Thursday, March 28, 2019

ଅଶୋକ ଓ ବୌଦ୍ଧଧର୍ମ

କେଦାରନାଥ ମହାପାତ୍ର


ଧଉଳି ଠାରେ ଅଶୋକଙ୍କର ଶିଳାଲେଖ (ୱିକିମିଡିଆ କମନ୍ସ୍)
୧୮୯୫ ମସିହାରେ ଉତ୍ତୋଳିତ ଚିତ୍ର

[ଅଶୋକ ବୌଦ୍ଧ] ଧର୍ମର ଉନ୍ନତି ଓ ପ୍ରସାର ପାଇଁ ଯେପରି ମନପ୍ରାଣ ଢାଳି ଦେଇ ଥିଲେ, ପୃଥିବୀର ଅନ୍ୟ କୌଣସି ରାଜା ଅନ୍ୟ କୌଣସି ଧର୍ମ ସକାଶେ ସେପରି କରି ନାହାନ୍ତି । ସେ ଭାରତର ବିଭିନ୍ନ ଦେଶରେ ଓ ସୁଦୂର ଗ୍ରୀକ୍ ରାଜ୍ୟମାନଙ୍କରେ ଏହି ଧର୍ମ ପ୍ରଚାର ପାଇଁ ଶତ ଶତ ପ୍ରଚାରକ ନିଯୁକ୍ତ କରିଥିଲେ । ବୌଦ୍ଧ ଶ୍ରମଣ ବା ଭିକ୍ଷୁ ଓ ଭିକ୍ଷୁଣୀମାନେ ରହିବା ପାଇଁ ଦେଶର ନାନା ସ୍ଥାନରେ ସ୍ତୂପ ଓ ଚୈତ୍ୟମାନ ନିର୍ମିତ ହୋଇ ଥିଲା । ସେ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ୱିନି ଗ୍ରାମରେ ଗୋଟିଏ ସ୍ମୃତିସ୍ତମ୍ଭ ନିର୍ମାଣ କରିଥିଲେ । ସେଠାକୁ ଯିବା ପାଇଁ ପାଟଳୀପୁତ୍ରଠାରୁ ଗୋଟିଏ ରାସ୍ତା ନିର୍ମିତ ହୋଇ, ତାହାର ଦୁଇ ପାଖରେ ସ୍ତମ୍ଭମାନ ପୋତା ହୋଇଥିଲା । 

ପାହାଡ, ଗୁମ୍ଫା ଓ ବଡ଼ ବଡ଼ ସ୍ତମ୍ଭମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଧର୍ମ ଉପଦେଶ ବା ଅନୁଶାସନମାନ ପାଲି ଭାଷାରେ ଲେଖା ହୋଇ ଥିଲା । ସେଗୁଡିକ ଅଦ୍ୟାପି ଭାରତର ନାନା ସ୍ଥାନରେ ଦେଖା ଯାଏ । ପୁରୀ ଜିଲ୍ଲାର ଧଉଳି ପାହାଡ [ଏବେ ଖୋର୍ଦ୍ଧା ଜିଲ୍ଲାରେ] ଓ ଗଞ୍ଜାମ ଜିଲ୍ଲାର ଯୌଗଡ଼ ପର୍ବତରେ ଅଶୋକଙ୍କ ଅନୁଶାସନମାନ ଆଜି ପର୍ଯ୍ୟନ୍ତ ରହିଛି । ସେ ରାସ୍ତାର ଦୁଇ ପାଖରେ ଛାୟା ଗଛ ଓ ଫଳ ଗଛ ଲଗାଇ ଥିଲେ; କୂଅ, ପୋଖରୀ ଖୋଳାଇ ଥିଲେ ଓ ପାନ୍ଥଶାଳାମାନ ନିର୍ମାଣ କରି ଥିଲେ । 

ସେ ମନୁଷ୍ୟ ଓ ପଶୁ ମାନଙ୍କ ଚିକିତ୍ସା ପାଇଁ ଚିକିତ୍ସାଳୟମାନ ନିର୍ମାଣ କରିଥିଲେ । ଲୋକମାନେ ବିନା ମୂଲ୍ୟରେ ଓ ସହଜରେ ଔଷଧ ପାଉ ଥିଲେ । ସେ ଯୁଗରେ ଅଶୋକ ପ୍ରଥମେ ପଶୁଚିକିତ୍ସା ଭାରତରେ ଚଳାଇ ଥିଲେ । ନିଜ ରାଜ୍ୟ ମଧ୍ୟରେ ଜୀବବଧ ନିଷେଧ କରିଥିଲେ ସମାଜ ବା ଉତ୍ସବ ଇତ୍ୟାଦି କରିବାକୁ ମନା କରି ଥିଲେ । 

ସେ ବୌଦ୍ଧଭିକ୍ଷୁମାନଙ୍କୁ ଦାନ ଦେଉ ଥିଲେ । ଅନେକଗୁଡ଼ିଏ ବୌଦ୍ଧଗ୍ରନ୍ଥ ଲେଖାଇଥିଲେ । ତାଙ୍କରି ଯତ୍ନରେ ପାଟଳୀପୁତ୍ର ନଗରୀରେ ଗୋଟିଏ ବୌଦ୍ଧ ସଭା ବସି ବୌଦ୍ଧ‌ଧର୍ମ ଓ ବୌଦ୍ଧଗ୍ରନ୍ଥ ସମ୍ୱନ୍ଧରେ ଅନେକ ଆଲୋଚନା ହୋଇ ଥିଲା । ତାଙ୍କର ପୁଅ ମହେନ୍ଦ୍ର ଓ କନ୍ୟା ସଙ୍ଘମିତ୍ରା ବୌଦ୍ଧ ଧର୍ମ ପ୍ରଚାର ପାଇଁ ଲଙ୍କା ଦ୍ୱୀପକୁ ଯାଇଥିଲେ । ଅଶୋକ ଶେଷକୁ ନିଜେ ବୌଦ୍ଧଭିକ୍ଷୁ ହୋଇ ବୌଦ୍ଧ ତୀର୍ଥମାନ ପରିଦର୍ଶନ କରିଥିଲେ । ସେ ନୈଷ୍ଠିକ ବୌଦ୍ଧ ଥିଲେ ମଧ୍ୟ, ଅନ୍ୟ ଧର୍ମ ପ୍ରତି ଆଦୌ ଅନାଦର ବା ଘୃଣା ପ୍ରକାଶ କରୁ ନ ଥିଲେ । ତାଙ୍କ ପୂର୍ବରୁ ଭାରତର ଅତି ଅଳ୍ପ ଲୋକ ବୌଦ୍ଧ ଥିଲେ, କିନ୍ତୁ ତାଙ୍କ ରାଜତ୍ୱରେ ଏହା ସମଗ୍ର ଭାରତରେ ଓ ସିରିଆ, ମାସିଡନ, ମିଶର ପ୍ରଭୃତି ଦୂର ଦେଶମାନଙ୍କରେ ମଧ୍ୟ ବ୍ୟାପି ଯାଇ ଥିଲା । ଏହି ଧର୍ମର ଅପୂର୍ବ ଉନ୍ନତି ଯୋଗୁଁ ସେ ‘ଦେବପ୍ରିୟ ପ୍ରିୟଦର୍ଶୀ’ ନାମରେ କଥିତ ହୋଇ ଥିଲେ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

No comments:

Post a Comment