟା

ଗୋପବନ୍ଧୁ ଦାଶ


କର୍ଣ୍ଣାଟକର ଶ୍ରୀରଙ୍ଗପାଟଣାଠାରେ ସ୍ଥିତ ଜାମିଆ ମସଜିଦ ସଂଲଗ୍ନ ମଦରସାର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କେତେକ ବର୍ଷ ପୂର୍ବେ-  ଅବଶ୍ୟ ବଡ଼ ଦେଖି ଦିନ ନୁହେଁଶିକ୍ଷା ବିଭାଗୀୟ ସରକାରୀ କର୍ମଚାରୀମାନେ ଲୋକମାନଙ୍କୁ ସ୍କୁଲ ସ୍ଥାପନ କରିବା ବିଷୟରେ ଉତ୍ସାହ ଦେଉଥିଲେ । ଲୋକଙ୍କ ଆଡ଼ୁ ଟିକିଏ ଆଗ୍ରହ ଦେଖିଲେ ସାହାଯ୍ୟ ଦେବାକୁ କୁଣ୍ଠିତ ହେଉନଥିଲେ । ଏବେ କିନ୍ତୁ ଗତି ବଦଳିଛି । ଲୋକେ କେହି କେହି ଅନ୍ୟ ପ୍ରକାର ତ୍ୟାଗସ୍ୱକୀର କରୁଅଛନ୍ତି । କିନ୍ତୁ କର୍ତ୍ତୁପକ୍ଷଙ୍କ ଗତିବିଧିରୁ ଜଣାଯାଉଛି ସେମାନେ ଯେପରି ସେ ସବୁର ପକ୍ଷପାତୀ ନୁହନ୍ତି । ନିୟମ କଟକଣାର ସୀମା ନାହିଁ ଅମୁକ ଚାହି ସମୁକ ଚାହି ଏଡ଼େ ଘର ଦରକାର ସେଡେ ଜଳାକବାଟି ଦରକାର ସେ ଛାପାଖାନାର ଖାତା ନ ହେଲେ ପିଲାଙ୍କ ହାତଲେଖା ଠିକ ହେବ ନାହିଁ ଏ କମ୍ପାନୀର ବହି ନ ହେଲେ ପାଠ ପିଲାଙ୍କ ମନେ ରହିବ ନାହିଁ । ଦେଶ-କାଳ-ପାତ୍ର ବିଚାର ନାହିଁ । ଗରିବ ଦେଶ ଗରିବପିଲା ମାସରେ କୌଣସି ବାବଦରେ ଦୁଇ ଅଣା ଅଧିକ ଖର୍ଚ୍ଚ ପଡ଼ିଗଲେ କାହାରି କାହାରି ନାମ କଟିଯିବାର ଉପକ୍ରମ ହୁଏ । ଅନେକଠାରେ ସାଧାରଣ ଲୋକଙ୍କର ଏବେ ସୁଦ୍ଧା ପୂର୍ବ ସଂସ୍କାର ତୁଟି ନାହିଁ । ଆଧୁନିକ ସ୍କୁଲ ପଢ଼ା ପ୍ରତି ଆସ୍ଥା ବିଶ୍ୱାସ ଜନ୍ମି ନାହିଁ । ଏପରି ଅବସ୍ଥାରେ ଏଭଳି ବ୍ୟବସ୍ଥା ହେଲେ ଏ ଦେଶରେ ପଢ଼ାଶୁଣାର ବାଟ ମରିଯିବ । ବୋଲିବା ବାହୁଲ୍ୟ ସରକାରଙ୍କର ଆନ୍ତରିକ ସଦଭିପ୍ରାୟ ସତ୍ତ୍ୱେ ଅବସ୍ଥା ଉପଯୋଗୀ ବ୍ୟବସ୍ଥା ହେଉ ନ ଥିବାରୁ ଅନେକଙ୍କ ମନରେ ନାନା ଆଶଙ୍କା ଜନ୍ମିଅଛି । ଦରିଦ୍ରତା କେବେ ଏ ଦେଶରେ ଜ୍ଞାନଲାଭର ଅନ୍ତରାୟ ନ ଥିଲା । ଅନେକ ଶିକ୍ଷକ କିଛି ମାତ୍ର ପାରିଶ୍ରମିକ ନ ଦେଇ ଅକାତରରେ ଛାତ୍ରମାନଙ୍କୁ ବିଦ୍ୟାଦାନ କରୁଥିଲେ । ରାଜା ଜମିଦାରମାନେ ଆହାର ବସ୍ତ୍ର ଯୋଗାଇ ବିନା ବେତନରେ ଶତଶତ ବିଦ୍ୟାର୍ଥୀଙ୍କର ଶିକ୍ଷାର ବ୍ୟବସ୍ଥା କରି ଦେଉଥିଲେ । ଏବେ କେହି କୌଣସି ବିଦ୍ୟାଳୟରେ ସ୍ୱଳ୍ପ ବେତନରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେଲେ ସୁଦ୍ଧା ତଦ୍ୱାରା କାଳେ ଶିକ୍ଷାର ମହତ୍ୱ ହାନି ହେବବୋଧହୁଏ ଏହି ଆଶଙ୍କାରେ ତାଙ୍କ ସ୍ୱଳ୍ପ ବେତନ ସମ୍ୱନ୍ଧେ ଆପତ୍ତି ହୋଇଥାଏ । କେହି ଦାତବ୍ୟ ବିଦ୍ୟାଳୟ କଲେ ସୁଦ୍ଧା ତହିଁରେ କିଛି ହେଲେ ବେତନ ଧାର୍ଯ୍ୟ କରିବା ଆବଶ୍ୟକ । ପାଠର କିଛି ଗୋଟିଏ ମୂଲ୍ୟ ନ ରହିଲେ ବିଦ୍ୟାର୍ଥୀମାନଙ୍କର ତହିଁରେ ଶ୍ରଦ୍ଧା ଓ ଆଦର ହେବ କାହୁଁ ? କିନ୍ତୁ ବିଦ୍ୟା ଯେ ଅମୂଲ୍ୟ ଧନ କ୍ରମେ ଏ ଦେଶବାସୀଙ୍କ ମନରୁ ଏ ଭାବ ତୁଟିଯିବାକୁ ବସିଲା । ପାଶ୍ଚାତ୍ୟ ଅର୍ଥନୀତି ସବୁ କ୍ଷେତ୍ରରେ ପ୍ରଭାବ ବିସ୍ତାର କରି ଆମ୍ଭମାନଙ୍କର ଆଦର୍ଶ ଏବଂ ପ୍ରକୃତିରେ ଅଲଙ୍ଘିତ ଭାବେ କେତେ ପରିବର୍ତ୍ତନ ଘଟାଉଛି । କାହାରି ଧନ ନାହିଁ ବୋଲି ସେ ଜ୍ଞାନରୁ ବଞ୍ଚିତ ହେବ, ଏହା ଭାବିଲେ ପ୍ରାଣରେ କି କଷ୍ଟ ନହୁଏ ? ଚନ୍ଦ୍ରସୂର୍ଯ୍ୟଅଗ୍ନି ସମସ୍ତେ ତାଙ୍କୁ ଆଲୋକ ଦେଉଅଛନ୍ତି । ସମ୍ରାଟ ଚକ୍ରବର୍ତ୍ତୀଙ୍କ ସଙ୍ଗେ ସଙ୍ଗେ ଦରିଦ୍ର ସମାନ ଭାବରେ ବାହାରର ଆଲୋକ ପାଉଅଛନ୍ତି ଜଡ଼ଜଗତ ତାଙ୍କ ପ୍ରତି ଦାରୁଣ ନୁହେଁ । କିନ୍ତୁ ମାନବସମାଜ ତାଙ୍କ ପ୍ରତି ନିର୍ଦ୍ଦୟ । ଅନ୍ତରର ଆଲୋକ ପାଇବା ଲାଗି ତାଙ୍କର ଅଧିକାର ନାହିଁ କାହିଁକି ? ଜ୍ଞାନ ତ ବ୍ୟକ୍ତିବିଶେଷର ସମ୍ପତ୍ତି ନୁହେଁ । ପୃଥିବୀରେ ମହାପୁରୁଷମାନେ ଯେତେବେଳେ କୌଣସି ନୂତନ ଜ୍ଞାନ ଆବିଷ୍କାର କରିଅଛନ୍ତିକୌଣସି ତତ୍ତ୍ୱ ଲାଭ କରିଅଛନ୍ତିଜଗତକୁ ଜଣାଇବା ଲାଗି ଅତ୍ୟନ୍ତ ବ୍ୟାକୁଳ ହୋଇଅଛନ୍ତିଦ୍ୱାରେ ଦ୍ୱାରେ ବୁଲି ଆଚଣ୍ଡାଳ ସମସ୍ତଙ୍କୁ ତାହା ଦାନ କରିବା ଲାଗି ପ୍ରୟାସୀ ହୋଇଅଛନ୍ତି, ତୃଷାତୁରକୁ ଜଳ ନ ଦେବା ଯଦି ନିଷ୍ଠୁରତା ହୁଏ, ଅନ୍ୟାୟ ହୁଏ, ଜ୍ଞାନ-ପିପାସୁ ପ୍ରାଣକୁ ଅଜ୍ଞାନରେ ରଖିବା ତହୁଁ ବଳି ପାପ ନୁହେଁ କି ? ପ୍ରଜାମାନଙ୍କ ଶିକ୍ଷା ସମ୍ୱନ୍ଧେ ଭାରତୀୟ ରାଜାମାନଙ୍କ କର୍ତ୍ତବ୍ୟଜ୍ଞାନ କବି କାଳିଦାସ ରଘୁଙ୍କ ଚରିତ୍ର ବର୍ଣ୍ଣନାରେ ସୁସ୍ପଷ୍ଟ ଦେଖାଇଅଛନ୍ତି ।

