Tuesday, August 07, 2018

ଗାନ୍ଧୀଙ୍କର ଶିକ୍ଷାବିଚାର - 'ହିନ୍ଦୁ ବିଶ୍ୱବିଦ୍ୟାଳୟ ଭାଷଣ:୨'

ଚିତ୍ତରଞ୍ଜନ ଦାସ


ମହାତ୍ମା ଗାନ୍ଧୀ (ୱିକିମିଡିଆ କମନ୍ସ୍)

ମୁଁ ଆଉ ଗୋଟିଏ ଚିତ୍ର ସହିତ ଆପଣମାନଙ୍କୁ ପରିଚିତ କରାଉଛି । କାଲି ଯେଉଁ ମହାରାଜା ସାହେବ ଆମର ଉତ୍ସବରେ ସଭାପତି ହୋଇଥିଲେ, ସେ ଭାରତର ଦାରିଦ୍ର୍ୟ ବିଷୟରେ ଅନେକ କଥା କହିଲେ । ଅନ୍ୟାନ୍ୟ ବକ୍ତା ମଧ୍ୟ ତାହା ଉପରେ ଖୁବ୍ ଜୋର ଦେଇ କହିଲେ । କିନ୍ତୁ ଭାଇସ୍‌ରାୟ ପୁରୋଧା ହୋଇ ଯେଉଁ ମଣ୍ତପ ଉପରେ ଭିତ୍ତି-ସ୍ଥାପନ ଉତ୍ସବ ସମାହିତ ହେଲା, ସେହି ମଞ୍ଚ ଉପରେ ଆମ୍ଭେମାନେ କଣ ଦେଖିଲୁଁ ? ସେ ଉତ୍ସବ ଖୁବ୍ ଆଡ଼ମ୍ୱର ସହକାରେ ସମ୍ପନ୍ନ ହେଲା ଏବଂ ପ୍ୟାରିସ୍‌ରୁ ଯେଉଁ ଶ୍ରେଷ୍ଠ ଜହୁରି (ମଣିକାର) ଆସିଥିଲେ, ତାଙ୍କର ଆଖି ମଧ୍ୟ ମଣି-ମୁକ୍ତାର ପ୍ରଦର୍ଶନୀରେ ଝଲସି ପଡ଼ିଲା । ମହାର୍ଘ ଭୂଷଣରେ ଭୂଷିତ ଏହି ଧନୀ ଲୋକମାନଙ୍କ ସହିତ ଭାରତର ଲକ୍ଷ ଲକ୍ଷ ନିରନ୍ନ ଦରିଦ୍ର ଲୋକଙ୍କର ତୁଳନା ମୁଁ କରେ । 

“ଯଦି ଆପଣମାନେ ଏହି ମଣି-ମୁକ୍ତାକୁ ପରିତ୍ୟାଗ ନ କରନ୍ତି, ଏବଂ ଭାରତର ଦେଶବାସୀମାନଙ୍କ ପକ୍ଷରୁ ସେଗୁଡ଼ିକ ନ୍ୟାସୀ ହୋଇ ନ ଚଳନ୍ତି, ତାହା ହେଲେ ଭାରତର ମୁକ୍ତି ନାହିଁ,” ଏକଥା ଏହି ଧନୀ ଲୋକମାନଙ୍କୁ କହି ଦେବାକୁ ମୋର ମନ ହୁଏ । (“ଶୁଣନ୍ତୁ ଶୁଣନ୍ତୁ,’’ କରତାଳି) । ସମ୍ରାଟଙ୍କ ପ୍ରତି ପ୍ରକୃତ ରାଜଭକ୍ତି ଦେଖାଇବାକୁ ମୋତି ମାଣିକ୍ୟରେ ଭୂଷିତ ହୋଇ ସଭାକୁ ଯିବାକୁ ହେବ, ଏହା ଭାରତ-ସମ୍ରାଟ ବା ଲର୍ଡ଼ ହାଡିଞ୍ଜଙ୍କର ଇଚ୍ଛା ନୁହେଁ । ଏ ବିଷୟରେ ମୁଁ ନିଶ୍ଚିତମୋ ଜୀବନକୁ ବିପନ୍ନ କରି ମୁଁ ସ୍ୱୟଂ ପଞ୍ଚମ ଜର୍ଜଙ୍କଠାରୁ ଜଚାବ୍ ଆଣି ଦେଇପାରେ ଯେ, ସେ ଏପରି କିଛି ଆଶା କରନ୍ତି ନାହିଁ । 

