ଶାରୀରିକ ବଳ
ଗୋପବନ୍ଧୁ ଦାଶ
ଥମାସ୍ ହ୍ୟୁଜ୍ (୧୮୨୨-୧୮୯୬) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
“
ଦୀର୍ଘାୟୁତ୍ୱାୟ
ବଳାୟ ବଚ୍ଚ ସେ”- ଏହି
ବାକ୍ୟରେ ବୈଦିକ ଋଷିମାନେ ଆପାଣାର
କାମନା ପ୍ରକାଶ କରିଅଛନ୍ତି ।
ଆମ୍ଭମାନଙ୍କର ସୁଖ ଶାନ୍ତି
ସମୃଦ୍ଧି ନିମନ୍ତେ ଦୀର୍ଘାୟୁ
ବଳ ଏବଂ ତେଜ ଯେ ସର୍ବପ୍ରଥମ ଆବଶ୍ୟକ,
ଏହା
କିଏ ଅସ୍ୱୀକାର କରିବ ?
ଉନ୍ନତିର
ଏହି ତିନୋଟି ମୌଳିକ ଉପାଦାନ
ଲାଭ କରିବା ନିମନ୍ତେ ପ୍ରାଚୀନ
ଭାରତୀୟମାନେ ନିରନ୍ତର ତତ୍ପର
ଥିଲେ । ବ୍ରତ,
ବ୍ରହ୍ମଚର୍ଯ୍ୟ
ଯୋଗାଭ୍ୟାସ ପ୍ରଭୃତି ସକଳ
ଅନୁଷ୍ଠାନ କେବଳ ଏହି ଉଦ୍ଦେଶ୍ୟରେ ।
ଆଜି ସେ ସମସ୍ତେ ବିଧି ଭାରତରୁ
ପ୍ରାୟ ଲୋପ ପାଇଅଛି ଏବଂ ତାହାର
କି ପରିଣାମ ହୋଇଅଛି ସମସ୍ତେ
ଆଖିରେ ଦେଖୁଛନ୍ତି,
ଅଙ୍ଗରେ
ଅନୁଭବ କରୁଅଛନ୍ତି। ବଳ ଯେ ମନୁଷ୍ୟ
ପକ୍ଷେ ଅତି ଆବଶ୍ୟକ ଏବଂ ସେଥିଲାଗି
ଯତ୍ନ କରିବା କର୍ତ୍ତବ୍ୟ ଭାରତବାସୀ
ଏହା କେବେହେଲେ ବର୍ତ୍ତମାନ ସମୟରେ
ଥରେ ଭାବନ୍ତି କି ନାହିଁ,
ସନ୍ଦେହ।
ଅନେକ ପିତାମାତା ପୁତ୍ରକନ୍ୟାଙ୍କୁ
ଜନ୍ମ ଦେବା ଏବଂ ସେମାନେ ପୁଣି
କିପରି ପୁତ୍ର କନ୍ୟା ଜନ୍ମ
କରିପାରିବେ, ତହିଁର
ବ୍ୟବସ୍ଥା କରିବାକୁ କେବଳ ନିଜର
କର୍ତ୍ତବ୍ୟ ମଣନ୍ତି । ସନ୍ତାନର
ଶିକ୍ଷା ସ୍ୱଭାବ,
ଶକ୍ତି
ସମ୍ୱନ୍ଧେ କେବେ କିଛି ବିଚାରନ୍ତି
ନାହିଁ । ଆଉ ଯେଉଁମାନେ ପିଲାମାନଙ୍କର
ତତ୍ତ୍ୱ ନିଅନ୍ତି,
ସେମାନେ
କେବଳ ଦେଖନ୍ତି ପୁଅ କିପରି ପାଠ
ପଢ଼ଛି ଏବଂ ପରୀକ୍ଷାରେ କିପରି
ପାସ କଲା । ପୁଅର ଆଖିକି ନ ଦେଖିଲେ
ଚଷମା କିଣାଯିବ,
ବାତାଜୀର୍ଣ୍ଣ
ହେଲେ ଘରେ ଡାକ୍ତରଖାନା ଖୋଲିଯିବ,
ଦୁଇ ପାହୁଣ୍ଡ
ଚାଲିବାକୁ ବଳ ନଥିଲେ ଗାଡ଼ିର
ବନ୍ଦୋବସ୍ତ ହେବ। ଏ ସବୁ ତ ପଇସା
ଦ୍ୱାରା ହୋଇପାରେ ଚିନ୍ତା କଣ ?
