Friday, February 09, 2018

ଦ୍ରାଘିମା ଓ ସମୟ

ଅନୁବାଦ - ବିଶ୍ୱଜିତ ଆପଟ


ପୃଥିବୀର ନାନାଦି ସମୟ ମଣ୍ଡଳ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ସମୟ ନିରୂପଣ କରିବାର ସର୍ବୋତ୍ତମ ବାଟ ହେଉଛି ପୃଥିବୀ, ଚନ୍ଦ୍ର ଓ ଗ୍ରହମାନଙ୍କର ଗତିବିଧି । ସୂର୍ଯ୍ୟ ନିୟମିତ ଭାବେ ପ୍ରତିଦିନ ଉଦୟ ହୁଏ ଓ ଅସ୍ତ ଯାଏ । ଏଣୁ ସମୟ ନିରୂପଣ ପାଇଁ, ସ୍ୱାଭାବିକ ରୂପେ, ଏହା ସବୁଠାରୁ ଭଲ ସାଧନ । ସ୍ଥାନୀୟ ସମୟର ଅନୁମାନ ସୂର୍ଯ୍ୟ ଦ୍ୱାରା ସୃଷ୍ଟ ଛାଇରୁ କରିହେବ ଯାହାକି ମଧ୍ୟାହ୍ନରେ ସବୁଠାରୁ ଛୋଟ ଏବଂ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ବେଳେ ସବୁଠାରୁ ଲମ୍ବା ହୋଇଥାଏ ।

ଗ୍ରୀନିଚ୍ ଦେଇ ଯାଇଥିବା ପ୍ରଧାନ ମଧ୍ୟନ୍ଦିନ ରେଖା ଉପରେ ସୂ୍ର୍ଯ୍ୟ ଯେତେବେଳେ ଆକାଶରେ ସବୁଠାରୁ ଉଚ୍ଚ ବିନ୍ଦୁରେ ଥାଆନ୍ତି ସେତେବେଳେ ମଧ୍ୟନ୍ଦିନ ରେଖାଟି ଉପରେ ଥିବା ପ୍ରତିଟି ସ୍ଥାନରେ ମଧ୍ୟାହ୍ନ ହୁଏ ।

ପୃଥିବୀ ପୂର୍ବରୁ ପଶ୍ଚିମକୁ ବୁଲୁଥିବାରୁ ଗ୍ରୀନିଚ୍ ଠାରୁ ପୂର୍ବରେ ଥିବା ସ୍ଥାନମାନଙ୍କର ସମୟ ଗ୍ରୀନିଚ୍ ଠାରୁ ଆଗୁଆ ରହେ ଓ ପଶ୍ଟିମରେ ଥିବା ସ୍ଥାନମାନଙ୍କର ସମୟ ଗ୍ରୀନିଚ୍ ଠାରୁ ପଛୁଆ ରହେ । ନିମ୍ନରେ ଦିଆଯାଇଥିବା ଉପାୟ ବ୍ୟବହାର କରି କେଉଁ ହାରରେ ସମୟ ଆଗପଛ ହେଉଛି ନିର୍ଣ୍ଣୟ କରାଯାଇ ପାରିବ । ପୃଥିବୀ ହାରାହାରି ୨୪ ଘଣ୍ଟାରେ ନିଜ ଅକ୍ଷ ଚାରିପଟେ ଥରେ ଘୁରିଆସେ, ଯାହା ହେଉଛି ୩୬୦ ଡିଗ୍ରୀ । ଅର୍ଥାତ୍ ଏହା ୧ ଘଣ୍ଟାରେ ୧୫° ଓ ୪ ମିନିଟ୍ ରେ ୧° ଘୂର୍ଣ୍ଣନ କରେ । 

ଯେତେବେଳେ ଗ୍ରୀନିଚ୍ ରେ ମଧ୍ୟାହ୍ନ ୧୨ଟା ବାଜିଥାଏ, ଏହାଠାରୁ ୧୫ ଡିଗ୍ରୀ ପୂର୍ବରେ ଥିବା ସ୍ଥାନର ସମୟ ୧୫ × = ୬୦ ମିନିଟ୍ ଆଗୁଆ ଥିବ, ଅର୍ଥାତ୍ ସେଠାରେ ଦିନ ୧ ଘଣ୍ଟା ହୋଇଥିବ । ସେହିପରି ୧୫° ପଶ୍ଚିମରେ ଥିବା ସ୍ଥାନଗୁଡିକରେ ସମୟ ୧ ଘଣ୍ଟା ପଛୁଆ ଥିବ । ସେଠାରେ ସକାଳ ୧୧ଟା ବାଜିଥିବ । ଯେତେବେଳେ ଗ୍ରୀନିଚ୍ ରେ ମଧ୍ୟାହ୍ନ ୧୨ଟା ବାଜିଥିବ, ୧୮୦° ଦ୍ରାଘିମା ରେଖା ଉପରେ ମଧ୍ୟରାତ୍ରି ହେବ

ଯେକୌଣସି ସ୍ଥାନରେ ସୂର୍ଯ୍ୟ ଆକାଶରେ ନିଜ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିବାବେଳେ ଘଣ୍ଟାରେ ମଧ୍ୟାହ୍ମ ୧୨ଟା ବାଜିବା ପରି ଘଣ୍ଟାକୁ ସେଟ୍ କରାଯାଇ ପାରିବ । ଏ ପ୍ରକାର ଘଣ୍ଟା ଦ୍ୱାରା ପ୍ରଦର୍ଶିତ ସମୟ ହେଉଛି ସେହି ସ୍ଥାନର ସ୍ଥାନୀୟ ସମୟଗୋଟିଏ ମଧ୍ୟନ୍ଦିନ ରେଖା ଉପରେ ଥିବା ସମସ୍ତ ସ୍ଥାନର ସ୍ଥାନୀୟ ସମୟ ସମାନ ହେବ ।

ପ୍ରମାଣ ସମୟ କାହିଁକି ଆବଶ୍ୟକ ?