ମହାଶୟ! ବ୍ରିଟିଶ୍ ଭାରତର କିମ୍ୱା କରଦ ରାଜ୍ୟର କୌଣସି ବଡ଼ ସହରରେ ଗୋଟିଏ ବଡ଼ ପ୍ରାସାଦ ନିର୍ମିତ ହେବା ଶୁଣିଲେ ମୁଁ ତତ୍‌କ୍ଷଣାତ୍ ଈର୍ଷାରେ କହି ପକାଏଁ,  ”ଓଃ! ଏସବୁ କୃଷକମାନଙ୍କଠାରୁ ଆସିଥିବା ଧନରେ ତିଆରି ।" ଭାରତର ଲୋକସଙ୍ଖ୍ୟାର ଶତକଡ଼ା ପଞ୍ଚସ୍ତରି କୃଷିଜୀବୀ । ଗତ ରାତିରେ ମିଷ୍ଟର ହିଗିନ୍‌ବୋଥାମ୍ ସୁନିର୍ବାଚିତ ବାକ୍ୟଭଙ୍ଗୀରେ କହିଛନ୍ତି ଯେ, ଏହି କୃଷକମାନେ ହିଁ ଗୋଟିଏ ଦୁର୍ବାଦଳ ସ୍ଥାନରେ ଯୋଡ଼ିଏ ଉତ୍ପାଦନ କରନ୍ତି, ଅର୍ଥାତ୍ ସେହିମାନେ ହିଁ ଦେଶର ପ୍ରକୃତ ଉତ୍ପାଦନକାରୀ । କିନ୍ତୁ ଯଦି ଆମ୍ଭେମାନେ ସେମାନଙ୍କର ପରିଶ୍ରମର ସମସ୍ତ ଫଳ ଅପହରଣ କରୁ କିମ୍ୱା ଯଦି ଆମ୍ଭେମାନେ ଅନ୍ୟକୁ ପ୍ରଶସ୍ତ ଦେଉ, ତାହା ହେଲେ ଆମ ଭିତରେ ସ୍ୱାୟତ୍ତଶାସନର କୌଣସି ପ୍ରେରଣା ବା ସତ୍ତା ରହିବ ନାହିଁ । କେବଳ କୃଷକର ଉନ୍ନତିରେ ହିଁ ଆମର ମୁକ୍ତି ଆସି ପାରେ । ଓକିଲ, ଡାକ୍ତର କିମ୍ୱା ଜମିଦାରମାନେ କଦାପି ଦେଶକୁ ଉଦ୍ଧାର କରି ପାରିବେ ନାହିଁ ।

ଗତ ଦୁଇ ତିନି ଦିନରେ ଆମ୍ଭମାନଙ୍କ ମନ ଭିତରେ ଯେଉଁସବୁ ଆଲୋଡ଼ନ ଆସିଛି, ସେ ବିଷୟରେ କହିବା ପାଇଁ ମୋର ଶେଷ କର୍ତ୍ତବ୍ୟ ବୋଲି ମନେ କରୁଛି । ଏହା ଶେଷ ବୋଲି ନିକୃଷ୍ଟ କର୍ତ୍ତବ୍ୟ ନୁହେଁ । ବନାରସର ମାର୍ଗ ଦେଇ ଭାଇସରୟ ଗଲା ବେଳେ ଆମ୍ଭମାନଙ୍କ ମନରେ ଘୋର ଉଦ୍‌ବେଗ ଥିଲା । ଅନେକ ସ୍ଥାନରେ ଗୋଇନ୍ଦାମାନଙ୍କୁ ରଖା ଯାଇ ଥିଲା । ଆମ୍ଭେମାନେ ଶଙ୍କିତ ହୋଇ ପଡ଼ି ଥିଲୁ । ଆମ ମନରେ ପ୍ରଶ୍ନ ଉଠୁଥିଲା, “ଏତେ ଅବିଶ୍ୱାସ କାହିଁକି ? ଜୀବନ୍ତ ମରଣର ଭୟ ଥାଇ ବଞ୍ଚିବା ଅପେକ୍ଷା ଲର୍ଡ ହାଡ଼ିଞ୍ଜଙ୍କ ପକ୍ଷରେ ମରିବା କଣ ଶ୍ରେୟସ୍କର ନୁହେଁ ?” 