ମାତ୍ର
ସାଧାରଣତଃ ପଇସା ସାହାଯ୍ୟରେ
ବିଶ୍ୱବିଦ୍ୟାଳୟରୁ ତ ପାସ ମିଳିବ
ନାହିଁ । ପୁଣି ପାସ ନ ମିଳିଲେ
ପଇସାର ଉପାୟ ହୋଇପାରିବ ନାହିଁ
ଏବଂ ପଇସା ନହେଲେ ଚଷମା,
ଗାଡି,
ଔଷଧ ପ୍ରଭୃତି କିଣାଯାଇ ପାରିବ ନାହିଁଁ । କି ଆଶ୍ଚର୍ଯ୍ୟ !
ପ୍ରାକୃତିକ
ଶକ୍ତିଗୁଡ଼ିକର ଅପଚୟ କରି ନୈସର୍ଗିକ
ଉପାୟରେ ସେସବୁକୁ ଜାଗ୍ରତ ଏବଂ
ବ୍ୟବହାରୋପଯୋଗୀ ରଖିବା ଲାଗି ଯତ୍ନ କରିବା ହିଁ ଯେପରି
ମାନବ ଜୀବନର ଏକ ମାତ୍ର ଉଦ୍ଦେଶ୍ୟ ।
ଯଥାର୍ଥରେ ଆମ୍ଭମାନଙ୍କ ପାରିବାରିକ
ଜୀବନରେ କିମ୍ୱା ବିଦ୍ୟାଳୟର
ଶିକ୍ଷା ବିଧାନରେ ବଳାଧାନ ନିମନ୍ତେ
ସେପରି କୌଣସି ସୁବ୍ୟବସ୍ଥା ନାହିଁ ।
ବଳର ମଧ୍ୟ ସମାଜରେ ତେତେ ଆଦର ବା
ଗୌରବ ନାହିଁ । କେହି ସୁନ୍ଦର
ଇଂରାଜୀରେ ଗୋଟିଏ ପ୍ରବନ୍ଧ
ଲେଖିଲେ ବା ବକ୍ତୃତା ଦେଲେ ଯେତେ
ପ୍ରଶଂସା ପାଏ, ସୁନ୍ଦର
କୁସ୍ତିକସରତ ବା ଅନ୍ୟ କୌଣସି
ପ୍ରକାରର ଶାରୀରିକ ଶକ୍ତି ପରିଚାୟକ
ବ୍ୟାପାର ଦେଖାଇଲେ ତେତେ ସମ୍ମାନ
ପାଏ ନାହିଁ । ବିଶ୍ୱବିଦ୍ୟାଳୟର
ପରୀକ୍ଷା ଫଳ ଅନୁସାରେ
ବିଶ୍ୱବିଦ୍ୟାଳୟମାନଙ୍କର କୃତିତ୍ୱ
ନିର୍ଦ୍ଧାରିତ ହୁଏ। କୌଣସି ଛାତ୍ରର
ଅଙ୍ଗ ଯେତେ ସୁଗଠିତ ହେଉ ଖେଳପଦାରେ
ବଳ ଏବଂ ବ୍ୟବହାର ଯେଡ଼େ ପ୍ରଶଂସନୀୟ
ହେଉ ଏମନ୍ତ କି ତାର ସ୍ୱଭାବ ଚରିତ୍ର
ଯେଡ଼େ ସୁନ୍ଦର ହେଉ ପଛକେ ସେ
ପରୀକ୍ଷାରେ ପାସ୍ ନ କରିପାରିଲେ
ପିତାଙ୍କର ତା ପ୍ରତି ଆଦର ନାହିଁ,
ଶିକ୍ଷକଙ୍କ
ମତରେ ସେ ଅକର୍ମଣ୍ୟ ଏବଂ ସହପାଠୀ
ବା ଅନ୍ୟାନ୍ୟ ଛାତ୍ରମାନଙ୍କ
ନିକଟରେ ସେ ହେୟ । ଏହିପରି ଅବସ୍ଥାରେ
ଏ ଦେଶର ଯୁବକମାନଙ୍କର ବଳାଧାନ
ହେବ କାହୁଁ ? ଫଳରେ
ବିଦ୍ୟାଳୟର ଅନେକ ଛାତ୍ରଙ୍କୁ
ବ୍ୟାୟାମ ବିଷୟରେ ଅମନୋଯୋଗୀ
ଦେଖାଯାଏ । ଶାରୀରିକ ବଳ ବୃଦ୍ଧି
ସଙ୍ଗେ ସଙ୍ଗେ ମାନସିକ ବଳ ଉଣା
ହୋଇଥାଏ ବୋଲି କୌଣସି କୌଣସି
ଛାତ୍ର କହିବାର ସମୟେ ସମୟେ ଶୁଣାଯାଏ ।
ବିଦ୍ୟାଳୟରେ ବା ଛାତ୍ରବାସରେ
ଶାରୀରିକ ବ୍ୟାୟାମ ବିଷୟରେ ଟିକିଏ
ଅଧିକ କଟକଣା ହେଲେ ଛାତ୍ରମାନଙ୍କର
ବିରକ୍ତି ଓ ଅସନ୍ତୋଷ ପ୍ରାୟ ଦେଖାଯାଏ ।
ବ୍ୟାୟାମ ବିଷୟରେ ପ୍ରବନ୍ଧ ଲେଖି
ଯେଉଁ ଛାତ୍ର ପୁରସ୍କାର ପାଇଛନ୍ତି,
ବ୍ୟାୟାମ
ଭୂମିରେ ଥରେ ତାଙ୍କର ଦେଖାନାହିଁ ।
ଏ ଅବସ୍ଥାରେ ଜାତି କ୍ରମେ ହୀନବଳ
ଓ ହୀନସାହସ ନହୋଇ ଆଉ କଅଣ ହେବ ?
