Tuesday, February 06, 2018

ଦ୍ରାଘିମା କଅଣ ?


ଅନୁବାଦ - ବିଶ୍ୱଜିତ ଆପଟ

ବିନା ଅକ୍ଷାଂଶରେ ଦ୍ରାଘିମାର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଭୂପୃଷ୍ଠର କୌଣସି ସ୍ଥାନର ଅବସ୍ଥିତି ଜାଣିବାକୁ ହେଲେ ସେହି ସ୍ଥାନର ଅକ୍ଷାଂଶ ସହ ଆଉ କିଛି ଅଧିକ ଜାଣିବାକୁ ହେବ । ଉଦାହରଣ ସ୍ୱରୂପ, ପ୍ରଶାନ୍ତ ମହାସାଗରରେ ଥିବା ଟୋଙ୍ଗା ଦ୍ୱୀପ ଓ ଭାରତ ମହାସାଗରରେ ଥିବା ମରିସସ୍ ଦ୍ୱୀପ ଗୋଟିଏ ସମାକ୍ଷରେଖା ଉପରେ ଅବସ୍ଥିତ ଯାହାର ଅକ୍ଷାଂଶ ହେଉଛି ୨୦° . । ଏବେ ସେମାନଙ୍କ ସଠିକ ସ୍ଥିତି ନିର୍ଣ୍ଣୟ କରିବା ପାଇଁ ଜାଣିବାକୁ ହେବ ଉତ୍ତର ମେରୁ ଠାରୁ ଦକ୍ଷିଣ ମେରୁକୁ ଯୋଡୁଥିବା ଏକ ସନ୍ଦର୍ଭ ରେଖାରୁ ଏହି ସ୍ଥାନଗୁଡିକ କେତେ ଦୂର ପୂର୍ବ ବା ପଶ୍ଚିମରେ ଅବସ୍ଥିତ । ଉତ୍ତର ମେରୁ ଓ ଦକ୍ଷିଣ ମେରୁ ସଂଯୋଗ କରୁଥିବା ଏହି ଅର୍ଦ୍ଧବୃତ୍ତାକାର ସନ୍ଦର୍ଭ ରେଖାଗୁ଼ଡିକୁ ମଧ୍ୟନ୍ଦିନ ରେଖା କୁହାଯାଏ । ଏମାନଙ୍କ ମଧ୍ୟରେ ଦୂରତାକୁ ଦ୍ରାଘିମାର କୋଣ ଦ୍ୱାରା ମପାଯାଏ । ଦ୍ରାଘିମାର ପ୍ରତ୍ୟେକ ଡିଗ୍ରୀ ମିନିଟରେ ବିଭକ୍ତ ହୁଏ ଓ ପ୍ରତ୍ୟେକ ମିନିଟ ସେକେଣ୍ଡରେ ବିଭକ୍ତ ହୁଏ । ମେରୁ ଆଡକୁ ଗଲେ ସେମାନଙ୍କ ମଧ୍ୟରେ ଦୂରତା ଧୀରେ ଧୀରେ ହ୍ରାସ ପାଏ ଓ ମେରୁଠାରେ ଏହା ଶୂନ୍ୟ ହୁଏ ଯେଉଁଠାରେ ସବୁ ମଧ୍ୟନ୍ଦିନ ରେଖା ପରସ୍ପର ସହ ମିଶିଯାଅନ୍ତି ।

ସମାକ୍ଷରେଖାଗୁଡିକର ଦୈର୍ଘ୍ୟ ଭିନ୍ନ ଭିନ୍ନ କିନ୍ତୁ ସବୁ ମଧ୍ୟନ୍ଦିନ ରେଖାଗୁଡିକର ଦୈର୍ଘ୍ୟ ସମାନ । ଏଣୁ ସେମାନଙ୍କୁ କ୍ରମିକ ସଂଖ୍ୟା ଦେବା କଷ୍ଟକର । ପୃଥିବୀର ସବୁ ଦେଶଙ୍କ ସମ୍ମତି କ୍ରମେ ଇଂଲଣ୍ଡର ଗ୍ରୀନିଚ୍ ଠାରେ ସ୍ଥାପିତ ବ୍ରିଟିଶ୍ ରୟାଲ୍ ଏବଜରଭେଟୋରୀ ଦେଇ ଯାଇଥିବା ଦ୍ରାଘିମା ରେଖାଠାରୁ ଗଣନା ଆରମ୍ଭ କରାଯାଇଛି । ଏହି ମଧ୍ୟନ୍ଦିନ ରେଖାକୁ ପ୍ରଧାନ ମଧ୍ୟନ୍ଦିନ ରେଖା କୁହାଯାଏ । ଏହାର ମାନ ୦° ଓ ଏହାଠାରୁ ୧୮୦° ପୂର୍ବକୁ ଓ ୧୮୦° ପଶ୍ଚିମକୁ ଦ୍ରାଘିମା ମପାଯାଇଥାଏ । ପ୍ରଧାନ ମଧ୍ୟନ୍ଦିନ ରେଖା ଓ ୧୮୦° ଦ୍ରାଘିମା ପୃଥିବୀକୁ ଦୁଇ ସମାନ ଭାଗରେ ବିଭକ୍ତ କରିଥାଏ । ପ୍ରଧାନ ମଧ୍ୟନ୍ଦିନ ରେଖାର ପୂର୍ବ ପାର୍ଶ୍ୱସ୍ଥ ଅର୍ଦ୍ଧାଂଶକୁ ପୂର୍ବ ଗୋଲାର୍ଦ୍ଧ ଓ ଅପର ଅର୍ଦ୍ଧାଂଶକୁ ପଶ୍ଚିମ ଗୋଲାର୍ଦ୍ଧ କୁହାଯାଏ । ଏଣୁ କୌଣସି ସ୍ଥାନର ଦ୍ରାଘିମା ଲେଖିଲା ବେଳେ ପୂର୍ବ ପାଇଁ ପୂ. ଓ ପଶ୍ଚିମ ପାଇଁ ପ. ଯୋଡାଯାଏ । ରୋଚକ ତଥ୍ୟଟି ଏହି ଯେ ୧୮୦° ପୂ. ଓ ୧୮୦° . ଦ୍ରାଘିମା ରେଖା ଦ୍ୱୟ ଗୋଟିଏ ହିଁ ରେଖା ଅଟନ୍ତି ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

No comments:

Post a Comment