Saturday, February 24, 2018

ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ

ଅନୁବାଦ - ବିଶ୍ୱଜିତ ଆପଟ


ସେ ସମୟରେ ଜ୍ଞାତ ପୃଥିବୀର ଏକ ମଧ୍ୟଯୁଗୀୟ ମାନଚିତ୍ର (୧୪୮୨ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ ଥାଏ : ଦୂରତା, ଦିଗ ଓ ସଙ୍କେତ ।

ଦୂରତା


ମାନଚିତ୍ରଗୁଡିକରେ ସମଗ୍ର ପୃଥିବୀ ବା ଏହାର ଏକ ଅଂଶକୁ ଫର୍ଦ୍ଦେ କାଗଜରେ ସୀମିତ କରାଯାଏ । କିମ୍ବା ଆମେ କହିପାରିବା ଯେ ମାନଚିତ୍ରଗୁଡିକ କ୍ଷୁଦ୍ର ମାନ ଦ୍ୱାରା ଅଙ୍କିତ ହୋଇଥାଏ । କିନ୍ତୁ ମାନ ହ୍ରାସକଲାବେଳେ ଭାରି ସତର୍କତା ଅବଲମ୍ବନ କରାଯାଏ ଯେପରି ଦୁଇଟି ସ୍ଥାନର ଦୂରତା ବାସ୍ତବ ଦୂରତାର ଅନୁରୂପ ହୁଏ । ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ କାଗଜ ଉପରେ ଅଳ୍ପ ଦୂରତା ଭୂପୃଷ୍ଠରେ ବିଶାଳ ଦୂରତାକୁ ଦର୍ଶାଇପାରିବ । ଏଥିପାଇଁ ମାନ ସ୍ଥିର କରି ବ୍ୟବହାର କରାଯାଏ । ମାନ ହେଉଛି ଭୂପୃଷ୍ଠରେ ଦୁଇଟି ସ୍ଥାନ ମଧ୍ୟରେ ପ୍ରକୃତ ଦୂରତା ଓ ମାନଚିତ୍ରରେ ଦର୍ଶାଯାଇଥିବା ଦୂରତା ମଧ୍ୟରେ ଅନୁପାତ । ଉଦାହରଣ ସ୍ୱରୂପ, ତୁମ ଘର ଠାରୁ ତୁମ ବିଦ୍ୟାଳୟର ଦୂରତା ହେଉଛି ୧୦ କିଲୋମିଟର । ଯଦି ତୁମେ ଏହି ୧୦ କିଲୋମିଟର ଦୂରତାକୁ ଏକ ମାନଚିତ୍ରରେ ୨ ସେଣ୍ଟିମିଟର ଦ୍ୱାରା ଦର୍ଶାଇବ ଏହାର ଅର୍ଥ ହେବ ମାନଚିତ୍ରରେ ୧ ସେଣ୍ଟମିଟର ପୃଥିବୀ ପୃଷ୍ଟରେ ୫ କିଲୋମିଟର ବୁଝାଏ । ତୁମ ମାନଚିତ୍ରର ମାନ ହେବ ୧ ସେ.ମି = ୫ କି.ମି. । ଏଣୁ ପ୍ରତ୍ୟେକ ମାନଚିତ୍ର ପାଇଁ ମାନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ଯଦି ତୁମକୁ ମାନ ଜଣାଥାଏ ତେବେ ମାନଚିତ୍ରରେ ଯେ କୌଣସି ସ୍ଥାନ ଦ୍ୱୟ ମଧ୍ୟରେ ଦୂରତା ତୁମେ ହିସାବ କରିପାରିବ ।

ଯେତେବେଳେ ମହାଦେଶ, ଦେଶ ଭଳି ବିଶାଳ ଭୂଖଣ୍ଡ କାଗଜରେ ଦର୍ଶାଯାଏ ଆମେ ଅତି କ୍ଷୁଦ୍ର ମାନ ବ୍ୟବହାର କରୁ । ଯେପରିକି ମାନଚିତ୍ରରେ ୫ ସେ.ମି. ଦ୍ୱାରା ଭୂପୃଷ୍ଠରେ ୫୦୦ କି.ମି. ଦର୍ଶାଇବା । ଏହାକୁ କ୍ଷୁଦ୍ରମାନବିଶିଷ୍ଟ ମାନଚିତ୍ର କୁହାଯାଏ ।