କିନ୍ତୁ ପ୍ରବଳପରାକ୍ରାନ୍ତ ସମ୍ରାଟଙ୍କର ଜଣେ ପ୍ରତିନିଧିଙ୍କ ପକ୍ଷରେ ଏହା ସତ୍ୟ ହୋଇ ନ ପାରେ । ଏହି ପରି ଜୀବନ୍ତ ମୃତ୍ୟୁର ଆଶଙ୍କା ପୋଷଣ କରି ବଞ୍ଚି ରହିବାକୁ ସେ ଆବଶ୍ୟକ ମନେ କରି ପାରନ୍ତି । କିନ୍ତୁ ଆମ ପିଛା ଏହି ଗୋଇନ୍ଦା ଖଞ୍ଜା ଯିବାର ଉଦ୍ଦେଶ୍ୟ କଅଣ ? ଆମେ ରାଗି ପାରୁଁ, ଭ୍ରୁକୁଞ୍ଚନ କରି ପାରୁଁ, ଆମେ ନାପସନ୍ଦ କରି ପାରୁ, ମାତ୍ର ଭାରତ ଅଧୀର ହୋଇ ପଡ଼ି ଏକ ଅରାଜକତାବାଦୀ ଦଳ ଯେ ସୃଷ୍ଟି କରିଛି , ଏହା ଆମେ ଭୁଲି ଯିବୁଁ ନାହିଁ । ମୁଁ ନିଜେ ଜଣେ ଅରାଜକତାବାଦୀ, କିନ୍ତୁ ଏକ ପୃଥକ୍ ଧରଣର । ମାତ୍ର ଆମ୍ଭମାନଙ୍କ ମଧ୍ୟରେ ଦଳେ ଅରାଜକତୀବାଦୀ ଅଛନ୍ତି । ଯଦି ସେହିମାନଙ୍କ ସହିତ ମୁଁ ସାକ୍ଷାତ କରି ପାରନ୍ତି ତେବେ ସେମାନଙ୍କୁ କହନ୍ତି ଯେ, ଭାରତ ତାହାର ବିଜେତାକୁ ଜୟ କରିବାକୁ ଚାହୁଁ ଥିଲେସେମାନଙ୍କର ଅରାଜକତାବାଦ ପାଇଁ ଭାରତରେ ସ୍ଥାନ ନାହିଁ । ଏହା ଭୟର ନିଦର୍ଶନ ।

