Wednesday, February 07, 2018

ଭାଷା ଓ ଜାତୀୟତା

ଗୋପବନ୍ଧୁ ଦାଶ


୧୯୫୧ ମସିହାରେ ଭାରତର ପ୍ରଶାସନିକ ମାନଟିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜି ସମସ୍ତେ ଭାରତୀୟ ଜାତୀୟତା ନମନ୍ତେ ବ୍ୟାକୁଳ । ସମ୍ୱାଦ ପତ୍ରରେ ଆଲୋଚନା ହେଉଅଛି, ସଭାସମିତିରେ ବକ୍ତୃତା ହେଉଅଛି କାବ୍ୟନାଟକ ଉପନ୍ୟାସଦିରେ ରୂପକ ଛଳରେ ସୂଚନା ଦିଆଯାଉଅଛିକିପରି ଭାରତ-ଜାତୀୟତା ପ୍ରତିଷ୍ଠିତ ହେବ । ଅନେକେ ଭାରତ-ଜାତୀୟତା ଏକାବେଳକେ ଅସମ୍ଭବ ବୋଲି ହତାଶ । କେହି କେହି କେବଳ ଅତୀତ ଆଡ଼କୁ ଚାହିଁଅଛନ୍ତି ପ୍ରେରଣା ପାଇବା ଲାଗି । ଅନ୍ୟ କେତେକଙ୍କର କେବଳ ଭବିଷ୍ୟତ ଉପରେ ଆଶା । କେହି ନିଜ ଭିତରକୁ ଚାହିଁ ପ୍ରାଚୀନ ସଭ୍ୟତାକୁ ମାନୁଅଛନ୍ତି, କେହି ପୁଣି ପରମୁହଁକୁ ଚାହିଁଛନ୍ତି ଏବ‌ଂ କେବଳ ପଶ୍ଚିମ ଉପରେ ଭରସା ରଖିଅଛନ୍ତି 

ପ୍ରକୃତରେ ଜାତୀୟ ସମସ୍ୟା ଭାରତ ପକ୍ଷେ ବଡ ଗୁରୁତର । କେତେ ପ୍ରଦେଶ ପ୍ରତି ପ୍ରଦେଶରେ ପୁଣି କେତେ ବ୍ୟବହାର ଗତ ପାର୍ଥକ୍ୟ । ତହିଁରେ ପୁଣି ଅସଙ୍ଖ୍ୟ ପ୍ରକାର ଶ୍ରେୟ ସ୍ୱାର୍ଥର ବିବାଦ । ଏପରି ସ୍ଥଳେ କୁମାରିକାର ହିମାଳୟ ସହିତ କିଛି ସମ୍ପର୍କ ଅଛି ବୋଲି ଭାବିବାକୁ ବେଳେବେଳେ ସାହସ ପାଏ ନାହିଁ । ପୂର୍ବେ ଭାରତର ପ୍ରତ୍ୟେକ ପ୍ରଦେଶର ଅନେକ ବିଷୟରେ ସ୍ୱାତନ୍ତ୍ର୍ୟ ଥିଲା । ଯାତାୟାତର ତେତେ ସୁବିଧା ନଥିଲା । ଗୋଟିଏ ପ୍ରଦେଶ ବନ ଜଙ୍ଗଲ ନଦୀ ଆଦି ସ୍ୱାଭାବିକ ସୀମାଦ୍ୱାରା ଆବଦ୍ଧ ଥିଲା । ତେଣୁ କାଳକ୍ରମେ ସେ ପ୍ରତ୍ୟେକ ପ୍ରଦେଶର ଇତିହାସ ସାହିତ୍ୟ, ଭାଷା, ଲୋକ-ବ୍ୟବହାର ଆଦି ସ୍ୱତନ୍ତ୍ର ହେବା ସ୍ୱାଭାବିକ ।