ପ୍ରଜାନାଂ ବିନୟାଧାନାତ୍ ରକ୍ଷଣାତ୍ ଭରଣାଦପି
ସ ପିତା ପିତରସ୍ତାଷାଂ କେବଳଂ ଜନ୍ମ ହେତବଃ 

ଏପରି ନ ହୋଇଥିଲେ କି କୌଚ୍ଛ ଗୁରୁଦକ୍ଷିଣା ଲାଗି ରଘୁଙ୍କ ଦ୍ୱାରସ୍ଥ ହୋଇଥାଆନ୍ତେ ? ଜାଣୁଛନ୍ତି ଯଜ୍ଞରେ ରଘୁ ସର୍ବସ୍ୱାନ୍ତ ପାନ ଆହାର ଲାଗି ପାତ୍ର ପର୍ଯ୍ୟନ୍ତ ନାହିଁ । କିନ୍ତୁ ପ୍ରଜାର ଶିକ୍ଷା ଲାଗି ରାଜା ଦାୟୀ, ଏ କର୍ତ୍ତବ୍ୟ ଜ୍ଞାନ ହୃଦୟରେ ଜାଗ୍ରତ ରହିଛି । ଶିକ୍ଷା ନିମନ୍ତେ ଦରିଦ୍ର ପ୍ରଜାର ଯାଚଜ୍ଞା ଉପେକ୍ଷା କରିପାରୁଛନ୍ତି କାହିଁ ? ଏ ବୃଥା ବାକ୍ୟ କଳ୍ପନା ନୁହେଁ । ଏବେ ସୁଦ୍ଧା ଭାରତର ପ୍ରକୃତି ପରୀକ୍ଷା କରି ଦେଖିଲେ ଏ ଭାବର ଚିହ୍ନ ମିଳିବ । ଆହା, ଆଜି କେତେ ଛାତ୍ର ଶିକ୍ଷା ପାଇବା ଲାଗି ହାହାକାର କରୁଛନ୍ତି କିନ୍ତୁ ବିଦ୍ୟାଳୟରେ ବେତନ ଦେବାକୁ ବଳ ନାହିଁ ବହି କିଣିବାକୁ ଅର୍ଥ ନାହିଁ, ଗ୍ରାସାଚ୍ଛାଦନରୁ ସଂସ୍ଥାନ ନାହିଁ । ଏହାଛଡା ଅନ୍ୟାନ୍ୟ ଔପସର୍ଗିକ ବ୍ୟୟ ତ କମ୍ ନୁହେଁ । ଦରିଦ୍ରତା ସଙ୍ଗେ ସଙ୍ଗେ ଦିନାକେତେ ସେମାନେ ଲଢ଼ାଇ କରୁଛନ୍ତି, କିନ୍ତୁ କେତେ ଦିନ। ଅବଶେଷରେ ଥକି ପଡ଼ି ନିଃଶସ୍ତ୍ର ହୋଇ ରହୁଛନ୍ତି । ଏ ଶ୍ରେଣୀର ଭଗ୍ନହୃଦୟ ମର୍ମାହତ ଛାତ୍ରମାନଙ୍କୁ ଦେଖିଲେ ଆଖିରେ ଲୁହ ଆସେ । ଏମାନେ କି ରାଜ୍ୟର ପ୍ରଜା ନୁହନ୍ତି ? ଜ୍ଞାନ ଲାଭ ମାନବର ଅଧିକାର । ଦାରିଦ୍ରତା ହେତୁ ଏମାନେ ସେହି ସହଜ ଅଧିକାରରୁ ବଞ୍ଚିତ ହେବାରୁ ରାଜ୍ୟର ଯେ କେତେ ଶକ୍ତି ଅପଚିତ ହେଉଅଛି, ତାହାର କେହି ଇୟତ୍ତା କରିପାରିବେ କି ? ଶିକ୍ଷା ସର୍ବସାଧାରଣଙ୍କ ପକ୍ଷେ ଯେତେ ସୁଲଭ ହୋଇପାରେ ତେତେ ମଙ୍ଗଳ-ବ୍ୟକ୍ତବିଶେଷର ମଙ୍ଗଳ, ରାଜ୍ୟର ମଙ୍ଗଳ, ମାନବସମାଜରେ ମଙ୍ଗଳ ।

(ସତ୍ୟବାଦୀ ୨ୟ ଖଣ୍ଡ ୩ୟ ସଂଖ୍ୟା, ୧୯୧୬)

No comments:

Post a Comment