ଆମେ ଯଦି ଭଗବାନଙ୍କୁ ଭୟ କରିବୁ ଓ ତାଙ୍କ ଉପରେ ବିଶ୍ୱାସ ରଖିବୁ, ତେବେ ଆମେ କୌଣସି ମହାରାଜା, ଭାଇସ୍‌ରୟ, ଗୋଇନ୍ଦା ପୋଲିସଙ୍କୁ, ଏପରିକି ପଞ୍ଚମ ଜର୍ଜଙ୍କୁ ସୁଦ୍ଧା କାହାରିକୁ ଭୟ କରିବୁ ନାହିଁ । ସେମାନଙ୍କର ସ୍ୱଦେଶପ୍ରେମ ପାଇଁ ଅରାଜକତାବାଦୀମାନଙ୍କୁ ମୁଁ ସମ୍ମାନ କରେ, ନିଜର ଦେଶ ପାଇଁ ମୃତ୍ୟୁବରଣ କରିବାର ସେମାନଙ୍କ ସାହାସ ପାଇଁ ମୁଁ ସମ୍ମାନ କରେ, ମାତ୍ର ମୁଁ ସେମାନଙ୍କୁ ପଚାରେ “ହତ୍ୟା କଣ ସମ୍ମାନଜନକ? ଘାତକର ଛୁରୀକା ସମ୍ମାନଜନକ ମୃତ୍ୟୁର ଅଗ୍ରଦୂତ ହୋଇ ପାରେ କି ?” ମୁଁ ଏହା ଅସ୍ୱୀକାର କରେ । କୌଣସି ଶାସ୍ତ୍ରରେ ଏହି ପ୍ରଣାଳୀ ସପକ୍ଷରେ ଯୁକ୍ତି ନାହିଁ । 

ଭାରତର ମୁକ୍ତି ପାଇଁ ଯଦି ଇଂରେଜମାନଙ୍କୁ ଯିବାକୁ ହୁଏ କିମ୍ୱା ସେମାନେ ବିତାଡ଼ିତ ହେବାକୁ ବାଧ୍ୟ ହୁଅନ୍ତି, ତେବେ ସେମାନଙ୍କୁ ଅବଶ୍ୟ ଯିବାକୁ ହେବ., ଏହା ଘୋଷଣା କରିବାକୁ ମୁଁ କୁଣ୍ଠିତ ହେବି ନାହିଁ ଏବଂ ମୋର ସେହି ବିଶ୍ୱାସ ପ୍ରତିପାଦନ କରିବା ନିମିତ୍ତ ମୁଁ ମୃତ୍ୟୁବରଣ କରିବା ପାଇଁ ପ୍ରସ୍ତୁତ ହେବି । ମୋ ମତରେ ତାହା ହିଁ ସମ୍ମାନଜନକ ମୃତ୍ୟୁ । ବୋମା ନିକ୍ଷେପକାରୀ ଗୁପ୍ତ ଭାବରେ ଷଡ଼ଯନ୍ତ୍ର କରେ, ପ୍ରକାଶ୍ୟ ସ୍ଥାନକୁ ଆସିବାକୁ ଭୟ କରେ ଏବଂ ଧରା ପଡ଼ିଲେ ତାହାର କୁ-ପରିଚାଳିତ ଉତ୍ସାହ ପାଇଁ ଦଣ୍ତ ଭୋଗ କରେ । 

ମୋତେ ଅନ୍ୟମାନେ କହିଛନ୍ତି, ଆମେ ଏପରି କରି ନ ଥିଲେ କେତେକ ଲୋକ ବୋମା ପକାଇ ନ ଥିଲେ, ବଙ୍ଗ-ବ୍ୟବଚ୍ଛେଦ ଆନ୍ଦୋଳନରେ ଆମେ ଯାହା ପାଇଛୁଁ, ତାହା ଆମେ ହାସଲ କରି ପାରି ନ ଥାଆନ୍ତୁ,” (ମିସେସ୍ ବେଶାନ୍ତ ଅନୁଗ୍ରହ କରି ତାହା କହନ୍ତୁ ନାହିଁ) । ଯେତେବେଳେ ମିଷ୍ଟର ଲିୟନ୍ ଗୋଟିଏ ସଭାରେ ସଭାପତିତ୍ୱ କରିଥିଲେ, ସେତେବେଳେ ବଙ୍ଗଳା ପ୍ରଦେଶରେ ଏ କଥା ମୁଁ କହିଥିଲି । ମୁଁ ଭାବୁଛି, ମୁଁ ଯାହା କହୁଛି, ତାହା ଆବଶ୍ୟକ ଅଟେ । ତଥାପି ଯଦି ମୋତେ ବନ୍ଦ କରିବାକୁ କହନ୍ତି, ତେବେ ମୁଁ ଆଦେଶ ପାଳନ କରିବି । (ସଭାପତିଙ୍କ ଆଡ଼କୁ ଲକ୍ଷ୍ୟ କରି) ମୁଁ ଆପଣଙ୍କ ଆଦେଶକୁ ଅପେକ୍ଷା କରୁଅଛି । ମୁଁ ଏହା କହିବା ଦ୍ୱାରା ଦେଶର ଓ ସାମ୍ରାଜ୍ୟର ସେବା କରୁ ନାହିଁ ବୋଲି ଯଦି ଆପଣ ବିଚାରୁ ଥାଆନ୍ତିତେବେ ମୁଁ ନିଶ୍ଚିୟ ବନ୍ଦ କରିବି । (“କହନ୍ତୁ, କହନ୍ତୁ,"- ଚିତ୍କାର) (ସଭାପତି ଆପଣଙ୍କର ଉଦ୍ଦେଶ୍ୟ ବୁଝାଇ ଦିଅନ୍ତୁ) ମୋର ଉଦ୍ଦେଶ୍ୟ ମୁଁ ବୁଝାଇ କହୁଛିମୁଁ କେବଳ (ଆଉ ଥରେ ବାଧା