କିନ୍ତୁ ବିଶେଷତ୍ୱ ଏହି ଯେ, ମୂଳ ଆର୍ଯ୍ୟସଭ୍ୟତା ମେରୁଦଣ୍ଡ ରୂପେ ରହିଥିଲା । ଆର୍ଯ୍ୟ ଋଷିମାନେ ବୁଝିଥିଲେ ଭାବ, ଏବଂ ତେଣୁ ଭାଷାର ଏକତା ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା । ମାନବ ଆକୃତି ପ୍ରକୃତିରେ ଭିନ୍ନ ହୋଇପାରେ, ଭିନ୍ନ ଜଳବାୟୁରେ ବଢିପାରେ । ତେବେ ତାର ଅନ୍ୟ ମାନବ ସହିତ ମିଳନ କେଉଁଠାରେ ? ଭାବରେ ଚିନ୍ତାରେ ସ୍ଥୂଳତଃ ସଭ୍ୟତାରେ । ଭାରତରେ ଆର୍ଯ୍ୟ ଉପନିବେଶ ବଢିଲା । କ୍ରମେ ସୁରସେନ ବା ମହାରାଷ୍ଟ୍ରର ଆର୍ଯ୍ୟ ସହିତ ମଗଧ ଆର୍ଯ୍ୟର ପାର୍ଥକ୍ୟ ଜନ୍ମିଲା ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ବଢ଼ିଲା ମାତ୍ର ସଂସ୍କୃତ ଭାଷା ଓ ବୈଦିକ ଭାବ ଏ ବହୁଳ ସ୍ୱାତନ୍ତ୍ର୍ୟ ମଧ୍ୟରେ ସୁନ୍ଦର ସୁଦୃଢ଼ ଏକତା ରଖିଥିଲା ଏବଂ ଆଜିଯାଏ ରଖିଛି । ଦ୍ରାବିଡ଼ ସଙ୍ଗେ ଆର୍ଯ୍ୟର ସଙ୍ଘର୍ଷ ହେଲା । ସେ କ୍ରମେ ଆର୍ଯ୍ୟଭାଷା ଆର୍ଯ୍ୟଭାବ ଏବଂ ଆର୍ଯ୍ୟସଭ୍ୟତା ଗ୍ରହଣ କଲେ । ପରିମାଣରେ ଦ୍ରାବିଡ଼ ଆର୍ଯ୍ୟ ସଙ୍ଗେ ଏକା ବେଳକେ ମିଶିଗଲା ।

ଆଜି ଭାରତର ପ୍ରାଦେଶିକ ସ୍ୱାତନ୍ତ୍ର୍ୟ କ୍ରମେ ନଷ୍ଟ ହୋଇଯାଉଅଛି । ନଷ୍ଟ ହୋଇ କି ଭାରତ ମହାଜାତୀୟ ଏକତା ଆଡ଼କୁ ଯାଉଅଛି ? ନା ବରଂ ପ୍ରତ୍ୟେକ ପ୍ରଦେଶରେ ଶତ ନୂତନ ସ୍ୱାର୍ଥ ଓ ସ୍ୱାତନ୍ତ୍ର୍ୟର ସୃଷ୍ଟି ହେଉଅଛି । ଯାତାୟାତର ସୁବିଧା ହୋଇଅଛି । ପ୍ରଦେଶମାନଙ୍କର ପରସ୍ପର ସହିତ ସମ୍ପର୍କ ବଢୁଅଛି । ଏକ ପ୍ରଦେଶରେ କେବଳ ଏକ ଜାତୀୟ ଲୋକ ଆଉ ଏବେ ନାହାନ୍ତି । ନାନା ବର୍ଣ୍ଣଧର୍ମସମାଜର ଲୋକେ ଏକ ସ୍ଥାନରେ ଅଧିବାସ କରୁଅଛନ୍ତି । ସେମାନେ ନିଜ ନିଜର ଭାଷା, ଭାବ ବ୍ୟବହାର, ରୀତିନୀତି ସମାଜ ସାହିତ୍ୟ ଇତିହାସ ସବୁକୁ ସଙ୍ଗେ ଘେନି ଆସୁଅଛନ୍ତି, ତାହା ସବୁ ଛାଡ଼ିବାକୁ ଆଦୌ ପ୍ରସ୍ତୁତ ନୁହନ୍ତି । କାର୍ଯୋପଲକ୍ଷେ ବା ଘଟନାସୂତ୍ରେ ଯେଉଁ ସ୍ଥାନ ବା ପ୍ରଦେଶରେ ବାସ କଲେ ସେଠାରେ ସଭ୍ୟତା ସାହିତ୍ୟ ଭାଷା ଆଦିକୁ ନିଜର ବୋଲି ଗ୍ରହଣ କରିବାକୁ କୁଣ୍ଠିତ ହେଉଅଛନ୍ତି । ତେବେ ଆଉ ପ୍ରାଦେଶିକ ଏକତା ସମ୍ଭବ ହେବ କିପରି ? ଭାରତୀୟ ଜାତୀୟତା ତ ଦୂରର କଥା ।