ଯେତେବେଳେ ତୁମ ଗାଁ ବା ସହର ପରି ଏକ ଛୋଟ ଅଞ୍ଚଳକୁ ଆମେ ମାନଚିତ୍ରରେ ଦର୍ଶାଉ ଆମେ ଏକ ବଡ ମାନର ବ୍ୟବହାର କରୁ ଯେପରି ମାନଚିତ୍ରରେ ୫ ସେ.ମି. ଦ୍ୱାରା ଭୂପୃଷ୍ଠରେ ୫୦୦ ମିଟର ଦର୍ଶାଇବା । ଏହାକୁ ବୃହତମାନବିଶିଷ୍ଟ ମାନଚିତ୍ର କୁହାଯାଏ ।ବୃହତମାନବିଶିଷ୍ଟ ମାନଚିତ୍ରରେ କ୍ଷୁଦ୍ରମାନବିଶିଷ୍ଟ ମାନଚିତ୍ର ଅପେକ୍ଷା ଅଧିକ ତଥ୍ୟ ରହିଥାଏ ।

ଦିଗ


ଅଧିକାଂଶ ମାନଚିତ୍ରର ଡାହାଣ ପାର୍ଶ୍ୱର ଉପର ଭାଗରେ ଏକ ତୀର ଚିହ୍ନ ପାଇବ ଯାହା ଉପରେ “N” ଲେଖା ହୋଇଥାଏ । ଏହି ତୀରଟି ଉତ୍ତର ଦିଗ ଦର୍ଶାଇଥାଏ । ଏହାକୁ ଉତ୍ତରରେଖା କୁହାଯାଏ । ଯେତେବେଳେ ତୁମକୁ ଉତ୍ତର ଦିଗଟି ଜଣା ତୁମେ ଅନ୍ୟ ଦିଗ ସବୁ ମଧ୍ୟ ଜାଣିପାରିବ । ଚାରିଟି ମୁଖ୍ୟ ଦିଗ ରହିଛି : ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ (ଚିତ୍ର କ୍ରମାଙ୍କ ୪.-) । ଏଗୁଡିକୁ ପ୍ରଧାନ ଦିଗ କୁହାଯାଏ । ଅନ୍ୟ ଚାରୋଟି ମଧ୍ୟବର୍ତ୍ତୀ ଦିଗଗୁଡିକ ହେଲେ : ଉତ୍ତର-ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ ଓ ଉତ୍ତର-ପଶ୍ଚିମ । ମଧ୍ୟବର୍ତ୍ତୀ ଦିଗଗୁଡିକର ସାହାଯ୍ୟରେ ଆମେ କୌଣସି ସ୍ଥାନର ଅବସ୍ଥିତି ସଠିକ ଭାବରେ ଦର୍ଶାଇପାରିବା ।

ଚିତ୍ର କ୍ରମାଙ୍କ ୪.୧ ଦେଖି ଏବେ ଦିଗ ନିରୂପଣ କର । କ) ବିକାଶ ଘର ଠାରୁ ଗ୍ରାମସଭା ଗୃହ ଓ ଖେଳ ପଡିଆ କେଉଁ ଦିଗରେ ଅଛି ? ) ବଜାର ଠାରୁ ବିଦ୍ୟାଳୟ କେଉଁ ଦିଗରେ ଅଛି ?