ମୋର ବନ୍ଧୁଗଣ ! ଏହି ବାଧା ପାଇଁ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ମୋତେ ଯେ କହିବା ପାଇଁ ମିସେସ୍ ବେଶାନ୍ତ ଆଜି ସନ୍ଧ୍ୟାରେ ବାରଣ କରୁଛନ୍ତି । ତାହାର କାରଣ ସେ ଭାରତକୁ ଖୁବ୍ ଭଲ ପାଆନ୍ତି ଏବଂ ମୁଁ ଆପଣମାନଙ୍କୁ ଆଗରେ ମନ ଖୋଲି କହିବାରେ ଭୁଲ କରୁଅଛି ବୋଲି ସେ ବିଚାରୁଛନ୍ତି ତଥାପି ମୁଁ ଏତିକି କହୁଛି ଯେ, ଉଭୟ ପକ୍ଷରୁ ଭାରତକୁ ଏହି ଅବିଶ୍ୱାସର ବାତାବରଣରୁ ମୁଁ ମୁକ୍ତ କରିବାକୁ ଚାହେଁ । ଆମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ପରସ୍ପର ସ୍ୱଭାବ ଓ ବିଶ୍ୱାସ ଉପରେ ପ୍ରତିଷ୍ଟିତ ଏକ ସାମ୍ରାଜ୍ୟ ଆମେ ଚାହୁଁ, । ଦାୟିତ୍ୱହୀନ ଭାବରେ ଘର ଭିତରେ ଏପରି କଥାବର୍ତ୍ତା କରିବା ଅପେକ୍ଷା ଏହି କଲେଜର ସୁରକ୍ଷା ମଧ୍ୟରେ କହିବା କଣ ଭଲ ନୁହେଁ କି ? ଏସବୁ କଥା ଖୋଲାଖୋଲି ଭାବରେ କହିବାକୁ ମୁଁ ଶ୍ରେୟସ୍କର ମନେ କରେ । ଏପରି କହି ମୁଁ ଆଗରୁ ଅତି ଉତ୍ତମ ଫଳ ପାଇଛି । 

