Tuesday, February 27, 2018

ବିଦ୍ୟାଳୟରେ ପାଠର ସମୟ

ଗୋପବନ୍ଧୁ ଦାଶ


ପ୍ଲାଟୋଙ୍କର ଅକାଦେମୀର ଚିତ୍ର
ଇତାଲୀ ଦେଶର ପମ୍ପେଇ ନଗରସ୍ଥ ମୋଜାଗି: ପ୍ରଥମ ଶତାବ୍ଦୀ (ୱିକିମିଡିଆ କମନ୍ସ୍)

ସରକାରୀ କଚେରି ସ୍କୁଲ, କାରଖାନା,ସବୁଥିରେ ଆଜିକାଲି କାର୍ଯ୍ୟର ସମୟ ସକାଳ ଦଶଟା ଓ ଏଗାରଟା ଠାରୁ ଉପର ବେଳା ୪ଟା ୫ଟା ପର୍ଯ୍ୟନ୍ତ । ସରକାର ତ ସବୁ ବିଷୟରେ ଆଦର୍ଶ । ଯଥା ରାଜା ତଥା ପ୍ରଜା । ସରକାରଙ୍କ ଦେଖାଦେଖି ଅନ୍ୟାନ୍ୟମାନେ ମଧ୍ୟ ସେହି ସମୟ ସମୟରେ ପାଠପଢ଼ା ହେଉଛି । କିନ୍ତୁ ଭାରତରେ ଏ ସମୟ କାର୍ଯ୍ୟ ପକ୍ଷେ କଦାପି ପ୍ରଶସ୍ତ ନୁହେଁ । ଚିରକାଳ ଏ ଦେଶରେ ସବୁ କ୍ଷେତ୍ରରେ କାର୍ଯ୍ୟକାଳ ଦୁଇ ବେଳା ସକାଳଓଳି ଓ ଉପରଓଳି । ଦୁଇ ପ୍ରହର ବା ମଧ୍ୟାହ୍ନ ସମୟରେ ବିଶ୍ରାମ । ଏ ଦେଶର ଜଳବାୟୁ, ଖାଦ୍ୟପେୟ ପ୍ରଭୃତି ସକଳ ବିଷୟ ଦୃଷ୍ଟିରେ ଏଭଳି ସମୟ ନିର୍ଦ୍ଦେଶ ସ୍ୱାସ୍ଥ୍ୟକର ଏବଂ ସୁବିଧାଜନକ । ସକାଳେ କାର୍ଯ୍ୟ କରିବା ଲାଗି ଦେହ ଓ ମନ ଉଭୟରେ ସ୍ଫୂର୍ତ୍ତି ଥାଏ । ପରିଶ୍ରମ ପରେ ମଧ୍ୟାହ୍ନ ସମୟରେ ଭୋଜନ ବେଳକୁ କ୍ଷୁଧା ହୁଏ । ମଧ୍ୟାହ୍ନ ଭୋଜନ ପରେ ଶରୀର ସାଧାରଣତଃ ଟିକିଏ ଅବସନ୍ନ ହୋଇଆସେ । ସାମାନ୍ୟ ବିଶ୍ରାମ ପରେ ପୁଣି ନବଶକ୍ତିର ସଞ୍ଚୟ ହୁଏ ଏବଂ ଉପରବେଳା କାର୍ଯ୍ୟ ହୁଏ ଏବଂ କର୍ମୀ ସହଜରେ କ୍ଲାନ୍ତ ହୁଏ ନାହିଁ । ଏହା ଭାରତରେ ଚରନ୍ତର କାର୍ଯ୍ୟପ୍ରଣାଳୀ । କିନ୍ତୁ ଅନ୍ୟାନ୍ୟ ଅନେକ ବିଷୟରେ ଭାରତୀୟ ପ୍ରଥା ପ୍ରକୃତି ନ ବୁଝି ଯେପରି ନୂତନ ବିଧାନର ପ୍ରବର୍ତ୍ତନ ହୋଇଅଛି, ଏ କ୍ଷେତ୍ରରେ ମଧ୍ୟ ସେହିପରି ଅବଶ୍ୟ ଏକ ଶହ ବର୍ଷରୁ ଉର୍ଦ୍ଧ୍ୱ କାଳ ଚଳି ଆସିବାରୁ ଏହା ଏକ ପ୍ରକାର ଅଭ୍ୟାସ ପଡିଗଲାଣି । କିନ୍ତୁ ଏଥିରେ ଯେ କି ଅନିଷ୍ଟ ହେଉଛି, ଟିକିଏ ଚିନ୍ତା କଲେ ଅନାୟାସରେ ଜଣାପଡ଼େ । ଦୁଇ ବେଳା କାର୍ଯ୍ୟ କରିବା ଲୋକଙ୍କ ସଙ୍ଗେ ୧୧ଟାଠାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ଲୋକଙ୍କର ତୁଳନା କରି ଦେଖିଲେ ପ୍ରଥମୋକ୍ତମାନେ ଅଧିକ ସତେଜ ଓ ଶକ୍ତି ଥିବାର ଦେଖାଯିବ । ଯେଉଁମାନେ ସ୍କୁଲ କଲେଜରେ ପଢ଼ନ୍ତି ବା କଚେରିରେ କାମ କରନ୍ତି, ସେମାନଙ୍କ ମଧ୍ୟରୁ ସତେଜ ଜଣ ସୁସ୍ଥ ସବଳ ? ଦେହକୁ ଜଗି ଚଳିବାରେ ସେମାନଙ୍କର ସମୟ ନିଅଣ୍ଟ । କିନ୍ତୁ ଆଜି ପେଟ ହେଲେ କାଲି ମୁଣ୍ଡ. କ୍ରମାଗତ କିଛି ନା କିଛି ଗୋଟାଏ ଆଧିବ୍ୟାଧି ତ ଲାଗି ରହିଛି । ଅଜୀର୍ଣ୍ଣ ଉଦରାମୟ ରୋଗ ଶିକ୍ଷିତ ସମ୍ପ୍ରଦାୟକୁ ଏକପ୍ରକାର ଛାରଖାର କରି ଦେଲାଣି । ଯଥାସମୟରେ ଉପଯୁକ୍ତ ବିଶ୍ରାମର ଅଭାବ ଏହାର ପ୍ରଧାନ କାରଣ । ୧୧ଟା ବେଳେ ଭୋଜନ କଲା ମାତ୍ର କର୍ମକ୍ଷେତ୍ରକୁ ଦଉଡିବାକୁ ପଡ଼େ । ଏ ଦେଶର ଲୋକେ ସାଧାରଣତଃ ଦୁଇ ଥର ଖାଆନ୍ତି । ତେଣୁ ପ୍ରତି ଥର ପେଟ ପୂରାଇ ଖାଆନ୍ତି । ପାକସ୍ଥଳୀ ଉପରେ ଟିକିଏ ବେଶି ଚାପ ପଡେ, କିନ୍ତୁ ଏଣେ ପାକସ୍ଥଳୀକି ଆଦୌ ବିଶ୍ରାମ ମିଳେ ନାହିଁ । ୧୦ଟା ୧୧ଟା ବେଳେ ନିଶ୍ଚୟ କର୍ମକ୍ଷେତ୍ରକୁ ଯିବାକୁ ଦରକାର ଆଉ ଭୋକ ଥାଉ ନ ଥାଉ ଖାଇବାକୁ ହେବ । ଏଥିରେ ଜୀବନକ୍ରିୟାର ସ୍ୱାଚ୍ଛନ୍ଦ୍ୟ ଏବଂ ପ୍ରାକୃତିକତା ନଷ୍ଟ ହୋଇଯାଉଛି । ସବୁ ଗୋଟାଏ ଯନ୍ତ୍ରରେ ଚାଲିବା ପରି ଚାଲୁଛି । ଶୀତପ୍ରଧାନ ଦେଶର ଖାଦ୍ୟ ବ୍ୟବହାର ଅନ୍ୟ ପ୍ରକାର ଜଳବାୟୁ ଅନ୍ୟ ପ୍ରକାର । ସେଠା ନିୟମ ଏଠା ଲୋକଙ୍କ ପ୍ରତି ଖଟିବ କାହୁଁ ? ପ୍ରକୃତି ସବୁବେଳେ ତାର ନିଜ ବାଟରେ ଚାଲିବାକୁ ଲୋଡ଼େ । ସାମାନ୍ୟ ବ୍ୟତିକ୍ରମ ହେଲେ ସଙ୍ଗେ ସଙ୍ଗେ ପରାଭାବ ଦିଏ । ଅଳ୍ପ ଦିନ ପୂର୍ବେ ମାନ୍ଦ୍ରାଜ ଅନ୍ତର୍ଗତ ନେଲୋରଠାରେ ଯେଉଁ ଛାତ୍ର-ସମ୍ମିଳନୀ ହୋଇଥିଲା ତହିଁରେ ସଭାପତି ଶ୍ରାମତୀ ଆନି ବେଶାନ୍ତ ଭାରତୀୟ ବିଦ୍ୟାଳୟମାନଙ୍କରେ ଏହିପରି ଅପ୍ରାକୃତିକ କାର୍ଯ୍ୟକାଳ ରୀତିକି ଆକ୍ଷେପ କରିଥିଲେ । ସେ ଦୁଇ ଓଳି ପଢ଼ା ହେବା ରୀତିର ପକ୍ଷପାତୀ । ପ୍ରାଚୀନ ରୀତିର ସଂସ୍କୃତ ଟୋଲ ଏବଂ ମଫସଲ ଚାଟଶାଳୀମାନଙ୍କରେ ଅନେକ ସ୍ଥଳେ ଏବେ ସୁଦ୍ଧା ଦୁଇ ଓଳି ପଢ଼ା ହୁଏ । ଟୋଲର ଛାତ୍ରମାନଙ୍କ ଅପେକ୍ଷା ଇଂରାଜୀ ସ୍କୁଲ କଲେଜରେ ଅବସ୍ଥା ଅଧିକ ସ୍ୱଚ୍ଛଳ ଏବଂ ସେମାନେ ଟିକିଏ ଅଧିକ ସୁଖସ୍ୱାଚ୍ଛନ୍ଦ୍ୟରେ ଚଳନ୍ତି । ତଥାପି ଟୋଲ ଛାତ୍ରମାନଙ୍କଠାରୁ ଏମାନେ ଅଧିକ ସବଳ ବୋଲି ମନେହୁଏ ନାହିଁ । ସେ ଯାହା ହେଉ ଭୋଜନର ଅବ୍ୟବହିତ ପରେ ଦିନର ମଧ୍ୟଭାଗରେ ଏକାଦିକ୍ରମେ କିମ୍ୱା ମଝିରେ ଥରେ ସାମାନ୍ୟ ବ୍ୟବଧାନ ପରେ ୫ ଘଣ୍ଟା ମାନସିକ ପରିଶ୍ରମ ଯେ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକର ଏହା ଏକପ୍ରକାର ସର୍ବବାଦୀସମ୍ମତ । ଯାହା ସମସ୍ତେ ଅଙ୍ଗେ ଭୋଗୁଛନ୍ତି, ସେଥିରେ ଆଉ ତର୍କ ଯୁକ୍ତିର ପ୍ରୟେଜନ ନାହିଁ । ଗତବର୍ଷ ଗ୍ରୀଷ୍ମାବିକାଶ ପୂର୍ବରୁ ସତ୍ୟବାଦୀ ସ୍କୁଲରେ ଦୁଇ ବେଳା ଅଧ୍ୟାପନା ରୀତି କେତେକ ଦିନ ଚଳିଥିଲା । ସକାଳେ ସାଢ଼େ ଛଅଟାଠାରୁ ସାଢେ଼ ନଅଟା ପୁଣି ଉପରଓଳି ସାଢ଼େ ତିନିଠାରୁ ସାଢେ ପାଞ୍ଚଟା । ଏ ପ୍ରଣାଳୀରେ ଅଧିକ କାର୍ଯ୍ୟ ହୁଏ, ଶିକ୍ଷକ ଓ ଛାତ୍ରମାନଙ୍କର ବେଶି ସ୍ଫୂର୍ତ୍ତି ହୁଏ ଏବଂ କାର୍ଯ୍ୟରେ ଅଧିକ ମନୋନିବେଶ ହୁଏ । ତଦାନୀନ୍ତର ଶିକ୍ଷା ବିଭାଗର ଇନ୍‌ସପେକ୍‌ଟର ମାକୁମ ସାହେବ ଏ ରୀତିର ଉପକାରତା ମଧ୍ୟ ସ୍ୱୀକାର କରିଥିଲେ । କିନ୍ତୁ ବିଦ୍ୟାଳୟ ସଂଲଗ୍ନ ଛାତ୍ରାବାସରେ ଏବଂ ବିଦ୍ୟାଳୟର ନିକଟବର୍ତ୍ତୀ ଏକ ମାଇଲ ଦୂରରେ ଯେଉଁମାନେ ବାସ କରନ୍ତି, ସେମାନେ ସ୍ୱଚ୍ଛନ୍ଦରେ ଦୁଇ ବେଳା ଯାଇ ଆସିପାରନ୍ତି । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମର ବ୍ୟବସ୍ଥା ହେଲେ ଦୂର ସ୍ଥାନର ଛାତ୍ରମାନଙ୍କର କୌଣସି ଅସୁବିଧା ରହିବ ନାହିଁ । ଶିକ୍ଷା ସମ୍ୱନ୍ଧେ ସରକାର ଏବଂ ଦେଶର ଚିନ୍ତାଶୀଳ ବ୍ୟକ୍ତିମାନେ ନାନା ସଂସ୍କାର କଳ୍ପନା କରୁଅଛନ୍ତି । ଆମ୍ଭମାନଙ୍କ ଶିକ୍ଷିତ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଓ ଶାରୀରିକ ଅବସ୍ଥା ଦୃଷ୍ଟିରେ କାର୍ଯ୍ୟର ସମୟ ଆଲୋଚନା ବିଷୟ ହେବା ଆବଶ୍ୟକ ନୁହେଁ କି ?

(ସତ୍ୟବାଦୀ ୨ୟ ଖଣ୍ଡ, ୩ୟ ସଂଖ୍ୟା, ୧୯୧୬)

No comments:

Post a Comment