Wednesday, February 21, 2018

ମାନଚିତ୍ର


ଅନୁବାଦ - ବିଶ୍ୱଜିତ ଆପଟ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଗ୍ଲୋବର ମହତ୍ତ୍ୱ କ’ଣ ତାହା ତୁମେ ପୂର୍ବ ଅଧ୍ୟାୟରେ ଜାଣିଲ । କିନ୍ତୁ ଗ୍ଲୋବର କିଛି ସୀମା ମଧ୍ୟ ରହିଛି । ଯେତେବେଳେ ଆମେ ପୃଥିବୀର ସାମଗ୍ରିକ ରୂପେ ଅଧ୍ୟୟନ କରିବାକୁ ଚାହିଁବା ଗ୍ଲୋବ ସେତେବେଳେ ଖୁବ ଉପଯୋଗୀ ହୁଏ । ମାତ୍ର ଯେତେବେଳେ ପୃଥିବୀର କୌଣସି ଗୋଟିଏ ଭାଗ ଯେପରିକି ଆମ ଦେଶ, ରାଜ୍ୟ, ଜିଲ୍ଲା, ସହର ତଥା ଗ୍ରାମର ଅଧ୍ୟୟନ କରିବାକୁ ଚାହୁଁ ସେତେବେଳେ ଗ୍ଲୋବ ବିଶେଷ ଉପାଦେୟ ହୁଏ ନାହିଁ । ଏପରି ସ୍ଥିତିରେ ଆମେ ମାନଚିତ୍ରର ବ୍ୟବହାର କରୁ । ମାନଚିତ୍ର ହେଉଛି ସମଗ୍ର ପୃଥିବୀର ବା ଏହାର ଏକ ଅଂଶର ଚିତ୍ର ଯାହା କୌଣସି ସମତଳ ଉପରେ ଏକ ନିର୍ଦ୍ଦିଷ୍ଚ ମାନରେ ଅଙ୍କନ କରାଯାଇଥାଏ । କିନ୍ତୁ ଏକ ଗୋଲାକାର ପୃଷ୍ଠକୁ ସମ୍ପୂର୍ଣ୍ଣ ସମତଳ ପୃଷ୍ଠରେ ଦର୍ଶାଇବା ଅସମ୍ଭବ ଅଟେ ।

ବିଭିନ୍ନ ଧରଣର ଆବଶ୍ୟକତା ପାଇଁ ଆମେ ମାନଚିତ୍ର ବ୍ୟବହାର କରିଥାଉ । କିଛି ମାନଚିତ୍ରରେ ଏକ ଛୋଟ ଅଞ୍ଚଳ ଓ ଅଲ୍ପ ତଥ୍ୟ ଦର୍ଶାଯାଇଥାଏ । ଅନ୍ୟ ମାନଚିତ୍ରରେ ବଡ ବହିଟିଏ ଭଳି ଅନେକ ତଥ୍ୟ ଥାଇପାରେ । ଅନେକଗୁଡିଏ ମାନଚିତ୍ରକୁ ଏକାଠିକରି ପ୍ରକାଶିତ କଲେ ତାହା ଆଟଲାସ୍ ହୋଇଯାଏ । ଆଟଲାସ୍ ବିଭିନ୍ନ ଆକାରର ହୋଇଥାଏ ଯେଉଁଥିରେ ଭିନ୍ନ ଭିନ୍ନ ମାନରେ ଅଙ୍କିତ ମାନଚିତ୍ର ରହିଥାଏ । ମାନଚିତ୍ରରୁ ଗ୍ଲୋବ ଅପେକ୍ଷା ଅଧିକ ତଥ୍ୟ ମିଳିଥାଏ । ବିଭିନ୍ନ ପ୍ରକାରର ମାନଚିତ୍ର ଅଛି । ସେଥିମଧ୍ୟରୁ କିଛି ନିମ୍ନରେ ଦିଆଗଲା

ପ୍ରାକୃତିକ ମାନଚିତ୍ର


ଯେଉଁ ମାନଚିତ୍ରରେ ପୃଥିବୀର ପ୍ରାକୃତିକ ବିଭବମାନ ଯେପରିକି ପର୍ବତ, ମାଳଭୂମି, ସମତଳ ଭୂମି, ନଦୀ, ମହାସାଗର ଇତ୍ୟାଦି ଦର୍ଶାଯାଇଥାଏ ତାହାକୁ ପ୍ରାକୃତିକ ମାନଚିତ୍ର କୁହାଯାଏ ।

ରାଜନୀତିକ ମାନଚିତ୍ର


ଯେଉଁ ମାନଚିତ୍ରରେ ବିଭିନ୍ନ ସହର, ଗ୍ରାମ ଏବଂ ପୃଥିବୀର ବିଭିନ୍ନ ଦେଶ, ରାଜ୍ୟ ଓ ସେଗୁଡିକର ସୀମା ସରହଦ ଇତ୍ୟାଦି ଦର୍ଶାଯାଇଥାଏ ତାହାକୁ ରାଜନୀତିକ ମାନଚିତ୍ର କୁହାଯାଏ ।

ପ୍ରାସଙ୍ଗିକ ମାନଚିତ୍ର


କିଛି ମାନଚିତ୍ରରେ କୌଣସି ଏକ ନିର୍ଦ୍ଦିଷ୍ଚ ପ୍ରସଙ୍ଗଭିତ୍ତିକ ତଥ୍ୟ ଉପସ୍ଥାପନା ଉପରେ ଧ୍ୟାନ ଦିଆଯାଇଥାଏ ଯେପରିକି ସଡକ ମାନଚିତ୍ର, ବୃଷ୍ଟିପାତ ମାନଚିତ୍ର, ଅରଣ୍ୟ ଓ ଶିଳ୍ପ ମାନଚିତ୍ର ଇତ୍ୟାଦି । ଏସବୁକୁ ପ୍ରାସଙ୍ଗିକ ମାନଚିତ୍ର କୁହାଯାଏ । ମାନଚିତ୍ରରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ମାନଚିତ୍ର ପାଇଁ ଉପଯୁକ୍ତ ନାମ ଦିଆଯାଏ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଚତୁର୍ଥ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

No comments:

Post a Comment