ମୁଁ ଜାଣେ ଏପରି କୌଣସି ବିଷୟ ନାହିଁ, ଯାହାକି ଛାତ୍ରମାନେ ନ ଜାଣନ୍ତି ଏବଂ ଆଲୋଚନା ନ କରନ୍ତି । ତେଣୁ ମୁଁ ଆମ୍ଭମାନଙ୍କର ନିଜର ଅନ୍ତର ପରୀକ୍ଷା କରିବାକୁ ଚାହେଁ । ମୋର ମାତୃଭୂମିର ସ୍ୱନାମକୁ ଏତେ ପ୍ରିୟ ମନେ କରେ ଯେ, ଆପଣମାନଙ୍କର ସାଙ୍ଗରେ ମୁଁ ଏତେ ଭାବ ବିନିମୟ କରୁଅଛି । ଭାରତବର୍ଷରେ ସନ୍ତ୍ରାସବାଦ ପାଇଁ କୌଣସି ସ୍ଥାନ ନାହିଁ, ଏହା ଆପଣମାନେ ବିଚାର କରନ୍ତୁ ବୋଲି ମୁଁ ଏହା ପେଶ୍ କରୁଅଛି । ଶାସକମାନଙ୍କୁ ଆମର ଯାହା କହିବାକୁ ଅଛି ତାହା ଅପକଟ ଭାବରେ ଓ ଖୋଲାଖୋଲି ଭାବରେ କହିଦେବା ଉଚିତ୍ ଏବଂ ଯଦି ସେମାନଙ୍କୁ ତାହା ପିତା ଲାଗେ ସେଥିରେ ଫଳ ଭୋଗ କରିବାକୁ ଆମେ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ । ମାତ୍ର ତିରସ୍କାର କରିବା ଆମର ଅନୁଚିତ । 

ବିଶେଷଭାବରେ ଭର୍ସିତ ସିଭିଲିୟାନ୍ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ମୋ' ମତ ବେଶୀ ମିଳେ ନାହିଁ ମାତ୍ର ସେ ଯେପରି ତାଙ୍କର କଥା କହିଲେ ମୁଁ ସେ ପ୍ରଣାଳୀକୁ ପ୍ରଶଂସା ନକରି ରହି ପାରିଲି ନାହିଁ । ସେ କହିଲେ “ମିଷ୍ଟର ଗାନ୍ଧୀ! ଆମେ ସବୁ ସିଭଲିଆନ୍ ଖରାପ ଏବଂ ଆମେ ଯାହାଙ୍କୁ ଶାସନ କରିବାକୁ ଆସିଛିୁ, ସେମାନଙ୍କୁ ଉତ୍‌ପୀଡ଼ନ କରିବା ଯେ ଆମର ଇଚ୍ଛା- ଆପଣ ଏହା କେବେ ବିଶ୍ୱାସ କରନ୍ତି କି ?” ମନା କଲି । ତେବେ ଆପଣଙ୍କୁ କେବେ ସୁଯୋଗ ମିଳିଲେ ଏହି ଭତ୍ସିତ ସିଭିଲିଆନ୍ ଗୋଷ୍ଠୀକୁ ଅନ୍ୟ ଏକ ଶବ୍ଦରେ ସମ୍ୱୋଧନ କରିବେ କି ? ମୁଁ ଏଠାରେ ସେହି ଶବ୍ଦ ବ୍ୟବହାର କରୁଅଛି । ହଁ, ଭାରତୀୟ ସିଭଲିଆନ୍ ଗୋଷ୍ଠୀର ଅନେକ ସଦସ୍ୟ ନିଃସନ୍ଦେହରେ ଅସହିଷ୍ଣୁ; ସେମାନେ ଉତ୍ପୀଡ଼କ ଏବଂ ସମୟେ ସମୟେ ବିଚାରହୀନ । ଆହୁରି ଅନେକ ବିଶେଷଣ ବ୍ୟବହୃତ ହୋଇ ପାରେ । ମୁଁ ଏହି ସବୁ କଥା ସ୍ୱୀକାର କରିବା ସଙ୍ଗେ ସଙ୍ଗେ କହୁଛି ଯେ, ଭାରତରେ କେତେ ବର୍ଷ ରହିବା ପରେ ସେମାନଙ୍କୁ ମଧ୍ୟରୁ କେତେକଙ୍କର କେତେକ ପରିମାଣରେ ଅଧୋଗତି ହୁଏ । ଏଥିରୁ କି ସୂଚନା ମିଳୁଅଛି ? ଏଠାକୁ ଆସିବା ପୂର୍ବରୁ ସେମାନେ ଭଦ୍ର ଥିଲେଏବଂ ଯଦି ସେମାନଙ୍କର କିଛି ନୈତିକ ବିଚ୍ୟୁତି ଘଟେ, ତାହା ହେଲେ ତାହା ଆମ୍ଭମାନଙ୍କ ପ୍ରତି ଏକ ଆକ୍ଷେପ ।