ଯେଉଁ ଭାଷା ଭାବ ଓ ସଭ୍ୟତାର ଏକତାରେ ପ୍ରାଦେଶିକ ସ୍ୱାତନ୍ତ୍ର୍ୟ ମଧ୍ୟରେ ଭାରତୀୟ ସଭ୍ୟତା ଆଜିଯାଏ ଜୀବିତ ରହିଅଛି, ଉପସ୍ଥିତ କ୍ଷେତ୍ରରେ ପ୍ରାଦେଶିକ ସଭ୍ୟତାର ବ୍ୟକ୍ତିତ୍ୱ ରକ୍ଷା ନିମନ୍ତେ ସେହି ପନ୍ଥା ଅବଲମ୍ୱନ କରିବାକୁ ହେବ । ଟିକିଏ ତଳେଇ ଦେଖିଲେ ଦେଖାଯିବ ଭାବ ଓ ସଭ୍ୟତାର ମୂଳରେ ଭାଷା । ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ । ସୁତରାଂ ସଭ୍ୟତା ମୂଳରେ ଭାଷା । ଭାଷାର ଏକତା ଥିଲେ ଭାବର ଏକତା ସୁନିଶ୍ଚିତ । ସୁତରାଂ ସଭ୍ୟତା ଏକ ନହୋଇ ଅନ୍ୟଥା ହୋଇ ନପାରେ । ପୃଥିବୀର ଆଧୁନିକ ସମସ୍ତ ସଭ୍ୟ ଦେଶ ଏହି ନୀତି ଗ୍ରହଣ କରୁଅଛନ୍ତି । ଆମେରିକାର ଯୁକ୍ତରାଷ୍ଟ୍ରରେ ନାନା ଜାତିର ଲୋକେ ବାସ କରନ୍ତି । ଇଂରାଜୀ, ଜର୍ମାନ, ପର୍ତ୍ତୃଗୀଜ ସବୁ ଜାତିର ଲୋକେ ଅଛନ୍ତି । ପ୍ରତ୍ୟେକ ପ୍ରଦେଶର ଆଇନ କାନୁନ ବିଧି ବ୍ୟବସ୍ଥା ପୃଥକ୍ । କିନ୍ତୁ ସେ ସମସ୍ତେ ଇଂରାଜୀ ଭାଷାକୁ ରାଜ୍ୟର ଭାଷା ରୂପେ ଗ୍ରହଣ କରିଅଛନ୍ତି । ଇଂରାଜୀ ଭାଷା ସ୍ୱୀକାର ନ କରିବା ଯାଏ କାହାରିକୁ ଯୁକ୍ତରାଷ୍ଟ୍ରରେ ପ୍ରଜାର ଅଧିକାର ଦିଆଯାଏ ନାହିଁ । ସମସ୍ତ ରାଜ୍ୟର ଏକ ଭାଷା ପ୍ରଚଳିତ ହେବାରୁ ପ୍ରାଦେଶିକ ନାନା ପାର୍ଥକ୍ୟ ଥିଲେ ସୁଦ୍ଧା ସମଗ୍ର ରାଜ୍ୟରେ ଗୋଟିଏ ଜାତୀୟ ଭାବ ନିରନ୍ତର ଜାଗ୍ରତ ରହିଅଛି ।

ଆଜିକାଲି ଭାରତର ଏକ ଏକ ପ୍ରଦେଶରେ ନାନାବିଧ ଲୋକେ ଅଛନ୍ତି କ୍ରମେ ଆଉ ନୂତନ ସମ୍ପ୍ରଦାୟ ଓ ସମାଜ ଲୋକେ ମିଶୁଛନ୍ତି କୌଣସି ସ୍ଥାନରେ ପୂର୍ବର ଅବିମିଶ୍ରଣ ନାହିଁ । ଏହି ନାନାବିଧ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ସେ ସମସ୍ତଙ୍କର ସେହି ଦେଶଭାଷା ଗ୍ରହଣ କରିବା ଉଚିତ । ତାହେଲେ ସେମାନଙ୍କର ଭାବ ଓ ଚିନ୍ତାରେ ସାମଞ୍ଜସ୍ୟ ଆସିବ । ସେ ପ୍ରଦେଶର ସଂସ୍କୃତି ସାହିତ୍ୟ, ଇତିହାସ ଆଦିକୁ ସେମାନେ ନିଜର କରିନେବେ ଏବଂ ସେ ପ୍ରଦେଶ ଓ ତାହାର ଅତୀତ ଓ ଭବିଷ୍ୟତରେ ସେ ସମସ୍ତଙ୍କର ଆସ୍ଥା ଓ ମମତା ଜନ୍ମିବ । ଯେତେ ଦୂର ସମ୍ଭବ ଏକ ଭାଷା ପ୍ରଚଳିତ ସ୍ଥାନମାନ ଏକ ଶାସନାଧୀନରେ ନ ଆସିଲେ ଏ ଉଦ୍ଦେଶ୍ୟ ସିଦ୍ଧ ହୋଇପାରିବ ନାହିଁ ।

(ସତ୍ୟବାଦୀ, ୧ମ ଭାଗ, ୬ଷ୍ଠ ଖଣ୍ତ ୧୯୧୫ ଜୁନ)

No comments:

Post a Comment