ବିଦ୍ୟାଳୟମାନଙ୍କରେ
ଯେ ବ୍ୟାୟାମର ବ୍ୟବସ୍ଥା ନାହିଁ
ତାହା ନୁହେଁ । କ୍ରିକେଟ ଅଛି ଫୁଟବଲ
ଅଛି, କସରତ
କରିବାକୁ କାଠର ବାଡ଼ ପୋତା ହୋଇଛି ।
ଛାତ୍ରମାନଙ୍କୁ ବ୍ୟାୟାମ ଶିକ୍ଷା
ଦେବାକୁ ହୁଏ । ମାତ୍ର ଖେଳନ୍ତି
କେତେ ଜଣ ? ବ୍ୟାୟାମ
ବିଦ୍ୟାଳୟର ଏକ ଅବଶ୍ୟ ପାଳନୀୟ
(ଆବଶ୍ୟକୀୟ
କାର୍ଯ୍ୟ) ଶିକ୍ଷା
ବୋଲି ବିବେଚିତ ହୁଏ ନାହିଁ
କିମ୍ୱା ସମାଜରେ ସେଥିଲାଗି ଆଦର
ବା ସମ୍ମାନ ନାହିଁ । ତେବେ ଆଉ କି
ହେତୁ ଛାତ୍ରମାନେ ସେଥିରେ
ପ୍ରବର୍ତ୍ତିବେ ? ଆଗେ
ରାଜା ମହାରାଜାମାନେ ମଧ୍ୟ
ପଣ୍ଡିତମାନଙ୍କୁ ଯେପରି ଆଦର ଏବଂ
ସମ୍ମାନ ଦେଖାଉଥିଲେ ବଳିଷ୍ଠମାନମାନଙ୍କୁ
ମଧ୍ୟ ସେହିପରି ସମୁଚିତ ପୁରସ୍କାର
ଦେଉଥିଲେ । ଅନେକ ପଦସ୍ଥ ଧନୀ
ବ୍ୟକ୍ତି ନିଜେ ମଲ୍ଲ ବିଦ୍ୟା
ଅଭ୍ୟାସ କରୁଥିଲେ ପୁତ୍ରମାନଙ୍କୁ
ମଧ୍ୟ ଶିଖାଉଥିଲେ । ରାଜାଙ୍କ ମତ
ଯେଉଁଆଡ଼େ ପ୍ରଜାଙ୍କ ଗତି ମଧ୍ୟ
ସେହିଆଡ଼େ । କେତେକ ବର୍ଷ ପୂର୍ବେ
ମୟୂରଭଞ୍ଜର ସ୍ୱର୍ଗୀୟ ମହାରାଜା
ରାମଚନ୍ଦ୍ର ଭଞ୍ଜ ମଲ୍ଲବିଦ୍ୟା
ଶିକାର ପ୍ରଭୃତି ପ୍ରତି କିଛି
କାଳ ବଡ଼ ଆଗ୍ରହ ଦେଖାଇଥିଲେ । ସେ
ସମୟରେ ତାଙ୍କ ଗଡ଼ ବାରିପଦାରେ
ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ
କେତେ ଆଖଡ଼ା ବସିଗଲା ଏବଂ ଅନେକେ
ବଡ଼ ଉତ୍ସାହରେ କୁସ୍ତିକସରତରେ
ମାତିଗଲେ । ଆଗେ ଅଧିଂକାଶ ଗ୍ରାମରେ
ଆଖଡ଼ା ବା ଯାଗାଘର ଥିଲା । ଗ୍ରାମର
ଯୁବକମାନେ ସେଥିରେ କସରତ କରୁଥିଲେ ।
ବୃଦ୍ଧମାନେ ଉତ୍ସାହ ଦେଉଥିଲେ ।
ଆଜିକାଲି ଗ୍ରାମମାନଙ୍କରେ ପ୍ରାୟ
ଯାଗାଘର ଆଉ ଦେଖାଯାଏ ନାହିଁ । କ୍ୱଚିତ୍ କେଉଁଠାରେ ଯେବେ ଅଛି