ଆମେ କମ୍ପାସ ସାହାଯ୍ୟରେ କୌଣସି ସ୍ଥାନ କେଉଁ ଦିଗରେ ଅଛି ନିର୍ଣ୍ଣୟ କରିପାରିବା । ଏହି ଯନ୍ତ୍ରଟି ମୁଖ୍ୟ ଦିଗଗୁଡିକୁ ନିରୂପଣ କରିବା ପାଇଁ ବ୍ୟବହାର କରାଯାଏ । ଏହା ମଧ୍ୟରେ ଥିବା ଚୁମ୍ବକୀୟ ସୂଚକଟି ସବୁବେଳେ ଉତ୍ତର-ଦକ୍ଷିଣ ହୋଇ ରହିଥାଏ (ଚିତ୍ର କ୍ରମାଙ୍କ ୪.-)

ସଙ୍କେତ


ଏହା ମାନଚିତ୍ରର ତୃତୀୟ ବୈଶିଷ୍ଟ୍ୟ ଅଟେ । ମାନଚିତ୍ରରେ ଘର, ରାସ୍ତା, ପୋଲ, ଗଛ, ରେଳପଥ, କୂଅ ଆଦିର ଆକାର ଓ ଆକୃତି ସଠିକ୍ ଭାବେ ଆଙ୍କିବା ସମ୍ଭବ ନୁହେଁ । ଏଣୁ ଏଗୁଡିକୁ ଅକ୍ଷର, ଛାୟାଚିତ୍ର, ଚିତ୍ର, ରଙ୍ଗ, ରେଖା ଇତ୍ୟାଦି ଦ୍ୱାରା ଦର୍ଶାଯାଇଥାଏ । ଏହି ସଙ୍କେତଗୁଡିକ ଦ୍ୱାରା ସୀମିତ ସ୍ଥାନରେ ଅନେକଗୁଡିଏ ତଥ୍ୟ ଉପସ୍ଥାପନ କରାଯାଇପାରେ । ଏହି ସଙ୍କେତଗୁଡିକର ବ୍ୟବହାର ଯୋଗୁଁ ମାନଚିତ୍ର ଆଙ୍କିବା ଓ ପଢିବାରେ ସୁବିଧା ହୁଏ । ଯଦିବା ତୁମେ କୌଣସି ଅଞ୍ଚଳର ଭାଷା ଜାଣିନାହଁ ଓ ସେହି କାରଣରୁ କାହାକୁ ଦିଗ ପଚାରି ପାରୁନାହଁ, ଏହି ସଙ୍କେତଗୁଡିକର ସାହାଯ୍ୟରେ ତୁମେ ମାନଚିତ୍ରରୁ ଅନେକ ତଥ୍ୟ ସଙ୍ଗ୍ରହ କରିପାରିବ । ମାନଚିତ୍ରଗୁଡିକର ଏକ ସାର୍ବଜନୀନ ଭାଷା ଅଛି ଯାହାକୁ ସମସ୍ତେ ବୁଝିପାରିବେ । ଏହି ସଙ୍କେତମାନଙ୍କର ବ୍ୟବହାର ପାଇଁ ଏକ ଆନ୍ତର୍ଜାତିକ ରାଜିନାମା ରହିଛି । ଏଗୁଡିକୁ ପ୍ରଚଳିତ ସଙ୍କେତ କୁହାଯାଏ । ଚିତ୍ର କ୍ରମାଙ୍କ ୪.୩ ରେ କିଛି ପ୍ରଚଳିତ ସଙ୍କେତ ଦର୍ଶାଯାଇଛି ।

ବିଭିନ୍ନ ରଙ୍ଗର ବ୍ୟବହାର ମଧ୍ୟ ଏହି ଉଦ୍ଦେଶ୍ୟରେ ହୋଇଥାଏ । ଉଦାହରଣ ସ୍ୱରୂପ, ନୀଳ ରଙ୍ଗ ଜଲରାଶି ପାଇଁ, ବାଦାମୀ ରଙ୍ଗ ପର୍ବତ ପାଇଁ, ହଳଦିଆ ରଙ୍ଗ ମାଳଭୂମି ପାଇଁ ଓ ସବୁଜ ରଙ୍ଗ ସମତଳ ଭୂମି ପାଇଁ ବ୍ୟବହୃତ ହୁଏ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଚତୁର୍ଥ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

No comments:

Post a Comment