Friday, February 23, 2018

ଦେଶୀୟ ରାଜ୍ୟରେ ଶିକ୍ଷା

ଗୋପବନ୍ଧୁ ଦାଶ


୧୮୯୩ ମସିହାର ବ୍ରିଟେନର ଭାରତୀୟ ସାମ୍ରାଜ୍ୟର ମାନଚିତ୍ର (ୱିକିମିଡିଆ କମନ୍ସ୍)

ବିଚକ୍ଷଣ ମହାମତି ଗୋଖଲେ ବୁଝଥିଲେ ଭାରତର ସର୍ବପ୍ରଧାନ ଓ ପ୍ରଥମ ପ୍ରୟୋଜନ ଶିକ୍ଷା । ଶିଳ୍ପ ବୋଲସ୍ୱାସ୍ଥ୍ୟ ବୋଲ ସହଯୋଗିତା ବୋଲ ଶିକ୍ଷା ନ ପାଇଲେ କୌଣସି ବିଷୟରେ ଲୋକସାଧାରଣଙ୍କ ଆଖି ଫିଟିବ ନାହିଁ । ସରକାର ଯେ ଏତେ ସହଜ କଥାଟିଏ ବୁଝିପାରିଲେ ନାହିଁ, ତାହା ନୁହେଁ । କିନ୍ତୁ ଗୋଖଲେଙ୍କ କଥା ରହିଲା ନାହିଁ । ଗୋଖଲେ ପ୍ରାଥମିକ ଶିକ୍ଷା ସମ୍ୱନ୍ଧେ ଯେ ପ୍ରସ୍ତାବ କରିଥିଲେ ଇଁରେଜ ଶାସିତ ଭାରତରେ ତାହା ଅସମ୍ଭବ ବିବେଚିତ ହେଲେ ହେଁ ବରୋଦା ରାଜ୍ୟରେ ତାହା ସୁସାଧ୍ୟ ହେଲା । ଏକା ବରୋଦା ନୁହେଁ, ଅନ୍ୟାନ୍ୟ କେତେକ ଦେଶୀୟ ରାଜ୍ୟ ମଧ୍ୟ ବୁଝି ପାରିଲେଣି ଯେ ଲୋକେ ନିରକ୍ଷର ରହିଲେ କୌଣସି ପ୍ରକାର ଉନ୍ନତି ସମ୍ଭବପର ନୁହେଁ । ତେଣୁ ଶିକ୍ଷା ପ୍ରଚାରର ନାନା ଆୟୋଜନ ଲାଗିଛି । ବରୋଦା ଦେଖାଦେଖି ମହୀଶୂରରେ ଏବେ ଯେପରି ଆୟୋଜନ ଲାଗିଛି, ଦେଖିଲେ ପ୍ରାଣ ନାଚି ଉଠୁଛି । କେବଳ ପ୍ରାଥମିକ ଶିକ୍ଷା ଲାଗି ବିଦ୍ୟାଳୟ ବସୁ ନାହିଁ, ଲୋକଶିକ୍ଷା ନିମନ୍ତେ ସ୍ଥାନେ ସ୍ଥାନେ ପୁସ୍ତକାଳୟ ସ୍ଥାପିତ ହେଉଅଛି, ଉପେକ୍ଷିତ ବର୍ଣ୍ଣମାନଙ୍କ ଉନ୍ନତି ନିମନ୍ତେ ବିଶେଷ ବନ୍ଦୋବସ୍ତ ହେଉଅଛି, ଶିଳ୍ପ ଓ କୃଷିର ଉନ୍ନତି ନିମନ୍ତେ ବିରାଟ ଆୟୋଜନ ଲାଗିଛି । ଶାସନପ୍ରଣାଳୀରେ ମଧ୍ୟ ଅନେକଗୁଡିଏ ଲୋକହିତକର ପରିବର୍ତ୍ତନ ପ୍ରବର୍ତ୍ତିଅଛି । ମହୀଶୂର ରାଜ୍ୟରେ ଏବେ ମହାସମାରୋହରେ ଯେଉଁ ସମ୍ମିଳନୀ ହୋଇଥିଲା ତହିଁର ବିବରଣ ପଢିଲେ ସେ ରାଜ୍ୟର ଉଦ୍ୟମ ସହଜରେ ଜଣାଯିବ ।