ତାହା ଆମ୍ଭମାନଙ୍କର ଅନ୍ୟାନ୍ୟ
ପ୍ରାଚୀନ ଅନୁଷ୍ଠାନମାନଙ୍କ ପରି
ବିକୃତ ଏବଂ ଲକ୍ଷ୍ୟଭ୍ରଷ୍ଟ
ହୋଇଗଲାଣି ।
ବର୍ତ୍ତମାନ
ସ୍କୁଲ କଲେଜ ଶିକ୍ଷାର ଏକମାତ୍ର
ଉଦ୍ଦେଶ୍ୟ ଚାକିରି । କେହି କିରାଣୀ
କେହି ଡେପୁଟି, କେହି
ମାଷ୍ଟର କେହି ବା ଓକିଲ ହେବେ
ବୋଲି ଆଶା ରଖିଥିବାରୁ ଛାତ୍ରମାନେ
ନିଜେ କିମ୍ୱା ସେମାନଙ୍କ ପିତାମାତା
ଏବଂ ଶିକ୍ଷକମାନେ ଲେଖାପଢ଼ା
ଭିନ୍ନ ଅନ୍ୟ କୌଣସି ଆଡ଼େ ଦୃଷ୍ଟି
ଦେବା ଆବଶ୍ୟକ ମନେ କରନ୍ତି ନାହିଁ ।
ସଂସାରରେ ବିସ୍ତର କାର୍ଯ୍ୟକ୍ଷେତ୍ର
ପଡ଼ିଛି । ସେଠାରେ ବେଶ୍ ଅର୍ଥର
ଉପାୟ ହୋଇପାରେ । ସେଥିଲାଗି
ବେଶି ପାଠ ଦରକାର ନାହିଁ,
ଉଚ୍ଚ
ପାସ୍ ଦରକାର ନାହିଁ । ସାମାନ୍ୟ
ଲେଖାପଢ଼ା ଶିଖି ଦେହରେ ବଳବୀର୍ଯୀ
କୌଶଳ ଏବଂ ଚରିତ୍ରଶୁଦ୍ଧି ଥିଲେ
ଲୋକ କୃତୀ ହୋଇପାରେ । ଭାରତର
ଅନ୍ୟାନ୍ୟ ସ୍ଥାନରେ ଏପରି ଉଦାହରଣ
କ୍ରମେ ଦେଖାଯାଉଅଛି । କିନ୍ତୁ
ଓଡ଼ିଶାରେ ପ୍ରାୟ ଦେଖାଯାଉ ନାହିଁ
କହିଲେ ଚଳେ । ଚାକିରି ଛାଡ଼ି
ଶିକ୍ଷିତ ଲୋକେ କ୍ରମେ ଏହି ସବୁ
କ୍ଷେତ୍ରରେ ପ୍ରବେଶ କଲେ ଶାରୀରିକ
ଦକ୍ଷତାର ଆଦର ନିଶ୍ଚୟ ବଢିବ ।
ଅବଶ୍ୟ
ଲୋକସାଧାରଣ ଦରିଦ୍ରତା ଶାରୀରିକ
ବଳଲାଭ ପକ୍ଷେ ଏକ ପ୍ରଧାନ ଅନ୍ତରାୟ ।
ଏ ସନ୍ଧ୍ୟାରୁ ସେ ସନ୍ଧ୍ୟାଯାଏ
ହା ଅନ୍ନ ହା ଅନ୍ନ କରି ବୁଲିବାକୁ
ତ ଅଧିକାଂଶଙ୍କର ଭାଗ୍ୟଲେଖା ।
ଅନେକେ ନିରାଶ ହୋଇ ଥକି ପଡ଼ିବାର
ଦେଖାଯାଏ । ବିଶ୍ରାମ ବା ବ୍ୟାୟାମ
କରିବେ କାହୁଁ ? କିଏ
ପେଟ ପୂରା କରି ଖାଇବାକୁ ପାଆନ୍ତି
ନାହିଁ । କୌଣସି କୌଣସି ଛାତ୍ରଙ୍କଠାରୁ
ଶୁଣାଯାଉଛି, ଖେଳିଲେ
ଭୋଖ କରିବ ଖାଇବି କଅଣ ?
