Wednesday, August 29, 2018

ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବାସ୍ତବ ଶିକ୍ଷା'

ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୯୪୦ ମସିହାରେ ମାନ୍ଦ୍ରାଜର ମୈଲାପୁର ଅଞ୍ଚଳର ଦୃଶ୍ୟ (ୱିକିମିଡିଆ କମନ୍ସ୍)


ମାନ୍ଦ୍ରାଜର ତଥା ସାରା ଭାରତର ଛାତ୍ରଗଣ ! ଆପଣମାନେ ଯେଉଁ ଶିକ୍ଷା ପାଉଛନ୍ତି ,ତାହା ଆପଣମାନଙ୍କୁ ସେହି ଆଦର୍ଶ ଉପଲବ୍‌ଧ କରିବା ପାଇଁ ଯୋଗ୍ୟ ହେବାକୁ ସାହାଯ୍ୟ କରିବି କି ? ଯେଉଁ ଶିକ୍ଷା ଦ୍ୱାରା ଆପଣମାନଙ୍କର ସର୍ବୋତ୍ତମ ବିକାଶ ହେବ, ଏ କଅଣ ସେହି ଶିକ୍ଷା ? ନା ସରକାରୀ କର୍ମଚାରୀ ବା ବ୍ୟବସାୟ ବାଣିଜ୍ୟ ଅଫିସରେ କିରାଣୀ ପ୍ରସ୍ତୁତ କରିବାର ଏହା ଏକ କାରଖାନା ? ସରକାରୀ ବା ବେସରକାରୀ ବିଭାଗରେ ଚାକିରୀ ପାଇବା କଅଣ ଆପଣମାନଙ୍କର ଶିକ୍ଷାର ଲକ୍ଷ୍ୟ ହୋଇଥାଏ ଏବଂ ଆପଣମାନେ ନିଜ ସମ୍ମୁଖରେ ସେହି ଲକ୍ଷ୍ୟ ରଖିଥା'ନ୍ତି, ତେବେ ମୁଁ ଅନୁଭବ ଓ ଆଶଙ୍କା କରୁଅଛି ଯେ, କବି ଯେଉଁ ସ୍ୱପ୍ନର ଚିତ୍ର ଆଙ୍କିଯାଇଛନ୍ତି, ତାହା ଆପଣମାନେ ଉପଲବ୍‌ଧ କରି ପାରିବେ ନାହିଁ । 

ଆପଣମାନେ ସମ୍ଭବତଃ ମୋ ଠାରୁ ଶୁଣି କିମ୍ୱା ମୋ ଲେଖା ପଢ଼ି ଜାଣିଥିବେ ଯେ, ମୁଁ ଆଧୁନିକ ସଭ୍ୟତାର ଘୋର ବିରୋଧୀ ହୋଇ ଆସି ଅଛି ଏବଂ ବର୍ତ୍ତମାନ ମଧ୍ୟ ଅଟେ । ଇଉରୋପରେ ବର୍ତ୍ତମାନ ଯାହା ଘଟୁଛି, ସେଥି ପ୍ରତି ମୁଁ ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରୁ ଅଛି । ବର୍ତ୍ତମାନ ଇଉରୋପ ସେହି ସଭ୍ୟତାର ଚାପରେ ଆର୍ତ୍ତନାଦ କରୁ ଅଛି ବୋଲି ସିଦ୍ଧାନ୍ତରେ ଯଦି ଆପଣାମାନେ ଉପନୀତ ହୋଇଥା'ନ୍ତି ତେବେ ଆପଣମାନଙ୍କୁ ଓ ଆପଣମାଙ୍କର ଗୁରୁଜନମାନଙ୍କୁ ଆମ ମାତୃଭୂମିରେ ସେହି ସଭ୍ୟତାକୁ ଅନୁକରଣ କରିବା ପୂର୍ବରୁ ଭଲ ରୂପେ ଚିନ୍ତା କରିବାକୁ ପଡ଼ିବ । 