ସମ୍ପ୍ରତି ତ୍ରିବାଙ୍କୁଡ଼ ଜାଗ୍ରତ ହୋଇଥିବାରୁ ଜଣାଯାଏ । ତ୍ରିବାଙ୍କୁଡ଼ର ଶିକ୍ଷା ସମ୍ୱନ୍ଧେ ଯାହା ପ୍ରକାଶ ପାଇଛି, ତାହା ଉକ୍ତ ରାଜ୍ୟ ପକ୍ଷେ ବଡ ପ୍ରଶଂସାର ବିଷୟ । ସ୍କୁଲରେ ପଢିବାଯୋଗ୍ୟ ବାଳକ ବାଳିକାମାନଙ୍କ ମଧ୍ୟରୁ ଅଧେ ବର୍ତ୍ତମାନ ପଢ଼ୁଅଛନ୍ତି । ପ୍ରତି ତିନି ବର୍ଗମାଇଲ ମଧ୍ୟରେ ଗୋଟିଏ ବିଦ୍ୟାଳୟ ଅଛି । ଗୋଟିଏ ନିର୍ଦ୍ଦିଷ୍ଟ ତାଲୁକାର ସମଗ୍ର ବାଳକ ବାଳିକା ସ୍କୁଲରେ ପଢୁଅଛନ୍ତି କେହି ନ ପଢି ବୁଲୁନାହିଁ । ଯେଉଁ ତାଲୁକାରେ ଶିକ୍ଷା ସବୁଠାରୁ ଉଣା ସେଥିରେ ଶତକଡ଼ା ୩୦ଜଣ ପିଲା ସ୍କୁଲରେ ଅଛନ୍ତି । ଭାରତରେ ଦେଶୀୟ ରାଜ୍ୟ ସଙ୍ଖ୍ୟା କମ୍ ନୁହେଁ । ଏଗୁଡିକର ଉନ୍ନତି ଉପରେ ଭାରତର ଜାତୀୟ ଉନ୍ନତି ବହୁ ପରିମାଣରେ ନିର୍ଭର କରେ । ବରୋଦା, ତ୍ରିବାଙ୍କୁଡ଼, ମହୀଶୂରର ଆଦର୍ଶରେ ଅନ୍ୟାନ୍ୟ ରାଜ୍ୟମାନ ଶିକ୍ଷା ଓ ଶିଳ୍ପର ଉନ୍ନତିରେ ମନ ବଳାଇଲେ ଅଚିରେ ବହୁ କଲ୍ୟାଣ ସାଧିତ ହୁଅନ୍ତା । ବଡ ବଡ ରାଜ୍ୟ ଅପେକ୍ଷା କ୍ଷୁଦ୍ର ରାଜ୍ୟରେ କାର୍ଯ୍ୟ କରିବା ଅନେକ ସ୍ଥଳରେ ସୁବିଧାଜନକ । କ୍ଷୁଦ୍ର ରାଜ୍ୟରେ ସମସ୍ତ କାର୍ଯ୍ୟ ରାଜା ବା ଦେବାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇପାରେ । ଦେଶୀୟ ରାଜ୍ୟର ପ୍ରଜାମାନେ ଆବହମାନ କାଳରୁ ପୁରୁଷାକ୍ରମେ ରାଜାଙ୍କୁ ମା-ବାପା ହର୍ତ୍ତାକର୍ତ୍ତା ବୋଲି ମାନି ଆସିଅଛନ୍ତି । ଏ ବିଶ୍ୱାସ ସେମାନଙ୍କର ମଜ୍ଜାଗତ । ରାଜାଙ୍କର କୌଣସି ହିତକର ପ୍ରସ୍ତାବରେ ସେମାନେ ଅକୁଣ୍ଠିତ ଭାବରେ ମନପ୍ରାଣ ଢାଳି ଦେବା ସ୍ୱାଭାବିକ । ପ୍ରଜାମାନଙ୍କର ଉନ୍ନତିରେ ରାଜାଙ୍କର ଶ୍ରେୟ ଏବଂ ରାଜ୍ୟର କଲ୍ୟାଣ ।

(ସତ୍ୟବାଦୀ ୨ୟ ଖଣ୍ଡ ୩ୟ ସଂଖ୍ୟା, ୧୯୧୬)

No comments:

Post a Comment