ଭିନ୍ନ ଭିନ୍ନ ଦ୍ରାଘିମାରେ ଥିବା ସ୍ଥାନମାନଙ୍କର ସ୍ଥାନୀୟ ସମୟ ଭିନ୍ନ ଭିନ୍ନ ହୋଇଥାଏ । ଏଣୁ ଅନେକଗୁଡିଏ ଦ୍ରାଘିମା ରେଖା ଅତିକ୍ରମ କରୁଥିବା ଟ୍ରେନ୍ ମାନଙ୍କର ସମୟସାରଣୀ ପ୍ରସ୍ତୁତ କରିବା କଷ୍ଟକର । ଭାରତର ଗୁଜୁରାଟ ରାଜ୍ୟରେ ଥିବା ଦ୍ୱାରିକା ଓ ଆସାମରେ ଥିବା ଦିବ୍ରୁଗଡର ସ୍ଥାନୀୟ ସମୟ ମଧ୍ୟରେ ପ୍ରାୟ ୧ ଘଣ୍ଟା ୪୫ ମିନିଟ୍ ବ୍ୟବଧାନ ରହିଛି । ଏ ପ୍ରକାର ଅସୁବିଧାକୁ ଏଡାଇବା ପାଇଁ ଦେଶର କେନ୍ଦ୍ରସ୍ଥଳରେ ଥିବା କୌଣସି ଏକ ମଧ୍ୟନ୍ଦିନ ରେଖାର ସ୍ଥାନୀୟ ସମୟକୁ ଦେଶର ପ୍ରମାଣ ସମୟ ଭାବେ ଗ୍ରହଣ କରିବାକୁ ହେବ । ଭାରତରେ ୮୨° ୩୦' ପୂର୍ବ ଦ୍ରାଘିମାକୁ ଦେଶର ପ୍ରମାଣ ଦ୍ରାଘିମା ରୂପେ ଗ୍ରହଣ କରାଯାଇଛି । ଏହି ଦ୍ରାଘିମାର ସ୍ଥାନୀଯ ସମୟ ସମଗ୍ର ଦେଶର ପ୍ରମାଣ ସମୟ ଅଟେ । ଏହାକୁ ଭାରତୀୟ ପ୍ରମାଣ ସମୟ ବା ଆଇ. ଏସ୍. ଟି (ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ ଟାଇମ) ବୋଲି କୁହାଯାଏ ।

କବୀର ଭୋପାଳ ନିକଟସ୍ଥ କୌଣସି ଏକ ଛୋଟ ସହରରେ ବାସ କରେ । ସେ ତା ବନ୍ଧୁ ଆଲୋକକୁ କହୁଛି ଯେ ସେମାନେ ଆଜି ରାତିରେ ଶୋଇ ପାରିବେ ନାହିଁ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବାରାତ୍ର କ୍ରିକେଟ ମ୍ୟାଚ ଇଂଲଣ୍ଡରେ ଅପରାହ୍ନ ୨ ଘଣ୍ଟାରେ ଆରମ୍ଭ ହୋଇଛି । ଏହାର ଅର୍ଥ ଭାରତରେ ଖେଳ ସଂଧ୍ୟା ୭ ଘଣ୍ଟା ୩୦ ମିନିଟରେ ଆରମ୍ଭ ହେବ ଓ ଖେଳ ସରୁ ସରୁ ଅନେକ ରାତି ହେଇଯିବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଥିବା ସମୟ ବ୍ୟବଧାନ ତୁମେ ହିସାବ କର ।

୮୨° ୩୦' ପୂର୍ବ ଦ୍ରାଘିମାରେ ଥିବା ଭାରତର ସମୟ ଗ୍ରୀନିଚ୍ ପ୍ରମାଣ ସମୟ ଠାରୁ ୫ ଘଣ୍ଟା ୩୦ ମିନିଟ୍ ଆଗୁଆ । ଏଣୁ ଲଣ୍ଡନରେ ଅପରାହ୍ନ ୨ ଘଣ୍ଟା ବେଳେ ଭାରତରେ ସନ୍ଧ୍ୟା ୭ ଘଣ୍ଟା ୩୦ ମିନିଟ୍ ହୋଇଥିବ ।

କିଛି କିଛି ଦେଶର ଦ୍ରାଘିମା ପ୍ରସାର ଖୁବ୍ ଅଧିକ । ତେଣୁ ସେମାନେ ଏକାଧିକ ପ୍ରମାଣ ସମୟ ବ୍ୟବହାର କରନ୍ତି । ଉଦାହରଣ ସ୍ୱରୂପ, ଋଷିଆରେ ଏଗାରଟି ପ୍ରମାଣ ସମୟ ରହିଛି । ପୃଥିବୀକୁ ୨୪ଟି ଏକ ଘଣ୍ଟା ବିଶିଷ୍ଟ ସମୟ ମଣ୍ଡଳରେ ବିଭକ୍ତ କରାଯାଇଛି । ଏଣୁ ପ୍ରତି ମଣ୍ଡଳର ପ୍ରସାର ୧୫° ଦ୍ରାଘିମା ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

No comments:

Post a Comment