(“ନା,ନା”-;ଚିତ୍କାର) । ନିଜେ ଭାବିକରି ଦେଖନ୍ତୁ । କାଲି ଯେଉଁ ଲୋକ ଭଲ ଥିଲା, ସେ ଲୋକ ମୋ ସଂସ୍ପର୍ଶରେ ଆସିବା ସଙ୍ଗେ ସଙ୍ଗେ ଯଦି ଖରାପ ହୋଇଗଲା, ତେବେ ଏହି ଅଧୋଗତି ପାଇଁ ସେ ଦାୟୀ ବା ମୁଁ ଦାୟୀ ? ଭାରତକୁ ଆସି ସେମାନେ ଯେଉଁ ତୋଷାମତ ଓ ମିଥ୍ୟାଚାର ଭିତରେ ରହି ଥାଆନ୍ତିତାହାର ଫଳରେ ସେମାନଙ୍କର ଅଧୋଗତି ଘଟେ । ଆମ୍ଭମାନଙ୍କର ଅନେକଙ୍କର ସେହିପରି ଘଟନ୍ତାଅନେକ ସମୟରେ ନିଜ ଉପରକୁ ଦୋଷାରୋପ ନେବା ଭଲ । ସ୍ୱାୟତ୍ତଶାସନ ପାଇବାକୁ ହେଲେ, ଆମ୍ଭମାନଙ୍କୁ ଏଗୁଡ଼ିକୁ ମାନି ନେବାକୁ ପଡ଼ିବ । 

ଯଦି ଆମ୍ଭେମାନେ ସ୍ୱାୟତ୍ତ-ଶାସନ ପାଇବାକୁ ଆଗ୍ରହୀ, ତେବେ ଆମକୁ ତାହା ଅର୍ଜନ କରିବାକୁ ହେବ । ଆମ୍ଭମାନଙ୍କୁ ସ୍ୱାୟତ୍ତ-ଶାସନ କେହି ହାତ ଟେକି ଦାନ କରି ଦେବ ନାହିଁ । ବ୍ରିଟିଶ୍ ସାମ୍ରାଜ୍ୟ ଓ ଜାତିର ଇତିହାସ ପ୍ରତି ଦୃଷ୍ଟିପାତ କରନ୍ତୁ । ସେ ଜାତି ସ୍ୱାଧୀନତା ପ୍ରିୟ ହୋଇ ଥିବାରୁ ଯେଉଁ ଜାତି ନିଜେ ସ୍ୱାଧୀନତା ଅର୍ଜନ କରି ନ ପାରିବ ତାହାକୁ ସ୍ୱାଧୀନତା ଦାନ କରିବାକୁ ସେମାନେ ପକ୍ଷ ହୋଇ ପାରିବେ ନାହିଁ । ଯଦି ପୂର୍ବରୁ ଯେଉଁମାନେ ସେହି ସାମ୍ରାଜ୍ୟର ଶତ୍ରୁ ଥିଲେବର୍ତ୍ତମାନ ସେମାନେ ମିତ୍ର ହୋଇ ଯାଇ ଅଛନ୍ତି । (ଏହି ସମୟରେ ବକ୍ତୃତାରେ ବାଧା ପହଞ୍ଚିଲା । ସଭା ଛାଡ଼ି ଯିବା ପାଇଁ ସଭାମଣ୍ତପ ଉପରେ ବସିଥିବା କେତେକ ଲୋକ ଅଥୟ ହେଲେ । ତେଣୁ ଏହିଠାରେ ବକ୍ତୃତା ହଠାତ୍ ଶେଷ ହେଲା )


ବି. ଦ୍ର. - ତା ୪--୧୯୧୭ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ ଉତ୍ସବରେ ଗାନ୍ଧୀଜୀଙ୍କର ଭାଷଣ ।

No comments:

Post a Comment