ବାସ୍ତବିକ
ପେଟ ପୂରାଇ ସ୍କୁଲ ଛୁଟି ହେଲେ
୪ଟା ୫ଟା ବେଳେ ଫଳାହାର କରିବା
ସଙ୍ଗତି ଯେ ଅନେକଙ୍କର ନାହିଁ,
ଏହା
ଦେଖି କେତେ କେତେ ଥର ପ୍ରାଣରେ
ଦାରୁଣ ବ୍ୟଥା ପାଇବାକୁ ହୋଇଛି ।
ଯାହା ହେଉ ଶାରୀରିକ ବଳଲାଭ ନିମନ୍ତେ
ଆନ୍ତରିକ ପାଇବାକୁ ଏବଂ ଉଦବେଗ
ଥିଲେ ଯେ ଏକ୍ଷେତ୍ରରେ ଅନେକ
କାର୍ଯ୍ୟ ହୋଇପାରନ୍ତା ତହିଁରେ
ସନ୍ଦେହ ନାହିଁ ।
ପ୍ରଜା
ସାଧାରଣଙ୍କର ଶିକ୍ଷା ସମ୍ପଦ ଏବଂ
ସାଧୁ ସ୍ୱଭାବ ଦ୍ୱାରା ମୁଖ୍ୟ ବା
ଗୌଣଭାବରେ ରାଜାଙ୍କର ଓ ରାଜ୍ୟର
ଶ୍ରେୟ ସାଧିତ ହୋଇଥାଏ,
ଏହା
ବୋଲିବା ନିଷ୍ପ୍ରୟୋଜନ । ସେହିପରି
ଲୋକସାଧାରଣଙ୍କର ଶାରୀରିକ ବଳ
ପରାକ୍ରମ ଏବଂ ସାହସ ସାମ୍ରାଜ୍ୟର
ପ୍ରଧାନ ଶକ୍ତି ଓ ସମ୍ୱଳ । ଇଂରେଜରାଜା
ସଙ୍ଗ୍ରାମ ଭୂମିକୁ ସୈନ୍ୟ ପଠାଇବା
ଲାଗି ବଇଦେଶକୁ ଅଧିକାର ଦେଇ ଆଜି
ଏ ବିଶ୍ୱାସକୁ ଦୃଢ଼ ଏବଂ ପ୍ରମାଣିତ
କରିଅଛନ୍ତି । ଆଶା ହୁଏ ଏଣିକି
ସ୍କୁଲ କଲେଜର ଶିକ୍ଷା ବିଧାନରେ
ଶାରୀରିକ ବଳାଧାନ ଲାଗି ବିହିତ
ଏବଂ ସୁନିଶ୍ଚିତ ପନ୍ଥା ଅବଲମ୍ୱିତ
ହେବ। ସେଆଡ଼େ ଉତ୍ସାହ ଦେଖିଲେ
ଲୋକେ ମଧ୍ୟ ସ୍ୱତଃ ବଳ ଅର୍ଜନ
କରିବାରେ ପ୍ରବୃତ୍ତ ହେବେ ।
ଯେକୌଣସି ପ୍ରକାରେ ହେଉ ଏ ଦେଶରେ
ଶାରୀରିକ ବଳଲାଭର ଶୀଘ୍ର ସୁବ୍ୟବସ୍ଥା
ନହେଲେ ଏ ଜାତି ଏକାବେଳକେ ଅକର୍ମଣ୍ୟ
ହୋଇପଡ଼ିବ ଏବଂ କାଳକ୍ରମେ ଅଦୃଶ୍ୟ
ହୋଇଯିବା ବିଚିତ୍ର ନୁହେଁ ।
(ସତ୍ୟବାଦୀ,
୨ୟ
ଖଣ୍ଡ, ୫ମ,
୬ଷ୍ଠ
ଓ ୭ମ ସଂଖ୍ୟା, ୧୯୧୬-୧୭)
No comments:
Post a Comment