Saturday, February 17, 2018

ପୃଥିବୀର ଗତି


ଅନୁବାଦ - ବିଶ୍ୱଜିତ ଆପଟ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ତୁମେ ଜାଣିଥିବ ଯେ ପୃଥିବୀର ଗତି ଦୁଇ ପ୍ରକାରରଯାହାକୁ ଆମେ ଆବର୍ତ୍ତନ ଓ ପରିକ୍ରମଣ ବୋଲି କହିଥାଉ । ପୃଥିବୀ ନିଜ ଅକ୍ଷ ଚତୁଃପାର୍ଶରେ ଘୂରିବାକୁ ଆବର୍ତ୍ତନ କୁହାଯାଏ । ପୃଥିବୀ ସୂର୍ଯ୍ୟ ଚାରିପଟେ ନିଜ କକ୍ଷପଥରେ ବୁଲେ ଯାହାକୁ ପରିକ୍ରମଣ ବୋଲି କୁହାଯାଏ ।
ପୃଥିବୀର ଅକ୍ଷ ଏକ କଳ୍ପିତ ରେଖା ଯାହା ପୃଥିବୀର କକ୍ଷତଳ ସହ ୬୬   ° କୋଣରେ ଆନତ ହୋଇ ରହିଥାଏ । କକ୍ଷତଳ ହେଉଛି କକ୍ଷପଥ ଦ୍ୱାରା ଗଠିତ ସମତଳ । ପୃଥିବା ସୂର୍ଯ୍ୟ ଠାରୁ ଆଲୋକ ପାଇଥାଏ । ପୃଥିବୀ ଗୋଲାକାର ହୋଇଥିବାରୁଯେ କୌଣସି ସମୟରେ ଏହାର ଅର୍ଦ୍ଧେକ ଅଂଶ ହିଁ ସୂର୍ଯ୍ୟାଲୋକ ପାଇପାରିଥାଏ (ଚିତ୍ର କ୍ରମାଙ୍କ ୩.)। ସୂର୍ଯ୍ୟ ଆଡକୁ ମୁହଁ କରିଥିବା ପାର୍ଶ୍ୱରେ ଦିନ ହୁଏ ଓ ଅପର ପାର୍ଶ୍ୱରେ ରାତି ହୁଏ । ଆଲୋକିତ ଅର୍ଦ୍ଧାଂଶ ଓ ଅନ୍ଧକାର ଅର୍ଦ୍ଧାଂଶ ଯେଉଁଠାରେ ମିଳିତ ହୁଅନ୍ତି ସେହି ଆଲୋକିତ ବଳୟକୁ ଆଲୋକବୃତ୍ତ କୁହାଯାଏ । ଏହି ବୃତ୍ତ ପୃଥିବୀର ଅକ୍ଷ ସହିତ ମେଳ ଖାଏ ନାହିଁ ଯାହା ତୁମେ ଚିତ୍ର କ୍ରମାଙ୍କ ୩.୨ରେ ଦେଖିପାରୁଥିବ । ପୃଥିବୀ ନିଜ ଅକ୍ଷ ଚାରିପଟେ ଥରଟିଏ ପୂର୍ଣ୍ଣ ଆବର୍ତ୍ତନ କରିବା ପାଇଁ ପ୍ରାୟ ୨୪ ଘଣ୍ଟା ସମୟ ନିଏ । ଏହି ସମୟ କାଳକୁ ପୃଥିବୀଦିବସ ମଧ୍ୟ କୁହାଯାଏ । ଏହା ପୃଥିବୀର ଦୈନିକ ଗତି ଅଟେ ।

ପୃଥିବୀ ଆବର୍ତ୍ତନ କରୁନଥିଲେ କ’ଣ ହୋଇଥାଆନ୍ତା ସୂର୍ଯ୍ୟକୁ ମୁହଁ କରିଥିବା ପାର୍ଶ୍ୱରେ ସବୁବେଳେ ଦିନ ହୋଇଥାଆନ୍ତା ଓ ସର୍ବଦା ଉତ୍ତପ୍ତ ରହିଥାଆନ୍ତା । ଅପର ପାର୍ଶ୍ୱଟି ସର୍ବଦା ଅନ୍ଧକାର ଓ ଥଣ୍ଡା ଅବସ୍ଥାରେ ଥାଆନ୍ତା । ଏପରି ସ୍ଥିତିରେ ଜୀବନର ସଞ୍ଚାର ସମ୍ଭବ ହୋଇନଥାନ୍ତା ।

ସୂର୍ଯ୍ୟ ଚାରିପାଖରେ ପୃଥିବୀର ଦ୍ୱିତୀୟ ପ୍ରକାରର ଗତିକୁ ପରିକ୍ରମଣ କୁହାଯାଏ । ସୂର୍ଯ୍ୟର ପରିକ୍ରମା କରିବା ପାଇଁ ଏହା ୩୬୫    ଦିନ ସମୟ ନିଏ । ଆମେ ସୁବିଧା ପାଇଁ ଗୋଟିଏ ବର୍ଷ କହିଲେ ୩୬୫ ଦିନ ବୁଝୁଛୁ ଓ ଅତିରିକ୍ତ ୬ ଘଣ୍ଟାକୁ ହିସାବକୁ ନେଉନାହୁଁ ।

ଚାରି ବର୍ଷରେ ଥରେ ଅତିରିକ୍ତ ୬ ଘଣ୍ଟା ସବୁ ମିଶି ୨୪ ଘଣ୍ଟା ବା ଦିନଟିଏ ହୋଇ।ଯାଏ । ଏହି ଦିନଟିକୁ ଫେବୃଆରୀ ମାସରେ ଯୋଡିଦିଆଯାଏ । ତେଣୁ ପ୍ରତି ଚାରି ବର୍ଷରେ ଫେବୃଆରୀରେ ୨୮ ଦିନ ପରିବର୍ତ୍ତେ ୨୯ ଦିନ ହୁଏ । ୩୬୬ ଦିନ ବିଶିଷ୍ଟ ଏହିପରି ବର୍ଷକୁ ଆମେ ଅଧିବର୍ଷ କହିଥାଉ । ଆସନ୍ତା ଅଧିବର୍ଷ କେବେ ତୁମେ ଜାଣିଛ କି ?

ଚିତ୍ର କ୍ରମାଙ୍କ ୩.୩ ରୁ ଏହା ସ୍ପଷ୍ଟ ଯେ ପୃଥିବୀ ଏକ ଉପବୃତ୍ତାକାର କକ୍ଷପଥରେ ସୂର୍ଯ୍ୟକୁ ପରିକ୍ରମା କରୁଛି । ଲକ୍ଷ୍ୟ କର ଯେ ପୃଥିବୀ ଏହାର କକ୍ଷପଥରେ ସବୁବେଳେ ଗୋଟିଏ ଆଡକୁ ଢଳି ରହିଛି ।

ଗୋଟିଏ ବର୍ଷ ମଧ୍ୟରେ ଚାରିଟି ଋତୁ – ଗ୍ରୀଷ୍ମଶରତଶୀତ ଓ ବସନ୍ତ ପୃଥିବୀର ପରିକ୍ରମଣ ଯୋଗୁ୍ଁ ସଂଘଟିତ ହୋଇଥାଏ । ସୂର୍ଯ୍ୟ ଚାରିପାଖରେ ପୃଥିବୀର ଅବସ୍ଥିତି ପରିବର୍ତ୍ତନ ହେବା ସହ ଋତୁ ବଦଳେ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

No comments:

Post a Comment