ମୁଁ ଅନେକ ଥର ଶୁଣିଛି, “ଆମର ଶାସକବର୍ଗ ଆମ ମାତୃଭୂମିକୁ ସେହି ସଂସ୍କୃତି ବୋହି ଆଣିଥିବା ବେଳେ ଆମ୍ଭେମାନେ ତାକୁ କିପରି ଏଡ଼ି ପାରିବୁ? “ ଏ ବିଷୟରେ ଆଦୌ ଭୁଲ କରନ୍ତୁ ନାହିଁ । ମୁହ୍ୱର୍ତ୍ତକ ପାଇଁ ମୁଁ ବିଶ୍ୱାସ କରେ ନାହିଁ ଯେ, ଯଦି ଆପଣମାନେ ସେହି ସଂସ୍କୃତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥାଆନ୍ତି, ତେବେ କୌଣସି ଶାସକ ତାକୁ ଆଣି ପାରିବେ । ଯଦି ପ୍ରକୃତରେ ଶାସକମାନେ ସେହି ସଂସ୍କୃତିକୁ ଆମ ପାଖକୁ ଆଣୁଛନ୍ତିତେବେ ସେହି ଶାସକମାନଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ଆମ୍ଭମାନଙ୍କ ମଧ୍ୟରେ ଯଥେଷ୍ଟ ଶକ୍ତି ଅଛି, ମୁଁ ଭାବେ । [କରତାଳ] 

ମୁଁ ଅନେକ ସଭାରେ କହିଛି ଯେ, ବ୍ରିଟିଶ୍ ଜାତି ଆମ ସହିତ ଅଛନ୍ତି । ସେ ଜାତି କାହିଁକି ଆମ ସହିତ ଅଛନ୍ତି, ତାହାର କାରଣ କହିବାକୁ ମୁଁ ଚାହୁଁ ନାହିଁ । ଆମର ସୁଯୋଗ୍ୟ ସଭାପତି ମହାଶୟ ଯେଉଁ ଋଷିମାନଙ୍କର ପରମ୍ପରା ବିଷୟ ବର୍ଣ୍ଣନା କରିଛନ୍ତି, ତଦନୁସାରେ ଯଦି ଭାରତ ଚଳେ, ତାହା ହେଲେ ରକ୍ତପାତ ନ କରି, ମାତ୍ର ଆଧ୍ୟାତ୍ମିକ ଆଧିକ୍ୟର ବଳରେ ବିଜେତାକୁ ଜୟ କରିବାର ସୌଭାଗ୍ୟ ଆପଣମାନଙ୍କର ଘଟିବ । 

ଭାରତର ବର୍ତ୍ତମାନ ଯାହା ସବୁ ଘଟୁଛି, ତାହା ଯେତେବେଳେ ମୁଁ ବିଚାର କରେ, ସେତେବେଳେ ରାଜନୈତିକ ହତ୍ୟା ଓ ଡକାୟତି ବିଷୟରେ ମତବ୍ୟକ୍ତ କରିବା ଆମ୍ଭମାନଙ୍କର ଆବଶ୍ୟକ ବୋଲି ମୁଁ ଭାବେ । ମୁଁ ଅନୁଭବ କରେ ଯେ, ଏ ସବୁ ସମ୍ପୂର୍ଣ୍ଣ ରୂପେ ବିଦେଶରୁ ଆମଦାନୀ ହୋଇଛି ଏବଂ ଏ ଭୂମିରେ ତାହା ଚେର ଧରି ପାରିବ ନାହିଁ । କିନ୍ତୁ ଆପଣମାନେ ଛାତ୍ର-ଜଗତ, ସତର୍କ ରହିବେ, ଯେପରିକି ଏ ଧରଣର ସନ୍ତ୍ରାସବାଦରୁ ତିଳେ ସୁଦ୍ଧା ମାନସିକ ବା ନୈତିକ ସମର୍ଥନ ନ ଦିଅନ୍ତି । 

