Tuesday, May 28, 2019

ଗୁପ୍ତବଂଶ


କେଦାରନାଥ ମହାପାତ୍ର


ଦ୍ୱିତୀୟ ଚନ୍ଦ୍ରଗୁପ୍ତ ଜାରି କରିଥିବା ମୁଦ୍ରା ଯେଉଁଥିରେ ସେ ନିଜେ ଚିତ୍ରିତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କୁଶାଣ ବଂଶର ରାଜତ୍ୱ ପରେ ପ୍ରାୟ ୨୦୦ ବର୍ଷ କାଳ ଭାରତବର୍ଷ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇଥିଲା । ଶକ, ପଲ୍ଲବ ପ୍ରଭୃତି ବୈଦେଶିକମାନେ ଭାରତର ଉତ୍ତର ପଶ୍ଚିମାଞ୍ଚଳରେ ରାଜତ୍ୱ କରୁଥିଲେ । ସେତେବେଳେ ଭାରତରେ କୌଣସି ଶକ୍ତିଶାଳୀ ରାଜବଂଶ ରାଜତ୍ୱ କରୁ ନ ଥିଲେ । କିନ୍ତୁ ଚତୁର୍ଥ ଶତାବ୍ଦୀର ପ୍ରଥମ ଭାଗରେ ଗୁପ୍ତବଂଶ ବିଶେଷ କ୍ଷମତାଶାଳୀ ହୋଇଥିଲା ।

ପ୍ରଥମ ଚନ୍ଦ୍ରଗୁପ୍ତ

ପ୍ରଥମ ଚନ୍ଦ୍ରଗୁପ୍ତ ଏହି ବଂଶର ପ୍ରତିଷ୍ଠାତା । ସେ ୩୨୦ ଖ୍ରୀଷ୍ଟାବ୍ଦରୁ ୩୩୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ପାଟଳୀପୁତ୍ର ତାଙ୍କର ରାଜଧାନୀ ଥିଲା । ସେ ମିଥିଳାର ଲିଚ୍ଛାବିମାନଙ୍କୁ ପରାସ୍ତ କରି ଉକ୍ତ ବଂଶୀୟ କୁମାରଦେବୀଙ୍କୁ ବିବାହ କରିଥିଲେ । ସେ ଗାଙ୍ଗେୟ ଉପତ୍ୟକାର ସମସ୍ତ ରାଜାମାନଙ୍କୁ ଜୟ କରିଥିଲେ ଓ ‘ମହାରାଜାଧିରାଜ’ ଉପାଧି ଧାରଣ କରିଥିଲେ । ସେ ୩୨୦ ଖ୍ରୀଷ୍ଟାବ୍ଦରୁ ଗୋଟିଏ ଅବ୍ଦ ଚଳାଇଥିଲେ । ତାହାର ନାମ ଗୁପ୍ତାବ୍ଦ ।

ସମୁଦ୍ରଗୁପ୍ତ (ଖ୍ରୀ:୩୩୦-ଖ୍ରୀ:୩୭୫)

ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ସମୁଦ୍ରଗୁପ୍ତ ରାଜା ହୋଇଥିଲେ । ସେ ବିଖ୍ୟାତ ଯୋଦ୍ଧା ଓ ଦିଗ୍‌ବିଜୟୀ ସମ୍ରାଟ ଥିଲେ । ସେ ଗାଙ୍ଗେୟ ଉପତ୍ୟକାର ସମସ୍ତ ରାଜବଂଶଙ୍କୁ ନିର୍ମୂଳ କରି ଦାକ୍ଷିଣାତ୍ୟ ଜୟ କରିବାକୁ ବାହାରିଲେ । ରାଜଧାନୀରୁ ବାହାରି ଭାରତର ପୂର୍ବ ଉପକୂଳରେ ଥିବା କୋଶଳ, ଉତ୍କଳ, କଳିଙ୍ଗ ପ୍ରଭୃତି ରାଜ୍ୟ ଜୟ କରି କାଞ୍ଚିରେ ପହଞ୍ଚିଲେ ଓ କାଞ୍ଚିରାଜାଙ୍କୁ ପରାସ୍ତ କରି ନାସିକ ବାଟେ ନିଜର ରାଜଧାନୀକୁ ଫେରି ଆସିଲେ । ସେ ପୂର୍ବରେ ବଙ୍ଗଦେଶ, ଆସାମ ଓ ନେପାଳ ଏବଂ ପଶ୍ଚିମରେ ପଞ୍ଜାବ ଅଞ୍ଚଳର ଶକ ଓ କୁଶାଣମାନଙ୍କୁ ମଧ୍ୟ ଜୟ କରିଥିଲେ । ଏହି ପ୍ରକାରେ ସେ ସମଗ୍ର ଭାରତ ଜୟ କରିଥିଲେ । ତେଣୁ ସେ ‘ଭାରତର ନେପୋଲିୟନ’ ବୋଲି ଅଭିହିତ ହୁଅନ୍ତି । ସେ ତିବ୍ଦତ ରାଜ୍ୟମାନ ଅଧିକାର କରି ନ ଥିଲେ, କେବଳ ସେମାନଙ୍କଠାରୁ କର ଆଦାୟ କରୁଥିଲେ । ତାଙ୍କର ସାମ୍ରାଜ୍ୟ ହିମାଳୟଠାରୁ ନର୍ମଦା ପର୍ଯ୍ୟନ୍ତ ଓ ବ୍ରହ୍ମପୁତ୍ରଠାରୁ ସିନ୍ଧୁ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସମସ୍ତ ଦେଶ ଜୟ କରି ସେ ଗୋଟିଏ ଅଶ୍ୱମେଧ ଯଜ୍ଞ କରିଥିଲେ । ସେ ବ୍ରାହ୍ମଣ୍ୟ ଧର୍ମର ବିଶେଷ ଉନ୍ନତି କରିଥିଲେ । ସେ କବି, ସଙ୍ଗୀତଜ୍ଞ ମଧ୍ୟ ଥିଲେ । ତାଙ୍କର ଗୋଟିଏ ମୁଦ୍ରାରେ ସେ ବୀଣା ବଜାଉଥିବାର ଦେଖାଯାଏ । ତାଙ୍କ ରାଜତ୍ୱର ସମସ୍ତ ଘଟଣା ଆହ୍ଲାବାଦରେ ଥିବା ଗୋଟିଏ ଅଶୋକ ସ୍ତମ୍ଭରେ ଲେଖା ହୋଇଛି ।

ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟ 

ସମୁଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ଦ୍ୱିତୀୟ ଚନ୍ଦ୍ରଗୁପ୍ତ ରାଜତ୍ୱ କରିଥିଲେ । ସେ ମାଳବ ଓ ସୌରାଷ୍ଟ୍ର (କାଥିଆବାଡ଼) ପ୍ରଦେଶ ଜୟ କରିଥିଲେ । ଭାରତରୁ ସମୁଦ୍ରଗୁପ୍ତ ଶକମାନଙ୍କୁ ନିର୍ମୂଳ କରି ସେ ‘ଶକାରି’ ଉପାଧି ଧାରଣ କରିଥିଲେ । ଶକମାନଙ୍କ ହସ୍ତରୁ ଭାରତକୁ ମୁକ୍ତ କରିଥିବାରୁ, ହିନ୍ଦୁମାନେ ତାଙ୍କୁ ବିଶେଷ ଭକ୍ତି ଓ ଆଦର କରୁଥିଲେ । ସେ ନିଜ କ୍ଷମତାର ଚିହ୍ନ ସ୍ୱରୂପ ‘ବିକ୍ରମାଦିତ୍ୟ’ ଉପାଧି ଧାରଣ କରିଥିଲେ । ତାଙ୍କ ସମ୍ୱନ୍ଧରେ ଅନେକ କିମ୍ୱଦନ୍ତୀ ଅଦ୍ୟାପି ପ୍ରଚଳିତ ଅଛି । ସେଥିରୁ ଜଣା ଯାଏ ଯେ, କାଳିଦାସ, ଘଟକର୍ପର, ଅମର ସିଂହ ପ୍ରଭୃତି ନଅ ଜଣ ପ୍ରସିଦ୍ଧ ପଣ୍ଡିତ ତାଙ୍କ ସଭାରେ ଥିଲେ । ସେମାନେ ‘ନବରତ୍ନ’ ନାମରେ ପରିଚିତ । ମହାକବି କାଳିଦାସ ପୃଥିବୀର ଜଣେ ଶ୍ରେଷ୍ଠ କବି । ପାଟଳୀପୁତ୍ର ଓ ଉଜ୍ଜୟିନୀ ତାଙ୍କ ସାମ୍ରାଜ୍ୟର ଦୁଇଟି ପ୍ରଧାନ ନଗରୀ ଥିଲା । ସେ ବ୍ରାହ୍ମଣ ଧର୍ମର ଉନ୍ନତି କରିଥିଲେ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

No comments:

Post a Comment