ମୁଁ ଜଣେ ନିଷ୍କ୍ରିୟ ପ୍ରତିରୋଧୀ ଭାବରେ ଆଉ ଗୋଟିଏ ଉଲ୍ଲେଖଯୋଗ୍ୟ ଜିନିଷ ଦେବି । ନିଜକୁ ଭୟଭୀତ ନ କରାନ୍ତୁ, ନିଜର ହୃଦୟମନ୍ଥନ କରନ୍ତୁ । ଯେଉଁଠି ଅତ୍ୟାଚାର ଦେଖୁଛନ୍ତି, ସେଠାରେ ସବୁମତେ ପ୍ରତିରୋଧ କରନ୍ତୁ । ଆପଣମାନଙ୍କର ସ୍ୱାଧୀନତା ଉପରେ ହସ୍ତକ୍ଷେପ ହେଲେ ସବୁମତେ ତାହାର ପ୍ରତିରୋଧ କରନ୍ତୁ । ମାତ୍ର ଉତ୍ପୀଡକର ରକ୍ତପାତ କରନ୍ତୁ ନାହିଁ । ଆମ ଧର୍ମ ଅନ୍ୟର ରକ୍ତପାତ କରିବାକୁ ଶିକ୍ଷା ଦିଏ ନାହିଁ । ଆମର ଧର୍ମ ଅହଂସା ଉପରେ ପ୍ରତିଷ୍ଠିତସେହି ଅହିଂସା ତାହାର ପ୍ରକ୍ରିୟା ରୂପରେ ପ୍ରେମ ବ୍ୟତୀତ ଆଉ କିଛି ନୁହେଁ; କେବଳ ଆପଣମାନଙ୍କର ପ୍ରତିବେଶୀ ପ୍ରତି, ବନ୍ଧୁମାନଙ୍କ ପ୍ରତି ପ୍ରେମ ନୁହେଁ - ମାତ୍ର ଯେଉଁମାନେ ଆପଣାମାନଙ୍କର ଶତୃ ହୋଇ ପାରନ୍ତି, ସେମାନଙ୍କ ପ୍ରତି ସୁଦ୍ଧା ପ୍ରେମ ।

ସେହି ବିଷୟରେ ଆଉ ପଦେ । ଯଦି ଆମେ ସତ୍ୟ ଆଚରଣ କରୁ, ଅହିଂସା ଆଚରଣ କରୁଁ, ତେବେ ଆମେ ଅବିଳମ୍ୱେ ଉପଲବ୍‌ଧ କରିବୁଁ ଯେ, ଆମେ ନିର୍ଭୀକତା ମଧ୍ୟ ଆଚରଣ କରୁଁଆମ୍ଭମାନଙ୍କ ମତରେ ଯଦି ଆମର ଶାସକମାନଙ୍କର କାର୍ଯ୍ୟ ଅନ୍ୟାୟ ହୁଏସେମାନଙ୍କୁ ଉପଦେଶ ଦେବାକୁ ଆମେ ଯଦି କର୍ତ୍ତବ୍ୟ ଭାବୁଁ ଏବଂ ସେମାନଙ୍କ ଦ୍ୱାରା ଯଦି ତାହା ରାଜଦ୍ରୋହ ରୂପେ ବିବେଚିତ ହୁଏ, ତେବେ ଆପଣମାନେ ନିଜକୁ ବିପଦ ମୁଣ୍ଡାଇ ସେହି ପରିଣାମ ଭୋଗ କରିବାକୁ ପ୍ରସ୍ତୁତ ହୋଇଯିବେ ଏବଂ ବିପକ୍ଷ ସହିତ ଲଢ଼ିବାରେ କୌଣସି ଅସତ୍ ଉପାୟ ଅବଲମ୍ୱନ କରିବେ ନାହିଁ, ତେବେ ସରକାର ଯେ ଆପଣମାନଙ୍କର ପରାମର୍ଶ ଶୁଣନ୍ତୁ, ଏ ଦାବୀ ସାବ୍ୟସ୍ତ କରି ସାରି ଥିବେ ମୁଁ ଏହା ଭାବେ ।

No comments:

Post a Comment